ଆଦିବାସୀ ସଂସ୍କୃତିରେ “ସାଙ୍ଗୀତିକ ମୂଲ୍ୟବୋଧ”

14 Min Read

[box type=”info” align=”” class=”” width=””]ଯୁବସାମ୍ବାଦିକ ଏସ୍.କେ.ସମୀମ୍ ବର୍ଷିଆନ୍ ଜାତୀୟ ପୁରସ୍କାର ପ୍ରାପ୍ତ କଳାକାର ତଥା ଆଜୀବନ ସଙ୍ଗୀତ ସାଧକ ଓ ଗବେଷକ ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କୁ ଭେଟି ଓଡ଼ିଶାର ଲୋକସଂସ୍କୃତି ଉପରେ ଚର୍ଚ୍ଚାଟିଏ କରିଥିଲେ ଯାହା ଗତ ସଂଖ୍ୟାରୁ ଆମେ ଧାରାବାହିକ ଭାବରେ ପ୍ରକାଶ କରୁଛୁ ।  ଲେଖାଟିରେ ଲୋକକଳା ସଂସ୍କୃତି ଭିତରେ ଲୁଚିରହିଥିବା ଶାସ୍ତ୍ରୀୟତାକୁ ଉନ୍ମୋଚନ କରିବା ଏବଂ ମୁଖ୍ୟସ୍ରୋତର ଶାସ୍ତ୍ରୀୟ ସଙ୍ଗୀତ ଓ ସଂସ୍କୃତିକୁ ଏହିସବୁ ଲୋକ ସଂସ୍କୃତିର ଅବଦାନ ସମ୍ପର୍କରେ ସାଙ୍ଗୀତିକ ଭାବରେ ପ୍ରତିପାଦିତ କରିଛନ୍ତି ଶୁରୁଶ୍ରୀ ଘାସିରାମ ମିଶ୍ର । ସେଥିପାଇଁ ପ୍ରତ୍ୟେକ ଲୋକକଳା ଓ ସଂସ୍କୃତିକୁ ସମାନ ଭାବରେ ସମ୍ମାନ ଦେବାପାଇଁ ଦାବୀକରନ୍ତି ଗୁରୁଜୀ ମହୋଦୟ । ଜନଜାତିମାନଙ୍କ ଅଞ୍ଚଳରେ ନିଜ ଜୀବନର ପ୍ରାୟ ସବୁ ସମୟ ଏହିସବୁ ଗବେଷଣାରେ ବିତାଇ ସେ ଅନୁଭବ କରିପାରିଛନ୍ତି ଏହିସବୁ କଳା ଗୁଡ଼ିକର ମହତ୍ତ୍ୱକୁ । ଓଡ଼ିଶାର କଳାସଂସ୍କୃତିକୁ ଋଦ୍ଧିମନ୍ତ କରୁଥିବା ଏହି ଗୁରୁଙ୍କୁ ‘ସମଧ୍ୱନି’  ଅଶେଷ କୃତଜ୍ଞତା ଜଣାଉଛି ।  – ସମ୍ପାଦକ[/box]

ଗୁରୁଶ୍ରୀ ଘାସିରାମ ମିଶ୍ର:

ଧ୍ୱନି କୌଣସି ସଙ୍ଗୀତ ନୁହେଁ, ସଙ୍ଗୀତର ବହୁ ଉଦ୍ଧ୍ୱର୍ରେ । ସଙ୍ଗୀତ ତ ନାଚିବା, ଗାଇବା, ବଜେଇବା । ମୁଁ ଓ ମୁଁ’କାର ସେଠି ଅଛି । ପ୍ରକୃତି ଭିତରୁ ମହାଜାଗତିକ ସଙ୍ଗୀତକୁ ଅନୁକରଣ କରି ଯେଉଁମାନେ ତାକୁ ରଖିଛନ୍ତି ତାକୁ ସେମାନେ କେଉଁ ନାମରେ ନାମିତ କରିଛନ୍ତି?

ଯଦି ମୁଁ ଘୁଗୁକୁଡ଼ି ଧରିବି ସେଇଟା ବଜେଇବା ମାତ୍ରେ ଘୁ ଘୁ ଘୁ ଘୁ ଶବ୍ଦ ହେବ । ଧୁଡ଼ୁକି କହିଲେ କ’ଣ ଅଧିକ ହେବ? ନାମକରଣ କରିବାରେ କେତେ ପାର୍ଥକ୍ୟ ରହିଯାଉଛି । ମୁଁ ଯଦି ଧୂନକେଲ କହିବି ଧୂନକେଲର ଅର୍ଥ ଓଡ଼ିଆରେ ଧ୍ୱନିର କେଳି । ଧ୍ୱନି ବା ଧୂନ୍ କେମିତି ହୁଏ ତାର ଗୋଟିଏ ବିଶେଷ ବିଜ୍ଞାନ ଅଛି । ନୂଆମାଟି ଧୂନକେଲ ପାଇଁ କାହିଁକି ଦରକାର? ଧନୁଟିଏ କାହିଁକି ଦରକାର? କେଉଁଠି ପ୍ରଶିରା ଯିବ? ଉପରେ କାହିଁକି ବାଉଁଶଟେ ଦିଆଯିବ? ବିସ୍ତୃତ ଭାବରେ ତାହାର ବିଧାନ ଅଛି ।

ସେଇଟା ସେହି ଆଦିବାସୀ ମାନଙ୍କ ପାଖରେ ଅଛି । ଭୂମି ଦୁନ୍ଦୁଭିର ସ୍ରଷ୍ଟା କିଏ? ସେହି ଆଦିବାସୀମାନେ । ଆଜି ଆମେ ଯେଉଁସବୁ ବାଦ୍ୟଯନ୍ତ୍ର ଦେଖୁଛନ୍ତି ଇତିହାସରେ ବିଶେଷ କରି ଧ୍ୱନିର ଇତିହାସ କୁହେ ଯେ ଭୂମି ଦୁନ୍ଦୁଭି ସର୍ବପ୍ରଥମ ବାଦ୍ୟଯନ୍ତ୍ର । କିନ୍ତୁ ଏହି ସର୍ବପ୍ରଥମ ବାଦ୍ୟଯନ୍ତ୍ରଟିର ଧ୍ୱନାତ୍ମକ ଗୁଣ କେତେ? ଏବଂ ସେ ଧ୍ୱନିର ମାନବୀୟ ଚେତନ ଶକ୍ତି ଉପରେ ପ୍ରଭାବ କେତେ ଆମେ ଆଜି ପର୍ଯ୍ୟନ୍ତି ତାହା ଉପରେ କିଛିବି ଗବେଷଣା ବା ଅନୁଧ୍ୟାନ କଲୁ ନାହିଁ ।

ମୋତେ ପ୍ରଶ୍ନ ହୋଇପାରେ ଆପଣ କାହିଁକି କଲେ ନାହିଁ? କିନ୍ତୁ ଆର୍ଥିକ ସ୍ଥିତି, ବଳ, ବୟସ ଏବଂ ପାରିବାରିକ ସମସ୍ୟା ସବୁକୁ ଯଦି ଦେଖାଯାଏ ତେବେ ମୁଁ ରାମଚନ୍ଦ୍ରଙ୍କ ଭଳି ବନବାସ ପଲେଇଥିଲି । ସବୁଥାଇ ରାମଚନ୍ଦ୍ର ବନବାସ ଯାଇଥିଲେ କିନ୍ତୁ ଆମେତ ନାହିଁ ନାହିଁର ଲୋକ ଆଉ ଏତେସବୁ କଥା ବିଚାର କରିବାପାଇଁ ଆମର ସମ୍ବଳ କାହିଁ?

ଆମ ପାଖରେ କେତେ ସାଙ୍ଗୀତିକ ସମ୍ପତ୍ତି ଅଛି ଆମେ ନିଜେ ଜାଣିନାହାଁନ୍ତି । ଯେଉଁ ଧ୍ୱନି କଥା ଆମେ କହୁଛନ୍ତି, ଯେଉଁ ସଂସ୍କାରର କଥା କହୁଛନ୍ତି, ଯେଉଁ ସଂସ୍କୃତିର କଥା କହୁଛନ୍ତି ତାହା କେତେ ପ୍ରକାର? ଏହାର ମହତ୍ତ୍ୱ କେତେ? ଆମେ କେବେ ଦେଖିନାହାଁନ୍ତି । ଓଡ଼ିଶାର ବିଭିନ୍ନ କୋଣରୁ ଆସି ସମସ୍ତ ଜିନିଷ ଗୋଟିଏ ପୁସ୍ତକରେ ରହିବ ଏବଂ ସେହି ଗୋଟିଏ ପୁସ୍ତକ ଦେଖିଲେ ଓଡ଼ିଆ ଜାତିର ନିଜସ୍ୱ ପରିଚୟ ହେବ । ଏହିଭଳି କିଛି ଗବେଷଣାଲବ୍ଧ ପୁସ୍ତକର ଆବଶ୍ୟକତା ରହିଛି ।

ଏହା କୌଣସି ବ୍ୟକ୍ତି କରିପାରିବେନି, ଏଥିପାଇଁ ଯେଉଁ ସରକାରୀ ବିଭାଗ ରହିଛି ସେହି ବିଭାଗ କରିପାରିବ । ସିଏତ ଏ ବିଷୟରେ କେବେ ଗୋଟେ ପଇସାରେ ଧାରେ ନାହିଁ ସେ କରିବେ କ’ଣ? ଏ ରାଜ୍ୟରେ ଗୋଟିଏ କଳାକାର ପତ୍ରରେ ଖାଉଥିବା ବେଳେ ଆଉ ଗୋଟିଏ କଳାକାର ପଞ୍ଚତାରକା ହୋଟେଲରେ ଖାଏ । ଗୋଟିଏ କଳାକାର ପାଣିଗ୍ଲାସେ ପିଇବାର ଅଭାବରେ ଥାଏ ଆଉ ଗୋଟିଏ କଳାକାର ମଦସାଂସରେ ଭରିହୋଇଯାଏ । ଲକ୍ଷଲକ୍ଷ ଟଙ୍କାର କାରବାର କରେ ।

ଏତେ ବ୍ୟବଧାନ କାହିଁକି? ଜଣେ ପ୍ରକୃତିର ସାଧକ ଆଉଜଣେ ପ୍ରକୃତି ସାଧକ । ଜଣେ ପଞ୍ଚଭୂତର ପ୍ରକୃତିକୁ ସାଧନ କରୁଥିବା ବେଳେ ଆଉଜଣେ ମାନବୀୟ ପ୍ରକୃତି ଯାହା ମୁଁ ମୁଁ’କାର ଭିତରେ ସୀମାବଦ୍ଧ ତାର ପୂଜାରୀ । ପ୍ରକୃତ ସାଧକମାନଙ୍କୁ ଖୋଜାଯାଉ । ସମସ୍ତେ ପ୍ରୟାସ କରନ୍ତୁ ସେ କଳିଙ୍ଗ ହେଉ ବା କୋଶଳ ହେଉ ବା ଉକ୍ରଳ ହେଉ ପ୍ରକୃତ ସଙ୍ଗୀତକୁ ଖୋଜାଯାଉ ।

ଯେଉଁମାନେ ଆଜିଯାଏ ପ୍ରକୃତିକୁ ସାଇତି ରଖିଛନ୍ତି ସେହିମାନଙ୍କର ଚିନ୍ତା ଓ ଭାବନାକୁ କେମିତି ଲୋକ  ଲୋଚନକୁ ଆଣିବା । ଦେବତା ଗୋଟିଏ ଅପଭ୍ରଂସ ଶବ୍ଦ ମୁଁ ବି ସ୍ୱୀକାର କରୁଛି । କିନ୍ତୁ ଏହାମଧ୍ୟ ମୁଁ ସ୍ୱୀକାର କରିପାରୁ ନାହିଁ ଯେ ସେଥିରେ କୌଣସି ବିଶେଷତ୍ୱ ନାହିଁ ବୋଲି। ମଣିଷର କଳ୍ପନା ଯେତେବେଳେ ବାହାରକୁ ଆସେ, ସେ ଯେତେବେଳେ ବାହାରେ ନିଜର ଅନୁଭବକୁ ପ୍ରକାଶ କରିବାକୁ ଚେଷ୍ଟାକରେ ସେତେବେଳେ କିଛି ମାଧ୍ୟମ ଆବଶ୍ୟକ ହୁଏ ।

ମାନବୀୟ ଗୁଣଠାରୁ ଆହୁରି ଉଦ୍ଧ୍ୱର୍କୁ ଯିବାପାଇଁ ପରୋକ୍ଷରେ ଗୋଟିଏ ଦର୍ଶନ ଶାସ୍ତ୍ର ଛାଡ଼ିଦେଇଯାଏ । ଦେବତା ସେଠି ଯିଏ ହେଉ, ବାଜାବାଲା ଯିଏ ବଜାଉ, କିନ୍ତୁ ସେଠି ଦେବତାପାଇଁ ଯେଉଁ ଯାତ୍ରାଟି ହେବ ସେ ଅଞ୍ଚଳର ସଂହତି ରକ୍ଷାକରିବାର ସେ ଗୋଟିଏ ଧାରା, ଯେଉଁଥିରେ ବାଦ୍ୟ ଏକ ମାଧ୍ୟମ ହୋଇଥାଏ ଏବଂ ସେ ସମସ୍ତଙ୍କୁ ଆମନ୍ତ୍ରଣ କରେ ଯେ ଅମୁକ ଯାତ୍ରା ଅମୁକ ଯାଗାରେ ହେଉଛି ଆପଣ ଦୟାକରି ଆସନ୍ତୁ । ସମସ୍ତେ ପିଲାଛୁଆ ଧରିକରି ଆସିବେ ।

ସଂସାରଟା ପୁରା ଉଠି ଆସିବ । ସେଠି କ’ଣ ଦେଖିବେ ସେମାନେ? ଖାଲି ନାଚିବେ ବଜେଇବେ ପୁଣି ପଳେଇବେ । ତାଙ୍କର ଦେଖିବାର କିଛି ନାହିଁ । କୌଣସି ଆଦିବାସୀ ମେଳା ସେଠି ହୁଏନାହିଁ କିମ୍ବା ପ୍ରଦର୍ଶନୀ ବସେ ନାହିଁ । ସେହି ଯାତ୍ରାମାନଙ୍କର ଅନ୍ୟନାମଟି ହେଲା ସଂହତି ଯାତ୍ରା । ବିଭିନ୍ନତା ଭିତରେ ଏକତାର ଗୋଟିଏ ପ୍ରକାଶ । ଆର୍ଯ୍ୟ, ଅନାର୍ଯ୍ୟ, ଆଦିବାସୀ, ଦ୍ରାବିଡ଼, ଛତିଶପାଟ ଏତେ ଜାତି, ଏତେପ୍ରଥା, ଏତେ ସମସ୍ୟା ସବୁ ଥାଇ ମଧ୍ୟ ସେହି ଯାତ୍ରା ଗୋଟିଏ ଯାଗାରେ ବସିରହିବ ।

ତାଙ୍କର ଗୋଟିଏ କଥା ଯେ ଆମେ ସମସ୍ତେ ଏକ, ଆମରି ଗାଁ’ର ଯାତ୍ରା, ଆଜି କାନ୍ଦୁଲ ବୁଢ଼ାର ଯାତ୍ରା, ଲଙ୍କା ବୁଢ଼ାର ଯାତ୍ରା, ଚାଲ ସମସ୍ତେ ଯିବା । ଏହି ଯେଉଁ ବିଶାଳ ଧାରା, ବିଶାଳ ମନୋଭାବ, ଏ ସଂହତି ଆପଣ ଯେତେ ମାଇକି ବଜେଇ ଗାଁ ଗାଁ ବୁଲିଲେ ବି କରେଇପାରିବେ ନାହିଁ । କିନ୍ତୁ ଲାକା ଯଦି କହିଦେଲା ଯେ ସମସ୍ତଙ୍କ ଦ୍ୱାର ଦେଶରେ ସବୁଦିନେ ଲିପାପୋଛା କରି ଫୁଲଟେ ପକେଇବ ମଙ୍ଗଳା ତୁମର ଘରକୁ ଆସିବେ କି ଦେବୀ ତୁମ ଘରକୁ ଆସିବେ ତାହେଲେ ପରିବେଶ ତୁମର ସଫାହୋଇଗଲା । ପରିବେଶ ପାଇଁ ଏତେ ଝାଡ଼ୁ କରିବା ଦରକାର ନାହିଁ କି ନିର୍ମଳ ଭାରତ ଯୋଜନା କରିବା ଦରକାର ନାହିଁ । ସିଏ କିଏ?

ତେଣୁକରି କେତୋଟି ଯାଗାରେ ବାହାବାହା ପଣ ନେବାପାଇଁ ଅନ୍ୟମାନଙ୍କୁ ଯେଉଁଭଳି ଅପମାନିତ କରାଯାଉଛି ସେଭଳି ଚିନ୍ତାଧାରା ବନ୍ଦ କରାଯାଉ । ବହୁତ ଅନୁଧ୍ୟାନ, ବହୁତ ଗବେଷଣା କରିବାର ଆବଶ୍ୟକତା ରହିଛି । ଗୋଟିଏ ଦୁଇଟା କଥା ଲେଖିଦେଇ ଅନ୍ୟମାନଙ୍କୁ ଅପମାନିତ କରିବା, ସେମାନଙ୍କର ସଂହତି ନଷ୍ଟ କରିବା ଓ ନୂଆ ବିଛିନ୍ନତାବାଦ ସୃଷ୍ଟିକରିବା ଏଇଟା ଆଦୌ ଉଚିତ୍ ହେଉନାହିଁ ।

ସାଂସ୍କୃତିକ ପରମ୍ପରା ଓ ଦେବତା:

ତାହାହେଲେ ଆମକୁ କ’ଣ କରିବାକୁ ହେବ? ଦୁଇଟି ଧାରାରେ ଯିବାକୁ ହେବ । ଗୋଟିଏ ହେଲା ମାଟିର ଧାରା ଓ ଅନ୍ୟଟି ଶାସ୍ତ୍ରୀୟ ଧାରା । ଶାସ୍ତ୍ରୀୟ ଧାରା କ’ଣ? ତୁଳନାତ୍ମକ ଅଧ୍ୟୟନପାଇଁ ତାକୁ ମଧ୍ୟ ଆଖିଆଗରେ ରଖିବାକୁ ପଡ଼ିବ । ଏହି ମାଟିର ପ୍ରତ୍ୟେକ ସ୍ପନ୍ଦନ, ସ୍ଥୁଳ, ସୁକ୍ଷ୍ମ, ତରଙ୍ଗ, ପ୍ରତିଧ୍ୱନି ଇତ୍ୟାଦିଙ୍କୁ ନେଇ ଯେଉଁ ସୁକ୍ଷ୍ମରୁ ସୁକ୍ଷ୍ମତର ଧ୍ୱନି ରହିଛି ତାକୁ ଅନୁକରଣ କରିବାପାଇଁ ମାନବ  ଏତେ ପ୍ରକାରର ନୃତ୍ୟ, ବାଦ୍ୟ, ସ୍ୱରକୁ ବ୍ୟବହାର କରିଛି କାହିଁକି? ତା ଉପରେ ଗବେଷଣା ହେବା ଆବଶ୍ୟକ ।

କେଉଁବାଦ୍ୟ କାଷ୍ଠରେ ତିଆରି ପୁଣି କେଉଁଟା ମାଟିରେ । କେଉଁଟା ଲୌହରେ ତ ପୁଣି କେଉଁଟା କାଂସରେ । କେଉଁଟା ସାମାଜିକ କାମରେ ଲାଗୁଛି ତ କେଉଁଟା ଖାଲି ମନୋରଞ୍ଜନ କରୁଛି । କେଉଁ କେଉଁ ବାଦ୍ୟଯନ୍ତ୍ରରେ ଏକକ ସମ୍ଭାବନା ଅଛି ତ କେଉଁଥିରେ କେଉଁଥିରେ ଦୈତ୍ୟ ସମ୍ଭାବନା ଅଛି । କେଉଁ କେଉଁ ବାଦ୍ୟଯନ୍ତ୍ରରେ ଗୋଷ୍ଠିର ଆବଶ୍ୟକତା ଅଛିତ କେଉଁ କେଉଁ ନୃତ୍ୟ ସେହି ଧାରା ଅନୁସାରେ ଅଛି ।

ନୃତ୍ୟର କେତେ ପ୍ରକାରର ଭାବ ରହିଛି? ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଯେଉଁସବୁ ପଦଚାଳନା, ଭାବ ଭଙ୍ଗୀର ଧାରା ରହିଛି ତାକୁ ସଂଗ୍ରହ କରିବା ପରେ ଆମ ସଂସ୍କୃତି କାହିଁକି ମହାନ ସେ ବିଷୟରେ ଆଖି ଧିରେ ଧିରେ ଖୋଲିବ । ପଞ୍ଚଭୂତକୁ ନେଇ ଆମେ ଆକାଶରୁ କ’ଣ ଗ୍ରହଣ କରୁଛେ? ମାଟିରୁ କ’ଣ ଗ୍ରହଣ କରୁଛେ? ଜଳରୁ କ’ଣ ଗ୍ରହଣ କରୁଛେ? ଅଗ୍ନିରୁ କ’ଣ ଗ୍ରହଣ କରୁଛେ? ବାୟୂରୁ କ’ଣ ଗ୍ରହଣ କରୁଛେ? କିଏ ଆମକୁ ସେ ପ୍ରକାରର ପେରଣା ଦେଇଛି?

ଯେତେ ପର୍ଯ୍ୟନ୍ତ ସବୁ କିଛି ସଂସ୍କାରିତ ହୋଇନାହିଁ ତାହା ଗୋଟିଏ ଗୋଷ୍ଠି ନିକଟରେ ରହୁଛି ଏବଂ ସଂସ୍କାରିତ ହେବାପରେ କିଛି ଗୋଷ୍ଠି ଏହାକୁ ନିଜର ବୋଲି ଦାବୀ କରୁଛନ୍ତି। ଆଦିରୁ ଅନ୍ତଃ ପର୍ଯ୍ୟନ୍ତ ଯିବାର ବାଟଟି ନିର୍ଣ୍ଣୟ କରିବାପାଇଁ ବିଶେଷକରି ଶାସ୍ତ୍ରରେ ଯେଉଁ ୪ଟି ଦର୍ଶନ କଥା କୁହାଗଲା ସେହି ଦର୍ଶନ ଗୁଡ଼ିକ ଅଛି ନା ନାହିଁ? ପଞ୍ଚତତ୍ତ୍ୱ କ’ଣ? ପଞ୍ଚଭୂତ କ’ଣ? ପଞ୍ଚ କ୍ରିୟା, ପଞ୍ଚ ଆତ୍ମା ଏମିତି ଅନେକ ବିଶାଳ ଜିନିଷ ରହିଛି । ଷୋହଳ ଯେମିତି ଗୋଟିଏ ଅଞ୍ଚଳର ହୋଇ ରହିଗଲା ।

ଷେହଳ ବିନା କାମ ଚଳୁନି । ଦିନ ବେଳା ଷୋଳ ଘଡ଼ି ହୁଏ, ରାତି ପୁଣି ଷୋଳ ଘଡ଼ି । ଷୋହଳ ବୟସର ଝିଅ ବିବାହ ଯୋଗ୍ୟା, ଷୋଳ ଭରିଣି, ସୁଳ ଖାଡ଼ି, ସୁଲ ରୁଜାର ଗୁଟେ ବଜାନା ଅଛି । ଏଇଟା ସୁଲ ନୁହେଁ ଷୋହଳ । ଷୋହଳ ସଂଖ୍ୟା ବିଭିନ୍ନ ଯାଗାରେ କେମିତି ପ୍ରୟୋଗ ହୋଇଛି ଏବଂ ଏହାଦ୍ୱାରା ସାମାଜିକ ସ୍ତରରେ ସଂହତି, ଆତ୍ମିୟତା ଏବଂ ଶରୀର ଭିତରେ ତାର କ୍ରିୟା କ’ଣ, କେମିତି ପବେଶ କରୁଛନ୍ତି ଏବଂ ଆମେ ଶ୍ରବଣେନ୍ଦ୍ରିୟରେ ଗ୍ରହଣ କଲାପରେ କେଉଁ ଭାବରେ ପ୍ରଭାବିତ ହେଉଛି? ତେଣୁ ଜଣେ ବ୍ୟକ୍ତି ବିଶେଷ ଏସମସ୍ତ ବିଷୟ ଆୟତ୍ତ କରିପାରିବ ନାହିଁ ମୁଁ ଆଗରୁ କହିଛି । ଏଥିପାଇଁ ସମସ୍ତଙ୍କର ପ୍ରୟାସ ଏକାନ୍ତ ଆବଶ୍ୟକ ।

ଓଡ଼ିଶାରେ ଓଡ଼ିଶୀକୁ ଶାସ୍ତ୍ରୀୟ କରିବାପାଇଁ ମଧ୍ୟ ସେହି ପୁରୀରେ ଓଡ଼ିଶୀ ପ୍ରତିଷ୍ଠାନ ନାମରେ ଗୋଟିଏ ସଂସ୍ଥା ଥିଲା ।  ସେଠି ସ୍ୱର୍ଗୀୟ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନରସିଂହ ସାର୍, ସିଂହାରୀ ଶ୍ୟାମସୁନ୍ଦର କର ସାର୍ ସେମାନେ ପାଞ୍ଚଜଣ ପ୍ରୟାସ ଆରମ୍ଭ କରିଥିଲେ । ଧିରେ ଧିରେ କାଳୀଚରଣ ପଟ୍ଟନାୟକଙ୍କଠାରୁ ଆରମ୍ଭକରି କାଳନ୍ଦିଚରଣ ପାଣିଗ୍ରାହୀ, ଧିରେନ ପଟ୍ଟନାୟକ ଏଥିରେ ଯୋଗଦେଲେ । ପୁଣି ଚାଲିଲା ମନ୍ଥନ।

ଏଇ ଯେଉଁ ଇତିହାସ, ସଂଯୁକ୍ତା ପାଣିଗ୍ରାହୀଙ୍କର ଅବଦାନ, ଡ଼ଃ ହେଜମାଦିଙ୍କର ଅବଦାନ ଓ ସମସ୍ତଙ୍କର ସଙ୍ଘର୍ଷ, ବିଦ୍ୟୁତ ମାଡ଼ମଙ୍କର ନାମ ତ ନିଶ୍ଚିତ ନେବି କାରଣ ଏତେ ଉଚ୍ଚଶିକ୍ଷା ପାଇ ନିଜକୁ ସମାଜପାଇଁ ସେମାନେ ଉତ୍ସର୍ଗ କରିଦେଲେ । ଗ୍ରାମାଞ୍ଚଳର ଗୋଟେ ମନ୍ଦିରରେ ସୀମିତ ଥିବା ଗୋଟିଏ କଳାକୁ ଆଜି ବିଶ୍ୱ ଦରବାରରେ ପହଞ୍ଚେଇ ଦେଲେ । ସେହି ମନିଷୀମାନେ ତାଙ୍କର ଅକ୍ଳାନ୍ତ ପରିଶ୍ରମକୁ ଗ୍ରହଣ କରିବାକୁ ହେବ । ଧନ ଜନ ଗୋପଲକ୍ଷ୍ମୀ ସବୁଥିରୁ ଆମେ ଲାଭ ପାଉଛେ।

ସେପରି ଭାବରେ ଦେଶଜ ନାମରେ ନାମିତ ହୋଇଥିବା ଏହି ଓଡ଼ିଶାର ସବୁ ଉପାନ୍ତ ଅଞ୍ଚଳମାନଙ୍କର, ଗ୍ରାମାଞ୍ଚଳମାନଙ୍କରେ ଥିବା ଐତିହ୍ୟ, ପରମ୍ପରା, ସଂସ୍କୃତି, ସାଙ୍ଗୀତିକ ଧାରା, ବିନା ସଙ୍ଗୀତରେ ସଂସ୍କୃତି, ସଙ୍ଗୀତିକ  ଧାରାରେ ଥିବା ସଂସ୍କୃତି, ସଙ୍ଗୀତ ହେଲେବି ଚଳିବ ନହେଲେ ବି ଚଳିବ ଏମିତି କିଛି ସଂସ୍କୃତି ଏବଂ କେଉଁ ବାଦ୍ୟଯନ୍ତ୍ର କେଉଁ ସଂସ୍କୃତିରେ ରହିଛି ତାହା କେଉଁ ସମୟର କେଉଁ ଋତୁର ଏବଂ କାହାପାଇଁ ଉଦ୍ଦିଷ୍ଟ? ମାଦଳ କାହାପାଇଁ ଉଦ୍ଦିଷ୍ଟ? ମନୋରଞ୍ଜନ ତ ହେବ କିନ୍ତୁ ତାର ଯେଉଁ ତରଙ୍ଗ ।

କିଛି ବାଦ୍ୟରେ ସିହାଇ ଲାଗିଲା, ହରିଣି ଲାଗିଲାନି କିଛିରେ ହରିଣି ଲାଗିଲା । କିଛି ବାଦ୍ୟ ରହିଲା ଏକକାଳୀନ ଦୁଇ ତିନୋଟିର ମିଶ୍ରଣ ଯେଉଁଥିରେ ହୋଇଥାଏ ଯେମିତିକି ଧୁଡ଼ୁକି । ଇଆଡ଼େ ଧୁଡ଼ିକିରେ ତାର ଗୋଟେ ଲାଗିଛି ସିଆଡ଼େ ପଛରେ ଚମଡ଼ାଟେ ମଧ୍ୟ ଲାଗିଛି ଏବଂ ହାତରେ ବାଜା ଯେମିତି ବଜାଯାଏ ସେମିତି ବାଜୁଛି । ସ୍ୱରକୁ ମଧ୍ୟ ହାତରେ କଣ୍ଟ୍ରୋଲ କରୁଛି । ଗୋଟିଏ ଜିନିଷକୁ କେତେ ଧାରା । ଏହାର ମନ ଉପରେ ପ୍ରଭାବ।

ସେମିତି ସାରଙ୍ଗୀ ଏତେ ଛୋଟ କିନ୍ତୁ ତାର ପ୍ରଭାବ କ’ଣ? ଶାରଙ୍ଗୀର ପ୍ରଭାବ ଶାସ୍ତ୍ରୀୟ ଅନ୍ତର୍ଭୁକ୍ତ । ଦଣ୍ଡବୀଣା କେଉଁଠି ଅଛି? ଏହା ଏବେ ଅଛି ନା ନାହିଁ? ଦଣ୍ଡବୀଣା ଓ ଦେବବୀଣା ଭିତରେ ପାର୍ଥକ୍ୟ କ’ଣ? ନିଷାଣତ ପୁରାଣ ମାନଙ୍କରୁ ବର୍ଣ୍ଣିତ ହୋଇଛି । ଢ଼ୋଲ ପୁରାଣ ମାନଙ୍କରୁ ବର୍ଣ୍ଣିତ ହୋଇଛି । ବିଭିନ୍ନ ମନିଷୀମାନେ କହିଛନ୍ତି କିନ୍ତୁ ମାଟିର ଢ଼ୋଲତ ଦଣ୍ଡ ସମୟରେ କେଉଁଠି ବାଜୁନି? ସେଇଟା ଏକକ ବାଦ୍ୟ କାହିଁକି? ତାର ଗଠନ ପ୍ରଣାଳୀ କ’ଣ? ତାର ଶବ୍ଦ ଉପରେ ପ୍ରଭାବ କ’ଣ?

ସେଥିରେ କିଛି ଶାସ୍ତ୍ରୀୟତାର ଗୁଣ ଅଛି ନା ନାହିଁ?  କାହିଁକି ଗୋଟିଏ ପଟେ ଯଷ୍ଠିଦ୍ୱାରା ପ୍ରହାର କରାଯାଏ ଆଉ ଗୋଟିଏ ପଟେ ହାତର ଅଙ୍ଗୁଳି ଦ୍ୱାରା? ଏମିତି କିଛି ଗୁଢ଼ ରହସ୍ୟ ଲୋକ ଲୋଚନକୁ ଆଣିବାକୁ ହେବ ଏବଂ ସେଥିରେ ବ୍ୟବହାର ହେଉଥିବା ପାର୍ ଯାହାକି ତାଳ, ସେମିତି କଟାଣ ଆମର ତାକୁ ଛୁରେନ୍ କହୁଛୁ । ଆମର ଯେମିତି ଗ୍ରହ ସମ୍ବନ୍ଧରେ ଚାରୋଟି ବିଚାର ଧାରା ରଖାଯାଇଛି । ହିନ୍ଦୁସ୍ଥାନୀରେ ସମ୍, ଆଗତ, ଅନାଗତ ଇତ୍ୟାଦି ଆମର ଉଡ଼ାମାନ୍, ବୁଡ଼ାମାନ୍, ଠିଆମାନ୍ ଏମିତି ଅନେକ କଥା ସେଭିତରେ ଅଛି । ସମସ୍ତଙ୍କୁ ସ୍ୱତନ୍ତ୍ର ଭାବରେ ଯଦି ଧାରାବାହିକ କରାନଯାଏ ଏତେକଥା ସମ୍ଭାଳିବା ମୁସ୍କିଲ ।

ଏଥିପାଇଁ ଆଲୋଚନାର ଏକାନ୍ତ ଆବଶ୍ୟକତା ରହିଛି । ବିଜ୍ଞଲୋକ ହୋଇଥିଲେ ମଧ୍ୟ ଗବେଷଣା ସମୟରେ ନିଜର ମତାମତକୁ ଜାହିର କରିବା, ଏ ମନୋବୃତ୍ତି ଟିକକ ସର୍ବପ୍ରଥମେ ତ୍ୟାଗ କରିବାକୁ ପଡ଼ିବ । ପଦପଦବୀରେ ତାକୁ ଜାହିର କରିଦେଲେ ସିଏ ମାଙ୍କଡ଼ ହୋଇଯିବ । ଏତିକି ନହୋଇଥିଲେ ବାହିର୍ ଲୋକ ଏ ସଂସ୍କୃତି ଭିତରେ ପ୍ରବେଶ କରିକି ଗଛ କାଟିଲା ଭଳିଆ ଟାଙ୍ଗିଆକୁ ଦୋଷଦେବ ସେମିତି ହୋଇଗଲାଣି । ସଂସ୍କୃତି ଆଉ ନିଜ ହାତରେ ନାହିଁ ।  କାହାରି ପାଖରେ ନାହିଁ ।

ଅପେରାରେ ଗୋଟେ ଓଡ଼ିଶୀ ଅଲଗା ନାଚିବେ, ଗୋଟିପୁଅ ସିଏ ଗୋଟେ ଓଡ଼ିଶୀ ଅଲଗା ନାଚିବେ, କିଛି ଉଚଦର୍ଯ୍ୟାରେ ଅଛନ୍ତି ସେମାନେ ଅଲଗା ନାଚିବେ, ପ୍ରବାଶୀମାନେ ଯେଉଁମାନେ ଅଛନ୍ତି ପଶ୍ଚିମ ବଙ୍ଗଳା, ଦିଲ୍ଲୀରୁ ଆସି ଶିଖିକି ଯାଉଛନ୍ତି, ବିଦେଶୀ ଯେଉଁମାନେ ଶିଖିକି ଯାଉଛନ୍ତି ତାଙ୍କର ନାଚ ଅଲଗା ହୋଇଯାଉଛି । ଏଇଟା ପ୍ରୋତ୍ସାହନ ହେଉନାହିଁ ବରଂ ହତୋତ୍ସାହ ହୋଇଯାଉଛି । ହୁଏତ ବ୍ୟକ୍ତିଗତ ଲାଭ ହୋଇପାରେ।

ଓଡ଼ିଶାର ଶାସକମାନଙ୍କୁ ଯଦି ପଚରାଯାଏ ପାଞ୍ଚ ଦଶଜଣଙ୍କ ନାଁ କହିଦେବେ ସାଂସ୍କୃତିକ ଦିଗରେ ଏମାନେ କାମ କରୁଛନ୍ତି ବୋଲି କିନ୍ତୁ କ’ଣ କାମ କରନ୍ତି ତାକୁ ତର୍ଜମା କିଏ କରିବ? କୌଣସି ବିଶ୍ୱବିଦ୍ୟାଳୟରେ ବିତର୍କପାଇଁ ବ୍ୟବସ୍ଥା ନାହିଁ । ମୁଁ ବାଣିଜ୍ୟରେ ଅଧ୍ୟାପକ ଥିଲି ମୁଁ ବର୍ତ୍ତମାନ କିଛି କଲ୍ଚୁରାଲ କାମ କରୁଛି, ଜଣେ ମୋ ଅଣ୍ଡର୍ରେ ପିଏଚ୍ଡ଼ି କରିବ ସେ ପୁଣି କଲଚରରେ କରିବ । ମୁଁ କ’ଣ କରିଛି ଗାଁରେ ବୁଲି ବୁଲି ପାଞ୍ଚଟା କଥା କଲେକ୍ସନ୍ କରି ରଖିଦେଇଛି ତାକୁ ଦେଖିକି ମୁଁ ଗାଇଡ଼୍ କରିବି ଗୋଟେ ପିଲାକୁ । ସିଏ ଯାହା କରିବ।

ଯେଉଁ ବିଷୟବସ୍ତୁ ଉପରେ କରାଯାଉଛି ସେ ବିଷୟବସ୍ତୁ ଉପରେ ଜଣେ ଅଧ୍ୟାପକଙ୍କୁ ଆପଣ ନିଯୁକ୍ତ କରିପାରିବେ । କ୍ଲାସ ନେବାପାଇଁ ଟଙ୍କା ଦେଇପାରିବେ ।  ତାଙ୍କୁ ନିଆଯାଉ ତାଙ୍କୁ ଗ୍ରହଣ କରାଯାଉ । ବିଭିନ୍ନ ଯାଗାରେ ବିଭିନ୍ନ ବିଷୟରେ ସେମିନାର କରାଯାଉ ଏବଂ ସେମିନାରର ନିସ୍କର୍ଷ ଯାହା ଆସୁଛି ପୁଣି ମନ୍ଥନ କରାଯାଉ । ଗୋଷ୍ଠି ଭାବରେ ଏହାର ଗୋଟିଏ ଧାରା ପ୍ରଚଳନ କରାଯାଉ ନଚେତ୍ ଛତିଶଗଡ଼ର ଢ଼ୋଲ, ପଞ୍ଜାବର ଢ଼ୋଲ, ପଶ୍ଚିମ ବଙ୍ଗଳାର ଢ଼ୋଲ, ଦକ୍ଷିଣ ଭାରତରେ ମଧ୍ୟ ଢ଼ୋଲ ଅଛି ସବୁଯାକ ମିଶିଯିବେ ଏବଂ ଏକ କିମ୍ଭୁତ କିମ୍ଭାକାର ରୂପ ଧାରଣ କରିବ।

କେନ୍ଦ୍ର ପ୍ରୋତ୍ସାହନର ଲଲିପପ୍ ଯେଉଁ ଅଛି କେବଳ ଟଙ୍କା ଟଙ୍କା ଟଙ୍କା କିଛି ଲୋକଙ୍କୁ ଖାଲି ଦେଇ ଦେଲେ  ଏ ସଂସ୍କୃତିରୁ ସବୁ ଲୋପ ପାଇଯିବ। ମୁଁ ତ କହିବି ଦଣ୍ଡ କେଉଁଠି ହେଉଛି ମୁଁ ଜାଣିନି। ଦଣ୍ଡରେ ସୁଆଙ୍ଗ ଗୋଟେ  ଅଛି? ସ୍ୱ ଅଙ୍ଗ ସୁଆଙ୍ଗ। ରାମଲୀଳା, କୃଷ୍ଣଲୀଳା, ରାସଲୀଳା ଏସବୁ ହେଲା ଲୀଳା। ଲୀଳା ମାନେ କ’ଣ? ସୁଆଙ୍ଗ ମାନେ କ’ଣ? ଲୋକନୃତ୍ୟ କ’ଣ? ଶାସ୍ତ୍ରୀୟ ନୃତ୍ୟ କ’ଣ? କୌଣସି ଯାଗାରେ ଉଦାରଣ ସ୍ୱରୂପ କିଛି ନାହିଁ, ଯିଏ ଯାହାର ପ୍ରତିଭାଟାକୁ ଶାସ୍ତ୍ରୀୟ ଗୁଣ ଅଛି ବୋଲି କହି ବୁଲୁଛନ୍ତି।

ତେଣୁ ଏବେଠାରୁ ଆମେ କ୍ରମାନ୍ୱୟ ଭାବରେ ଓଡ଼ିଶାର ସଂସ୍କୃତିକୁ  ପ୍ରତ୍ୟେକ ଅଞ୍ଚଳର ସଂସ୍କୃତିକୁ, ପ୍ରତ୍ୟେକ ଅଞ୍ଚଳର ସାଙ୍ଗୀତିକ ଧାରା ଏବଂ ପରିବେଶ ପ୍ରତି ଦୃଷ୍ଟିଦେବା ସଙ୍ଗେ ସଙ୍ଗେ ଆଉ ଗୋଟିଏ କଥା ଚିନ୍ତା କରିବା ଯେ ସାଂସ୍କୃତିକ ଚେତନା ସଙ୍ଘ ଭଳି ଗୋଟିଏ ସଂସ୍କୃତି ପ୍ରତି ସଙ୍ଗୀତ ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ କରୁଥିବା ଯୁବ ପିଢ଼ି ଏକାଠି ହୋଇ ଆମ ସଂସ୍କୃତି ଓ ସଙ୍ଗୀତର ସୁରକ୍ଷା ପାଇଁ ପ୍ରୟାସ କରିବେ । ବିଜ୍ଞାନ, ସଙ୍ଗୀତ, ସାହିତ୍ୟ ସବୁଥିରେ ପାରଙ୍ଗମ ଗୋଟିଏ ଯୁବ ମଣ୍ଡଳୀ ଯଦି ଏକତ୍ରିତ କରିପାରିବା ତାହାହେଲେ ସମସ୍ତେ ଏକଜୁଟ ହୋଇଯିବେ । ଓଡ଼ିଶାର ମାନବୃଦ୍ଧି ସକାଶେ ନୂତନ ଅଧ୍ୟାୟ, ନୂତନପଥ ସୃଷ୍ଟି କରିପାରିବେ।

Share This Article
ସଙ୍ଗୀତ ନିର୍ଦ୍ଦେଶକ, ଜାତୀୟ ସ୍ତରର ଲୋକକଳାର କଳାକାର, ଗବେଷକ