Home / ଅନ୍ୟାନ୍ୟ / ଓଡିଆ ଘରେ ‘ଶୀତ ଋତୁ’

ଓଡିଆ ଘରେ ‘ଶୀତ ଋତୁ’

Share Samadhwani

ଶୀତ ଋତୁଟି ଧାନ ଅମଳର ସମୟ ।  ଘରେ ଘରେ ବିଭିନ୍ନ ପ୍ରକାର ସୁଆଦିଆ ପିଠାପଣା  ଏହି ଋତୁର ପର୍ବପର୍ବାଣୀଗୁଡ଼ିକୁ ଜୀବନ୍ତ ଓ ଅଧିକ ଉତ୍ସବମୁଖର କରିଦିଏ । ଗାଁ ଗାଁ’ରେ ବଣଭୋଜି । ବିଭିନ୍ନ ସ୍ଥ୍ାନ ଭ୍ରମଣ କରିବା ପାଇଁ ଶୀତଋତୁଟିକୁ ସମସ୍ତେ  ଯେମିତି ଅପେକ୍ଷା କରିଥାନ୍ତି । ଓଡ଼ିଶାର ସମସାମୟିକ ସମୟରେ କୃଷି ସଂସ୍କୃତିରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଅନେକ ଶୀତଦିନିଆ ପର୍ବପର୍ବାଣୀ ଓ ସୁଆଦିଆ ଖାଦ୍ୟପେୟକୁ ଆମେ ଭୁଲିଗଲୁଣି  । ଶୀତଋତୁ ଓଡ଼ିଶାର ଜନଜୀବନକୁ କିପରି ପ୍ରଭାବିତ କରେ ଡଃ ନମିତା ଷଡ଼ଙ୍ଗୀଙ୍କର ଏହି ଲେଖାଟିରୁ ବେଶ ସୁନ୍ଦର ଭାବରେ ଅନୁଭବ କରିହୁଏ । ଡଃ ନମିତା ଷଡ଼ଙ୍ଗୀ ଏବେ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ଶିକ୍ଷା ବିଭାଗରେ ଅଧ୍ୟାପିକା ଭାବରେ କାର୍ଯ୍ୟରତ ଅଛନ୍ତି  ।  ଲେଖାଟିର ଉଦେଶ୍ୟ ଆଜିର ଯୁବପିଢ଼ି ଯେମିତି ଆମ ପର୍ବପର୍ବାଣୀ  ପଛରେ ଥିବା ଅସଲ ଭାବନା ଗୁଡ଼ିକୁ ବୁଝିପାରିବେ ।             -ସମ୍ପାଦକ

ରୂପେ ନିରୁପମା ଛଟି ଭଉଣୀ

ଗୋଟିଏ ଗରଭୁଁ ଜାତ ।

ମୃଦୁ ପଦପାତେ ଆସନ୍ତି ମରତେ

ଧରି ଜଣେ ଆନ ହାତ ।

(ଖଦ୍ୟୋତିକା – ବିଦ୍ୟୁତପ୍ରଭା ଦେବୀ)

ଗୋଟିଏ ପରେ ଗୋଟିଏ ଋତୁ ନିଜର ବର୍ଣ୍ଣବୈଭବ ଓ ଅପୂର୍ବ ସାଜସଜା ସହିତ ଧରଣୀ ରାଣୀର କୋଳମଣ୍ଡନ କରନ୍ତି । ଆଗମନର ପ୍ରାକ୍ ସୂଚନା ଦେଇ ଗୋଟିକର ପ୍ରସ୍ଥାନ ପରେ ଅନ୍ୟଟି ଧରାବତରଣ କରିଥାଏ । ଚର୍ତୁମାସ୍ୟା ପରେ ପରେ କୁମାର ପୂର୍ଣ୍ଣମୀର ଭୋଗଡାଲା ଆଉ ଜହ୍ନିଫୁଲର ହାଟ ସହ ଶୀତଋତୁ ତୁଳସୀ ଚଉରା ନିକଟରେ କୁଅାଁରୀ ମାନଙ୍କର ଖିଲି ଖିଲି ହସ ସହିତ ନିଜର ପ୍ରଥମ ପାଦ ପକାଏ । ପୂର୍ଣ୍ଣମୀ ପରଦିନ ପଲ୍ଲୀ ବଧୂ ତା’ର ପ୍ରଭାତ ସ୍ନାନ ସମୟରେ ଶୀତର ପହିଲି ପରସ ପାଇ ପୁଲକିତ ହୋଇଉଠେ । କବି ମଧୁସୂଦନଙ୍କ ଭାଷାରେ;

‘ହିମେ କାର୍ତ୍ତିକ ମାର୍ଗଶୀର

ରାତ୍ରରେ ପଡ଼ଇ ଶିଶିର,

ଶୀତରେ ପୌଷ ମାଘ ମାସ

ଦେହରେ ରଖ ଶୀତ ବାସ ।’

ଗ୍ରୀଷ୍ମ ଓ ବର୍ଷା ଓଡ଼ିଶାର ଗ୍ରାମ୍ୟ ଜୀବନକୁ ଅସ୍ତବ୍ୟସ୍ତ କରିଦିଏ । ମାତ୍ର ଶୀତର ଆଗମନରେ ଆନନ୍ଦ ଉତ୍ସବ ତଥା ମଉଜ ମଜଲିସ୍ର ବାତାବରଣ ଖେଳିଯାଏ । କାର୍ତ୍ତିକ ମାସରେ ପଲ୍ଲୀ ବଧୂ ପ୍ରତ୍ୟୁଷରୁ ସ୍ନାନ ସାରି ତୁଳସୀ ଗଛରେ ପାଣି ଢାଳେ ଚଉରାକୁ ମାଟି ଗୋବରରେ ଲିପି ମୁରୁଜରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ନିଜ ଅଗଣାକୁ ସଜାଇ ଦିଏ । କାର୍ତ୍ତିକ ବ୍ରତ ପାଳନ କରୁଥିବା ବ୍ୟକ୍ତିମାନେ ମାସ ସାରା ନିରାମିଷ ଓ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିଥାନ୍ତି । କେତେକ ଦିନରେ ଥରଟିଏ ହବିଷ୍ୟାନ୍ନ ଭୋଜନ କରନ୍ତି । ଏହି ସମୟରେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ହୋଇଥିବାରୁ ଦିନ ଛୋଟ ଓ ରାତି ବଡ଼ ହୋଇଥାଏ । ଲଘୁପାକ ଖାଦ୍ୟ ସ୍ୱାସ୍ଥ୍ୟକର । ସେଥିପାଇଁ ଓଡ଼ିଆ ସଂସ୍କୃତିରେ ଏହିପରି ଏକ ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକମାନଙ୍କୁ ଧର୍ମର ନାଁ ଦେଇ ଯାହା କହିଲେ ସେମାନେ ନିର୍ବିଚାରରେ ଗ୍ରହଣ କରିଥାନ୍ତି । କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଦିନ ବ୍ରତ ପାଳନ କରାଯାଏ । ଶିବଙ୍କର ଉପାସନା କରାଯାଏ । ଥରଟିଏ ହବିଷ୍ୟାନ୍ନ ଭୋଜନ ହୁଏ । ରାତିରେ ଭୋଜନ ନିଷେଧ । କାର୍ତ୍ତିକ ଅମାବାସ୍ୟା ଦିନ ଦୀପାବଳି । ଏହି ପର୍ବଟି ଆଲୋକ ଓ ଆନନ୍ଦର ପର୍ବ । ପିତୃ ଲୋକମାନଙ୍କୁ ନିଜ ଘରକୁ ଆବାହନ କରାଯାଏ । ହାତରେ କାଉଁରିଆ ଓ ଘିଅ ବଳିତା ଧରି ସମସ୍ତେ ଚଉରା ପାଖରେ ଧାଡ଼ି ବାନ୍ଧି ଠିଆ ହୋଇ ସମସ୍ୱରରେ ‘ଆସ ହେ ପିତୃଲୋକ ଅନ୍ଧାରେ ଆସି ଅଲୁଅରେ ଯାଅ । ଦୁଧ ରଖି ସର ଖାଅ । ବାଇଶି ପାହାଚରେ କୈବଲ୍ୟ ପାଅ । ଆମକୁ ଅମୃତ ଦୃଷ୍ଟିରେ ଚାହିଁଥାଅ’ କହି କହି ବେଢ଼ା ଚାରିପଟେ ୭ଘେରା ବୁଲିଥାନ୍ତି । ଦିପାବଳୀ ଭୋଗରେ ଉଖୁଡ଼ା, ନଡ଼ିଆ, କଦଳୀ, ଆଖୁ ଓ ମିଠା ସହ ଏକ ସ୍ୱତନ୍ତ୍ର ଭୋଗ କରାଯାଏ । ଚାଉଳକୁ ଗୁଣ୍ଡ କରି ପାଣି ମିଶାଇ ଛୋଟ ଛୋଟ ଗୋଲ ଗୋଲ ପ୍ରସ୍ତୁତ କରାଯାଏ । ନଡ଼ିଆ ରସକୁ ଚୁଲିରେ ବସାଇ ଫୁଟାଯାଏ । ସେଥିରେ ଚିନି, ଗୋଲମରିଚ, ଅଳେଇଚଗୁଣ୍ଡ ଓ ଲୁଣ ମିଶାଯାଏ । ଛୋଟ ଛୋଟ ଚାଉଳ ଗୋଲ ଗୁଡ଼ିକ ସେଥିରେ ପକାଇ କିଛି ସମୟ ସିଝିବାକୁ ଛାଡ଼ି ଦିଆଯାଏ । ଏହି ଖାଦ୍ୟଟିକୁ ଅଟକାଳି କୁହନ୍ତି, ଆଗେ ବିଜୁଳିବତୀ ନଥିଲା କି ଆଜି କାଲିକା ପରି ନାନାଦି ପ୍ରକାର ମିଷ୍ଟାନ୍ନ ନଥିଲା । ଲୋକମାନେ ପୁଲାଙ୍ଗ ତେଲରେ ଦୀପ ଜାଳୁଥିଲେ ଗ୍ୟାସ ଲାଇଟ ଘଡ଼ିବତୀ ଓ ତାଳ ଫୋଟକା ବାଣ ଫୁଟାଉଥିଲେ । ଅଟକାଳି ଭୋଗକୁ ଅତି ଆନନ୍ଦରେ ଖାଉଥିଲେ । ଏବେ ସମୟ ବଦଳିଯାଇଛି । ପୁଲାଙ୍ଗତେଲ ବଦଳରେ ଲୋକ ପାମୋଲିନ୍ ତେଲ ଓ ଲିଚୁଲାଇଟ୍କୁ ବ୍ୟବହାର କରୁଛନ୍ତି । ଦୀପାବଳିରେ ପିତୃଲୋକଙ୍କୁ ଆବାହନ କରିବା ଗୌଣ ହୋଇଯାଉଛି । ବାଣ ଫୁଟା ମୁଖ୍ୟ କାର୍ଯ୍ୟ ହେଉଛି । ଯାହାହେଉ ପଛେ ଆଲୋକର ପର୍ବ ତା’ର ସ୍ୱାତନ୍ତ୍ର୍ୟ ବଜାୟ ରଖିଛି । ଦିପାବଳୀ ସରିଗଲା ପରେ ପାହାନ୍ତା ପହରରେ ଆଉ ଏକ କାର୍ଯ୍ୟ ହୋଇଥାଏ । ଓଡ଼ିଆଣି ନିଜ ଅଗଣାରେ ଗୋଟିଏ ବୋଇତର ଛବି ଆଙ୍କିଥାଏ । ବୋଇତରେ ନାନା ପ୍ରକାର ଦ୍ରବ୍ୟର ନମୂନା ତିଆରି କରିଥାଏ । ବୋଇତ ଚିତ୍ର ଉପରେ ନିଜର ପେଟରା (ଏବେକାର ବକ୍ସ)କୁ ରଖି ବନ୍ଦାପନା କରିଥାଏ । ଏହି ପରମ୍ପରାଟି ବୋଇତ ବନ୍ଦାଣ ନାମରେ ପରିଚିତ । ସକାଳ ହେଉ ହେଉ ଆଉ ଗୋଟିଏ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥାଏ । ମା’ମାନେ ନିଜର ସନ୍ତାନକୁ ଖୁବ୍ ଶୀଘ୍ର ଉଠାଇ ମୁଣ୍ଡରେ ଏବଂ ଦେହରେ ତେଲ ଲଗାଇ ପରିଷ୍କାର କରି ଗାଧୋଇ ଦିଅନ୍ତି । ସଫା ପୋଷାକ ପିନ୍ଧାଇ ସୁନ୍ଦର ଓ ଚିକ୍କଣ କରି ସଜାଇ ଦିଅନ୍ତି । ଏହି କାର୍ଯ୍ୟଟି କାଉ କା’ କା’ କହିବା ପୂର୍ବରୁ ସମ୍ପାଦିତ ହୋଇଥାଏ । ଏହି ଦିନଟିର ନାଁ କୁଆ ଚିକ୍କଣ । ଏହି ଦିନଠାରୁ ମନୁଷ୍ୟର ଶରୀରରୁ ତୈଳ ଅଂଶ କମିଯାଏ । କାଉ ଦେହ ଚିକ୍କଣିଆ ଦେଖାଯାଏ । ସେଥିପାଇଁ ଶୀତ ଦିନେ ଟିକେ ଚିକ୍କଣିଆ ପଦାର୍ଥ ଦେହରେ ମାଲିସ କରାଯାଇଥାଏ, ତା ପରଦିନ ହୁଏ ଭାତୃ ଦ୍ୱିତୀୟା । ଭଉଣୀ ଘରକୁ ଭାଇ ଯାଏ । ଭଉଣୀ ଭାଇ ମଥାରେ ସିନ୍ଦୁର ଚନ୍ଦନ ଲଗାଇ ତାର ଆରତୀ କରେ । ଭଉଣୀ ତା ଘରେ ଉତ୍ତମ ଖାଦ୍ୟ ପଦାର୍ଥର ଆୟୋଜନ କରିଥାଏ । ଘରେ ସ୍ନେହ ଶ୍ରଦ୍ଧାର ଆଦାନ ପ୍ରଦାନ ହୁଏ । ଅମାବାସ୍ୟାର ଚାରିଦିନ ପରେ ପଡ଼େ ନାଗ ଚତୁର୍ଥୀ । ଏହି ଦିନ ନାଗ ରାଜାଙ୍କୁ ପୂଜାର୍ଚ୍ଚନା କରାଯାଏ । ନିଜର ସ୍ୱାମୀ ସନ୍ତାନ ତଥା ପରିବାର ସମସ୍ତ ସଦସ୍ୟଙ୍କୁ ସର୍ପ ଦଂଶନରୁ ରକ୍ଷା କରିବା ପାଇଁ ଏହି ପୂଜା କରାଯାଏ । ଏଥିରେ ଭଜାଯାଇଥିବା ଅରୁଆ ଚାଉଳ ଗୁଣ୍ଡକରି ସେଥିରେ ଛେନା ନଡ଼ିଆ କଦଳୀ ଗୁଡ଼ ମିଶାଇ ଭୋଗ ପ୍ରସ୍ତୁତ କରାଯାଏ ।

ଅଷ୍ଟମି ତିଥିରେ ପଡ଼େ ଗୋଷ୍ଠାଷ୍ଟମୀ । ଏହି ଦିନ ଗାଈ ଗୋଠରେ ପୂଜା ହୁଏ । ଗାଈ ଚରେଇବାକୁ ନେଉଥିବା କିଶୋର ମାନେ ଫୁଲମାଳ ପିନ୍ଧନ୍ତି । ଗାଈ, ବାଛୁରୀମାନଙ୍କୁ ମଧ୍ୟ ଫୁଲମାଳ ପିନ୍ଧାନ୍ତି । ଘରୁ ପ୍ରସ୍ତୁତ କରି ଆଣିଥିବା ମିଠା ପିଠା ଏକାଠି ମିଶି ଖାଆନ୍ତି, ଗୀତ ବୋଲନ୍ତି । ବଇଁଶୀ ଓ ଶିଂଘା ବଜାଇ ଥାନ୍ତି । ତା ପରଦିନ ପଡ଼େ ଅଁଳାନବମୀ । ଓଡ଼ିଶାର ଉପକୂଳ ଅଞ୍ଚଳରେ ଏହା ଏକ ବିଶିଷ୍ଟ ପର୍ବ । ଏହି ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଗ୍ରାମର ସବୁ ସ୍ତ୍ରୀଲୋକ ଏବଂ ପିଲାମାନେ ଏକାଠି ପଂକ୍ତି ଭୋଜନରେ ବସନ୍ତି । ଏହି ଦିନଠାରୁ ପଞ୍ଚକ ଆରମ୍ଭ ହୋଇଥାଏ । ଅରୁଆ ଭାତ ସହିତ ସାରୁ, ମୁଗ, କଦଳୀ, ଓଉ ଓ ନଡ଼ିଆ ପଡ଼ି କଞ୍ଚାମୁଗ ଡାଲମା ପ୍ରସ୍ତୁତ ହୁଏ । ଓଉର ଖଟା କରାଯାଏ । କଞ୍ଚା କଦଳୀର ଭଜା ହୁଏ । ଅଗସ୍ତି ପତ୍ରରେ ଶାଗ ହୁଏ । ଯେଉଁଠି ଅଁଳା ଗଛ ଥାଏ ତାରି ମୂଳରେ ରୋଷେଇ ହୁଏ ଓ ସମସ୍ତେ ଏକାଠି ମିଶି ଭୋଜନ କରିଥାନ୍ତି । ପଲ୍ଲୀ ରମଣୀମାନେ ଏହି ଦିନଟିକୁ ବର୍ଷସାରା ଅପେକ୍ଷା କରିଥାନ୍ତି । ସେ ଦିନ ପିଲାମାନଙ୍କର ଆନନ୍ଦ ଦେଖେ କିଏ । ମା, ମାଉସୀ ମାନେ ଯାହା କାମ ବତାଇଲେ ସେମାନେ ଖୁସିରେ କରିଦିଅନ୍ତି । ପ୍ରତ୍ୟେକ ପରିବାରରେ ଥିବା ପୁରୁଷ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟ ପଠାଯାଏ । ଏଇଠି ଗୋଟିଏ କଥା ଲକ୍ଷ୍ୟ କରାଯାଇପାରେ । ସ୍ତ୍ରୀ ଲୋକମାନେ ଭୋଜି କଲେ ପିଲାମାନଙ୍କୁ ଆଉ ପୁରୁଷ ଲୋକମାନଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତି । କିନ୍ତୁ ପୁରୁଷମାନେ କେବେବି କାହା କଥା ଭାବନ୍ତି ନାହିଁ । କାର୍ତ୍ତିକ ଚତୁର୍ଦ୍ଦଶୀ ତିଥିରେ ପଡ଼େ ବଡ଼ଓଷା । ଏହି ଦିନର ଭୋଗ ଏକ ପ୍ରକାର କ୍ଷୀରି । ଅରୁଆ ଚାଉଳକୁ ଗୁଣ୍ଡ କରାଯାଏ । କ୍ଷୀର, ନଡ଼ିଆ କୋରା, ନଡ଼ିଆ ପାତି, ଘିଅ, ଗୋଲମରିଚ ଗୁଣ୍ଡ, ଗୁଜୁରାତି ଓ ଅଳେଇଚ ଗୁଣ୍ଡ, ଅଦା ଛେଚା, ଆଖୁ ଓ ତେଜପତ୍ରକୁ ଏକାଠି ମିଶାଇ ପିତଳ କିମ୍ବା ମାଟି ହାଣ୍ଡିରେ କାଠି ଚୁଲିରେ ଫୁଟାଯାଏ । କ୍ଷୀର ଫୁଟିଲା ପରେ ଚାଉଳ ଗୁଣ୍ଡାର ପାଣି ମିଶାଇ ତାକୁ ଧିରେ ଧିରେ ପକାଯାଏ । ଚଟୁ ସାହାଯ୍ୟରେ ଅନବରତ ଗୋଳିଆଯାଏ । ବହଳିଆ ହୋଇଗଲା ପରେ ଚୁଲିର ତଳକୁ ଆଣି ଘୋଡ଼େଇ ଦିଆଯାଏ । ପୁରା ହାଣ୍ଡିଟି ଭୋଗ କରାଯାଏ । ତରଣ ସହ ଚାଉଳ ତିଆରି ଧଳା ମଣ୍ଡା ପିଠା ଭୋଗ ଦିଆଯାଏ । ଏହି ପର୍ବରେ ଶିବଙ୍କୁ ପୂଜା କରାଯାଏ । ବେଲଗଛ ମୂଳେ ମଧ୍ୟ ପୂଜା କରାଯାଏ । ପୂଜାଟି ରାତିର ଶେଷ ପହରରେ ହୁଏ । ପୂଜା ସାରି ସମସ୍ତେ ନଦୀକୁ ପ୍ରଭାତ ସ୍ନାନ ପାଇଁ ଯାନ୍ତି । ଉକ୍ରଳର ନୌବାଣିଜ୍ୟକୁ ମନେ ପକାଇ କଦଳୀ ଗଛର ପାଟୁଆରେ ତିଆରି ହୋଇଥିବା ଡଙ୍ଗା ଭସାନ୍ତି । ସ୍ମୃତିସ୍ୱରୂପ ଡଙ୍ଗାରେ ଚାଉଳ, ପାନ, ଗୁଆ, ପଇସା ଓ ଦୀପ ରଖି ଦିଅନ୍ତି । ଦ୍ୱୀପାବଳୀ ଦିନ ପାହାନ୍ତାର ଉତ୍ସବକୁ ବୋଇତ ବନ୍ଦାଣ ଉତ୍ସବ କୁହାଗଲା ବେଳେ ପୂର୍ଣ୍ଣମୀର ଉତ୍ସବଟି ବୋଇତ ଭସାଣ ଉତ୍ସବ କୁହାଯାଏ । ଏହି ଦିନ ଓଡ଼ିଆ ସାଧବମାନେ ଜାଭା, ବାଲି, ବୋର୍ଣ୍ଣିଓ ଆଦି ସୁଦୂର ଦ୍ୱୀପକୁ ବାଣିଜ୍ୟ କରିବାକୁ ଯାଉଥିଲେ । ଆଜିକାଲି କାଗଜ ଓ ଶୋଲରେ ତିଆରି ଡଙ୍ଗା ଅଧିକ ବ୍ୟବହାର ହେଉଛି । କାର୍ତ୍ତିକ ପୂର୍ଣ୍ଣମୀକୁ ରାସ ପୂର୍ଣ୍ଣମୀ ମଧ୍ୟ କୁହାଯାଏ । ଏହି ଦିନ ଆକାଶ ଦୀପର ଉଦ୍ୟାପନ ହୁଏ । ଆକାଶ ଦ୍ୱୀପ ଯଦିଓ ଆମର ଧର୍ମବିଶ୍ୱାସ ସହ ଜଡ଼ିତ ତଥାପି ଏହାର ମଧ୍ୟ ଏକ ବୈଜ୍ଞାନିକ କାରଣ ଅଛି । ହାଣ୍ଡି ମଧ୍ୟରେ ଘିଅ ଦ୍ୱୀପ ପ୍ରଜ୍ୱଳିତ କରି ରଖି ଖୁବ୍ ଉଚ୍ଚରେ ଜାଳିବା ଦ୍ୱାରା ବହୁ ଅନିଷ୍ଟକାରୀ ପୋକ ନଷ୍ଟ ହୋଇଯାନ୍ତି । ମାସ ସାରା ସ୍ତ୍ରୀ ଲୋକମାନେ ପ୍ରକୃତିର ବିଭିନ୍ନ ଉପାଦାନର ଉପାସନା କରନ୍ତି । ସାହାଡ଼ା ବର, ଅଶ୍ୱତ୍ଥ, ତୁଳସୀ, ଦୁଲଭା ଓ ବେଲଗଛ, ଗୋବର, ଉଇ ହୁଙ୍କା ଓ ନଦୀ ତୁଠ କୁ ଫୁଲ ଓ ନୈବେଦ୍ୟ ଅର୍ପଣ କରନ୍ତି ।

ମାସ ମଧ୍ୟରେ ଶ୍ରେଷ୍ଠ ମାର୍ଗଶୀର । ମାସର ପ୍ରଥମ ପ୍ରଭାତ କମ୍ପିଉଠେ ପଲ୍ଲୀ ବାଳିକା ମାନଙ୍କର ସୁମଧୁର ମିଳିତ କଣ୍ଠସ୍ୱରରେ । ବଜ୍ରମୁଳି ଡାଳରେ ତିଆରି ହୋଇଥାଏ ଝାଡ଼ୁ । ସେହି ଝାଡ଼ୁ ଧରି ସବୁ ଝିଅ ଏକାଠି ମିଶି ଦୁଇ ଧାଡ଼ିରେ ଠିଆ ହୁଅନ୍ତି । ବୟସରେ ଜ୍ୟେଷ୍ଠ ହୋଇଥିବା ଦୁଇଟି ଝିଅ ଆଗରେ ଓ ଦୁଇଜଣ ପଛରେ ରୁହନ୍ତି । ବାକି ସମସ୍ତେ ମଝିରେ ରହି ଦାଣ୍ଡ ଓଳେଇ ଓଳେଇ ଚାଲନ୍ତି । ଏକ ସ୍ୱରରେ ପଦଟିଏ ଗାଇ ଗାଈ ଚାଲନ୍ତି ।

‘ଦାଣ୍ଡ ଓଳାଇଲି ଚଉରା ଲିପିଲି

କୁକୁମକୁ ଦେଲି ଜାଇ

ଧରମ ଦେବତା କଲ୍ୟାଣ କରନ୍ତୁ

ବଞ୍ôଚ ରହୁ ବାପ ଭାଇ ।’

ଗ୍ରାମ ଶେଷରେ ଥିବା କିଆଗଛ ପାଖ ସଫା ଓ ସୁନ୍ଦର ଭାବରେ ଲିପା ହୁଏ । ବଜ୍ରମୁଳି ମୁଠା ଧୁଆ ହୋଇ ଗଛ ପାଖରେ ରଖାଯାଏ । ଗଛ ମୁଳେ ପଞ୍ଚବନି ମୁରୁଜରେ ଚିତା ପଡ଼େ । କିଆ ଗଛକୁ ଗେଣ୍ଡୁ, ଅତସୀ, ଟଗର, ମନ୍ଦାର ଆଦି ନାନା ଫୁଲରେ ସଜାଇ ଦିଆଯାଏ । ମାସ ସାରା ଏହିପରି ସକାଳୁ ଦାଣ୍ଡଓଳା ଓ କିଆ ଗଛକୁ ପୂଜା ଚାଲେ । ପୂର୍ଣ୍ଣମୀ ଦିନ ସକାଳେ ଓ ସନ୍ଧ୍ୟାରେ ଦୁଇଥର ଦାଣ୍ଡ ଓଳାଯାଏ । ମାସ ସାରା ପୂଜା ହୋଇଥିବା କିଆଗଛରୁ ପତ୍ରଟିଏ ଆସେ । ମଝି ଦାଣ୍ଡରେ ପନ୍ଥେଇ ଖୋଳାଯାଏ । ପନ୍ଥେଇ ମଝିରେ ସୁନ୍ଦର କିଆଗଛଟିଏ ପୋତା ଯାଏ । ତା ସହିତ କିଆ ପତ୍ରଟି ମଧ୍ୟ ରଖାଯାଏ । ପନ୍ଥେଇକୁ ହଳଦୀ ମିଶା ପାଣିରେ ପୂର୍ଣ୍ଣ କରାଯାଏ । ତା’ର ଚାରିପଟେ କଦଳୀ ଓ ଦେବଦାରୁ ଗଛରେ ସଜା ଯାଏ । ବିଭିନ୍ନ ରଙ୍ଗର ଗେଣ୍ଡୁଫୁଲରେ ତୋରଣ ସଜାଯାଏ । କିଆ ଗଛ ମୂଳେ ଅନ୍ୟାନ୍ୟ ଚିତ୍ର ସହ ପଞ୍ଚୁ ପାଣ୍ଡବଙ୍କ ପ୍ରତିଛବି ଓ ମୃତ୍ୟୁର ଦେବତା ଯମଙ୍କର ଚିତ୍ର ମଧ୍ୟ ଅଙ୍କନ କରାଯାଏ । କଥିତ ଅଛି ପାଣ୍ଡବମାନେ ବନବାସ କଲାବେଳେ ମାତା କୁନ୍ତି ଏହି ପୂଜାଟି କରି ଯମରାଜାଙ୍କୁ ନିଜର ପୁତ୍ରମାନଙ୍କର ସୁରକ୍ଷା ଭାର ପ୍ରଦାନ କରିଥିଲେ । ଓଷାଟିର ନାମ ବାଟଓଷା । ଭୋଗ ହୁଏ ନାନାଦି ଫଳ ସହ ମଣ୍ଡା ଓ ଚକୁଳି ପିଠା । ଅସଲ କଥା ହେଲା ମାର୍ଗଶୀର ଧାନ ଅମଳର ମାସ । ସକାଳୁ ବାପା ଓ ମା ମାନେ ଧାନ କାଟିବାକୁ ଚାଲିଯାନ୍ତି । ରାସ୍ତାରେ କଣ୍ଟା କି ଗୋଡ଼ି ପଡ଼ିଥିଲେ ଚାଲିବାକୁ କଷ୍ଟ ହୁଏ । ଧାନ ଭାର ଧରି ଆସିବାବେଳେ ପରିସ୍କାର ରାସ୍ତାରେ ଚାଲିବା ସହଜ ହୁଏ । ଶୀତ ସକାଳୁ ଉଠିବା ମଧ୍ୟ ଏକ ଅତି ସ୍ୱାସ୍ଥ୍ୟକର ଅଭ୍ୟାସ । ଆମର ପୂର୍ବ ପୁରୁଷମାନେ ଆମକୁ ସୁସ୍ଥ ରଖିବା ପାଇଁ କି ସୁଚିନ୍ତିତ ଯୋଜନା କରିଯାଇଛନ୍ତି । ଭାବିଲେ ବିସ୍ମିତ ହେବାକୁ ପଡ଼େ । ଏବେ କିନ୍ତୁ ଏ ପରମ୍ପରା ଲୋପ ପାଇବାକୁ ବସିଲାଣି । ଝିଅମାନେ ଏକାଠି ମିଶି ଉତ୍ସବ କରିବାକୁ କି ଦାଣ୍ଡ ଓଳାଇବାକୁ ପସନ୍ଦ କରୁନାହାନ୍ତି ।

ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମି ତିଥିରେ ପଡ଼େ ପ୍ରଥମାଷ୍ଟମି । ଘରର ଜ୍ୟେଷ୍ଠ ସନ୍ତାନ ପାଇଁ ପୂଜା ହୁଏ । ମୁଳା ସେହିଦିନ ଠାରୁ ଖିଆଯାଏ । ମା ମାନେ ପିଲାଙ୍କୁ ହଳଦୀ ଲଗାଇ ଗାଧୋଇ ଦିଅନ୍ତି । ସିନ୍ଦୁର କଜଳ ଓ ଝିଅମାନଙ୍କୁ ଅଳତା ଲଗାଇ ଦିଅନ୍ତି । ମାମୁଁ ଘରୁ ଆସିଥିବା ନୂଆ ପୋଷାକ ପିନ୍ଧାଇ ଦିଅନ୍ତି । ହଳଦୀ ପତ୍ରରେ ସିଝା ଯାଇଥିବା ଏଣ୍ଡୁରି ପିଠା, ମୁଳା ପକା ଡାଲମା, ଖିରି ଓ ମାଛ ଷଠୀ ଠାକୁରାଣୀ ପାଖେ ଭୋଗ ଲଗାଇ ପିଲାଙ୍କୁ ବନ୍ଦାପନା କରନ୍ତି । ଓଡ଼ିଆ ଘରେ ଜ୍ୟେଷ୍ଠ ସନ୍ତାନକୁ ଶ୍ରେଷ୍ଠ ସ୍ଥାନ ଦିଆଯାଏ । ପ୍ରଥମାଷ୍ଟମୀର ପରଦିନ ପଡ଼େ କାଞ୍ଜି ଅଁଳା । ଏହି ଦିନ ସୁଖୁଆକୁ ପୂଜା କରାଯାଏ । ପଖାଳ ତୋରାଣିରେ ମୁଳା, ଅମୃତଭଣ୍ଡା, କଖାରୁ ଇତ୍ୟାଦି ପଡ଼ି ସିଝାଯାଏ । ସୁଖିଲା ଲଙ୍କା ପଞ୍ଚୁଫୁଟଣ ଓ ଭୃସଙ୍ଗପତ୍ରରେ ବଘାରି କାଞ୍ଜି ପ୍ରସ୍ତୁତ ହୁଏ । ସୁଖୁଆ ପଡ଼ି ରାଇ ତିଆରି ହୁଏ । ତା ପରେ ଧଳା କନାଟିକୁ ହଳଦୀ ପାଣିରେ ଭିଜାଇ ହଳଦିଆ ଶାଢ଼ି ତିଆରି ହୁଏ । ପିତା ସୁଖୁଆକୁ ହଳଦୀ ପାଣିରେ ଗାଧୋଇ ତାକୁ ସିନ୍ଦୁର କଜଳ ଲଗାଇ ଦିଆଯାଏ । ହଳଦିଆ ଶାଢ଼ି ପିନ୍ଧାଇ ତାକୁ ବୋହୂ କରାଯାଏ । ରୋଷେଇ ଘର କଣରେ ପିଢ଼ା ଉପରେ ବୋହୂ ଓଢ଼ଣା ଟାଣି ବସେ । ତା ପାଖରେ କାଞ୍ଜି ଓ ସୁଖୁଆ ରାଇ ଭୋଗ ଲାଗେ । ବୋହୂକୁ ବନ୍ଦାପନା କରାଯାଏ ।

ମାର୍ଗଶୀର ମାସର ଶ୍ରେଷ୍ଠ ପୂଜା ମାଣବସା । ଏହା ଏକ ସାର୍ବଜନୀନ ଲକ୍ଷ୍ମୀପୂଜା । କୃଷି ଓ କୃଷକ ସହିତ ଜଡ଼ିତ ଏହି ପର୍ବ । ଧାନ କେଣ୍ଡାରେ ମେଣ୍ଟା ହୁଏ । ମାଣରେ ଧାନ ରଖାଯାଏ । ଧାନ ଉପରେ ମେଣ୍ଟା ରଖି ତା କୋଳରେ ଧାନ ମାଣରେ ଗୁଆ, ନଡ଼ିଆ, କଦଳୀ, ମୁଳା, ଆଖୁ ଇତ୍ୟାଦି ରଖାଯାଏ । ଏକ ନବବଧୂ ପରି ନୂତନ ସୁନ୍ଦର ବସ୍ତ୍ରରେ ମାଣକୁ ସଜାଇ ଦିଆଯାଏ । ଗେଣ୍ଡୁ, ସୋରିଷ ଓ ଦାସ କେରେଣ୍ଡା ଫୁଲରେ ସଜାଯାଏ । ପ୍ରତ୍ୟେକ ବୁଧବାର ଦିନ ଘର ଓ ଅଗଣା ଲିପା, ଧୁଆ ହୋଇ ପରିସ୍କାର କରାଯାଏ । ଚାଉଳକୁ ବାଟି ସେଥିରେ ଦୁଆର ବନ୍ଧ, ଅଗଣା, ଚଉରା ମୂଳ, ଖଳାର ମେରିମୂଳ, ଘରର ଚଟାଣ ଓ କାନ୍ଥ ସବୁଠି ଲକ୍ଷ୍ମୀପାଦ ଓ ପଦ୍ମର ଝୋଟି ଅଙ୍କାଯାଏ । କାନ୍ଥରେ ଧାନ ହଳା, ଧାନଗଦା ଓ ପାଳଗଦାର ଚିତ୍ର କରାଯାଏ । ପ୍ରତ୍ୟେକ ଗୁରୁବାର ଦିନ ପ୍ରତ୍ୟୁଷରୁ ଓଡ଼ିଆ ଘରର ଘରଣୀ ମୁଣ୍ଡଧୋଇ ଗାଧୋଇ ମଠାଲୁଗା ପିନ୍ଧି ଲକ୍ଷ୍ମୀ ପୂଜାର ଆୟୋଜନ କରେ । ପ୍ରଥମ ଧୂପରେ ସୁଖିଲା ଭୋଗ ହୁଏ । ଦ୍ୱିପ୍ରହରରେ ରନ୍ଧା ଖାଦ୍ୟ ଓ ସନ୍ଧ୍ୟାରେ ପିଠା ଓ ମିଠା ପୂଜା ହୁଏ । ମା’ଙ୍କ ପାଖରେ ନୈବେଦ୍ୟ ଦେବା ପାଇଁ ଓଡ଼ିଆଣୀ ମୁଳା ସାଗ, କୋଶଳା ସାଗ, ଖେଚୁଡ଼ି, ଘିଅ ଅନ୍ନ, ଦହି ପଖାଳ, ଶିମ୍ବ ରାଇ, ଦେଶିଆଳୁ ଭଜା, ପାଣି କଖାରୁ ସାକର, କନ୍ଦମୁଳ ଖଟା ବଡ଼ି, ସାରୁ, କଦଳୀ ଓ ମୁଳାର ବେଶର, ଚିତୋଉ, ମଣ୍ଡା, ଘିଅ ପିଠା, ଏଣ୍ଡୁରି, ଆରିସା ଇତ୍ୟାଦି କେତେ ଯେ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରେ ସେକଥା କେବଳ ଦେଖିଲେ ଜାଣିହେବ ନହେଲେ ଭାବିବେ ବଡ଼େଇ କରୁଛି । ଶେଷ ଗୁରୁବାର ଦିନ ସନ୍ଧ୍ୟାରେ ମା ନିଜ ବାପ ଘରକୁ ଯାଆନ୍ତି । ସେଦିନ ଦିନ ଥାଇ ମାଣ ଉଠାଯାଏ । ଭୋଗ ଲାଗେ ଓଲଟା ଚକୁଳି, ବିରିପୁଳି ଓ ମିଠା । ଓଡ଼ିଆ ମାନେ ବିଶ୍ୱାସ କରନ୍ତି ଓଲଟା ଯାଇଥିବା ଚକୁଳି ଖାଇ ଗଲେ ଶୀଘ୍ର ଲେଉଟି ଆସିବାକୁ ହୁଏ । ସେଥିପାଇ ଝିଅ ଶାଶୁଘରକୁ ଯିବା ବେଳେ ମଧ୍ୟ ଚକୁଳିଟିଏ ଓଲଟା ଯାଇଥାଏ । ଏହି ମାଣବସା ପର୍ବ ବିଷୟରେ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା କରାଯାଇଛି । ଓଡ଼ିଆ ଘରେ ଓଡ଼ିଆଣୀର ସ୍ଥାନ ସ୍ୱତନ୍ତ୍ର । ସେ ଗୃହକର୍ତ୍ତୀ । ତା’ର ସୁଚିନ୍ତିତ ପରାମର୍ଶରେ ଘର ସୁନ୍ଦର ଭାବେ ଚାଲେ । ତାଙ୍କୁ ଅପମାନ ଦେଲେ ଗୃହକର୍ତ୍ତାକୁ ବାର ନାରଖାର ହେବାକୁ ପଡ଼େ । ଖାଇବାକୁ ମିଳେନି, ଗୃହ ଶ୍ରୀହୀନ ହୁଏ ନିଜର ବଳବୀର୍ଯ୍ୟ ସବୁ ନଷ୍ଟ ହୁଏ । ଓଡ଼ିଆଣୀକୁ ବି ଅନେକ ନୀତି ନିୟମ ମାନି ଚଳିବାକୁ ପଡ଼ିଥାଏ । ନିଜର ନିୟମାନୁବର୍ତ୍ତୀ ଓ ସମୟାନୁବର୍ତ୍ତୀ ଗୁଣ ଯୋଗୁଁ ସେ ପରିବାରର ସମସ୍ତ ସଦସ୍ୟଙ୍କୁ ଏକତାର ରଜ୍ଜୁରେ ବାନ୍ଧି ରଖିପାରେ ଫଳରେ ଘରେ ସ୍ନେହ, ଶ୍ରଦ୍ଧା, ଭକ୍ତି ଓ କୋମଳତାର ମନ୍ଦାକିନୀ ପ୍ରବାହିତ ହୁଏ । ଯାହାକୁ ଦେଖି ମଧୂସୁଦନଙ୍କ ପରି ଭକ୍ତ କବି ଗାଇଉଠନ୍ତି:

‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।’

ଏହି ମାସରେ ଆଉ ଦୁଇଟି ପର୍ବ ମଧ୍ୟ ପାଳନ କରାଯାଏ । କୃଷକ ପାଇଁ ଏହି ପର୍ବର ବୈଶିଷ୍ଟ୍ୟ ବହୁତ ବେଶୀ । ଏହି ପର୍ବ ପାଇଁ କୌଣସି ନିର୍ଦ୍ଦିଷ୍ଟ ତିଥି ନାହିଁ । ନିଜର ସୁବିଧା ଅନୁସାରେ ହୋଇଥାଏ ।

ଖଳା ଅନୁକୁଳ ପର୍ବ:

ଘରର ଦାଣ୍ଡ ବା ବାଡ଼ି ପଟେ ଖଳା ତିଆରି ହୁଏ । ଖଳାରେ ପଥର ଓ ବାଉଁଶରେ ଭାଡ଼ି କରାଯାଏ । ଖଳାକୁ ମାଟି ଓ ଗୋବରରେ ଚିକ୍କଣ କରି ଲିପାଯାଏ । ଖଳା ମଝିରେ ମେରି ଖୁଣ୍ଟ ପୋତାଯାଏ । ଚାଉଳ ବଟାରେ ଖଳା ସାରା ଧାନକେଣ୍ଡା, ଧାନ ହଳା ଓ ଲକ୍ଷ୍ମୀ ପାଦ ପଦ୍ମର ଚିତ୍ର କରାଯାଏ । ଯେଉଁଦିନ ପ୍ରଥମ କରି ଚାଷୀ ହଳା ବିଲରୁ ଖଳାକୁ ଆଣି ସଜାଇ ରଖେ ସେ ଦିନ ତା’ର ପତ୍ନି ଖଳାରେ ଉଖୁଡ଼ା କଦଳୀ ଭୋଗ ଲଗାଏ । ଘିଅ ଦୀପ ଜାଳି ଆରତୀ କରେ । ମା ଲକ୍ଷ୍ମୀ ଖଳା ମଣ୍ଡନ କରନ୍ତି ।

କ୍ଷେତ ବଢ଼ା ପର୍ବ:

ଯେଉଁଦିନ ଧାନକଟା ସରେ ସେଦିନ ବିଲରେ ଏହି ପର୍ବଟି ପାଳିତ ହୁଏ । ଗୁଡ଼ିଆ ଘରୁ ମୁଢ଼ି, ଉଖୁଡ଼ା, ଚୁଡ଼ା ପୁଆ ଓ ଖୁରୁମା ଆସେ । ଧାନ କାଟୁଥିବା ସମସ୍ତେ ଏକାଠି ମିଶି ଖାନ୍ତି । ବିଲକୁ ଘିଅ ଦୀପ ଜାଳି ଆରତୀ ହୁଏ । ବର୍ଷସାରା ପାଇଁ ଖାଦ୍ୟ ଯୋଗାଇଥିବା ବିଲ ମାଟିକୁ କୃଷକ ତା’ର କୃତଜ୍ଞତା ଜଣାଏ । ତାକୁ ବିଶ୍ରାମ ଦେଇ ନିଜ ଘରକୁ ଯାଏ । ଘରେ ସେଦିନ ରାତିରେ ଚୁଡ଼ା ଘସା, ଖିରି, ପୁଣି ଡାଲମା ରନ୍ଧାଯାଏ । ଖଳାରେ ପୂଜା କରି ସମସ୍ତେ ଏକାଠି ମିଶି ଭୋଜନ କରନ୍ତି ।

ଏହି ଋତୁର ଆଉ ଏକ ପର୍ବ ଧନୁ ସଂକ୍ରାନ୍ତି । ଏହି ଦିନଠାରୁ ପୁଷମାସ ଆରମ୍ଭ ହୁଏ । ଦିନ ଛୋଟ ଓ ରାତି ବଡ଼ ହୁଏ । ସକାଳୁ ଚାଉଳ, ମୁଗଡାଲି, ଆଳୁ, ବାଇଗଣ, ମୁଳା, ବିନ୍, ଅଦା, ନଡ଼ିଆ, ଘିଅ, ଗୁଡ଼ ସହିତ ହଳଦୀ ଓ ଲୁଣ ମିଶାଇ ମାଟି ହାଣ୍ଡିରେ ଚୁଲିରେ ବସାଇ ଦିଆଯାଏ । ଅଳ୍ପ ଚୁଲି ଜାଳି ଗଣ୍ଡେ କୁହୁଳା ପକାଇ ଦିଆଯାଏ । ପିଲାମାନେ ନିତ୍ୟକର୍ମ ସାରି ଆସିଲା ବେଳକୁ ଖେଚୁଡ଼ି ପ୍ରସ୍ତୁତ ହୋଇଯାଇଥାଏ କଦଳୀ ପତ୍ରରେ ସେଥିରୁ କିଛି କିଛି ବାଢ଼ି ଦେଇ ମା’ମାନେ ନିଜ କାମରେ ଲାଗିଯାନ୍ତି । ପୁଷମାସ ଧାନ ଅମଳର ସମୟ । ଦିନ ଛୋଟକୁ କାମ ବେଶି । କମ୍ ସମୟରେ ସୁଷମ ଖାଦ୍ୟ ସନ୍ତାନମାନଙ୍କ ପାଇଁ ପ୍ରସ୍ତୁତ କରି ପରିବେଷଣ କରିବା ପାଇଁ ଓଡ଼ିଆ ସଂସ୍କୃତିରେ ଏହି ଖାଦ୍ୟଟି ଏକ ଚମକ୍ରାର ପରିକଳ୍ପନା । ଧନୁ ସଂକ୍ରାନ୍ତିରେ ଭୋଗ ହୁଏ ଲିଆ ତିଆରି ମୁଅାଁ । ତା ପରଦିନଠାରୁ ସବୁରି ଘରେ ମୁଅାଁ ତିଆରି ହୁଏ । ମୁଢ଼ି ଓ ଲିଆ ଉଭୟରେ ତିଆରି ମୁଅାଁ ଭାରି ସୁଆଦିଆ । ଆଜିକାଲି ବଜାରରେ ନାନା ପ୍ରକାର ତକ୍ରାଳ ଖାଦ୍ୟ ମିଳୁଛି କିନ୍ତୁ ସେ ସବୁର ଖାଦ୍ୟମାନ ଠାରୁ ଓଡ଼ିଆ ଘରର ତକ୍ରାଳ ଖାଦ୍ୟ ଯଥା ଚୁଡ଼ା, ମୁଢ଼ି, ଛତୁଆ, ଉଖୁଡ଼ା, ଛାଚି ଖଇ, ମୁଅାଁ, ଆରିଶା ଇତ୍ୟାଦି ଅତି ଉଚ୍ଚମାନର । ପୁଷମାସର ଅମାବାସ୍ୟାର ନାମ ବଉଳ ଅମାବାସ୍ୟା । ଓଡ଼ିଆ ସାମାଜିକ ଓ ସାଂସ୍କୃତିକ ଜୀବନ ଧାରାରେ କୃତଜ୍ଞତା ପ୍ରଦର୍ଶନ ଏକ ବିଶିଷ୍ଟ କ୍ରିୟା । ଏହି ପର୍ବରେ ଆମ୍ବ ଗଛକୁ ପୂଜା କରାଯାଏ । ମାଘ ମାସରେ ବଉଳ ଆସେ । କୁହୁଡ଼ି ବଉଳକୁ ଜାଳିଦିଏ । ପୁଣି ଏକ ଛୋଟ କିଟ ମଧ୍ୟ ଆମ୍ବପତ୍ର ଓ ବଉଳକୁ ଖାଇଦିଏ । ଗଛ ନିକଟରେ ଧୂଅାଁ ଦେଲେ ବଉଳ କୁହୁଡ଼ି ଓ କୀଟ ଆକ୍ରମଣରୁ ସୁସ୍ଥ ରହିପାରେ । ସେଥିପାଇଁ ଅମାବାସ୍ୟା ଦିନ ଆମ୍ବ ଗଛକୁ ମଣ୍ଡା ପିଠା ଭୋଗ ଲଗାଇ ଗଛ ମାଲିକକୁ ମନେ ପକାଇ ଦିଆଯାଏ ଗଛ ମୂଳେ ଧୂଅାଁ ଦେବାକୁ । ନହେଲେ ଆମ୍ବଟିଏ ମିଳିବନି । ଶାମ୍ବଦଶମୀ ପୁଷମାସର ଅନ୍ୟତମ ପର୍ବ । ଏହି ପର୍ବରେ ସକଳ ସକ୍ତିର ଆଧାର ସୂର୍ଯ୍ୟଙ୍କୁ ପୂଜା କରାଯାଏ । ପ୍ରତ୍ୟୁଷରୁ ଚଉରା ପାଖ ଲିପାପୋଛା ହୋଇ ମୁରୁଜ ପକାଯାଏ । ପିଢ଼ା ଉପରେ ଗୁଆ ଓ ଫୁଲ ରଖାଯାଏ । କଳସ ବସାଯାଏ । ସକାଳୁ ପୋଡ଼ ପିଠା, ଆରିସା, କାକରା, ମୁଅାଁ, ମକର ଚାଉଳ ଆଦି ଭୋଗ କରାଯାଏ । ଦ୍ୱିପ୍ରହର ସମୟରେ ଖେଚୁଡ଼ି, ଡାଲମା, ସାଗ, ଶିମ୍ବରାଇ, ଖଟା ଓ ଖିରି ଭୋଗ କରାଯାଏ । ସନ୍ଧ୍ୟାରେ ଚକୁଳି ପିଠା ବଜ୍ର ବାଟୁଳି ଓ କଦଳୀ ଭୋଗ କରାଯାଏ । ସୂର୍ଯ୍ୟଙ୍କୁ ଆରତୀ କରି ମା’ମାନେ ସନ୍ତାନର ଦୀର୍ଘ, ନିରୋଗ ଓ ସଫଳ ଜୀବନର କାମନା କରନ୍ତି । ପୁଷମାସର ପ୍ରତ୍ୟେକ ରବିବାର ଦିନ ସୂର୍ଯ୍ୟପୂଜା କରାଯାଏ । ପୁଷପୂର୍ଣ୍ଣମି ମଧ୍ୟ ଏକ ଉତ୍ସବର ଦିନ । ଧାନ କଟା ସରିଯାଇଥାଏ । ମୁଗ, ବିରି ଇତ୍ୟାଦି ବିଲରେ ବୁଣା ସରିଥାଏ । ଆଳୁ ଖୋଳା ହୋଇଯାଇଥାଏ, ଆଖୁ କିଆରିରୁ କଟା ହୋଇ ଗୁଡ଼ ରନ୍ଧା ସରିଥାଏ । ପୂର୍ଣ୍ଣମୀ ବେଳକୁ ପ୍ରାୟ ଚାଷକାମ କିଛି ନଥାଏ । ସମସ୍ତେ ଏହିଦିନ ନାଚ ଗୀତରେ କଟେଇ ଦିଅନ୍ତି । ଗୋଟିଏ କଥା ଆଜି ମନକୁ ଭାରାକ୍ରାନ୍ତ କରେ । ଓଡ଼ିଆ କୃଷକ ପରିବାରର ସଦସ୍ୟମାନେ ଗୋଟିଏ ସାଧାରଣ କଥା କେମିତି ଭୁଲିଯାନ୍ତି । ସଞ୍ଚୟ କରିବା ଏକ ବିଶିଷ୍ଟ ଗୁଣ । ପୁଷମାସରେ ସବୁରି ଘରେ ଧାନ ଥାଏ । ବର୍ଷସାରା ପାଇଁ ଥରଟିଏ ଖାଦ୍ୟ ଅମଳ ହୁଏ । ତାକୁ ସାଇତି ନରଖି ଅନେକ ଲୋକ ସେହି ମାସରେ ପିଠା ପଣା, ମୁଢ଼ି, ଚୁଡ଼ା କରି ବହୁ ପରିମାଣରେ ଧାନ ସାରିଦିଅନ୍ତି । ବର୍ଷାଦିନ ବେଳକୁ ଖାଦ୍ୟର ଅଭାବ ପରିଲକ୍ଷିତ ହୁଏ । ଏଇଠି ଦୁଇଟି ପ୍ରଚଳିତ କଥାର ସତ୍ୟତା ଉପଲବ୍ଧ ହୁଏ । ଥିଲେ ବାଘର ଆହାର ନଥିଲେ ପବନ ଆହାର । ପୁଷମାସ ଭୁସ୍ଭାସ୍ ତିନିଥର ରାନ୍ଧଣା, ପୁଷମାସ ସରିଗଲେ ସୁକୁ ସୁକୁ କାନ୍ଦଣା । ଟିକେ ଜଗି ରଖି ଖର୍ଚ୍ଚକଲେ ଖାଦ୍ୟାଭାବ ହୁଅନ୍ତାନି ।

ଶୀତ ଋତୁର ଶେଷମାସ ମାଘମାସ । ପ୍ରଥମ ପର୍ବ ମକର ସଂକ୍ରାନ୍ତି । ନୂଆ ଅରୁଆ ଚାଉଳକୁ ଗୁଣ୍ଡ କରି ସେଥିରେ ଘିଅ, ଗୁଡ଼, ନଡ଼ିଆ, ଛେନା, କଦଳୀ, ଗୋଲମରିଚ ଆଦି ପକାଇ ମକର ଚାଉଳ ହୁଏ । ବୃନ୍ଦାବତୀ ମୂଳେ ଭୋଗ ଲଗାଇ ସମସ୍ତେ ପ୍ରସାଦ ପାଆନ୍ତି । ମକରରେ ସୂର୍ଯ୍ୟଙ୍କର ଉତ୍ତରାୟଣ ହୁଏ । ଦିନ ଧିରେ ଧିରେ ବଡ଼ ହୁଏ । ଏହି ମାସର ପ୍ରତ୍ୟେକ ସୋମବାର ଦିନ ବ୍ରତ ପାଳନ କରାଯାଏ । ଶୁକ୍ଳ ପକ୍ଷ ପଞ୍ଚମୀକୁ ଶ୍ରୀ ପଞ୍ଚମୀ କୁହାଯାଏ । ଏହି ଦିନ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କର ପୂଜାଅର୍ଚ୍ଚନା କରାଯାଏ । ବିଦ୍ୟାଳୟମାନଙ୍କରେ ଶିକ୍ଷାର୍ଥୀମାନେ ମହା ସମାରୋହରେ ଏହି ପର୍ବଟି ପାଳନ କରନ୍ତି । ତା’ର ଦୁଇଦିନ ପରେ ପଡ଼େ ମାଘ ସପ୍ତମୀ । କୋଣାର୍କ ନିକଟରେ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ଖଣ୍ଡଗିରିରେ ଖଣ୍ଡ ଖିରି ପ୍ରସାଦ ଖାଇବାକୁ ବହୁ ଭକ୍ତ ଭିଡ଼ ଜମାନ୍ତି । ଖଣ୍ଡଗିରି ଠାରେ ଏକ ପ୍ରସିଦ୍ଧ ମେଳା ହୁଏ । ମାଘ ମାସର ଶୁକ୍ଳ ଏକାଦଶୀରେ ବଡ଼ ଏକାଦଶୀ ପାଳନ ହୁଏ । ଏହି ପର୍ବଟି ସାର୍ବଜନୀନ ନୁହେଁ । ମାଘ ପୂର୍ଣ୍ଣମୀରେ ଅଗ୍ନି ଉତ୍ସବ ପାଳନ କରାଯାଏ । ଏହାକୁ ଅଗି ଜଳା ପୁନିଅଁ ମଧ୍ୟ କୁହାଯାଏ । କଥାରେ ଅଛି ମାଘ ଶୀତର ବଡ଼ରାଗ । ଶୀତରୁ ରକ୍ଷା ପାଇବା ପାଇଁ ବୟସ୍କ ଲୋକମାନେ ଧୁନି ଜଳାଇ ଏକାଠି ବସନ୍ତି । ତାଙ୍କ ପାଖରେ ସାନ ପିଲାମାନେ ମଧ୍ୟ ବସନ୍ତି । ବୁଢ଼ାମାନେ ରୋଚକ ତଥା ଶିକ୍ଷଣୀୟ ଗପ ପିଲାମାନଙ୍କୁ କହନ୍ତି । ବୁଢ଼ିମାନେ ନାତି, ନାତୁଣିମାନଙ୍କୁ ମିଠା ମିଠା ଗୀତ ଗାଇ ଶୁଣାନ୍ତି । ଶୀତ ରାତିରେ ଗୀତ ଶୁଣି ପିଲାମାନେ ଆରାମରେ ଶୋଇଯାନ୍ତି ।

ଉକ୍ରଳୀୟମାନେ ବାରମାସରେ ତେର ପର୍ବ ପାଳନ କରନ୍ତି । ଆଜିକାଲିର ଯୁବ ପିଢ଼ି ଫାଦରସ ଡେ, ଭାଲେଣ୍ଟାଇନ୍ ଡେ, ଫ୍ରେଣ୍ଡସିପ ଡେ ଇତ୍ୟାଦି ପାଳନ କରିବାକୁ ପସନ୍ଦ କରୁଛନ୍ତି । ଏସବୁ ପାଳନରେ କେବଳ ପଇସାର ଖେଳ ଦେଖିବାକୁ ମିଳେ । ଯିଏ କେବେବି ବାପା ପାଖରେ ଟିକେ ସମୟ ବସି ଦୁଃଖ ସୁଖ ହୋଇପାରେନି ସେ ଫାଦରସ ଡେ ରେ କେକ୍ ଓ ଗୋଲାପ ଫୁଲ ଆଣିପାରେ । କିନ୍ତୁ ଓଡ଼ିଆ ପର୍ବପର୍ବାଣିରେ ପୂଜା ପୂଜନ ପାଇଁ ପଇସା ଅପେକ୍ଷା ସମୟ ଓ ଶ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଏ । ପର୍ବପର୍ବାଣି ପାଳନ ଦ୍ୱାରା ଜୀବନ ଶୃଙ୍ଖଳିତ ହୁଏ । ନିଜ ପରମ୍ପରାକୁ ବଞ୍ଚାଇ ରଖିବା ପ୍ରତ୍ୟେକ ମଣିଷର ଦାୟିତ୍ୱ । ଶୀତ ଋତୁ ଉତ୍ସବର ଋତୁ । ବିବାହ ଉତ୍ସବ, ଶିକ୍ଷାୟତନ ମାନଙ୍କର ବାର୍ଷିକ ଉତ୍ସବ, କ୍ରୀଡ଼ାଉତ୍ସବ ତଥା ବିଭିନ୍ନ ସାଂସ୍କୃତିକ ଉତ୍ସବ ଏହି ସମୟରେ ଆୟୋଜନ କରାଯାଏ । ପ୍ରକୃତିକୁ ଲକ୍ଷ କଲେ ଆମେ ଦେଖିପାରିବା କେମିତି ଚାରିଆଡ଼େ ରଙ୍ଗବେରଙ୍ଗ ଫୁଲର ହାଟ ବସିଥାଏ । ସୁଆଦିଆ ଫଳ ଓ ପରିବା ଯାହା ବର୍ଷର ଅନ୍ୟ ସମୟରେ ମିଳେନି ସେଗୁଡ଼ିକ ମଧ୍ୟ ଏହି ଋତୁରେ ମିଳେ । ପ୍ରକୃତିର ଏହି ଉତ୍ସବ ମୁଖର ସମୟକୁ ବିଭିନ୍ନ ପର୍ବପର୍ବାଣି ଆହୁରି ମତୁଆଲା କରେ । ଜଞ୍ଜାଳମୟ ଜୀବନରୁ ଟିକେ ସମୟ ବାହାର କରି ଏଥିରେ ସାମିଲ ହୋଇପାରିଲେ ଆନନ୍ଦ ମିଳିବା ଓ ବାଣ୍ଟିବା ସମ୍ଭବ ହୋଇପାରିବ ।


Share Samadhwani
Support Samadhwani

About ଡ଼ଃ ନମିତା ଷଡ଼ଙ୍ଗୀ

ଅଧ୍ୟାପିକା

Check Also

୨୦୧୮ ବର୍ଷଟିରେ ସମଧ୍ୱନି ର ମୁଖ୍ୟ ପ୍ରସଙ୍ଗ ଗୁଡିକର ଝଲକ …

Share Samadhwani ‘ସମଧ୍ୱନି’ ଇ – ପତ୍ରିକା (www.samadhwani.com) ର ଉନ୍ମୋଚନ ଉତ୍ସବ କରମସାନୀ ବାହାକ(ବାୟକ) ବିପିନ ପ୍ରଧାନଙ୍କ ମର୍ମସ୍ପଶୀ …