ଗୈାରୀ ଲଙ୍କେଶ ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି (ଗୌରୀ ଲଙ୍କେଶଙ୍କ ସ୍ମୃତିରେ )

1 Min Read

ନିର୍ଜୀବ କରିଲା ସିନା

ନୀରବ ପାରି ନାହିଁ କରି,

ତୁମ ସ୍ୱର ପ୍ରତିଧ୍ୱନି

ସବୁଠି ଶୁଭୁଛି ;

ରାସ୍ତା ଘାଟ ପଡିଆ ଓ ଛକ,

ସବୁଠି ତୁମରି ଚିତ୍ର

ପ୍ରତିବାଦୀ ମଣିଷ ହାତରେ

ଜୀବନ୍ତ ଦିଶୁଛି,

ତୁମ ସ୍ୱର ପ୍ରତିଧ୍ୱନି

ସବୁଠି ଶୁଭୁଛି ।

ବେପରୁଆ ଯୁବକ ଯୁବତୀ,

ପ୍ରଶ୍ନ କରୁଥିବା ମଣିଷର ଭିଡ

ଭାଇରାଲ ହେଉଛି,

ତୁମ ବୁକୁ ଭେଦି ଥିବା ଗୁଳିକୁ

ଆଜି ଆହ୍ୱାନ କରୁଛି,

ତୁମ ସ୍ୱର ପ୍ରତିଧ୍ୱନି

ସବୁଠି ଶୁଭୁଛି ।

ସେ ପ୍ରତିଧ୍ୱନିରେ ଶୁଭେ,

ଶମ୍ଭୁକର ଶିରଚ୍ଛେଦ ବିରୋଧରେ ସ୍ୱର ।

ସେ ପ୍ରତିଧ୍ୱନିରେ ଶୁଭେ,

ଗାନ୍ଧୀ ହତ୍ୟାକାରୀଙ୍କୁ ଭର୍ତ୍ସନା ।

ସେ ପ୍ରତିଧ୍ୱନିରେ ଶୁଭେ,

ଦାଭୋଲକର, ପନ୍ସାରେ,

କଲବୁର୍ଗୀ ହତ୍ୟାର ବେଦନା ।

ସେ ପ୍ରତିଧ୍ୱନିରେ ଶୁଭେ,

ଅଖଲାକ ଓ ପେହଲୁ ଖାଁ ହତ୍ୟାର ବିରୋଧ ।

ତୁମ ଧର୍ମ ଶିଖାଇନି

କାପୁରୁଷ ହେବା,

ଅମା ଅନ୍ଧକାର ଅବା ନିର୍ଜନତାର ସୁଯୋଗ ଖୋଜିବା,

ସତ୍ୟାର୍ଥୀ ବୁକୁରେ ଗୁଳି ଭେଦି ଦେବା ।

ତୁମ ଧର୍ମ ଶିଖାଇଛି

ସ୍ପଷ୍ଟ ଦିବାଲୋକେ,

ଜନାକୀର୍ଣ୍ଣ ଅଂଚଳ ଭିତରେ,

ଶୋଷିତ ମଣିଷର ସ୍ୱର

ସଂଗେ ସ୍ୱର ମିଳାଇବା ,

ମୁକ୍ତିକାମୀ ମଣିଷକୁ ହିମ୍ମତ ଦେବା,

କ୍ଷମତାକୁ ଆହ୍ୱାନ କରିବା.,

ଜୀବନକୁ ବାଜି ଲଗାଇବା ।

ସେ ବାଜିରେ ତୁମେ ହରାଇ ଜୀବନ

ଅଗଣିତ ଜନଗଣ ପାଇଁ କିନ୍ତୁ ହୋଇଛ ବିଜୟୀ ,

କରୁଛ ବିଦ୍ରୁପ ତାକୁ

ଯେ ନିର୍ଜୀବ କରିଲା ସିନା

ନୀରବ ପାରିଲା ନି କରି ।

(୧୫/୧୦/୨୦୧୭)

photo credit – https://bit.ly/2Z75qys

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ