ସମଗ୍ର ଭାରତବର୍ଷର ଭୈାଗଳିକ ସୀମା ସରହଦ ମଧ୍ୟରେ ଓଡିଶା ଏକ ପ୍ରାଚୀନ ସୁବିଦିତ କ୍ଷୁଦ୍ର ରାଜ୍ୟ। କିନ୍ତୁ ସୌର୍ଯ୍ୟ, ବୀରତ୍ୱ ଏବଂ ସୌନ୍ଦର୍ଯ୍ୟଶାଳୀ କୀର୍ତୀ ବିମଣ୍ଡିତ ସଚେତନ ଜାତି ଭାବରେ ସମଗ୍ର ଭାରତ ବର୍ଷରେ ଓଡିଶାର କ୍ଷ୍ୟାତି ପରିବ୍ୟାପ୍ତ। କେବଳ ସେତିକି ନୁହେଁ ଓଡିଶା ଭୂଖଣ୍ଡରେ ଅନେକ ବଢି ମରୁଢି ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ଆସିଥିଲେ ମଧ୍ୟ ଏହି ଲଢୁଆ ଜାତିଟା ତାର ସ୍ୱକୀୟ କଳା ସାହିତ୍ୟକୁ ଭୁଲିନାହିଁ ଏବଂ ଭୁଲିନାହିଁ ତାର ଆପଣାର ପରିବାର, ପରିଜନ, ମାତୃଭୂମି ଓ ମାତୃଭାଷା। ଚର୍ଯ୍ୟାଗୀତିକା ଠାରୁ ନାଥ ସାହିତ୍ୟ, ମାଦଳପାଞି ଠାରୁ ସନ୍ଦେସକାବ୍ୟ କୋଇଲି, ସାରଳା ସାହିତ୍ୟ ଠାରୁ ସତ୍ୟବାଦୀ, ସବୁଜରୁ ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ସବୁରି କ୍ଷେତ୍ରରେ ସାଧାରଣ ମଣିଷର ଦୁସ୍ଥିତି ତଥା ଅବଦଳିତ, ଲାଂଚ୍ଛିତ, ମଣିଷର ହତାଶବୋଧର ସ୍ୱର କବିର କଲମମୁନରେ ଉପଜିବ୍ୟ ହୋଇଛି ତାହା ଅସ୍ୱୀକାର କରିହେବନାହିଁ। ଏହାର ସମୁଜ୍ଜଳ ସାଖୀ ସ୍ୱାଧୀନତା ପୂର୍ବବର୍ତୀ ପ୍ରାଚୀନ ଇତିହାସ, ଏବଂ କାବ୍ୟ କବିତା ଓ ଗଦ୍ୟ ସାହିତ୍ୟର ପୃଷ୍ଠା। ବିଶେଷତଃ ଏହି ପୁଣ୍ୟ ମାଟିର କବି ଅର୍ଥ, ମାନ, ଯଶ ପାଇଁ ବୋଧହୁଏ କବିତା ଲେଖିନାହିଁ, ଲେଖିଛି ତାର ମାଆ ପାଇଁ, ଲେଖିଛି ତାର ଭିଟାମାଟି ପାଇଁ, ଲେଖିଛି ଆର୍ତି ମନୁଷ୍ୟ ପାଇଁ ଏବଂ ଆପଣାର ମାତୃଭାଷା ପାଇଁ ଯେଉଁଥିପାଇଁ ଭୋକିଲା ମଣିଷଟିଏ ଦେଖିଲେ, ଦୁଖୀ ଓ ଅସହାୟ ମଣିଷଟିଏ ଦେଖିଲେ ଭିଟାମାଟିର ବିକଟାଳ ଚିତ୍ର, ତଥା ପୋଡାଭୂଇଁର ଉତ୍କଟ ଗନ୍ଧ ବା ମୁଲମଜୁରିଆର ପରିବାରର ଦୁସ୍ଥିତି ଦେଖିଲେ କବିର କଲମ ମୁନ ଶ୍ୱନ୍ୟକାଗଜରେ ବାସ୍ତବ ସତ୍ୟ କୁ ପ୍ରକାଶ କରେ ଯାହାର ବଳିଷ୍ଟ ଉଦାହରଣ ଆଧୁନିକ ସାହିତ୍ୟର ପ୍ରଥମ ଉଚ୍ଚାରଣରେ ଏ ମାଟିର ଅନ୍ଧକବି ସନ୍ଥକବି ଭୀମଭୋଇ ବ୍ୟାକୁଳତ ପ୍ରାଣରେ ସ୍ତୁତିଚିନ୍ତାମଣି ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି।
“ଏକ ଖଣ୍ଡିହାଡ ବୁନ୍ଦାଏ ରକତ ଫୁଟେ ମାଉଁସ ଜାଣଇ,
ସେଥିପାଇଁ ସିନା ପ୍ରାଣୀଙ୍କ ବିକଳ ସହି ନ ପାରଇ ମୁହିଁ”
କେବଳ ସେତିକି ନୁହେଁ ଜଗତର କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବାକୁ ପଶ୍ଚାତପଦ ହୋଇନାହାନ୍ତି କବି। ଯେଉଁଥିପାଇଁ ସେ ପୂନର୍ବାର ସ୍ତୁତିଚିନ୍ତାମଣୀରେ ଆଉ ଗୋଟିଏ ପକ୍ତିଂ ଲେଖି ଓଡିଆ ସାହିତ୍ୟ କୁ ଯେତିକି ସମୃଦ୍ଧଶାଳୀ କରିଛନ୍ତି, ତା ଠାରୁ ଅଧିକ ବିଶ୍ୱସାହିତ୍ୟକୁ ଶିଖାଇଛନ୍ତି ମାନବ ବୋଧର ମହାମନ୍ତ୍ର ଯାହା ଓଡିଶାର ଘରେ ଘରେ ପରିଚିତ।
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କିବା ସହୁ
ମୋ ଜୀବନ ପଛେ ନର୍କେ ପଡିଥାଉ
ଜଗତ ଉଦ୍ଧାର ହେଉ”
ଏହି ପକ୍ତିଂ ମଧ୍ୟରେ ଜୀବନ ଓ ଜଗତ ପାଇଁ ବ୍ୟଥିତ ଓ ବ୍ୟାକୁଳତା ପରିଲିଖିତ ହୁଏ। କବି ନିଜକୁ ନିଶ୍ୱ ଓ ଉତ୍ସର୍ଗୀକୃତ କରି ମାନବିକତାର ସ୍ୱରକୁ ପରିପୃଷ୍ଟ କରିଛନ୍ତି। ହତାଶବୋଧର ଦୃଶ୍ୟପଟ ତଥା ଇଂରେଜ ଓ ଆଫଗାନ ମାନଙ୍କର ବର୍ବରୋଚିତ ଆକ୍ରମଣ ଫଳରେ ହୁଏତ ଅନେକ ଧନଜୀବନର କ୍ଷୟକ୍ଷତି ଘଟିଛି, କିନ୍ତୁ ଓଡିଆ ଜାତିଟା ଭାଙ୍ଗିପଡିନାହିଁ କିମ୍ବା ଅଟକି ଯାଇନି କବିର କଲମ ମୁନ। ପରବର୍ତୀ ଓଡିଆ ସାହିତ୍ୟର ପରିଶର ଦେଖିଲେ ୧୯୦୩ ମସିହାରେ ଚକ୍ରଧରପୁର ଠାରେ ଉତ୍କଳ ସମ୍ମିଳନୀର ଆଲୋଚନାଚକ୍ରରେ ଅନେକ କବି ଓ ଦେଶପ୍ରେମୀ ଭାବନ୍ୱିତ ହୋଇ ଜାଗ୍ରତ ହୋଇ ଉଠିଥିଲେ ଯାହାର ଫଳସ୍ୱରୂପ ସାକ୍ଷୀଗୋପାଳ ନିକଟସ୍ଥ ସତ୍ୟବାଦୀ ଠାରେ ଏକ ମଣିଷ ତିଆରି କାରଖାନା ସତ୍ୟବାଦୀ ବନବିଦ୍ୟାଳୟ ଗଢିଉଠିଥିଲା ଏବଂ ସେଇ ଶିକ୍ଷକମାନଙ୍କ ଚେତନା ମାନବବୋଧର ସ୍ୱରକୁ କବିତା ମାଧ୍ୟମରେ ପରିପ୍ରକାଶ କରିଥିଲେ। ସେଇ ସଂକଳ୍ପବଦ୍ଧ ଦରଦୀପ୍ରାଣ ଶିକ୍ଷକମାନଙ୍କ ମଧ୍ୟରୁ ଉତ୍କଳମଣୀ ଗୋପବନ୍ଧୁ ଦାସ ନିଜ କବିତାରେ ମାନବିକତାର ସ୍ୱରକୁ ଉଚ୍ଚାରଣ କରି ଲେଖିଛନ୍ତି।
“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ ପଥେ ଯେତେ ଗାଡ
ପୁରୁ ତହିଁ ପଡି ମୋର ମାଂସ ହାଡ”
ବିଶେଷତଃ ଓଡିଆ ମାଟିରେ ଅନେକ କବି ମାନବବୋଧର ସ୍ୱରକୁ କବିତାରେ ପରିପ୍ରକାଶ କରି କେବଳ ଓଡିଆ ସାହିତ୍ୟକୁ ସମୃଦ୍ଧଶାଳୀ କରିଛନ୍ତି ସେତିକି ନୁହେଁ ବରଂ ଆର୍ତିମାନବ ତଥା ଅବହେଳିତ ଅବଦଳିତ ମନୁଷ୍ୟର ସ୍ୱର ଝଙ୍କାରକୁ ତାଙ୍କ କବିତାର ମର୍ମବାଣି ଭାବରେ ପରିପ୍ରକାଶ କରିଛନ୍ତି। ପରବର୍ତୀ ସବୁଜ ଚେତନାର ସ୍ୱର ଯେତେବେଳେ ପ୍ରେମପ୍ରଣୟ ଚେତନାର କବିତା ବୋଲି ଆମେ କହିବା ହୁଏତ ଭୁଲ ହୋଇଯିବ, ବରଂ ସବୁଜ ସାହିତ୍ୟର କେତକ କବିତାରେ ଥିଲା ମାନବୀକତାର ମର୍ମଲିପି ଯେମିତି କାଳନ୍ଦୀଚରଣ ପାଣିଗ୍ରାହୀଙ୍କ କବିତାର ସ୍ୱର –
“କିଏ ଡକାୟତ କାହାପାଇଁ ଫାସୀ କିଏ ସମାଜର ରୋଗ
କାହାପିଠି ଲୋଡେ ଜୋତା ଓ ଚାବୁକ କାହା ପାଇଁ ଜେଲ ଭୋଗ”
ତତକାଳୀନ ସମୟରେ ଦଳିତ ପୀଡିତ ମଣିଷର ଜୀବନ ଯନ୍ତ୍ରଣାକୁ ଲକ୍ଷ୍ୟକରି କାଳିନ୍ଦୀଚରଣ ପାଣିଗ୍ରାହୀ ତାଙ୍କ କବିତାରେ ମାନବିକତାର ସ୍ୱରକୁ ଉଚ୍ଚାରଣ କରିଛନ୍ତି –
ମଣିଷ ମଣିଷ ଶୁଭିଲା ଦୁରରୁ ଡାକ
ଦୁନିଆର ଯେତେ ଦଳିତ ପିଡିତ ଯାକ
ସ୍ପନ୍ଦନ ସେହି ପୁଲକ ପରଷ ରେଖା
ବନ୍ଧୁର ପଥେ ବନ୍ଧୁ ସେ ମୋର ଏକା
କେବଳ ସେତିକି ନୁହେଁ ଉତ୍କଳ ମାଟିର ଅନନ୍ୟ ପ୍ରତିଭ଼ାଦୀପ୍ତ ପ୍ରକୃତ ପାଗଳ ଡ. ମାୟାଧର ମାନସିଂହଙ୍କ କବିତାର ସ୍ୱର ଥିଲା –
“ହେ ଦେଶବାସୀ ମର୍ମ କଥା
ଏଇ ମୋ ଇସ୍ତହାର
ମୋହର ଏଇ କଠିନ ପିଣ୍ଡ ତଳେ
ଥରି ଉଠୁଛି ଯହୁସ୍ୱାଇଁ ଦାରୁଣ ନିର୍ଯ୍ୟାତନା
ବିକଳ ଆର୍ତଧ୍ୱନି ତାହାର ଅଶାନ୍ତ ଆତ୍ମାର”
ସତେ ଯେମିତି ସାଧାରଣ ଜନଜୀବନର ଦୁସ୍ଥିତି ରୂପକୁ କବି ଅତିନିକଟରୁ ଦେଖିପାରିଥିଲେ ଏବଂ ମର୍ମେ ମର୍ମେ ଅନୁଭବ କରିଥିଲେ ସେଥିପାଇଁ ତାଙ୍କ କବିତାରୁ ଛଟିକି ପଢୁଥିଲା ଲୋତକର ଜଳକଣା
ପରବର୍ତୀ ସମୟରେ ନାରୀ ଯେତେବେଳେ ଅବଳା ଦୁର୍ବଳା ତାଥା ରକ୍ଷଣଶୀଳ ସମାଜର ଚାରିକାନ୍ଥରେ ଆବଦ୍ଧ ଏବଂ କୁସଂସ୍କାରର ପରିଧିରେ ଯନ୍ତ୍ରଣାସିକ୍ତ ସେହି ସମୟରେ ନାରୀ କବି କୁନ୍ତଳା କୁମାରୀ ସାବତ ଶୁଣିପାରିଥିଲେ ଅବଦଳିତ ମନୁଷ୍ୟର କରୁଣସ୍ୱର ଫଳରେ ତାଙ୍କ କବିତାରେ ମାନବୀକତାର ସ୍ୱର ଝକାଂର ଦେଖିବାକୁ ମିଳିଥାଏ।
“ଶୁଣ ହେ ମଣିଷ ଭାଇ
ଝୁରିମରିବାକୁ, ବୁଡିମରିବାକୁ ମଣିଷ ଜନମୀ ନାହିଁ
ଶତହତଶ୍ୱାସେ ସାରିବା ସଂସାର ନିରାଶେ ନିବିଡ ଅନ୍ଧାରେ
ଚିରଶୃଙ୍ଖଳିତ, ଲାଂଛିତ, ବାଂଛିତ, ପୀଡିତ କଷଣ କାରାରେ
ଏ ନୁହେଁ ମାନବ ନିୟତି,
ଧ୍ୱଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ ନୁହେଁ ଏ ବିଶାଳ ଜଗତୀ, ଶୁଣ ହେ ମଣିଷ ଭାଇ”
ରାଧାମୋହନ ଗଡନାୟକଙ୍କ ଏକ କବିତାରେ ଅନ୍ତଃସ୍ୱର ଯାହା ମାନବବୋଧର ମର୍ମକୁ ନିର୍ଦ୍ଦେଶ କରେ।
“ମଣିଷର ହୃଦୟ କି ଯାଣିପାରେ ସମୟର ସୁଏ
ପୂର୍ବରାଗ, ଅନୁରାଗ କେଉଁପରି ପୁଣି ଦିନେ ଅସ୍ତରାଗ ହୁଏ”
ପରବର୍ତୀ ଓଡିଶାର ଆଧୁନିକ ସାହିତ୍ୟର ପ୍ରେକ୍ଷାପଟକୁ ନିରିକ୍ଷଣ କଲେ ଜଣାଯାଏ ଖୋର୍ଦ୍ଧାଗଡର ବିପ୍ଲବୀ କବି, ସାମ୍ୟବାଦର କବି, ମାଅ, ମାଟି, ମାତୃଭାଷା ଓ ମଣିଷ ପାଇଁ ନିର୍ଭୀକତା ଭାବେ ସ୍ୱର ଉତୋଳନ କରୁଥିବା କବି ହେଉଛନ୍ତି ସଚ୍ଚିଦାନନ୍ଦ ରାଉତରାୟ। ଯାହାଙ୍କର ପ୍ରତି କବିତାର ଅନ୍ତସ୍ୱର ଏବଂ ଏ଼ ମଧ୍ୟରେ ରହିଛି ମନୁଷ୍ୟ ଛାତୀର କୋହ, ଆଖିର ଲୁହ, ଅବଦଳୀତ ମନୁଷ୍ୟର ଆର୍ତିଚିତ୍କାର, ଭୁର୍ଭୁକ୍ଷୁ ପେଟର ଜ୍ୱଳା ଯନ୍ତ୍ରଣା ସର୍ବୋପରି କୁସଂସ୍କାର, ଜାତିଭେଦ ବଳୟ ମଧ୍ୟରୁ ଦଳୀତ ମନୁଷ୍ୟକୁ ମୁକୁଳାଇବାର ସାଣିତସ୍ୱର ଯାହା ତାଙ୍କର କବିତାରେ ଦେଖିବାକୁ ମିଳେ।
ଏ ଜୀବନ ଯୁଦ୍ଧେ କିମ୍ବା ଦୁର୍ବଳର ପାଟି ଶୁଭେନାହିଁ
ଦିନରକ୍ତେ ଓଦାହୁଏ ମାଟି, ଦାରିଦ୍ରର ଅଶ୍ରୁକଣା ଲିଭେ ଧନ ହାସେ
ମାନବ ଲୋଟଇ ତଳେ, ପଶୁତ୍ୱର ତ୍ରାସେ ଶରୀରର ଦର୍ପାନଳେ ଦଗ୍ଧହୁଏ ପ୍ରାଣ ମାନବତ୍ୱ ଚୁର୍ଣ୍ଣକରେ ମାଂସର ଆହ୍ୱାନ ମନୁଷ୍ୟର ହାହା କାରେ
ମନୁଷ୍ୟର ଗତିଥକେ ନାହିଁ। ଏ ଯୁଦ୍ଧରେ ସମସ୍ତେ ମହାରଥି (ସନେଟ ୧୪)
କେବଳ ସେତିକି ନୁହେଁ ଜମିଦାର ଶିଳ୍ପପତି ମାନଙ୍କର ଜୁଲମ୍ ତଥା କଠୋର ପରିଶ୍ରମର ସମୁଚ୍ଚିତ ମୂଲ୍ୟ ପାଇଁ କବି ତାଙ୍କ କବିତାରେ ଦାବି କଲାଭଳି ମନେହୁଏ। ତାଙ୍କର ଅନ୍ୟଏକ କବିତାର ସ୍ୱର –
“ମଣିଷର ଗୋଡ ଚିପୁଡି ଭାଇ ହେ ମଣିଷ ପୁଅର ବେକ
ମଣିଷ ମାଉଁସ ମଣିଷ ଖାଉଛି ନ ଦେଖିବା ଲୋକ ଦେଖ
ଭୋକ ଉପାସରେ ଉଙ୍କୁଣି ପରାଏ ଝଡୁଛି ମଣିଷ ପୁଅ
ଶ୍ୟାମଳା ଧରଣୀ ହେଲାଣି ମଶାଣି ବହୁଛି ରକତ ସୁଅ
ଭାଳଇ ମୂଲିଆ କବି
ମଣିଷର ଯୁଗ କେବେ ସେ ଆସିବ ଉଠିବ ନୂତନ ରବି”(ଭାତ – ଅଭିଯାନ )
ପରିଶେଷରେ ଏତିକି କୁହାଯାଇପାରେ ସ୍ୱାଧିନତା ପୂର୍ବବର୍ତୀ କେତେକ ପ୍ରମୁଖ କବିତାରେ ସମାଜ ଜୀବନର ଅସହାୟ ମଣିଷର ଅବସ୍ଥାକୁ ଦେଖି ଏ ମାଟିର ରାଜା, ଜମିଦାର, ପ୍ରଶାସକ, ଅମଲାତନ୍ତ୍ରୀ ଆତ୍ମସ୍ୱାର୍ଥୀ ହୋଇ ହୁଏତ ନିରବୀଯାଇଥିଲେ କିନ୍ତୁ ଏ ମାଟିର ଦେଶପ୍ରେମୀ ଦରଦୀ କବି କେବେହେଲେ ତାର ଲେଖନୀ ମୁନକୁ ସୁପ୍ତ ଓ ନିରବ କରିନାହିଁ ବରଂ ଚିରଜାଗ୍ରତ, ସାଣିତ କରି ଓଡିଆ ଜାତିର କିର୍ତୀ ଗୈାରବ ସହିତ ଓଡିଆ ମାଟିର ସାଧାରଣ ମନୁଷ୍ୟର ନିରୁତା ପ୍ରାଣ ସ୍ପନ୍ଦନକୁ କବିତାରେ କରିଛି ଅଭିବ୍ୟକ୍ତ କୋଟି ଓଡିଆ ପ୍ରାଣରେ ଭରିଦେଇଛି ଧର୍ଯ୍ୟ, ସ୍ତର୍ଯ୍ୟ ଓ ମନୋବଳ ଆଉ ଶିଖାଇଛି ମୁଠାଏ ଖାଇମଧ୍ୟ ବଂଚିବାର ଜୀବନଶୈଳୀ, ଯେଉଁଥିପାଇଁ ଓଡିଆ ସାହିତ୍ୟ ଇତିହାସରେ ଓଡିଶାର କେତେକ ପ୍ରମୁଖ ଦରଦୀ କବିମାନେ ଉଚ୍ଚାରଣ କରିଛନ୍ତି ତାଙ୍କର ସ୍ୱକୀୟ କବିତାରେ ଜାତୀୟତାବୋଧ ଓ ମାନବବୋଧର ସ୍ୱର ଏବଂ ସମାଜର ଦଳୀତା, ଅବହେଳିତା ଲୋକମାନଙ୍କ ପାଇଁ କବି ଗଢି ତୋଳିଛି ନିଜକୁ ସମାଜର ମୁଖପତ୍ର ଭାବରେ ସେଇ ଅମର କବିମାନେ ଆମ୍ଭମାନଙ୍କର ଚିର ନମସ୍ୟ ଓ ଚିର ସ୍ମରଣୀୟ ।
ରେଫେରେନ୍ସ:
୧- ଭୀମ ଭୋଇ କାବ୍ୟବିଭା – ସାରଳା ସାହିତ୍ୟ ସଂସଦ
୨- ସଚ୍ଚିରାଉତରାୟ ବିଶେଷାଙ୍କ -କୋଣାର୍କ ପତ୍ରିକା (ଓଡିଶା ସାହିତ୍ୟ ଏକାଡେମୀ )
୩- ରାଧାନାଥ ରୁ ସତ୍ୟବାଦୀ ସାହିତ୍ୟ – ଡ଼ ବୈଷ୍ଣବ ଚରଣ ସାମଲ
୪- ପ୍ରାଚୀନରୁ ସାମ୍ପ୍ରତିକ ଓଡ଼ିଆ କାବ୍ୟ କବିତା – ପ୍ରଫେସର ପ୍ରେମାନଦ ମହାପାତ୍ର
୫- ଓଡ଼ିଆ ସାହିତ୍ୟର ଇତିହାସ -ସୁରେନ୍ଦ୍ର କୁମାର ମହାରଣା