ଉତ୍ତର ଓଡ଼ିଶା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ବୁଝାଇଥାଏ । ଏହି ପାଞ୍ଚଟି ଜିଲ୍ଲାର ଖାଦ୍ୟ ସଂସ୍କୃତିରେ ଥିବା ଅନନ୍ୟତାକୁ ଲେଖକ ବିଶିଷ୍ଟ ଚିତ୍ର ଶିଳ୍ପୀ ଅଶୋକ କୁମାର ମହାନ୍ତି ଏଠାରେ ବର୍ଣ୍ଣନା କରିଛନ୍ତି । କେମିତି ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରେ ପଖାଳ ସାଧାରଣତଃ ଗ୍ରାମ୍ୟ ଜୀବନ ଧାରା ସହ ଓତଃପ୍ରୋତ ଭାବେ ଜଡ଼ିତ ହୋଇଥିବା ବେଳେ ବାରିପଦା, ବାଲେଶ୍ୱର, ଜଳେଶ୍ୱର ଏପରିକି ଭଦ୍ରକ ଲୋକଙ୍କର ପ୍ରିୟ ଜଳଖିଆ ମୁଢ଼ି । ପ୍ରତ୍ୟେକ ସ୍ଥାନର ନିଜର କିଛି ଖାଦ୍ୟ ରହିଛି ଯାହା ସେହି ସ୍ଥାନର ପରିଚୟକୁ ପ୍ରକାଶ କରିଥାଏ ଯେମିତି ଛତିଆର କାକରା, ବାଲେଶ୍ୱରର ଗଜା, ଭଦ୍ରକର ପାଲୁଅ ଲଡୁ ଓ ଛେନା ମୁଡ଼ୁକି, ନିମାପଡ଼ାର ଛେନା ଝିଲି, ନୟାଗଡ଼ ଛେନାପୋଡ଼ ଇତ୍ୟାଦି । ଏହି ଖାଦ୍ୟ ସଂସ୍କୃତିକୁ ଲିପିବଦ୍ଧ କରିବା ପାଇଁ ସମଧ୍ୱନି ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇ ଆସିଛି । – ସମ୍ପାଦକ
ଓଡ଼ିଶାର ମାନଚିତ୍ର ଗ୍ରାମମାନଙ୍କୁ ନେଇ ସମୃଦ୍ଧ । ନଦୀ ଅବବାହିକାରେ ଗଢ଼ି ଉଠିଥିବା ଗ୍ରାମ୍ୟ ସଂସ୍କୃତି କେତେକ ସ୍ଥାନରେ ସହରର ରୂପ ନେଲାଣି, ମାତ୍ର ସେଠି ରହୁଥିବା ଗାଁର ମଣିଷମାନଙ୍କର ପ୍ରକୃତି ଓ ଚାଲିଚଳନର ପରିବର୍ତ୍ତନ ହୋଇନାହିଁ । ଓଡ଼ିଶାକୁ ଚାରୋଟି ଭାଗରେ ବିଭକ୍ତ କଲେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶା ଭାବରେ ଗଣାଯିବ । ଉତ୍ତର ଓଡ଼ିଶା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ବୁଝାଇଥାଏ । ମୟୂରଭଞ୍ଜ ଓ କେନ୍ଦୁଝର ଅଂଚଳରେ କିଛିଟା ଆଦିବାସୀ ଲୋକ ଦେଖାଯାଆନ୍ତି । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇ ଏସବୁ ଅଞ୍ଚଳକୁ ଶସ୍ୟ ଶ୍ୟାମଳା କରିଥାଏ । ଧାନ ଏମାନଙ୍କର ମୁଖ୍ୟ ଫସଲ । ଏହା ପରେ ବିରି, ମୁଗ, କୋଳଥ, ହରଡ଼ ଯଅ ବାଜରା ପାଳୁଅ ଇତ୍ୟାଦି ଫସଲ ଚାଷ କରାଯାଏ । ପନିପରିବା ମଧ୍ୟରେ ଅମୃତଭଣ୍ଡା, କଲରା, ଭେଣ୍ଡି, ଆଳୁ, ପୋଟଳ, ଟମାଟୋ, ଲଙ୍କା, ବିଭିନ୍ନ ପ୍ରକାର କୋବି, କାଙ୍କଡ଼, ବାଇଗଣ, ଝୁଡଙ୍ଗ, କାକୁଡ଼ି, ବିନ୍, ମକା, ଚିନାବାଦାମ, ସୋରିଷ, ଧଣିଆ ଇତ୍ୟାଦି ସହ ସଜନା, କଳମ, ମାରିଷ, କୁଶିଳା, ମଦରଙ୍ଗା ଇତ୍ୟାଦି ଚାଷ କରାଯାଇ ଥାଏ ଓ ଫଳଗଛ ଯଥା ଆମ୍ବ, ନଡ଼ିଆ, ପିଜୁଳି, କରମଙ୍ଗା, ସଫେଟା, ବେଲ, ଅନାରସ, ଲିଚୁ, କଦଳୀ, ଲଙ୍କାଆମ୍ବ, ପଣସ, ବରକୋଳି, ଓଉ ଇତ୍ୟାଦି ଗଛମାନ ସାଧାଣତଃ ବାରିମାନଙ୍କରେ ଲଗାଯାଇଥାଏ । ଏତଦ୍ ଭିନ୍ନ ଗାଁର ଲୋକମାନେ ଜଡ଼ା, ଜେଉଠ, ଡିମ୍ବିରିକୁ ଖାଦ୍ୟଭାବେ ଗ୍ରହଣ କରିଥାନ୍ତି । କଦଳୀ ପୁଣି ବିଭିନ୍ନ ପ୍ରକାରର ପାଚିଲା ଓ କଞ୍ଚା କଦଳୀ, ପାଟୁଆ, ବନ୍ତଳ, ପାଟକୁରା, ଦକ୍ଷିଣ ସାଗର ଇତ୍ୟାଦି । ଏହାର ଭଣ୍ଡା ଓ ମଞ୍ଜା ଲୋକମାନଙ୍କର ପ୍ରିୟ ଖାଦ୍ୟ । ମାଟିତଳେ ମିଳୁଥିବା ଖମ୍ବାଆଳୁ, ଓଲୁଅ, ଗାଜର, ବିଟ, ହଳଦୀ, ଅଦା, ପିଆଜ, ରସୁଣ ଇତ୍ୟାଦି ମଧ୍ୟ ଚାଷ କରିଥାଆନ୍ତି ।
ଗାଁର ମାଟିର ବାସ୍ନା ନିଆଁରା । ଶାଳନ୍ଦୀ, ବୈତରଣୀ, ସୁବର୍ଣ୍ଣରେଖା, କାଂଶବାଂଶ ଏବଂ ଏହାର ଶାଖା ନଦୀମାନ ଏଇ ବାଟ ଦେଇ ପ୍ରବାହିତ ହୋଇ ଚାଷ ଜମିକୁ ଶସ୍ୟ ଶ୍ୟାମଳା କରିଛନ୍ତି । ଅବଶ୍ୟ ବର୍ଷା ଦିନେ ନଦୀମାନଙ୍କରେ ବନ୍ୟା ଆସି କ୍ଷତି ଘଟିଥାଏ, ତଥାପି ନଦୀ ଜଳରେ ସ୍ନାନ କରିବା ଠାରୁ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ଅନେକ ଆଗରୁ ନଦୀ ଝରଣାର ଜଳରେ ଖାଦ୍ୟ ପ୍ରସ୍ତୁତ ଓ ପିଇବା ପାଇଁ ବ୍ୟବହାର କରୁଥିଲେ । ବାଲେଶ୍ୱର, ଭଦ୍ରକ ବଙ୍ଗୋପସାଗର କୂଳରେ ଅବସ୍ଥିତ ଥିବାରୁ ଉକ୍ତ ନଦୀମାନେ ପାହାଡ଼ମାନଙ୍କରୁ ଉତ୍ପନ୍ନ ହୋଇ ସାଗରରେ ଲୀନ ହୋଇଥାଆନ୍ତି । ତେଣୁ ମାଛ ମାରିବା ଏ ଦୁଇ ଜିଲ୍ଲାର ପ୍ରମୁଖ ବ୍ୟବସାୟ ପାଲଟିଯାଇଛି । ଲୁଣା ଅଞ୍ଚଳରେ ଲୁଣି ଓ ମଧୁର ଜଳ ମିଶ୍ରଣ ସ୍ଥାନରେ ପ୍ରବଳ ମାତ୍ରାରେ ଏଇ ଦୁଇ ଜିଲ୍ଲାରେ ଚିଙ୍ଗୁଡ଼ି ଚାଷ ହେବା ସହ ବିଭିନ୍ନ ପ୍ରକାର ଲୁଣି ମାଛ ସମୁଦ୍ର ଗର୍ଭରୁ ଆମଦାନୀ କରି ଥାଆନ୍ତି । ସମୁଦ୍ର ଜଳ ପ୍ରଦୁଷିତ ହେଉଥିବାରୁ ବହୁତ ବଡ଼ ବଡ଼ ମାଛ କୂଳକୁ ଆସି ଜାଲରେ ଧରା ପଡ଼ୁଛନ୍ତି । ବାର୍ଷାଦିନେ ଇଲିସ ପ୍ରଚୁର ପରିମାଣରେ ଏ ଅଞ୍ଚଳରେ ମିଳିଥାଆନ୍ତି । ବିଶେଷ କରି ଚାନ୍ଦବାଲି, ଧାମରା, ଚାନ୍ଦିପୁର, ବନ୍ଦର ଅଞ୍ଚଳ ଏହାର ପେଣ୍ଠସ୍ଥଳି । ଏହିଠାରୁ ମାଛ ବିଭିନ୍ନ ଅଞ୍ଚଳକୁ ବିଶେଷ କରି ପଶ୍ଚିମବଙ୍ଗ ଓ ବିଦେଶକୁ ଚାଲାଣ ହୋଇଥାଏ ।
ଉପରୋକ୍ତ ପନିପରିବାକୁ ନେଇ ଏ ଅଞ୍ଚଳର ଲୋକମାନେ ନିଜର ଖାଦ୍ୟ ଭାବେ ଗ୍ରହଣ କରିଥାଆନ୍ତି । ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରେ ପଖାଳ ସାଧାରଣତଃ ଗ୍ରାମ୍ୟ ଜୀବନ ଧାରା ସହ ଓତଃପ୍ରୋତ ଭାବେ ଜଡ଼ିତ । ଚଷାପୁଅର ପଖାଳ ପ୍ରିୟ ଖାଦ୍ୟ । ଏପରିକି ରାତିରେ ପଖାଳ ଖାଇଲେ ଭଲ ନିଦ ଆସିଥାଏ । ବିଲରେ ଖରାରେ ତଣ୍ଟି ଖୁଖି ଯାଉଥିବା ବେଳେ ତା ପାଖରେ ପହଞ୍ଚେ ପଖାଳ, ବଳଦ ଦୁଇଟାକୁ ଠିଆ କରାଇ ବିଲ ମୁଣ୍ଡକୁ ଚାଲିଯାଇ ଗଣ୍ଠୁଳି ଫିଟାଏ, ତା ଭିତରେ ତା ପାଇଁ ଥାଏ ବେଲାରେ ବେଲେ ପଖାଳ । ତା ଉପରେ ତାଟିଆରେ ମଦରଙ୍ଗା କି ସୁନୁସୁନିଆ ଶାଗ ଭଜା, ବଡ଼ିଚୁରା, ଆମ୍ବୁଲ ଖଣ୍ଡିଏ ଓ କଞ୍ଚାଲଙ୍କା ଆଉ ଲୋଟାରେ ଲୋଟାଏ ପାଣି । ପଖାଳ କଂସାରୁ ଗୁଣ୍ଡାକୁ ଗୁଣ୍ଡା କରି ଭାତ ପାଟିକୁ ନେବା ସହ ଟାକରା ଫୁଟାଇ ଖଟା ଖାଇବାର ଦୃଶ୍ୟ ଅତି ନିଆରା । ଏକ ନିପଟ ମଫସଲରେ ଗୋଟିଏ ଓଡ଼ିଆ ଚାଷୀ ପରିବାରର ଖରାବେଳେ ଦୃଶ୍ୟରେ ପଖାଳ ଖିଆର ଅନୁଭୂତି ବେଶ୍ ଆନନ୍ଦଦାୟକ । ପଖାଳ ଓଡ଼ିଆ ଖାଦ୍ୟ ରୁଚିର ପ୍ରତିନିଧି ।
ଭାତରେ ପାଣିଦେଇ ରାତିରୁ ରଖିଦେଲେ ସକାଳର ସୂର୍ଯ୍ୟ କିରଣରେ ଏହା ସାମାନ୍ୟ ଖଟା ହୋଇଥାଏ । ଭାତ ରାନ୍ଧି ସଂଗେ ସଂଗେ ପାଣିଭରି ଥଣ୍ଡା ହୋଇ ସଜପଖାଳ ପ୍ରସ୍ତୁତ କରାଯାଏ । ଏଥିରେ ଅମ୍ଳଅଂଶ ଯଥା- କାଗଜିଲେମ୍ବୁ, ଦହି ପକାଇଲେ ତାହା ବେଶ୍ ସ୍ୱାଦ ଯୁକ୍ତ ହୋଇଥାଏ । ବାସି ପଖାଳ ଗରମ ଭାତରୁ ପେଜ ନ ଗାଳି ସେଥିରେ ଥଣ୍ଡାପାଣି ମିଶାଇ ସଜପଖାଳ ପ୍ରସ୍ତୁତ ହେଉଥିଲା ବେଳେ ବାସି ପଖାଳ ଦଶ ବା ବାରଘଣ୍ଟା ପରେ ବାସି ପଖାଳରେ ପରିଣତ ହୋଇଥାଏ । ସଜ ପଖାଳକୁ ଭେରଷୁଙ୍ଗା ପତ୍ର, ଟଭାପତ୍ର ଛୁଙ୍କ ଦେଇ ପରେ ସେଥିରେ କଟା ଦେଶୀ ପିଆଜ, ବସା ଦହି, ଆମ୍ବ କଶିଆ ଅଦା, କଞ୍ଚାଲଙ୍କା ଲୁଣ ଆବଶ୍ୟକ ଅନୁସାରେ ପ୍ରସ୍ତୁତ କରାଗଲେ ତାହା ବେଶ୍ ସ୍ୱାଦଯୁକ୍ତ ହୋଇଥାଏ । ବାସି ପଖାଳ ଦୁଇ ଦିନ ପର୍ଯ୍ୟନ୍ତ ଖଟା ହେବା ପାଇଁ ରଖାଯାଇଥିରୁ ଏ ସବୁର ଆବଶ୍ୟକତା ତା ପାଇଁ ନ ଥାଏ । ଓଡ଼ିଆ ପୁଅର ଜୀବନ ଧାରା ଠାରୁ ପଖାଳ ଅଦ୍ୱିତୀୟ । ଏହି ପଖାଳରେ ଔଷଧୀୟ ଗୁଣ ମିଶି କରି ରହିଥାଏ । ଚାଇଁ ପଖାଳ ଖାଇ ତୋରାଣି ମୁନ୍ଦିଏ ପିଇ ଦେଲେ ଖରାଦିନରେ ବହୁତ ଶାନ୍ତି ମିଳେ । ଏହାଦ୍ୱାରା କୋଷ୍ଠକାଠିର୍ଣ୍ଣ୍ୟ, ଅଜୀର୍ଣ୍ଣ, ପେଟ ବ୍ୟଥା ଇତ୍ୟାଦି ଛାଡ଼ିଥିବା ବେଳେ ପେଜ ଥିବା ପଖାଳ ଅନେକ ସମୟରେ ରୋଗୀମାନଙ୍କ ପଥିଭାବେ ବ୍ୟବହୃତ ହୁଏ । ଆଦିବାସୀମାନେ ପେଜ ପଖାଳକୁ ହାଣ୍ଡିଆରେ ପରିଣତ କରିଥାଆନ୍ତି, ଏହି ହାଣ୍ଡିଆ ମୟୁରଭଞ୍ଜ ଓ କେନ୍ଦୁଝର ଆଦିବାସୀ ସଂପ୍ରଦାୟରେ ବ୍ୟବହାର କରାଯାଏ ।
ଓଡ଼ିଶା ପରମ୍ପରାରେ ପଖାଳ ଏକ ଅବିଛେଦ୍ୟ ଅଙ୍ଗ । ଯାହାଫଳରେ ଆମ ପ୍ରିୟ ଠାକୁର ଜଗନ୍ନାଥଙ୍କ ଠାରେ ଓ ମାର୍ଗଶୀର ମାସ ମହାଲକ୍ଷ୍ମୀଙ୍କ ଠାରେ ପ୍ରସାଦ ରୂପେ ପଖାଳ ଲାଗି କରାଯାଏ । ପଖାଳ ଭାତରେ ବିଭିନ୍ନ ପ୍ରକାରର ଚଟଣୀ, ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ସମେତ ବିଭିନ୍ନ ପ୍ରକାର ଶାଗଭଜା ଯଥା ସୁନସୁନିଆ, ଲେଉଟିଆ, ମଦରଙ୍ଗା ସଜନା କଳମ ଇତ୍ୟାଦି ଆହୁରି ମଧ୍ୟ ପତ୍ରପୋଡ଼ା କଷି ଆମ୍ବ ଚଟଣି, ଛତୁ ପୋଡ଼ା, କାକୁଡ଼ି, ପେଣ୍ଡି-ଜହ୍ନିଚକଟା, ବଡ଼ିଚୁରା, ସୁଖୁଆ, ଚିଙ୍ଗୁଡ଼ି ମାଛ, କଙ୍କଡ଼ା ଛେଚା, ଇତ୍ୟାଦି କଞ୍ଚାଲଙ୍କା, ପିଆଜ, ରସୁଣ ଓ ସୋରିଷ ବଟା ଦେଇ ପ୍ରସ୍ତୁତ କଲେ ତାର ସୁଆଦ ପାଟିରୁ ଛାଡ଼େ ନାହିଁ । ଏଥିପାଇଁ ବିଶେଷ କିଛି ଖର୍ଚ୍ଚ ପଡ଼ି ନ ଥାଏ । ଗାଁର ବାରିଘରରୁ ଆମଦାନୀ ହେଉଥିବା ଶାଗ, ମାଛ, ଆମ୍ବ, ଶିମ୍ବ ଇତ୍ୟାଦି ନେଇ ପଖାଳଗୁଣ୍ଡା ଆପଣାଛାଏଁ ପେଟକୁ ଚାଲିଯାଇଥାଏ । ପଖାଳ ସହ ଶେଷରେ ତୋରାଣି ମୁନ୍ଦିକ ମନଶାନ୍ତି କରିଦିଏ । ବଡ଼ ଦେଉଳରେ ଟଙ୍କ ତୋରାଣୀ ଏହାର ଅନ୍ୟ ଏକ ଉଦାହାରଣ । ମାଟିହାଣ୍ଡିର ପଖାଳ ଖଣ୍ଡେ ଦୂରକୁ ମହ ମହ ବାସିଥାଏ । ଚାଷୀ ବସି ଘରେ ସକାଳୁ ସକାଳୁ ପେଟେ ପଖାଳ ଖାଇ ଯେ ଯାହା କାମକୁ ବିଲବାଡ଼ିକୁ ବାହାରିଯାଆନ୍ତି । ଏଣୁ ଗ୍ରାମ୍ୟ ଚଳଣିରେ ବେରୋଜଗାର ଲୋକଟିଏ ଓ ନିହାତି ଗରିବ ଲୋକଟିଏ ପଖାଳ ଦୁଇମୁଠା ଖାଇ ସୁରୁଖୁରେ ଚଳି ଯାଇଥାଆନ୍ତି । ଶାଗ, ମାଛ ପନିପରିବା ଘର ବାଡ଼ିରୁ ଆମଦାନୀ କରାଯାଇ ଥାଏ । ଏହି ପଖାଳ କେବଳ ଉତ୍ତର ଓଡ଼ିଶାର ଲୋକମାନଙ୍କ ପ୍ରିୟ ନୁହଁ, ସାରା ଓଡ଼ିଶାର ଲୋକମାନଙ୍କ ପ୍ରିୟ ଖାଦ୍ୟ । ଆଜି ଆଧୁନିକ ହାୱାରେ ଏ ସବୁ ହଜିଯାଉଥିବା ବେଳେ ସହରରେ ହୋଟେଲମାନଙ୍କରେ ଚଢ଼ା ଦାମରେ ପଖାଳ ବିକ୍ରି ହେଲାଣି । ଯେହେତୁ ଏହା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ସେହେତୁ ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ । ନିକଟରେ ପ୍ରଧାନମନ୍ତ୍ରୀ ଆସିଥିବା ବେଳେ ଆମ ମୁଖ୍ୟମନ୍ତ୍ରୀ ମହୋଦୟ ତାଙ୍କୁ ପଖାଳ ଭାତ ଦେଇ ଆପ୍ୟାୟିତ କରିଥିଲେ ।
ବାରିପଦା, ବାଲେଶ୍ୱର, ଜଳେଶ୍ୱର ଏପରିକି ଭଦ୍ରକ ଲୋକଙ୍କର ପ୍ରିୟ ଜଳଖିଆ ମୁଢ଼ି । ବର୍ଷାଦିନେ ମୁଢ଼ି ନଡ଼ିଆ ଅବା ସମୟ କାଟିବା ପାଇଁ ଟ୍ରେନରେ ମୁଢ଼ି ସହ ବିଭିନ୍ନ ପ୍ରକାର ବୁଟ, ବାଦାମ, ସେଓ, ପିଆଜ, ଲଙ୍କା, ନଡ଼ିଆ ସହ ଦୁଇଟୋପା ସୋରିଷ ତେଲ ପକାଇ ଏହା ମିଳିଥାଏ। ମୁଢ଼ି, ପିଆଜ, ସୋରିଷ ତେଲ ଓ ଲଙ୍କାର ମିଶ୍ରଣରେ ଅବସର ସମୟର ପ୍ରିୟ ଖାଦ୍ୟ ଭାବେ ବ୍ୟବହୃତ ହୁଏ । ସକାଳୁ ସକାଳୁ ମୁଢ଼ିରେ ପାଣି ଭରି ଛାଣି, ଲଙ୍କା ପିଆଜ ଲଗାଇ ଆରାମ ଭୋଜନଟିଏ ହୋଇଥାଏ । ଜଳେଶ୍ୱର, ଅମରଦା, ରାଇବଣିଆ, ଭୋଗରାଇ ଅଞ୍ଚଳର ବାହାଘରରେ ପହଞ୍ôଚଲେ ମୁଢ଼ି ସହ ପିଆଜ, ଲଙ୍କା ଓ ପାଣି ଢାଳଟିଏ ଥୋଇ ଜଳଖିଆ ରୂପେ ବାଢ଼ିଥାନ୍ତି । ଅତିଥି ଜଣକ ଆବଶ୍ୟକ ମୁତାବକ ମୁଢ଼ି ନେଇ ଖାଇଥାଆନ୍ତି । କେବଳ ବନ୍ଧୁ ବାନ୍ଧବ ନୁହଁ ଏହା ସେମାନଙ୍କର ନିତିଦିନିର ଖାଦ୍ୟ । ବାରିପଦା ଅଞ୍ଚଳରେ ସମସ୍ତ ଜଳଖିଆ ଦୋକାନମାନଙ୍କରେ ମୁଢ଼ି ମାଂସର ସ୍ୱାଦ ନିଆରା । ସେଠାରେ ପ୍ରସ୍ତୁତ ମୁଢ଼ି ଅନ୍ୟ ଅଞ୍ଚଳ ମୁଢ଼ି ଠାରୁ ସାମାନ୍ୟ ବଡ଼ ଦେଖାଯାଇଥାଏ । ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ପଖାଳ ହୋଇଥିବା ବେଳେ ପ୍ରିୟ ଜଳଖିଆ ମୁଢ଼ି । ଗାଁ ଗହଳର ଗରିବଲୋକ ସକାଳୁ ମୁଢ଼ି ଗଣ୍ଡେ ଖାଇ ଆଠ ଦଶ ଘଣ୍ଟା ପର୍ଯ୍ୟନ୍ତ କାମ କରିଥା’ନ୍ତି । ଟିକେ ଥିଲାବାଲା ଘର ମୁଢ଼ି ସହ ଚିନାବାଦାମ, ବରା, ପକୋଡ଼ି କି ପିଆଜ ପକାଇ ଖାଉଥିଲା ବେଳେ ନିହାତି ଗରିବ ଲୋକଟିଏ ଲଙ୍କା ଦେଇ ଖାଇଥାଏ । ଆମ ଓଡ଼ିଶାରେ ମୁଢ଼ିର ପ୍ରଚଳନ ପରି ସାରାଦେଶରେ ଅନ୍ୟ କେଉଁଠି ଏହା ଦେଖାଯାଏ ନାହିଁ ।
ଚୁଲିରେ ହାଣ୍ଡି ବସାଇ ତହିଁରେ ଆବଶ୍ୟକ ଅନୁସାରେ ପାଣି ଓ ଲୁଣଦେଇ ଚାଉଳ ଉବୁଜାଯାଏ । ଉବୁଜା ଯାଇଥିବା ଚାଳକୁ ହାଣ୍ଡିରେ ବାଲି ଦେଇ ଗରମ କରି ଉବୁଜା ଚାଉଳ ପକାଇ ଥରଥର କରି ଖଡ଼ିକାରେ ମୁଢ଼ି ଭଜା ଯାଏ । ମୁଢ଼ି ଭଜା ଓଡ଼ିଆ ଘର ଚଳଣିରେ ଏକ ଅଂଶ ସ୍ୱରୂପ । ଆଗରୁ ବାହା ହୋଇଥିବା ଝିଅ ମୁଢ଼ି ଭଜା ଶିଖି ନ ଥିଲେ ତାକୁ ନାନା ଗଞ୍ଜଣା ଶୁଣିବାକୁ ମିଳୁଥିଲା । ଗାଁ ମାନଙ୍କରେ ମୁଢ଼ି ପ୍ରସ୍ତୁତ ହୋଇ ସହରମାନଙ୍କୁ ବିକ୍ରି ପାଇଁ ଯାଇଥାଏ । ମୁଢ଼ି ତିଆରି ଘରର ସ୍ତ୍ରୀ ଲୋକମାନଙ୍କର ଏକ କଳା, ମୁଢ଼ି ତିଆରି କରି ବିକ୍ରୀ କରି ଗୁଜୁରାଣ ମେଣ୍ଟାଉ ଥିବା ଲୋକମାନଙ୍କର ଏହା ଏକ କୁଟୀର ଶିଳ୍ପ । ମୁଢ଼ି ପାଇଁ ବିଶେଷତଃ ଯଯାତୀ, ତୁଳସୀ, ରାଣିସିଆ, ଜଗନ୍ନାଥ, ମୋତିଲାଲ ପ୍ରଭୃତି ଧାନର ଆବଶ୍ୟକତା ପଡ଼ିଥାଏ । ଏସବୁ ଧାନକୁ ପାଣିରେ ଫୁଟାଇ ତାକୁ ଛାଣି କରି ହାଣ୍ଡିରେ ସିଝା ଯାଏ । ଧାନରୁ ପାଣି ମରିଗଲେ ତାକୁ ଦୁଇ / ତିନି ଘଣ୍ଟା ଖରାରେ ଶୁଖାଯାଏ । ଶୁଖିଗଲା ପରେ ଧାନ ବତୁର ହୋଇଯାଏ । ତାକୁ ନେଇ ଢିଙ୍କିରେ କୁଟି ଚାଉଳ ବାହାର କରାଯାଏ । ଏହି ଚାଉଳରେ ଭଳ ମୁଢ଼ି ଫୁଟିଥାଏ । ଭଜା ବାଲି କଳା ମଚମଚ ହୋଇଥିବା ବେଳେ କଇଁ ଫୁଲ ପରି ମୁଢ଼ି, ଭାଜିବା ଦୃଶ୍ୟ ଖୁବ୍ ମନୋରମ । ଏବେ ଏବେ ମୁଢ଼ି ଭାଜିବା ପାଇଁ ମେସିନ୍ର ବ୍ୟବହାର ହେଉଛି । ଭାଟିରେ ମୁଢ଼ି ଚାଉଳ ଆଣି ଦେଲେ କର୍ମଚାରୀମାନେ ଲୁଣପାଣି ଓ ବିନା ଲୁଣ ପାଣିରେ ମୁଢ଼ି ଭାଜି ଦେଇ ଥାଆନ୍ତି ।
ଚୁଡ଼଼ାପରି ମୁଢ଼ି ପାଇଁ ମେସିନ୍ ବାହାରି ଗଲାଣି । ସହରମାନଙ୍କରେ ଇଟାଭାଟି ପରି ମୁଢ଼ି ଭାଟିର ପ୍ରଚଳନ ହେଲାଣି । ମୁଢ଼ି ପାଇଁ ମୟୂରଭଞ୍ଜ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ଲାଭ କରିଛି । ଷଢେ଼ଇକଳା, ଖରସୁଆଁରେ ଲୋକେ ଭୋଜି ଭାତ ଖାଇସାରିବା ପରେ ଶେଷରେ ମୁଢ଼ି ପରସାଯିବାର ବିଧି ରହିଛି । ଢେଙ୍କାନାଳରେ ମଧ୍ୟ ମୁଢ଼ି ଲୋକମାନଙ୍କର ବେଶ୍ପ୍ରିୟ । ଏବେ ଏବେ ଉତ୍ତର ଓଡ଼ିଶାରେ ବିବାହ ଭୋଜିରେ ମୁଢ଼ି ମାଂସର ପ୍ରଚଳନ ଆରମ୍ଭ ହୋଇଯାଇଛି । ମୁଢ଼ି ସହ ମସଲାବରା କିଛି ଲୋକଙ୍କର ବେଶ ପ୍ରିୟ । ଦୋକାନମାନଙ୍କରେ ମୁଢ଼ି ମାଂସ ସହ ଅନ୍ୟତ୍ର ମୁଢ଼ି ସହ ମଟର ଆଳୁ ତରକାରୀ, ପିଆଜ, ଚଟଣୀ, ଧନିଆପାତ୍ର, ଆଚାର, ଆଳୁଦମ, ସେଓ ପ୍ରଭୃତି ମିଳିଥାଏ, ଏହା ମୁଢ଼ିକୁ ଆହୁରି ରୁଚିକର କରାଇଥାଏ ।
ମୁଢ଼ି ସହ ଆଳୁଚପ୍, ସିଙ୍ଗଡ଼ା, ବାନାମ୍, ନଡ଼ିଆ, କାକୁଡ଼ି, ପିଆଜ, ବିଲାତି, ଡାଲିବୁଟ, ଆଳୁକଷା, ସେଓ, ଧନିଆପତ୍ର, ଗୋଲମରିଚ, ଜିରାଗୁଣ୍ଡା, ଲଙ୍କାଗୁଣ୍ଡା, ବିଟ୍ ଲୁଣ ଦେଇ ପ୍ରସ୍ତୁତ କରିଥାଆନ୍ତି । ଖାଲି ମୁଢ଼ି ପିଆଜ, ମିକ୍ସଚର ଓ ତହିଁରେ ଆଚାର ତେଲ ଓ କଂଚା ଲଙ୍କା ପକାଇ ଖାଇଲେ ତାହା ସ୍ୱାଦଯୁକ୍ତ ହୋଇଥାଏ । ମୁଢ଼ି ଉତ୍ତର ଓଡ଼ିଶାର ବାରିପଦା, ରାଇରଗଂପୁର, କୂଳିଅଣା, କରଞ୍ଜିଆ, ଯଶୀପୁର, ବାଙ୍ଗିରୀପୁଷୀ, କଳାବାଡ଼ିଆ, ଦେଉଳ, କଣ୍ଟାପାଳ ପ୍ରଭୃତି ଅଞ୍ଚଳରେ ଏହା କୁଟୀର ଶିଳ୍ପ ଭାବେ ପ୍ରସ୍ତୁତ ହୋଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇଥାଏ । ଯାହା ବିଶେଷ କରି ବାରିପଦାର ଗରମମୁଢ଼ି ନାଁରେ ପ୍ରଚଳିତ । ବାଲେଶ୍ୱର ଭଦ୍ରକରେ ମୁଢ଼ି ଭାଟି ସହରମାନଙ୍କରେ ଦେଖାଯାଉଛି । ଉତ୍ତର ଓଡ଼ିଶାରେ ଖୁଦ ଭଜା ହଳଦୀ, ଭୃଶଙ୍ଗ ପତ୍ର, ଲଙ୍କା, ଚିନାବାଦମ ଇତ୍ୟାଦି ମିଶାଇ ଭାଜି ଏକ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଏହାକୁ କଟକଡ଼ା କୁହାଯାଏ । ରାଇବଣିଆ, ଭୋଗରାଇ, ଜଳେଶ୍ୱର ଅଞ୍ଚଳରେ ଏହା ମିଳିଥାଏ । ଆଧୁନିକ ଯୁଗର ଆମ ପିଲାମାନେ ବିଦେଶୀ ସଂସ୍କୃତି ପଛରେ ଧାଇଁ ଥିବାବେଳେ ଆମ ଖାଦ୍ୟ ପୋଷାକ ଏବଂ ରୁଚିର ପରିବର୍ତ୍ତନ ଆସିଛି । ଏଣୁ ଆମ ଓଡ଼ିଆ ସଂସ୍କୃତିରୁ ଚୁଡ଼ା, ମୁଢ଼ି, ପିଠାପଣା କ୍ରମଶଃ ହଜି ହଜି ଯିବାକୁ ବସିଲାଣି ଯାହା ଏବେ ବିଦେଶୀମାନଙ୍କର ପ୍ରିୟ ହେଲାଣି । ଆମ ପିଲାମାନେ ଛିଡ଼ା ଜିନ୍କୁ ପ୍ୟାଣ୍ଟ କହି ପିନ୍ଧୁଥିବା ବେଳେ ସେମାନେ ଆମ ଶାଢ଼ୀଧୋତିକୁ ଆଦର କଲେଣି ।
ଆମେ ପିଜା, ବରଗର, ଇପି ନୁଡଲ୍ସ, ଚାଉମିନ୍କୁ ଆଦର କରୁଥିବାବେଳେ ସେମାନେ ଆମ ଦେଶର ପିଠାପଣାକୁ ଆପଣାର କଲେଣି । ଆମ ଜଗନ୍ନାଥଙ୍କ ପ୍ରିୟ ରସଗୋଲାକୁ ନେଇ କେତେ ବିବାଦ ଦେଖାଦେଲା । ବଙ୍ଗଳା ଦେଶରେ ରସଗୋଲା ତାଙ୍କର ବୋଲି ଦାବି କରି ବସିଲେ, ତ ଆମ ସରକାରଙ୍କୁ ଏହା ଆମର ବୋଲି କେତେ ପ୍ରମାଣ ଦେବାକୁ ପଡ଼ିଲା । ସେଥିପାଇଁ ଏବେ ଏବେ ସ୍ୱୟଂ ସହାୟକ ଗୋଷ୍ଠିମାନେ ଆମର କିଛି ପିଠା ତିଆରି କରି ବଜାରକୁ ବିକ୍ରି ପାଇଁ ଛାଡ଼ିଛନ୍ତି । ଆଗରୁ ଝିଅଟିଏ ଶାଶୁଘରକୁ ଆସିଲେ ପିଠା ଗଢ଼ି ନ ଜାଣିଲେ ତାକୁ ନାନା କଥା ଶୁଣିବାକୁ ପଡ଼ୁଥିଲା, ତେଣୁ ଆମ ଉତ୍ତର ଓଡ଼ିଶାର ଝିଅଟିଏ ବାହାହେବା ପୂର୍ବରୁ ଝିଅକୁ ତା ବୋଉ ମାଣବସା, ରଜ, ଦଶହରା କୁମାର, ପୂର୍ଣ୍ଣିମାର ପାଖରେ ବସାଇ ପିଠା ଛାଣିବା ଓ ଗଢ଼ିବାର ଆଦବ୍ କାଇଦା ଶିଖାଉଥିଲେ । ଆଜି ଆମର ହୀନ ମାନ୍ୟତା ଓଡ଼ିଆ ଖାଦ୍ୟ ସଂସ୍କୃତିକୁ ତଳକୁ ତଳକୁ ନେଇ ଆସିଥିବାବେଳେ ଅନ୍ୟର ଖାଦ୍ୟ ସଂସ୍କୃତିକୁ ଆପଣେଇ ଆମେ ଆଜି ଗର୍ବ କରୁଛେ ।
ପୋଡ଼ପିଠା ଆମ ସଂସ୍କୃତିର ମୁଖ୍ୟ ଅଂଶ । ଖାଇ ସାରିବା ପରେ ପୋଡ଼ପିଠା ନ ଖାଇଲେ ଜଗନ୍ନାଥଙ୍କୁ ନିଦ ଆସେ ନାହିଁ । ଅରୁଆ ଚାଉଳକୁ ରାତିରେ ବୁତୁରାଇ ସକାଳୁ ଛାଣି ଖରାରେ ଶୁଖାଇ ଢିଙ୍କିରେ କୁଟି ଚୁନା ପ୍ରସ୍ତୁତ କରାଯାଏ । ସେଥିରେ ଗୁଡ଼ ନଡ଼ିଆ ମିଶାଇ ଚୁଲିରେ ବସାଇ ଖଳି ପ୍ରସ୍ତୁତ ହୁଏ । କରେଇରେ ତଳେ କଦଳୀପତ୍ର ଦେଇ ଉକ୍ତ ଖଳିକୁ ରଖାହୁଏ । ତା ଉପରେ କଦଳି ପତ୍ର ଦେଇ ଚୁଲିରେ ଘସିଦେଇ ଜଳାହୁଏ ଓ ଜଳିଲା ଘସିକୁ ତାହା ଉପରେ ଲଦି ଦିଆଯାଏ । ସକାଳୁ ସକାଳୁ ପିଠା ପ୍ରସ୍ତୁତ ହୋଇଯାଏ । କେକ୍ ପିଜା ପରି ଦିଶୁଥିବା ଏ ପିଠାକୁ ଖଣ୍ଡ ଖଣ୍ଡ କରି କାଟି ଖିଆ ଯାଇଥାଏ । ବିଶେଷ କରି ରଜ ସଂକ୍ରାନ୍ତିର ପୋଡ଼ପିଠାର ସ୍ୱାଦ ନିଆରା । ସ୍ୱାଦ ପାଇଁ ଖଳି ପ୍ରସ୍ତୁତ ବେଳେ ଛେନା, ଅଦାଛେଚା, କର୍ପୁର ଓ ତେଜପତ୍ର ଏଥିରେ ମିଶାଯାଇଥାଏ । ଏଇ ସବୁ ପ୍ରସ୍ତୁତିରେ ଓଡ଼ିଆ ଘରଣୀର ଆନ୍ତରିକତା ଭରି ରହିଥାଏ । କେବଳ ରଜ ପର୍ବ ନୁହେଁ ଓଡ଼ିଆ ଘରର ପର୍ବ ପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାରର ପିଠାପଣାର ବିଧି ରହିଛି ।
ଚିତାଲାଗି ଆମାବାସ୍ୟାରେ ଚିତଉ ପିଠା ପ୍ରତିଟି ଘରେ ଦେଖିବାକୁ ମିଳିଥାଏ । ଏହା ବିଶେଷ କରି ଉତ୍ତର ଓଡ଼ିଶାରେ ବିଶେଷ ଭାବେ ପ୍ରଚଳିତ । ନଦୀ ଓ ସମୁଦ୍ରକୁଳିଆ ଅଞ୍ଚଳ ସହ କୃଷିକୁ ଆଗ୍ରାଧିକାର ଦେଉଥିବାରୁ ଚିତଉ ପିଠାକୁ ନଈ ବା ପୋଖାରୀ ପାଣିକୁ ପକାଇ ଗେଣ୍ଡାକୁ “ମୋ ଗୋଡ଼ କାଟିବୁ ନାହି, ମୋ ବାପା ଗୋଡ଼ କାଟିବୁ ନାହିଁ ଇତ୍ୟାଦି କହିଥାଆନ୍ତି” । ବଉଳ ଆମବାସ୍ୟାରେ ଆମ୍ବ ଗଛରେ ଭଲବଉଳ ଧରିବା ପାଇଁ ଆମ୍ବଗଛକୁ ଗଇଁଠାଗୁଡ଼ି ଅଥବା ମଣ୍ଡାପିଠା କରି ଭୋଗ ଲଗାଯାଏ । ଗଛରେ ଭଲ ଫଳ ଧରିବା ପାଇଁ ବୃକ୍ଷକୁ ଦେବତା ଭଳି ପୂଜା କରିବାର ବିଧି ଆମ ପରମ୍ପରାର ଅଂଶ ବିଶେଷ । ପଶୁପକ୍ଷୀ, ଗଛବୃକ୍ଷ, ଗେଣ୍ଡାମାଛ ସମସ୍ତଙ୍କ ଦେହରେ ଈଶ୍ୱର ଅଛନ୍ତି ଏହି ଭାବ ନେଇ ଆମ ପରମ୍ପରାରେ ପୂଜାର ବିଧି ପ୍ରଚଳନ ରହିଛି, ସେଥିପାଇଁ ଭାଗବତରେ କୁହାଯାଇଛି ସକଳ ଘଟେ ନାରାୟଣ, ଅନାଦିପରମ କାରଣ’ ଇତ୍ୟାଦି ।
ଗହ୍ମାପୂର୍ଣ୍ଣିମାରେ ଓଡ଼ିଆ ଘରର ଚାଷୀ ଘରେ ଗୋରୁ ଗାଈଙ୍କୁ ବନ୍ଦାପନା କରି ପିଠାଖାଇବାକୁ ଦେଇଥାନ୍ତି । ବିଲରେ ହଳକରି ମଇ ଦେଇ ବଳଦମାନଙ୍କୁ ଯେଉଁ ପରିଶ୍ରମ ହୋଇଥାଏ ସେଥିପାଇଁ କାର୍ଯ୍ୟ ଶେଷରେ ଗୋରୁଗାଈଙ୍କୁ ଗାଧୋଇ ପାଧୋଇ ପରିଷ୍କାର କରି ତା ବେକରେ ହାର ଦେଇ ସେମାନଙ୍କୁ ଚକୁଳି ପିଠା, ଘି ପିଠା ଓ ଖିରି ପ୍ରଭୃତି ଦେଇ ପୂଜା କରାଯାଏ । ଏହା ସମସ୍ତଙ୍କ ଦେହରେ ଈଶ୍ୱର ଅଛନ୍ତି ଏହି ଭାବର ଅନ୍ୟ ଏକ ଉଦାହରଣ । ପ୍ରଥମାଷ୍ଟମୀରେ ବଡ଼ ପୁଅ କିମ୍ବା ବଡ଼ଝିଅ ପଢ଼ୁଆଁ ହୋଇଥିବାରୁ ହଳଦିପତ୍ର ପିଠା ଘରେ ଘରେ ପ୍ରସ୍ତୁତ ହୋଇଥାଏ । ହଳଦି ପତ୍ର ବଜାରରେ ଏକିତି ବେଳେ ପ୍ରଚୁର ମାତ୍ରାରେ ବିକ୍ରି ହୁଏ । ହଳଦୀ ପତ୍ରରେ ଏଣ୍ଡୁରି ପିଠା ପ୍ରସ୍ତୁତ କରାଯାଏ । ଭଉଣୀ ଘରୁ ଭଣଜା ଭାଣଜୀଙ୍କୁ ପଢ଼ୁଆଁ କରିବାକୁ ମାମୁଁ ଘରର ନୂଆ ପୋଷାକ ସହ ହଳଦୀ ପତ୍ର ପିଠା ଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ବୁଢ଼ା ଚକୁଳି ପ୍ରସ୍ତୁତ କରାଯାଏ, ସେମିତି ମାର୍ଗଶୀର ମାସ ଗୁରୁବାରରେ ଅବା ସୁଦଶା ବ୍ରତରେ ମଣ୍ଡାପିଠା ଭୋଗ ଲାଗିହୁଏ । ସେହିପରି ବଡ଼଼ ଓଷାକୁ ଗଜାମଣ୍ଡା ତିଆରି କରାଯାଏ । କାର୍ତ୍ତିକ ମାସରେ ମଞ୍ଜ କଦଳୀ ପତ୍ରରେ ଏହି ରଜମଣ୍ଡା ମଧ୍ୟ ମହାଦେବ ପାଖରେ ଭୋଗ ଲଗାଯାଇଥାଏ । ଫଗୁଣରେ ଦୋଳ ଯାତ୍ରା ପଡ଼େ । ଏତିକିବେଳେ ଗୋପାଳମାନଙ୍କ ଘରେ ତେଲ ପିଠା ଛଣାହୁଏ । ଖୁଦୁରୁକୁଣୀ ଓଷାରେ ଝିଅମାନେ ଖୁଦ ପିଠା କରି ଭାଲୁକୁଣୀ ପୂଜା କରନ୍ତି ।
ସ୍ୱାସ୍ଥ୍ୟ ଗତ ଗୁଣରୁ ଦେଖିଲେ କେତେକ ପିଠାରେ ଔଷଧୀୟ ଗୁଣ ମଧ୍ୟ ରହିଛି । ଯଥା ଚଇତ୍ର ମାସର ନିମ ଚକୁଳି ସ୍ୱାସ୍ଥ୍ୟ ପାଇଁ ହୀତକର । ଗଇଁଠା ମଧ୍ୟ ରୋଗୀର ପ୍ରୀୟ ଭାବରେ ନିଆଯାଇଥାଏ । ଶିଶୁମାନଙ୍କ ଦାନ୍ତ ଉଠିବା ବେଳେ ସେମାନେ ଉସୁନା ଚାଉଳର ଗଇଁଠା ଖାଇବାକୁ ଦିଆଯାଏ । ବାହାଘର ପରେ ଶାଶୁଘରକୁ ଯାଉଥିବା ଝିଅ ଚକୁଳିପିଠା ଓଲଟାଇଲେ ସେ ଶିଘ୍ର ବାପା ଘରକୁ ଫେରିଆସିବା ପ୍ରବାଦ ରହିଛି ।
‘ସରୁ ଚୁକୁଳି’ ପ୍ରସ୍ତୁତ କରିବାର ପ୍ରଣାଳୀ ହେଲା ରାତିରୁ ବିରି ଚାଉଳ ମିଶି ବଟା ହୁଏ । ଶିଳରେ ହେଉବା ଗ୍ରାଇଣ୍ଡର ହେଉ ବଟା ପର୍ବ କରି ଚୁଲି ଝିଙ୍କାରେ ମାଠି ପଲମ ବସାଯାଏ । ପଲମ ଗରମ ହୋଇଗଲା ପରେ ତେଲଦେଇ ପଲମରେ ଘସା ହୁଏ । ତାପରେ ଚେଁ ଚାଁ ଶବ୍ଦରେ ପିଠାର ବାସ୍ନା ବାରି ହୋଇପଡ଼େ । ସବୁ କରି ପଲମ ପକାଇବା ପରେ ଦୁଇ ଥର ଓଲଟ ପାଲଟ ପରେ ପିଠା ପ୍ରସ୍ତୁତ । ତା ପରେ ଗୁଡ଼, ଆଚାର, ଚଟଣୀ ଦେଇ ଖିଆଯାଏ ।
ଏଥିରୁ ଅନୁମାନ କରାଯାଇପାରେ ଯେ ଓଡ଼ିଆ ସଂସ୍କୃତି ଚଳଣିରେ ପିଠାପଣା ବିଶେଷ ଭାବେ ସ୍ଥାନ ଦଖଲ କରି ଆସିଛି । ଉତ୍ତର ଓଡ଼ିଶା କେବଳ ନୁହଁ ସମଗ୍ର ଓଡ଼ିଶାର ଓଡ଼ିଆ ଘରେ ପିଠା ପଣା ଆଜି ବି ହେଉଛି ଧର୍ମ ସହ ଏମିତି ଅନୁବନ୍ଧିତ ହୋଇଛି ଯେ ଯେକୌଣସି ପୂଜା ପାର୍ବଣରେ ପିଠାର ଆବଶ୍ୟକତା ପଡ଼ିଥାଏ । ଆମ ବଡ଼ ଠାକୁର ଜଗନ୍ନାଥଙ୍କ ପାଖରେ ୧୨୧ ପ୍ରକାର ପିଠାର ପ୍ରଚଳନ ଅଛି । ଏବେ ଏବେ ଗାଁର ଲୋକମାନେ ସହରରେ ରହିବା ପାଇଁ ସେମାନେ ପିଠାକୁ ଭୁଲି ନାହାଁନ୍ତି । ଭୁବନେଶ୍ୱରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିଭିନ୍ନ ସମୟରେ ପିଠା ପ୍ରତିଯୋଗିତା କରୁଥିବା ବେଳେ ବାଲେଶ୍ୱରରେ ନିୟମିତ ଭାବେ ‘ଇନଟାକ୍’ ପକ୍ଷରୁ ପିଠା ପ୍ରତିଯୋଗିତା ହୋଇଥାଏ । ଦୁଇ ସ୍ଥାନର ପିଠା ପ୍ରତିଯୋଗିତା ବିଚାରକ ହେବାର ସୁଯୋଗ ମୁଁ ପାଇଛି । ବିଭିନ୍ନ ପ୍ରକାର ପିଠା ଏବେ ବି ସୁନ୍ଦର ଭାବେ ପ୍ରସ୍ତୁତ କରି ପାରୁଛନ୍ତି ତାହା ଦେଖିବାର କଥା ।
ଆମେ ସବୁପ୍ରକାର ଆଧୁନିକ ଯୁଗରେ ମାଟି ହାଣ୍ଡିରେ ଭାତ ବସାଇବା ଓ ପିଞ୍ଚା ଦେଇ ପେଜ ଗାଳିବାକୁ ଭୁଲି ପାରିନୁ । ଚୁଳିରେ ପୋଡ଼ ପିଠା ପ୍ରସ୍ତୁତ କଲାବେଳେ ଉପରେ ଘସି ନିଆଁ ଦେବାକୁ ରଜ ସଂକ୍ରାନ୍ତି ଭୁଲି ପାରିନୁ । ଆମେ ସଜନା, ସୁନୁସୁନିଆ ମଦରଙ୍ଗା, ପୀତାଗମା ଓ କଳମ ଶାଗର ବାସ୍ନା ଭୁଲିପାରିନୁ । ଆମେ ପଖାଳର ବାସ୍ନା ବଡ଼ି ଚୁରାକୁ ଭୁଲି ପାରିନୁ, ଯାହା ଫଳରେ ସହରମାନଙ୍କରେ ପଖାଳ ସ୍ପେଶାଲ ଓ ମାଟି ହାଣ୍ଡି ମାଂସ ସବୁତ ମିଳିଲାଣି । କେନ୍ଦୁଝର ଓ ବାରିପଦାରେ ପ୍ରସ୍ତୁତ ବଡ଼଼ି ବିଶେଷ ଭାବେ ଖସାବଡ଼ିର ମୁସୁମୁସିଆ ଓ ନରମ ଗୁଣ ପାଇଁ ପ୍ରସିଦ୍ଧ, ଯେମିତି ଆଚାର ପାମ୍ପଡ଼ ପାଇଁ ବ୍ରହ୍ମପୁର ପ୍ରସିଦ୍ଧ ଠିକ୍ ସେଭଳି ଏହା କୁଟୀର ଶିଳ୍ପର ମାନ୍ୟତା ପାଇଲାଣି । ଏବେ ଏବେ ସ୍ୱୟଂ ସହାୟ ଗୋଷ୍ଠୀ ଜରିଆରେ ବଡ଼ି, ଘି ପିଠା, ଆରିସା, କାକରା ଇତ୍ୟାଦି ପେକେଟ କରି ବଜାରକୁ ବିକ୍ରି ପାଇଁ ଆସୁଥିବା ଦେଖିବାକୁ ମିଳୁଛି ।
ଆମ ରାଜ୍ୟରେ ମାଛର ସ୍ଥାନ ଖାଦ୍ୟରେ ପ୍ରମୁଖ ଭୂମିକାରେ ରହିଛି । କଲିକତା ପାଖରୁ ଚାନ୍ଦିପୁର, ବଳରାମଗଡ଼, ଚାନ୍ଦବାଲି ପର୍ଯ୍ୟନ୍ତ ଉପକୂଳବର୍ତ୍ତି ଅଞ୍ଚଳର ଲୋକେ ଚାଷ କାର୍ଯ୍ୟ ସହ ମାଛ ବ୍ୟବସାୟ କରିଥାଆନ୍ତି । କଲିକତାରେ ଗଙ୍ଗା ଇଲିସିର ସ୍ୱାଦ ଯେମିତି ନିଆରା ଆମ ଉତ୍ତର ଓଡ଼ିଶାର ନଦୀ ବନ୍ଧରୁ ମିଳୁଥିବା ରୋହି ଭାକୁଡ଼ର ସ୍ୱାଦ ସେମିତି ନିଆଁରା । ଏହା ଛଡ଼ା ସମୁଦ୍ରରୁ ମିଳୁଥିବା ମାଛ ଶୁଖୁଆ, ଚିଙ୍ଗୁଡ଼ି ପ୍ରଭୃତି ପାଇଁ ବଳରାମଗଡ, ବାସୁଦେବପୁର, ଚୂଡ଼ାମଣି ଘାଟି ପ୍ରସିଦ୍ଧ । ଗାଁ ମାନଙ୍କରେ ନଈ ପୋଖରୀରୁ ମିଳୁଥିବା ବାଡ଼ିଆ, ଚିତ୍ତଳ, କଉ, ମାଗୁର, ଶେଉଳ, କଣ୍ଟିଆ, ପବତା ପ୍ରଭୃତି ବିଭିନ୍ନ ପ୍ରକାରର ମିଠା ମାଛ ବିଭିନ୍ନ ସମୟରେ ମିଳିଥାଏ ।
ବିଭିନ୍ନ ପ୍ରକାରର ମିଠା ବାଲେଶ୍ୱର, ଭଦ୍ରକ, ପୁରୀ, କଟକ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ମିଳିଥାଏ । ବିଭିନ୍ନ ପ୍ରକାରର ମିଠା ପାଇଁ ପ୍ରସିଦ୍ଧି ଅର୍ଜନ କରିଛି ଓଡ଼ିଶା । ଯେପରି କି ବିକଳିକର ରସଗୋଲା, ଛତିଆର କାକରା, ବାଲେଶ୍ୱରର ଗଜା, ଭଦ୍ରକର ପାଲୁଅ ଲଡୁ ଓ ଛେନା ମୁଡ଼ୁକି, ନିମାପଡ଼ାର ଛେନା ଝିଲି, ନୟାଗଡ଼ ଛେନାପୋଡ଼ ଇତ୍ୟାଦି । ପରବର୍ତ୍ତୀ ସମୟରେ ଓଡ଼ିଶାର ମିଠା ସମ୍ପର୍କରେ ବିଶେଷ ଭାବରେ ଆଲୋଚନା କରିବା ।