ଆମ ପିଲାଦିନର ଖିଆପିଆ

ନଟବର ଷଡ଼ଙ୍ଗୀ
ନଟବର ଷଡ଼ଙ୍ଗୀ 644 Views
19 Min Read

     ୧୯୪୨ । ମୋତେ ଆଠ ବର୍ଷ । ଠେକ ହେଲାଣି । ସ୍କୁଲ ଯାଉଛି । ଆମ ଗାଁ ନରିଶୋ । ପୁରୀ ଜିଲା ବାଲିପାଟଣା ଥାନା ୯ ନମ୍ବର ୟୁନିୟନରେ ସବୁ ଠାରୁ ବଡ ଗାଁ । ଚାରିଆଡେ ଜଙ୍ଗଲ । ଦିନ ବେଳା ବି ଗଧିଆ,ବିଲୁଆ ,କୋକିଶିଆଳି ,ଠେକୁଆ ,ସାପ ,ନେଉଳଙ୍କର ଯିବା ଆସିବା ।ବଡ ଗଛ,ବେତ,କୁମ୍ଭାଟୁଆ ,ବାଇଢଙ୍କ ଲଟି ଛନ୍ଦି ଛାନ୍ଦି ଓହଳିଥିବେ । ଆମ ଘର ନରିଶୋ ଶାସନ । ଶାସନକୁ ଲାଗି ବାର ସାହି । ୮୦/୮୧ ବର୍ଷ ତଳର କଥା ।କିଛି କିଛି ମନେ ଅଛି । ଖିଅପିଆ ତ ନିଜ କଥା ।ଡେରି ସହଳ ନାହିଁ ।ମଲା ପର୍ଯ୍ୟନ୍ତ ମନେ ରହିବ ।ରହିଛି ।

ଆମେ ଭାଇ ଭଉଣୀ ଛଅ ।ମୁଁ ବଡ । ମା ପାଖେ ତ ସବୁ ପିଲା ସମାନ । ତଥାପି ବୋଊ ଟିକେ ମୋତେ ଅଧିକା ଭଲ ପାଏ । ବଡ ପୁଅ ତ ।ତାର ଧାରଣା ମୁଁ ପାଠ ପଢିବି । ଚାକିରି କରିବି । ସମସ୍ତଙ୍କ କଥା ବୁଝିବି । ଦୁଷ୍ଟାମୀ କଲେ ନନା ଉତ୍ତମ ମଧ୍ୟମ ଥୁଅନ୍ତି ।“ ଏତେ ବକଟେ ପିଲା । ତମେ ତାକୁ ଗୋରୁ ଭଳି ବାଡଉଛ” ? ବୋଊର ଆସ୍ଵାସନା ବାଣୀ ନନା ଙ୍କୁ ଭଲ ଲଗେନି । କହିପକାନ୍ତି “ତୁ ତ ସୁନା ପୁଅ ଧେଇକି ନାଚ କରିବୁ”। ଖିଅପିଆ କଥା କୁଆଡେ ଗଲା । ଏଗୁଡିକ ନଟ ସାର କଣ ଲେଖୁଛନ୍ତି । ଆସୁଛି । ଖିଅପିଆ କୁ ଆସୁଛି ।ଦିନ ପହରେ ହେଲାଣି । ଶନିବାର । ସ୍କୁଲ ଛୁଟି ହେଲା । ବସ୍ତାନି ଫୋପାଡି ଦେଇଛି ବୋଊ ଡାକିଲା “ଆ ଖାଇବୁ ଆ”।ସକାଳେ ମୁଢି ନଡିଆ ଚୋବାଇ ସ୍କୁଲ କୁ ଯାଇଥିଲି । ସେ କେତେ ବେଳୁ ପେଟରେ ପଣା ହୋଇଗଲାଣି । ବୋଊ ଥାଳିଆଟିଏ ଆଣେ ।ଘଡି ଭାତ ଅଜାଡି ଦେଇ ଖାଇବାକୁ ବାହାରେ । ମୁଁ ତ ହାତରେ ଖାଇ ପାରିବି ।ବୋଊ ମୋତେ କାହିଁକି ବିରକ୍ତ କରୁଛି । ହାତ ଛିଞ୍ଚାଡି ମୁଁ ଖାଇବାକୁ ବାହାରେ ।ସେ କଣ ଛାଡିବା ଜନ୍ତୁ ।ବାପା ,ଧନ କହି ବଡ ବଡ ଗୁଣ୍ଡା କରି ପାଟିରେ ଗଲେଇ ଦଉଥିବ ।ଉଁ ଚୁଁ ହେଲେ “ବାପାଟା ପରା ଖାଇଦେ ।ଓତାବାଡିରେ କୋକମିନା ବୋବାଉଛି । ରାତିରେ ଆସି ଡରେଇବ”। ଆରେ ଓତାବାଡିରେ ତ ବେତ ବଣ । ସ୍କୁଲ ଛୁଟି ହେଲେ ଆମେ ବଣରେ ପସୁ । ଚୁନିଚୁନି ହଳଦିଆ ପେନ୍ଥା ପେନ୍ଥା  ବେତ କୋଳି ତିଳ କାଟି କରି ଆମକୁ ଦିଏ । ଆରେ କୋଉଠି ସେ କୋକମିନା ଆମ ଆଖିରେ ତ ପଡୁନି ।ବୋଊ ପିଲା ଦିନୁ ସେଇ କୋକମିନା କଥା କହି ମୋତେ ଡରଉଥିଲା । ମୋର ଯେ ଆଖି ଫିଟି ଗଲାଣି ବୋଊକୁ ମାଲୁମ ହଉନି ।

ପାଠକେ ଆପଣମାନେ ତ କିଏ କେମିତି ଘଡି ଭାତ କଥା ଜାଣିଥିବେ । ପିଲାଦିନେ ଖାଇଥିବେ । ତାର କଣ ଏମିତି ସେମିତି ବାସ । ଘର ଦୁଆର ଚାରିଆଡେ ଖେଦି ଯାଏ ନା ! ଆମର ଗୋଟିଏ ବଡ କଜଳା ଗାଈ ଥାଏ । ତା ନାଁ ଦେଇଥାନ୍ତି ଜାହାଜ । ଘରେ ଥିଲା ବେଳେ ତା ମୁହଁରେ ଘାସ ,ନଡା,କୁଟା ପଡୁଥାଏ । ସକାଳ ହେଲେ ତୋନି,ପାଣି,କୁଣ୍ଡା ବେଳେ ବେଳେ ବଟା କୋଳଥ ପକାଇ ବୋଊ ତାକୁ ମୁହେଁ ।ନନା ଦିବେଳା ଗାଈ ଦୁହଁନ୍ତି । ସକାଳ ବେଳା ପ୍ରାୟ ୩ ସେର ଓ ରାତିରେ ୨ ସେର କ୍ଷୀର ଦିଏ ।ମାପ କଥା ନନା ବୋଊକୁ କହନ୍ତି । କଅଁଳ ଗାଧୁଆ ବେଳ ହେଲେ ବୋଊ ଗାଈ ଗୋଠରେ ତାକୁ ଫିଟାଇଦିଏ । ପେଟେ ଚରି ପାଣି ପିଇ ସନ୍ଧ୍ୟା ବେଳକୁ ହାଜର । ଚାଷୀ ଘର ତ ।ଆମର ହଳେ ବଳଦ ଥାନ୍ତି । ଜାହାଜର ବାଛୁରି ,ଗୋଟିଏ ଛଡା ଓ ଆଉ ଗୋଟିଏ ବରଡ ଗାଈ ଥାନ୍ତି । ସେତେବେଳେ ସବୁ ଘରେ ହଳେ ଦିହଳ  ବା ୪/୫ ହଳ ପର୍ଯ୍ୟନ୍ତ ବଳଦ ଥାନ୍ତି । ଜମି ବେଶି କମ ଅନୁସାରେ ବଳଦ । ଏକରକ ଠାରୁ କମ ଜମି ଥିଲେ ଚାଷୀ ପଟେ ବଳଦ ବାନ୍ଧୁଥିଲେ । ଆର ଜଣେ ତା ଭଳି ଛୋଟ ଚାଷୀ ର ପଟେ ବଳଦ  । ସାହାଳିଆ ଚାଷ କରନ୍ତି । ଜମି ଅନୁପାତରେ ଗାଈ ସମସ୍ତଙ୍କ ଘରେ ୨/୩ ଟିରୁ ୬୦/୭୦ ପର୍ଯ୍ୟନ୍ତ ।କ୍ଷୀର ତ କିଛି ମିଳେ । କିନ୍ତୁ ଗାଈ ପାଳିଥାନ୍ତି ଖତ ମିଳିବ । ଘରେ ଗୁହାଳରୁ ଗୋବର ଖତ ଗଦାରେ ପଡିବ । କିଛି ଘଷି ବାହାରିବ । ଜାଳିବା ।ଗାଈ ଚରିବାକୁ ଗଲେ ବା ବଳଦ ହଳକୁ ଗଲେ ଜମିରେ ଗୋବର ପଡିଲା । ଖତ ହେଲା ।ଚାଷୀ ଖତ ର ମହତ୍ଵ ଜାଣିଥିଲା । ଏକରକୁ ୫/୬ ଶଗଡ ଖତ ଓଦରରେ ବୁହା ହୋଇ ଜମିରେ ପଡିବ । ଖତ ଜମିରେ ଖେଳେଇ ଖରାଟିଆ ଚାଷ ହେଲା ।ଜ୍ୟୋଷ୍ଠ ମାସ । ଝିଙ୍କାରି ବୋବାଇଲାତ ଚାଷୀ ଓଳିଆରୁ ବିହନ ଗାଳି ଜମିରେ ବୁଣିଲା । ପହିଲି ଆଷାଢ । ଅସରାଏ ଫେଣ ଲଗା ବର୍ଷାତ ଅଗାଡି ଫୋଡ ଗଛ । ଚାଷୀ ସ୍ଵାବଲମ୍ବି ଥିଲା ।ଚାଷର କୌଣସି ସାଧକ ପାଇଁ ବଜାର ଯିବା ଦରକାର ନଥିଲା । ଧେତ ଚାଷ ବାସ ଆଡକୁ ମାଡିଯାଉଛି । କଥା କଣ କି ଘଡି ଭାତରେ ଘିଅ ଦରକାର ତ । ଘିଅ ଆଣିବାକୁ ଏତେ କଥା ।

ସେତେବେଳେ ଖିରର ବିକ୍ରିଟିକ୍ରି  ପ୍ରାୟ ନଥାଏ ।ପିଲା ୨/୩ ବର୍ଷର ହବା ପର୍ଯ୍ୟନ୍ତ କ୍ଷୀର ପିଇବ ,କ୍ଷୀର ପଡି ଗଇଣ୍ଠା ହବ ।କ୍ଷୀର ପଡି ଜାଉ ହବ । ଘରେ ରୋଗ ବଇରାଗ ହେଲେ କ୍ଷୀର ଟିକେ ଦରକାର । ପୁନିଅଁ ପର୍ବକୁ ଖିରୀ ହବ ପ୍ରଥମ ପୁରୁଷ । ମା ମାନେ କ୍ଷୀର କୁ ଆଉଟନ୍ତି । କ୍ଷୀର ଫୁଟିଲେ ଜାଳ କମାଇ ଦେଇ କ୍ଷୀର ନନ୍ଦୀ ଉପରେ ଆଉ ଗୋଟେ ଛୋଟ ହାଣ୍ଡି ଘୋଡାଇ ଦିଅନ୍ତି । ମଣିଷ ଉତୁରିଲେ ମଶାଣିକୁ କ୍ଷୀର ଉତୁରିଲେ ଚୁଲିକୁ । ଉତୁରିଲା ବେଳେ ବୋଊ ମାନେ ଛକିଥାନ୍ତି ।ଦିକି ଦିକି ନିଆଁରେ କ୍ଷୀର ସିଝିଲା । ସିଝି ସିଝି ଗୋଟେ ଚକୁଳି ପିଠା ପରି ହାଲକା ହଳଦିଆ ସର ପଡିଯାଇଥିବ । ଖଣ୍ଡେ ସେ ସରରୁ ଖାଇଦବତ ସ୍ଵର୍ଗ,ମର୍ତ୍ତ୍ୟ ,ପାତାଳ ତିନିପୁର ସମାନ । କି ମିଠା !କି ଚିକ୍କଣ !ନ ଖାଇବା ପିଲା ଯଦି ଥରେ ସର ଖାଇଛିନା ଟେରା ହୋଇଯିବ । ବୋଊ ଥବା ନଥବା ଠଉରେଇ ମୁଁ ଥରେ ଥରେ ସରରୁ ପୁଳାଏ ପାଟିରେ ପୁରାଇ ଚମ୍ପଟ । ପାଟି ପୋଡିଯାଉଥିବ । ହେଲେ ମନ ଭିତରେ ଆନନ୍ଦର ଜୁଆର ଖେଳିଯାଏ । ବିଲେଇ ଆଖି ବୁଜି ବୁଜି କ୍ଷୀର ପିଉଛି । ଥରେ ଥରେ ଧରା ପଡିଯାଏ । ବୋଊ ମାର ଧର କରେନି । କହେ “ଆରେ ନଟ ତୋତେ କ୍ଷୀର ପିଇବାକୁ ଦଉଛି ।ଭାତରେ କ୍ଷୀର ଗୋଳାଇ ଖାଇବାକୁ ଦଉଛି । ଏ ସର ଟିକିଏ ଟିକିଏ ୪/୫ ଥର ମହି ପକାଇଲେ ଘିଅ ମାରିବି । ତୁମେ ବାପ ପୁଅ ଖାଇବ । ପୁନିଅଁ ପରବରେ ପିଠା ପଣା ଘିଅରେ ହବ । ତୋ ନନାଙ୍କର ବାଗ । ତେଲରେ ପିଠା ଛଣା ହେଲେ ଛୁଇଁବେନି । ମୋତେ ମାଗିବୁ ।ମୁଁ ସର ଟିକିଏ ଟିକିଏ ଦେବି । କୁସୁନିଆ ପାଇଁତ ସର ଲବଣୀ । ତୁ ତ ମୋର କୁସୁନିଆ”। କହି ମୋତେ କୋଳକୁ ଟାଣିନିଏ । ମୋତେ ଲାଜ,ଚୋରପଟିଆ ଲାଗେ ।

କଥା କଣ କି ଲହୁଣୀରୁ ଘିଅ ହବ ।ଗୋଟିଏ ଛୋଟ ଘିଅ ଘଡି ଥାଏ । ସେଥିରେ ଲହୁଣୀ ରଖି ବୋଊ ଚୁଲିରେ ଗରମ କରେ । ଲହୁଣୀ ଫୁଟି ଘିଅ ବାହାରିଲା । ମରା ଘିଅର ବାସ ଚାରିଆଡେ ଖେଳିଯାଏ । ଘିଅ ନିଗାଡି ଆଉ ଗୋଟିଏ ଘଡିରେ ରଖିବ । ଘିଅ ଘଡି କୋରିବ । ଘିଅ କୋରୁଅ ଆମ ଭାଇ ଭଉଣୀଙ୍କୁ ବଡିଏ ବଡିଏ ଦିଏ । ମୋ ପାଇଁ ଟିକେ ପାତର ଅନ୍ତର କରେ । ଟିକେ ଅଧିକ ଦିଏ । ଆପଣମାନଙ୍କ ପାଟି ଓଦା ହୋଇନି ।ଘିଅ କୋରୁଅ ମଜା । ଖାଇଲେ ହବ ରଜା । ଏବେ ଆସିବା ଘଡି ଭାତକୁ । ବୋଊ ବାଲାମ କି ପଦ୍ମକେଶୋରୀ ଏକଉସୁଆଁ ଚାଉଳ ପୋଷେ ,ଭଜା ମୁଗ ଡାଲି ମୁଠାଏ,କଦଳୀ,କଖାରୁ ,ବାଇଗଣ ,କନ୍ଦମୂଳ କଟା ପରିବା କିଛି, ଜୀରା ୮/୧୦ ଟି ,ଲୁଣ ,ହଳଦୀ ବଟା,ପାଣି ଅନୁମାନରେ ଦବ । ଲିଭିଲା ଚୁଲିରେ ନିଆଁତ ଥବ । ଚୁଲି ଭିତରେ ଘଡିଟି ବସାଇ ଦେଇ ସରାଟିଏ ଘଡି ଉପରେ ଘୋଡାଇ ଦବ । ସେତେବେଳେ ତ ଗାଁ ସ୍କୁଲ ଦିନରେ ଦିବେଳା ହେଉଥିଲା । ବୋଧେ ସକାଳେ ମୁଁ ସ୍କୁଲକୁ ଗଲା ପରେ ବୋଊ ଘଡିଭାତ କରିଥିବ । ସ୍କୁଲରୁ ଫେରିଲି ୯/୧୦ ଟା ସମୟ ।ଘଡିଭାତ ବର୍ତ୍ତମାନ ଚୁଲିରୁ ବାହାରିଲେ । ଥାଳିଟିଏ ବୋଊ ଆଣେ । ଘଡିଟି ଥାଳିଭିତରେ ଓଲଟାଇ ଦେଲା ତ ଘଡିରୁ ସବୁ ମାଲ ଥାଳି ଉପରେ ବାହାରିଗଲେ ।ବୋଊ ୪/୫ ଟି ଥାଳିଆ ଆଣିବ ।ଅଧା ଅଧି ମାଲ ମୋ ଥାଳିଆରେ । ଠୁକି,ଦାମ ,ବଂଶୀ ,ଶଶି ,ଉଷି ଏମାନଙ୍କୁ ବାଟୁଳାଟିଏ ଲେଖାଏଁ ଥାଳିଆରେ ଧରାଇ ଦିଏ । ବାସନାତ ପାଠକେ ଆଗରୁ ପାଇଛନ୍ତି । ଘିଅ ଘଡିରେ ଘଡି ଭାତ । ଘଡି ଘିଅ ପିଇ ପିଇ ପାଚିଯାଇଛି । ଘଡି ଭାତ ଚିକ୍କଣ ତ ହାତରେ ଲାଗିଯାଉଛି । ଉଷୁମ ଅଛି । ପ୍ରାପ୍ତ ମାତ୍ରେଣ ଭୁକ୍ତବ୍ୟ । ଏଣେ ତେଣେ ନଚାହିଁ ଆମେ ଥାଳିଆକୁ ୪/୫ ମିନିଟରେ ସଫା କରିଦଉ ।

ଆଜି କାଲିକା ପିଲାତ ବରଗର,ପିଜା,ବନ ,କେକ ଖାଇଲେ  । ବାପା ମାଙ୍କର ପଇସା ଅଛି । ପଇସା ଫେକୋ ବାଇସ୍କୋପ ଦେଖୋ । ଫାଷ୍ଟ ଫୁଡ ଯେ ସାସ୍ଥ୍ୟ ପାଇଁ କେତେ ମାରାତ୍ମକ ତୁମେ ନାଗ ସାପ ଗୁଡେଇ ହୋଇ ସେମାନଙ୍କୁ ମନା କଲେ ବି ଶୁଣିବେ ନା କଣ । କହିବେ କୋଉଠୁ ଗୋଟେ ମଫ ଆସିଲା ।ପିଲା କଥା ତ ପଛ । ବାପ ,ମା କହିବେ ।କହି ନପାରିଲେ ମୁହଁ ମୋଡିବେ । ପିଲାର ମେଦ ବୃଦ୍ଧି ହଉଛି । ୭/୮ ବର୍ଷର ପିଲା ୫୦/୬୦ କିଲୋ ଓଜନ ହେଲାଣି ।ଚାଲି ପାରୁନି । ୮/୯ ବର୍ଷର ଝିଅ ଘର ଯୋଗ୍ୟା ହୋଇ ମା ହେଲାଣି । ଡାକ୍ତର ,ଔଷଧ କମ୍ପାନୀ ମାଲାମାଲ ।କମ୍ପାନୀମାନେତ ଡାହାଣୀ ହୋଇ ବରଗର ଲଗାଇଲେ । ଗୁଣିଆଁ ହୋଇ ଔଷଧ ଧରାଇଲେ ।“ଭାତ ପୁଣି ଘଡି ଭାତ । ଧେତ କି ଗୋଟାଏ ମରହଟିଆ ଆସି ପହଞ୍ଚିଲା”ପିଲାଙ୍କର ଭାବନା । ଛାଡ ଆମର ପଙ୍କରେ ପସିବା ନାହିଁ କି ଗୋଡ ଧୋଇବା ନାହିଁ । ଭୋଗ ବାଦ ଏମାନଙ୍କୁ ଅଥର୍ବ କରିଦେଲାଣି । ଗାନ୍ଧୀ କହୁଥିଲେ “ତୁମେ ଯଦି ସୁସ୍ଥ ସବଳ ରହିବ ,ବୁଦ୍ଧିର ବିକାଶ ହବ ,ଭଲ ମଣିଷଟିଏ ହୋଇପାରିବ ,ସୁଖରେ ବଞ୍ଚିପାରିବ ପ୍ରଥମେ ତୁମେ ଗାଁରୁ ୧୦ ମାଇଲି ଆକ୍ରାନ୍ତରେ ଯେଉଁ ଖାଦ୍ୟ ଉତ୍ପାଦନ ହଉଛି ସେହି ଦେଶୀ ଖାଦ୍ୟ ଖାଅ”।ସେଣିକି ଆଉ ଯିବିନି ।

ପିଲା ଦିନର ଅନ୍ୟ ଏକ ଗାଉଁଲି ଖାଦ୍ୟ ଗଇଁଠା କୁ ଆସିବା । ଉଆ ପଖିଆ କଳାଜିରୀ ଚାଉଳ ଚକିରେ ପେସା ହବ । ମା ମାନେ ବଡ ଘଡିରେ ଖଳି କରିବେ । ଖଳିକୁ ପାଚିଲା କଦଳୀ ଆକୃତିର ଗୋଟିଏ ଗୋଟିଏ ଗଢିବେ । ହାଣ୍ଡିରେ କ୍ଷୀର ଫୁଟୁଥବ । ମା ମାନେ ଗଇଁଠା ଗୁଡିକୁ ଫୁଟିଲା କ୍ଷୀରରେ ଛାଡିଦେଲେ । ୧୫/୨୦ ମିନିଟ ସିଝିଲା । ଚୂଲିରୁ ଓହ୍ଲାଇ ଥଣ୍ଡା କଲେ । ମୁଣ୍ଡ ପିଛା ୩/୪ ଟି ଧରାଇ ଦେଲେ । ଚାରିଟା ଖାଇ ପାରିବେନି । ତିନିଟାରେ ତ ଜବତ ।ଯଦି କ୍ଷୀର ନାହିଁ ,ନଡିଆ ରସ ଫୁଟିଲା । ଖଳିତିଆରି ଗଇଁଠା ଗୁଡିକୁ ଛାଡିଦେଲେ । ୧୫/୨୦ ମିନିଟ ଭିତରେ ସେମାନେ ନଡିଆ ରସ ପିଇ ନରମ ହେଲେ । ଏକା କଥା ।ସେଇ ୩/୪ ଟା ତ ମୁହଁ ବାନ୍ଧିପକାଇବ । କ୍ଷୀର ନାହିଁ । ନଡିଆ ରସ କରିପାରୁନାହାନ୍ତି । ନଡିଆଟିଏ କୋରି ଖଳିରେ ମିଶାଇ ଗଇଁଠା ଗଢନ୍ତୁ ଓ ପାଣିରେ ଫୁଟାନ୍ତୁ । ଏ ଗଇଁଠା କ୍ଷୀର ଗଇଁଠା ବା ନଡିଆ ରସ ଗଇଁଠା ସାଙ୍ଗେ ଲାଗିବନି । ଉଣେଇଶି ବିଶ ହବ ।ପିଲାଟି ଖାଇବ ।

ମିଠାକୁ ପିଲେ ବାଇ । ଚିନି ବଜାର ଦେଖିନି । ଆଖୁ ଚାଷ ଘରେ ଘରେ । ଗୁଡ ବଣା ଭାଡି ତଳେ ୫/୧୦ ଠିଆ ହୋଇଛନ୍ତି । ପୁଳାଏ ଗୁଡ ଗଇଁଠା ସିଝିଲା ବେଳେ ହାଣ୍ଡିରେ ପକାଇ ଦେଲା ତ ଗଇଁଠା ମିଠା । ଆମର ମିଠା କଥା ଅଲଗା । ନିଆଳି ହାଟ ସପ୍ତାହକେ ଗୁରୁବାର ଓ ରବିବାର ଦୁଇ ଦିନ ବସେ । ନନା ହାଟକୁ ନଡିଆ ,ଆମ୍ବ ,ପଣସ,ସପୁରି ବିକିବାକୁ ନିଅନ୍ତି । ବୋଉ ବରାଦ । ହାଟରୁ ଗୋଟିଏ ବଡପୁଡା ଖୁସି କୋରା ଆଣିଥିବେ । ଖୁସୀକୋରା ମାଲ କଣ ? ହାଲୋଇ ଜିନିଷ ବରା,ପିଆଜି ,ପକୁଡି ବା ମିଠେଇ ଏମାନେ ସେ ପର୍ଯ୍ୟନ୍ତ ଆତ୍ମ ପ୍ରକାଶ କରିନାହାନ୍ତି । ଗୁଡକୁ ରାନ୍ଧି ପାଗ କରି ଛୋଟ ଛୋଟ ବାଟୁଳି ପରି କୋରା ମାନ ତିଆରି ହୋଇଥାଏ । ଗୋଟିଏ ବଡ ପୁଟୁଳାକୁ ଅଧଲାଏ । ପୁଟୁଳାରେ ୨୦/୨୫ ଟି କୋରା ଥବ । ଅଧଲା କଣ କି ସେତେବେଳେ ଟଙ୍କାକ ଚଉଷଠି ପଇସା । ପଇସାକ ୨ ଅଧଲା ଓ ୩ ପାହୁଲା କାରବାର ହୋଇଥାଏ । ସେ କାଳରେ ଜିନିଷ ଶସ୍ତା ପଇସା ମହରଗ । କ୍ଷୀର ବା ନଡିଆ ରସ ଗଇଁଠା ତ ଏମିତି ମିଠା । ବୋଉ ମତେ ଗଇଁଠା ଖୁଆଇଲା ବେଳେ ଗୋଟେ ଦିଟା ଖୁସି କୋରା ଗୋଳେଇ ଦିଏ ।

ଘଡିଭାତ ,ଗଇଁଠାରେ କଣ ପିଲାଙ୍କ ଖିଆପିଆ ସରିଯିବ ?ମା ମାନେ ଓଷା ବ୍ରତ କରନ୍ତି ।କାର୍ତ୍ତିକ ମାସ ସୋମବାର ,ସଂକ୍ରାନ୍ତି ,ଦୁତିଆ ଓଷା ,ବୁଧେଇ ଓଷା ପ୍ରତି ମାସରେ ୨/୩ ଟି ଓଷା ଥବ । ବୋଉ ଟିକେ ମାତ୍ରକିଆ ।ଓଷା ବ୍ରତ କରେ । ଓଷା ତ ଉପାସ କଥା । ନାଁ, ଖାନା ପିନା ଅଛି ନା । ଓଷା ପାଇଁ ବୋଉ ଆଗରୁ ଅରୁଆ ଚାଉଳ ଭାଜି ରଖିଥବ । ଚାଉଳ ନହେଲେ ଅରୁଆ ଖୁଦ ବି ଚଳେ । ଓଷା ଦିନ ସକାଳୁ ସକାଳୁ ସେମାନେ ଗୋଟିଏ କଂସାରେ କଂସାଏ ବତୁରିବେ । ନନା, ଆମେ ପିଲେ ଖାଇସାରିଲୁ । ବୋଉ ର ଓଷା ପର୍ବ ଆରମ୍ଭ । ବତୁରା ଚାଉଳ ଭଜା ବା ଖୁଦ ଭଜା କୁ ଛାଣିଲା । ନଡିଆତ ଘରେ ୩/୪ ଗଛ ଡେରା ହୋଇଛି । ଶୁଖିଲା ନଡିଆଟିଏ କୋରିଲା । ଦହି ଛେନା କରିଛି । ଗୁଡ ତ ଭାଡି ତଳେ ଲହଡି ମାରୁଛି  । ଦହି ,ପାଟକପୁରା କଦଳୀ ୩/୪ଟା କଂସାଏ ଚକଟା ଚକଟି କଲେ । ଆମେ ଭାଇ ଭଉଣୀ ନାକେଇଛୁ । ଶଢେଇ ୫/୬ ଟି ଆଣି ଶଢେଇଏ ଲେଖାଏଁ ପାଣି ବୋହିପଡୁଥିବ ଚକଟା ଧରେଇଦବ । ଆରେ କି ସୁଆଦ । ଆଜିକା ରସଗୋଲା,ବୁନ୍ଦିଆ ତା ପାସଙ୍ଗରେ ପଡିବେନି । ଶଢେଇକୁ ପାଟି ପାଖରେ ଲଗାଇ ଟାଉ ଟାଉ କରି ଦାବି ଦଉ । ହାତ ଅର୍ଜିଲେ ଦାନ୍ତ ଖାଏ । ପର ଦେଉଥିଲେ ଉଘାଉଥାଏ । ନନା ଆମର ଖୁବ ଭଲ ଚାଷୀ । ଘର ବାଡି ସବୁ କିସମ ଜମିରେ ବର୍ଷକ ୨୫/୩୦ ପ୍ରକାରର ଫସଲ ଚାଷ କରୁଥିଲେ । କମଉଥିଲେ ଯେମିତି ଖାଉଥିଲେ ସେମିତି । ଏବେ ଲେଖିଲା ବେଳେ ସେ ବେଳ କଥା ମନେ ପଡୁଛି । ଆଉ ଅଛି । ସେ ରାମ ନାହିଁ ସେ ଅଯୋଧ୍ୟା ନାହିଁ । ନକଲି ଆଧୁନିକତା ,ନକଲି ଖାଦ୍ୟ । ଅସଲି ରୋଗ ।ଖାଉଥା ଭୋଗୁଥା ।

ଓଡିଶାରେ ମାଣ୍ଡିଆ ମିସନ ଏବେ ମୁଣ୍ଡ ଟେକିଛି । ମାଣ୍ଡିଆ ଚାଷ ଓ ଚଷିକୁ ପ୍ରୋତ୍ସାହନ ଦିଆଯାଉଛି । ମାଣ୍ଡିଆ ଓ ଅନ୍ୟାନ କ୍ଷୁଦ୍ର ଶସ୍ୟରୁ ପ୍ରସ୍ତୁତ ପୃଷ୍ଟିକର ଖାଦ୍ୟ ଖାଇବାକୁ ସରକାର ପ୍ରଚାର ପ୍ରସାର କରୁଛନ୍ତି । ଓଡିଶାର ମାଣ୍ଡିଆ ମିସନ ବିଶ୍ଵ ଦରବାରରେ ପ୍ରଶଂସିତ  ହେଉଛି । କାହିଁ କି ? ମାଣ୍ଡିଆ କଣ ଓଡିଶା ପାଇଁ ନୂଆ । ମାଣ୍ଡିଆ ଓଡିଶାର ୫୦୦୦ ବର୍ଷର ଖାଦ୍ୟ ସଂସ୍କୃତିର ଏକ ଅଂଶ ବିଶିଷ୍ଟ ଥିଲା । ଖାଲି ଆଦିବାସୀ ବହୁଳ ପାହାଡ ବା ମାଳ ଅଞ୍ଚଳରେ ନୁହେଁ । ସମୁଦାୟ ଓଡିଶାରେ କମ ବେଶି ମାଣ୍ଡିଆ ଚାଷ ହଉଥିଲା । ଉପକୂଳ ଜିଲା ମାନଙ୍କର ବିଆଳି ଡେର ଜମିରେ ମାଣ୍ଡିଆ ଲହଡି ମାରୁଥିଲା । ଋଷିକୁଲ୍ୟା,ମହାନଦୀ,ବ୍ରାହ୍ମଣୀ,ବୈତରଣୀ ଉର୍ବର ତ୍ରିକୋଣ ଭୂମୀ ଅଞ୍ଚଳରେ କ୍ଷୁଦ୍ର ଶସ୍ୟ ଚାଷ ବହୁଳ ଭାବେ କରାଯାଉଥିଲା । ମାଣ୍ଡିଆରୁ ଜାଉ,ଚିନା ଖିରୀ ,ସୁଆଁ ଖିରୀ ,ମାଣ୍ଡିଆ ଚକୁଳି ,ମାଣ୍ଡିଆ ଲଡୁ ,ମାଣ୍ଡିଆ କାକରା ଘରେ ଘରେ ତିଆରି ହଉଥିଲା । ଦଳିତ ମାନଙ୍କ ଘରେ ତ ମାଣ୍ଡିଆ ଜାଉ ୪ ମାସର ମୁଖ୍ୟ ଖାଦ୍ୟ ଥିଲା । ୧୯୬୦ ପର୍ଯ୍ୟନ୍ତ ଏ ଧାରା ବଳବତ୍ତର ଥିଲା । ଆଜି ଆମେ ମଣ୍ଡିଆକୁ ନଈରେ ହଜାଇ ପୋଖରୀରେ ଖୋଜୁଛେ । ଆଧୁନିକତା ମାଣ୍ଡିଆକୁ ଗିଳିଦେଲା । ଦେଶ ସ୍ଵାଧୀନ ହେଲା । ସହରି ଖାଦ୍ୟର ଆଦର ବଢିଲା । ମାଣ୍ଡିଆ ଜାଉ ଗରିବର ଖାଦ୍ୟ ଅପବାଦ ମୁଣ୍ଡାଇଲା ।“ମାଣ୍ଡିଆ ଜାଉ ଖୋଇଛି ଯିଏ ହଗେଇ ମୁତେଇ ନଉଛି ସିଏ”। ମାଣ୍ଡିଆ ପାଇଁ ଏପରି ବିଶେଷଣଟି ଲାଗିଗଲା ।

ଷାଠିଏ ଦଶକରେ ଆମ ଦେଶରେ ସବୁଜ ବିପ୍ଳବର ରାଜୁତି । ଅଧିକ ଅମଳ କ୍ଷମ ଧାନ ଚାଷ ଚାଲିଲା । ଅଧିକ ଫଳିବ । ଅଧିକ ଲାଭ ଆଶାରେ ଚାଷିଭାଇମାନେ ରାସାୟନିକ କୃଷିରେ ମାତିଗଲେ । ହଜାର ହଜାର ବର୍ଷର ପାରମ୍ପରିକ ଧାନ ବିହନ ବୁଡିଗଲା । ଆମ ଦେଶରେ କୃଷି ଅର୍ଥନୀତି ଭୁଷୁଡି ପଡିଲା ।ଆଉ ୩୦/୪୦ ପ୍ରକାରର ଫସଲ ଚାଷ ନାହିଁ  । ଖାଲି ଧାନ ,ଧାନ ଆଉ ଧାନ । monoculture । ମାଣ୍ଡିଆ ଆଉ ଥଳଚୂଳ ପାଉଛି କେତେକେ । ବୁଡିଗଲା । ବୋଊ ରାତିରେ ମାଣ୍ଡିଆ ଜାଉ ରାନ୍ଧିବ । ସକାଳୁ ଥଲ ଥଲ ଜାଉ । ବସା ଦହି ଆଉ ମେଞ୍ଚାଏ ଗୁଡ ଗୋଳେଇ ଆମ ପାଖେ ଥୋଇଦବ । ଆମେ ୫ମିନିଟ ଭିତରେ ପାଇଦବୁ । ମାଣ୍ଡିଆ ଚକୁଳି । ମାଣ୍ଡିଆ ଚୂନା,କୋରା ନଡିଆ,ଗୁଡ ଗୋଳି ଆଣ କଲା । ତେଲୁଣିରେ ଚେଂ ଚାଂ କରି ଚକୁଳି କଲା । ଆମେ ନାକେଇ ଥବୁ । ଚକୁଳି ବାହାରିଲାତ  ବୋଊ ଦବାକୁ ଅପେକ୍ଷା ନାହିଁ  । ଗରମ ଗରମ ଛଡିଆ ପଡିଆ କରି ଖାଉଥିବୁ । କି ନରମ,କି ବାସନା କାହିଁ ହଗ ମୂତ ତ ନାହିଁ । ମାଣ୍ଡିଆ ଚୂନା ସରୁ ସରୁ କୋରା ନଡିଆ ,ପାନ ମଧୁରି ଦିଟା ପକାଇ ଖଳି କରିବ । ନଡିଆ ତେଲ ତ ଭାଡି ତଳେ ମାଠିଆରେ ଥୁଆ ହୋଇଛି । ତେଲରେ କାକରା ଛାଣିବ । ଏଣେ ଆମ ପାଟିରୁ ଲାଳ ବୋହିଲାଣି । ମା ତ ମନ ବୁଝିପାରେ । ସେ ଗରମ ଗରମ କାକରା ଗୋଟେ ଦିଟା ଆମକୁ ଦବ । ହାତ ପୋଡିଯାଉଥିବ । ଏ ହାତ ସେ ହାତ କରି ଆମେ ଖାଉଥିବୁ ସୁ ସା ହଉଥିବୁ । ନନା ବୋଊ ଉପରେ ଖପା “ଦିଅଁ ପୂଜା ହୋଇନି । ତୁ ପିଲାଙ୍କୁ ଦେଇଦଉଛୁ”। ବୋଊ ଉଁ କି ଚୁଁ ନକହି ଛାଣୁଥାଏ । ଆମକୁ ଦଉଥାଏ । ଖାଦ୍ୟ ସଂସ୍କୃତିରେ ମାଣ୍ଡିଆକୁ ମାନିବାକୁ ହବ । ବଡବଡିଆ ମାନେ ମାଣ୍ଡିଆକୁ ଚିହ୍ନିଲେ । ମଲା ବେଳକୁ ହନୁ ସତ କହିଲା । ଆରେ ବହୁତ ପୃଷ୍ଟିକର ଖାଦ୍ୟ ତ ।ବହୁମୂତ୍ର ,ହୃଦଘାତ ପରି ରୋଗ ପାଇଁ ପଥି । କମ୍ପାନୀମାନେ ବାହାରି ପଡିଲେଣି । ସେମାନଙ୍କ କଥା ମାଣ୍ଡିଆର ଦେଶୀ ବିହନରୁ ଉତ୍ପାଦନ କମ ।ଶଙ୍କର ମାଣ୍ଡିଆ ବିହନ ବାହାରୁଛି । ଅଧିକ ଫଳିବ ,ସାର କୀଟନାଶକର ମାଣ୍ଡିଆ ଶିକାର ହେବ । ବଜାର ଅର୍ଥନୀତି ମାଣ୍ଡିଆ ଚାଷକୁ ଅକ୍ତିୟାର କରିବ । ଚାଷୀ ହାତରୁ ବିହନ ଖସିଯିବ । ଜମିରେ ବିଷ ,ପାଣିରେ ବିଷ ,ମଣ୍ଡିଆରେ ବିଷ । ସାଧୁ ସାବଧାନ । ସରକାର ସତର୍କ ହେବେତ ଚାଷୀ ସୁରକ୍ଷା ପାଇପାରିବ । ଖାଇବା କଥାରୁ କୃଷି ଅର୍ଥନୀତି ।ସେ ଖାଦ୍ୟ ନାହିଁ । କଥା ଅଛି । କାଳ କାଳକୁ ରହିବ ।

ଏବେ କଣ ଚଟପଟି ଖାଇବା ପିଇବା ଖୁବ ଟେକିଛି । ବଜାରକୁ ବୁଲିବାକୁ ଗଲ । ମାଗି ଖାଇବ । ଚିକେନ ପକଡା,ବୋନଲେସ ମାଛ ଫ୍ରାଏ,ମିକ୍ସଚର,ଝାଲ ମୁଢି,ଗୁପଚୁପ ଏମିତି କେତେ କଣ । ତା ସାଥିକୁ ବାଉଁଶ ନଳରେ ମାଉଁସ ପୋଡା ,ଫାଷ୍ଟ ଫୁଡ ଅନେକ ରକମ । ବାପା ମା ପିଲାଙ୍କୁ ଚିକେନ ପକୋଡା ଦଉଛନ୍ତି ତ ସେମାନେ ଉଚ୍ଚବର୍ଗର ନାଗରିକ ମନରେ ଆସିଯାଉଥିବ । କେବେ ଭାବିଛନ୍ତି କି ଏ ଯେଉଁ ଚିକେନ ପକୋଡା , ମାଛ ଫ୍ରାଏ ପିଲାଙ୍କୁ ଖୁଆଇ ଆତ୍ମ ସନ୍ତୋଷ ପାଉଛନ୍ତି ଏଥିରେ ଆଣ୍ଟିବାଇଓଟିକ ବିଷ ଅଛି । ଯେଉଁ ଫାଷ୍ଟ ଫୁଡ ଖୁଆଉଛନ୍ତି ସେଥିରେ ଶରୀରର ଆବଶ୍ୟକତା ଠାରୁ କେତେ ଅଧିକ ଲୁଣ ,ତେଲ ଓ ଚିନି ଅଛି । ପାଟିକୁ ସୁଆଦ ଦେହକୁ ବେମାର । ଆମ ପିଲାଦିନେ କିନ୍ତୁ ଅନେକ ପ୍ରକାରର ଦେଶୀ ଚଟପଟି ଥିଲା । ମୁଢି , ଅଧା ନଡିଆ ୫/୭ ଖଣ୍ଡ ଅଣ୍ଟିରେ ପୁରାଇ ଚୋବାଉ ଥିବୁ । ମୁଢି,ସୁଆଁ ,ଖଇରୁ ମୁଆଁ , ମୁଢି ଉଖୁଡା , ଚାଉଳ ଭଜା, କୋରା ନଡିଆ ମୁଢି ସୋରିଷ ତେଲ କଞ୍ଚା ଲଙ୍କା , ମଣ୍ଡା ପିଠା , ସରୁ ଚକୁଳି , ମୋଟା ଚକୁଳି (ମଝିରେ ଛେନା ,ଗୁଡ ,ନଡିଆ ପୁର ଦିଆ ହୋଇଥିବ ) ଘିଅରେ ଛଣା ଘି ପିଠା ,କାକରା ,ମାଛ ଭଜା ,ଲେଖି ବସିଲେ କାଗଜ ନଅଣ୍ଟ ହେବ । ଏମାନେ ସବୁ ଦେଶୀ ଖାଦ୍ୟ । ପେଟେ ଖାଇଲେ ବି ଭସ୍ମ ହୋଇଯାଏ । ଭାକୁର,ରୋହି ମାଛ ପେଟି ଘଣା ସୋରିଷ ତେଲରେ ଭଜା । ମୁଁ ତ ୮/୧୦ ବର୍ଷର ପିଲା ସେତେବେଳେ । ୫/୭ ଖଣ୍ଡ ଦାବିଦିଏ । ଆମ ବେଳରେ ଖାଇବା ତ ଏବେକା ପିଲା ଖୋଜିଲେ ନମିଳେ । ଆମେରିକା ,ବିଲାତ ,ଫ୍ରାନ୍ସ ,ଜର୍ମାନୀରୁ ତିଆରି ଖାଦ୍ୟ ଜାହାଜରେ ,ଉଡାଜାହାଜରେ ଆସିଲେ । ମାସେ ଦିମାସେ ବେଳେ ବେଳେ ବର୍ଷକର ପିଜ୍ଜା , ବରଗର , ଚିକେନ କରି ଡବାରେ ରହିଲେ । ବିଦେଶୀ ମାଲ । ତଳେ ଥୁଆ ଗୋଡ ଧୁଆ । ଖାଉଛେ, ଭୋଗ ଭୋଗୁଛେ ।  ଆମ ପିଲା ବେଳର ଦେଶୀ ଖିଆ ପିଆ ବହୁତ ହୋଇଗଲା ଆଜି ଏ ସବୁ କଥା ବୁଢାବୁଢୀଙ୍କର ନାତିକୁ ଗପ ପରି । ଝୁରିଲେ ଆଉ ଅଛି । “କୋଇଲିଲୋ ଗଲା ପୁଅ ଆଉ ବାହୁଡି ନ ଆସେ “। କଥା ରହିଥିବ କାଳ କାଳକୁ । ବାସ ଏତିକି ।

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)