ସାହିତ୍ୟ ସଂସ୍କୃତି

ଶ୍ରୀରାମପୁରରେ ପ୍ରାଥମିକ ଶିକ୍ଷା

Primary education in Srirampur

ନୀଳକଣ୍ଠ ବାବୁଙ୍କ ଗାଁ ଶ୍ରୀରାମପୁରର ମଧ୍ୟ-ଓଡ଼ିଆ ବିଦ୍ୟାଳୟ (ଯାହାକୁ ଔପନିବେଶିକ ପ୍ରଶାସନର ସରକାରୀ ଭାଷାରେ ମିଡ଼ିଲ୍ ଭର୍ଣ୍ଣାକୁଲାର ସ୍କୁଲ କୁହା ଯାଉ ଥିଲା) ର ପଣ୍ଡିତେ ଜଣେ ଭଲ ଶିକ୍ଷକ । ହେଲେ ବେଳେବେଳେ ପିଲାଙ୍କୁ ପାଠ ଦେଇ ନିଦ୍ରା ଯାଆନ୍ତି । ସେ ସମୟରେ ଅନେକ ଲୋକେ ନାସ ଶୁଙ୍ଘୁଥିଲେ । ପଣ୍ଡିତ ଜଣଙ୍କ ମଧ୍ୟ । ଦିନେ ଶ୍ରେଣୀଗୃହରେ ସହସା ନିଦ ଭାଙ୍ଗି ଗଲା ବେଳକୁ  ସେ ଦେଖିଲେ, ପିଲାଏ ଦାନିରୁ ନାସ ଚୋରି କରି ନେଇ ଶୁଙ୍ଘୁଛନ୍ତି ।

ପଣ୍ଡିତେ ଏପରି ଉପଦ୍ରବରେ ରାଗିବା କଥା । ହେଲେ ସେ କୌଣସି ପ୍ରକାର କ୍ରୋଧ ପ୍ରକାଶ କଲେ ନାହିଁ । କହିଲେ, “ନିଅ ନିଅ, ନାଶ ଶୁଙ୍ଘିବ, ନାକ ସଫା ହୋଇଯିବ”, ତଥା ଏହା ପରେ ଉପସ୍ଥିତ ସବୁ ପିଲାଙ୍କୁ ନାସ ତକ ବାଣ୍ଟି ଦେଲେ । ଏହା ପରେ କେହି ପିଲା ଆଉ ପଣ୍ଡିତଙ୍କ ନାସ ଓ ଦାନିକୁ ନେଇ ଫେଚକାମି କରି ନାହାନ୍ତି ।

ଏହି ପଣ୍ଡିତ ଜଣଙ୍କର ନାମ ଥିଲା ଲୋକନାଥ ଦାସ । ବାଳକ ନୀଳକଣ୍ଠ ଉନବିଂଶ ଶତାବ୍ଦୀର ଶେଷ ଭାଗକୁ ସ୍କୁଲପାଠ ପଢ଼ିବାକୁ ଗଲା ବେଳକୁ, ସେ ଦନ୍ତହୀନ ବୃଦ୍ଧ । ଅଙ୍କ ଓ କ୍ଷେତ୍ରତତ୍ତ୍ୱ  ଆଦି ବିଷୟ ସେ ନିଜେ କେବେ ପଢ଼ି ନ ଥିଲେ ମଧ୍ୟ, ଛାତ୍ରମାନଙ୍କୁ ସେ ସବୁ ବିଷୟ ପ୍ରାଞ୍ଜଳ ଭାବରେ ବୁଝାଇ ଦେବାରେ ଥିଲେ ସିଦ୍ଧହସ୍ତ । ପୁରୀର ବିଖ୍ୟାତ ପଣ୍ଡିତ ଓ ସମାଜ ସଂସ୍କାରକ (ଓଡ଼ିଶାର ଦୁର୍ଭାଗ୍ୟ ଯୋଗୁଁ ଅଳ୍ପାୟୁ) ହରିହର ଦାସ ଯେଉଁ ସ୍କୁଲ ସବୁ ବସାଇ ଉପକୂଳ ଓଡ଼ିଶାରେ ଆଧୁନିକ ଶିକ୍ଷାର ମୂଳଦୁଆ ବସାଇବାର ଚେଷ୍ଟା କରିଥିଲେ, ସେ ସବୁ ମଧ୍ୟରୁ ଶ୍ରୀରାମପୁରସ୍ଥ ବିଦ୍ୟାଳୟଟି ଥିଲା ଅନ୍ୟତମ । ଲୋକନାଥ ଦା‌ସଙ୍କୁ ହରିହର ହିଁ ନିର୍ବାଚିତ କରି ସ୍କୁଲରେ ରଖାଇ ଥିଲେ । ଲୋକନାଥ ଥିଲେ ଶିକ୍ଷକ ଭାବରେ ଅତ୍ୟନ୍ତ ଛାତ୍ରବତ୍ସଳ । ପିଲାଏ କାକୁଡ଼ି ଚୋରୀ ପରି ଖୁଚୁରା ଦୁଷ୍ଟାମୀ କଲେ, ସେ ସବୁକୁ ଧରୁ ନ ଥିଲେ । ପାଠରେ ଆଗ୍ରହ ଯୋଗୁଁ ନୀଳକଣ୍ଠ ଥିଲେ ତାଙ୍କର ଅତି ପ୍ରିୟ ।

ସେତେବେଳେ ସରକାର ନିଜେ ପ୍ରାଇମେରୀ ସ୍କୁଲ ସେତେଟା ବସାଉ ନ ଥିଲେ । କିମ୍ବା ଦରମା ଇତ୍ୟାଦି ମଧ୍ୟ ଦେଉ ନ ଥିଲେ । ଶ୍ରୀରାମପୁର ପରି ଗ୍ରାମର ମଧ୍ୟଓଡ଼ିଆ ବିଦ୍ୟାଳୟଗୁଡ଼ିକ ନାଁକୁ ମାତ୍ର କିଛି ସରକାରୀ ସାହାଯ୍ୟ ପାଉ ଥାଆନ୍ତି । ଏହି ସ୍କୁଲଗୁଡ଼ିକରେ ଶିକ୍ଷକ ଥାଆନ୍ତି ଦୁଇ ଜଣ ମାତ୍ର – ପ୍ରଥମ ଶିକ୍ଷକ (ହେଡ଼ ପଣ୍ଡିତ) ଓ ଦ୍ୱିତୀୟ ପଣ୍ଡିତ । ସରକାର ମହାପୁରୁ ମାସକୁ ଦିଅନ୍ତି ପନ୍ଦର ଟଙ୍କା । ହିସାବଟି ହେଲା, ଗ୍ରାମସମିତିର ସମ୍ପାଦକ ଗାଁ ପାଣ୍ଠିରୁ ଆଉ ପନ୍ଦର ଟଙ୍କା ମାସକୁ ମାସ ଦେବେ; ଆଉ, ସମୁଦାୟ ପାଣ୍ଠି ତିରିଶ ଟଙ୍କାରୁ ପ୍ରଥମ ଶିକ୍ଷକ ପାଇବେ ପନ୍ଦର, ଦ୍ୱିତୀୟ ପଣ୍ଡିତେ ପାଇବେ ଦଶ ଓ ବଳକା ପାଞ୍ଚ ଟଙ୍କାରୁ ଜଣେ ଦପ୍ତରୀଙ୍କର ଓ କାଗଜ କାଳି ଆଦିର ଖର୍ଚ୍ଚ ଉଠିବ ।

କିନ୍ତୁ ଗାଁର କେହି ଇସ୍କୁଲ ପାଇଁ ଚାନ୍ଦା ଦିଅନ୍ତି ନାହିଁ, କି ବିଦ୍ୟାଳୟକୁ ସମିତି ତରଫରୁ କିଛି ମିଳେ ନାହିଁ । ସ୍କୁଲରେ ଥାଆନ୍ତି ନା ଦପ୍ତରୀ ନା ଆଉ କିଛି ଯୋଜନା କରାଯାଇଥିବା ସରଞ୍ଜାମ । ମାସିକିଆ ଦରମା ଭାବରେ ବିଚରା ହେଡ଼ ପଣ୍ଡିତ ପାଆନ୍ତି ଦଶ ଟଙ୍କା ଆଉ ସେକେଣ୍ଡ ପଣ୍ଡିତେ ପାଆନ୍ତି ପାଞ୍ଚ ଟଙ୍କା ।

ଏପରି ଥିଲା ସେ ସମୟର ପ୍ରାଥମିକ ଶିକ୍ଷା ପାଇଁ ବ୍ରିଟିଶ ସାମ୍ରାଜ୍ୟର ବ୍ୟବସ୍ଥା ।  ପ୍ରାଥମିକ ଶିକ୍ଷା ପରେ ସେ ସମୟରେ ପୁରୀ ଜିଲ୍ଲାରେ ଅଧିକ ପାଠ ପଢ଼ିବାର ଏକମାତ୍ର ବାଟ ଥିଲା ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟୟନ । ହେଲେ ସହରରେ ରହି ପଢ଼ିବା ପାଇଁ ସଙ୍ଗତି ପ୍ରାୟତଃ ପରିବାରରେ ସେବେ ନ ଥିଲା । ଏଣୁ ନୀଳକଣ୍ଠଙ୍କ ପରି ଦରିଦ୍ର ବାମୁଣ ଛାତ୍ରଙ୍କ ପାଇଁ ଆଗକୁ ପାଠ ପଢ଼ିବା ନିମନ୍ତେ ଛାତ୍ରବୃତ୍ତି ଥିଲା ଏକମାତ୍ର ଆଶା ।

ହେଡ଼ ପଣ୍ଡିତେ ବୃତ୍ତି ପାଇବା ପାଇଁ ନିଶ୍ଚିତ ଥିବା ପିଲାଙ୍କୁ ବାଛି ପ୍ରତିବର୍ଷ ଗୋଟିଏ ଲେଖାଏଁ ପରୀକ୍ଷା ପାଇଁ ପଠାଉ ଥାଆନ୍ତି । ଶେଷକୁ ବର୍ଷ ପରେ ବର୍ଷ ଚାରି ବରଷ ଅପେକ୍ଷା କରି, ପରୀକ୍ଷା ଦେଇ, ବୃତ୍ତି ପାଇ ୧୮୯୯ ମସିହାରେ ନୀଳକଣ୍ଠ ଯାଆନ୍ତି ପୁରୀ ସହର, ଜିଲ୍ଲା ସ୍କୁଲରେ ପଢ଼ିବା ପାଇଁ । ତାହା ଆଉ ଏକ କାହାଣୀ ।

ଟୀକାଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ଛପିଥ‌ିଲା । ଲେଖାଟିର ଉପାଦାନ ନୀଳକଣ୍ଠ ଦାସ କୃତ ‘ଆତ୍ମଜୀବନୀ’ ବହିରୁ ନିଆଯାଇଛି । ବହିଟିର ପ୍ରକାଶକ ହେଲେ କଟକସ୍ଥ ସଂସ୍ଥା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର । କ୍ଷୁଦ୍ର ପ୍ରବନ୍ଧଟି ଲେଖିବା ପାଇଁ ମୁଁ ପୁସ୍ତକଟିର ୨୦୦୩ ମସିହାରେ ଛପିଥିବା ତୃତୀୟ ସଂସ୍କରଣଟିକୁ ବ୍ୟବହାର କରିଛି । ଏହି ‌ସ‌ଂସ୍କରଣଟିରେ ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ ।

Photo credit – Wikimedia commons

Please support atleast Rs 20/- , Rs 50/- , Rs 100/- for a story.

ଶୈଲେନ ରାଉତରାୟ

ଗବେଷକ, ଲେଖକ

Related Articles

Leave a Reply

Your email address will not be published.

Back to top button