୨୦୨୦ନବବର୍ଷକୁ ସ୍ୱାଗତ : କାହାକୁ କହିବା ପରଦେଶୀ ସାଥି

Swayamprava Parhi (Chief Editor)
3 Min Read

କାହାକୁ କହିବା ପରଦେଶୀ ସାଥି କିଏ ଏଠି ପ୍ରତିବେଶୀ
ନିଜେ ବାଛୁଥିବା ଶାସକଟା ଯଦି କାଢିନିଏ ପାଦତଳ ମାଟି

୨୦୨୦ ନବବର୍ଷକୁ ସମଧ୍ୱନି ସ୍ୱାଗତ କରିବା ସମୟରେ ଭାରତବାସୀଙ୍କୁ ଓ ଓଡ଼ିଶାର ଅଗଣିତ ଜନଗଣଙ୍କୁ ଶୁଭକାନା ଜଣାଉଛି …ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛି ଓ ବଞ୍ଚିବାର ସମସ୍ତ ସାମ୍ବିଧାନିକ ଅଧିକାରକୁ କେମିତି ଅକ୍ଷୁର୍ଣ୍ଣ ରଖି ଭାରତକୁ ଓ ଭାରତୀୟ ସଂସ୍କୃତିକୁ ଉଦାରତାର ସହ ଏକସୂତ୍ରରେ ବାନ୍ଧି ରଖାଯାଇପାରିବ… ଭାରତ ବାସୀ ଏକାଠି ଏକତାର ମନ୍ତ୍ରରେ ଭାରତକୁ ବଞ୍ଚାଇରଖିବେ ଆଶାଟିଏ ପୋଷଣ କରୁଛି ।

ସମଧ୍ୱନି ଦ୍ୱାରା ପ୍ରସ୍ତୁତ ….(ସମସ୍ୱର)

ଗୀତିକାର – ସୁଧୀର ପଟ୍ଟନାୟକ

Samadhwani Support us

ସଂଗୀତ ନିର୍ଦେଶନା – ତ୍ରିଲୋଚନ ନାୟକ

ଗାୟକ – ସୌରଭ ନାୟକ

କାହାକୁ କହିବା
କାହାକୁ କହିବା ପରଦେଶୀ ସାଥି
କିଏ ଏଠି ପ୍ରତିବେଶୀ
ନିଜେ ବାଛୁଥିବା ଶାସକଟା ଯଦି
କାଢ଼ିନିଏ ଗୋଡ଼ତଳ ମାଟି ।….

ପାଦର ଶିକୁଳି ଫିଟିଗଲା ବୋଲି
ଦେଖିଥିଲେ କେତେ ସ୍ୱପ୍ନ
ସ୍ୱରାଜ୍ୟ ସୂରୁଜ ଆକାଶେ ଉଇଁବ
ନୂଆ ସମାଜର ହେବ ଜନ୍ମ ।
ନରହିବ ଆଉ ଜାତିଧର୍ମ ଭେଦ
ପେଟକୁ ମିଳିବ ଦାନା
ମୁଣ୍ଡ ଗୁଞ୍ଜିବାକୁ ଚାଳଟିଏ ଥିବ
ଦେହକୁ ମିଳିବ କନା ।
ସପନ ଆମର ସପନରେ ଅଛି
ପାହିତ ଯାଉଛି ରାତି
କାହାକୁ କହିବା ପରଦେଶୀ ସାଥି …

କମାର ବୁଡ଼ିଲା କୁମ୍ଭାର ବୁଡ଼ିଲା
ବୁଣାକାର ଗଲା ହଜି ।
ବଢ଼େଇ ବେଉଷା
ବେପାରିଏଁ ନେଲେ ।
ଲୁହ ନିଗାଡ଼ୁଛି ଚାଷୀ । ।
କ୍ଷେତର ମୂଲିଆ ସର୍ବହରା ହେଲା
ବଣ ହେଲା ହତଶିରୀ
ଦେଶିଆ ଶାସକ ବିଦେଶୀ ସାଜିଲେ
ଗଲା ଆମ ସୁଖ ଶିରୀ
ସ୍ୱରାଜ୍ୟ ବାସନା ମନରୁ ଯାଇନି
ଦେଶଟା ଗଲାଣି ହଜି
କାହାକୁ କହିବା ପରଦେଶୀ ସାଥି….

ଗାଁ ହଜିଯାଏ କମ୍ପାନୀ ବୁକୁରେ
ସହର ଛାତିରେ ନିଆଁ
ନୂଆ ସମାଜର ନିରିମାତା ମାନେ
ଚିନ୍ତା ବା କରିବେ କିଆଁ
କୁହ ତୁମେ ଆଜି କାହା କବରରେ
ଲେଖିବ ହେ ଈତିହାସ
ଶହେଦଶ କୋଟି ଦେଶଟାରେ ଯଦି
ଶହେକୋଟି ହେବେ ନାଶ
ଦେଖି ତୁମ ଲୀଳା ରକତ ଆମର
ଯାଇଛି ଆଜିହେ ତାତି
କାହାକୁ କହିବା ପରଦେଶୀ …

ସମଧ୍ୱନିର ଏହି ଗୀତଟି ଆଜିର ସମୟରେ ଅତ୍ୟନ୍ତ ଉପଯୋଗୀ ଅନୁଭବ କରି ଏଠାରେ ଉପସ୍ଥାପନ କରାଯାଉଛି । ଯେତେବେଳେ ସମଗ୍ର ଦେଶବାସୀ ସରକାରଙ୍କ ଆଇନକୁ (ଏନ.ଆର.ସି , ସିଏଏ ଓ ଏନ.ପି.ଏକୁ) ଦେଶର ସମ୍ବିଧାନ ବିରୋଧୀ ଓ ଦେଶର ଅଖଣ୍ଡତା ଓ ଐକ୍ୟ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଅନୁଭବ କରୁଛନ୍ତି, ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଭିଟାମାଟି ହରାଇବାର ଭୟ ଆଦିବାସୀ, ଦଳିତ, ଭୂମିହୀନ, ବିସ୍ଥାପିତ ମଣିଷର ରାତିର ନିଦ ହଜାଇଦେଇଛି । ସେମାନଙ୍କ ମନରେ ଭୟ, ହଜାର ହଜାର ବର୍ଷ ଧରି ଯେଉଁ ମାଟିକୁ ଜାବୁଡି ବଞ୍ଚିଛୁ, କାଗଜ ଖଣ୍ଡେ ନାହିଁ ବୋଲି କଣ ଆମ ପରିଚୟର ପ୍ରମାଣ ନାହିଁ ? ଏହି ସ୍ୱାଧୀନ ଦେଶର ସରକାରକୁ ପ୍ରମାଣ ଦେବାପାଇଁ ଆମ ପାଖରେ ଆଜି କିଛି ନାହିଁ କି କେବେବି ନଥିଲା। ଏକଥା କଣ ଆମେ କେବେ ଭାବିଥିଲେ? କେଡେ ହୀନିମାନ କରୁଛି ଏ ସରକାର ବାପୁଡ଼ା । ଆଉ ସହି ହେଉନି, ଲଢ଼ିବାକୁ ହେବ , ଜିତିବାକୁ ହେବ ଓ ଏହି ଅମଣିଷମାନଙ୍କଠାରୁ ଦେଶକୁ ବଞ୍ଚାଇବାକୁ ହେବ । ସାଧାରଣ ଭାରତବାସୀଙ୍କ ମନରେ ଏମିତି ଅନେକ ପ୍ରଶ୍ନ । କିଏ ତାକୁ ବଞ୍ଚିବାପାଇଁ, ତାକୁ ତା’ ହକ ଦେବାପାଇଁ ତା’ ସହିତ ଛିଡାହୋଇରହିବ ?  – ସମ୍ପାଦକ

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.