ପରମ୍ପରାଟା ଯଦି ଉନ୍ନତ ଚିନ୍ତନର ବିରୋଧୀ ହୁଏ?

ପ୍ରଫେସର ଭଗବତ ପ୍ରସାଦ
ପ୍ରଫେସର ଭଗବତ ପ୍ରସାଦ 314 Views
4 Min Read

ଭଗବତ ପ୍ରସାଦ ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଯିଏକି 2019 ମସିହାରେ ମୃତ୍ୟୁବରଣ କରିଛନ୍ତି । ସମଧ୍ୱନି ସହିତ ଧାରାବାହିକ ଭାବେ ହୋଇଥିବା ଏହି ସାକ୍ଷାତକାରଟିରେ ଜଗନ୍ନାଥ ସଂସ୍କୃତି ତଥା ଓଡ଼ିଶାର ଏବଂ ଭାରତ ବର୍ଷର ସାଂସ୍କୃତିକ ଦିଗ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି  ବିଦ୍ୱାନ ଭଗବତ ପ୍ରସାଦ। ଭାରତୀୟ ସଂସ୍କୃତି ଓ  ଓଡ଼ିଶାର ଜଗନ୍ନାଥ ସଂସ୍କୃତିରେ ଯେଉଁ ଦୁଇଟି ଭିନ୍ନ ଭିନ୍ନ ଦିଗ ରହିଛି ତାହା ସେ ଏଠାରେ ଆଲୋଚନା କରିଛନ୍ତି  । – ସମ୍ପାଦକ

Support Samadhwani

ତମେ ପଚାରିଛ କେଉଁପ୍ରକାର ସାଂସ୍କୃତିକ ଭିତ୍ତିଭୂମିରେ ଓଡ଼ିଶା ଏବଂ ଭାରତର ସଂସ୍କୃତି ଗଢ଼ିଉଠିଛି? ଓଡ଼ିଶାର ସଂସ୍କୃତିକୁ ଯଦି ଆମେ ଚର୍ଚ୍ଚା କରିବା ତେବେ ଏହା ଭାରତୀୟ ସଂସ୍କୃତି ଠାରୁ ବିଚ୍ଛିନ୍ନ ନୁହେଁ । କିଛି ଅନନ୍ୟତ୍ୱ, କିଛି ନୂଆ ଜିନିଷ ହୁଏତ ଭାରତୀୟ ସଂସ୍କୃତିରେ ଥାଇପାରେ, କିନ୍ତୁ ତା’ର ମାତ୍ରା ବହୁତ କମ୍ । ଭାରତର ଯେକୌଣସି ପ୍ରଦେଶର ସଂସ୍କୃତି ଭାରତୀୟ ସଂସ୍କୃତିଭାବେ ପ୍ରତିପାଦିତ ହୋଇଆସିଛି । ଭାରତୀୟ ସଂସ୍କୃତିର ଗୋଟିଏ ପ୍ରମୁଖ ଦିଗ ହେଲା ବୈଷମ୍ୟ ଭିତରେ ସାମ୍ୟ ବା ଭିନ୍ନତା ରହିଛି କିନ୍ତୁ ତା ମଧ୍ୟରେ ବି ଏକତା ରହିଛି । ଭାରତୀୟ ସଂସ୍କୃତିରେ ମୁଖ୍ୟ ସମସ୍ୟା ହେଉଛି ଯେ, ଅନେକ ଭୁଲ୍ ଜିନିଷଗୁଡ଼ିକୁ ଆମେ ଠିକ୍ ବୋଲି ମଧ୍ୟ ଧରିନେଇଛେ। ସଂସ୍କୃତିର ଭଲ ଜିନିଷଗୁଡ଼ିକୁ ଚିନ୍ତା କରି ଆମେ ବହୁତ ଖୁସି ହେଉଛେ, କିନ୍ତୁ ତା’ର ଖରାପ ଦିଗଟିକୁ ଆମେ ଦେଖିପାରୁ ନାହାନ୍ତି ।

ଓଡ଼ିଶାରେ ଗୋଟିଏ ବଡ଼ କଥା କୁହାଯାଏ ଏବଂ ସମସ୍ତଙ୍କ ମୁହଁରୁ ଏକଥା ଶୁଣିବାକୁ ମିଳେ ଯେ, ଓଡ଼ିଶା ହେଉଛି ଜଗନ୍ନାଥ ସଂସ୍କୃତିର ଦେଶ । ଜଗନ୍ନାଥ ସଂସ୍କୃତି କଥା ଆଲୋଚନା କଲାବେଳେ ଗୋଟିଏ ସ୍ତରରେ ଯେତେବେଳେ ପଣ୍ଡିତମାନେ ଭାଷଣ ଦିଅନ୍ତି ମନେହୁଏ ବିଶ୍ୱ ସଂସ୍କୃତିର ଏହା ଏକ ସର୍ବୋଚ୍ଚ ସ୍ତର ଏବଂ ସବୁଠୁ ଭଲ ସଂସ୍କୃତି ବୋଲି ସେମାନେ ଏହାକୁ ପ୍ରମାଣ ମଧ୍ୟ କରିବାକୁ ଚେଷ୍ଟା କରନ୍ତି ।

କିନ୍ତୁ ବାସ୍ତବ କ୍ଷେତ୍ରରେ ଏଥିରେ ମଧ୍ୟ ଦୁଇଟି ଦିଗ ରହିଛି – ପ୍ରଥମଟି ହେଲା ବୈଷମ୍ୟ, ଦ୍ୱିତୀୟଟି ଲୋଭ । ଜଗନ୍ନାଥ ସଂସ୍କୃତିକୁ ଯେଉଁମାନେ ବଞ୍ଚାଇ ରଖିଛନ୍ତି ଯେପରିକି ସେବାୟତ ଏବଂ ଅନ୍ୟମାନେ, ସେହିମାନେ ଏହି ଦୁଇଟିର ଶିକାର । ତେଣୁ ଜଗନ୍ନାଥ ସଂସ୍କୃତିକୁ ମୁକ୍ତ ବୋଲି କୁହାଯାଇପାରିବ ନାହିଁ । ପ୍ରଥମ କଥା, ଯଦି ଆମେ ଭାବୁଛେ ଜଗନ୍ନାଥ ହେଉଛନ୍ତି ବିଶ୍ୱ ଦେବତା ତେବେ ସେହି ଅନୁସାରେ ପ୍ରତ୍ୟେକ ଜାତି, ଧର୍ମର ଲୋକ ସିଏ ବିଦେଶିନୀ ହୁଅନ୍ତୁ ବା ଅନ୍ୟ ଯେକୌଣସି ଧର୍ମର ଲୋକ ହୁଅନ୍ତୁ ତାଙ୍କୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଦିଆଯିବା କଥା । ଆମେ କେତେବେଳେ କେତେବେଳେ ସାଲବେଗର ଉଦାହରଣ ଦେଉଛେ ଯେ, ସେ ମୁସଲମାନ ହୋଇ ମଧ୍ୟ ଜଗନ୍ନାଥଙ୍କର ବଡ଼ ଭକ୍ତ, କିନ୍ତୁ ଅନ୍ୟପଟେ ମୁସଲମାନମାନଙ୍କୁ କାହିଁକି ମନ୍ଦିର ପ୍ରବେଶ କରିବାକୁ ଦିଆଯାଉ ନାହିଁ? ଏହା କେଉଁ ବିଶ୍ୱ ଦୃଷ୍ଟିଭଙ୍ଗୀର ଉଦାହରଣ?

Support Samadhwani

ବିଚାରଗତ କ୍ଷେତ୍ରରେ ବହୁତ ଉନ୍ନତ ବିଚାର ପ୍ରକାଶ କରିବା ଏବଂ ବ୍ୟବହାରିକ କ୍ଷେତ୍ରରେ ଅତି ସଂକୀର୍ଣ୍ଣତା ଭାବ ପୋଷଣ କରିବା ଆମର ଭାରତୀୟ ସଂସ୍କୃତିର ଏହି ଦୁଇଟି ଭିନ୍ନ ଭିନ୍ନ ଦିଗ ରହିଛି । ଗୋଟିଏ ଅତ୍ୟନ୍ତ ଉନ୍ନତ ଓ ଉଜ୍ଜ୍ୱଳ ଦିଗ ରହିଛି ଯେଉଁଠି ସର୍ବେ ଭବନ୍ତୁ ସୁଖିନଃ କଥା କୁହାଯାଉଛି, କିନ୍ତୁ ତା ସହିତ ଗୋଟିଏ ଅନ୍ଧାର ଦିଗ ବି ରହିଛି ଯେଉଁଠି ଅସ୍ପୃଶ୍ୟତା, ଜାତିପ୍ରଥା ଇତ୍ୟାଦି ଦେଖିବାକୁ ମିଳୁଛି । ଆମେ ଯଦି ଆମ୍ବେଦକରଙ୍କ ଲେଖାଗୁଡ଼ିକ ପଢ଼ିବା ଏବଂ ସେଗୁଡ଼ିକ ଅନୁଶୀଳନ କରିବା ଦେଖାଯିବ ଯେ, ଉଚ୍ଚଜାତିର ଲୋକମାନେ ଦଳିତ, ଆଦିବାସୀ ଏବଂ ଛୋଟଜାତିମାନଙ୍କ ସହିତ କିଭଳି ବ୍ୟବହାର କରନ୍ତି ।

ଏସବୁ ନିରୀକ୍ଷଣ କଲେ ଆମେ ଦେଖିବା ଉଚ୍ଚଜାତି ଏବଂ ନିଚ୍ଚଜାତି ଭିତରେ କେତେ ସାମାଜିକ ବ୍ୟବଧାନ ରହିଆସିଛି । ଆକାଶ-ପାତାଳର ବ୍ୟବଧାନ । ଗୋଟିଏ ପଟେ ଆମ ସଂସ୍କୃତିରେ ଏକ ଅତ୍ୟନ୍ତ ଉଜ୍ଜ୍ୱଳତା ରହିଛି ଯେଉଁଟାକି ବିଶ୍ୱ ସଂସ୍କୃତିକୁ ରାସ୍ତା ଦେଖାଇପାରେ, ଅନ୍ୟପଟେ କିଛି ଅନ୍ଧାର ଦିଗ ରହିଛି ଯାହା ପୁଣି ବିଶ୍ୱ ନିନ୍ଦାଆକର୍ଷଣ ମଧ୍ୟ କରିପାରେ । ଭାରତୀୟ ସଂସ୍କୃତିରେ ଯାହା ଆମେ ଦେଖିଲେ ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଆମେ ଏହି ଦୁଇଟି ଭିନ୍ନତା ଦେଖିବା ପାଇଁ ପାଇବା ।

ଭାରତୀୟ ସଂସ୍କୃତି ବା ଜଗନ୍ନାଥ ସଂସ୍କୃତିରେ ଏହାକୁ ପରମ୍ପରା ନାମରେ ଲଦିଦିଆଯାଉଛି । କାରଣ ତା ପାଇଁ କୌଣସି ଯୁକ୍ତି ନାହିଁ । ଗୋଟିଏ ପଟେ କୁହାଯାଉଛି ଯେ, ଆମ ସଂସ୍କୃତି ହେଉଛି ବିଶ୍ୱସଂସ୍କୃତି ଏବଂ ସମସ୍ତେ ଏଠାରୁ ଶିକ୍ଷାଲାଭ କରିବା ଦରକାର, କିନ୍ତୁ ତାହା ସହିତ ଯେତେବେଳେ ଆଚରଣ କରାଯାଉଛି ସେତେବେଳେ କୁହାଯାଉଛି ଯେ, ଏହା ଆମର ପରମ୍ପରା ।

ପରମ୍ପରାଟା ଯଦି ଉନ୍ନତ ଚିନ୍ତନର ବିରୋଧୀ ହୁଏ ତେବେ କେଉଁଟାକୁ ଆମେ ଗ୍ରହଣ କରିବା? ଉନ୍ନତ ଚିନ୍ତନଟିକୁ ଗ୍ରହଣ କରିବା ନାଁ ବ୍ୟବହାରିକ କ୍ଷେତ୍ରରେ ଯେଉଁ ବୈଷମ୍ୟ ଚାଲିଛି ସେଇଟିକୁ ଗ୍ରହଣ କରିବା । ଜଣେ ଯଦି ଭାରତୀୟ ସଂସ୍କୃତିର ଉଜ୍ଜ୍ୱଳତା ବିଷୟରେ କହିବ ତା’ର ଗାରିମା ଗାଇଚାଲିବ କିନ୍ତୁ ସେପଟେ ଆମ୍ବେଦକର ପନ୍ଥୀମାନେ କହିବେ ଯେ, ପ୍ରତ୍ୟେକ ଗାଁ’ର ଦଳିତ ଲୋକମାନେ କେଉଁ ଅବସ୍ଥାରେ ଅଛନ୍ତି? ଉଚ୍ଚଜାତିର ଲୋକେ ସେମାନଙ୍କୁ କେଉଁଭଳି ଦେଖୁଛନ୍ତି? ସେଇଟା ହେଉଛି ନିଷ୍ଠୁର ସତ୍ୟ ଯେ, ଆମେମାନେ ମଣିଷକୁ ମଣିଷ ଭଳିଆ ଦେଖୁନାହାଁନ୍ତି ।

 

photo credit – https://bit.ly/3m8TiHS

Share This Article
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ