ଶ୍ରୀମନ୍ଦିର ଉପରେ ପ୍ରଥମ ଦେଶୀ ଆକ୍ରମଣ

କେଦାର ମିଶ୍ର
କେଦାର ମିଶ୍ର 259 Views
35 Min Read

୧୪ମାର୍ଚ୍ଚ, ୧୮୮୧ । ପୁରୀରେ ଡେପୁଟି ମାଜିଷ୍ଟ୍ରେଟ୍ ବାବୁ କମଳନାଥ ଘୋଷଙ୍କ କଚେରୀ ସେଦିନ ଭିଡ଼ ଭିଡ଼ ଲାଗୁଥିଲା। ମନ୍ଦିରର ସେବକ, ସହରର ସମ୍ଭ୍ରାନ୍ତ ଓ ଜ୍ଞାନୀ ଲୋକ ତଥା ସାଧାରଣ ଦେଖଣାହାରୀଙ୍କ ହୋ ହୋ ଶୁଭୁଥାଏ କଚେରୀ ପରିସରରେ। ସମ୍ବଲପୁରରୁ ଦଳେ ମ୍ଳେଚ୍ଛ ବଡ଼ଦେଉଳରୁ ମହାପ୍ରଭୁଙ୍କୁ ପୋଡ଼ିଦେବାକୁ ଆସିଥିବାରୁ ସେମାନଙ୍କୁ ଗିରଫତାର କରାଯାଇଥିଲା । ତାଙ୍କ ସର୍ଦ୍ଦାର ଦଶାରାମ ସେଇ ମନ୍ଦିର ଭିତରେ ହିଁ ମରିଯାଇଥିଲା । ମରିଯାଇଥିଲା ନା ମାରିଦିଆଯାଇଥିଲା, ତାହା ଏବେ ରହସ୍ୟ ଘେରରେ। କଚେରୀରେ ସର୍ଜନ ବି.ବି.ଗୁପ୍ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରାଗଲା । ସେଥିରେ ଲେଖାଥିଲା:

The Deposition of Surgeon B.B.Gupta

The Civil Surgeon

On the 1st of March 1881 about 5.30P.M. I examined the body of an unknown man of about 35years of age. The body was sent to me for examination by the police and was said to have been brought from near the Lion Gate of Jagannath’s Temple. There was nobody present who could identify the body. The body was well preserved that it was fresh. I found one bruise is one inch long and half an inch broad on the outer aspect of the lower part of right with well defined borders. Three small livid discoloration marks on right elbow. Two small abrasions on lower part of right chest. One small abrasion and several scratches over the region of the stomach. One livid discoloration on left hips, one on left hips, one on left leg. Another on left ankle and another on the left littele toe. One small contusion on right hip, three small once on right knee and one on right ankle. All these were external injuries. The internal appearances were as follows. The scalp and the skull were normal the membrances of the brain were slightly congested and some plain serum escaped on opening them. The brain was normal. Its vessels were slightly congested ventricles were normal. The internal organs of the chest were generally formal except this that the feri cardium contained a little plain serum. The stomach was distended with a large quantity of rice and water perfectly undigested. The vessels of this organs were fuller than normal. Small interstines were congested. The spleen was about 4 times as large as in the normal state. It was hard kidneys were highly congested. The remaining of the abdominal organs were healthy. The bones of the briks and chest were in normal state. The external injuries were fresh; none of them was sever so far as can be judged from their extent. The injuries described over the region of the stomach were likely to have been serious in this consequences, not from the extent of physical damage observable nut from the nature of this situation. I am, therefore, of opinion that this unknown man died of shock due probable to injuries might have been caused either by blows or by fall upon hard surface. The injuries did not appear to have been inflicted by Lathies (Clubs) applied flatly. Some of them might have been caused by the ends of sticks. All the injuries could not have been received by one fall. The injuries on the left shoulder that is the small livid marks described above might have been caused by the ends of sticks. All the injuries could not have been received by one fall. The injuries on the left shoulder that is the small livid marks described above might have been caused by pelting of stone or by being rubbed against a stone. No cross question.

The above was read to surgeon B.B.Gupta and by him acknowledged by correct.

9.3.81

ପୁରୀ ମାଜିଷ୍ଟ୍ରେଟ୍ ଜେ.ଏସ୍. ଆର୍ମଷ୍ଟ୍ରଙ୍ଗଙ୍କ ବିଷଦ ତଦନ୍ତ ରିପୋର୍ଟ ପୂର୍ବରୁ ଦାଖଲ ହୋଇସାରିଥିଲା ଯେଉଁଥିରେ ଏ ଘଟଣାର ପ୍ରକୃତ ତଦନ୍ତ କରାହୋଇଛି ବୋଲି କୁହାଯାଇଥିଲା । ଏହି ରିପୋର୍ଟରେ ଦଶାରାମ ତା’ ନିଜଦୋଷରୁ ମୃତ୍ୟୁବରଣ କଲାବୋଲି କୁହାଯାଇଥିଲା । ସମସ୍ତ ରିପୋର୍ଟ ଅନୁଧ୍ୟାନ କଲାପରେ ବାବୁ କମଳନାଥ ଘୋଷ ତାଙ୍କ ରାୟ ଶୁଣାଇଲେ । ତାଙ୍କ ରାୟରେ ଉଲ୍ଲେଖ ଥିଲା ।

JAGUA SINGH……. PROSECUTOR

vrs

Dhani, Situ, Bhagat, Moyaram, Mallik, Phanor, Bira, Hari,  Momad, Badhan, Tharo, Bundaheseekuara

Parabati and Reuti……… deftds.

Charges under Sec. 1 to 7and 297 of the Indian Penal Code. The Deftds are barbarous people of Sambalpur and are fanatics. They say they are the followers of Alek and airy being having no forms. They generally call him Guru. The case of their coming to Pooree as related by them appears to be that one of their coreligionists named Dasaram persuaded them that the Guru commanded him to bring the images of Jagannath, Balaram and Subhadra out of the temple at Pooree and then to burn them on the road. Deftds were under such great delusion that some of them said that they heard the voice of their Guru when giving the order for burning the said images. For the purpose of executing that order they left their homes in a body bringing their children with them. When they came within a few miles for Pooree, 16 out of them came ahead to pooree leaving the rest behind. Amongst these 16 was the said Dasaram. They all entered into the temple of Jagannath and broke open a door of the Bhogmandap. They tried to get into the room of Jagannath, but as the door of that room was shut against them and the pilgrims raised on alarm they were obliged to come back. After they came out of the temple, the said Dasaram died on the platform before the lion Gate. Deftds have admitted that they came to burn the image of Jagannath and that they entered the temple for that purpose. But they do not say how their companion Dasaram died. Their Religious frenzy is so deep rooted that some say that the Guru has taken him (Dasaram) the religious feelings of any person, but they could not fail to know that by taking out and burning the image of Jagannath the feelings of his worshipers were likely to be wounded, besides low caste people and barbarous people who have no distinction of caste such as that Defdts are not allowed to enter the temple of Jagannath. It appears from the evidence that all the Defdts entered into the temple. I sentence each of the Defdts. to two months rigorous imprisonments under sec.297 of the I.P.Code. The second sentence will have effect after the expiration of the first.

14th March, sd/- Kamal Nath Ghose

1881            Deputy Magistrate

ଏହି ଘଟଣା ଉଲ୍ଲେଖ କରି ତକ୍ରାଳୀନ ଉକ୍ରଳ ଦୀପିକା ଏବଂ ଉକ୍ରଳ ସାହିତ୍ୟରେ ପ୍ରକାଶିତ କେତୋଟି ସମ୍ବାଦ ଆମେ ପାଠକଙ୍କ ଅବଗତି ନିମନ୍ତେ ନିମ୍ନରେ ଉପସ୍ଥାପନ କରୁଛୁ ।

ଉକ୍ରଳ ଦୀପିକା : ୧୭ମାର୍ଚ୍ଚ ୧୮୮୧

ଏଠାରେ ଦୁଇ ସପ୍ତାହ ହେଲା ଜନରବ ହୋଇଅଛି କି, ପୁରୀରେ କେଳାଙ୍କ ପରି କେତେଜଣ ସ୍ତ୍ରୀ ପୁରୁଷ ଭାତହାଣ୍ଡି ସଙ୍ଗେ ନେଇ ବଳପୂର୍ବକ ଶ୍ରୀଜନ୍ନାଥଙ୍କ ମନ୍ଦିରରେ ପ୍ରବେଶ କଲେ । ସେତେବେଳେ ଭୋଗ ବୁହା ହେଉଥିଲା । ମନ୍ଦିରର ପହରାବାଲାମାନେ ନିଷେଧ କଲେ । ମାତ୍ର ସେମାନେ ନମାନି ଜଗନ୍ନାଥଙ୍କ ପାଖକୁ ଯିବାକୁ ଉଦ୍ୟତ ହେଲେ । ଏଥିରେ ପହରାବାଲାଙ୍କ ସହିତ କଜିଆ ହୋଇ ଶେଷରେ ମାଡ଼ଗୋଳ ହେଲା । ତହିଁରେ ଆକ୍ରମଣକାରୀଙ୍କ ମଧ୍ୟରୁ ଏକ ଜଣ ତତ୍କ୍ଷଣାତ୍ ମରିଗଲା । ଆଉ ଲୋକେ କେବଳ ଆପଣା ହାଣ୍ଡିର ଭାତ ଫିଙ୍ଗି ଦେଇ ଭୋଗ ମାରା କରି, ଜଗନ୍ନାଥଙ୍କୁ ପୋଡ଼ିଦେଇ, ତାଙ୍କର ଭସ୍ମ ଦେହରେ ବୋଳିବେ ବୋଲି ଧମକାଇ ଚାଲିଆସିଲେ । ଦଣ୍ଡବିଧି ଆଇନର ଗୁଡ଼ାଏ ଅପରାଧ ମୁହୂର୍ତ୍ତକ ମଧ୍ୟରେ ହୋଇଗଲା । ମାତ୍ର ପୁଲିସ ଦ୍ୱାରା ସେମାନେ ଗିରପ୍ତାର କିମ୍ବା ତାହାଙ୍କ ନାମରେ ମୋକଦ୍ଦମା ହେବାର ନଜରରୁ ପ୍ରକାଶ ପାଉନାହିଁ ଏବଂ ଅବଧି କୌଣସି ସରକାରୀ ସମ୍ବାଦ ଆସିବାର ଆମ୍ଭେମାନେ ଶୁଣିନାହୁଁ । ଯାହାହେଉ, ଯେବେ ଏ ଘଟଣାରେ ସତ୍ୟର ଲେଶ ଥାଏ, ତେବେ ଜଗନ୍ନାଥଙ୍କର ଭାରି ବିପଦ ଏବଂ ତାହାହେଲେ ଅବଧି କୌଣସି ନମ୍ବର ଜଗନ୍ନାଥୀ ନ ବାହାରିବା କିମ୍ବା କାଳିପଦ ବାବୁ ଜଗନ୍ନାଥଙ୍କୁ ରକ୍ଷାକରିବା ନିମିତ୍ତ ପୁରୀକୁ ନଯିବା କିମ୍ବା ଅନ୍ୟ ପ୍ରତିକାର ନକରିବା ବଡ଼ ଆଶ୍ଚର୍ଯ୍ୟର ବିଷୟ ଅଟଇ । ପ୍ରକୃତ କଥା ଆଗାମୀ ସପ୍ତାହରେ ଜଣାଇବାକୁ ସକ୍ଷମ ହେବାର ଆମ୍ଭେମାନେ ଆଶାକରୁ ।

ଉକ୍ରଳ ଦୀପିକା : ୨୬ମାର୍ଚ୍ଚ ୧୮୮୧

   ପୁରୀ ଜଗନ୍ନାଥଙ୍କ ପ୍ରତି ଆକ୍ରମଣ

ଏ ବିଷୟରେ ଆମ୍ଭେମାନେ ଏଥିପୂର୍ବେ ଯାହା ଶୁଣିଥିଲୁ ସବିଶେଷ ବୃତ୍ତାନ୍ତ ସମ୍ପ୍ରତି ଅବଗତ ହୋଇ ପାଠକମାନଙ୍କୁ ଜଣାଉଅଛୁ ।

ଯଥା : ଚଳିତମାସ ପ୍ରଥମ ତାରିଖ ମଙ୍ଗଳବାର ଦିନ ଦୁଇପ୍ରହର ସମୟରେ ଲଙ୍ଗଳା ଲଙ୍ଗୁଳୀ ଷୋଳଜଣ ଭାତହାଣ୍ଡି ନେଇ ମନ୍ଦିର ମଧ୍ୟକୁ ଯିବାକୁ ଉଦ୍ୟତ ହେଲେ । ତହୁଁ ପ୍ରହରୀ, ବରକନ୍ଦାଜ ଓ ଦ୍ୱାରୀ ଯିବାକୁ ନଦେଇ ସିଂହଦ୍ୱାର ବନ୍ଦ କରିବାକୁ ଚାହିଁବାରେ ସେମାନେ ଭାତହାଣ୍ଡି ରଖି ଗରୁଡ଼ସ୍ତମ୍ଭ ଠାରେ କବାଟ ପେଲିଦେଇ ସିଂହଦ୍ୱାର ସାମ୍ନା ଭୋଗମଣ୍ଡପ କବାଟ ଭାଙ୍ଗି ଜଗମୋହନ ବାଟେ ଜୟବିଜୟ ଦ୍ୱାରଠାକୁ ଯାଉଁ ଯାଉଁ ସେଠା କବାଟ ଓ ଦକ୍ଷିଣଦ୍ୱାର କବାଟକୁ ପଢ଼ିଆରୀମାନେ ବନ୍ଦ କରିଦେଲେ । ତହୁଁ ସେମାନେ ଶ୍ରୀ ଜୀଉଙ୍କ ସିଂହାସନ ପାଖକୁ ଯାଇ ନପାରିଲେ ଏବଂ ସେମାନଙ୍କୁ ବରକନ୍ଦାଜ ପ୍ରଭୃତି ମନ୍ଦିର କର୍ମଚାରୀ ଏବଂ ଯାତ୍ରୀମାନେ କୌଣସିମତେ ଓଗାଳି ବାହାର କରିଆଣିଲେ । ସେମାନେ ଉଲଗ୍ନ ଓ ମଦୁଆ ନ୍ୟାୟ ଥିଲେ । ମନ୍ଦିର ବାଟ କେବେହେଁ ଦେଖି ନଥିବାରୁ ଝୁଲି ଝୁଲି ବାହାରି ଆସୁ ଆସୁ ସେମାନଙ୍କ ମଧ୍ୟରେ ଦଶାରାମ ନାମକ ସରଦାର ଥିଲାକି ସେ କବାଟ ଭାଙ୍ଗିବାରେ ଅନକେ ପରିଶ୍ରମ କରିଥିଲା । ସେ ବ୍ୟକ୍ତି ଭୋଗମଣ୍ଡପ ପାବଚ୍ଛ ନିକଟ ଅଗ୍ନିଶ୍ୱର ମହାଦେବଙ୍କ ମନ୍ଦିର ସାମନାରେ ପଥର ଚଟାଣରେ ଝୁଣ୍ଟି ଅଚେତ ହେଲା । ତହୁଁ ସେମାନଙ୍କର ସଙ୍ଗୀ ତାକୁ ଧରାଧରି କରି ଗରୁଡ଼ ସ୍ତମ୍ଭଠାରୁ ନେଇ ଆସିଲେ ଓ ତାକୁ ଇଚ୍ଛାମତେ ଭାତ ଖୁଆଇଲେ ଓ ପ୍ରାୟ ଏକ ଘଣ୍ଟା ମଧ୍ୟରେ ସେ ବ୍ୟକ୍ତି ପ୍ରାଣତ୍ୟାଗ କଲା । ତଦପର ପୁଲିସ ସାହେବ ଓ ପୁଲିସ ସବ୍ଇନିସପେକ୍ଟର ଆସି ତାଙ୍କୁ ଡାକ୍ତର ସାହେବଙ୍କ ଠାକୁ ପଠାଇଲେ । ଡାକ୍ତର ମାଡ଼ ଦ୍ୱାରା ମରିନଥିବା ଇତ୍ୟାଦିର ସାର୍ଟିଫେକେଟ୍ ଦେଇଥିବା ପ୍ରକାଶ ହେଲା ।

ପ୍ରଥମ ପୁଲିସ ସବ୍ଇନିସପେକ୍ଟର ବାବୁ ରାମକୁମାର ମୁଖାର୍ଜୀ, ତଦ୍ପର ବାବୁ କୃପାସିନ୍ଧୁ ମହାନ୍ତି ଉତ୍ତମରୂପେ ତଦାରଖ କଲେ ଓ ମନ୍ଦିର କର୍ମଚାରୀ ଏବଂ ସେବକ ଓ ମନ୍ଦିରର ବେଇଲକାଦାର ବ୍ୟକ୍ତିଙ୍କର ଜମାନବନ୍ଦୀ ନେଲେ । ମୃତବ୍ୟକ୍ତି ପଥର ଚଟାଣରେ ପଡ଼ିବା ଆଘାତ ଦ୍ୱାରା ଦୈବୀ ଦୁର୍ଘଟଣାରେ ମରିଥିବା ଓ ମାଡ଼ଦ୍ୱାରା ମରିନଥିବାର ପ୍ରମାଣ ହେଲା । ଏଥିର ମକଦ୍ଦମା ବାବୁ କମଳନାଥ ଘୋଷ ଡେପୁଟି ମାଜିଷ୍ଟରଙ୍କୁ ଅର୍ପଣ ହୋଇଥିଲା । ସେ ମଧ୍ୟ ଉକ୍ତ ଅନୁସାରେ ଅନେକ ତଦାରଖ କରି ଅବଶିଷ୍ଟ ୧୫ଜଣଙ୍କୁ ତିନିମାସ ଲେଖାଏଁ କଏଦ ରହିବାର ହୁକୁମ ଗତ ସୋମବାର ଦିନ ସାଦର କରିବାକୁ ସେମାନେ କଏଦ ହୋଇଅଛନ୍ତି ।

ଉକ୍ତ ବ୍ୟକ୍ତିମାନଙ୍କ ଘରେ ରାଏପୁର, ସମ୍ବଲପୁର ଅଞ୍ଚଳର ଅଟେ । ସେମାନଙ୍କ ଗୁରୁ ଅଲେଖଙ୍କ ଆଜ୍ଞା ଯାହା ମୃତ ଦଶାରାମ ପ୍ରତି ହୋଇଥିଲା ସେହି ଆଜ୍ଞା ପ୍ରତିପାଳନରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏପରି ତିନି ଦାରୁମୂର୍ତ୍ତିମାନଙ୍କରେ ବ୍ରହ୍ମପଦାର୍ଥ ନଥିବା ହେତୁ ତାଙ୍କୁ ସିଂହାସନରୁ ଆଣି ବଡ଼ଦାଣ୍ଡରେ ପୋଡ଼ିଦେବା କାରଣ ଆସିଥିବାର ପୋଲିସ ତଦାରଖରେ ଏବଂ ଡେପୁଟି ମାଜିଷ୍ଟରଙ୍କ ଠାରେ ପ୍ରକାଶ କଲେ ଓ ସେମାନଙ୍କ ଛଡ଼ା ପୁରୁଷ ଓ ସ୍ତ୍ରୀ, ବାଳକ ଓ ବାଳିକା ଯେ ସତ୍ୟବାଦୀ ମୁକାମ ଠାରେ ଜ୨୮ଣ ଥିଲେ, ସେମାନଙ୍କ ଅବସ୍ଥା ଦୃଷ୍ଟିରେ ସେମାନଙ୍କୁ ପୁଲିସ ଚାଲାଣ କରିବାରେ ସେମାନଙ୍କ ମଧ୍ୟରୁ ଚାରିଜଣ ଉକ୍ତ ଅନୁସାରେ ଦାରୁମୂର୍ତ୍ତିମାନଙ୍କୁ ପୋଡ଼ିବା ନିମନ୍ତେ ଆସିଥିବାରୁ ଡେପୁଟି ମାଜିଷ୍ଟରଙ୍କ ଠାରେ ଏକରାର୍ କରିବାରୁ ସେମାନଙ୍କୁ ଏକସପ୍ତାହ ଲେଖାଏଁ କଏଦର ହୁକୁମ ସାଦର ହୋଇଅଛି । ଉକ୍ତ ବ୍ୟକ୍ତିମାନେ ଅତ୍ୟନ୍ତ ମ୍ଳେଚ୍ଛ । ସ୍ନାନ କରନ୍ତି ନାହିଁ ଓ ପୋଖରୀ ବସି ପାଣି ନିଅନ୍ତି ନାହିଁ ।

ଏହି ଅଲେଖ ସମ୍ପ୍ରଦାୟଙ୍କ ମତ କ’ଣ? ସେମାନଙ୍କ ଗୁରୁ କିଏ, ସେ କି ପ୍ରକାର ଆପଣା ମତ ବିସ୍ତାର କରୁଅଛନ୍ତି, କେତେ ଲୋକ ଏହାଙ୍କର ମତାବଲମ୍ବୀ ହୋଇଅଛନ୍ତି, ସେମାନେ ପୂର୍ବେ କି ଜାତି ବା କି ଧର୍ମାବଲମ୍ବୀ ଥିଲେ ଏବଂ ଜଗନ୍ନାଥଙ୍କ ଉପରେ ତାଙ୍କର ଏତେ ଆକ୍ରୋଶ କାହିଁକି, ଏ ସମସ୍ତ ବିଷୟ ଆମ୍ଭମାନଙ୍କ ସମ୍ବାଦିକତା ଅନୁସନ୍ଧାନ କରି ଲେଖିଲେ ସର୍ବସାଧାରଣଙ୍କ ବଡ଼ ମନୋରଞ୍ଜନ ହୁଅନ୍ତା, ଏ ସମ୍ପ୍ରଦାୟ ମଧ୍ୟରୁ ଯେଉଁମାନେ ବର୍ତ୍ତମାନ ଜେଲଖାନାରେ ଅଛନ୍ତି, ସେମାନଙ୍କଠାରୁ ସମସ୍ତ କଥା ମିଳିପାରେ । ଅନୁମାନରେ ବୋଧ ହେଉଅଛି, ଏମାନେ ସାନ୍ତାଳଙ୍କ ପରି ଅସଭ୍ୟ ବଣୁଆ ଜାତି ଅଟନ୍ତି ଏବଂ କୌଣସି ଚତୁର ଲୋକ ଏହାଙ୍କ ଗୁରୁ ହୋଇ ଏମାନଙ୍କୁ ଠକି ଖାଉଅଛି ।

ଉକ୍ରଳ ସାହିତ୍ୟ : ୬ସେପ୍ଟେମ୍ବର ୧୮୮୩

       ମହିମା ବାବାଜୀ

 ଆମ୍ଭମାନଙ୍କର ଯାଜପୁର ସମ୍ବାଦଦାତା ଲେଖନ୍ତି ଯେ ଢେଙ୍କାନାଳ, ସୁକିନ୍ଦା, କେଉଁଝର ପ୍ରଭୃତି ଗଡ଼ଜାତରେ କୁମ୍ଭିପଟ ନାମଧ୍ୟେୟରେ ପ୍ରାୟ ଚାରି ପାଞ୍ଚଶହ ଲୋକ ଏକ ସମ୍ପ୍ରଦାୟ ବାନ୍ଧିଅଛନ୍ତି । ସେମାନଙ୍କର ଅପରନାମ ମହିମା ବାବାଜୀ । ଏହି ସମ୍ପ୍ରଦାୟ ମଧ୍ୟରୁ ଦୁଇ ଚାରିଜଣ ମଧୁପୁରରେ ପ୍ରବେଶ ହୋଇ ଲୋକଙ୍କ ଜାତିକୁ ଧ୍ୱଂସର ଚେଷ୍ଟା କରିବାରୁ ରାଜା ତାହାଙ୍କୁ ହିନ୍ଦୁ ଧର୍ମର ବିରୋଧୀ ଜ୍ଞାନ କରି ଆପଣା ରାଜ୍ୟରୁ ବାହାର କରିଦେଲେ । ସେହି ବୈରାଗୀଙ୍କ ମଧ୍ୟରୁ ଦୁଇଜଣ ଆଜକୁ ୨ମାସ ହେବ ଯାଜପୁରକୁ ଆସି ବ୍ରାହ୍ମଣ, କରଣ, ହାଡ଼ି ପ୍ରଭୃତି ନାନା ଜାତି ମଧ୍ୟରୁ କେତେଗୁଡ଼ିଏ ଶିଷ୍ୟ କରି ତାହାଙ୍କୁ ସଙ୍ଗେ ନେଇ ବୁଲୁଅଛନ୍ତି । ରାଜା ଓ ବ୍ରାହ୍ମଣ, ଭଣ୍ଡାରୀ, ଧୋବା, ମାଳୀ ଓ ଦାରୀ ଏହି ପାଞ୍ଚ ଜାତିକୁ ଛାଡ଼ି ଆଉ ସମସ୍ତଙ୍କ ଘରେ ଭୋଜନ କରନ୍ତି । ଖ୍ରୀଷ୍ଟିୟାନମାନଙ୍କୁ ସୁଦ୍ଧା ବାରଣ କରନ୍ତି ନାହିଁ । ସେମାନଙ୍କ ଘରୁ ଭାତ ମାଗିନେଇ ହାଣ୍ଡିରେ ରଖି ଦାଣ୍ଡରେ ଗୁରୁ ଶିଷ୍ୟ ସମସ୍ତେ ଏକତ୍ର ହୋଇ ଭୋଜନ କରି ହାଣ୍ଡିକୁ ଭାଙ୍ଗି ପକାଇ ଦିଅନ୍ତି ଲୋକେ ଏହାଙ୍କୁ ବଡ଼ ମାନନ୍ତି  ଓ କେତେକ ଲୋକ ଏହାଙ୍କ ଠାରେ ଦୁଃଖ ଜଣାଇ ଆଜ୍ଞା ଘେନି ଅତି ଭକ୍ତି ସହିତ ପ୍ରତିପାଳନ କରୁଅଛନ୍ତି । ପୁତ୍ର କାମନା ସୁଦ୍ଧା ସଫଳ କରୁଥିବାର ଜଣାଯାଏ । ଯାହା ହେଉ, ଏହାଙ୍କ ଦ୍ୱାରା ଜାତିବିନାଶର ପ୍ରବଳ ଉପାୟ ହେବାର ଦେଖି ଯାଜପୁରର ବ୍ରାହ୍ମଣମାନେ ସଭା କରି ସ୍ଥିର କରି ଅଛନ୍ତି ମହିମା ବାବାଜୀଙ୍କ ଦ୍ୱାରା ଯାହାଙ୍କର ଜାତି ବିନାଶ ହୁଅଇ, ସେମାନେ ପତିତ ହେବେ ଓ ବିଧିମତେ ପ୍ରାୟଶ୍ଚିତ ନକଲେ କେହି ତାହାଙ୍କର ସଂସର୍ଗୀ ହେବେ ନାହିଁ । ଏପରି ବିଧି ହେବାରୁ ଶିଷ୍ୟଙ୍କ ସଂଖ୍ୟା ଉଣା ହେଉଅଛି ଓ ଯେଉଁମାନେ ଶିଷ୍ୟ ହୋଇ ଅଛନ୍ତି, ତାହାଙ୍କ ମଧ୍ୟରୁ ଅନେକ ଲୋକେ ଘରକୁ ଫେରି ଆସି ପ୍ରାୟଶ୍ଚିତ ଉଦ୍ୟମରେ ଅଛନ୍ତି ।

ଏସବୁ ଏଠାରେ ଡେପୁଟି ମାଜିଷ୍ଟ୍ରେଟ୍ ଶୁଣି ବାବାଜୀଙ୍କ ଅବସ୍ଥା ବୁଝିବା କାରଣ ଗତ ସପ୍ତାହରେ ତାହାଙ୍କୁ ଆପଣା କୋଠିକୁ ଡକାଇ ପଚାରିବାର, ସେମାନେ ଆପଣା ମତର ଏହି ପରିଚୟ ଦେଲେ ଯେ, ସେମାନେ ବେଦ କିମ୍ବା କୌଣସି ଶାସ୍ତ୍ର ମାନନ୍ତି ନାହିଁ । କିମ୍ବା କୌଣସି ଦେବତାର ପୂଜା କରନ୍ତି ନାହିଁ । ତାହାଙ୍କର ଧର୍ମ ନିର୍ବେଦ ଓ ଅଲେଖ । କେବଳ ମହିମାଙ୍କୁ ମାନନ୍ତି । ଏ ମହିମା ନାମର ଅଟଇ ଓ ନାମ ଅର୍ଥରେ ନିରାକାର ବ୍ରହ୍ମ କି ସେ ସକଳ ଲୋକରେ ବିରାଜମାନ ଅଛନ୍ତି । ତଥାପି ରାଜା ଓ ବ୍ରାହ୍ମଣ ପ୍ରଭୃତି ପାଞ୍ଚ ଜାତିଙ୍କ ସହିତ ସେମାନେ ମିଶନ୍ତି ନାହିଁ ତହିଁର କାରଣ ଏହି ପ୍ରଦର୍ଶିତ କଲେ ଯେ, ସେମାନେ ଅଧର୍ମୀ ଅଟନ୍ତି ଓ କ୍ରିୟା କରନ୍ତି ନାହିଁ । ଏ ଘେନି ସେମାନେ ନିଷିଦ୍ଧ ଅଛନ୍ତି । ଡେପୁଟି ବାବୁ ଏସବୁ ଶୁଣି ତାହାଙ୍କୁ ଯୁକ୍ତି ଦ୍ୱାରା ପରାସ୍ତ କରି ସବ୍ଡିଭିଜନ ଛାଡ଼ି ଚାଲିଯିବାକୁ କହିଲେ ।

ଏ ବିଷୟରେ ଆମ୍ଭମାନଙ୍କୁ ଗୋଟିଏ କଥା କହିବାକୁ ହେଲା । ଧର୍ମ ବିଷୟରେ ଆମ୍ଭମାନଙ୍କର କିଛି କହିବାର ନାହିଁ । କିନ୍ତୁ ଏ ସମ୍ପ୍ରଦାୟର ଲୋକେ ଯେ, ରାଜାଙ୍କୁ ଅଧର୍ମୀ ଜ୍ଞାନ କରନ୍ତି । ତହିଁର ତାତ୍ପର୍ଯ୍ୟ କି ଓ ରାଜା ଶବ୍ଦର ଅର୍ଥ କି? ଯେବେ ଗଡ଼ଜାତର ରାଜା ହୋଇଥାଏ, ସେତେବେଳେ ତହିଁରେ କିଛି ବକ୍ତବ୍ୟ ନାହିଁ । କାରଣ ଯେଉଁ ରାଜାଙ୍କ ଅଧିକାରରେ ସେମାନେ ଅଛନ୍ତି, ସେ ତହିଁର ସଦର୍ଥ ତାହାଙ୍କଠାରୁ ବୁଝି ଆବଶ୍ୟକ ମତ ପ୍ରତିକାର କରିବାକୁ ସକ୍ଷମ ଅଛନ୍ତି । କିନ୍ତୁ ଯେବେ ଇଂରେଜ ଗଭର୍ଣ୍ଣମେଣ୍ଟକୁ ବୁଝାଏ, ତେବେ ଏ କଥାଟି ବଡ଼ କଠିନବୋଧ ହେଉଅଛି ଓ କର୍ତ୍ତୃପକ୍ଷଙ୍କ ଉଚିତ ଯେ, ଉକ୍ତ ସମ୍ପ୍ରଦାୟର ଲୋକଙ୍କଠାରୁ ଅଧିକ ବିସ୍ତାରିତ ବିବରଣୀ ଅବଗତ ହୁଅନ୍ତୁ । କାରଣ ଏମନ୍ତ ହୋଇପାରେ, ଇଂରେଜଙ୍କୁ ଏମନ୍ତ ବିଷୟରେ ଅଧର୍ମୀ ବୋଲି ଲୋକଙ୍କଠାରେ ପରିଚୟ ଦେଉଥିବେ କି ଯହିଁରେ ରାଜଭକ୍ତି ଉଣା ହେବାର ଓ ସମୟରେ ବିଦ୍ରୋହ ଜାତ ହେବାର ସମ୍ଭାବନା । ଗଡ଼ଜାତ ଲୋକମାନେ ଅତି ମୂର୍ଖ । ସେଦିନ କେଉଁଝରରେ ଏକ ବିଦ୍ରୋହ ହୋଇଯାଇଅଛି ଓ ବାବାଜୀଙ୍କ କଥାରେ ସବୁଠାରେ ଅଧିକ ବିଶ୍ୱାସ । ଏମାନଙ୍କୁ ଯେବେ ସର୍ବଦା ଇଂରେଜ ରାଜା ଅଧର୍ମୀ ବୋଲି କୁହାଯାଏ ଓ ତହିଁର କାଳ୍ପନିକ କେତେ ଉଦାହରଣ ମଧ୍ୟ ଦେଖାଇ ଦିଆଯାଏ । ତେବେ ଏହାଙ୍କର ଦଳ ବୃଦ୍ଧି ହେଲେ ଯେ ଅନିଷ୍ଟ ଘଟିବ ଏଥିରେ ସନ୍ଦେହ ଅଛି କି?

୧ମାର୍ଚ୍ଚ ୧୮୮୧ର ଏହି ଘଟଣା ଶ୍ରୀଜଗନ୍ନାଥ ମନ୍ଦିର ଇତିହାସରେ ନିଶ୍ଚିତ ଭାବରେ ନୂଆ । ଯଦିଓ ଏଥି ପୂର୍ବରୁ ବଡ଼ଦେଉଳ ଉପରେ ବହୁବାର ଆକ୍ରମଣ ହୋଇଛି, ସେସବୁ ଆକ୍ରମଣର ନେତୃତ୍ୱ ନେଇଥିଲେ ଯବନ ସେନାପତିମାନେ । ପ୍ରଥମଥର ପାଇଁ ହିନ୍ଦୁଧର୍ମର ଦଳିତ,ନିପୀଡ଼ିତ ଜାତିର ଦଳେବ୍ୟକ୍ତି ଏହି ଆକ୍ରମଣରେ ସାମିଲ ହେଲେ ଏବଂ ସବୁଠୁ ବଡ଼କଥା ହେଲା, ଏହି ଆକ୍ରମଣକାରୀ ଦଳ ସହିତ କେତେଜଣ ମହିଳା ମଧ୍ୟ ଯୋଗଦାନ କରିଥିଲେ । ଶ୍ରୀମନ୍ଦିର ଆକ୍ରମଣ କରି ଦାରୁଦେବତାମାନଙ୍କୁ ପୋଡ଼ିଦେଇ ସେମାନଙ୍କର ଭସ୍ମ ବୋଳି ହେବାର ଏହି ଦୁଃସାହସିକ ଅଭିଯାନ ପଛରେ କି କି କାରଣମାନ ରହିଛି, ସେ ବିଷୟରେ ଆଲୋଚନା କରାଯାଉ ।

ଶ୍ରୀମନ୍ଦିର ଆକ୍ରମଣର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ, ପ୍ରଥମେ ଯବନ ରକ୍ତବାହୁର ଆକ୍ରମଣରୁ ରକ୍ଷାକରିବା ପାଇଁ ଶ୍ରୀଜଗନ୍ନାଥଙ୍କୁ ପାତାଳୀ କରି ସୁନୁପୂର ବା ସୋନପୁରଠାରେ ଲୁଚେଇ ରଖାଯାଇଥିଲା । ଏ ସମ୍ପର୍କରେ ‘ମାଦଳା ପାଞ୍ଜି’ କହେ-‘ଏହି ମହାରାଜାଙ୍କ ଅନ୍ତେ ଡିଲିରୁ ରକ୍ତବାହୁ ଆସିବା ବାରତାକୁ ପରମେଶ୍ୱରଙ୍କୁ ସୁନୁପୂର ଗୋପାଳୀ ଘେନିଗଲେ । ସେଠାରେ ମଣ୍ଡପ ଗୋଟିଏ କରି ବିଜେ କରାଇଲେ ବ୪୫ । ଏଥି ଉତ୍ତାରେ ଗଛ ଲଗାଇ ରାଜ୍ୟ ଅନ୍ତର ହୋଇଗଲେ ।’ (୧)ପରବର୍ତ୍ତୀ ସମୟରେ ଯଯାତି କେଶରୀ ପରମେଶ୍ୱରଙ୍କୁ ଉଦ୍ଧାର କରି ପୁରୁଷୋତ୍ତମରେ ସ୍ଥାପନା କରିବାର ବିସ୍ତୃତ ବିବରଣୀ ସେହି ମାଦଳା ପାଞ୍ଜିରେ ପ୍ରଦତ୍ତ ହୋଇଛି । ଏହି ଘଟଣାର ସତ୍ୟାସତ୍ୟକୁ ନେଇ ଐତିହାସିକମାନଙ୍କ ଭିତରେ ବାଦାନୁବାଦ ଅବ୍ୟାହତ ରହିଛି । (୨)ଏ ବିଷୟ ଆମପାଇଁ ଅପ୍ରାସଙ୍ଗିକ । କେବଳ ସୁନୁପୂର ବା ସୋନପୁର, ପରୋକ୍ଷରେ ପଶ୍ଚିମ ଓଡ଼ିଶା ସହ ଶ୍ରୀଜଗନ୍ନାଥଙ୍କ ସମ୍ପର୍କ ବିଷୟରେ ସୂଚେଇ ଦେବାକୁ ଏହା ଏକ ଉପଲକ୍ଷ୍ୟ ମାତ୍ର ।

ଯେଉଁ ଭୂମିରେ ଶ୍ରୀଜଗନ୍ନାଥ ସଂସ୍କୃତିର ବୀଜ ବପନ ହୋଇଥିଲା, ସେଇ ସମାନ ଭୂମିରେ ଜଗନ୍ନାଥ ବିଦ୍ୱେଷର ନିଅାଁ ଜଳିଉଠିଲା କେମିତି? ଊନବିଂଶ ଶତାବ୍ଦୀରେ Mahima Dharma is an autochthonus Hindu reform Movement that turned against Jagannath worship in Particularö (୩) ମାର୍ଚ୍ଚ ୧,୧୮୮୧ର ଘଟଣା ଥିଲା ଜଗନ୍ନାଥ ବିଦ୍ୱେଷର ସବୁଠୁ ବଡ଼ ପ୍ରଦର୍ଶନ । ଆମର ଐତିହାସିକମାନେ ଏହି ଘଟଣାର ସତ୍ୟାସତ୍ୟ ତଥା ଏଥିରେ ମହିମାଧର୍ମର ମହାକବି ଭୀମ ଭୋଇଙ୍କ ସମ୍ପୃକ୍ତି-ଅସମ୍ପୃକ୍ତି ବିଷୟରେ ଅଯଥା ବାଟବଣା ହେଉଥାଆନ୍ତି । ଜଗନ୍ନାଥ ମନ୍ଦିର ଆକ୍ରମଣ ଘଟଣାର ରେକର୍ଡ଼ ପତ୍ର ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଯାଏ ଯେ, ଭୀମଭୋଇଙ୍କ ଏହି ଘଟଣା ସହ କୌଣସି ପ୍ରକାର ବ୍ୟକ୍ତିଗତ ପ୍ରତ୍ୟକ୍ଷ ସମ୍ପୃକ୍ତି ନଥିଲା । ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ୍ ଭାବରେ ସୋନପୁର ଗଡ଼ଜାତର ଖଲିଆପାଲିର ଭୀମଭୋଇଙ୍କୁ କେତେକ ସରକାରୀ ଦଲିଲ ଓ ଖବରକାଗଜ ପରିଚିହ୍ନିତ କରିଥାନ୍ତି । (୪) ବ୍ୟକ୍ତିଗତ ଉପସ୍ଥିତି ଅପେକ୍ଷା ଜଗନ୍ନାଥଙ୍କ ପ୍ରଭୁତ୍ୱ ଓ ରାଜନୈତିକ ଗୁରୁତ୍ୱ ଉପରେ ପ୍ରଚଣ୍ଡ ପ୍ରହାର କରିବା ପାଇଁ ଭୀମଭୋଇଙ୍କ ସାରସ୍ୱତ ଉଦ୍ୟମ ଏକ୍ଷେତ୍ରରେ ସବୁଠୁବେଶୀ ଉଲ୍ଲେଖନୀୟ ଏବଂ ଏ ବିଷୟରେ ଆଜି ପର୍ଯ୍ୟନ୍ତ ବିଶେଷ ଆଲୋଚନା ହୋଇନାହିଁ ।

ଜଗନ୍ନାଥକେନ୍ଦ୍ରିକ ଓଡ଼ିଆ ସମାଜରେ ମହାପ୍ରଭୁଙ୍କୁ ‘ଓଡ଼ିଶା ରାଜାର ପ୍ରଭୁ’ ସୁତରାଂ ରାଜାଧିରାଜ ଭାବରେ ଗ୍ରହଣ କରାଯାଇଥିଲା । ପୁରୀ ରାଜା କେବଳ ରାଉତ, ରାଜା ସ୍ୱୟଂ ଜଗନ୍ନାଥ-ଏହି ଧାରଣା ହିଁ ବହୁ ଆକ୍ରମଣକାରୀଙ୍କୁ ମନ୍ଦିର ପ୍ରତି ପ୍ରଲୁବ୍ଧ କରିଛି । ଜଗନ୍ନାଥଙ୍କୁ ଜୟ କଲେ ହିଁ ଓଡ଼ିଶାବିଜୟ ସମ୍ଭବ;ଏ କଥା ଯବନ ଆକ୍ରମଣକାରୀମାନେ ବେଶ୍ ଭଲଭାବରେ ଜାଣିଥିଲେ । ବାହ୍ୟ ଆକ୍ରମଣ, ଅନ୍ତରୀଣ ବିବାଦ ଏବଂ ବିଭାଜିତ ଓଡ଼ିଆ ପରିଚୟର ଶିକାର ହୋଇ ବଡ଼ଦେଉଳ ମଧ୍ୟ ପ୍ରଦୂଷିତ ହେବା ଆରମ୍ଭ କରିଥିଲା । ଜଗତଜନର ସଂସ୍କୃତିକୁ ଆଧାର କରି ଜଗନ୍ନାଥ ସଂସ୍କୃତିର ପରିକଳ୍ପନା ହୋଇଥିବା ବେଳେ, ଏହା କେବଳ ରାଜା ଓ ଉଚ୍ଚବର୍ଗର କ୍ଷମତା କେନ୍ଦ୍ରଭାବରେ ଗଢ଼ିଉଠୁଥିଲା । ମୋଗଲ ଓ ମରାଠାଙ୍କର କୁଶାସନ, ଅତ୍ୟାଚାର, ରାଜସ୍ୱ ଅବ୍ୟବସ୍ଥା ଇତ୍ୟାଦିର ସୁଯୋଗ ନେଇ ସମାଜର ମୁଷ୍ଟିମେୟ ବଡ଼ପଣ୍ଡାଗୋଷ୍ଠୀ ରାଜ୍ୟ ଲୁଟରେ ବିଦେଶୀଙ୍କର ସହାୟକ ସାଜିଥିଲେ । ସେଥିପାଇଁ ବୋଧେ ଓଡ଼ିଶା ବିଷୟରେ ହଣ୍ଟରଙ୍କ ମତଥିଲା ‘A Priest -ridden race, kept in subjection by the Brahmins and subject to all Paralysing influences of religious superstition and easte prejudices. Nowhere else do the ancient caste rules exercise such an influence.’ (୫)ପୂର୍ବରୁ ସର୍ବଧର୍ମ ସମନ୍ୱୟର କ୍ଷେତ୍ର ଭାବରେ ପରିଚିତ ଶ୍ରୀମନ୍ଦିରର ଦୁଆର ଅଛବମାନଙ୍କ ପାଇଁ ବନ୍ଦ ହୋଇଗଲା । ଡବ୍ଲୁ ଡବ୍ଲୁ ହଂଟର୍ ଏବଂ ଓ’ ମାଲିଙ୍କ ଗେଜେଟିଅର, ରିପୋର୍ଟରେ ମନ୍ଦିର ପ୍ରବେଶ ଅଧିକାର ନଥିବା ଜାତିମାନଙ୍କର ଏକ ତାଲିକା ନିମ୍ନରେ ପ୍ରକାଶ କରାଗଲା ।

୧-ଖ୍ରୀଷ୍ଟିଆନ, ୨-ମୁସଲମାନ, ୩-ବଣ-ପର୍ବତର ଆଦିବାସୀ, ୪-ବାଉରୀ, ୫-ଶବର, ୬-ପାଣ, ୭-ହାଡ଼ି(କେବଳ ମନ୍ଦିର ପରିସରର ମଇଳାସଫା ବ୍ୟତୀତ), ୮-ଚମାର, ୯-ଡମ ଓ ଚଣ୍ଡାଳ, ୧୦-ଚଢ଼େଇ ମରା, ୧୧-ଶିଆଳ (ସୁଣ୍ଢି), ୧୨-ଗୋଖା, ୧୩-ଶିଉଳ, ୧୪-ତିଅର, ୧୫-ନୋଳିଆ, ୧୬-ପାତ୍ର, ୧୭-କଣ୍ଡରା, ୧୮-ଦାରୀ, ୧୯-ଜେହେଲିଆ, ଧୋବା ଓ କୁମ୍ଭାର । ତେବେ ଧୋବା ଓ କୁମ୍ଭାର କେବଳ ବେଢ଼ା ଭିତରକୁ ଯିବାର ଅଧିକାର ହାସଲ କରିଥିଲେ ।

ଶ୍ରୀଜଗନ୍ନାଥଙ୍କୁ ଶବର ଦେବତା ଏବଂ ବୌଦ୍ଧ ଜଗନ୍ନାଥ ଭାବରେ ପୂଜା କରୁଥିବା ଓଡ଼ିଆ ଜାତି ପାଇଁ ଜାତିଭେଦ ଥିଲା ଏକ ଅସହନୀୟ ପ୍ରଥା । ରାଜନୀତି ଓ ଧର୍ମନୀତିର ସମନ୍ୱୟରେ ପ୍ରତିଷ୍ଠିତ ଓଡ଼ିଆ ଶାସନରେ ଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ସମ୍ମାନ ଦିଆଗଲା ସୂର୍ଯ୍ୟବଂଶର ଶାସନପରଠୁ। ରାଜଦ୍ରୋହର ଅର୍ଥ ଜଗନ୍ନାଥଦ୍ରୋହ ବୋଲି ଧାରଣା ସୃଷ୍ଟି କରାଗଲା । ଓଡ଼ିଶାର ରାଜା ଓ ସାମନ୍ତ ରାଜାମାନଙ୍କ ଭିତରେ ଜଗନ୍ନାଥ ହିଁ ଯୋଗସୂତ୍ର । ତେବେ ସୂର୍ଯ୍ୟବଂଶର ପତନପରେ ରାଜନୈତିକ ଅସ୍ଥିରତାର ଏକ ବିରାଟ ଇତିହାସ ଓଡ଼ିଆ ଜାତିର ଜୀବନଧାରାକୁ ଓଲଟପାଲଟ କରିଦେଇଛି । ମୋଗଲ ମରାଠା ଓ ଇଂରେଜଙ୍କ ମନମୁଖୀ ଶାସନରେ ଧନ ଓ ଧର୍ମକୁ ଜାବୁଡ଼ି ଧରିଥିବା ଦଳେ ଉଚ୍ଚବର୍ଗର ସାଆନ୍ତ ଓଡ଼ିଶାର ସମାଜ ଜୀବନରୁ ଜଗନ୍ନାଥଙ୍କୁ ଦୂରତର କରିବାରେ ଲାଗିଲେ । ଉନବିଂଶ ଶତାବ୍ଦୀ ବେଳକୁ ଜଗନ୍ନାଥ ରାଜା ଓ ବ୍ରାହ୍ମଣଙ୍କର ଏକଚାଟିଆ ଅଧିକାର ଭୁକ୍ତ ହୋଇସାରିଥିଲେ ।

୧୮୬୬ର କୁଖ୍ୟାତ ନ’ଅଙ୍କ ଦୁର୍ଭିକ୍ଷ ଥିଲା ଜାତୀୟ ଜୀବନର ଆଉ ଏକ ବିରାଟ ଧକ୍କା । ଭୋକ ଓ ଅନାହାରରେ ମୃତ୍ୟୁବରଣ କରୁଥିବା ଓଡ଼ିଆଙ୍କର ଦୁର୍ଦ୍ଦଶା ଅପେକ୍ଷା ଜାତି ଚାଲିଯିବାର ଭୟ ସେମାନଙ୍କୁ ବେଶୀ କଷ୍ଟ ଦେଇଥିଲା । ‘ଛତ୍ରଖିଆ’ ଶବ୍ଦଟି ଆସିଥିଲା ସେଇ ଭୟଙ୍କର ବିପର୍ଯ୍ୟୟରୁ । ସରକାରୀ ଅନ୍ନଛତ୍ରରେ ପ୍ରାଣ ବିକଳରେ ମୁଠାଏ ଭାତ ଖାଇଥିବା ଓଡ଼ିଆଙ୍କୁ ତାର ଜାତିଭାଇ ଆହୁରି ଆହୁରି ହତ୍ୟାକରିଛି ‘ଜାତି’ ଓ ‘ସମାଜ’ନାମରେ । ଏହି ସମୟରେ ଗଡ଼ଜାତ ରାଜା ମାନଙ୍କର ଶାସନ ତଥା ଭୂମି ଓ ରାଜସ୍ୱ ବ୍ୟବସ୍ଥା ଉନ୍ନତ ଥିଲା ବୋଲି କେହି କେହି କହନ୍ତି । କିନ୍ତୁ ଗଡ଼ଜାତି ରାଜାମାନଙ୍କର ଅନ୍ଧାରୀ ଶାସନ ବିପକ୍ଷରେ ଊନବିଂଶ ଶତାବ୍ଦୀରେ ଘଟିଥିବା କେତେକ ସ୍ଥାନୀୟ ଆଦିବାସୀ ଆନ୍ଦୋଳନ ବିଷୟରେ ଆମର ଇତିହାସ ନୀରବ ।

ରାଜା,ଉଚ୍ଚବର୍ଗ ଏବଂ ସେମାନଙ୍କର ପ୍ରଭୁ ଜଗନ୍ନାଥଙ୍କ ବିରୁଦ୍ଧରେ ମହିମା ଧର୍ମ ଥିଲା ଦଳିତ-ଶୋଷିତମାନଙ୍କର ଏକ ବିଦ୍ରୋହୀ ମଞ୍ଚ। ଏଇ ବିଦ୍ରୋହର ମହାନାୟକ ମହିମା ଗୋସାଇଁ, ଗୋବିନ୍ଦ ଦାସ ବାବା ଓ ଭୀମଭୋଇଙ୍କୁ ଆଜିପର୍ଯ୍ୟନ୍ତ ଆମେ ସଠିକ୍ଭାବେ ଚିହ୍ନିପାରିଲୁ ନାହିଁ ।

(୬) ୧ମାର୍ଚ୍ଚ,୧୮୮୧ର ପୁରୀମନ୍ଦିର ଆକ୍ରମଣର ପୃଷ୍ଠଭୂମିରେ ଭୀମଭୋଇଙ୍କର ଭୂମିକା ବିଷୟରେ ବିଶେଷ ଆଲୋଚନା ହିଁ ମୋର ଉଦ୍ଦେଶ୍ୟ। ଭୀମ ଭୋଇଙ୍କ ପରି ଜଣେ‘ସନ୍ଥ କବି’ଜଗନ୍ନାଥଙ୍କୁ ଆକ୍ରମଣ କରିବା ପରି ଯୋଜନାରେ ସାମିଲ ହୋଇ ନଥିବେ ବୋଲି କେତେଜଣ ଆଲୋଚକ କହିଥାନ୍ତି । ସ୍ୱର୍ଗତ ହରେକୃଷ୍ଣ ମହତାବ ତାଙ୍କର ‘ଓଡ଼ିଶା ଇତିହାସରେ’ ଭୀମ ଭୋଇଙ୍କ ନେତୃତ୍ୱରେ ମହିମା ଧର୍ମାବଲମ୍ବୀମାନେ ଜଗନ୍ନାଥଙ୍କୁ ଦର୍ଶନ କରି ଭକ୍ତିଅର୍ପଣ କରିବାକୁ ଆସିଥିଲେ ବୋଲି ଉଲ୍ଲେଖକରିଛନ୍ତି । ଏପରିକି ଭୀମଭୋଇ ଜଗନ୍ନାଥଙ୍କ ଭକ୍ତଥିଲେ ଓ ସେ ଜଗନ୍ନାଥଙ୍କୁ ସ୍ତୁତି କରି କିଛି କବିତା ଲେଖିଛନ୍ତି ବୋଲି କେତେଜଣ ଆଲୋଚକ ବିଭ୍ରାନ୍ତିକର ମତ ଦେଇଛନ୍ତି । (୭) ଏକଥା ସତ ଯେ, ଭୀମଭୋଇଙ୍କ ରଚନାରେ ଜଗନ୍ନାଥ ଶବ୍ଦ ବହୁଳ ଭାବରେ ବ୍ୟବହୃତ ଓ ଜଗନ୍ନାଥ ଆଦିସିଦ୍ଧ ଭାବରେ ପରିଚିତ । ଶ୍ରୀ ଜଗନ୍ନାଥଙ୍କ ସହ ଭୀମ ଭୋଇଙ୍କ ଜଗନ୍ନାଥଙ୍କ ସମ୍ପର୍କ କ’ଣ । ତାହା ହିଁ ଆମ ଆଲୋଚନାର ମୂଳକଥା ।

ପ୍ରଥମରୁ କୁହାଯାଇଛି ଯେ, ମହିମା ଧର୍ମର ଉଦ୍ଭବ ଥିଲା ଜଗନ୍ନାଥଙ୍କୁ କେନ୍ଦ୍ରକରି ଗଢ଼ିଉଠିଥିବା ରାଜା ଓ ବ୍ରାହ୍ମଣବାଦୀ ବ୍ୟଭିଚାରର ଏକ ପ୍ରତିବାଦ । ଏହି ପ୍ରତିବାଦର ଭୂମି ପ୍ରସ୍ତୁତ କରିଥିବା ମହିମା ଗୋସାଇଁ ତାଙ୍କର ପ୍ରଥମ ସନ୍ୟାସୀ ଶିଷ୍ୟ, ବୌଦ୍ଧ-ବଲାସିଂଘାର ଗୋବିନ୍ଦ ଦାସ ବାବା ଓ କବି ଭୀମଭୋଇଙ୍କ ଜୀବନୀକୁ ଅଦ୍ଭୁତ ରହସ୍ୟମୟ ରୂପ ଦେଇ ଓଡ଼ିଶା ଇତିହାସର ଏକ ବୌଦ୍ଧିକ ପ୍ରତିବାଦକୁ ସମାଧିସ୍ଥ କରିଦିଆଯାଇଛି । ଭୀମଭୋଇଙ୍କ ଆଧ୍ୟାତ୍ମିକ ରହସ୍ୟବାଦର ଆଲୋଚନାକୁ ପ୍ରଲମ୍ବିତ କରି ତାଙ୍କୁ ‘ସନ୍ଥତ୍ୱ’ର ଜରି ପୋଷାକ ପିନେ୍ଧଇ ତାଙ୍କର ବିଦ୍ରୋହୀ ଭୂମିକାକୁ ଲିଭେଇ ଦିଆଯାଇଛି । ମହିମାଧର୍ମର ଇତିହାସରେ ପୁରୀମନ୍ଦିର ଆକ୍ରମଣ ଘଟଣାକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଥିବା ସ୍ଥଳେ ଭୀମ ଭୋଇଙ୍କ ଐତିହାସିକ କାବ୍ୟ ନିର୍ବେଦ ସାଧନ ଓ ଅପ୍ରକାଶିତ‘ମହିମା ବିନୋଦ’ପ୍ରସଙ୍ଗକୁ ମୂଳରୁ ମାରିଦେବାର ଯୋଜନା କରାଯାଇଛି । ତେବେ ନିର୍ବେଦ ସାଧନରେ ଭୀମଭୋଇ ଓଡ଼ିଆ ସାହିତ୍ୟରେ ପ୍ରଚଳିତ ମିଥ୍ର ବିଘଟନ ପୂର୍ବକ ମହିମାଧର୍ମର ଏକ ନୂଆ ମିଥ୍ ସୃଷ୍ଟିକଲେ । ପୂର୍ବରୁ ବଳରାମଦାସଙ୍କ ‘ଲକ୍ଷ୍ମୀ ପୁରାଣ’ରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଦୟନୀୟ ରୂପ ଆମେ ଦେଖିଥିଲୁ । ଭୀମଭୋଇ ସେଇ ପରମ୍ପରାର ନବନିର୍ମାଣ କରିଥିଲେ ‘ନିର୍ବେଦ ସାଧନ’ରେ ।

ଯେଉଁ ଜଗନ୍ନାଥଙ୍କ ମନ୍ଦିରକୁ ‘ହାଡ଼ି ଚାଣ୍ଡାଳ’ଙ୍କ ପ୍ରବେଶ ନିଷିଦ୍ଧ ଥିଲା ସିଏ ଆସି ମହିମା ଗୋସାଇଁଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ମହିମା ଦୀକ୍ଷା ନେଲାପରେ ଶ୍ରୀଜଗନ୍ନାଥଙ୍କ ରୂପ-ଭେକର ବର୍ଣ୍ଣନା ଶୁଣନ୍ତୁ :-

ଆନନ୍ଦେ ଚଳିଯା’ନ୍ତି ପଥ । ସେ ଯେ ଗୋବିନ୍ଦ ଜଗନ୍ନାଥ ।।

କରନ୍ତି ସର୍ବଠାରେ ଭିକ୍ଷା । ଲୋକେ କରନ୍ତି ମନେ ଶଙ୍କା ।।

ସାଧୁ ସୁଜନ ମନେଚିନ୍ତା । ବୋଲନ୍ତି ଅଗୋଚର କଥା ।।

ହାଡ଼ି ଚଣ୍ଡାଳ ଘରେ ଖାଇ । ଭୂମି ଆସନେ ଗଡ଼ୁଥାଇ ।।

ସ୍ନାହନେ ଶଉଚ ନକରି । ସନ୍ଧ୍ୟା ତରପଣ ନକରି ।।

କଟୀରେ ବସନ ପିନ୍ଧି । ବୃକ୍ଷ ବକଳ ଅଛି ବାନ୍ଧି ।।

ମାଳ ତିଳକ ନ ଛୁଅଇଁ । ତୁଳସୀ ଧଣ୍ଡା ନ ପକାଇ ।।

ଅଙ୍ଗରେ ବିଭୁତି ପଇତା । ଆବର ନ କାଟଇ ଚିତା ।।

କେବଳ ଶିରେ ଜଟା ଭାର । ଅଖାଦ୍ୟ କରୁଛି ଆହାର ।।

(ନିର୍ବେଦ ସାଧନ-ଚତୁର୍ଥ ଅଧ୍ୟାୟ)

ଅଦ୍ଭୁତ୍!! ଆଶ୍ଚର୍ଯ୍ୟ!!

ଯେଉଁ ଜଗନ୍ନାଥ ଓଡ଼ିଶାର ରାଷ୍ଟ୍ର ଦେବତା, ରାଜା ଯାହାଙ୍କର ରାଉତ, ଷାଠିଏ ପଉଟି ଯାହାର ଭୋଗଖଞ୍ଜା, ଷୋଳସ୍ତମ୍ଭ ବିଶିଷ୍ଟ ମୁକ୍ତି ମଣ୍ଡପରେ ଶାସନୀ ବ୍ରାହ୍ମଣ ଯାହାଙ୍କର ନୀତି ନିର୍ଣ୍ଣାୟକ, ସିଏ ହଠାତ୍ ଏମିତି ଗାଁ ଦାଣ୍ଡରେ ଅର୍କ୍ଷିତ ହୋଇ ବୁଲିଲେ କାହିଁକି? ଦେଉଳ ଛାଡ଼ି ବୌଦର ବଲାସିଂଘା ଗାଁରେ ମହିମା ଗୋସାଇଁଙ୍କ ଆଗରେ ଦଣ୍ଡବତ ହୋଇ ସେ ଦୀକ୍ଷାନେଲେ । ଦୀକ୍ଷା ଦେଇ ଗୁରୁ ତାଙ୍କୁ କହିଲେ ‘ତୋ ଯେଉଁ ଦଶ ଅବତାର, ଗୁରୁ ଦର୍ଶନେ ଗଲା ପାର’ । ଗୋଟେ ପ୍ରଚାର ବ୍ୟାପିଗଲା ମହିମା ମଣ୍ଡଳରେ । ଶ୍ରୀଜଗନ୍ନାଥ ଆଉ ବଡ଼ ଦେଉଳରେ ନାହାନ୍ତି । ସିଏ ଭେକ ବାନା ପାଇଁ ମହିମାଧର୍ମ ପ୍ରଚାରରେ ମାତିଲେଣି । ପୁରୀରେ ଯିଏ ଅଛନ୍ତି ସିଏ କେବଳ ରାଜା ଓ ବ୍ରାହ୍ମଣଙ୍କର କ୍ଷମତାର ସଙ୍କେତ ଦାରୁ ପ୍ରତିମା ମାତ୍ର ।

ମହିମା ଧର୍ମର ମୂଳ ପ୍ରଚାର କେନ୍ଦ୍ର ଥିଲା ଓଡ଼ିଶାର ଗଡ଼ଜାତ ଅଞ୍ଚଳ । ଏହି ସମୟର ହିଁ ଢ଼େଙ୍କାନାଳ, ବୌଦ୍ଧ,ତିଗିରିଆ,ସୋନପୁର ଓ ଅନୁଗୋଳରେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ହୋଇଥିଲା ବୋଲି ପ୍ରଫେସର ହରମାନ କୁଲ୍କେଙ୍କ ମତ । ପ୍ରଫେସର ଆନସରଲଟ୍ ଏସ୍ମାନଙ୍କ ମତରେ- The introduction of Jagannath worship for the subjects of the feudatory Raias meant not only a religious reform, but was also a symbol of a new form of opressive Hindu kingship in former tribal areas.ଏସ୍ମାନ୍ଙ୍କ ଏହି ମନ୍ତବ୍ୟ ପଛରେ ନିହିତ ସତ୍ୟଟିକୁ ଆଜିପର୍ଯ୍ୟନ୍ତ ଆମର ଓଡ଼ିଆ ଆଲୋଚକମାନେ ଓ ମହିମା ଧର୍ମର ନବୀନ ‘ବଡ଼ପଣ୍ଡା’ ମାନେ ଆଡ଼େଇ ଚାଲିଛନ୍ତି ।

ପ୍ରବନ୍ଧର ପ୍ରଥମ ପର୍ଯ୍ୟାୟରେ କେତୋଟି ସମ୍ବାଦ ଓ ସରକାରୀ ନଥିପତ୍ରର ଅବତାରଣା କରାଯାଇଛି । ଏହାର ସଠିକ୍ ତର୍ଜମା କଲେ ଗୋଟିଏ କଥା ବୁଝାପଡ଼ିବ ଯେ, ସମ୍ବଲପୁରର ଚନ୍ଦ୍ରପୁର ନିବାସୀ ଦସାରାମ ନେତୃତ୍ୱରେ ଆସିଥିବା ତଥାକଥିତ ବଣୁଅାଁ, ଅସଭ୍ୟ, ସାନ୍ତାଳମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଗଲା । ସେମାନଙ୍କୁ ଇତିହାସରୁ ମୂଳପୋଛ କରିଦିଆଗଲା କିମ୍ବା କଳାପାହାଡ଼ ସହ ତୁଳନା କରି ଖଳନାୟକ ବୋଲି କୁହାଗଲା । ଦସାରାମ ମରିଗଲା ନା ତାକୁ ମାରିଦିଆଗଲା ତାହା ସବୁଦିନପାଇଁ ଏକ ପ୍ରଶ୍ନବାଚୀ ହୋଇ ରହିଗଲା । ମାତ୍ର ୧୪ଦିନ ଭିତରେ ତଦନ୍ତ ଓ ବିଚାର ସରିଗଲା । ଦସାରାମର ସାଥି ଧନୀ, ସିତୁ, ଭଗତ, ମାୟାରାମ, ମଲ୍ଲିକ, ଫନୁର, ବୀର, ହରି, ମମଦ, ବାଧନ, ଠାରୁ, ବୃନ୍ଦା, ସିରକାରା, ପାର୍ବତୀ ଓ ରେବତୀଙ୍କୁ ବାବୁ କମଳନାଥ ଘୋଷ ଅନଧିକାର ମନ୍ଦିର ପ୍ରବେଶ ହେତୁ ଭାରତୀୟ ଦଣ୍ଡବିଧି ଆଇନର ୨୯୭ଦଫା ଅନୁଯାୟୀ ଦୁଇମାସର ସଶ୍ରମ କାରାଦଣ୍ଡ ଆଦେଶ ଦେଇଥିଲେ । ସେମାନଙ୍କର ଓକିଲ ନଥିଲେ କିମ୍ବା ସେମାନେ କହୁଥିବା ଭାଷାକୁ କେହି ବୁଝିପାରୁ ନଥିଲେ । ଏକ ତରଫା ତଦନ୍ତ ଓ ବିଚାରରେ ମହିମାଧର୍ମ ଦ୍ୱାରା ପ୍ରାୟୋଜିତ ଭାରତବର୍ଷର ପ୍ରଥମ ଦଳିତ ଲଲ୍କାରକୁ ଏହିପରି ଚପାଇ ଦିଆଗଲା ।

ଏଠି ଆଉ ଗୋଟିଏ କଥା ସ୍ପଷ୍ଟ କରିଦିଏ । ଦସାରାମ ଓ ତାର ସାଥିମାନେ ଯେଉଁ ଗାଁରୁ ଆସିଥିଲେ ସେ ଗାଁକୁ ଘେନି ମହିମାଧର୍ମର ଏକ ବ୍ୟାପକ ପରିମଣ୍ଡଳ ଗଠିତ ହୋଇସାରିଥିଲା । ବରଗଡ଼ ନିକଟସ୍ଥ ବନହର ଗାଁର ବ୍ରାହ୍ମଣ ବାସୁଦେବ ପଣ୍ଡା ଓ ହରି ପଣ୍ଡା ଭୀମଭୋଇଙ୍କ ପଟ୍ଟଶିଷ୍ୟ ଓ ତାଙ୍କର ଲିଖନକାର ଭାବରେ କାମ କରୁଥିଲେ । ବାସ୍ତବରେ ହରିପଣ୍ଡା ଓ ବାସୁପଣ୍ଡାଙ୍କ ଦ୍ୱାରା ହିଁ ଖଲିଆପାଲି ସ୍ଥିତ ଭୀମଭୋଇଙ୍କ ଆଶ୍ରମ ପରିଚାଳିତ ହେଉଥିଲା । ରାଜସ୍ୱ ଦୃଷ୍ଟିରୁ ଖଲିଆପାଲି ଆଶ୍ରମ ଏମାନଙ୍କର ସ୍ୱତ୍ତ୍ୱ ଭାବରେ ଗୃହୀତ ହୋଇଥିଲା । ଜଗନ୍ନାଥ ବିରୋଧୀ ଚେତନାର ପ୍ରଚାର ପ୍ରସାର ପାଇଁ ଏବଂ ବ୍ରାହ୍ମଣବାଦର ଅବସାନ ପାଇଁ ଦୁଇଜଣ ବ୍ରାହ୍ମଣ ହିଁ ଭୀମ ଭୋଇଙ୍କୁ ସହାୟତା ପ୍ରଦାନ କରୁଥିଲେ । ମୋର ଦୃଢ଼ବିଶ୍ୱାସ ଯେ ବନହରର ପଣ୍ଡା ପରିବାର ସହିତ ଚନ୍ଦ୍ରପୁରବାସୀଙ୍କର ଭାବଗତ ସମ୍ପର୍କ ନିଶ୍ଚୟ ରହିଥାଇ ପାରେ ।

ମହିମାଧର୍ମର ଅନ୍ୟଜଣେ ସିଦ୍ଧଯୋଗୀ ସାନ କୃପାସିନ୍ଧୁ ବାବା ବରଗଡ଼ର ଚିଚୋଲି ଗ୍ରାମରେ ତାଙ୍କର ଡେରା ପକାଇଥିଲେ । ଚିଚୋଲି ଗାଁର ଭକ୍ତ ଶ୍ୟାମଘନଙ୍କ ରଚିତ‘ଅଲେଖ ଲୀଳା’ସୁଆଙ୍ଗ ସମଗ୍ର ପଶ୍ଚିମ ଓଡ଼ିଶାରେ ସେତେବେଳକୁ ବେଶ୍ ଲୋକପ୍ରିୟ ହୋଇସାରିଥାଏ । ରାମଲୀଳା, କୃଷ୍ଣଲୀଳା, ଭରତଲୀଳାର ଧାର୍ମିକ ପରିବେଶକୁ ସାମନା କରିବା ପାଇଁ ଭୀମଭୋଇଙ୍କ ‘ନିର୍ବେଦ ସାଧନ’କାହାଣୀକୁ ନାଟ୍ୟରୂପ ପ୍ରଦାନ କରିଥିଲେ ଭକ୍ତ ଶ୍ୟାମଘନ । ‘ଅଲେଖଲୀଳା’ରେ ଜଗନ୍ନାଥଙ୍କୁ ଅତ୍ୟନ୍ତ ଦୟନୀୟ ଭାବରେ ଚିତ୍ରଣ କରାଯାଇଛି । ‘ରାଷ୍ଟ୍ର ଦେବତା’ଙ୍କୁ ହିନସ୍ତା କରିବା ଓ ତାଙ୍କୁ ପାଶ୍ୱର୍ନାୟକର ଭୂମିକା ଦେବା ପଛରେ ଉଦ୍ଦେଶ୍ୟ କ’ଣ ହୋଇପାରେ!ଅଲେଖ ଲୀଳାରେ ଜଗନ୍ନାଥଙ୍କ ବିକଳ ଅବସ୍ଥା ଦେଖନ୍ତୁ –

ନୀଳଗିରି ତେଜି ଜଗନ୍ନାଥ ଆସନ୍ତି

ରାଜା ବ୍ରାହ୍ମଣର ଦେଖି ଅନୀତି

ଚଉଦ ବ୍ରହ୍ମାଣ୍ଡରେ ସରିଲା ସମ୍ପତ୍ତି ।

ନୀଳାଚଳ ଜଗନ୍ନାଥ ମାନବ ଅଙ୍ଗେ ଉଦିତ

ମହିମା ବାନା ବିଖ୍ୟାତ କରିବେ କ୍ଷିତି ।

ଏତେ ଭାଷି ଜଗନ୍ନାଥ ପ୍ରଭୁପାଦେ ଶ୍ରଣାଗତ

କରଯୋଡ଼ି ପ୍ରଲମ୍ବିତ ପାଦେ ପଡ଼ନ୍ତି ।

କଲ୍ୟାଣ କରନ୍ତି ପ୍ରଭୁ ମନବାଞ୍ଛା ପୂର୍ଣ୍ଣ ଲଭୁ

ଗତି ମୁକତି ପାଇବୁ କରେ ଭକତି ।

ଏବେ ବଳାସିଙ୍ଗା ଯିବୁ ମଠ କରି ରହିଥିବୁ

କୁମ୍ଭୀପଟ ପହରିବୁ ଶ୍ୟାମ କହନ୍ତି ।

ଏହି ନାଟକରେ ଦ୍ୱାରୀ ବା ବିଦୂଷକ ଜଗନ୍ନାଥଙ୍କୁ ବିଦ୍ରୁପ କରି କହୁଛି:

ଅଇଲେଣି ଜଗନ୍ନାଥ ହୋଇଣ ବଡ଼ ଭଷତ

ବଡ଼ ଦେଉଳରେ ବଉଦ୍ଧ ରୂପରେ ଖାଉଥିଲ ଘିଅଭାତ ।

ବୈଷ୍ଣବ ହୋଇବ ଦାଣ୍ଡରେ ଖାଇବ ଶାଗରେ ପଖାଳ ଭାତ ।

ଦୁଆରି କହଇ ଶ୍ରୀହରିକି ଚାହିଁ ତିନିଦାରୁ ହୋଇଥିଲ

ଆପଣା ଭାର୍ଯ୍ୟାକୁ ଦେଇଣ ପଣକୁ ଅଭାଗ୍ୟରୁ କାଟହେଲ

ବସି ଖାଉଥିଲ ଏବେ ତୁମ୍ଭେ କାଟ ହେଲ ।

ଜଗନ୍ନାଥଙ୍କୁ କାଟିବା ପାଇଁ ଆରମ୍ଭ ହୋଇଥିବା ଏକ ସାହିତ୍ୟିକ ଆନ୍ଦୋଳନର ପରିଣତି ହେଉଛି ୧୮୮୧ର ବିଦ୍ରୋହ । ଏହାକୁ ଯେତେ ଘୋଡ଼ାଇ ରଖିବାର ପ୍ରଚେଷ୍ଟା କଲେ ମଧ୍ୟ ଦଳିତ ଓ ଅସ୍ପୃଶ୍ୟଜାତିର ଅସ୍ମିତାର ଖୋଜ ସମୟରେ ୧୮୮୧ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ଦସାରାମର ସାଥୀମାନେ ଜେଲରୁ ମୁକୁଳି କୁଆଡ଼େ ଗଲେ? ସେମାନଙ୍କର ଖୋଜ ଖବର ଆଉ ମିଳିଲା ନାହିଁ । ଏହି ଘଟଣା ପରେ ସରକାରୀ ତତ୍ପରତା ପ୍ରକାଶ ପାଇଛି ଓ ଭୀମଭୋଇଙ୍କୁ ହିଁ ଏହାର ପ୍ରଚ୍ଛଦ ନାୟକ ବୋଲି କୁହାଯାଇଛି । ରାଜା, ବ୍ରାହ୍ମଣ ଓ ତାଙ୍କର ସହଚର (ଧୋବା, ଭଣ୍ଡାରୀ)ଙ୍କୁ ମହିମା ଧର୍ମରେ ପ୍ରତ୍ୟାଖ୍ୟାନ କରାଯାଇଛି । ଭୀମଭୋଇ ରାଜଦ୍ରୋହ ଅପରାଧରେ ରେଢ଼ାଖୋଲ ରାଜ୍ୟରୁ ତଡ଼ା ଖାଇଛନ୍ତି ଓ ସୋନପୁର ରାଜାଙ୍କ ସହ ତାଙ୍କର ମତଭେଦ ହୋଇଛି । ନିଅାଁରେ ଠିଆହୋଇ‘ଧର୍ମ ପରୀକ୍ଷା’ଦେବାକୁ ସୋନପୁର ରାଜାଙ୍କ ଆଦେଶକୁ ଭୀମଭୋଇ ଓ ତାଙ୍କର ଶିଷ୍ୟମାନେ ଆହ୍ୱାନ ଭାବରେ ଗ୍ରହଣ କରିଛନ୍ତି । ଧର୍ମପରୀକ୍ଷା ଦେବାର ପୂର୍ବରାତିରେ ଏକ ରହସ୍ୟମୟ ଢଙ୍ଗରେ ସୋନପୁର ମହାରାଜା ନୀଳାଧର ସିଂହଦେଓ ଆକସ୍ମିକ ମୃତ୍ୟୁବରଣ କଲେ । ଏହି ଘଟଣା ଭୀମଭୋଇଙ୍କୁ ଜନମାନସରେ ଜଣେ ସିଦ୍ଧ ସାଧକର ଆସନ ପ୍ରଦାନ କରିଛି ।

ତମାମ୍ ଜୀବନ ବ୍ରାହ୍ମଣ ଓ ରାଜାଙ୍କ ବିରୁଦ୍ଧରେ ସଂଘର୍ଷ କରିଥିବା ମହିମା ଗୋସାଇଁ, ଗୋବିନ୍ଦ ଦାସ ବାବା ଓ ଭୀମଭୋଇଙ୍କ ଉତ୍ତରାଧିକାରୀମାନେ ରାଜା ଓ ବ୍ରାହ୍ମଣଙ୍କ ଅନୁଗତ ହେବାକୁ ବେଶି ପସନ୍ଦକଲେ । ତାର ପ୍ରଥମ ଉଦ୍ୟମସ୍ୱରୂପ ମହିମାଧର୍ମର ଇତିହାସରୁ ୧୮୮୧ର ଜଗନ୍ନାଥ ମନ୍ଦିର ଆକ୍ରମଣ ପ୍ରସଙ୍ଗକୁ ପୁରାପୁରି ବାଦ ଦିଆଗଲା । ଦସାରାମଙ୍କୁ ମହିମା ଧର୍ମର ଏକମାତ୍ର ମହାନ ସହିଦଭାବରେ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କ ନାଁ କାଟିଦିଆଗଲା ମହିମାଧର୍ମର ସ୍ମୃତି ଓ ଇତିହାସରୁ । ଦସାରାମ କଥା ଛାଡ଼ନ୍ତୁ, ମହିମାଧର୍ମର ମୂଳଭିତ୍ତି ଭୀମଭୋଇଙ୍କ ରଚନାବଳୀକୁ ତଥାକଥିତ ଶାସ୍ତ୍ର ଓ ପୁରାଣ ଆଗରେ ତୁଚ୍ଛ ପ୍ରମାଣିତ କରିବାର ହାସ୍ୟାସ୍ପଦ ଯୋଜନା କରାଗଲା । ଭୀମଭୋଇ ଇତିହାସରେ ଏକ ଗୌଣ ଚରିତ୍ର ବୋଲି ବ୍ରହ୍ମଅବଧୂତ ବିଶ୍ୱନାଥ ବାବା ତାଙ୍କର ପ୍ରଣୀତ ‘ମହିମା ଧର୍ମ ଇତିହାସ’ରେ ଅପପ୍ରୟାସ କରିଥିବା ସତ୍ତେ୍ୱ ଆଜିପର୍ଯ୍ୟନ୍ତ ମହିମାଧର୍ମର ବିଶିଷ୍ଟ ଗବେଷକବୃନ୍ଦ ତାଙ୍କୁ ହିଁ ପ୍ରାମାଣିକ ଆଧାର ଭାବେ ଗ୍ରହଣ କରିନେଇଛନ୍ତି । ମହିମା ଧର୍ମର ପ୍ରସିଦ୍ଧ ଗବେଷକ ଏବଂ ଓଡ଼ିଶାର ଅଗ୍ରଣୀ ଚିନ୍ତାନାୟକ ପ୍ରଫେସର ଚିତ୍ତରଞ୍ଜନ ଦାସ ତାଙ୍କର‘ଓଡ଼ିଶାର ମହିମା ଧର୍ମ’ ପୁସ୍ତକରେ ପୁରୀମନ୍ଦିର ଆକ୍ରମଣର କୌଣସି ତର୍ଜମା କରିନାହାନ୍ତି । ଭୁଲତଥ୍ୟ ସମ୍ବଳିତ ନଗେନ୍ଦ୍ରନାଥ ବସୁଙ୍କର Modern Buddhism and its Followers in Orissa ରେ ଅନ୍ତତଃ ପୁରୀମନ୍ଦିର ଆକ୍ରମଣର ସୂଚନା ରହିଥିଲା । ଚିତ୍ତରଞ୍ଜନ ଦାସ ଏହି ଘଟଣା ପ୍ରତି ଆଖିବୁଜି ଦେବାର କାରଣ ବୁଝାପଡ଼ୁନାହିଁ । ଭୀମଭୋଇଙ୍କର ବ୍ରାହ୍ମଣ ବିରୋଧୀ ତୀବ୍ରତର ପଦଟିକୁ (ବସିଥାଇ କୂଳ ମହାନଦୀ ଜଳ ଛୁଇଁଅଛି ସତ୍ୟ କରି । ଧର୍ମକୁ ଲଂଘି ସୁରାପାନ କରିବି ହରିବି ବ୍ରାହ୍ମଣ ସ୍ତିରୀ) ପ୍ରଫେସର ଦାସ ତାଙ୍କର ପୁସ୍ତକରେ ଭିନ୍ନ ଢଙ୍ଗରେ ଲେଖିଛନ୍ତି (ବସିଥାଇ କୂଳ ମହାନଦୀ ଜଳ ଛୁଇଁଅଛି ସତ୍ୟକରି । ଧର୍ମକୁ ଲଂଘିବେ ଅପଥେ ଗମିବେ ଏଣୁ ହେବେ ହତଶିରୀ) । ଭୀମଭୋଇଙ୍କ ରଚନାର ପରିବର୍ତ୍ତନ ପଛରେ ମନୁବାଦୀ ମାନସିକତାର ପ୍ରତିଫଳନ ଘଟିନାହିଁ ତ? ଏହି ଗୋଟିଏ ପଦ ପ୍ରଫେସର ଦାସ କେଉଁଠୁ ଆଣିଛନ୍ତି ତାହା ବୁଝିବା ଆମର ମଗଜବାହାରେ । ‘ସ୍ତୁତି ଚିନ୍ତାମଣି’ର ପ୍ରାୟ ସମସ୍ତ ପ୍ରକାଶିତ ସଂସ୍କରଣ ଓ ଉପଲବ୍ଧ ପାଣ୍ଡୁଲିପିରେ ‘ଧର୍ମକୁ ଲଂଘି ସୁରାପାନ କରିବି ହରିବି ବ୍ରାହ୍ମଣ ସ୍ତିରୀ’ ଲେଖାଥିବା ସତ୍ବେ ଶ୍ରୀ ଦାସ ତାକୁ ବଦଳାଇଲେ କାହିଁକି?

‘ଦଳିତ ବିଦ୍ରୋହ’ ଶବ୍ଦଟି ବ୍ୟବହାର କଲାବେଳେ ଆମକୁ ଅନେକ କଥା ଚିନ୍ତା କରିବାକୁ ପଡ଼ିଛି । ପ୍ରଥମତଃ ୧୮୮୧ବେଳକୁ ‘ଦଳିତ ଚେତନା’ର ଆରମ୍ଭ ହୋଇନଥିଲା ଏବଂ ଜାତିକୁ ଆଧାର କରି ମହିମାଧର୍ମର ଏହି ଗୋଷ୍ଠୀ ମନ୍ଦିର ଭିତରକୁ ପ୍ରବେଶ କରିନଥିଲେ । ସେମାନଙ୍କୁ ଶବର ବା ସାନ୍ତାଳ ଜାତିର ବୋଲି କୁହାଯିବା ମଧ୍ୟ ଭୁଲ ତଥ୍ୟ ଆଧାରିତ । ସେମାନେ ମୂଳତଃ ଦଳିତ ଲୋକ ଜୀବନର ପ୍ରତିନିଧି । ସେମାନଙ୍କ ହାତରେ ଭାତହାଣ୍ଡି ରହିଥିବା କଥା ଓ ସେମାନେ ସେଇ ହାଣ୍ଡିରୁ ଭାତ ଖାଇଥିବା କଥା ଦୀପିକା ଉଲ୍ଳେଖ କରିଛି । ଓଡ଼ିଶାର ଉଚ୍ଚବର୍ଗ ବା ଜନଜାତିର ଲୋକେ ହାଣ୍ଡିରେ ଭାତ ଖାଆନ୍ତି ନାହିଁ । ସୁତରାଂ ଦସାରାମ ଓ ଅନ୍ୟମାନେ ଯେ ଦଳିତ ବର୍ଗର ଥିଲେ ଏହା ସ୍ୱତଃ ପ୍ରମାଣିତ । ଦଳିତବର୍ଗ ପାଇଁ ମନ୍ଦିର ପ୍ରବେଶର ଅଧିକାର ନଥିବା କଥା ପୂର୍ବରୁ ଆମେ ଉଲ୍ଲେଖ କରିସାରିଛୁ । ୪୮ଜଣ ଦଳିତ ସ୍ତ୍ରୀ-ପୁରୁଷଙ୍କର ଏହି ବିଦ୍ରୋହକୁ ‘ଓଡ଼ିଶାର ପ୍ରଥମ ଦଳିତ ବିଦ୍ରୋହ’ ବୋଲି କହିବାରେ କାହାର କିଛି ଆପତ୍ତି ନ ରହିବା ଉଚିତ । ଯଦିଓ ଏହି ବିଦ୍ରୋହ ପୁରାପୁରି ବିଫଳ ହୋଇଥିଲା । ସେଦିନଠୁ ଆଜିପର୍ଯ୍ୟନ୍ତ ମହିମାଧର୍ମକୁ ଦଳିତଙ୍କ ନେତୃତ୍ୱରୁ ଛଡ଼େଇଆଣି ପଣ୍ଡିତ ଓ ଉଚ୍ଚବର୍ଗଙ୍କ ହାତରେ ରଖିବାର ନିରବଚ୍ଛିନ୍ନ ଉଦ୍ୟମ ହୋଇଛି । ମହିମା ଗୋସାଇଁ ଓ ଭୀମଭୋଇ ଆଜନ୍ମ ରାଜା ବିରୋଧୀ ହୋଇଥିବା ବେଳେ ମହିମା ଧର୍ମର ଇତିହାସରେ ଢ଼େଙ୍କାନାଳ, ତାଳଚେର ଓ ବୌଦ୍ଧ ରାଜାଙ୍କ ସହ ମହିମା ଗୋସାଇଁଙ୍କ ମଧୁର ସମ୍ପର୍କ କଥା ଉଲ୍ଲେଖ କରାଯାଇଛି । ଏପରିକି ଯୋରନ୍ଦାର ସମାଧି ମନ୍ଦିର ପାଇଁ ଢ଼େଙ୍କାନାଳ ରାଜା ଭୂମି ଯୋଗାଇ ଦେଇଥିଲେ ବୋଲି କୁହାଯାଇଛି । ସତକଥାଟି କିନ୍ତୁ ଅଲଗା । ଢ଼େଙ୍କାନାଳ ସବ-ଜଜ୍ଙ୍କ ଟାଇଟଲ ସୁଟ୍ ନଂ-୧୩/୩୧-୧୯୬୦/୬୨ ଅନୁଯାୟୀ ଏହି ଭୂମି ଜନୈକ ଭକ୍ତ ପଇସା ଦେଇ କିଣିଥିଲେ । ଏକ ସତ୍ତାଦ୍ରୋହୀ-ସଂସ୍କାରମୁଖୀ ସଙ୍ଗଠନ ହଠାତ୍ ରାଜା ଓ ଉଚ୍ଚବର୍ଗଙ୍କର ଗୋଡ଼ାଣିଆ ପାଲଟି ନିଜର ଅସ୍ତିତ୍ୱ ହରାଇ ମଠ, ମନ୍ଦିର ଓ ମହନ୍ତଙ୍କ କବଳରେ ଆଜି ହିନ୍ଦୁଧର୍ମର ଉପଗୋଷ୍ଠୀଟିଏ ପାଲଟିଯାଇଛି ମାତ୍ର ।

ପାଦଟୀକା :

୧.         ମାଦଳାପାଞ୍ଜୀ, ସଂ-ଆର୍ତ୍ତବଲ୍ଲଭ ମହାନ୍ତି, ପ୍ର-ଓଡ଼ିଶା ସାହିତ୍ୟ ଏକାଡ଼େମୀ ୨୦୦୧, ପୃ-୦୩

୨.         ଜଗନ୍ନାଥଙ୍କ ଆଦିପୀଠ ପଶ୍ଚିମ ଓଡ଼ିଶାରେ – ଲେ- ଯଜ୍ଞକୁମାର ସାହୁ ପ୍ର-ତତ୍ତ୍ୱମସି ସାହୁ, ବରପାଲି ୨୦୦୩

          Historiographgy and Regional Identity : The case of the Temple chronicles of Puri. By H. Kulke: Jagannath Revisited, ed.Kulke. schneple, Manohar, 2001

.     Mahima Dharma : An Authchthonous Hindu Re-form Movement by A. Eschmann, the cult of Jagannath and the Regional Tradition of Orissa, ed-Eschmann, Kulke, trkpathi, Manohar-1978

.     (a) Report of under secretary, Govt. of Bengal Dtd. 21.oct.1881

                (ଭ) ଉକ୍ରଳ ଦୀପିକା, ୧୯/୧୧/୧୮୮୧

.      A statistical Account of Bengal, Vol. xix(rpt.) concept publishing, Delhi, 1976

୬.         କେଦାର ମିଶ୍ର, ମହିମା ଧର୍ମର ଉନ୍ମେଷ ଓ ବିକାଶଧାରା ନଦୀ ଓ ନଦୀ-୨, ମହାନଦୀ ସାହିତ୍ୟ ସଂସଦ, ସୋନପୁର, ୨୦୦୪

୭.         ନାୟକ ଉଦ୍ଧବ ଚରଣ, ବିଶ୍ୱକବି ଭୀମଭୋଇଙ୍କ ଦୃଷ୍ଟି-କୋଣାର୍କ, ଅକ୍ଟୋବର – ୧୯୯୬ ।

କେଦାର ମିଶ୍ର

କବି ଓ ସାମ୍ବାଦିକ

[box type=”shadow” align=”” class=”” width=””]୧୮୮୧ ମସିହାର ଏକ ଐତିହାସିକ ଘଟଣା କ୍ରମରେ ମହିମା ଧର୍ମର କେତେଜଣ ଭକ୍ତ ଶ୍ରୀମନ୍ଦିିର ଆକ୍ରମଣ କରିଥିଲେ । ବ୍ରାହ୍ମଣବାଦୀ ସଂସ୍କୃତି ବିରୋଧରେ ଏହା ଥିଲା ଏକ ସାଙ୍କେତିକ ପ୍ରତିବାଦ । ଓଡ଼ିଶାର ଆଦିବାସୀ, ଏବଂ ଦଳିତମାନଙ୍କ ଜୀବନରେ ଏକ ନୂଆ ବିପ୍ଳବର ସୂତ୍ରପାତ କରିଥିବା ମହିମା ଗୋସାଇଁ ଏବଂ କବି ଭୀମଭୋଇଙ୍କ ପ୍ରେରଣା କ୍ରମେ ଏହି ଆକ୍ରମଣ ସଂଗଠିତ ହୋଇଥିଲା ବୋଲି ସେତେବେଳେ ଇଂରେଜ ସରକାର ଗ୍ରହଣ କରିଥିଲେ ଏବଂ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ମଧ୍ୟ ହୋଇଥିଲା। ଏହି ଆକ୍ରମଣ ସମ୍ପର୍କରେ ଏକ ଗବେଷଣାତ୍ମକ ଆଲ୍ଲେଖ୍ୟ ଅଙ୍କନ କରିଛନ୍ତି ଲେଖକ ‘କେଦାର ମିଶ୍ର’ ଯିଏକି ଜଣେ କବି, ସ୍ତମ୍ବକାର ଓ ସାମ୍ବାଦିକ ଭାବରେ ଓଡ଼ିଶାରେ ବେଶ ପରିଚିତ । ବର୍ତ୍ତମାନ ସେ ସଞ୍ଚାର ସାହିତ୍ୟ ପୃଷ୍ଠାର ସମ୍ପାଦକ ମଧ୍ୟ ଅଛନ୍ତି।       -ସମ୍ପାଦକ[/box]

Photo credit-  Prof. Kailash Chandra Dash Face Book Timeline

Share This Article
କବି, ସାମ୍ବାଦିକ, ସଙ୍ଗୀତ ସମାଲୋଚକ