କବି କାଜୀ ନଜରୁଲ୍ ଇସଲାମଙ୍କ ଶେଷ ଭାଷଣ

ମୁଁ ବିଦ୍ରୋହ କରିଛି, ବିଦ୍ରୋହର ଗୀତ ଗାଇଛି, ଅନ୍ୟାୟ ବିରୁଦ୍ଧରେ, ଅତ୍ୟାଚାର ବିରୁଦ୍ଧରେ, ଯାହା ମିଥ୍ୟା, କଳୁଷିତ, ପୁରାତନ, ପଚା, ସେହି ମିଛ ସନାତନ ବିରୁଦ୍ଧରେ। ଧର୍ମ ନାମରେ ଚାଲିଥିବା ଭାଣ୍ଡାମି ଓ କୁସଂସ୍କାର ବିରୁଦ୍ଧରେ...

Sumana Ghosal
252 Views
7 Min Read

ଏହି ଶେଷ ଭାଷଣଟି କବି କାଜୀ ନଜରୁଲ୍ ଇସଲାମଙ୍କ ଆତ୍ମନିର୍ଗତ ଯନ୍ତ୍ରଣା ଓ ମାନବତାର ମୂଲ୍ୟବୋଧକୁ ପରିପ୍ରକାଶ କରେ । ତାଙ୍କ ବାଣୀରେ ଥିବା ଏକତା, ଭାଇଚାରା ଓ ମୂଲ୍ୟବୋଧ ଆଜି ବି ଆମକୁ ଗଭୀର ଅନୁପ୍ରେରଣା ଦେଇଥାଏ। କବି କାଜୀ ନଜରୁଲ୍ ଇସଲାମ ନିଜ ଜୀବନକୁ ବିଦ୍ରୋହୀ ଭାବେ ନୁହେଁ, ଜଣେ ପ୍ରେମିକ ଭାବେ ଦେଖିଥିଲେ । ଏକ ଅପୂର୍ଣ୍ଣ ଅଭିଳାଷା ନେଇ ସେ ବାହାରିଥିଲେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ । ତାଙ୍କର ଅସ୍ତ୍ର ଥିଲା ମାନବ ପ୍ରେମ ଯାହା ଆଜି ବି ପ୍ରେରଣାଦାୟୀ ମନେହୁଏ । – ସମ୍ପାଦକ

Support Samadhwani

୧୯୪୧ ମସିହା, ଏପ୍ରିଲ ୬ ତାରିଖ । କୋଲକାତାର ମୁସଲିମ୍ ଇନ୍‌ଷ୍ଟିଟ୍ୟୁଟ୍ ହଲରେ ହେଉଥିବା “ବଙ୍ଗୀୟ ମୁସଲମାନ୍ ସାହିତ୍ୟ ସମିତି”ର ରଜତ ଜୟନ୍ତୀ ଅବସରରେ ଅଧ୍ୟକ୍ଷ ଭାବେ କବି କାଜୀ ନଜରୁଲ୍ ଇସଲାମ ଏହି ଅଭିଭାଷଣ ଦେଇଥିଲେ। ଏହା ଥିଲା ତାଙ୍କର ଶେଷ ଭାଷଣ । ଏହାପରେ ସେ ଗମ୍ଭୀର ରୋଗରେ ପୀଡ଼ିତ ହୋଇ ସବୁଦିନପାଇଁ ନିଜର ବାକ୍‌ଶକ୍ତି ହରାଇଥିଲେ।

ବନ୍ଧୁଗଣ,

ଆପଣମାନେ ଆଜି ଯେଉଁ ସମ୍ମାନ ମୋତେ ଦେଲେ, ସେସବୁକୁ ମୁଁ ମୋ ମସ୍ତକରେ ଧାରଣ କଲି । ମୋର ସମସ୍ତ ଶରୀର-ମନ-ପ୍ରାଣ ଆଜି ବୀଣା ପରି ବାଜି ଉଠିଛି। ତହିଁରେ ‘ମୁଁ ଧନ୍ୟ ହେଲି’, ‘ମୁଁ ଧନ୍ୟ ହେଲି’ ବୋଲି ସ୍ଵର ବାରମ୍ବାର ଶୁଣାଯାଉଛି ।

Support Samadhwani

ମୋତେ ଆପଣମାନେ ସେହିଦିନ ଅଭିନନ୍ଦନ ଜଣେଇଥିଲେ, ଯେଉଁଦିନ ଆପଣମାନେ ମୋ ଲେଖାକୁ ଭଲପାଇଥିଲେ। ମୁଁ ଜନ୍ମ ନେଇଛି ବିଂଶ ଶତାବ୍ଦୀର ଏକ ଅସମ୍ଭବ ସମ୍ଭାବନାର ସମୟରେ। ଏହି ଅଭିଯାନରେ ମୁଁ ସେନାଦଳର ତୁର୍ଯ୍ୟ ବାଦକମାନଙ୍କ ମଧ୍ୟରୁ ଜଣେ । ଏହା ହିଁ ହେଉ ମୋର ସବୁଠାରୁ ବଡ଼ ପରିଚୟ।

ମୁଁ ଏଇ ଦେଶରେ, ଏଇ ସମାଜରେ ଜନ୍ମ ନେଇଛି ବୋଲି, କେବଳ ଏଇ ଦେଶର ନୁହେଁ, ଏହି ସମାଜର ନୁହେଁ; ମୁଁ ସମସ୍ତ ଦେଶର, ସମସ୍ତ ଲୋକଙ୍କର । କବି ଦାନ ଚାହେଁ ନାହିଁ, କବି ଅଞ୍ଜଳି ଚାହେଁ, ପ୍ରେମ ଚାହେଁ । କବିତା ଓ ଦେବତା ହେଉଛି ସୁନ୍ଦରର ପରିପ୍ରକାଶ । ସୌନ୍ଦର୍ଯ୍ୟତା ଭିତରେ ହିଁ ସୁନ୍ଦରକୁ ପ୍ରକାଶ କରିବାକୁ ହୁଏ । ସୌନ୍ଦର୍ଯ୍ୟକୁ ଧ୍ୟାନ କରିବା ଓ ତାହାର ସ୍ତବ ଗାଇବା ହିଁ ମୋର ଧର୍ମ । ତଥାପି କହିବି, ମୁଁ କେବଳ ସୌନ୍ଦର୍ଯ୍ୟର ହାତରେ ବୀଣା, ପାଦରେ ପଦ୍ମ ଫୁଲ ଦେଖିନାହିଁ; ତାଙ୍କ ଆଖିରେ ଆଖି ଭରା ଲୁହ ମଧ୍ୟ ଦେଖିଛି। ମଶାଣି ବାଟରେ, କବରଖାନାର ବାଟରେ ତାଙ୍କୁ ଅନାହାର ଚେହେରାରେ, ବେଦନାଭରା ପାଦରେ ଚାଲିଯିବାର ଦେଖିଛି। ଯୁଦ୍ଧଭୂମିରେ ତାଙ୍କୁ ଦେଖିଛି । କାରାଗାରର ଅନ୍ଧକାର କକ୍ଷରେ ତାଙ୍କୁ ଦେଖିଛି। ଫାସିର ମଞ୍ଚରେ ତାଙ୍କୁ ଦେଖିଛି।”

ମୋତେ ବିଦ୍ରୋହୀ ବୋଲି କିଛି ଲୋକ ଅନାବଶ୍ୟକ ଭାବେ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। ଏହି ନିରୀହ ଜାତିକୁ ରାମ୍ପିବା, କାମୁଡ଼ିବା ଓ ପଚାରୁ ଧକ୍କା ଦେବା ପାଇଁ ମୋର କେବେବି ଇଚ୍ଛା ନାହିଁ ।

ମୁଁ ବିଦ୍ରୋହ କରିଛି, ବିଦ୍ରୋହର ଗୀତ ଗାଇଛି, ଅନ୍ୟାୟ ବିରୁଦ୍ଧରେ, ଅତ୍ୟାଚାର ବିରୁଦ୍ଧରେ, ଯାହା ମିଥ୍ୟା, କଳୁଷିତ, ପୁରାତନ, ପଚା, ସେହି ମିଛ ସନାତନ ବିରୁଦ୍ଧରେ। ଧର୍ମ ନାମରେ ଚାଲିଥିବା ଭାଣ୍ଡାମି ଓ କୁସଂସ୍କାର ବିରୁଦ୍ଧରେ।

କେହି କହନ୍ତି ମୋର ବାଣୀ ଯବନ, କେହି କହନ୍ତି କାଫେର। ମୁଁ କହେ, ଏହି ଦୁଇଟିଯାକ ଭିତରୁ କେହି ନୁହେଁ। ମୁଁ କେବଳ ହିନ୍ଦୁ ଓ ମୁସଲମାନଙ୍କୁ ଏକାଠି ଆଣି, ହେଣ୍ଡସେକ କରାଇବାପାଇଁ ଚେଷ୍ଟା କରିଛି, ଗାଳିଗୁଲଜକୁ ଆଲିଙ୍ଗନରେ ପରିଣତ କରିବାକୁ ଚେଷ୍ଟା କରିଛି। ଯଦି ପରସ୍ପରର ହାତଧରିବା, ହାତାହାତି ହେବାଠାରୁ ଅଶୋଭନୀୟ ଲାଗେ, ତେବେ ସେମାନେ ନିଜେ ନିଜେ ଅଲଗା ହୋଇଯିବେ।

ମୋର ଏହି ସଂପ୍ରୀତିର ଶିକୁଳୀକୁ ଭାଙ୍ଗିବା ପାଇଁ ସେମାନଙ୍କୁ ଅଧିକ ଚେଷ୍ଟା କରିବାକୁ ପଡ଼ିବ ନାହିଁ । କାରଣ ଜଣକ ହାତରେ ଅଛି ଲାଠି, ଅନ୍ୟଜଣକ କମିଜର ଅଣ୍ଟାରେ ଅଛି ଛୁରୀ । ହିନ୍ଦୁ ଓ ମୁସଲମାନ ମଧ୍ୟରେ ଦିନରାତି ହଣାହଣି, ଜାତି ଜାତି ଭିତରେ ଘୃଣା, ଯୁଦ୍ଧ ଓ ବିବାଦ ଭରିରହିଛି । ମଣିଷ ଜୀବନର ଗୋଟିଏ ପଟେ ଅଛି ଦାରିଦ୍ର୍ୟ, ଋଣ ଓ ଅଭାବ, ଓ ଅନ୍ୟ ପଟରେ ଅଛନ୍ତି ଲୋଭୀ ଅସୁରମାନେ, ଯେଉଁମାନେ ଯକ୍ଷ୍ୟ ରତ୍ନଭଣ୍ଡାର ଜଗିବା ପରି କୋଟି କୋଟି ଟଙ୍କା ଗାଦି କରି ଥାପିକି ବସିଛନ୍ତି। ଏହି ଅସମତା ଓ ଭେଦଭାବକୁ ଦୂର କରିବା ପାଇଁ ମୁଁ ଆସିଥିଲି । ମୋର କବିତା, ସଙ୍ଗୀତ ଓ କର୍ମମୟ ଜୀବନରେ ମୁଁ ଏକତା ଓ ସୁନ୍ଦର ସାମ୍ୟକୁ ପ୍ରତିଷ୍ଠିତ କରିଥିଲି । ମୁଁ ଯଶ ଚାହେଁ ନାହିଁ, ଖ୍ୟାତି ଚାହେଁ ନାହିଁ, ପଦ ଚାହେଁ ନାହିଁ, ନେତୃତ୍ୱ ଚାହେଁନାହିଁ । ମୋର ଜୀବନ ଯେତେ ଦୁଃଖମୟ ହେଉ, ମୁଁ ଆନନ୍ଦର ଗୀତ ଓ ବେଦନାର ଗୀତ ଗାଇବାକୁ ଚାହେଁ । ମୁଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ଅନ୍ୟମାନଙ୍କ ସହିତ ବାଣ୍ଟି ଦେଇଯିବି । ସମସ୍ତଙ୍କର ଜୀବନ ଭିତରେ ମୁଁ ବଞ୍ଚିକି ରହିବି। ଏହାହିଁ ମୋର ବ୍ରତ, ଏହା ହିଁ ମୋର ସାଧନା, ଏହା ହିଁ ମୋର ତପସ୍ୟା।

ରବୀନ୍ଦ୍ରନାଥ ମୋତେ ଅନେକ ସମୟରେ କହୁଥିଲେ, “ଦେଖ ଉନ୍ମାଦ, ତୋର ଜୀବନରେ ଶେଲିଙ୍କ ଭଳି ଓ କିଟ୍ସ ଭଳି ଗୋଟିଏ ବଡ଼ ଟ୍ରାଜେଡି ଅଛି, ତୁ ପ୍ରସ୍ତୁତ ହ” । ଜୀବନରେ ସେଇ ଟ୍ରାଜେଡିକୁ ଦେଖିବା ପାଇଁ ମୁଁ ଅନେକଦିନ ଅକାରଣରେ ଅନ୍ୟମାନଙ୍କ ଜୀବନକୁ ଲୁହରେ ଭିଜାଇ ଦେଇଛି। କିନ୍ତୁ ମୋ ନିଜ ଜୀବନ ସେମିତି ରହିଗଲା ଏକ ଶୁଷ୍କ ମରୁଭୂମି ପରି । ମେଘ ଉପରେ ଶୂନ୍ୟରେ ରହିଗଲା କେବଳ ହସ, କେବଳ ଗୀତ, ଓ କେବଳ ବିଦ୍ରୋହ ।

ମୋର ମନେପଡ଼ୁଛି ମୋ ଜୀବନର ଗୋଟିଏ ଦିନର ଏକ ମହା ଅନୁଭୂତିର କଥା । ମୋ ପୁଅ ମୃତ୍ୟୁବରଣ କରିଥିଲା । ମୋ ମନ ଯେତେବେଳେ ତୀବ୍ର ପୁତ୍ର ଶୋକରେ ଭାଙ୍ଗିପଡ଼ୁଥିଲା,  ଠିକ ସେହି ଦିନ, ସେହି ସମୟରେ ମୋ ଘର ଅଗଣାରେ ହସ୍ନାହେନା ଫୁଟିଥିଲା। ମୁଁ ପ୍ରାଣଭରି ସେଇ ହସ୍ନାହେନାର ସୁଗନ୍ଧ ଉପଭୋଗ କରିଥିଲି।
ମୋର କବିତା, ମୋର ଗୀତ ଗୁଡ଼ିକି ଜୀବନର ସେଇ ଅନୁଭୂତି ଭିତରୁ ଜନ୍ମ ନେଇଛି।
ଯଦି କେବେ ଆପଣମାନଙ୍କ ପ୍ରେମର ପ୍ରବଳ ଆକର୍ଷଣରେ ମୋତେ ମୋର ଏକାକିତ୍ୱର ପରମ ଶୂନ୍ୟତାରୁ ଅସମୟରେ ମୋତେ ଆସିବାକୁ ପଡ଼େ, ତେବେ ସେଦିନ ମୋତେ ସେଇ ନଜରୁଲ ବୋଲି ମନେକରିବେ ନାହିଁ। ସେଇ ନଜରୁଲ ଅନେକ ଦିନ ପୂର୍ବରୁ ମୃତ୍ୟୁର ଖିଡ଼କି ଦ୍ୱାରରୁ ପଳାଇଯାଇଛି । ମନେକରିବେ, ପୂର୍ଣ୍ଣତ୍ୱର ତୃଷ୍ଣା ନେଇ ଏକ ଅଶାନ୍ତ ତରୁଣ ଏଇ ଧରାକୁ ଆସିଥିଲା, ଅପୂର୍ଣ୍ଣତାର ବେଦନାରେ ତା’ର ବିଗତ ଆତ୍ମା ସ୍ୱପ୍ନରେ ଆପଣମାନଙ୍କ ମଧ୍ୟରେ କାନ୍ଦିକି ଗଲା।

ଯଦି ଆଉ ବଂଶୀ ନ ବାଜେ, ମୁଁ କବି ବୋଲି କୁହୁନି, ମୁଁ ଆପଣମାନଙ୍କର ଭଲପାଇବା ପାଇଥିଲି, ସେଇ ଅଧିକାରରେ କୁହୁଛି – ମୋତେ ଆପଣମାନେ କ୍ଷମା କରିଦେବେ । ମୋତେ ଭୁଲି ଯିବେ  । ବିଶ୍ୱାସ କରନ୍ତୁ, ମୁଁ କବି ହେବାକୁ ଆସିନଥିଲି। ମୁଁ ନେତା ହେବାକୁ ଆସିନଥିଲି। ମୁଁ ପ୍ରେମ ଦେବାକୁ ଆସିଥିଲି, ପ୍ରେମ ପାଇବାକୁ ଆସିଥିଲି। ସେ ପ୍ରେମ ମୋତେ ମିଳିଲାନି ବୋଲି, ମୁଁ ଏହି ପ୍ରେମ ହୀନ ନିରସ ପୃଥିବୀରୁ ନିରବ ଅଭିମାନରେ ଚିରଦିନ ପାଇଁ ବିଦାୟ ନେଲି।

ଯେଉଁଦିନ ମୁଁ ଚାଲିଯିବି, ସେଦିନ ସମ୍ଭବତଃ ବଡ଼ ବଡ଼ ସଭା ହେବ। କେତେ ପ୍ରଶଂସା, କେତେ କବିତା ହୁଏତ ବାହାରିବ ମୋ ନାମରେ ।  ଦେଶପ୍ରେମୀ, ତ୍ୟାଗୀ, ବୀର, ବିଦ୍ରୋହୀ – ବିଶ୍ଲେଷଣ ଉପରେ ବିଶ୍ଲେଷଣ, ଟେବୁଲ ବାଡେଇବେ ବକ୍ତା ପରେ ବକ୍ତା।
ଏହି ଅସୁନ୍ଦର ‘ଶ୍ରଦ୍ଧା ନିବେଦନର ଶ୍ରାଦ୍ଧ’ ଦିନରେ, ବନ୍ଧୁ, ତୁମେ ଦୟାକରି ଯିବନି।
ଯଦି ପାର, ଚୁପଚାପ ବସି, ମୋ ଅଲିଖିତ ଜୀବନର କୌଣସି ଏକ କଥାକୁ ସ୍ମରଣ କର।
ତୁମ ଘର ଆଗଣାରେ ବା ଆଖପାଖରେ ଯଦି ଏକ ଝରିପଡ଼ିଥିବା, ପାଦରେ ଦଳି ହୋଇଯାଇଥିବା ଫୁଲ ମିଳେ, ତାହାକୁ ବୁକୁକୁ ଚାପି କୁହ ବନ୍ଧୁ – ‘ମୁଁ ତୁମକୁ ପାଇଥିଲି’।

“ତୁମମାନଙ୍କ ଆଡକୁ ଚାହିଁ ବନ୍ଧୁ, ଆଉ ମୁଁ ଜାଗିବି ନାହିଁ,
କୋଳାହଳ କରି ପୁରଦିନ ସାରା କାହାର ଧ୍ୟାନ ଭାଙ୍ଗିବି ନାହିଁ।
ନିଶ୍ଚଳ ନିଶବ୍ଦ – ନିଜ ମନରେ – ଜଳିବି ଏକାକୀ ଗନ୍ଧ ଭରା ଧୂପ ହୋଇ” ।

ଉପସ୍ଥାପନା : ଉତ୍ପଳ କାନ୍ତି ଧର

ଭାଷାନ୍ତର :

ସୁମନା ଘୋଷାଲ

ସ୍ଵୟଂପ୍ରଭା ପାଢୀ

Share This Article
Follow:
She is a singer and a cultural enthusiast.