ଡାଲଖାଇ: ଭବିଷ୍ୟତର ଆହ୍ୱାନ

ଡାଲଖାଇ ପରି ଅନେକ ଲୋକସଂସ୍କୃତି ଆଧୁନିକତାର ପ୍ରଭାବରେ ନିଜର ଅସ୍ତିତ୍ଵ ହଜାଇ ଦେଇଛନ୍ତି...

Swayamprava Parhi (Chief Editor)
522 Views
14 Min Read

ସମଧ୍ଵନିର ଏହି ସଂଖ୍ୟାଟି “ଡାଲଖାଇ” ବିଶେଷାଙ୍କ ଭାବରେ ପ୍ରକାଶ କରାଯାଉଛି । ଡାଲଖାଇ ଭଳି ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଏଥରର ସମ୍ପାଦକୀୟଟି ଲେଖିବା ପୂର୍ବରୁ ମୁଁ ସମସ୍ତଙ୍କୁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହେଁ ଯେ, ମୋର ଡାଳଖାଇକୁ ନେଇ ବିଶେଷ ଜ୍ଞାନ ନାହିଁ ।  ଅନେକ ବର୍ଷଧରି ଗଁଡ଼ାବଜା ଓ ଏହାସହିତ ଯୋଡ଼ି ହୋଇଥିବା ସାଂସ୍କୃତିକ ବିଭବଗୁଡ଼ିକୁ ଭଲକରି ଜାଣିବା ଓ ବୁଝିବା ପାଇଁ କେବଳ ମୁଁ ଚେଷ୍ଟା କରୁଛି । ଏ କ୍ଷେତ୍ରରେ ଆମ ସହିତ ସବୁବେଳେ ଆଲୋଚନା କରିବା ଓ ଏହି ସଂସ୍କୃତିକୁ ବୁଝିବାପାଇଁ ଆମକୁ ଉତ୍ସାହିତ କରିବା କ୍ଷେତ୍ରରେ ଯେଉଁ ଜ୍ଞାନୀ ଗୁଣୀ ଗବେଷକମାନେ ସହଯୋଗ କରିଛନ୍ତି ସମସ୍ତଙ୍କୁ ଆମେ କୃତଜ୍ଞତା ଜଣାଉଛୁ। ଅନେକ ଗାଁ’ର ଡାଲଖାଇ କଳାକାର ନିଜ ନିଜ ସଂସ୍କୃତି ବିଷୟରେ ଆମକୁ ଜଣାଇଛନ୍ତି ଓ ସେମାନଙ୍କ ଅନୁଭୂତିକୁ ବଖାଣିଛନ୍ତି । ସେହି କଳାକାରମାନଙ୍କୁ ଆମେ କୋଟି କୋଟି ଧନ୍ୟବାଦ ଦେବା ସହିତ ସେମାନଙ୍କ ନିକଟରେ କୃତଜ୍ଞତା ଜଣାଉଛୁ। ଡାଲଖାଇର ସଂରକ୍ଷଣ ପାଇଁ ସମଧ୍ଵନିର ଏହି ସାମାନ୍ୟ ଉଦ୍ୟମ ଯଦି କିଛି ବି ସହଯୋଗ କରିପାରିଲା ଆମେ ନିଜକୁ ଧନ୍ୟ ମନେକରିବୁ ।

Support Samadhwani

ଡାଲଖାଇ ପଶ୍ଚିମ ଓଡ଼ିଶାର ଏକ ଜୀବନ୍ତ ଲୋକସଂସ୍କୃତି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଲୋକପ୍ରିୟ ଲୋକନୃତ୍ୟ । କେବଳ ସେତିକି ନୁହେଁ ଡାଲଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ସଂସ୍କୃତିର ଧରୋହର ବୋଲି କୁହାଯାଏ । ଡାଲଖାଇ ଗୀତ ଓ ନୃତ୍ୟ ଏକ ଧର୍ମଭିତ୍ତିକ ପାରମ୍ପରିକ ଲୋକନୃତ୍ୟ, ଯାହା ସମାଜର କୃଷି ସଂସ୍କୃତି ସହିତ ଜଡ଼ିତ ।  ପଶ୍ଚିମ ଓଡିଶାର ଗାଁ’ଗୁଡିକରୁ ସୃଷ୍ଟି ହୋଇ ଏହି ଲୋକନୃତ୍ୟ ଓ ଗୀତ, ଆଜି ଅନ୍ତର୍ଜାତୀୟ ସ୍ତରରେ ସାଂସ୍କୃତିକ ସ୍ୱୀକୃତି ଏମିତିକି ବ୍ୟବସାୟିକ ସଫଳତା ଲାଭ କରିଛି ।

ଡାଲଖାଇର ଐତିହାସିକ ତତ୍ତ୍ଵ ଅତ୍ୟନ୍ତ ପ୍ରାଚୀନ, ଯାହାକି କେତେକ ବିଦ୍ୱାନଙ୍କ ମତରେ ପ୍ରାକ୍-ବୈଦିକ ସଭ୍ୟତା ଏବଂ ସିନ୍ଧୁ ଉପତ୍ୟକା ସଭ୍ୟତା ପର୍ଯ୍ୟନ୍ତ ବ୍ୟାପିଥିଲା। ଏହାର ଉତ୍ପତ୍ତିକୁ ନେଇ ଅନେକ ପୌରାଣିକ କଥା ପ୍ରଚଳିତ ଅଛି। ଏହି ଅଞ୍ଚଳରେ ମାନବ ବସତିର ପ୍ରାଚୀନତାକୁ ପ୍ରମାଣିତ କରୁଥିବା ବହୁ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ରହିଛି। ନୂଆପଡ଼ା ଜିଲ୍ଲାରେ ଡ. ତୋଷାବନ୍ତ ପ୍ରଧାନ ୪୩ଟି ପ୍ରାଚୀନ ସ୍ଥାନ ଆବିଷ୍କାର କରିଛନ୍ତି, ଯେଉଁଥିରେ ପ୍ରାଚୀନ ପ୍ରସ୍ତର ଯୁଗରୁ ନୂତନ ପ୍ରସ୍ତର ଯୁଗ ପର୍ଯ୍ୟନ୍ତ ସ୍ମାରକୀ ରହିଛି। ନୂଆପଡ଼ା ଜିଲ୍ଲାର, ସୁନାବେଡା ଉପତ୍ୟକା ଏବଂ ଗନ୍ଧମାର୍ଦ୍ଦନ ଭଳି ଅଞ୍ଚଳରେ ଶୈଳଚିତ୍ର, ଗୁମ୍ଫାଚିତ୍ର ଓ ପଥରର ଉପକରଣ ମିଳିଛି, ଯାହାକି ଏହି ସଭ୍ୟତାର ପ୍ରାଚୀନତାକୁ ସୂଚାଏ। ଏହା ଦର୍ଶାଏ ଯେ, ଡାଲଖାଇର ମୂଳ ଇତିହାସ ଗଭୀର ଭାବେ ଆଦିବାସୀ ସଂସ୍କୃତି ସହିତ ଯୋଡ଼ି ହୋଇଛି । ଗଣ୍ଡ, ବିଞ୍ଝାଲ, କୁଡା, ମିର୍ଦ୍ଦା ଓ ଅନ୍ୟାନ୍ୟ ଆଦିବାସୀ ସମୁଦାୟଙ୍କ ପାଖରୁ ଏହି ପରମ୍ପରା ଆରମ୍ଭ ହୋଇଛି । ପରେ କ୍ରମଶଃ ଅନ୍ୟ ଅଣଆଦିବାସୀ ସମାଜର ଲୋକମାନେ ଏହାକୁ ଗ୍ରହଣ କରି, ସମଗ୍ର ପଶ୍ଚିମ ଓଡିଶାର ସାମୂହିକ ପରିଚୟରେ ପରିଣତ କରିଛନ୍ତି । ଡାଲଖାଇ ସଂସ୍କୃତିର ମୂଳ ପ୍ରକୃତି ପୂଜା, ମାତୃକା ପୂଜା, କୁଠିଶାଳ, ଯନ୍ତ୍ରପୂଜା ଏବଂ ପ୍ରଜନନ ପ୍ରଥା ସହିତ ଯୋଡ଼ି ହୋଇଛି । “ଡାଲଖାଇ” ଶବ୍ଦଟି “ଡାଳ”ରୁ ଆସିଛି, ଯେଉଁଥିରେ ଏକ ଗଛର ଡାଳକୁ ସାଙ୍କେତିକ ଭାବରେ ଶକ୍ତିଙ୍କ ପ୍ରତିନିଧି ଭାବରେ ପୂଜା କରାଯାଏ । ଏହି ପର୍ବ କୁମାରୀ ଝିଅମାନେ ଆଶ୍ୱୀନ ଶୁକ୍ଳ ଅଷ୍ଟମୀ ତଥା ଦଶହରା ଅବସରରେ ପାଳନ କରନ୍ତି । ଏହି ସମୟରେ ଗାଁ’ର ଗୋଟିଏ ଘର କାନ୍ଥରେ ଡାଲଖାଇର ଷୁଲ୍ହକୁଠି ତିଆରି କରାଯାଏ । ଅଷ୍ଟମୀ ତଥା ଦଶହରା ଅବସରରେ ଉଭୟ ବିବାହିତା ଓ  ଅବିବାହିତ  ଝିଅମାନେ (କୁଆଁରୀ) ନିଜ ଭାଇମାନଙ୍କର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଭାଇଜୀଉଁତିଆ ଓଷା କରନ୍ତି । ଦଶହରା ସମୟରେ ଧାନକୁ କୀଟ ପତଙ୍ଗରୁ ରକ୍ଷା କରିବା ପାଇଁ ଦେବୀଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହା ପରିବେଷଣ କରାଯାଏ ବୋଲି କେହି କେହି ମତ ଦିଅନ୍ତି ।

ଡାଲଖାଇ ଗୀତରେ ପ୍ରକୃତି, ଋତୁ, ଦେବୀ-ଦେବତା, ପ୍ରେମ, ବିଚ୍ଛେଦ, ଆନନ୍ଦ, ବ୍ୟଙ୍ଗ ଏବଂ ଥଟ୍ଟା ଆଦି ବିଷୟବସ୍ତୁ ସ୍ଥାନ ପାଇଥାଏ । ନୃତ୍ୟ ସମୟରେ ମହିଳା ଓ ଝିଅମାନେ ରଙ୍ଗୀନ ଛପା ସମ୍ବଲପୁରୀ ଶାଢ଼ୀ (କପଟା) ପିନ୍ଧନ୍ତି । କାନ୍ଧରେ ଲାଲ୍ କିମ୍ବା ଗୋଲାପୀ ରଙ୍ଗର ଓଢ଼ଣା କିମ୍ବା ଗାମୁଛା ପକାଇଥାନ୍ତି ଯାହାକୁ ସ୍ଥାନୀୟ ଭାଷାରେ କରିଆ କହନ୍ତି। ଗୁଣା (ନାକଫୁଲ), ଝଲକା (କାନଫୁଲ), ଖଗଲା (ହାର), କତରିଆ, ବନ୍ଦ୍ରିଆ (ବାହୁବନ୍ଧ), ତୁଡଲ, ପଏଁରୀ/ଘୁନ୍‌ଚି/ପାୟଲ (ପାଦ ଅଳଙ୍କାର), ଅଣ୍ଟାସୂତା (ଅଣ୍ଟା ଅଳଙ୍କାର) ଭଳି ଅଳଙ୍କାର ପିନ୍ଧନ୍ତି । ଡାଲଖାଇ ନୃତ୍ୟ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଅତ୍ୟନ୍ତ ଲୋକପ୍ରିୟ । ଏଥିରେ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ଏବଂ ବୌଦ୍ଧ ଜିଲ୍ଲା ଅନ୍ତର୍ଭୁକ୍ତ । ଏହା ବ୍ୟତୀତ, ଏହା ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟ । ବର୍ତ୍ତମାନ ଅବିଭକ୍ତ ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ-ଫୁଲବାଣୀ, ସୁନ୍ଦରଗଡ଼, ନୂଆପଡା, ଆଠମଲ୍ଲିକ ଏବଂ ପଡ଼ୋଶୀ ଛତିଶଗଡ଼ ତଥା ଝାଡଖଣ୍ଡର କିଛି ଅଞ୍ଚଳରେ ଡାଲଖାଇ ନାଚଗୀତ ବିଭିନ୍ନ ଲୋକ ଦେବଦେବୀଙ୍କ ଯାତ୍ରାରେ ଓ ମନୋରଞ୍ଜନ ନିମିତ୍ତ ପରିବେଷଣ କରାଯାଏ । ବରଗଡ଼ ଜିଲ୍ଲାର ବୋଡ଼ାସମ୍ବର ଅଞ୍ଚଳ, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ, ଏବଂ ନୂଆପଡା ଜିଲ୍ଲାର କେତେକ ଅଞ୍ଚଳରେ ଡାଲଖାଇ ଯାତ୍ରା ଏବେ ମଧ୍ୟ ନିଜର ପୂର୍ବ ରୂପରେ ବିଦ୍ୟମାନ । ଡାଲଖାଇର ମୂଳ ଆଦିବାସୀ ସ୍ୱରୂପରେ ବ୍ରାହ୍ମଣ୍ୟ ପ୍ରଭାବ ଯୋଗୁଁ ଅନେକ ପରିବର୍ତ୍ତନ ଆସିଛି ବୋଲି ଗବେଷକମାନେ ମତ ଦିଅନ୍ତି । ଡାଲଖାଇ ଦେବୀଙ୍କ ସ୍ଥାନରେ ଦୁର୍ଗାଙ୍କ ଉପାସନା ଓ ଭାଇଜୀଉଁତିଆ ଭଳି ସାଂସ୍କୃତିକ ପ୍ରସଙ୍ଗ ଯୋଡ଼ି ହୋଇଛି । ଅନେକ କ୍ଷେତ୍ରରେ ଦେଖାଯାଏ ଯେ, ତଥାକଥିତ ଆଧୁନିକ ସମାଜରେ ଗାଁ’ର ଡାଲଖାଇ ନୃତ୍ୟ ଓ ଗୀତକୁ “ଅଶ୍ଳୀଳ” ଓ “ଶୃଙ୍ଗାର ରସଯୁକ୍ତ” କହି ନାକ ଟେକନ୍ତି । ତଥାକଥିତ ଶିକ୍ଷିତ, ସଭ୍ୟ ଲୋକେ ସେସବୁ ନୃତ୍ୟ ଦେଖିବାପାଇଁ ଯାଇନଥାନ୍ତି । ଏ ବିଷୟରେ ନିଜର ପିଲାଦିନର ଅନୁଭୂତି କହିବାପାଇଁ ଯାଇ ବିଶିଷ୍ଟ ଲୋକ ସଂସ୍କୃତି ବିଶେଷଜ୍ଞମାନେ କୁହନ୍ତି ଯେ, ଆମେ ଡାଲଖାଇ ନୃତ୍ୟ ବିଷୟରେ ଜାଣୁ କିନ୍ତୁ ବିଭିନ୍ନ ସାମାଜିକ କାରଣରୁ ପ୍ରତ୍ୟକ୍ଷ  ଭାବରେ ଡାଲଖାଇ ନୃତ୍ୟ ଦେଖିନାହୁଁ” । ଆଶ୍ଚର୍ଯ୍ୟର ବିଷୟ ହେଲା, ଯେଉଁ ନୃତ୍ୟ ଗାଁ’ରେ ଅସ୍ପୃଶ୍ୟ ଓ ଆମ ସଭ୍ୟ ସମାଜ ଯାହାକୁ ଦେଖେ ନାହିଁ, ତାହା ସହରର ମଞ୍ଚଗୁଡ଼ିକର ଗାରିମା କିନ୍ତୁ ବର୍ଦ୍ଧନ କରିଥାଏ । ସେଠି ମଞ୍ଚ ତଳେ ଏକାଠି ବସି ଡାଳଖାଇ ନୃତ୍ୟକୁ ଖୁବ ଆନନ୍ଦରେ ଉପଭୋଗ କରିଥାନ୍ତି ସମସ୍ତେ । ଏଭଳି ମନ୍ତବ୍ୟ ଦିଅନ୍ତି ପଶ୍ଚିମ ଓଡିଶାର ଲୋକକଳାର କିଛି ପ୍ରସିଦ୍ଧ ନାରୀ କଳାକାର ।

Support Samadhwani

୨୦୨୨ – ୨୩ ମସିହାରେ କୋଭିଡ଼ ପରେ ପରେ ବିଶିଷ୍ଟ ଲୋକକଳା ଗବେଷକ ଓ ଗଁଡ଼ାବଜାର ଢୋଲ ବାଦକ ରମେଶ ଗୁର୍ଲାଙ୍କ ସହଯୋଗରେ ପାଇକମାଳ ଅଞ୍ଚଳ ଓ ବୋଡ଼ାସମ୍ବର ଅଞ୍ଚଳର ଡାଲଖାଇ କଳାକାରମାନଙ୍କ ସହ ଭେଟିବାପାଇଁ ସୁଯୋଗ ମିଳିଥିଲା । ସେତେବେଳେ ଆମେ ପାଖାପାଖି ୭ଟି ଗାଁ’ ବୁଲି ବୁଲି ଡାଲଖାଇ କଳାକାରମାନଙ୍କ ସହିତ ଆଲୋଚନା କରିଥିଲୁ । ସେମାନଙ୍କ ନିକଟରେ ବସି ସେମାନଙ୍କ ସମସ୍ୟାଗୁଡ଼ିକ ଜାଣିବା ଓ ବୁଝିବା ପାଇଁ ଚେଷ୍ଟା କରୁଥିଲୁ । ସେହି ଆଲୋଚନାରୁ ଆମେ ଅନୁଭବ କରିଥିଲୁ ଯେ, ଡାଲଖାଇ କଳାକାରମାନେ ପିଢି ପିଢି ଧରି ଏହି କଳାକୁ ବଞ୍ଚେଇ ରଖିଛନ୍ତି ଠିକ୍ ଗଁଡ଼ାବଜା କଳାକାରମାନଙ୍କ ପରି । ଏହା କେବଳ ଏକ ଲୋକନୃତ୍ୟ ନୁହଁ । ଏହା ଏହି ଅଞ୍ଚଳର ଜୀବନ୍ତ ସାଂସ୍କୃତିକ ଧାରା । ବିଭିନ୍ନ ମଞ୍ଚରେ ଆମେ ଯେଉଁ ଡାଲଖାଇ ନୃତ୍ୟ ଦେଖୁଛନ୍ତି, ସେସବୁ ଡାଲଖାଇ ଭଳି ଏକ ଜୀବନ୍ତ ସାଂସ୍କୃତିକ ଧାରାର ଏକ ଆଧୁନିକ ରୂପ ମାତ୍ର । ଏଥିରେ କେବଳ ମନୋରଞ୍ଜନ ବିଷୟଟି ଲୋକଙ୍କ ନିକଟରେ ପରିବେଷଣ କରାଯାଉଛି । ପ୍ରକୃତି ସହିତ ମଣିଷର ସମ୍ପର୍କ, ଯେମିତି ଧିରେ ଧିରେ ଦୂରେଇ ଯାଇଛି, ଠିକ୍ ସେମିତି ଡାଲଖାଇ ଭିତରୁ ଏହାର ମୂଳ ତତ୍ତ୍ଵ ଧୀରେ ଧୀରେ ଲୋପ ପାଇବାକୁ ବସିଛି । ଡାଲଖାଇ ସମ୍ପର୍କିତ ଆଲୋଚନା ଏତେ ବ୍ୟାପକ ଯେ, ସମ୍ପାଦକୀୟରେ ଏହା ବିଷୟରେ ଅଧିକ ଆଲୋଚନା କରିବା ସମ୍ଭବ ନୁହେଁ । ଆମେ କଳାକାରମାନଙ୍କ ସହିତ ଆଲୋଚନା ସମୟରେ ପାଇଥିବା କେତୋଟି ପ୍ରସଙ୍ଗ ଓ କିଛି କଳାକାରଙ୍କ ମନର ପ୍ରଶ୍ନକୁ କେବଳ ଏଠାରେ ଉପସ୍ଥାପନ କରିବା ଆବଶ୍ୟକ ମନେକରୁଛୁ ।

ପାଇକମାଳ ବ୍ଲକ ଛେତଗାଁର ଲୋକନୃତ୍ୟ ଶିଳ୍ପୀ ପୁଷ୍ପାଞ୍ଜଳି ତାଣ୍ଡିଙ୍କ ବୟସ ପାଖାପାଖି ୩୫ ହେବ । ୧୦ ବର୍ଷ ବୟସରୁ ସେ ମଞ୍ଚରେ ନୃତ୍ୟ କରୁଛନ୍ତି ଓ ଗୀତ ଗାଉଛନ୍ତି । ଏଇ କିଛି ବର୍ଷ ହେଲା ଖଗେଶ୍ଵର ଶେଠଙ୍କ ‘ପଏର୍ଚ୍ଛା ସତୀ’ ଭୂମିକାରେ ଅଭିନୟ କରି ଚହଳ ପକେଇଛନ୍ତି । ପିଲା ଦିନେ ଡାଲଖାଇ ଦଳରେ ନାଚୁଥିଲେ । ତା’ପରେ ଦଣ୍ଡନାଟରେ ଯୋଗଦେଲେ । ତାଙ୍କ ସହିତ ଆଲୋଚନା କରିବା ସମୟରେ ସେ ଅତ୍ୟନ୍ତ ଭାବପ୍ରବଣ ଓ ଦୁଃଖିତ ହୋଇପଡ଼ିଥିଲେ । ସେ କହିଥିଲେ ଯେ, “ଆମ ଗାଁ’ମାନଙ୍କରେ ଝିଅମାନେ ଡାଲଖାଇ ନାଚିବାପାଇଁ ପସନ୍ଦ କରୁନାହାନ୍ତି । କାହିଁକି ନାଁ ଆମେ ନାଚିଲେ ଆମକୁ ଆମ ଗାଁ ଲୋକେ ଓ ପରିବାର ଲୋକେ ଖରାପ ଦୃଷ୍ଟିରେ ଦେଖୁଛନ୍ତି । ଆମ ଚରିତ୍ରକୁ ନେଇ ପ୍ରଶ୍ନ କରୁଛନ୍ତି । ଆମେ ଛୋଟ ଜାତିର ଝିଅ ହୋଇଥିବାରୁ, ଡାଲଖାଇ ନାଚୁଥିବା ଅନେକ ଝିଅ ଅବିବାହିତ ରହିଯାଉଛନ୍ତି । ନାଚୁଥିବାରୁ ସେମାନଙ୍କୁ ବିବାହ କରିବାପାଇଁ ଅପସନ୍ଦ କରୁଛନ୍ତି । ଅନ୍ୟପଟେ ଯେଉଁ ଝିଅମାନେ ସଙ୍କୀର୍ତ୍ତନ ଗାଉଛନ୍ତି ସେମାନେ ଯେତେପ୍ରକାର ବିଚିତ୍ର ଢଙ୍ଗରେ ନାଚି ନାଚି ଭଗବାନଙ୍କ ନାମ ନେଇ ସଙ୍ଗୀତ ଗାଇଲେ ବି ସେମାନଙ୍କୁ ବହୁତ ଆଦର ଓ ସମ୍ମାନ ଆମ ଲୋକମାନେ ଦେଉଛନ୍ତି । ସେଥିପାଇଁ ଡାଲଖାଇ ଗୀତ କିମ୍ବା ନୃତ୍ୟ ପ୍ରତି ଆଜିର ଯୁବ ପିଢି ସେତିକି ଆଗ୍ରହ ପ୍ରଦର୍ଶନ କରୁନାହାନ୍ତି । ଏହି ନୃତ୍ୟକୁ ବିକୃତ କରି ବଡ ବଡ ମଞ୍ଚରେ ବ୍ୟବସାୟପାଇଁ ଦର୍ଶକଙ୍କୁ ଆକର୍ଷିତ କରିବା ଢଙ୍ଗରେ ପରିବେଷଣ କରୁଛନ୍ତି ଯେଉଁଠି ଆମ ପରି ଗାଁ’ର ପାରମ୍ପରିକ ଡାଲଖାଇ କଳାକାରମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ । ଅନ୍ୟପଟେ ଯେଉଁମାନେ ଗାଁ’ମାନଙ୍କରେ ଡାଲଖାଇକୁ ସବୁ ଝଡ଼ଝଞ୍ଜା ଭିତରେ ବଞ୍ଚେଇ ରଖିଛନ୍ତି ସେମାନଙ୍କୁ କଳାକାର ଭାବରେ କେହି ଚିହ୍ନୁ ନାହାନ୍ତି । ବଣ ମଲ୍ଲି ବଣରେ ଫୁଟି ପୁଣି ବଣରେ ମଉଳି ଯାଉଛି” । ସେଦିନ ପୁଷ୍ପାଞ୍ଜଳି ତାଣ୍ଡି କରୁଥିବା ପ୍ରଶ୍ନ ଯଥାର୍ଥ ମନେହେଉଥିଲା । ସେ ପ୍ରଶ୍ନ କରିଥିଲେ ଯେ, “ଆମେ ଯଦି ଅଶ୍ଳୀଳ ନୃତ୍ୟ କରୁଛୁ କି ଗୀତ ଗାଉଛୁ ବୋଲି ଆମକୁ ଲୋକେ ଘୃଣା କରୁଛନ୍ତି, ସେହି ଲୋକମାନେ ମନ୍ଦିର ବେଢାରେ ଥିବା ଅଶ୍ଳୀଳ ନୃତ୍ୟରତା ପଥର ମୂର୍ତ୍ତିକୁ ଦେଖି ଏତେ ବିଭୋର କାହିଁକି ହେଉଛନ୍ତି ? ସେସବୁକୁ ଦେଖିବା ତାହେଲେ ପାପ ନୁହେଁ କି”? ଆମେ ସେଦିନ ଦର୍ବେଇକେଲା ଗାଁ’ର ଡାଲଖାଇ କଳାକାରମାନଙ୍କୁ ମଧ୍ୟ ଭେଟିଥିଲୁ । ଦର୍ବେଇକେଲା ଗାଁ’ରେ ପାଖାପାଖି ୨୫ ରୁ ୩୦ ଜଣ ଡାଲଖାଇ କଳାକାର ଆମ ସହିତ ଏକାଠି ବସି ଆଲୋଚନା କରିଥିଲେ । ସେମାନଙ୍କ ଭିତରୁ ପ୍ରାୟ ଅଧିକାଂଶ ଝିଅ ଅବିବାହିତ । ବିଳାସିନୀ ବାରିକ, ସେମାନଙ୍କ ଭିତରୁ ଜଣେ ୫୦ ବର୍ଷୀୟ ଡାଲଖାଇ କଳାକାର । ଆମ ସହିତ ଆଲୋଚନା କରିବା ସମୟରେ କହିଥିଲେ ଯେ, “ଆମେ କେବଳ ନିଜ ଗାଁ’ରେ ଅଷ୍ଟମୀ ତିଥିରେ ଡାଲଖାଇ ବ୍ରତରେ ଡାଲଖାଇ ନାଚୁ ଓ ଗାଉ । ଯଦି କେହି ଅଲଗା ଗାଁ’ରେ ଆମକୁ ଡାକିବେ ଅଲଗା ସମୟରେ ଡାଲଖାଇ ନାଚିବାକୁ କି ଗାଇବାକୁ ଆମେ ଯିବୁ । କିନ୍ତୁ ଆମକୁ ବହୁତ କମ ଲୋକ ବାହାରେ ନାଚିବାକୁ ଡାକନ୍ତି । ଆମ ଗାଁ ଦର୍ବେଇକେଲାରେ ଆମେ ୩୦ରୁ ଅଧିକ ମହିଳା ଓ ଝିଅ ଅଛୁ ଯିଏ ଡାଲଖାଇ ନାଚୁଛୁ ଓ ଗାଉଛୁ । ବହୁତ ସାନ ପିଲାମାନେ ଅଛନ୍ତି ଆମ ସହିତ ଯେଉଁମାନେ ନାଚୁଛନ୍ତି ଓ ଗାଉଛନ୍ତି । ଯେଉଁ ଝିଅମାନେ ଖଟି ଯାଇଛନ୍ତି/ ବାହା ହୋଇଯାଇଛନ୍ତି ସେମାନେ ବି ଭାଇ ଜୀଉନ୍ତିଆ କରି ଆସୁଛନ୍ତି । କିନ୍ତୁ ଆଜିକାଲି କିଛି କିଛି ଝିଅ ଅନ୍ୟ ସମୟରେ ସଙ୍କୀର୍ତ୍ତନ ଗାଇବାପାଇଁ ଯାଉଛନ୍ତି । ସେଥିରେ ଭଲ ଦୁଇପଇସା ମିଳୁଛି” । ପରେ ଆମେ ଜାଣିବାପାଇଁ ପାଇଥିଲୁ ଯେ, ଅଧିକାଂଶ ଗାଁ’ର ଝିଅ ସଙ୍କୀର୍ତ୍ତନ ଦଳରେ ଯୋଗ ଦେଇ ଦୁଇପଇସା ରୋଜଗାର କରୁଛନ୍ତି । ପଶ୍ଚିମ ଓଡିଶାର ଲୋକସଂସ୍କୃତିରେ ଏହି ନାରୀ କଳାକାରମାନେ ଏକ ନୂତନ ଅଧ୍ୟାୟ ଯୋଡ଼ି ଚାଲିଛନ୍ତି ।

ଡାଲଖାଇ ନୃତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ପାରମ୍ପରିକ ବାଦ୍ୟଯନ୍ତ୍ର ହେଉଛି ଧୁନକେଲ, ଯାହାର ଗମ୍ଭୀର ସ୍ୱର ଡାଲଖାଇ ଗୀତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା । କିନ୍ତୁ, ଧୁନକେଲ ବାଦ୍ୟ ପ୍ରାୟତଃ ଲୁପ୍ତ ହେବାକୁ ବସିଲାଣି । ଡାଲଖାଇ ଓଷା ସ୍ଥଳରେ ଏହା କ୍ୱଚିତ୍ ବାଜୁଥିବା ଦେଖାଯାଏ । ଧୁନକେଲ ସହିତ ସଂଯୁକ୍ତ ‘ଗୁଆନୀ’ମାନଙ୍କର ସଂଖ୍ୟା ମଧ୍ୟ କ୍ରମଶଃ ହ୍ରାସ ପାଉଛି । କାରଣ ଆଧୁନିକ ସଭ୍ୟତାରେ ସେମାନଙ୍କ ପାଇଁ ଜୀବିକା ନିର୍ବାହ କରିବା କଷ୍ଟକର ହେଉଛି । ଠିକ ସେମିତି ଡାଲଖାଇ ନୃତ୍ୟପାଇଁ ଯେଉଁ ପାରମ୍ପରିକ ବାଦ୍ୟ ଅପରିହାର୍ଯ୍ୟ ତାହା ହେଲା ଗଁଡ଼ାବଜା । ଗଁଡ଼ାବଜା ମଧ୍ୟ ଏବେ ଧିରେ ଧିରେ ଗାଁମାନଙ୍କରୁ ଲୋପ ପାଇବାକୁ ବସିଛି, ଯାହା ସମ୍ପର୍କରେ ଆମେ ଅନେକ ସମ୍ପାଦକୀୟରେ ଆଲୋଚନା କରିଛୁ । ଡାଲଖାଇ, ଗଁଡ଼ାବଜା ପରି ଲୋକସଂସ୍କୃତି ଉପରେ ବ୍ରାହ୍ମଣ୍ୟବାଦର ପ୍ରଭାବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବରେ ଆଜି ଉଭା ହୋଇଛି । ସମଗ୍ର ବିଶ୍ଵରେ ଆଧୁନିକ ବିକାଶ ଆସିବା ପରେ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ଲୋକକଳା, ଲୋକସଂସ୍କୃତି ଏଥିରୁ ବାଦ ଯାଇଥାନ୍ତା କିପରି ! ଡାଲଖାଇ ପରି ଅନେକ ଲୋକସଂସ୍କୃତି ଆଧୁନିକତାର ପ୍ରଭାବରେ ନିଜର ଅସ୍ତିତ୍ଵ ହଜାଇ ଦେଇଛନ୍ତି । କିନ୍ତୁ କେହିକେହି ସମୟ ସହିତ ତାଳ ଦେଇ ନିଜର ମୂଳ ଚେତନାକୁ ଓ ସାଂସ୍କୃତିକ ଧାରାକୁ ସବୁ ପ୍ରତିକୂଳ ପରିସ୍ଥିତିରେ କିଛି କିଛି ଜାବୁଡ଼ି ଧରିଛନ୍ତି । ସେ ଭିତରେ ଅଛନ୍ତି ଗଁଡ଼ାବଜା, ଡାଲଖାଇ ଭଳି ଲୋକ ସଂସ୍କୃତିର ଜୀବନ୍ତ ଧରୋହର ଗୁଡ଼ିକ ।

ଡାଲଖାଇ କଳାକାରମାନଙ୍କ ସହିତ କଥାବାର୍ତ୍ତା କରି ଫେରିବା ପରେ, ଆମ ମନରେ କ୍ଷୋଭ ଆସିଲା ଯେ, ଆମେ ସେମାନଙ୍କୁ ଭେଟିଲୁ, ସେମାନଙ୍କ କଥା ଶୁଣିଲୁ କିନ୍ତୁ ଡାଲଖାଇ ପାଇଁ କିଛି କରିପାରିଲୁନାହିଁ।

ଓଡ଼ିଶାର ପଶ୍ଚିମାଞ୍ଚଳର ଏହି ସାଂସ୍କୃତିକ ଧାରାକୁ ଅନ୍ୟ ଅଞ୍ଚଳରେ ଖୁବ କମ ଲୋକ ଜାଣିଛନ୍ତି । ବିଭିନ୍ନ ଅଞ୍ଚଳରେ ବୁଲିବା ସମୟରେ ଆମେ ଜାଣିଲୁ ଯେ, ପଶ୍ଚିମ ଓଡ଼ିଶାର ଆଜିର ପିଢି ମଧ୍ୟ ଏହି ବିଷୟରେ କିଛି କହିପାରୁନାହାନ୍ତି ।  ତେବେ ଡାଲଖାଇ ସଂସ୍କୃତିକୁ ପ୍ରଥମେ ସମସ୍ତେ ଜାଣିବା ଓ ବୁଝିବା ଜରୁରୀ । ଏଥିପାଇଁ ଏହା ଉପରେ ଅଧିକ ଅଧ୍ୟୟନ ଓ ଚର୍ଚ୍ଚା ଆରମ୍ଭ ହେବା ଆବଶ୍ୟକ । ତା’ପରେ ଯାଇ ଏହାକୁ ସୁରକ୍ଷିତ କରିବାପାଇଁ କିଛି ବାଟ ବାହାରିବ। ତଥାପି ଏଠାରେ  ଡାଲଖାଇର ସୁରକ୍ଷା ବିଷୟରେ ପଶ୍ଚିମ ଓଡ଼ିଶାର କେତେଜଣ ବିଦ୍ଵାନ ଗବେଷକ ଯାହା ଆମ ସହିତ ଚର୍ଚ୍ଚା କରିଛନ୍ତି ଆମେ ଏଠାରେ ପ୍ରକାଶ କରିବାପାଇଁ ଚାହୁଁ । ସେମାନଙ୍କ ମତରେ, ଡାଲଖାଇ ସଂସ୍କୃତିକୁ ବଞ୍ଚାଇବା ପାଇଁ ହେଲେ ପଶ୍ଚିମ ଓଡିଶାର ଗାଁ ଗାଁ’ରେ ଡାଲଖାଇର ମୂଳ ସ୍ଵରୂପକୁ ତଥା ଅଭିଚାରଗୁଡିକୁ ବଞ୍ଚାଇ ରଖିବାକୁ ହେବ । ଡାଲଖାଇ ନୃତ୍ୟ କେବଳ ଆଭିଚାରିକ ହିଁ ଥିଲା । କେବେ ବି ଅର୍ଥ ବା ଯଶ ଉପାର୍ଜନ ପାଇଁ ଏହା ବ୍ୟବହୃତ ହେଉନଥିଲା । ତେବେ ସାମାଜିକ ସଂସ୍କୃତିକରଣ ସହ ଡାଲଖାଇ ନୃତ୍ୟର ସଂସ୍କୃତିକରଣ ହୋଇସାରିଛି ଏବଂ ଏହା ଏବେ ଲୋକସଂସ୍କୃତିରୁ ଲୋକପ୍ରିୟ ସଂସ୍କୃତିରେ ରୂପାନ୍ତରିତ ହୋଇ ଗାଁ’ ଦାଣ୍ଡରୁ ସହରର ମଞ୍ଚଗୁଡିକ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ସେମାନଙ୍କ ମତରେ, ଡାଲଖାଇ ଯେତେ ଦିନଯାଏ କେବଳ ଜନଜାତୀୟ ସଂସ୍କୁତି ହୋଇ ରହିଥିଲା, ସେତେ ଦିନଯାଏ ଜନଜାତିର ସମସ୍ତ ବୟସର ସ୍ତ୍ରୀ ଲୋକମାନେ ନାଚରେ ଭାଗ ନେଉଥିଲେ । ସେତେବେଳେ ନାଚୁଥିବା ସ୍ତ୍ରୀ ଲୋକଙ୍କ ପାଇଁ ବିବାହ ଏକ ସମସ୍ୟା ହୋଇ ରହିନଥିଲା। ମାତ୍ର ଆଦିବାସୀ ଅଞ୍ଚଳମାନଙ୍କୁ ତଥା ଆଦିବାସୀ ଜୀବନ ଓ ସାଂସ୍କୃତିକ ଧାରାକୁ ବାହ୍ୟ ଲୋକମାନେ ଅନୁପ୍ରବେଶ କରିବା ପରେ ସେମାନଙ୍କ ଜୀବନ ଓ ସାଂସ୍କୃତିକ ଧାରାରେ ବ୍ୟାପକ ପରିବର୍ତ୍ତନ ଆସି ଶ୍ଳୀଳ-ଅଶ୍ଳୀଳ, ଶୁଦ୍ଧ-ଦୂଷିତ ଆଦି ଅବଧାରଣା ଗୁଡ଼ିକ ପ୍ରବେଶ କଲା। ଏଭଳି ଉଦାହରଣ ଆମେ କେବଳ ସବୁଠି ପାଇପାରିବା । ଏପରି ସ୍ଥିତିରେ ଡାଲଖାଇ ଯାତରା ଓ ଡାଲଖାଇ ନୃତ୍ୟର ସଂରକ୍ଷଣ ପାଇଁ ଯଦି ଆମେ ଚିନ୍ତା କରୁଛନ୍ତି ତେବେ ଆଦିବାସୀମାନଙ୍କ ପାରମ୍ପରିକ ଅଭିଚାର ଗୁଡ଼ିକୁ ପୁନଃ ସଂରକ୍ଷଣ କରିବାକୁ ପଡ଼ିବ । ଏହାସହିତ ସେମାନଙ୍କ ପାରମ୍ପରିକ କଳାଗୁଡ଼ିକୁ ସମ୍ମାନର ସହ ମାନ୍ୟତା, ଉଚିତ ପାରିଶ୍ରମିକ ଓ କଳାକାରମାନଙ୍କୁ ସାମାଜିକ ମର୍ଯ୍ୟାଦା ଦିଆଗଲେ ଯାଇ ଗାଁ ଗାଁ’ରେ ଝିଅମାନେ ଆଉଥରେ ଏହି ସାଂସ୍କୃତିକ ଧାରାକୁ ଆପଣେଇବାପାଇଁ ଅଣ୍ଟା ଭିଡ଼ିବେ । ନହେଲେ ଏକ ଜୀବନ୍ତ ସାଂସ୍କୃତିକ ଧାରା ଆମ ଆଖି ଆଗରେ ଲୋପ ପାଇଯିବ।

ଏହିଭଳି ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ କିଛି କରି ନପାରିବାର ଅବଶୋଷ ମନରେ ଗତ କିଛିବର୍ଷ ଧରି ରହିଆସିଛି । ଏବର୍ଷ ଶାରଦୀୟ ସଂଖ୍ୟା “ଡାଲଖାଇ” ଉଦ୍ଦେଶ୍ୟରେ ସମର୍ପିତ କରିବାର ନିଷ୍ପତ୍ତି ସେହି ଅବଶୋଷ ଭିତରୁ ହିଁ ଆସିଛି । କିଛି ନକରିପାରିଲେ ବି ଉଦ୍ୟମ ତ ଆରମ୍ଭ ହେବ! ମନକୁ ଏହା ଆଶ୍ୱାସନା ଦେଉଛି । ଆମକୁ ଡାଲଖାଇ ବିଷୟରେ ଅଧିକ ଗବେଷଣା କରିବା ପାଇଁ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନ, ଲୋକ ସଂସ୍କୃତି ଗବେଷକ ତଥା ଗଁଡ଼ାବଜା ଢୋଲ ବାଦକ ରମେଶ ଗୁର୍ଲା, ବିଶିଷ୍ଟ ସାମ୍ବାଦିକ ରାଜୀବ ସଗରିଆ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଅଶୋକ ବହିଦାର ବହୁ ବର୍ଷ ଧରି ଉତ୍ସାହିତ କରିଆସିଛନ୍ତି । କେବଳ ଡାଳଖାଇ କାହିଁକି ପ୍ରଫେସର କେଶରଞ୍ଜନ ପ୍ରଧାନ ସାରା ଓଡିଶାର ନାରୀ କଳାକାରମାନଙ୍କ ସମ୍ପର୍କରେ ଗବେଷଣା କରିବାପାଇଁ ସବୁବେଳେ ପ୍ରେରଣା ଦେଇଛନ୍ତି । ଚଳିତ ସଂଖ୍ୟାଟି ଡାଳଖାଇ ବିଶେଷାଙ୍କ କରିବାପାଇଁ ନିଷ୍ପତ୍ତି ନେବା ପରେ ଏଥିରେ କେଉଁଭଳି ପ୍ରବନ୍ଧ ପ୍ରକାଶ ପାଇବା ଜରୁରୀ ଓ କେମିତି ଏହା ଉପରେ ବିଭିନ୍ନ ଦିଗରୁ ଚର୍ଚ୍ଚା ଆରମ୍ଭ ହୋଇପାରିବ, ସେ କ୍ଷେତ୍ରରେ ଅକୁଣ୍ଠ ସହଯୋଗ କରିଛନ୍ତି ଲୋକସଂସ୍କୃତି ଗବେଷକ ତଥା ଜାମସେଦପୁର ମହିଳା ବିଶ୍ଵବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ସୁଧୀର କୁମାର ସାହୁ । ଏହି ଅକୁଣ୍ଠ ସହଯୋଗ ପାଇଁ ସମସ୍ତଙ୍କ ନିକଟରେ ସମଧ୍ଵନି କୃତଜ୍ଞ । ଭବିଷ୍ୟତରେ ଏହି ବିଷୟରେ ଅଧିକ ଚର୍ଚ୍ଚା ହେବ ବୋଲି ଆମର ଆଶା ଓ ବିଶ୍ଵାସ ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is an Artist, cultural journalist and folk cultural researcher. She is the Chief Editor of Samadhwani. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She is extensively documenting issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker and a Pod-caster. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.