ବ୍ୟକ୍ତି ଓ ବ୍ୟକ୍ତିତ୍ୱସମ୍ପାଦକୀୟ

ଶ୍ରୀମତୀ ମାଳତୀ ଚୈାଧୁରୀ-୪ (ଚୈାଧୁରୀ ପରିବାର ଭିତରେ ମାଳତୀ ଦେବୀ)

ଚୈାଧୁରୀ ପରିବାର ଭିତରେ ମାଳତୀ ଦେବୀ

ପ୍ରକୃତରେ ମାଳତୀ ଦେବୀଙ୍କର “ଜୀବନର ଧାରାଟି ହିଁ ବଦଳିଗଲା” ନବକୃଷ୍ଣ ଚୈାଧୁରୀଙ୍କ ସହ ପରିଚୟ ଓ ପରିଣୟ ପରେ । ବଂଗ ଦେଶରୁ ସେ ଆସିଲେ ଓଡିଶା, ଚୈାଧୁରୀ ପରିବାରର ବୋହୁ ହୋଇ କିନ୍ତୁ ତାଙ୍କୁ ପରିବାରରେ ଗ୍ରହଣ କରାଯିବା ସହଜ ହୋଇ ନ ଥିଲା । ପୁତୁରା ମନମୋହନ କୁହନ୍ତି, “ବାହାଘର ପରେ କଟକରେ ବରକନ୍ୟାଙ୍କୁ ପାଛୋଟି ନେବା ପାଇଁ ଆମର ବନ୍ଧୁ ବାନ୍ଧବ ବିଶେଷ କେହି ନ ଥିଲେ ।”(ଖୁଡୀଙ୍କ ସ୍ମୃତି, ନୁମା-ଏକ ସଙ୍କଳନ, ପୃ ୨) । ଏ ବିଷୟରେ ମାଳତୀ ଦେବୀ ନିଜେ କୁହନ୍ତି, “ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି ମୁଁ । ଶାଶୁ ଘର ଛାଡି ପଳାଇଯାଇଥିଲେ ଏବଂ ପୁରୀରେ ଯାଇ ରହିଲେ । କିନ୍ତୁ ବହୁ ପ୍ରତିବନ୍ଧକ ଓ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ମୁଁ ସେ ପରିବାରରେ ନିଜକୁ ମିଶାଇ ପାରିଥିଲି ।”(ବିବିଧ ବିଚାର, ରବିବାର ସମ୍ବାଦ, ୨୮ ଜାନୁଆରୀ-୩ଫେବୃଆରୀ, ୧୯୯୦, ନୁମା-ଏକ ସଙ୍କଳନ, ପୃ ୧୪୭) ସେ ପରିବାରରେ ନିଜକୁ ମିଶାଇ ପାରିଥିଲେ । ଶାଶୁ ପଦ୍ମାବତୀଙ୍କ ହୃଦୟ ଜିଣି ପାରି ଥିଲେ । ଝିଆରୀ ଅନ୍ନପୂର୍ଣ୍ଣା ମହାରଣା କହନ୍ତି, “ସେ (ଖୁଡି) ଦୃଢ ମନୋବଳର ପରିଚୟ ଦେଇ ସେ ପରିସ୍ଥିତିର ମୁକାବିଲା କଲେ ଏବଂ ନିଜ ଗୁଣରେ ପଦ୍ମାବତୀଙ୍କୁ ହୃଦୟ ଜୟ କଲେ ।”(ଅମୃତ ଅନୁଭବ, ପୃ ୫୬) । ଚୈାଧୁରୀ ପରିବାର ସହିତ ଅତି ଘନିଷ୍ଠ ଜୟକୃଷ୍ଣ ମହାନ୍ତି କୁହନ୍ତି, “ସେ(ପଦ୍ମାବତୀ) ନିଜ ଭୁଲ ହୃଦୟଂଗମ କରିପାରିଥିଲେ ଏବଂ ମିନୁ ଆସି ନିଜ ହାତରେ ରାନ୍ଧି ଖାଇବାକୁ ଦେଲେ ମୁଁ ଖାଇବି ବୋଲି କହି ଦୁଇ ଦିନ ଉପାସ କରି ଯେମିତି ନିଜ ଭୁଲର ପ୍ରାୟଶ୍ଚିତ କରିଥିଲେ । ସ୍ନେହମୟୀ ନୁମା ନିଜ ହାତରେ ରାନ୍ଧି ବୁଢିମାଙ୍କୁ ଖୁଆଇବା ବେଳେ ଉଭୟଙ୍କ ଆଖିରୁ ଲୁହଧାର ଗଢି ପଡିଥିଲା । ଏହାଥିଲା ନୁମାଙ୍କର ପ୍ରତିରୋଧୀ-ପ୍ରେମର ବିଜୟ ।”(ଏକ ବିରାଟ ବ୍ୟତିକ୍ରମ, ଜୟକୃଷ୍ଣ ମହାନ୍ତି, ବହ୍ନିବଳାକା, ପୃ ୨୬) ମାଳତୀ ଦେବୀ ଆସିବା ପରେ ଚୈାଧୁରୀ ପରିବାରରେ “ସାଂସ୍କୃତିକ ଆବହାୱା ଏକଦମ ବଦଳିଗଲା”, “ସେ କେତେବେଳେ ଭୋରରେ ତ କେତେବେଳେ ଖରାବେଳେ ତ ସଂଜପହରରେ ବୀଣା ବଜାଇ ରବୀନ୍ଦ୍ର ସଂଗୀତର ସୁଅ ଛୁଟାଇ ଦିଅନ୍ତି”, “ସେ ଆମକୁ ନନ୍ଦଲାଲ ବସୁ , ଅବନୀନ୍ଦ୍ରନାଥ ଠାକୁର, ଗଗନେନ୍ଦ୍ରନାଥ ଠାକୁର ପ୍ରଭୃତିଙ୍କର ଅଙ୍କା ଉଚ୍ଚକୋଟିର ଭାରତୀୟ ଶୈଳୀର ଚିତ୍ରର କଦର କରିବା ଶିଖାଇଲେ ” , କୁହନ୍ତି ପୁତୁରା ମନମୋହନ ଚୈାଧୁରୀ । (ଖୁଡୀଙ୍କ ସ୍ମୃତି, ନୁମା-ଏକ ସଙ୍କଳନ, ପୃ ୨)

ଅଣଖିଆରେ ମାଳତୀ ଦେବୀ

କିନ୍ତୁ ସେ ବେଶୀ ଦିନ ନ ଥିଲେ କଟକ ବାଖରାବାଦର ଶ୍ୱଶୁରାଳୟରେ । କାରଣ ସେଠାରେ ପରିବେଶ ତାଙ୍କ ପାଇଁ ପ୍ରତିକୂଳ ଥିଲା । ତାଙ୍କରି ଭାଷାରେ, “ମୁଁ ବୋହୁ ଆସିବା ପରେ ବାଖରାବାଦ ମୋତେ ଜେଲ ଭଳି ଲାଗିଲା । ଧୋବା ବିଜୁ ଟିକେ ଛୁଇଁ ଦେଲା ବୋଲି ଦଣ୍ଡ ପାଇଲା । ମୋ ସହ ମଧ୍ୟ ଅସ୍ପୃଶ୍ୟ ଭଳି ବ୍ୟବହାର କଲେ ।” (ବହ୍ନିମାନ, ପ୍ରଫୁଲ୍ଲ ଦାସ, ପୃ ୭୭) ପ୍ରଥମ ସନ୍ତାନ ୧୯୨୮ ଜୁନ ମାସରେ ଜନ୍ମ ହେବାର ଅଢେଇ ବର୍ଷ ପରେ ନବକୃଷ୍ଣ ଓ ମାଳତୀ ଦେବୀ ଅଣଖିଆକୁ ରହିବାକୁ ଚାଲିଗଲେ ଓ “ସେଠି ଚାଷ ବାସ କାମ ଛଡା ଗାଁମାନଙ୍କ ସହିତ ସମ୍ପର୍କ କରିବା ମଧ୍ୟ ସେମାନେ ଆରମ୍ଭ କଲେ ।” ତାଙ୍କର ପ୍ରଭାବ ଏପରି ଥିଲା ଯେ “ସେଠୁ ଅଳ୍ପ ଦୂରରେ ଥିବା ବାଗଲପୁର ଗାଁରେ ହରିଜନମାନେ ସବର୍ଣ୍ଣଙ୍କର ଅସଦ୍‌ବ୍ୟବହାର ବିରୋଧରେ ଉଠି ଗାଁ ଛାଡି ଚାଲି ଆସିଥିଲେ ।” “ସେତେବେଳକୁ ଅସ୍ପୃଶ୍ୟତା ନିବାରଣ ଆରମ୍ଭ ନ ହୋଇଥିଲେ ମଧ୍ୟ” ନବକୃଷ୍ଣ ଓ ମାଳତୀ ଦେବୀ ଅସ୍ପୃଶ୍ୟତା ମାନୁ ନ ଥାନ୍ତି । ଏହି ବାଗଲପୁର ଗାଁରୁ ବହୁ ସ୍ୱାଧୀନତା ସଂଗ୍ରାମୀ ବାହାରିଥିଲେ । ମନମୋହନ ଚୈାଧୁରୀ କୁହନ୍ତି, “ଗୋଟିଏ ଗାଁରୁ ଏତେ ମହିଳା ପୁରୁଷ ସତ୍ୟାଗ୍ରହୀ ବାହାରିବା ସାରା ଭାରତରେ ବି କମ ଦେଖା ଯାଇଥିବ ।” ଏପରି ଦୃଶ୍ୟ ଯେ ଅନେକାଂଶରେ ସମ୍ଭବ ହୋଇଥିଲା ମାଳତୀ ଦେବୀଙ୍କ ଯୋଗୁଁ ଏହା ଜଣାପଡେ ଯେତେବେଳେ ମନମୋହନ ଚୈାଧୁରୀ ଲେଖନ୍ତି, “ଖୁଡୀଙ୍କର ଗୋଟିଏ ଗୁଣ ଥିଲା ସେ ସାଧାରଣ ଲୋକଙ୍କ ସାଂଗରେ ଅତି ସହଜରେ ମିଶି ଯାଇ ପାରୁଥିଲେ ।…ସେଠି ସେ ଗାଁ ଲୋକଙ୍କ ପାଇଁ ଥରେ ଦୁଇଥର ଖେଳକୁଦର ଆୟୋଜନ ମଧ୍ୟ କରାଇଥିଲେ । ସ୍ୱଦେଶୀ ଖେଳକୁଦ, ବାଗୁଡି , ଲୁନଚୋରୀ ଆଦିର ଲାଠି ବୁଲାଇବା ପ୍ରଭୃତି କୈାଶଳର ପ୍ରତିଯୋଗିତା ସେଥିରେ ହେଉଥିଲା ।”(ଖୁଡୀଙ୍କ ସ୍ମୃତି, ନୁମା-ଏକ ସଙ୍କଳନ, ପୃ ୨-୩) ମାଳତୀ ଦେବୀ ଅଣଖିଆରେ ତାଙ୍କର ବୈବାହିକ ଜୀବନର ସବୁଠାରୁ ଆନନ୍ଦମୟ ସମୟ ବୋଲି ବିଚାରୁ ଥିଲେ । ତାଙ୍କରି ଭାଷାରେ, “ବିବାହିତ ଜୀବନରେ ସବୁଠାରୁ ଆନନ୍ଦମୟ ଦିନ ହେଲା ଅଣଖିଆ ଗ୍ରାମରେ ତାଙ୍କର (ନବବାବୁଙ୍କର) ଚାଷ ଜମି ଉପରେ ଶିଶୁ କନ୍ୟା ଉତ୍ତରାକୁ ନେଇ ଯେତେବେଳେ ଆମେ ସାଧାରଣ ଚାଷୀ ଦମ୍ପତି ପରି ଚାଷ କାମରେ ଲାଗି ପଡିଥାଉ । ତା ସାଂଗରେ ଆଖ ପାଖ ଗାଁର ଗାଈ ଜଗୁଆଳ ପିଲାଙ୍କୁ ନେଇ ଗୈାରୀ ଭାଇଙ୍କ ସହିତ ରାତି ପାଠଶାଳା ଚଳାଉଥାଉ ।”(ଉତ୍ତର ମୌଲିକ ଶିକ୍ଷା ଓ ଜୀବନ ବିଦ୍ୟାଳୟ, ନୁମା-ଏକ ସଙ୍କଳନ, ପୃ ୧୩୮)

Please support atleast Rs 20/- , Rs 50/- , Rs 100/- for a story.

ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Related Articles

Leave a Reply

Your email address will not be published.

Back to top button