ଯାହାଙ୍କ ଲେଖନୀରେ ବିସ୍ଥାପନ ଓ ସମନ୍ଵୟ ସଂସ୍କୃତିର ଚିତ୍ର ସଦା ଜୀବନ୍ତ ହସନ କାକାଙ୍କୁ ମୁଁ ଯେତିକି ଜାଣେ

ଗାର୍ଗୀ ଶତପଥୀ
ଗାର୍ଗୀ ଶତପଥୀ 422 Views
6 Min Read

କେବେ ପ୍ରଥମ କରି ତୁମକୁ ଦେଖିଲି କାକା। କାଇଁ ବିଲକୁଲତ ମନେ ପଡ଼ୁନି। ତୁମେ ଯଦି ଏମିତି ଅସମୟରେ ଚାଲି ଯାଇ ନଥାଆନ୍ତ ଏ କଥା ଭାବିବାର ଆବଶ୍ୟକତା ମଧ୍ୟ ପଡ଼ିନଥାଆନ୍ତା। ଗତ ଶନିବାର ଶିବ ଦାଦାଙ୍କ ଠାରୁ ତୁମ ଦେହାନ୍ତ ଖବର ଶୁଣିଲି। ସମ୍ବଲପୁରରେ ଥିଲେ ତୁରନ୍ତ ଦୌଡ଼ି ଯାଇଥାଆନ୍ତି ଡାକ୍ତରଖାନା, ଘର ହୋଇ ତୁମକୁ ବିଦାୟ ଦେଇ ଥାଆନ୍ତି। ତୁମ ବିଷୟରେ ଆଲୋଚନା କରି ଲୁହ ଗଡ଼େଇ ଟିକେ ହାଲୁକା ଅନୁଭବ କରି ଥାଆନ୍ତି। କିନ୍ତୁ ମୁଁ ଭୁବନେଶ୍ୱରରେ ରହିଗଲି ସିନା କିନ୍ତୁ କିଛି ସମୟ ପାଇଁ ଅଣନିଶ୍ୱାସୀ ଏବଂ ଅସହାୟ ଅନୁଭବ ହେଉଥିଲା।  ସେହି ଅବସରରେହିଁ ନିଜ ଭିତରେ ଆଲୋଚନା କରିଛି ହସନ କାକାଙ୍କୁ ମୁଁ କେମିତି ଜାଣେ। ମନେ ପଡ଼ୁଥିଲା ବାପାଙ୍କ ମୁହଁରୁ ତୁମର ସାଧକ ହେବାର ଚିତ୍ର। ସବୁ ପ୍ରକାର ପ୍ରତିକୂଳ ସ୍ଥିତି ଅର୍ଥାତ ସାମାଜିକ, ପାରିବାରିକ ଏବଂ ଆର୍ଥିକ ସମସ୍ୟା ସତ୍ତ୍ଵେ ସେ ଯେ କେତେ ବିଦ୍ୱାନ ସାହିତ୍ୟିକ ହୋଇ ଅନବରତ ଲେଖି ଚାଲୁଥିଲେ ଛୋଟ ବେଳେ କେତେ ଯେ ଥର ଆମ ଦୁଇ ଭଉଣୀଙ୍କୁ କହିଥିବେ ତାର ଠିକଣା ନୁହେଁ। ଏହି ସମୟରେ ସ୍ବାଭାବିକ ଭାବରେ ବାପାଙ୍କ ଜରିଆରେ ତୁମେ ମୋର କାକା ହେଲ। କିନ୍ତୁ ମୁଁ ସାମ୍ବାଦିକ କୁମାର ହସନଙ୍କୁ ଚିହ୍ନିଲି ସମାଜରେ ପ୍ରକାଶିତ ହୀରାକୁଦ ଜଳଭଣ୍ଡାର ଏବଂ ସମ୍ବଲପୁର ସ୍ବାଧୀନତା ସଂଗ୍ରାମ ଇତିହାସକୁ ନେଇ ଧାରାବାହିକ ଆଲେଖ୍ୟ ଜରିଆରେ। ବିସ୍ଥାପନ କେବଳ ସ୍ଥାନାନ୍ତରଣ ନୁହେଁ। ଏହା କେବଳ ଆର୍ଥିକ କ୍ଷତିପୂରଣ ସହିତ ଯୋଡ଼ି ହୋଇ ନାହିଁ ବରଂ ତାର ସାମାଜିକ, ସାଂସ୍କୃତିକ, ମନସ୍ତାତ୍ବିକ ସହିତ ଅନେକ ଦିଗ ରହିଛି। ଏପରିକି ଯେଉଁ ପ୍ରକଳ୍ପ ଯୋଗୁଁ ଏତେ ଜମି ବୁଡ଼ିଲା ଲୋକେ ଭିଟାମାଟି ହରାଇଲେ ସେ ତାର ଉଦେଶ୍ୟ ପୂରଣର ସମୀକ୍ଷା ମଧ୍ୟ ଏହି ଦିଗର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଯାହା ହସନ କାକାଙ୍କ ରିପୋର୍ଟରେ ବାରମ୍ବାର ଦେଖିଛି। ସେତ ଶେଷ ପର୍ଯ୍ୟନ୍ତ ବୁଡ଼ି ଅଞ୍ଚଳର ନିଜ ଭାଟିମାଟିକୁ ଝୁରୁଥିଲେ ତାଙ୍କର ପ୍ରତ୍ୟେକ ଘନିଷ୍ଠ ଏହା ଅନୁଭବ କରିଛନ୍ତି। କିନ୍ତୁ ସାମ୍ବାଦିକ ଏବଂ ଲେଖକ ଭାବରେ ବିସ୍ଥାପନର ଯନ୍ତ୍ରଣା ଅନୁଭବ ଜୀବନ ତମାମ ବିଭିନ୍ନ ରିପୋର୍ଟ, ପ୍ରବନ୍ଧ ଏବଂ ଶେଷରେ ତାଙ୍କ ଶେଷ ପୁସ୍ତକ ବୁଡ଼ି ଅଞ୍ଚଳ ବହି ଜରିଆରେ ଲେଖିଛନ୍ତି। କେବଳ ହୀରାକୁଦ ନୁହେଁ ଇବ୍ ଥର୍ମାଲ ପାୱାର ପ୍ଲାଣ୍ଟ, ଏମସିଏଲ, ରେଙ୍ଗାଲି ସ୍ଥିତ ଭୂଷଣ ଷ୍ଟିଲ ସମେତ ବିଭିନ୍ନ କାରଖାନା, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବିସ୍ଥାପନ, ପୁନର୍ବାସ ଏବଂ ପ୍ରଦୂଷଣର ସ୍ଥିତି ତାଙ୍କ ରିପୋର୍ଟରେ ଜୀବନ୍ତ ହୋଇଛି। କାଶୀପୁର, ନିୟମଗିରି ସମେତ ଦେଶର ଯେଉଁଠି ଭିଟାମାଟି ଲଢେଇ ଚାଲିଥିଲା ହସନ କାକା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସଂଶ୍ଳିଷ୍ଟ ହୋଇଛନ୍ତି। ଖବରକାଗଜରେ ଏହାର ପ୍ରକାଶନର ସହଯୋଗ କରିଛନ୍ତି। କିଛି ହୋଇ ନପାରିଲେ କବିତା ଟିଏ ଲେଖି ମନସ୍ତାତ୍ବିକ ଭାବରେ ନିଜକୁ ଯୋଡ଼ିଛନ୍ତି। ସମ୍ବଲପୁରରେ କାର୍ଯ୍ୟରତ ଥିବା ବେଳେ ବାରମ୍ବାର ଅନୁଭବ କରିଛି ସେଠି ଗଣମାଧ୍ୟମ ପ୍ରତିନିଧି ବିସ୍ଥାପନକୁ ଯେତେ ଗୁରୁତ୍ବ ଦେଇ ଲେଖନ୍ତି ଭୁବନେଶ୍ବରରେ ଏହାର ଅଭାବବୋଧ ରହିଛି। ଯେଉଁ ଯୁବ ସାମ୍ବାଦିକ, ଗବେଷକ ଏବଂ ଲେଖକମାନେ ବିସ୍ଥାପନକୁ ନେଇ ଲେଖିବାକୁ ଆଗ୍ରହୀ ସେମାନେ କୁମାର ହସନଙ୍କ ବୁଡ଼ି ଅଞ୍ଚଳ ବହି ସହିତ ତାଙ୍କ ଲିଖିତ ବିସ୍ଥାପନ ସମ୍ପର୍କୀତ ରିପୋର୍ଟ ପଢିବା ଉଚିତ। ବୁଡ଼ି ଅଞ୍ଚଳ ଲେଖିବା ପୂର୍ବରୁ ସେ ଯେ କେତେ ଥର କହିଥିବେ ମୋ ଭିଟାମାଟି ପ୍ରତି ମୋର ଋଣ ରହିଛି, ତାକୁ ନେଇ ନ ଲେଖିବା ପର୍ଯ୍ୟନ୍ତ ଶାନ୍ତି ନାହିଁ। ବିସ୍ଥାପନ ଏବଂ ଭିଟାମାଟିକୁ ନେଇ ହସନ କାକାଙ୍କ ପ୍ରତିଟି ଲେଖା ପଛରେ ମହାନ ଉଦେଶ୍ୟ ରଖି ଲେଖି ଆସିଛନ୍ତି। ସେ କେବଳ ଉପର ଠାଉରିଆ ଲେଖନ୍ତି ନାହିଁ ଲେଖୁଥିବା ପ୍ରସଙ୍ଗ ନେଇ ଗବେଷଣା କରି ଲେଖନ୍ତି। ପୀଡ଼ିତ ଏବଂ ସେହି ପ୍ରସଙ୍ଗ ନେଇ କେହି ବି ଯଦି ଅଳ୍ପ କାର୍ଯ୍ୟ କରିଛି ତା ସହିତ ଆଲୋଚନା କରନ୍ତି। ମାନବାଧର୍ମୀ ପ୍ରତ୍ୟେକ ପ୍ରସଙ୍ଗକୁ ହସନ କାକାଙ୍କ କଲମ ଶାଣିତ କିନ୍ତୁ ସାମ୍ପ୍ରଦାୟିକ ସଦଭାବନା ନେଇ ତାଙ୍କ ପାଖରେ ଯେତେ ତଥ୍ୟ ରହିଥିଲା ଏବଂ ଯେଉଁ ଲେଖାସବୁ ଲେଖିଛନ୍ତି ସେଥିରୁ ଓଡ଼ିଶାର ନୂତନ ଚିତ୍ର ଦେଖିବାକୁ ମିଳେ। ହିନ୍ଦୁ-ମୁସଲମାନ ସମନ୍ଵୟ ସଂସ୍କୃତିର ଉଦାହରଣ ସବୁ ବେଳେ ତାଙ୍କ କଣ୍ଠସ୍ଥ। ଏଥି ସମ୍ପର୍କୀତ ଆଲୋଚନା ବେଳେ ଗୋଟିଏ ପରେ ଗୋଟିଏ ଉଦାହରଣ ଏଭଳି ଦେଇ ଚାଲୁଥିଲେ ଯେ ତାଜୁବ ହେବାକୁ ପଡ଼େ। ସଂଯୋଗ ବସତଃ ମୋର ଦୁଇଟି ଲେଖା ସର୍ବପ୍ରଥମେ ଏବଂ ସର୍ବଶେଷରେ ଆଲୋଚନା କରିଥିବା ପ୍ରସଙ୍ଗ ସମ୍ବଲପୁର ସାମ୍ପ୍ରଦାୟିକତା ସ୍ଥିତିକୁ ନେଇ ଥିଲା। ୨୦୦୬ ମସିହାରେ ଅନ୍ବେଷା ପାଇଁ ପ୍ରସ୍ତୁତ ଲେଖା ପାଇଁ ହସନ କାକାଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ସମ୍ବଲପୁରର ସମନ୍ଵୟ ସଂସ୍କୃତିର ଅନେକ ତଥ୍ୟ ଦେଇଥିଲେ। ଏହି ସମୟରେ ସେ ହନୁମାନ ଚରିତ୍ରକୁ ବ୍ୟାଖ୍ୟା ବେଳେ ଯାହା କହିଥିଲେ ପରବର୍ତ୍ତୀ ସମୟରେ ସେ ବ୍ୟାଖ୍ୟାକୁ ମୋର ଲେଖା ଏବଂ ଆଲୋଚନା ବେଳେ ବାରମ୍ବାର କହି ଆସିଛି। ତାଙ୍କର ବ୍ୟାଖ୍ୟାଟି ଥିଲା, ହନୁମାନ ଏଭଳି ଜଣେ ସରଳ, ନିରୀହ ଚରିତ୍ର ଯିଏ ଜଣେ ଅପରିଚିତ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନର ବାଜି ଲଗାଇଥିଲେ। କିନ୍ତୁ ତାଙ୍କୁ ଆଜି ଉଗ୍ରତାର ସ୍ବରୂପ କରାଯିବା ହନୁମାନଙ୍କ ବ୍ୟକ୍ତିତ୍ବ ପ୍ରତି ସବୁଠାରୁ ବଡ଼ ଅପମାନ। ଏନଡିଟିଭି ରିପୋର୍ଟର ଦିବଙ୍ଗତ କମାଲ ଖାଁ ହନୁମାନଙ୍କୁ ନେଇ ନିଜ ସ୍ବତନ୍ତ୍ର ବିଶ୍ଳେଷଣର ଅନେକ ବର୍ଷ ପୂର୍ବରୁ ହସନ କାକା କଥା କହିବା ଛଳରେ ନିଜସ୍ୱ ସୁନ୍ଦର ବିଶ୍ଳେଷଣ ଦେଇଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ସାମ୍ପ୍ରଦାୟିକତା ବିଷ ଯୋଗୁଁ ସମଗ୍ର ଦେଶ କଳୁଷିତ ଏବଂ ଓଡ଼ିଶାକୁ ଏହା କ୍ଷୀପ୍ର ଗତିରେ ଗ୍ରାସ କରିବାରେ ଲାଗିଛି ହସନ କାକା ସମନ୍ବୟ ସଂସ୍କୃତି ଆଲେଖ୍ୟ ଏବଂ ପ୍ରଚାରର ଆବଶ୍ୟକତା କାହିଁରେ କେତେ ବଢିଛି। ଅଧିକ ଆବଶ୍ୟକ ଥିବା ସମୟରେ ସେ ଚାଲିଯିବା ସମଗ୍ର ଦେଶ ଏବଂ ଓଡ଼ିଶା ପାଇଁତ କ୍ଷତି ହୋଇଛି। ତାହା ଅପେକ୍ଷା ତାଙ୍କ ସହିତ ଆଲୋଚନା ବେଳେ ସେ ଯେଉଁ ଗଭୀର ବିଷୟ କହିଯାଉଥିଲେ ସେଥିରୁ ଏଣିକି ବଞ୍ଚିତ ହେବି ଭାବିଲେ ବ୍ୟକ୍ତିଗତ ଭାବରେ ମୋର କେତେ ବଡ଼ କ୍ଷତି ହୋଇଛି ଭାବି ପାରୁ ନାହିଁ। ପ୍ରତ୍ୟେକ ପ୍ରସଙ୍ଗ ନେଇ ମାନବିକ ମୂଲ୍ୟବୋଧ ଆଧାରରେ ତାଙ୍କ ସଠିକ୍ ବିଶ୍ଳେଷଣର କୌଣସି ତୁଳନା ନାହିଁ। ଆନ୍ତର୍ଜାତୀୟ କମ୍ୟୁନିଷ୍ଟ ଆନ୍ଦୋଳନକୁ ନେଇ ମହାବିତର୍କ ହେଉକି ଉନବିଂ ଶତାବ୍ଦୀର ଓଡ଼ିଶାରେ ଗଣବିଦ୍ରୋହ ତାଙ୍କର ପ୍ରତିଟି ଅନୁବାଦ ଲେଖା ପଢିଲେ ସେ ଓଡ଼ିଶାର ପାଠିକା-ପାଠକଙ୍କୁ କେତେ ଉଚ୍ଚମାନର ବହି ଦେଇ ଯାଇଛନ୍ତି ତାହା ଆକଳନ କରିପାରିବା ନାହିଁ। ଶେଷ ଥର ପାଇଁ ଜୁଲାଇ ମାସରେ ଏମସ ଆସିଥିବାବେଳେ ମତେ କହିଥିଲେ ଅନେକ ପ୍ରକାଶକ ସଂସ୍ଥା ପାଖରେ ତାଙ୍କର ପାଣ୍ଡୁଲିପି ରହିଛି। ଅସୁସ୍ଥତା କାରଣରୁ ସେ ସମ୍ପର୍କରେ ବିଶେଷ ତଥ୍ୟ ଦେଇ ପାରିନଥିଲେ। ସେହି ସଂସ୍ଥାମାନେ ନିଜ ତରଫରୁ ଆଗେଇ ଆସି ସେମାନଙ୍କ ପାଖରେ କୁମାର ହସନଙ୍କ କେଉଁ ପାଣ୍ଡୁଲିପି ଅଛି ସେ ନେଇ ତଥ୍ୟ ଦେବା ସହିତ ପ୍ରକାଶନର ବ୍ୟବସ୍ଥା କଲେ କୁମାର ହସନଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବା ସହିତ ପ୍ରତିଟି ଓଡ଼ିଆ ଉପକୃତ ହୋଇ ପାରିବେ।

Support Samadhwani
Share This Article
Writer and journalist