“ମଶାଣି ସହର ଦିଲ୍ଲୀ” : ଏକ ଆଲୋଚନା

Chief Editor
Chief Editor 75 Views
14 Min Read

[box type=”shadow” align=”” class=”” width=””]“ମଶାଣି ସହର ଦିଲ୍ଲୀ” ଉପନ୍ୟାସଟିର ଢାଞ୍ଚା ଦିଲ୍ଲୀ ଉପରେ ପର୍ୟ୍ୟବେସିତ । ଯଦିଓ ଅନେକ ଓଡ଼ିଆ ଉପନ୍ୟାସର କିଛି କାଳ୍ପନିକ ଘଟଣା କଲିକତାରେ ଘଟିଛି ଓ କେତେକ କ୍ଷୁଦ୍ର ଗଳ୍ପ ମଧ୍ୟ ଦିଲ୍ଲୀ ମହାନଗରର ଜୀବନକୁ ଛୁଇଁଛି, ବାସୁଦେବ ସୁନାନୀଙ୍କ ତାଜା ସଦ୍ୟ ପ୍ରକାଶିତ ଉପନ୍ୟାସ ବୋଧହୁଏ ପ୍ରଥମ ବିସ୍ତୃତ ଓଡ଼ିଆ ଉପନ୍ୟାସ ଯାହାକି ଦେଶର ରାଜଧାନୀ ଦିଲ୍ଲୀକୁ ନେଇ ।  କାହାଣୀରେ ଅନେକ ଏପରି ମର୍ମନ୍ତୁଦ ଘଟଣାବଳୀ ବର୍ଣ୍ଣିତ ହେଇଛି ଯାହାଦ୍ୱାରା ଯେ କୌଣସି ପାଠକ, ଯେତେ କଠିନ ହୃଦୟର ବ୍ୟକ୍ତି ହେଉନା କାହିଁକି, ସେ ଯେ ଦୁଃଖରେ ଅଭିଭୂତ ହେଇଯିବ ଏଥିରେ ସନ୍ଦେହ ନାହିଁ । ଏଠାରେ “ମଶାଣି ସହର ଦିଲ୍ଲୀ” ଉପନ୍ୟାସର ଏକ ସମୀକ୍ଷା ପ୍ରସ୍ତୁତ କରି ପାଠକ ମାନଙ୍କୁ ଉପନ୍ୟାସର ବିଷୟ ସହିତ ପରିଚିତ କରିବାପାଇଁ ପ୍ରୟାସ କରିଛନ୍ତି ସମୀକ୍ଷକ ସୁମନ୍ୟୁ ଶତପଥି । – ସମ୍ପାଦକ[/box]

Support Samadhwani

ପ୍ରଥମ ମହାଯୁଦ୍ଧର ସୁପ୍ରସିଦ୍ଧ ଇଂରାଜୀ କବି Wilfred Owen ବହୁ ଚର୍ଚ୍ଚିତ ଏକ ପଂକ୍ତିମାନେ ପଡ଼ୁଛି ଯାହା ମୋ ଭଙ୍ଗା ଓଡ଼ିଆ ଅନୁବାଦରେ ଏହିପରି ଶୁଣାଯିବ :

“ମୋ ବିଷୟବସ୍ତୁ ହେଲା ଯୁଦ୍ଧ, ଏବଂ ଯୁଦ୍ଧରେ ନିହିତ ଅନୁକମ୍ପା, ସେଇ ଅନୁକମ୍ପାରେ ହିଁ ଥାଏ କବିତା” କେହି କେହି ଦଳିତ ସାହିତ୍ୟିକ ଏହି କଥାକୁ ସାମାନ୍ୟ ବଦଳାଇ କହି ପାରନ୍ତି : “ମୋର ବିଷୟବସ୍ତୁ ହେଲା ଜାତିଗତ ବୈଷମ୍ୟତା, ତଦଜନିତ ଅନ୍ୟାୟ ଏବଂ ତା ବିରୁଦ୍ଧରେ ଉତ୍ତଳିତ ସ୍ୱର । ସେଇ ସ୍ୱର ହିଁ ପ୍ରକୃତ ସାହିତ୍ୟ, ଦଳିତ ସାହିତ୍ୟ” । ତେବେ, ମୋ ମତରେ, କୌଣସି ନାରୀ କବିକୁ ନାରୀ ସାହିତ୍ୟ ମଧ୍ୟରେ ଦଳିତ କବିତା ବା ଉପନ୍ୟାସକୁ କେବଳ ଦଳିତ ସାହିତ୍ୟ ହିସାବରେ, କିମ୍ବା ଏକ ଆଦିବାସୀ ଲେଖାକୁ ଆଦିବାସୀ ସାହିତ୍ୟ ଜଗତରେ ସୀମିତ ନ କରି ସମଗ୍ର ସାହିତ୍ୟ ଜଗତରେ ତାର ସ୍ଥାନ ନିରୂପଣ କରିବା ହେଉଛି ଜଣେ ବୁଦ୍ଧିମାନ ସମାଲୋଚକର କାର୍ୟ୍ୟ । ଏହା ଦ୍ୱାରା ସେ, ଲେଖକ ଓ ଲେଖା ତଥା ଭାବି ପାଠକ ଏ ସମସ୍ତଙ୍କ ପ୍ରତି ଗୋଟିଏ କିସମର ନୈତିକ ଦାୟିତ୍ୱ ତୁଲାଏ । ଏହା ସମ୍ପର୍କିତ ଆଉ ଗୋଟିଏ କଥା ହେଲା, ଏବେ ଦଳିତ ସାହିତ୍ୟ ଲେଖକ ମାନେ ପାରମ୍ପରିକ ସୌନ୍ଦର୍ୟ୍ୟ ଶାସ୍ତ୍ରର ଅନୁଯାୟୀ ତାଙ୍କ ସାହିତ୍ୟର ମୂଲ୍ୟାୟନ କରାନଯାଉ ବୋଲି କହୁଛନ୍ତି । ତା ବଦଳରେ ତାଙ୍କ ନିଜର ମାନଦଣ୍ଡ, ଅର୍ଥାତ ଦଳିତ ଏସଥେଟିକସ ବା ସୌନ୍ଦର୍ୟ୍ୟ ଶାସ୍ତ୍ରର ଅନୁସାରେ ବିଚାର କରିବା ଉଚିତ ବୋଲି କହନ୍ତି । ସେମାନଙ୍କ ପାଇଁ ବିରୋଧାଭାଷୀ ରାଜନୈତିକ ଅଭିବ୍ୟକ୍ତି ମଧ୍ୟରେ ହିଁ କାବ୍ୟିକ ସୌନ୍ଦର୍ୟ୍ୟ ନିହିତ । ମୋ ମତରେ, କିନ୍ତୁ, ବାସୁଦେବ ସୁନାନୀ ହୁଅନ୍ତୁ ବା ହୃଷିକେଶ ମଲ୍ଲିକ ହୁଅନ୍ତୁ, ଏମାନଙ୍କ କବିତା ଓ ଉପନ୍ୟାସ ଯେ କୌଣସି ଭାରତୀୟ ଭାଷା ସାହିତ୍ୟ ଜଗତରେ ଉଚ୍ଚକୋଟୀର ବୋଲି ବିବେଚିତ ହେବ, ଏଥିରେ ମୋର ସନ୍ଦେହ ନାହିଁ ।

କହିବା ବାହୁଲ୍ୟ, “ମଶାଣି ସହର ଦିଲ୍ଲୀ” ଉପନ୍ୟାସଟିର ଢାଞ୍ଚା ଦିଲ୍ଲୀ ଉପରେ ପର୍ୟ୍ୟାବେସିତ । ଯଦିଓ ଅନେକ ଓଡ଼ିଆ ଉପନ୍ୟାସର କିଛି କାଳ୍ପନିକ ଘଟଣା କଲିକତାରେ ଘଟିଛି ଓ କେତେକ କ୍ଷୁଦ୍ର ଗଳ୍ପ ମଧ୍ୟ ଦିଲ୍ଲୀ ମହାନଗରର ଜୀବନକୁ ଛୁଇଁଛି, ସୁନାନୀଙ୍କ ତାଜା ସଦ୍ୟ ପ୍ରକାଶିତ ଉପନ୍ୟାସ ବୋଧହୁଏ ପ୍ରଥମ ବିସ୍ତୃତ ଓଡ଼ିଆ ଉପନ୍ୟାସ ଯାହାକି ଦେଶର ରାଜଧାନୀ ଦିଲ୍ଲୀକୁ ନେଇ । ଦିଲ୍ଲୀକୁ ପୃଷ୍ଠଭୂମିରେ ରଖିଥିବା ଇଂରାଜୀ ଉପନ୍ୟାସ କଥା କହିଲେ ମନେ ପଡ଼େ ଅହମଦ ଅଲ୍ଲୀଙ୍କ Twilight in Delhi ଅନିତା ଦେଶାଇଙ୍କ Clear Light of Day ନୟନତରା ସାଇଗଲଙ୍କ Rich Like Us, ଖୁସ୍ୱନ୍ତ ସିଂଙ୍କ Delhi : A Novel ଇତ୍ୟାଦି । ଏଥି ମଧ୍ୟରୁ ଅଧିକାଂଶ ଉପନ୍ୟାସ ଗୁଡ଼ିକର ଚରିତ୍ରମାନେ ଉଚ୍ଚ ବା ଧନୀ, କେତେକ ସ୍ଥଳରେ କୁଖ୍ୟାତ ମାଫିଆ ସମାଜର, ଏଭଳି ଦୁନିଆର ଲୋକ ଯାହା ସଂଗେ ପାଠକ ନିଜକୁ ବା ନିଜ ଜୀବନର ଅଭିଜ୍ଞତାକୁ ସହଜରେ ଯୋଡ଼ି ପାରେ ନାହିଁ । ନିକଟ ଅତୀତରରେ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହୋଇଥିବା, ଅରବିନ୍ଦ ଆଦିଗାଙ୍କ White Tiger ର ଅନେକ କାଳ୍ପନିକ ଚରିତ୍ର ଓ ଘଟଣାମାନ ମଧ୍ୟ ଦିଲ୍ଲୀର । ଏହାର ମୁଖ୍ୟ ଓ ଅନ୍ୟାନ୍ୟ କିଛି ଚରିତ୍ର ଦରିଦ୍ର, ଜାତି ଓ ଶ୍ରେଣୀର, ଯେଉଁମାନେ କି ପେଟପାଟଣା ପାଇଁ ନିଜ ନିଜ ଗାଁରୁ ଦିଲ୍ଲୀ ଚାଲି ଆସିଛନ୍ତି । ସୁନାନୀଙ୍କ ଉପନ୍ୟାସରେ ମଧ୍ୟ ପ୍ରାୟ ସମସ୍ତ ଚରିତ୍ର ଆମ ଭଳି ପାଠକଙ୍କର ସାମାଜିକ ପରିସର ମଧ୍ୟରୁ ଆସିଛନ୍ତି, ଯେଉଁଥି ପାଇଁ ସେମାନେ ବେଶ ଚିହ୍ନା ଚିହ୍ନା ଲାଗନ୍ତି । ସୁନାନୀଙ୍କ ଦିଲ୍ଲୀ, ଉପନ୍ୟାସଟିର ଶିରୋନାମାକୁ ବେଖାତିର କରି, ନିର୍ଜୀବ ପାଷାଣ ସହର ଭାବରେ ଦେଖା ନ ଦେଇ, ଦେଖାଇ ଦିଏ ଏକ ଜୀବନ୍ତ ମୁଖ୍ୟ ଚରିତ୍ର ଭାବରେ । ଉପନ୍ୟାସର ବର୍ଣ୍ଣନା ଶୈଳୀ ଗୋଟିଏ ଦୃଷ୍ଟିରୁ ଅରବିନ୍ଦ ଆଦିଗାଙ୍କ ଉପନ୍ୟାସର ଶିଳ୍ପ କୌଶଳ ସାଙ୍ଗରେ ମିଶୁଛି । କାରଣ ଆଦିଗା ଗଳ୍ପର ମୁଖ୍ୟ ଘଟଣାମଳି ମୁଖ୍ୟ ଚରିତ୍ର ବଳରାମର ଇ-ମେଲ ଜରିଆରେ ଫ୍ଲାସବେକ ମାଧ୍ୟରେ ପାଠକମାନଙ୍କୁ ଯୋଗାଇଛନ୍ତି । ଆଲୋଚ୍ୟ ଉପନ୍ୟାସରେ ମଧ୍ୟ ଅନୁରାକ ଚରିତ୍ରଟି ଏକ ସୂତ୍ରଧରର ଭୂମିକା ନିଭାଉଛି ଓ ମୁଖ୍ୟ ଚରିତ୍ର, ରାମ ଦୁଲାଲସହିତ କଥୋପକଥନ ଜରିଆରେ ମୂଳ ଗଳ୍ପର ଖିଅକୁ ଆଗକୁ ବଢ଼ାଉଛି ଫ୍ଲାସବେକ ଟେକନିକ ମାଧ୍ୟମରେ । ଅନୁରାଗ ନିଜେ ଏକ ବର୍ଣ୍ଣନାକାରି ହୋଇଥିଲେ ମଧ୍ୟ ଉପନ୍ୟାସରେ ଏକ ବାହ୍ୟ ବର୍ଣ୍ଣନାକାରି ଦ୍ୱାରା ସଞ୍ଚାଳିତ ହେଉଛି ।

Support Samadhwani

ଅନୁରାଗ ନିଜର ଦାମିକା ନାଇକେ ଜୋତା ରିପେୟାର ପାଇଁ ଠିକ ଦୋକାନ ସନ୍ଧାନରେ ବାହାରିଛି ଓ ନିଜ ବାସସ୍ଥାନର ଅନତି ଦୂରରେ ମୋଚି କାମ କରୁଥିବା ରାମ ଦୁଲାଲ ସହିତ ପ୍ରଥମ ଭେଟୁଛି । ଦିଲ୍ଲୀର ଅଦେଖା, ଅଶୁଣା, କରୁଣ ବାସ୍ତବତା ସବୁର କାହାଣୀ ଦେଖୁଛି, ଶୁଣୁଛି । ତା ଜତିଆରେ ପାଠକ ଦିଲ୍ଲୀର ପ୍ରକୃତ ଶିରା ଓ ଧମନୀକୁ ସ୍ପର୍ଶ କରି ପାରୁଛି । ପାଠକକୁ ଲାଗୁଛି, ଘଟଣାଗୁଡ଼ିକ ସେ ଯେମିତି ନିଜେ ଅଙ୍ଗେ ଲିଭାଉଛି ବା ତାର ଆଖି ଆଗରେ ଘଟଣା ମାନ ଘଟି ଯାଉଛି ।

ହଁ, ଉତ୍ତର ପ୍ରଦେଶର ରାଇବରେଲୀ ପାଖ ଗାଁରୁ ଜୀବନର ବିଭିନ୍ନ ମୋଡ଼ରେ ଧକ୍କା ଖାଇ ରାମ ଦୁଲାଲ ଶେଷରେ ଦିଲ୍ଲୀ ପହଂଚି ନିଜର ଜୀବନ କିପରି ବିତାଉଛି ସେ ସବୁର ଅନ୍ତରଙ୍ଗ କାହାଣୀ ଶୁଣାଇଛି । ସେଇ କାହାଣୀ ଆରମ୍ଭ ହୁଏ ତାର ସବୁଠାରୁ ପୁରୁଣା ସ୍ମୃତିରୁ, ମନେ ଥିବା ପିଲା ବେଳର ଅଭିଜ୍ଞତା ଓ ଘଟଣାବଳିରୁ ଯେବେଠାରୁ ସେ ଦେଖି, ବୁଝିବା ସକ୍ଷମ ହେଇଛି । ପ୍ରଧାନ ଗଳ୍ପର ଅଙ୍କା ବଙ୍କା ଧାରା ଯଦିଓ ରାମ ଦୁଲାଲର, ସେଥିରେ ଅନେକ ଉପକାହାଣୀ ମଧ୍ୟ ରହିଛି । ଛୋଟ ବଡ଼ ଚରିତ୍ରମାନଙ୍କ ଜୀବନ ସହିତ ଅନୁରାଗର ପରିଚୟ ହୁଏ, ଓ ସେମାନଙ୍କ ନିଜର ଗୋଟିଏ ଗୋଟିଏ ଛୋଟ କାହାଣୀ ରହିଛି, ଯାହା ରାମ ଦୁଲାଲର ଜୀବନକୁ ଛୁଇଁଛି ଅଥବା ସମାନ୍ତରାଳ ଭାବରେ କିଛି ବାଟ ଯାଇ ଉଭେଇ ଯାଉଛି । ଯେମିତି ପକେଟ-ମାର କରିମ ଖାଁ ଓ ଅବବାଜାନ, ଯାହାଙ୍କ ସମ୍ପର୍କରେ ସିଏ ଆସିଛି । ଅପର ପକ୍ଷରେ ଆମେ ଦେଖୁ ସ୍ତ୍ରୀଲୋକଟିଏ ଯିଏ ଖୁଜୁରା ଦେହ ବ୍ୟବସାୟ କରି ପେଟ ପୋଶୁଛି । ରାତି ଅଧରେ ଅନ୍ଧାରିଆ ଝାଡ଼ି ଭିତରକୁ ଦୁଇଟି ପୁରୁଷ ସହିତ ସିଏ ଯାଉଛି ଏବଂ ସେମାନଙ୍କ ସହିତ ନିର୍ଲଜ ଭାବେ ଯୌନ ସମ୍ଭୋଗ ଜନିତ କଥାବାର୍ତ୍ତା ଓ ପରେ ଗାଳି ଗୁଲଜ କରୁଛି । ଏହା ମାତ୍ର ଗୋଟିଏ କ୍ଷଣିକର ଦୃଶ୍ୟ ବା ଦୃଶ୍ୟ ପ୍ରତିମା ଯାହାର ରାମ ଦୁଲାଲ ସହ କୌଣସି ସମ୍ପର୍କ ନାହିଁ ।

ତାର ନିଜ କାହାଣୀରେ ଅନେକ ଏପରି ମର୍ମନ୍ତୁତ ଘଟଣାବଳୀ ବର୍ଣ୍ଣିତ ହେଇଛି ଯାହାଦ୍ୱାରା ଯେ କୌଣସି ପାଠକ, ଯେତେ କଠିନ ହୃଦୟର ବ୍ୟକ୍ତି ହେଉନା କାହିଁକି, ସେ ଯେ ଦୁଃଖରେ ଅଭିଭୂତ ହେଇଯିବ ଏଥିରେ ସନ୍ଦେହ ନାହିଁ । ତା ସଂଗେ ସଂଗେ ବିଭିନ୍ନ ଘଟଣା କ୍ରମରେ ଏମିତି ହୃଦୟ ସ୍ପର୍ଶୀ, ମନ ଛୁଆଁ ଅନେକ ଅନ୍ତରଙ୍ଗ ତଥା କାବ୍ୟିକ ମୁହୂର୍ତ୍ତ ସାମନାକୁ ଆସେ ଯାହା ପାଠକର ମନକୁ ମୋହି ନିଏ । ବିଶେଷ ଭାବରେ ସ୍ମରଣୀୟ ଛବିଲି ଓ ଯୁବ ଦୁଲାଲଙ୍କ ପ୍ରେମ ମୁହୂର୍ତ୍ତମାନ । ଏସବୁ ପାଠକୀୟ ଅନୁଭୂତି ସମ୍ଭବ ହେବାର ପ୍ରଧାନ କାରଣ ଅନୁରାଗ, ଯିଏକି ଏକ ସମ୍ବେଦନଶୀଳ ଚରିତ୍ର ଏବଂ ଯାହା ଜରିଆରେ ଗଳ୍ପର ଅବତାରଣା ହେଉଛି । ନିଜ ନାମରେ ପ୍ରତିପାଦ କଲାଭଳି ସିଏ ରାମ ଦୁଲାଲର ପ୍ରତ୍ୟେକ ଦୁଃଖ ଓ ଖୁସିର ମୁହୂର୍ତ୍ତମାନଙ୍କୁ ନିଜ ହୃଦୟରେ ଅନୁଭବ କରୁଛି । ଏଥି ସହିତ ସୁନାନୀଙ୍କ ବର୍ଣ୍ଣନା ଚାତୁରୀ ଏମିତି ଯେ ପାଠକକୁ ଲାଗେ ସତେ ଯେପରି ସିଏ ନିଜେ ଏ ସବୁର ପ୍ରତ୍ୟକ୍ଷଦର୍ଶୀ ବା ନିଜେ ଅଙ୍ଗେ ନିଭାଉଛି ।

ରାମ ଦୁଲାଳର ବାପା ଓ ଦାଦା ହାଡ଼ି ଜାତିର ଥିଲେ ଓ ଦାରିଦ୍ର୍ୟର ଚରମ ସୀମାରେ ନିଷ୍ପେସିତ ହେଇଥିଲେ ମଧ୍ୟ ନିଜର ଆତ୍ମ ସମ୍ମାନ ବଜାୟ ରଖିଥିଲେ । କିନ୍ତୁ ଶେଷରେ ଶତଚେଷ୍ଟା ସତ୍ତ୍ୱେ ଗାଁ ଲୋକଙ୍କ ଅପ୍ରତ୍ୟାଶିତ ଓ ଉନ୍ମତ୍ତ କ୍ରୋଧର ଶିକାର ହେଲେ ତାର ବାପା ଓ ତାଙ୍କର ସର୍ବସ୍ୱ ବଳଦ । ପଞ୍ଚଷଠି ବର୍ଷର ବୃଦ୍ଧ ରାମ ଦୁଲାଲ ଏବେ ଅଶ୍ରୁଳ ଚକ୍ଷୁରେ ମନେ ପକାଉଛି ସେ ଅର୍ଦ୍ଧଶତାବ୍ଦୀ ତଳର ଦିନ : “ମା ପାଇଁ ଆଉ ମୋ ପାଇଁ କେହିବି କମ ନ ଥିଲେ, ନା ବଳଦ ନା ବାପା” । ଦୁଃଖ ସହି ନ ପାରି ତାର ମା ମଧ୍ୟ ଅଳ୍ପ ଦିନ ମଧ୍ୟରେ ମୃତ୍ୟୁବରଣ କଲେ । ସବୁକିଛି ହରାଇ, ମା ବାପା-ଛେଉଣ୍ଡ ନାବାଳକ ରାମ ଦୁଲାଲ ପ୍ରଥମେ ମାମୁ ମାଇଁ ଘରେ ରହିଲା, ପରେ ନିଜ ଗୋଡ଼ରେ ଠିଆ ହେବା ପାଇଁ ଚେଷ୍ଟା କରିଛି ଓ ମନୁଷ୍ୟ ସମାଜର ବ୍ୟଭିଚାର, ଅମାନୁଷିକତା, ନୃଶଂସତା ବେଶୀ ଓ ଅଳ୍ପ କିଛି ସ୍ନେହ ସହାନୁଭୂତିର ଅଭିଜ୍ଞତା ଜୁଟାଇ ଯୁବାବସ୍ଥାରେ ଦିଲ୍ଲୀ ପଳାଇ ଆସିଛି । ବାହ୍ୟ ବର୍ଣ୍ଣନାକାରି ଅନୁରାଗ ସାହାଯ୍ୟରେ ଦିଲ୍ଲୀର ଚରିତ୍ର ଚିତ୍ରଣ କରିବାକୁ ଚେଷ୍ଟା କରିଛନ୍ତି ଓ ପରୋକ୍ଷରେ ଗୋଟ ଗାଁ ଓ ପ୍ରକାଣ୍ଡ ମହାନଗର ଦିଲ୍ଲୀ ମଧ୍ୟରେ ତୁଳନା ଓ ବିରୋଧାଭାସର କିଛି ଚିତ୍ର ଦେଇଛନ୍ତି ।

ବର୍ଣ୍ଣନାକାରୀ ଅନେକ ସମୟରେ ଦିଲ୍ଲୀ ଉପରେ କଟୁ ମନ୍ତବ୍ୟ ଦେଇଛନ୍ତ ସତ, କିନ୍ତୁ ଗଳ୍ପର ଅନେକ ମୋଡ଼ରେ ରାମ ଦୁଲାଲ ଦିଲ୍ଲୀର ବିଭିନ୍ନ ଚରିତ୍ର ମାନଙ୍କଠାରୁ ସ୍ନେହ ସହାନୁଭୂତ ପାଇଛି, ଯଦିଓ ଅନେକଚରିତ୍ର ଯୌନ ଶୋଷଣ କରିବା କଥା ମଧ୍ୟ ବର୍ଣ୍ଣିତ ହେଇଛି ।

ରାମ ଦୁଲାଲ ନିଜ ମାମୁ ଘରେ କମାତୁର ମାଇଁର ଚରିତ୍ର ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିବା ସଂଗେ ସଂଗେ ତାଙ୍କ ପ୍ରତି ମାମୁ ଓ ତାଙ୍କ ମା’ କିପରି ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି କାରଣ ସିଏ ତିନୋଟି ଝିଅର ମା’ହେଇଥିବା ସତ୍ତ୍ୱେ ପୁତ୍ର ସନ୍ତାନର ମା’ ହେଇ ପାରି ନାହାନ୍ତି । ସହରରେ ନିଜ ଦେହ ବିକ୍ରି କରି ପେଟ ପୋଷିବା ମହିଳାଙ୍କ ଉପରେ ମଧ୍ୟ ସେମିତି କିଛି ନୈତିକ ମୂଲ୍ୟାୟନ କରିବାରୁ କ୍ଷାନ୍ତ ରହିଛନ୍ତି । ଏଭଳି ଅନେକ ଚରିତ୍ରକୁ ବିଭିନ୍ନ ଦିଗରୁ ଚିତ୍ରଣ କରି ବର୍ଣ୍ଣନାକରି ଏହା ଇଙ୍ଗିତ କରିଛନ୍ତି ଯେ ଭୁଲ କରେ ସେ ମଣିଷ ବା ଭୁଲ କରିବା ହିଁ ମଣିଷ ପଣିଆ । ଏହାର ଶ୍ରେଷ୍ଠ ମୁହୂର୍ତ୍ତ ଆସେ ଯେତେବେଳେ ରାମ ଦୁଲାଲର ଛବିଲି ପ୍ରତି ଆକୃଷ୍ଟ ହୁଏ ଏବଂ ତାକୁ ବିବାହ କରେ କିନ୍ତୁ ଛବିଲି ମହା ଦ୍ୱନ୍ଦରେ ପଡ଼େ ଯିଏ ସିଏ ତାର ଅତୀତ କଥା କହିବ ନା ନାହିଁ । ସେ କେବଳ କାନ୍ଦେ । ରାମ ଦୁଲାଲ ନିଜେ ନ ଜାଣିଥିଲେ ମଧ୍ୟ ସେଇ ସମୟରେ ପାଠକ ହୃଦୟଙ୍ଗମ କରେ ଛବିଲିର ନୈତିକ ଦ୍ୱିବିଧା । ପାଠକ ସେ ସବୁ ଭୁଲି ଯାଇ, ସେ ଦୁହିଁଙ୍କ ବିରଳ ମୁହୂର୍ତ୍ତର ଜୟଗାନ କରେ ।

ଉପନ୍ୟାସଟିର ବିଶେଷତ୍ୱ ଅନେକ । କିନ୍ତୁ ମୁଁ ସେ ଭିତରୁ ଦୁଇଟି କଥା ସଂକ୍ଷିପ୍ତରେ ଆଲୋଚନ କରି ମୋର ବକ୍ତବ୍ୟ ଶେଷ କରିବି । ପ୍ରଥମ କଥା ହେଲା, ତଥାକଥିତ ଉଚ୍ଚ-ନୀଚ, ଜାତି ବା ସମାଜ ଶ୍ରେଣୀ ହେଉ, ପୃଥକ ଆର୍ଥିକ ବା ନୈତିକ ଦୃଷ୍ଟିକୋଣ ହେଉ, ପାଠୁଆ କିମ୍ବା ଅପାଠୁଆ ହେଉ । ପ୍ରତ୍ୟେକ କ୍ଷେତ୍ରରେ ଔପନ୍ୟାସିକ ଦୃଷ୍ଟିକୋଣର ନିରପେକ୍ଷତା ବା ଭାର-ସନ୍ତୁଳନ ବଜାୟ ରଖିବାପାଇଁ ଯଥାସମ୍ଭବ ଚେଷ୍ଟା କରିଛନ୍ତି, ସୂକ୍ଷ୍ମ-ପ୍ରଚ୍ଛନ୍ନତା ସହିତ । ଏପରି ପରୋକ୍ଷ ଦୃଷ୍ଟିକୋଣ ବର୍ଣ୍ଣନାକାରୀର ଦୃଷ୍ଟିକୋଣ ନା ବାହ୍ୟ ବର୍ଣ୍ଣନାକାରୀର, ନା ଅନୁରାଗର ନା ସୁନାନୀଙ୍କ? ଯଦିଓ ବେଳେ ବେଳେ ଲାଗେ ଯେ ଅନୁରାଗ ହେଲା ସୁନାନୀଙ୍କ alter-ego ବା ଆତ୍ମସ୍ୱରୂପ । ଉଦାହରଣ : କେତେବେଳେ ଗ୍ରାମ୍ୟ ପରିବେଶର କିଏ ପ୍ରସଂଶା କରୁଛି, ନିଜ ଗାଁ କୁ କିଏ ଝୁରି ହେଉଛି । ପୁଣି ସେଇ ଗାଁ ବିଷୟରେ ରାମ ଦୁଲାଲ କହୁଛି : “ମୁଁ ଯେଉଁଠି ଜନ୍ମ ହେଇଥିଲି ସେହି ଭଲପାଇବା ଏବଂ ସମ୍ପର୍କଟିଏ ମିଳିପାରିଲାନି ବୋଲି ଆଜି ଏଇଟି ବସିଛି । (ପୃ-୨୬) ଅନ୍ୟତ୍ର ଦିଲ୍ଲୀ ବିଷୟରେ ରାମ ଦୁଲାଲର ମନ୍ତବ୍ୟ ଶୁଣନ୍ତୁ : “ଏଇଠି ଦେଖନ୍ତୁ, ନା ମୋତେ କେହି ଜାତି ପଚାରୁଛନ୍ତି, ନା ମୋତେ କେହି ଘୃଣା କରୁଛନ୍ତି । ମୋର (ମୋଚି) ବ୍ୟବସାୟକୁ ନେଇ କେହି ନାକ ଟେକୁ ନାହାନ୍ତି” (ପୃଷ୍ଠା-୫୩) ଉପନ୍ୟାସର ଅନେକ ସ୍ଥାନରେ ବର୍ଣ୍ଣନାକାରୀ କହୁଛନ୍ତି, ଦିଲ୍ଲୀରେ କେହି କାହା କଥା ଶୁଣନ୍ତି ନାହିଁ ବା ଶୁଣିବାକୁ କାହାରି ସମୟ ନାହିଁ । ପୁଣି ଅନ୍ୟ କେଉଁଠି କୁହା ହେଉଛି, “ଦିଲ୍ଲୀ ଗୋଟିଏ ଏମିତି ଜାଗା, ସିଏ ସବୁ ପ୍ରକାର ଲୋକକୁ କୋଳ ଦେଇଛି” (ପୃ-୧୦୩) । ଧର୍ମ ବିଷୟରେ ଅନୁରୂପ ବିରୋଧାଭାସ ରହିଛି । ଅନୁରାଗ ସତ ଚେଷ୍ଟା କଲେ ମଧ୍ୟ ରାମ ଦୁଲାଲର ଭଗବାନ ବିଶ୍ୱାସରେ ଆଞ୍ଚ ଆଣି ପାରୁନି । ବେଳେ ବେଳେ ଲାଗେ ରାମ ଦୁଲାଲ ଉଦ୍ଦେଶ୍ୟରେ ଅନୁରାଗର ନୀତିଶିକ୍ଷା ପାଠକର ଧର୍ୟ୍ୟ ଚ୍ୟୁତ ଘଟାଇପାରେ । ସେ ପଚାରି ପାରେ, ରାମ ଦୁଲାଲ ତ’ ନିଜ ଭଗବତ ବିଶ୍ୱାସ ନେଇ ଖୁସିରେ ଅଛି, ଅନୁରାଗର କାହିଁକି ତା ଭିତରେ ବିଦ୍ରୋହୀ ମନୋଭାବ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି? ତା’ ଛଡ଼ା, ଅନୁରାଗର ଶିକ୍ଷା, ପୁଞ୍ଜିବାଦ ଓ ବିଜ୍ଞାନ ଉପରେ ଅଗାଧ ବିଶ୍ୱାସ ଗୋଟିଏ ଗୋଟିଏ ଅନ୍ଧ ବିଶ୍ୱାସ ଠାରୁ କମ ନାହିଁ । ତାକୁ କିଏ ବା କହିବ ଯେ ବହୁ ଉଚ୍ଚ ଶିକ୍ଷିତ ଲୋକେ ବର୍ଣ୍ଣ ବିଭେଦ ଜନିତ ଫାସିବାଦର ପୁଷ୍ଟପୋଷକ ଥିଲେ । ଏବେ ମଧ୍ୟ ଉଚ୍ଚଶିକ୍ଷିତ ହିନ୍ଦୁ, ବୁଦ୍ଧ, ମୁସଲମାନ ଓ ଖ୍ରୀଷ୍ଟିଆନ ଧର୍ମ ନାମରେ ରକ୍ତପାତ କରିବାକୁ ପଛାଉ ନାହାନ୍ତି । ଅବଶ୍ୟ ଉପନ୍ୟାସ ଶେଷ ହେଲା ବେଳକୁ ଏ ପ୍ରକାର କଥା ତାର ହୃଦୟଙ୍ଗମ ହେଇସାରିଥିଲା ପରି ମନେ ହଉଛି ।

ଉପନ୍ୟାସର ଦ୍ୱିତୀୟ ବିଶେଷତ୍ୱ ହେଲା ମହାନଗରର ଅରକ୍ଷିତ ବା ଗରିବ ଶ୍ରେଣୀର ପିଲା ବା ପୁରୁଷ ବା ସ୍ତ୍ରୀ ଲୋକର ବର୍ଣ୍ଣନା ଲଣ୍ଡନକୁ ନେଇ ଡିକେନ୍ସଙ୍କ ଉପନ୍ୟାସ ଗୁଡ଼ିକରେ କେତେକ ଘଟଣା ଓ ଚରିତ୍ର ତୁଳନାରେ କିଛି କମ ନୁହେଁ । ଯେମିତି କରିମ ଓ ଆବାଜାନର ଚରିତ୍ର ମନେ ପକେଇ ଦିଏ Dickensଙ୍କ Oliver Twist ଉପନ୍ୟାସର ପକେଟମାର, Jack (Artful Dodger) ଓ ପ୍ରୌଢ଼ ଅପରାଧୀ Fagin କଥା ।

ଶେଷରେ ଉପନ୍ୟାସରେ ସୁନାନୀଙ୍କ ଭାଷା ପ୍ରୟୋଗ ଯୁବ ପିଢ଼ିର ଲେଖକଙ୍କୁ ଏକ ନୂଆ ବାଟ ଦେଖାଇଛନ୍ତି ବୋଲି କହିବି । ଚରିତ୍ର ଓ ଘଟଣା ସବୁ ଯେମିତି ବାସ୍ତବବାଦୀ, ଭାଷା ମଧ୍ୟ ଅନୁରୂପ । ସାଧାରଣତଃ ଦେଖାଯାଏ, ଓଡ଼ିଆ ଗଳ୍ପ ବା ଉପନ୍ୟାସର ଭାଷା ଏବଂ ବାର୍ତ୍ତା ଭଦ୍ରଲୋକଙ୍କ ଭାଷା । ପଢ଼ିଲେ ଲାଗେ ଓଡ଼ିଆ ଚରିତ୍ର ମାନଙ୍କ ଭଳି ଭଦ୍ରଲୋକ ଓ ଭ୍ରଦ ମହିଳା ପୃଥିବୀରେ କେହି ନାହାନ୍ତି । ସେମାନଙ୍କ ମୁହଁରୁ କେବେ ଅଭଦ୍ର ଭାଷା ବାହାରେ ନାହିଁ, ଇଂରାଜୀରେ ଯାହାକୁ ଜେଣ୍ଟିଲ ପରମ୍ପରା ବା ଭଦ୍ରଲୋକ ସଂସ୍କୃତି କୁହାଯାଏ । ଦଳିତ ଲେଖକମାନେ ଏଇ ଭଦ୍ରଲୋକୀ ପରମ୍ପରାରେ ବିଶ୍ୱାସ କରନ୍ତି ନାହିଁ । ନାମଦେଓ ଧାସାଲଙ୍କ ପରି ଅନେକ ଲେଖକଙ୍କ କବିତାର ଭାଷା ଦେଖନ୍ତୁ । ଏପରିକି ଅଣ-ଦଳିତ କବି, ଅରୁଣ କୋଲାତ୍କାରଙ୍କ ମରାଠୀ କବିତା ଦେଖନ୍ତୁ, କଞ୍ଚା ଭାଷା କହିବାରେ ସେମାନେ ପଛାନ୍ତି ନାହିଁ । ଉପନ୍ୟାସଟି ଯେଉଁ ସମାଜର ଲୋକଙ୍କ କଥା ବର୍ଣ୍ଣନା କରୁଛି, ସେଠାକାର ଚରିତ୍ର ମାନେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ମେମ୍ବର ନୁହନ୍ତି । ହେଇଥିଲେ ମଧ୍ୟ ନିଜ ଶୟନ କକ୍ଷର ଅନ୍ଧକାରରେ ସେମାନେ ପ୍ରେମାଳାପ କଲାବେଳେ ଅବଶ୍ୟ ଭଦ୍ର ଭାଷାରେ କରୁ ନଥିବେ । ଊନବିଂଶ ଶତାବ୍ଦୀରେ ଉପେନ୍ଦ୍ର ଭଜ୍ଞଙ୍କୁ ନେଇ ଯେଉଁ ଶ୍ଳୀଳ-ଅଶ୍ଳୀଳ କନ୍ଦଳ ହୋଇଥିଲା, ତାର ଫଳ ଆମେ ଏବେ ବି ଭୋଗୁଛୁ । ସୁନାନୀଙ୍କ ଭାଷା ସେଇ ଦୃଷ୍ଟିରୁ ଅଭିନନ୍ଦନୀୟ ବ୍ୟତିକ୍ରମ । “ମଶାଣି ସହର ଦିଲ୍ଲୀ’ର ଦେହ ବିକୁଥିବା ସ୍ତ୍ରୀର ଚରିତ୍ର ବା ରାଇବରେଲୀ ଗାଁର ଚରିତ୍ର ବା ପକେଟମାର ଯେମିତି ଭାଷା କହିବ ସୁନାନୀ ସେପରି ବାସ୍ତବ ଧର୍ମୀ ବାର୍ତ୍ତାଳାପ ସେମାନଙ୍କ ମୁହଁରେ ଦେଇଛନ୍ତି । ଭଦ୍ର ପାଠକ-ପାଠିକା ହୁଏତ ଲାଜ ଭୟରେ ମର୍ମାହତ ହେଇ ପାରନ୍ତି ।

ଆଶା ଉପନ୍ୟାସଟି ଆଦୃତ ହେବ ।

  • ସୁମନ୍ୟୁ ଶତପଥି

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Cultural Researcher and Samadhwani Cultural Magazine (Print and Digital) Editor. She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people. She founded "The Samadhwani Cultural Organization" and "The Samadhwani Centre for Cultural Research" with the help of some like-minded culture loving people.