2020 ମସିହାରେ ସାମ୍ପ୍ରଦାୟିକ ସମ୍ପ୍ରୀତି ବିଷୟରେ ସମଧ୍ୱନି ଧାରାବାହିକ ଲେଖା ପ୍ରକାଶ କରିଚାଲିଥିବା ବେଳେ କବି କୁମାର ହସନ (ଗତ କିଛି ଦିନ ତଳେ ମୃତ୍ୟୁବରଣ କରିଛନ୍ତି)ଙ୍କର ଏହି ବିଷୟରେ ଗଭୀର ଜ୍ଞାନ ରହିଛି ଜାଣି ତାଙ୍କ ସହିତ କଥାବାର୍ତ୍ତା କରିଥିଲୁ ଲେଖାଟିଏ ପାଇଁ । “ମହାମିଳନର ମଧୁପର୍ବ” ଶୀର୍ଷକରେ ଗୋଟିଏ ଲେଖା ପ୍ରକାଶ କରିବା ପାଇଁ ସେ ଦେଇଥିଲେ । ସେହି ଲେଖା ଭିତରେ ସାମ୍ପ୍ରଦାୟିକ ସମ୍ପ୍ରୀତି ବି ଥିଲା ସାମ୍ପ୍ରଦାୟିକ ଭେଦଭାବର ଇତିହାସ ବି ଥିଲା । ଏହି ଲେଖାଟି ସେହି ବୃହତ୍ତର ଲେଖାର ଏକ ଅଂଶ। ଉକ୍ତ ଲେଖାରେ ଲେଖକ କବି କୁମାର ହସନ ଭାରତର ଇତିହାସ କାଳରୁ ସାମ୍ପ୍ରଦାୟିକ ସମ୍ପ୍ରୀତିର ଯେଉଁସବୁ ଉଦାହରଣ ରହି ଆସିଛି ସେସବୁର ଅବତାରଣା କରିଛନ୍ତି । – ସମ୍ପାଦକ
ଭାରତର ସାମାଜିକ ଇତିହାସ ସାଂପ୍ରଦାୟିକ ସଂହତିର ଆଲୋକରେ ଚିର ଭାସ୍ୱର । ସେ ଭାସ୍ୱରତା ଆଗରେ ରାଜନୈତିକ ହିନ୍ଦୁବାଦ ଯେ କେତେ ଗୌଣ ତାହା ସହଜରେ ଅନୁମେୟ ।
ବ୍ରିଟିଶ ଶାସନ ପୂର୍ବରୁ ଭାରତର ବାରଶହ ବର୍ଷର ଇତିହାସକୁ ମୁସଲିମ ପରିୟଡ଼୍ ଭାବରେ ଚିତ୍ରଣ କରାଯିବାର ଐତିହାସିକ ଅଭିଶାପରେ ସମଗ୍ର ଭାରତବର୍ଷ ସଂତ୍ରସ୍ତ । ସେ ସମୟରେ ଆଫଗାନ, ଦାସବଂଶ, ସୟଦ ବଂଶ, ମୋଗଲମାନେ ରହିଥିଲେ । ସମସ୍ତଙ୍କୁ ଗୋଳଘାଣ୍ଟ କରି ଏକ ନିର୍ଦ୍ଦିଷ୍ଟ ଜାତିର ନାମରେ ନାମିତ କରିବା ଏକାନ୍ତ ତ୍ରୁଟିପୂର୍ଣ୍ଣ । ଏକଥା ଭିନ୍ନ ଯେ ସେ ସମସ୍ତଙ୍କର ବ୍ୟକ୍ତିଗତ ଧର୍ମ ଏକ ଥିଲା । ଇଂରେଜମାନଂକ ସ୍ୱାର୍ଥର ସଂବାହକ ଇତିହାସ ଲେଖକଙ୍କ ଲେଖାକୁ ଭାରତର ଜାତୀୟ ଇତିହାସ ବୋଲି ଗ୍ରହଣ କରାଯିବା ଅନୁଚିତ । ଅବଶ୍ୟ ଏହା ମଧ୍ୟ ଏକ ଦେଶର ଏକ ବିଡ଼ମ୍ବନା ଯେ ତାହା ହିଁ ହେଉଛି ଆମ ଇତିହାସ ଜଗତର ଏକମାତ୍ର ପ୍ରବେଶ ପଥ । ଏହି ଇତିହାସର ଲକ୍ଷ୍ୟପଥ ତଥ୍ୟଭିତ୍ତିକ ପୁନର୍ଲିଖନ, ନିରପେକ୍ଷ ଅବତାରଣା ଦେଶର ସାଂପ୍ରଦାୟିକତା ଭଳି ଅନେକ ରାଜନୈତିକ ବିବାଦର ଅବସାନ ଘଟାଇବ ।
ଈଶ୍ୱରୀ ପ୍ରସାଦଙ୍କ ଇତିହାସରେ ବର୍ଣ୍ଣିତ ହେଲା ଭଳି ଆଓରଙ୍ଗଜେବ ସେତେଟା ମନ୍ଦ ନ ଥିଲେ । ରାଣା ପ୍ରତାପ, ଶିବାଜୀଙ୍କ ପରି ଶେରଶାହା, ଇବ୍ରାହୀମ ଲୋଦୀ, ବାହାଦୁର ଶାହା ଜଫର ଆଦି ମଧ୍ୟ ଭାରତର ଜାତୀୟତାବାଦୀ ବୀର ଥିଲେ । ସେମାନେ ବିଦେଶୀ ଆକ୍ରମଣ ବିରୁଦ୍ଧରେ ପ୍ରାଣମୂର୍ଚ୍ଛା ସଂଗ୍ରାମ କରିଥିଲେ ।
ଏ ସମସ୍ତଙ୍କ କ୍ଷେତ୍ରରେ ସମ୍ରାଟ ଆକବର ଜଣେ ଉଜ୍ୱଳ ଜ୍ୟୋତିଷ୍କ ଥିଲେ । ହିନ୍ଦୁ-ମୁସଲିମ ଧର୍ମର ସମନ୍ୱୟ ପାଇଁ ସେ “ଦୀନ-ଏ-ଇଲାହୀ” ବା ‘ଈଶ୍ୱରଙ୍କ ଧର୍ମ’ ନାମରେ ଏକ ନୂତନ ଧାର୍ମିକ ତତ୍ତ୍ୱ ପ୍ରଚାର କରି ନିଜେ ଏ ସମନ୍ୱୟର ଏକ ଉଜ୍ଜ୍ୱଳ ଉଦାହରଣ ଥିଲେ ।
ମୋଗଲ ସମ୍ରାଟ ବାବରଙ୍କ ପ୍ରତିନିଧି ମୀରବାକୀ ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିର ଭାଙ୍ଗି ବାବରୀ ମସଜିଦ ତିଆରି କରିଥିଲେ କି ନା ତାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ । ପ୍ରମାଣ ନାଁରେ ସମର୍ଥକ ଗୋଷ୍ଠୀ ଦ୍ୱାରା ଦିଆଯାଉଥିବା ତଥ୍ୟ ଉପରେ ବିବାଦ ରହିଛି । ହେଲେ ବାବରଙ୍କ ପୌତ୍ର ସମ୍ରାଟ ଆକବରଙ୍କ ରାମଙ୍କ ପ୍ରତି ରହିଥିବା ଆଗଧା ଶ୍ରଦ୍ଧା ନିର୍ବିବାଦୀୟ ।
ଆକବର ୧୫୧୯ରେ ନିଜର ଦରବାରୀ ବିଦ୍ୱାନ ବଦାୟୁନୀଙ୍କ ଦ୍ୱାରା ବାଲ୍ମିକୀ ରାମାୟଣର ପାର୍ସି ଅନୁବାଦ କରାଇଥିଲେ । ଏହା ଛଡ଼ା ଅନେକ ସନ୍ଥ, ପଣ୍ଡିତ ଓ ବିଦ୍ୱାନଙ୍କ ଠାରୁ ସେ ରାମ କଥା ଶୁଣିଥିବାର ଐତିହାସିକ ପ୍ରମାଣ ରହିଛି । ସନ୍ଥ ତୁଳସୀ ଦାସଙ୍କ “ରାମ ଚରିତ ମାନସ” ବିଷୟରେ ଜାଣିଲା ପରେ ସେ ବିରବଲ ମାଧ୍ୟମରେ କପିଟାଏ ପାଇବାକୁ ଚେଷ୍ଟା କରିଥିଲେ । ତାଙ୍କ ଦରବାରୀମାନଙ୍କ ଲେଖାରୁ ଜଣାଯାଏ ଯେ, ସେ ନିଜ ବଗିଚାରେ ବସି ମହାତ୍ମା ଅଗ୍ରଦାସଙ୍କ ଠାରୁ ରାମାୟଣ ଶୁଣୁଥିଲେ ।
ଆକବର ହିନ୍ଦୁଧର୍ମ, ହିନ୍ଦୁ କଳା ଓ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଥିଲେ । ତାଙ୍କ ଶାସନର ୪୫ ବର୍ଷରେ ସେ ଅମରୀଗଡ଼ରେ ବାଜପକ୍ଷୀ ଥିବା ମୋହର ପ୍ରଚଳନ କରିଥିଲେ । କୌଣସି ମୁସଲିମ୍ ଶାସକ ଦ୍ୱାରା ନିଜ ରାଜକୀୟ ମୋହରରେ କୌଣସି ଜୀବଜନ୍ତୁ ବା ପକ୍ଷୀର ଚିତ୍ର ଏହା ଥିଲା ପ୍ରଥମ । ଶାସନର ୫୦ ବର୍ଷ ବେଳକୁ ସେ ଶ୍ରୀରାମ ଓ ସୀତାଙ୍କ ଚିତ୍ରଥିବା ମୁଦ୍ରା ପ୍ରଚଳନ କରିଥିଲେ । ତାଙ୍କ ଶାସନର ୫୦ ତମ ବର୍ଷର ପ୍ରଥମ ମାସ ଫେବୃୟାରୀ ଥିଲା ଓ ସେତେବେଳେ ରାମସୀତା ସ୍ୱର୍ଣ୍ଣମୁଦ୍ରା ଜାରି କରିଥିବା ଜଣାଯାଇଛି । ସେହି ବର୍ଷର ପଞ୍ଚମ ମାସ (ଅମରଜାଦ)ରେ ଆକବର ରୂପାର ଆଠଣିରେ ରାମ ସୀତାଙ୍କ ଚିତ୍ର ଖୋଦିତ କରାଇଥିଲେ ।
ଆକବରଙ୍କ ଦ୍ୱାରା ପ୍ରଚଳିତ ମୁଦ୍ରାର ସାମ୍ନା ପଟରେ ରାମ ଓ ସୀତାଙ୍କ ଆକୃତି ରହିଥିଲା ବେଳେ ପଛ ଭାଗରେ ନାଗରୀ ଲିପିରେ ରାମ ସୀତା ଶବ୍ଦ ଅଙ୍କିତ ହୋଇଥିଲା । ତାଙ୍କ ପୂର୍ବରୁ ମୁସଲିମ୍ ଶାସକମାନଙ୍କ ମୁଦ୍ରାରେ ପବିତ୍ର ‘କଲସା’ ଅଙ୍କିତ କରାଯାଉଥିଲା । ଏଥିରୁ ସ୍ପଷ୍ଟ ଯେ ଆକବର ଶ୍ରୀରାମଙ୍କୁ ଭଗବାନ ଭଳି ସମ୍ମାନ ଦେଉଥିଲେ ।
ଆକବରଙ୍କ ସମୟରେ ଏଭଳି ତିନୋଟି ମୁଦ୍ରା ସଂରକ୍ଷିତ କରାଯାଇ ପାରିଛି । ଏଥି ମଧ୍ୟରୁ ଦୁଇଟା ହେଉଛି ସୁନା ମୋହର । ଗୋଟାଏ ମୋହର ବ୍ରିଟିଶ୍ ମ୍ୟୁଜିୟମ୍ରେ ଓ ଅନ୍ୟଟି କେବିକେ-ଡି-ଫ୍ରାନ୍ସଠାରେ ରହିଛି । ଅନ୍ୟ ରୂପାର ଆଠଣିଟି, କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂଗ୍ରାହଳୟ ଭାରତର କଳା ଭବନରେ ସୁରକ୍ଷିତ ହୋଇ ରହିଛି । ଗୀତାପ୍ରେସ ଗୋରଖପୁରରୁ ପ୍ରକାଶିତ ‘କଲ୍ୟାଣ’ ପତ୍ରକାରୁ ଜଣାଯାଏ ଏହିପରି ଅନ୍ୟ ଏକ ମୁଦ୍ରା ଜବଲପୁରର ଦିଲିପ୍ ଶାଙ୍କ ବ୍ୟକ୍ତିଗତ ସଂଗ୍ରାହରେ ରହିଛି ।
ସମ୍ରାଟ ଶାହାଜହାନଙ୍କ ପୁଅ ଦାରା ଶିକୋହ ସୁଫି ସନ୍ଥ ଓ ହିନ୍ଦୁ ମହାତ୍ମାମାନଙ୍କ ସତ୍ସଙ୍ଗ କରି ରାମଭକ୍ତି ଆନ୍ଦୋଳନରେ ଗଭୀର ରୁଚି ପ୍ରକାଶ କରିଥିଲେ । ସେ ନିଜେ ଶ୍ରୀରାମ ଓ ହନୁମାନଙ୍କ ଭକ୍ତ ଥିଲେ । କିନ୍ତୁ ଆଓରଙ୍ଗଜେବ୍ ମୂର୍ତ୍ତି ପୂଜାର ଘୋର ବିରୋଧୀ ହୋଇଥିବାରୁ ତାଙ୍କୁ ହିନ୍ଦୁଧର୍ମର ମନ୍ଦିର ଓ ମୂର୍ତ୍ତିର ଶତ୍ରୁ ଭାବରେ ପ୍ରଚାର କରାଯାଇଛି, ଯେତେବେଳେ କି ତାଙ୍କ ଶାସନ କାଳରେ ରାମ ଜନ୍ମ ଉତ୍ସବର ଆୟୋଜନ ଓ ରାମଭକ୍ତି ଆନ୍ଦୋଳନ ଜୋର ସୋରରେ ଚାଲିଥିଲା ।
ମଧ୍ୟକାଳୀନ ଭକ୍ତି ଯୁଗରେ ବହୁ ମୁସଲମ କବି ରାମ ଭକ୍ତିରେ ପ୍ରେରିତ ହୋଇ ରାମଙ୍କ ରତ୍ନ ଅବଦୁଲ ରହିମ ଖାନଖାନାଙ୍କ ରାମଭକ୍ତି କବିତା ସବୁ ଠି ଆଜି ବି ପ୍ରସିଦ୍ଧ :
“ଚିତ୍ରକୂଟ ଯେ ରମି ରହେ, ରହିମନ୍ ଅବଧ୍ ନରେଶ୍
ଯାପର୍ ବିପଦା ପରତ୍ ହୈ, ସୋ ଆଠ୍ୱତ୍ ୟୁହ ଦେଶ୍ ।”
ଅଯୋଧ୍ୟାରେ ଅନେକ ମୁସଲିମ ସନ୍ଥ ରାମଭକ୍ତିରେ ଲୀନ ହୋଇଥିବାର ନଜିର ରହିଛି । ଜାନକୀ ବାଗରେ ବସବାସ କରୁଥିବା ସନ୍ଥ କଲନ୍ଦର ଶାହ ସୀତାରାମଙ୍କ ଭଜନ ଗାୟନ କରୁଥିଲେ । ଆରବରୁ ଆସିଥିବା ମର୍ଦ ଶହୀଦ ମଧ୍ୟ ରାମଭକ୍ତ ହୋଇ ଅଯୋଧ୍ୟାରେ ରହି ଯାଇଥିଲେ । ଶୀଶ ପୟଗମ୍ବର ନାମକ ଜଣେ ଆରବୀୟ ମୁସଲମ ରାମ ଓ ହନୁମାନଙ୍କ ଭକ୍ତ ଥିଲେ ଓ ସେ ମଣି ପର୍ବତ ଉପରେ ଏକ କୁଡ଼ିଆ କରି ରହୁଥିଲେ ।
ପ୍ରାୟ ୫୦୦ ବର୍ଷ ତଳେ ଇରାନର ଜିନିର ଶାହ ୨୮ ବର୍ଷ ବୟସରେ ଅଯୋଧ୍ୟା ଆସିଲେ ଓ ଜଣେ ହିନ୍ଦୁ ସନ୍ୟାସୀ ପରି ଜୀବନ ଯାପନ କରି ଆଜୀବନ ରାମଭକ୍ତିରେ ଲୀନ ରହିଲେ । ସେହିପରି ରାମଭକ୍ତ ଖଜଜଟି ପୀର, କୁବେର ଟିଲେୱାଲେ ଓ ଇବ୍ରାହୀମ୍ ଶାହ ମଧ୍ୟ ଅଯୋଧ୍ୟାରେ ବସବାସ କଲେ । ରାମଭକ୍ତ ନୌଗାଜା ପୀରଙ୍କ ସମାଧୀ ଅଯୋଧ୍ୟା ନିକଟରେ ରହିଛି । ଆରବରୁ ଆଗତ ଏହି ପୀର ରାମଭକ୍ତିରେ ଲୀନ ହୋଇ ଠିକ ରାମନବମୀ ଦିନ ମଧ୍ୟାହ୍ନ ୧୨ଟା ବେଳେ ଶରୀର ତ୍ୟାଗ କରିଥିଲେ । ଅଯୋଧ୍ୟାର ବଡ଼ି ଦେୱକଲି ମନ୍ଦିର ନିକିଟରେ ବଡ଼ିବୁଆ ମଜାର ରହିଛି । ସେ ପାଞ୍ଚ ଶହ ବର୍ଷ ତଳେ ସିଆଁ ଶସ୍ତିଙ୍କ ନିର୍ଦ୍ଦେଶରେ ଚିତ୍ରକୂଟରେ ସ୍ୱାମୀ ରାମାନନ୍ଦାଚାର୍ଯ୍ୟଙ୍କ ଶିଷ୍ୟ ଓ ସନ୍ଥ କବିରଙ୍କ ଗୁରୁଭାଇ ସୁଖନନ୍ଦାଚାର୍ଯ୍ୟଙ୍କ ଦର୍ଶନ କରିବାକୁ ଯାଇଥିଲେ । ସନ୍ଥ ରାମାନନ୍ଦଙ୍କ ସମସାମୟିକ ବଡ଼ିବୁଆ ଆଜୀବନ ରାମ ଭକ୍ତିରେ ସମର୍ପିତା ଥିଲେ ।
ଅଯୋଧ୍ୟାର ଏକ କୋଳିଗଛ ତଳେ ସନ୍ଥ ୱାସଲିଙ୍କ ସମାଧି ରହିଛି । ଖୁରାସାନରୁ ଆସିଥିବା ଏହି ଶାହ ଜଲାଲୁଦ୍ଦୀନ ୱସାଲି ଜଣେ ସୁଫିସନ୍ଥ ଭାବରେ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ । ହେଲେ ତାଙ୍କ ରାମଭକ୍ତି ଯୋଗୁଁ ସେ ହିନ୍ଦୁ ମହାତ୍ମାମାନଙ୍କ ସଙ୍ଗେ ବସବାସ କରି ପରବର୍ତ୍ତୀ କାଳରେ ଜଣେ ସିଦ୍ଧ ସନ୍ଥରେ ପରିଣତ ହୋଇଥିଲେ । ସେ ଅଯୋଧ୍ୟାରେ ହିଁ ପ୍ରାଣତ୍ୟାଗ କରିଥିଲେ ଓ ତାଙ୍କ ଶିଷ୍ୟମାନେ ସେଠାରେ ତାଙ୍କର ଏକ ସମାଧୀ ମନ୍ଦିର ଗଢ଼ି ତୋଳିଥିଲେ ।
“ସାରେ ଜହାଁ ସେ ଅଚ୍ଛା’ର ଅମର ଉର୍ଦ୍ଦୁ କବି ସାର ମହମ୍ମଦ ଇକବାଲ ମୁସଲିମ ଲିଗର ଅଧ୍ୟକ୍ଷ, ପାକିସ୍ଥାନ ଗଠନର ପ୍ରେରକ ହୋଇଥିଲେ ହେଁ ସେ ମଧ୍ୟ ରାମଙ୍କ ପ୍ରତି ଶ୍ରଦ୍ଧାବାନ ଥିଲେ । ଇକବାଲ ‘ନୟା ଶିୱାଲା’, ତଭାନା-ଏ-ହିନ୍ଦୀ, “ବାଗେ-ଦରା” ଆଦି କବିତା ସଙ୍କଳନରେ ଶ୍ରୀରାମ ଗୁରୁନାନକ ସ୍ୱାମୀ, ରାମତୀର୍ଥ, ବିବେକାନନ୍ଦ ଆଦିଙ୍କ ଗୁଣଗାନ କରି କବିତା ରଚନା କରିଛନ୍ତି । ଶ୍ରୀରାମଙ୍କ ଉପରେ ତାଙ୍କ ଏକ ଦୀର୍ଘ କବିତାରେ ସେ ରାମଙ୍କୁ “ଇମାମ-ଏ ହିନ୍ଦ’ ବୋଲି କହିଛନ୍ତି ।
ତୋଗଲୋକ ବଂଶର ରାଜା ମହମ୍ମଦ ତୋଗଲକ ଜଣେ ବିଦ୍ୱାନ, ଉଦାରଚେତା ନରପତି ଥିଲେ । ତାଙ୍କ ଉଆସ ଦିଲ୍ଲୀର ସୂରଜ କୁଣ୍ଡରେ ଥିଲା । ସୂରଜକୁଣ୍ଡ ଦିଲ୍ଲୀ ଓ ହରିଆନା ରାଜ୍ୟ ସୀମାନ୍ତରେ ଅବସ୍ଥିତ । କୁହାଯାଏ ଯେ ରାଜା ନିଜର ବ୍ରାହ୍ମଣ ବଂଶୋଦଭବ ରାଣୀଙ୍କ ଧର୍ମବିଶ୍ୱାସକୁ ସମ୍ମାନ ଜଣାଇ ତାଙ୍କୁ ପ୍ରତିଦିନ ସୂର୍ଯ୍ୟ ପୂଜାର ସୁଯୋଗ ଦେବାକୁ ଖୋଳାଇଥିବା ପୁଷ୍କରଣୀ ହେଉଛି ସୂରଜକୁଣ୍ଡ । ଏଠାରେ ସେ ପୟଗମ୍ବର ମହମ୍ମଦଙ୍କ ନାତୀ ଶହୀଦ ହସନ ଓ ହୁସେନଙ୍କ ସ୍ମୃତିଚାରଣ ପାଇଁ ମୋହରମ୍ ବେଳେ ‘ତାଜିଆ ଯାତ୍ରା’ର ଆରମ୍ଭ କରିଥିଲେ ।
ସମ୍ରାଟ ଆକବର ହିଁ ହିନ୍ଦୁ-ମୁସଲିମ୍ ଏକତା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ନିଜେ ଜଣେ ରାଜପୁତ କନ୍ୟା ଯୋଧାବାଈଙ୍କୁ ବିବାହ କରି ପାଟରାଣୀର ମର୍ଯ୍ୟାଦା ଦେଇଥିଲେ । ଆକବରଙ୍କ ସମସାମୟିକ ସାହିତ୍ୟକାର ଅବୁହସନ୍ ଲେଖିଛନ୍ତି : “ସମ୍ରାଟ ଆକବର ଦିପାବଳୀ ପରି ହୋଲି ର୍ପବରେ ବି ବିଶେଷ ରୁଚି ରଖୁଥିଲେ । ସେ ଆଗ୍ରାର ଲାଲକିଲାରେ ଜାହାଙ୍ଗୀରଙ୍କ ଜନ୍ମ ସମୟରେ ଯୋଧାବାଈଙ୍କ ପାଇଁ ଯେଉଁ କୁଣ୍ଡ ଖୋଲାଇଥିଲେ, ହୋଲି ବେଳେ ସେଇ କୁଣ୍ଡରେ ରଙ୍ଗ ଗୋଳା ଯାଉଥିଲା । ସମ୍ରାଟ ଆକବର ଏହି ରଙ୍ଗରେ ନିଜର ବେଗମ, ଦରବାରୀଙ୍କ ସଙ୍ଗେ ରଙ୍ଗ ଖେଳୁଥିଲେ । ଏଥିରେ ଜନସାଧାରଣ ମଧ୍ୟ ଯୋଗ ଦେଉଥିଲେ । କିଛି ସମୟ ପାଇଁ ସମ୍ରାଟ ଓ ପ୍ରଜାଙ୍କ ଭେଦଭାବ ମିଳେଇ ଯାଉଥିଲା । ସମଗ୍ର ରାଜପ୍ରସାଦ ରଙ୍ଗ ଓ ଫଗୁରେ ଭରି ଯାଉଥିଲା । ଏହିପରି ଭାବରେ ସେ ହୋଲିକୁ ସାଂପ୍ରଦାୟିକ ସଦ୍ଭାବର ପ୍ରତୀକରେ ପରିଣତ କରିଥିଲେ ।”
ଆକବର ଓ ଅନ୍ୟମାନେ ଭାରତୀୟ ଧର୍ମଗ୍ରନ୍ଥର ଉର୍ଦ୍ଦୁ, ଆରବୀ ଆଦି ଭାଷାରେ ଅନୁବାଦ କରାଇଥିଲେ । ଅବୁ ଅସର ଫଲକୀ, ଅବୁ ରଏହାନ ଅଲ-ବେରୁନୀ, ସହରୀସ୍ଥାନୀ ଭଳି ଭାରତୀୟ ଧାର୍ମିକ ସାହିତ୍ୟର ମାର୍ମିକ ପଣ୍ଡିତ ଜନ୍ମ ଗ୍ରହଣ କରିଥିଲେ । ଆକବରଙ୍କ ପ୍ରାର୍ଥନା ମନ୍ଦିରରେ ସବୁ ଧର୍ମର ପଣ୍ଡିତମାନେ ଆଲୋଚନା କରୁଥିଲେ । ତାଙ୍କ ଅନୁବାଦ ଭବନରେ ରାମାୟଣ ଓ ଗୀତାର ଅନୁବାଦ କରାଯାଇଥିଲା ।
ମଥୁରା, ବୃନ୍ଦାବନ ଅଞ୍ଚଳର ପ୍ରାୟ ୩୫ଟି ମନ୍ଦିର ଲାଗି ଆକବର, ଜାହାଙ୍ଗିର ଓ ଶାହାଜାନ ବ୍ୟାପକ ସାହାଯ୍ୟ କରିଥିବାର ଦଲିଲ ରହିଛି । ଏହି ମନ୍ଦିରଗୁଡ଼ିକ ପାଇଁ ସେମାନେ ପ୍ରାୟ ହଜାରେ ଏକର ଜମି ଖଂଜି ଦେଇଥିଲେ । ମନ୍ଦିର ସଂପର୍କରେ ଦେଖାଯାଉଥିବା ସମସ୍ୟାର ସମାଧାନ ଦିଗରେ ମୋଗଲ ଶାସକ ଓ ସେମାନଙ୍କ ଅଧିକାରୀମାନେ ଅତ୍ୟନ୍ତ ତତ୍ପର ଥିଲେ ।
ଅଯୋଧ୍ୟା (ଅୱଧ)ର ନବାବ ଓ ତାଙ୍କ ଅଧିକାରୀମାନେ ଅନେକ ମନ୍ଦିର ତୋଳାଇଥିଲେ । ଅନେକ ମନ୍ଦିର ମରାମତି କରି ଭୂମି ଦାନ କରିଥିଲେ । ନବାବ ସଫଦର ଜଙ୍ଗ ଅଯୋଧ୍ୟାର ହନୁମାନ ଗଡ଼ିରେ ମନ୍ଦିର ନିର୍ମାଣ ସକାଶେ ଭୂମି ଦେଇଥିଲେ । ନବାବ ଆସଫ ଉଦୌଲାଙ୍କ ଦେବାନ ମଧ୍ୟ ଏହି ମନ୍ଦିର ନିର୍ମାଣ ସକାଶେ ସାହାଯ୍ୟ କରିଥିଲେ । ଜନୈକ ମୋଗଳ ଶାସକ ଚିତ୍ରକୂଟରେ ବାଲାଜୀ ମନ୍ଦିର ନିର୍ମାଣ ସକାଶେ ୩୩୦ ଏକର କରମୁକ୍ତ ଜମିର ବ୍ୟବସ୍ଥା କରିଥିଲେ । ଏହି ଦସ୍ତାବେଜ ଏବେ ମଧ୍ୟ ମନ୍ଦିରରେ ସଂରକ୍ଷିତ ହୋଇ ରହିଛି । ପ୍ରୟାଗ, ବାରଣସୀ, ଉଜ୍ଜୟିନୀ, ଗୁଆହାଟୀର ଅନେକ ମନ୍ଦିରରେ ମଧ୍ୟ ଏମିତି ଦସ୍ତାବେଜ ରହିଛି ।
ମହୀଶୂରର ଟିପୁ ସୁଲତାନ ତାଙ୍କ ରାଜ୍ୟର ଅନେକ ମନ୍ଦିରକୁ ଅକୁଣ୍ଠ ଦାନ ଦେଇଥିଲେ । ଟିପୁ ସୁଲତାନଙ୍କ ରାଜପ୍ରାସାଦ ନିକଟରେ ହିଁ ଭେଙ୍କଟ ରମଣ, ଶ୍ରୀନିବାସ ଓ ଶ୍ରୀରଙ୍ଗନାଥନ ମନ୍ଦିର ନିର୍ମିତ ହୋଇଛି ।
ଜାହାଙ୍ଗୀର ଓ ଶାହାଜାହାନଙ୍କ ଶାସନ କାଳର ଏମିତି ଅନେକ ନଥି ପତ୍ର ରହିଛି ଯେ, ବୃନ୍ଦାବନ ଓ ମଥୁରାର ପୂଜାରୀମାନେ ଯେତେବେଳେ ବି ମନ୍ଦିରର ଛୋଟ- ଛୋଟ ସମସ୍ୟା ନେଇ ଯାଉଥିଲେ, ସେ ସବୁର ଅବିଳମ୍ବେ ସମାଧାନ କରି ଦିଆଯାଉଥିଲା ।
କାଶ୍ମୀରର ରାଜା ଜୈନୁଲ ଆବିଦୀନ ବୁଡ଼ ଶାହ ସାର୍ବଜନୀନ ଭାବରେ ହିନ୍ଦୁ ପର୍ବପର୍ବାଣୀରେ ଯୋଗଦାନ କରୁଥିଲେ ଓ ଅନେକ ହିନ୍ଦୁ ମନ୍ଦିର ମଧ୍ୟ ତିଆରି କରିଥିଲେ ।
ଦାକ୍ଷିଣାତ୍ୟର ରାଜା ଇବ୍ରାହିମ୍ ଆଦିଲଶାହ ଦ୍ୱିତୀୟ ତାଙ୍କ କାବ୍ୟ କବିତାରେ ସରସ୍ୱତୀଙ୍କ ବନ୍ଦନା କରିଛନ୍ତି । ସେହି ଦାକ୍ଷିଣାତ୍ୟର ଜନୈକ ରାଜା ଅଲି ଆଜିଲ ଶାହ ଏକ ବିରାଟ ପାଠଗାର ନିର୍ମାଣ କରି ବିଖ୍ୟାତ ସଂସ୍କୃତ ବିଦ୍ୱାନ ବ୍ରାହ୍ମଣ ପଣ୍ଡିତଙ୍କୁ ନିଯୁକ୍ତ କରିଥିଲେ ।
ଶେଖ ନିଜାମୁଦ୍ଦୀନ ଔଲିୟାଙ୍କ ଧର୍ମସଭାରେ ହିନ୍ଦୀ ଭକ୍ତିକାବ୍ୟ ଗାୟନ କରାଯାଉଥିଲା । ସୁଫୀ ସନ୍ଥ, ଯୋଗୀ ଏବଂ ବିଶେଷତଃ ନାଥପନ୍ଥୀ ଯୋଗୀ ଓ ଜୈନ ସନ୍ଥ ମାନଙ୍କ ଅବାଧ ମିଳାମିଶା ଥିଲା ଓ ସେମାନେ ମିଳିତ ଭାବରେ ଧର୍ମଚର୍ଚ୍ଚା କରୁଥିଲେ । ସୁଫୀ ସନ୍ଥମାନଙ୍କ ହିନ୍ଦୀ କବିତା ମସଜିଦରେ ବି ପାଠ କରାଯାଇଥିଲା । ଏଥିରେ ‘ଗୋପୀ’, ‘ମୁରଲୀ’, ‘ରାମଲୀଳା’ ଆଦି ଶବ୍ଦାବଳୀର ବ୍ୟାପକ ବ୍ୟବହାର କରାଯାଉଥିଲା । ରହୀମ, ରମଜାନଙ୍କ କୃଷ୍ଣ ଭକ୍ତି ଓ ରାମଭକ୍ତିର ମୂଳ ଉତ୍ସ ଭକ୍ତି ଆନ୍ଦୋଳନ ଭିତରେ ହିଁ ରହିଥିଲା, ଯେଉଁଠି ଈଶ୍ୱର ଓ ଆଲ୍ଲା ଏକ ହୋଇଥିବା କଥା ଦର୍ଶାଯାଉଥିଲା । ଯେଉଁଠି ସନ୍ଥ ପ୍ରାଣନାଥ ବେଦ ଓ କୋରାନରେ ସମାନ ଶିକ୍ଷା ଥିବା କଥା କହୁଥିଲେ । ସନ୍ଥ କବୀର ହିନ୍ଦୁ ଓ ତୁର୍କ ଏକ ହେବା କଥା କହୁଥିଲେ, ଯେଉଁଠି ସୁଫୀ ଓ ସନ୍ଥମାନେ ଯାବତୀୟ ଭେଦଭାବ ଉପରକୁ ଉଠି ପ୍ରଭୁଙ୍କ ଭିତରେ ଲୀନ ହେବାର କଥା କହୁଥିଲେ ।
ଅଓରଙ୍ଗଜେବଙ୍କ ଖାସ୍ ବିଶ୍ରାମଗାରର ସମସ୍ତ ରକ୍ଷୀ ହିନ୍ଦୁଥିଲେ । ସେ ଅନେକ ଜରାଜୀର୍ଣ୍ଣ ମନ୍ଦିର ମରାମତି କରିବା ସହ ଅନେକ ମନ୍ଦିର ଭଙ୍ଗାଇ ତା’ ସ୍ଥାନରେ ନୂଆ ମନ୍ଦିର ତୋଳାଇଥିଲେ ।
ବଙ୍ଗ ସୁଲତାନ ହିନ୍ଦୁ-ମୁସଲିମ ଏକତା ପ୍ରତିଷ୍ଠା ପାଇଁ ସତ୍ୟପୀର ପୂଜା ଓ ପାଲାର ପ୍ରଚଳନ କରିଥିଲେ । କବିର ଓ ନାନକ ଉଭୟ ହିନ୍ଦୁ-ମୁସଲିମ ଶିଷ୍ୟ ଗ୍ରହଣ କରିଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ମୁଖ୍ୟ ଗୁରୁ ଜଣେ ମୁସଲିମ ଥିଲେ ।
ହାଇଦ୍ରାବାଦର ନିଜାମ ଅନେକ ହିନ୍ଦୁମନ୍ଦିର ମରାମତି କରାଇବା ସହ ବହୁ ହିନ୍ଦୁ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ମନ୍ଦିରଗୁଡ଼ିକରେ ଦେବୋତ୍ତର ସମ୍ପତ୍ତି ଖଞ୍ଜିଥିଲେ । ଗୋଲକୁଣ୍ଡାର ମସଜିଦ ଗୁଡ଼ିକ ସଂପୂର୍ଣ୍ଣ ଭାବରେ ହିନ୍ଦୁ ସ୍ଥାପତ୍ୟର ଉଜ୍ଜ୍ୱଳ ଉଦାହରଣ । ଏ ଗୁଡ଼ିକର ସ୍ତମ୍ଭ ଗୁଡ଼ିକର ଆକାର ତଳରୁ ପଦ୍ମଫୁଲ ଆକାରର ହୋଇଥିଲା ବେଳେ ଉପର ଭାଗ ଦୀପାକାର ।
ନବାବମାନଙ୍କ ଅମଳରେ ଭୋପାଳରେ ହିନ୍ଦୁ ଓ ମୁସଲିମ୍ ସାମୂହିକ ଭାବରେ ହୋଲି ପର୍ବ ପାଳନ କରୁଥିଲେ । ରାଜ୍ୟର ପ୍ରଥମ ନବାବ ଓ ସଂସ୍ଥାପକ ଦୋସ୍ତ ମହମ୍ମଦଖାନା ୧୭୦୮ରେ ଶାସନ ଭାର ଗ୍ରହଣ କରିଥିଲେ । ତାଙ୍କ ପରେ ନବାବ ସିକନ୍ଦର ଜହାଁ ବେଗମଙ୍କ ସମୟରେ ତାଙ୍କ ଦରବାରରେ ଅତ୍ୟନ୍ତ ହର୍ଷ ଓ ଉଲ୍ଲାସର ସହ ହୋଲି ପର୍ବ ପାଳନ କରାଯାଉଥିଲା । ଏ ଅବସରରେ ମୋଗଲକାଳୀନ କୁଟିକମ କରା ପିଚକାରୀ ସହ ବିଶେଷ ଭାବରେ ଭଲ ରଙ୍ଗ ସବୁର ବ୍ୟବହାର କରାଯାଉଥିଲା । ସାମନ୍ତ ଓ ଦରବାରୀଙ୍କ ମଧ୍ୟରେ ଫଗୁ ଓ ରଙ୍ଗ ବଣ୍ଟନ କରାଯାଉଥିଲା ।
… କ୍ରମଶଃ