(୧)
ଆଜି ଏ ନୀରବ ନିବିଡ଼ ରାତିରେ
ଆସିଛ ତୁମେ ଆସିଛ
ଚନ୍ଦ୍ରାଜଡ଼ିତ ଜୋଛନା ସାଥିରେ
ଆସିଛ ତୁମେ ଆସିଛ ।
ବେଦନା-ବିଧୁର ଆଖିପତା ଚୁମି
ମଦିର ଅଧରେ, ଦେଇଛ ଉଷୁମି,
ବିରହ-ବାତୁଳ ବସନ୍ତେ-ମାତି ହେ
ଆସିଛ ତୁମେ ଆସିଛ ।
କେତେ ଦିବା-ନିଶି କେତେ ରବି-ଶଶୀ
ଗଲେଣି ଭରମି ଭରମି ହେ,
କେତେ ଫୁଲ ଗଲେ ମୁକୁଳେ ମଉଳି
ସରମେ, ନିଠୁର ମରମୀ ହେ;
ବହି ବହି ଗଲା କେତେ ବା’ବତାସ,
ଦହି ଦହି ଗଲା କେତେ ହା-ହୁତାଶ,
ବିରଳେ ଅଳସ ଅଶ୍ରୁ-ତାତିରେ
ଆସିଛ ତମେ ଆସିଛ ।
(୨)
ହିନ୍ଦୋଳ- ଏକତାଲ
ମମ ଅନ୍ତର କୁଞ୍ଜ ଭବନେ, ରାଜ ହେ ସଖା ରାଜ
ନବ ନଟବର ନାଗର ବେଶେ, ସାଜି କୁସୁମ ସାଜ ।
ଜାଗିଛି ପ୍ରାଣେ ଅକୂଳ ଛନ୍ଦ
ଆକୁଳ କଲାଣି ବକୁଳ ଗନ୍ଧ,
ହିନ୍ଦୋଳ ସ୍ୱରେ ଜୀବନ ମୂରଲୀ, ମନ୍ଦ ମଧୁରେ ବାଜ ।
ମତ୍ତ ମଳୟ ଭସାଇ ଦେଇଛି
ଜାତି, କୁଳ ଭୟ, ଲଜ୍ଜା,
ମାନ, ଅଭିମାନ ସକଳ ପାସୋରି
ରଚିଛି ଏ ଫୁଲ ସଜ୍ଜା;
‘ମୋର’ ବୋଲି ମୋର ଅଛି ଯାହା କିଛି,
ଆଜି ପାଇଁ ସିନା ସମ୍ପାଦି ରଖିଛି,
କାନ୍ତ ହେ, ତବ ଚରଣ ପ୍ରାନ୍ତେ ଲୋଟାଇ ଦେବି ମୁଁ ଆଜ ।
ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର
ସୌଜନ୍ୟ
ଭଞ୍ଜପ୍ରଦୀପ ଭିଓ ୦୪
ପୃଷ୍ଠା : ୩୨