ନାଟକ ସର୍ବଦା ମନୋରଞ୍ଜନ ସହ ଜଡ଼ିତ । ମନୋରଞ୍ଜନର ଏକ ସାଧନ ରୂପେ ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ କଳା, ନୃତ୍ୟ, ନୃତ୍ତ ତଥା ନାଟ୍ୟର ରୂପାୟନ ହୋଇଥିଳା । ଆଧୁନିକ ଓଡ଼ିଆ ନାଟକ ରଚିତ ଏବଂ ମଞ୍ଚାୟିତ ହେବା ପଛରେ ଏମାନଙ୍କ ପ୍ରଭାବକୁ କଦାପି ଅସ୍ୱୀକାର କରାଯାଇନପାରେ । ଆଧୁ୍ନିକ ଓଡ଼ିଆ ନାଟକର ସୃଷ୍ଟି ହୋଇଥିଲା ଆଜିକୁ ଠିକ୍ ଶହେ ଶତଚାଳିଶ ବର୍ଷ ତଳେ ଅର୍ଥାତ୍ ୧୮୭୭ ମସିହାରେ । ତାହା ପୂର୍ବରୁ ଓଡ଼ିଶା ପ୍ରଦେଶରେ ନାଟକକୁ ନେଇ ଯାହା ବି ଥିଲା, ସେ ସବୁକୁ ଲୋକନାଟ୍ୟ ପର୍ଯର୍୍ୟାୟରେ ଅନ୍ତର୍ଭୁକ୍ତ କରାଯାଇପାରେ । ଯଦିଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ନାଟକକୁ ନେଇ ଏକ ଦୁର୍ବଳ ରାଜ୍ୟ ଭାବେ ବିବେଚିତ ହେଉଥିଲା । କ୍ରମେ ପାଶ୍ଚାତ୍ୟ ସଂସର୍ଗ ଫଳରେ ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଯେଉଁଭଳି ଆଧୁନିକ ନାଟକ ସୃଷ୍ଟି ହୋଇଥିଲା, ବିଳମ୍ବରେ ହେଲେ ମଧ୍ୟ ଏ ପ୍ରାନ୍ତରେ ତାହାହିଁ ହୋଇଥିଲା । ୧୮୭୭ ମସିହାରେ କଟକ ଜିଲ୍ଲାର ମାହାଙ୍ଗା ଗ୍ରାମର ଏକ ସରକାରୀ କର୍ମଚାରୀଙ୍କ ଉଦ୍ୟମରୁ ତାହାଙ୍କ ଲେଖନୀ ମୁନରୁ ଝରି ଆସେ ଆଧୁନିକ ଓଡ଼ିଆ ନାଟକର ପ୍ରଥମ ନିଦର୍ଶନ ‘ବାବାଜୀ’ ନାଟକ । ନାମ ନାଟ୍ୟକାର ଜଗନ୍ମୋହନ ଲାଲ । ଏହା ପରେ ପରେ ସେ ରଚନା କରିଥିଲେ ‘ସତୀ’ (୧୮୮୬), ‘ପ୍ରୀତି’ (୧୮୮୬) ଏବଂ ‘ବୃଦ୍ଧବିବାହ’ ଭଳି ସମାଜ ସଂସ୍କାରମୂଳକ ନାଟକ । ଯଦିଓ ଶେଷୋକ୍ତ ଦୁଇଟି ନାଟକ ଅପ୍ରକାଶିତ । ତେବେ ସେ ଯାହା ବି ହେଉ, ପ୍ରଥମ ଆଧୁନିକ ଓଡ଼ିଆ ନାଟ୍ୟକାର ଭାବେ ଆମ୍ଭେ କାହାକୁ ଗ୍ରହଣ କରିବା? ଏହା ଆମ୍ଭ ଆଲୋଚ୍ୟ ବିଷୟ ।
ପ୍ରଥମ ଓଡ଼ିଆ ନାଟକ ଭାବରେ ଜଗନ୍ମୋହନଙ୍କ ‘ବାବାଜୀ’ ନାଟକକୁ ଗ୍ରହଣ କରାଯିବାରେ ଆଲୋଚକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ପ୍ରକାଶ ପାଇଅଛି । ବୋଧହୁଏ ‘ବାବାଜୀ’ ନାଟକ ଭରତଙ୍କ ନାଟ୍ୟଶାସ୍ତ୍ରର ପରମ୍ପରା କିମ୍ବା ପାଶ୍ଚାତ୍ୟ ନାଟ୍ୟଶୈଳୀର ଧାରାରେ ରଚିତ ନ ହୋଇଥିବାରୁ ସେଇ କାଳରୁ ଏ ପର୍ଯ୍ୟନ୍ତ ବିଭିନ୍ନ ସମାଲୋଚକ ‘ବାବାଜୀ’ ନାଟକକୁ ଯଥାର୍ଥ ପ୍ରଥମ ନାଟକର ମାନ୍ୟତା ନ ଦେଇ ରାମଶଙ୍କର ରାୟଙ୍କ ‘କାଞ୍ଚିକାବେରୀ’ ନାଟକକୁ ସେଇ ସମ୍ମାନ ଦେଇ ଆସିବାରେ ପଶ୍ଚାତ୍ପଦ ହୁଅନ୍ତି ନାହିଁ ।
‘କାଞ୍ଚିକାବେରୀ’ ନାଟକ ରଚିତ ହୋଇଥିଲା ୧୮୮୦ ମସିହାରେ । ଅର୍ଥାତ୍ ଶ୍ରୀ ରାୟଙ୍କ ଉକ୍ତ ନାଟକଟି ରଚିତ ହେବାର ୩ ବର୍ଷ ପୂର୍ବରୁ ‘ବାବାଜୀ’ ନାଟକ ରଚିତ ହୋଇସାରିଥିଲା । ସେହି ଦୃଷ୍ଟିରୁ ତାହା ଜ୍ୟେଷ୍ଠତ୍ୱର ସମ୍ମାନ ପାଇବା କଥା । ପୁଣି ପ୍ରଶ୍ନ ହୋଇପାରେ ଯେ ଜଗନ୍ମୋହନ ଲାଲ୍ଙ୍କ ‘ବାବାଜୀ’ ନାଟକ ରଚିତ ହେବାର ୯ ବର୍ଷ ପୂର୍ବେ ଅର୍ଥାତ୍ ୧୯୬୮ ମସିହାରେ ରଘୁନାଥ ପରିଚ୍ଛାଙ୍କ ‘ଗୋପୀନାଥ ବଲ୍ଲଭ ନାଟକ’ ରଚିତ ହୋଇଥିଲା । ତେବେ ତାହାକୁ କ’ଣ ଆମ୍ଭେ ପ୍ରଥମ ଆଧୁନିକ ଓଡ଼ିଆ ନାଟକର ମାନ୍ୟତା ଦେବା ନାହିଁ? ଉତ୍ତର ଆସିବ – ନାଁ’ । ଗୋପୀନାଥ ବଲ୍ଲଭ ନାଟକକୁ ଆମ୍ଭେ ଗୀତିନାଟ୍ୟ ପର୍ଯ୍ୟାୟରେ ସ୍ଥାନିତ କରିପାରିବା । ଆଧୁନିକ ଓଡ଼ିଆ ନାଟକର ରୂପ, ରଙ୍ଗ ତଥା ବୈଶିଷ୍ଟ୍ୟ ଏହି ନାଟକରେ ଦେଖିବାକୁ ମିଳେ ନାହିଁ ବା ଆଧୁନିକ ନାଟକର ଲକ୍ଷଣ ଏହି ନାଟକରେ ନାହିଁ । ନାଟକର ସଂଳାପ ସ୍ୱାଭାବିକ ନୁହେଁ, ସଙ୍ଗୀତଧର୍ମୀ । ବିଷୟବସ୍ତୁ ମଧ୍ୟ ପୌରାଣିକ । ତେଣୁ ଆଧୁନିକ ସମାଜରେ ଅବସ୍ଥାନ କରି ଯଦି ନାଟକ ଜରିଆରେ ଆଧୁନିକ ମନୁଷ୍ୟର କଥା ନ କୁହାଯିବ, ଆଧୁନିକ ମନୁଷ୍ୟମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ବିବିଧ ସମସ୍ୟା ସହିତ ଯଦି ଦର୍ଶକମାନଙ୍କୁ ଜଡ଼ିତ ନ କରାଯାଇପାରିବ, ସର୍ବୋପରି ସାଧାରଣ ମନୁଷ୍ୟର ଭାଷା ଯଦି ନାଟକର ସଂଳାପରେ ନରୁହେ, ତେବେ ତାହାକୁ ଆଧୁନିକ ଓଡ଼ିଆ ନାଟକର ମାନ୍ୟତା ଦେବାର କୌଣସି ଅବକାଶ ନାହିଁ । ସେହି ଦୃଷ୍ଟିରୁ ‘ଗୋପୀନାଥ ବଲ୍ଲଭ ନାଟକ’ (ରଘୁନାଥ ପରିଚ୍ଛା)କୁ ପ୍ରଥମ ଆଧୁନିକ ଓଡ଼ିଆ ନାଟକର ଆଖ୍ୟା ଦିଆଯାଇ ନପାରେ । ଏବେ ବିଷୟବସ୍ତୁକୁ ଆସିବା ହେଉ ।
ସ୍ୱୟଂ ରାମଶଙ୍କର ରାୟ ‘କାଞ୍ଚିକାବେରୀ’ ନାଟକକୁ ପ୍ରଥମ ନାଟକର ମାନ୍ୟତା ଦେଇ କୁହନ୍ତି, “ବଙ୍ଗଳା ଅଭିନୟ ଦେଖି ଆସି ମନେ କଲି ଓଡ଼ିଆରେ ନାଟକ ନାହିଁ ବୋଲି ସିନା ଉଦ୍ୟକ୍ତାମାନେ ବଙ୍ଗଳା ନାଟକର ଅଭିନୟ କଲେ । ଦିନା କେତେ ଅପେକ୍ଷା କଲି, ମାତ୍ର କେହି ଅଭିନୟୋପଯୋଗୀ ଓଡ଼ିଆ ନାଟକ ନ ଲେଖିବାରୁ ର୍ମୁ ତହିଁରେ ହାତ ଦେଲି ।” (ମୁକୁର – ନବମ ସଂଖ୍ୟା / ୧୦ମ ପତ୍ର) ତେବେ ରାମଶଙ୍କର ରାୟଙ୍କ ମତରେ ଓଡ଼ିଆରେ ସେହିଭଳି କିଛି ମଞ୍ଚୋପଯୋଗୀ ଉତ୍କୃଷ୍ଟମାନର ନାଟକ ନ ଥିବାରୁ ଓଡ଼ିଶା ପ୍ରଦେଶରେ ବିଶେଷ କରି କଟକରେ ବିଭିନ୍ନ ବଙ୍ଗଳା ନାଟକ ଅଭିନୀତ ହେଉଥିଲା । ତେଣୁ ସେ ପ୍ରଥମ କରି ନାଟକ କ୍ଷେତ୍ରରେ ହାତ ଦେଲେ । ସେହି ଦୃଷ୍ଟିରୁ ତାଙ୍କ ଦ୍ୱାରା ରଚିତ ‘କାଞ୍ଚିକାବେରୀ’ ନାଟକ ହେଉଛି ପ୍ରଥମ ଓଡ଼ିଆ ଆଧୁନିକ ନାଟକ । ପୁଣି ରାମଶଙ୍କର ନିଜକୁ ପ୍ରଥମ ଔପନ୍ୟାସିକ ଭାବେ ଅନ୍ୟତ୍ର୍ର ଘୋଷଣା କରିଅଛନ୍ତି । (ରାମଶଙ୍କର ରାୟ ଗ୍ରନ୍ଥାବଳୀ – ଭୂମିକା, ପ୍ରଥମ ସଂସ୍କରଣ, ୧୯୩୦) କିନ୍ତୁ ଆଲୋଚକମାନଙ୍କ ଦ୍ୱାରା ସ୍ପଷ୍ଟ ହୋଇଯାଇଅଛି ଯେ ଓଡ଼ିଆ ଭାଷାରେ ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ ‘ପଦ୍ମମାଳୀ’ (୧୮୮୯) ଉମେଶ ଚନ୍ଦ୍ର ସରକାରଙ୍କ ଦ୍ୱାରା ରଚିତ ହୋଇଥିଲା । ରାମଶଙ୍କର ରାୟଙ୍କ ପ୍ରଥମ ଉପନ୍ୟାସ ‘ସୌଦାମିନୀ’ (୧୮୭୮) ‘ପଦ୍ମମାଳୀ’ ଉପନ୍ୟାସର ୧୧ ବର୍ଷ ପୂର୍ବର ରଚନା ଏବଂ ଏହା ‘ଉତ୍କଳ ମଧୁପ’ ପତ୍ରିକାରେ କ୍ରମାନ୍ୱୟ ଭାବେ ପ୍ରକାଶ ପାଇ ଚାଲୁଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ପତ୍ରିକାଟି ବନ୍ଦ ହୋଇଯିବା କାରଣରୁ ‘ସୌଦାମିନୀ’ ଉପନ୍ୟାସଟି ଅସମ୍ପୂର୍ଣ୍ଣ ହୋଇ ରହିଗଲା । ଯେହେତୁ ଏହି ଉପନ୍ୟାସଟି ଅସମ୍ପୂର୍ଣ୍ଣ ଏହାକୁ ପ୍ରଥମ ଉପନ୍ୟାସ ଏବଂ ରାମଶଙ୍କର ରାୟଙ୍କୁ ପ୍ରଥମ ଔପନ୍ୟାସିକର ମାନ୍ୟତା ଦିଆଯିବ କିପରି? ଏହାପରେ ରାମଶଙ୍କର ରଚନା କରୁଛନ୍ତି ତାଙ୍କ ଦ୍ୱିତୀୟ ଉପନ୍ୟାସ ‘ବିବାସିନୀ’ (ସମ୍ପୂର୍ଣ୍ଣ) । ଯାହା ଉମେଶ ଚନ୍ଦ୍ର ସରକାରଙ୍କ ‘ପଦ୍ମମାଳୀ’ ରଚିତ ହେବାର ୨ ବର୍ଷ ପରର ରଚନା । ତେଣୁ ଏହି ଉପନ୍ୟାସ ସମ୍ପୂର୍ଣ୍ଣ ହେଲେ ହେଁ ପ୍ରଥମ ଉପନ୍ୟାସ ଭାବେ ଗ୍ରହଣ କରାଯିବ କିପରି? ଅତଏବ ରାମଶଙ୍କର ପ୍ରଥମ ଔପନ୍ୟାସିକର ଗୌରବ ପାଇବା ପାଇଁ ଯାହା ଦାବି କରିଅଛନ୍ତି ତାହା ଯେପରି ଅମୂଳକ, ତାଙ୍କର ପ୍ରଥମ ନାଟ୍ୟକାର ଦାବି ମଧ୍ୟ ସେହିପରି ଅଯଥାର୍ଥ । ରାମଶଙ୍କରଙ୍କ ‘କାଞ୍ଚିକାବେରୀ’ ନାଟକ ରଚିତ ହୋଇଥିଲା ୧୮୮୦ ମସିହାରେ । କିନ୍ତୁ ଏହି ନାଟକ ରଚିତ ହେବାର ୩ ବର୍ଷ ପୂର୍ବରୁ ଜଗନ୍ମୋହନଙ୍କ ‘ବାବାଜୀ’ (୧୮୭୭) ନାଟକ ରଚିତ ଏବଂ ଅଭିନୀତ । ତାହା ସହ ‘ବାବାଜୀ’ ଏକ ସମ୍ପୂର୍ଣ୍ଣ ନାଟକ । ଅସମ୍ପୂର୍ଣ୍ଣତାର କୌଣସି ଲକ୍ଷଣ ଉକ୍ତ ନାଟକରେ ଦେଖିବାକୁ ମିଳେନା । ଅବଶ୍ୟ ଏହା ସତ୍ୟ ଯେ, ସେ ସମୟରେ ଓଡ଼ିଶାର ସାଂସ୍କୃତିକ ପୀଠସ୍ଥଳ ରୂପେ ‘କଟକ’କୁ ଧରାଯାଉଥିଲା । ସେ ବଙ୍ଗଳା ନାଟକ ହେଉ ଅବା ଇଂରାଜୀ ନାଟକ ହେଉ, ତାହା ପ୍ରଥମେ ମଞ୍ଚସ୍ଥ ହେଉଥିଲା କଟକରେ । ଏମିତିକି ରାମଶଙ୍କର ରାୟଙ୍କ ‘କାଞ୍ଚିକାବେରୀ’ ନାଟକ ମଧ୍ୟ ଅଭିନୀତ କଟକ ଠାରେ (କୋଠପଦା ରଙ୍ଗମଞ୍ଚ) । ସେହି ହେତୁରୁ ହୁଏତ ନାଟ୍ୟକାର ରାୟ ତାଙ୍କ ନାଟକକୁ ଆଦି ଓଡ଼ିଆ ନାଟକ ଭାବେ ଗ୍ରହଣ କରି ନେଇଛନ୍ତି । କାରଣ ଜଗନ୍ମୋହନଙ୍କ ‘ବାବାଜୀ’ ପ୍ରଥମ ଓଡ଼ିଆ ନାଟକ ଭାବେ ରଚିତ ହୋଇଥିଲେ ମଧ୍ୟ ସହରୀ କଟକ ଠାରେ ଅଭିନୀତ ହୋଇ ନଥିଲା । କଟକ ଠାରୁ ସୁଦୂର ଏକ ଅଖ୍ୟାତ ପଲ୍ଳୀ ମାହାଙ୍ଗା ଠାରେ ନିଜସ୍ୱ ପ୍ରତିଷ୍ଠିତ ‘ରାଧାକାନ୍ତ ରଙ୍ଗମଞ୍ଚ’ ଠାରେ ତାଙ୍କ ‘ବାବାଜୀ’ ନାଟକକୁ ଅଭିନୀତ କରାଇଥିଲେ । ଯେଉଁଥିରେ ସ୍ୱୟଂ ଲାଲ୍ ‘ବାବାଜୀ’ ଭୂମିକାରେ ଅଭିନୟ କରିଥିଲେ । ତେବେ ଏଠାରେ ମନେ ରଖିବା ଉଚିତ୍ ହେବ ଯେ ଓଡ଼ିଶା କହିଲେ କେବଳ କଟକକୁ ବୁଝାଏ ନାହିଁ । ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରିତ ରୂପ ଓଡ଼ିଶା ପ୍ରଦେଶ । ତେଣୁ ଏହି ସୂତ୍ରରୁ ଗ୍ରହଣ କରାଯାଇପାରେ ଯେ ଆଦି ଓଡ଼ିଆ ନାଟ୍ୟକାରର ଗୌରବ ଲାଭ ରାମଶଙ୍କର ରାୟ ନୁହଁନ୍ତି । ବରଂ ଜଗନ୍ମୋହନ ଲାଲଙ୍କୁ ହିଁ ପ୍ରାପ୍ୟ ।
(କ୍ରମଶଃ …)
ଚିନ୍ମୟ ସାମଲ
ଓଡ଼ିଆ ଅଧ୍ୟାପକ
ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ