ଓଡ଼ିଶାରେ ସଂଗୀତ  ଚର୍ଚ୍ଚା

Swayamprava Parhi (Chief Editor)
1 View
4 Min Read

ଓଡ଼ିଶାରେ ସଂଗୀତ ଶିକ୍ଷା ସମ୍ପର୍କରେ କିଛି ଲେଖା ଖୋଜୁ ଖୋଜୁ ପାଇଥିଲି ଶ୍ରୀ କୃଷ୍ଣ ପ୍ରସାଦ ବସୁ ଡଗର ପୃଷ୍ଠାରେ ଲେଖିଥିବା ଲେଖାଗୁଡିକୁ l ଏଥିରୁ କେତୋଟି ସମଧ୍ୱନିରେ ପ୍ରକାଶ ମଧ୍ୟ କରାଯାଇଛି l

ତାଙ୍କ ଲେଖା ଗୁଡିକୁ ଅନୁଧ୍ୟାନ କଲାପରେ ଜାଣିବାକୁ ମିଳିଲା ଯେ, କୃଷ୍ଣ ପ୍ରସାଦ ବସୁ ଓଡ଼ିଶାର ଗାଁ ଗାଁ ବୁଲି ସଂଗୀତ ଖୋଜିଛନ୍ତି ହେଲେ ସେ ସଂଗୀତବୋଲି ଯାହା ଖୋଜିଛନ୍ତି ତାହା ପାଇନାହାନ୍ତି l ଯେଉଁଭଳି ଭାବରେ ଓଡ଼ିଶାର ଲୋକମାନେ ସଂଗୀତ ପ୍ରତି ଆଭିମୁଖ୍ୟ ରଖନ୍ତି ସେ ବାରମ୍ବାର ତାକୁ ସମାଲୋଚନା କରିଛନ୍ତି l

ସଙ୍ଗୀତ ପ୍ରତି ସେ ଯେଉଁ ଶ୍ରଦ୍ଧା  ଖୋଜନ୍ତି ଓଡ଼ିଆଙ୍କ ନିକଟରେ ତାହାର ଅଭାବକୁ ଅନୁଭବ କରନ୍ତି l ଓଡ଼ିଶାରେ ସଙ୍ଗୀତର ବ୍ୟାପକତାକୁ ନେଇ, ଓଡ଼ିଶାରେ ଅତିପୁରାତନ କଳା ସଙ୍ଗୀତର ପରିଚୟକୁ ସେ ଆମ ସମାଜରେ ଯେତେ ଖୋଜିଛନ୍ତି ପାଇନାହାନ୍ତି l

ଆମେ ଆଜି ଯେତେବେଳେ ସେହି ସଙ୍ଗୀତର ସନ୍ଧାନରେ ବାହାରିଛୁ, ବଣ ଜଙ୍ଗଲ ଭରା ଓଡ଼ିଶାର ପଶ୍ଚିମାଞ୍ଚଳର ଗାଁ ଭିତରୁ ସଙ୍ଗୀତ ଖୋଜିବା ଆରମ୍ଭ କରିବାକୁ ଚିନ୍ତା କରିଛୁ l

Samadhwani Support us

ଓଡ଼ିଶାର ସଙ୍ଗୀତର ଆଦିସ୍ଥଳୀ ସେହି ଜଙ୍ଗଲ ପାହାଡ ଘେରା ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳ, ଯାହାକୁ କୁହାଯାଏ ଗଁଡ଼ା ସମ୍ପ୍ରଦାୟର ବାସସ୍ଥଳୀ ବୋଲି  l ସଙ୍ଗୀତ ଯେଉଁମାନଙ୍କର ଜୀବନ, ସଙ୍ଗୀତ ଯେଉଁମାନଙ୍କ ପାଇଁ ମା’ l ଯେଉଁଠି ପ୍ରତ୍ୟେକ ଗଁଡ଼ା ଜଣେ କଳାକାର l

ବିଶ୍ୱାସ କରିବା କଷ୍ଟକର ଯେ, ଆଜିର ଏହି ଉଗ୍ର ଆଧୁନିକତାର ପ୍ରଭାବ ଗଁଡ଼ା ସମ୍ପ୍ରଦାୟକୁ ଆହୁରି ମାର୍ଜିତ କରିଚାଲିଛି ନିଜ ସଙ୍ଗୀତର ପରାକାଷ୍ଠାକୁ ବଞ୍ଚାଇ ରଖିବାପାଇଁ l

ଏଠିକୁ ଥରେ ଆସିବାପରେ ଗଁଡ଼ାବଜାକୁ ଓ ଗଁଡ଼ା ସମ୍ପ୍ରଦାୟକୁ ଯେମିତି ଆପଣ ସଙ୍ଗୀତର ଅନ୍ୟନାମ ପରି ଅନୁଭବ କରିପାରିବେ l  ସେମାନଙ୍କ ସମ୍ପର୍କରେ ଏକ ବ୍ୟାପକ ଚର୍ଚ୍ଚାର ଆବଶ୍ୟକତା ଅଛିବୋଲି ଅନୁଭବ ହୁଏ ଯେତେବେଳେ ଏହି ବଜାର ସାଙ୍ଗୀତିକ ମୂଲ୍ୟବୋଧକୁ ସେମାନଙ୍କ ସ୍ଥାନରେ ପହଞ୍ଚି ଜାଣିବାର ସୁଯୋଗ ମିଳେl

ଗଁଡ଼ା କେବଳ ଏକ ଜନଜାତି ସମ୍ପ୍ରଦାୟ ନୁହଁ କି ଗଁଡ଼ାବଜା ବଜାଉଥିବା କଳାକାର କେବଳ ଏକ ସାଧାରଣ ସମୂହ ନୁହଁ ଏକଥାର ପ୍ରମାଣ ବୋଡାଶମ୍ବର ଅଞ୍ଚଳ ତଥା ପଶ୍ଚିମ ଓଡ଼ିଶାର ଗାଁ ଗୁଡିକୁ ଗଲେ ଭଲକରି ଅନୁଭବ କରିହୁଏ l  ଏକ ଅଦ୍ଭୁତ କଳାପ୍ରିୟ ସମ୍ପ୍ରଦାୟ ଯେଉଁମାନେ ନିଜର ଜୀବନ ସହ ସଂଗୀତକୁ ଯୋଡ଼ି ଦେଇଛନ୍ତି I

କଳାକାର ଖୋଜିବାକୁ ଯିବା ଦରକାର ପଡ଼େନି ଏହିସବୁ ଅଞ୍ଚଳରେ କାରଣ ଏଠି “ପ୍ରତ୍ୟେକ ଗଁଡ଼ା ହେଉଛନ୍ତି ଜଣେ କଳାକାର”, ଏକଥା କୁହନ୍ତି  ସଂଗୀତ ନାଟକ ଏକାଡେ଼ମୀ ପୁରସ୍କୃତ ପଦ୍ମପୁର ଅଞ୍ଚଳର ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପ୍ରଧାନ l ସେ କୁହନ୍ତି ତାଙ୍କ ପିଲାଦିନରୁ ଆଜିଯାଏ ସେ କୌଣସି ଗଁଡ଼ା ସମ୍ପ୍ରଦାୟର ଲୋକ ଦେଖିନାହାନ୍ତି ଯିଏ ସଙ୍ଗୀତ ଜାଣିନି l

ଭାରତ କିମ୍ବା ପୃଥିବୀ ପାଇଁ ଏହା ଏକ ଅଦ୍ବିତ୍ୱୀୟ ଉଦାହରଣ ବୋଲି ସେମାନଙ୍କ ମାଟିକୁ ସ୍ପର୍ଶ କଲାପରେ ବୁଝିହେବ l ଗଁଡ଼ା ସମ୍ପ୍ରଦାୟ ସଙ୍ଗୀତକୁ ଯେମିତି ଭଲପାଇଛନ୍ତି ତାହାର ତୁଳନା ହୁଏତ ଆଜି ନାହିଁ କିମ୍ବା ଆଉ କାହାସହ କରିହେବନି l

ଯେଉଁ ଗାଁ ଭିତରକୁ ଗଲେ ପଚାଶରୁ ଅଧିକ କଳାକାର ବିଭିର୍ଣ୍ଣ ଗ୍ରୁପରେ ବାଣ୍ଟିହୋଇଛନ୍ତି I ସଙ୍ଗୀତ ସେମାନଙ୍କ ସାମାଜିକ ଦାୟିତ୍ୱ ବୋଲି କେଉଁ ଯୁଗରୁ ସେମାନେ ଗ୍ରହଣ କରିନେଇଛନ୍ତି l

ଲୋକ କଥାରେ ସେମାନଙ୍କ ଅଞ୍ଚଳରେ ପ୍ରଚଳନ ଅଛି ବୁଦ୍ଧଙ୍କୁ ସେମାନେ ଗଁଡାବଜା ବଜେଇ ସ୍ୱାଗତ କରିଆଣିଥିଲେ I ଧର୍ମପଦର ନିଜେ ବୁଦ୍ଧ ଏକଥା ଲେଖିଛନ୍ତି ବୋଲି ମଧ୍ୟ କେହି କେହି ଗବେଷକ ମତ ଦିଅନ୍ତି l

ଅନେକ ବୌଦ୍ଧସ୍ତୁପର ପ୍ରମାଣ ପାଖାପାଖି ଅଂଚଳରେ ଏବେବି ରହିଛି ସେସବୁ ହୁଏତ ଗବେଷଣା ସାପେକ୍ଷ  l ଏମିତି ଅନେକ ଉଦାହରଣ ରହିଛି ଯାହା ଗଁଡାବଜାକୁ ଆଦି ଶାସ୍ତ୍ରୀୟବାଦ୍ୟ ଭାବରେ ଗବେଷକମାନେ ହୁଏତ ପ୍ରମାଣ କରିପାରିବେ ଓ ଯାହା ଗବେଷଣା ହେବା ଜରୁରୀ ମଧ୍ୟ l

ତଥାପି ଯେତିକି ପ୍ରମାଣ ଏବେବି ଉପଲବ୍ଧ ସଙ୍ଗୀତର ମର୍ଯ୍ୟାଦା ଦେବାପାଇଁ ହୁଏତ ତାହା ଯଥେଷ୍ଟ I ସଂଗୀତକୁ ସଂଗୀତବୋଲି ଗ୍ରହଣ କରିବାପାଇଁ ରାଜନୀତିର ଆବଶ୍ୟକତା ନାହିଁ କେବଳ ସଂଗୀତକୁ ଜାଣିବା ବୁଝିବାପାଇଁ ଉଦାର ହୃଦୟ ଓ ମନଟିଏ ଜରୁରୀ l

ଯେଉଁମାନେ ମର୍ଯ୍ୟାଦା ଦେବେ ବା ସାର୍ଟିଫିକେଟ ଦେବେ ସେମାନେ କଣ ସତରେ ସେତିକି ଉଦାର? ତାହାର ପ୍ରମାଣ ଆଜି ଗଁଡାମାନେ ଚାହାନ୍ତି ଯଦି ଆପଣ ସଙ୍ଗୀତକୁ ନେଇ ଉଦାର ପ୍ରମାଣ କରନ୍ତୁ ନିଜକୁ l

ବଙ୍ଗଳା ଭାଷାରେ ବାଉଲ ଗୀତଟିଏ ଶୁଣି ଆମେ ଆତ୍ମବିଭୋର ହେବାର ଅନେକ ଓଡ଼ିଆଙ୍କୁ ଦେଖିଛନ୍ତି ଓ ହେବାଟା ସ୍ୱାଭାବିକ ହେଲେ ନିଜପାଖରେ ଯେଉଁ ସଙ୍ଗୀତର ଅସରନ୍ତି ଭଣ୍ଡାରଟି ଅଛି ତାକୁ କେବେ ଆଡ ଆଖିରେ କେହି ଦେଖିବାର ପ୍ରୟାସ ନକରିବା କେତେ ଅବୋଧତା କୁହନ୍ତୁତ ?

ବିଶ୍ଵର ହୁଏତ ସର୍ବ ପୁରାତନ ଆଦିବାଦ୍ୟକାରମାନଙ୍କୁ କଳାକାର ବୋଲି ଆମର ସବୁ ଅବୋଧତା ଭିତରେ ଯଦି ବୁଝି ଯାଆନ୍ତେ ଆମ ନିଜର ପୁନରୁଦ୍ଧାର ନିଶ୍ଚେ ହୁଅନ୍ତା l

ଗଁଡ଼ାବଜାର ପରାକ୍ରମ ହୁଏତ ଓଡିଶାକୁ ସଙ୍ଗୀତ କ୍ଷେତ୍ରରେ ବିଶ୍ଵର ସର୍ବଶ୍ରେଷ୍ଠ ସ୍ଥାନ ଅଳଙ୍କୃତ କରାଇବାର ଦୁର୍ବାର କ୍ଷମତା ରଖେ, ଏଭଳି ଅନୁଭବ ଭିତରୁ ସମଧ୍ୱନି ଗଁଡ଼ାବଜା ସମ୍ପର୍କରେ ଚର୍ଚ୍ଚା କରିବାପାଇଁ ସ୍ଥିର କରିଛି l

କୃଷ୍ଣ ପ୍ରସାଦ ବସୁଙ୍କ କଷ୍ଟକୁ ଅନୁଭବ କରିହେଉଛି ଅନେକ ସମୟରେ ବିଶେଷକରି ଆମ ନିର୍ବୋଧତାକୁ ଦେଖି l ଓଡ଼ିଶାରେ ହାର୍ମୋନୀୟମ ପେଁ ପେଁ କରି ଦୁଇପଦ ଜଗନ୍ନାଥ ଜଣାଣ କି ସଂଧ୍ୟା ଭଜନ କରିବାକୁ ସଙ୍ଗୀତ କହିପକାନ୍ତି l

ଗଁଡାମାନେ ଶୟନ ସପନ ଜାଗରଣେ କେବଳ ସଂଗୀତ କରନ୍ତି, ସଙ୍ଗୀତକୁ ଭଲପାଆନ୍ତି, କଥା କଥାରେ କୁହନ୍ତି, ସଂଗୀତ ଛାଡିଲେ ମରିଯିବୁ ଆଜ୍ଞା, ଏଇଟା ଆମର ଜୀବଡାଙ୍ଗ l ଆମ ଭିତରେ ଓ ସେମାନଙ୍କ ଭିତରେ ସଂଗୀତକୁ ନେଇ ପ୍ରଭେଦଟିକୁ ଏହି କଥା ପଦଟେରୁ ବୁଝିପାରୁଥିବେ l

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.