ସମ୍ଭବତଃ ଚୋଡଗଙ୍ଗ ଦେବଙ୍କ ଉତ୍କଳ ଅଧିକାର କାଳରେ ଅର୍ଥାତ୍ ୧୧୦୮ ଖ୍ରାଷ୍ଟାବ୍ଦ ଠାରୁ ୧୧୧୮ ଖ୍ରାଷ୍ଟାବ୍ଦ ମଧ୍ୟରେ ଏହି ସିନ୍ଦୂରପୁର ଥିଲା ପୁରୁଷୋତ୍ତମ କ୍ଷେତ୍ରର ଏକ ବିଶିଷ୍ଟ ଅଂଶ-ଯାହାର ପାଖରେ ପୁରୁଷୋତ୍ତମଙ୍କର ପ୍ରଥମ ମନ୍ଦିର ଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ସେ ସମୟରେ ତାହା ସମୁଦ୍ର କୂଳର ଅତି ନିକଟରେ ଥିବାର ଅଧିକ ସମ୍ଭାବନା ରହିଛି । ସେଥିପାଇଁ ପରବର୍ତ୍ତୀ କାଳରେ ଗଙ୍ଗବଂଶୀ ତାମ୍ର ଫଳକମାନଙ୍କରେ ଚୋଡଗଙ୍ଗଙ୍କ କୀର୍ତ୍ତି ବର୍ଣ୍ଣନା ପ୍ରସଙ୍ଗରେ ପୁରାତନ ପୁରୁଷୋତ୍ତମ ମନ୍ଦିର ସମୁଦ୍ର କୂଳରେ ଭିନ୍ନ ସ୍ଥାନରେ ଥିବାର ସୂଚନା ରହିଛି। ସେହି ତାମ୍ର ଫଳକ ମାନଙ୍କରେ ଏହା ମଧ୍ୟ ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଛି ଯେ ଚୋଡଗଙ୍ଗ ନିର୍ମିତ ବୃହତ ପୁରୁଷୋତ୍ତମ ମନ୍ଦିର ଥିବା ସ୍ଥାନରେ ଚୋଡଗଙ୍ଗ ରାଜତ୍ୱ ପୂର୍ବରେ ପୁରୁଷୋତ୍ତମଙ୍କ ପାଇଁ କୌଣସି ମନ୍ଦିର ନଥିଲା ।
(ଦ୍ରଷ୍ଟବ୍ୟ ଦାଶ କୈଳାସ ଚନ୍ଦ୍ର, ‘New Light on the Date of the Construction of the Temple of Purushottama-Jagannatha of Puri’, Orissa Review, Vol.LXX, No.2, June, 2014, p.63-69.) ଏ ଦୃଷ୍ଟିରୁ ବର୍ତ୍ତମାନ ବୃହତ୍ ଜଗନ୍ନାଥ ମନ୍ଦିର ଥିବା ଅଞ୍ଚଳ ଗଙ୍ଗ ରାଜତ୍ୱ ପୂର୍ବେ କିପରି ଥିଲା ତାହାର ଚର୍ଚ୍ଚା ଆବଶ୍ୟକ ।
ପ୍ରସଙ୍ଗ ଅନୁରୋଧରେ ଏଠାରେ ସ୍ପଷ୍ଟ ସୂଚନା ଦିଆଯାଇପାରେ ଯେ ବର୍ତ୍ତମାନର ପୁରୀ କ୍ଷେତ୍ରର ଭୌଗୋଳିକ ପରିସୀମା ଗଙ୍ଗ ରାଜତ୍ୱ ପୂର୍ବେ କିଛିଟା ପରିବର୍ତ୍ତିତ ଥିଲା । ବୃହତ୍ ମନ୍ଦିର ନିର୍ମିତ ହେବା ପରେ ଏହାର ଭୌଗୋଳିକ ରୂପ ଭିନ୍ନ ହୋଇଗଲା । କିନ୍ତୁ ଯଦି ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥଙ୍କର ବୃହତ୍ ମନ୍ଦିର ମଧ୍ୟରେ ଥିବା ଦୂରତ୍ୱକୁ ବିଚାର କରାଯାଏ ତେବେ ଏହା ସ୍ପଷ୍ଟ ହୋଇଉଠେ ଯେ ପୁରୁଷୋତ୍ତମ କ୍ଷେତ୍ରର ବର୍ତ୍ତମାନ ରୂପ ଓ ପରିସୀମା ନବମ-ଦଶମ ଶତକର ପରିସୀମା ତଥା ଭୌଗୋଳିକ ରୂପ ଠାରୁ ବହୁ ଭିନ୍ନ ।
ମାଦଳାପାଞ୍ଜିରେ ଚୋଡଗଙ୍ଗଙ୍କୁ ଜଗନ୍ନାଥ ମନ୍ଦିରର ନିର୍ମାତା ଭାବରେ ବର୍ଣ୍ଣନା କରାଯାଇନାହିଁ । ଅନ୍ୟପକ୍ଷରେ ସେ ବେତାଳସାଧ୍ୟ, ସମସ୍ତ ନଗରଦେବୀମାନଙ୍କର ନିୟନ୍ତ୍ରକ ବୋଲି ସୂଚିତ । ପୁନଶ୍ଚ ସେ(ବିରଜା, କାଳିକା, କାମଚଣ୍ଡୀ/ରାମଚଣ୍ଡୀ, ସର୍ବମଙ୍ଗଳାଙ୍କୁ ବାଦ୍ ଦେଇ)ଓଡିଶା ଗୋସାଣୀମାନ କିଳିଥିଲେ(ବନ୍ଦୀ କରିଥିଲେ) । ଏ ରାଜା ସାବର ବିଦ୍ୟାରେ ପରିପୂର୍ଣ୍ଣ ଥିଲେ । ଏହି ପ୍ରକାର ବିବରଣୀରୁ ମନେହୁଏ ଚୋଡଗଙ୍ଗଙ୍କ ରାଜତ୍ୱ ପୂର୍ବେ ଶାକ୍ତ-ତାନ୍ତ୍ରିକ ପରିବେଶ ପୁରୁଷୋତ୍ତମ କ୍ଷେତ୍ରକୁ ଆଚ୍ଛନ୍ନ କରିଥିଲା । ଚୋଡଗଙ୍ଗ ପ୍ରଥମେ ପୁରୁଷୋତ୍ତମ କ୍ଷେତ୍ରର ଏପରି ଶାକ୍ତ-ତାନ୍ତ୍ରିକ ପରିବେଶକୁ ନିୟନ୍ତ୍ରଣ କରିବା ସଂଗେ ସଂଗେ ଏହାକୁ ଏକ ସମ୍ପୂର୍ଣ୍ଣ ବୈଷ୍ଣବ କ୍ଷେତ୍ରରେ ପରିଣତ କରିବାକୁ ଉଦ୍ୟମ କରିଥିଲେ ।
ପୁରୁଷୋତ୍ତମ କ୍ଷେତ୍ରରେ ଶାକ୍ତ ଦେବୀ ବିମଳା ପୀଠେଶ୍ୱରୀ ହିସାବରେ ଏବେ ମଧ୍ୟ ପୂଜିତା । ପୁଣି ତାନ୍ତ୍ରିକ ଗ୍ରନ୍ଥମାନଙ୍କରେ ଉକ୍ରଳ/ଓଡ୍ରରେ ଜଗନ୍ନାଥ-ଭୈରବ ତଥା ବିମଳା ମଧ୍ୟଯୁଗରେ ପ୍ରସିଦ୍ଧ ଥିବାର ସୂଚିତ ହୋଇଛି । ଭୈରବ ଏକ ତାନ୍ତ୍ରିକ ଦେବତା ଏବଂ ସେ ମଧ୍ୟ ଜଗନ୍ନାଥ ନାମରେ ପୂଜିତ । ସମ୍ଭବତଃ ଦ୍ୱାଦଶ ଶତକରେ ରାମାନୁଜାଚାର୍ଯ୍ୟଙ୍କର ପୁରୀ ମନ୍ଦିର ପର୍ଯ୍ୟଟନ ଏବଂ ପୁରୁଷୋତ୍ତମ କ୍ଷେତ୍ରର ଉପାସନା ପଦ୍ଧତିର ସଂସ୍କାରରେ ବିଫଳତା ଜନଶ୍ରୁତିରୁ ମଧ୍ୟ ଏହା ସ୍ୱଷ୍ଟ ଯେ ଏକାଦଶ ଶତକରେ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ଶାକ୍ତ-ତାନ୍ତ୍ରିକ ମତ ଦ୍ୱାରା ପ୍ରଭାବିତ ଏପରିକି ପରିଚାଳିତ ।
ପ୍ରାଥମିକ ପର୍ଯ୍ୟାୟରେ ପୁରୁଷୋତ୍ତମ କ୍ଷେତ୍ର ବୈଷ୍ଣବ କ୍ଷେତ୍ର ରୂପେ ପରିଚିତ ହେବା ପୂର୍ବରୁ ଆଦିମ-ଶବରମାନଙ୍କର ଏକ କ୍ଷେତ୍ରରୂପେ ପରିଚିତ ଥିବାର ସୂଚନା ବର୍ତ୍ତମାନ ସୁଦ୍ଧା ପରିଚିତ ଗୁଣ୍ଡିଚା, ସୁଦ୍ଧଶୁଆର, କୋଇଲି ବୈକୁଣ୍ଠ, ଆଡପ ମଣ୍ଡପ ପରି ଅଣ-ଆର୍ଯ୍ୟ ଶବ୍ଦମାନଙ୍କରୁ ଜଣାପଡେ ।
ସାରଳା ମହାଭାରତରେ ଏହି ପୁରୁଷୋତ୍ତମ-ଜଗନ୍ନାଥ କ୍ଷେତ୍ର ଜଇନ୍ତାର ଭୂମି ବୋଲି ସୂଚିତ । କବି ସାରଳା ଦାସ ନିଜ ଜନ୍ମସ୍ଥାନ ନିର୍ଣ୍ଣୟ କରିବା ବେଳେ ଲେଖିଥିଲେ-ଜମ୍ବୋଦ୍ୱୀପ ଭ୍ରତଖଣ୍ଡ ଓଡ୍ର ରାଷ୍ଟ୍ରମଣ୍ଡଳେ… ଉତ୍ପଳେଶ୍ୱର ଲିଙ୍ଗ ଚିତ୍ରଉତ୍ପଳା ଦକ୍ଷିଣ କୂଳେ…ଜଇନ୍ତାର ନିଜ ଭୂମି ଦ୍ୱାରକା ପୂର୍ଣ୍ଣବାସି… ଶ୍ରୀଜମେଶ୍ୱର ଲିଙ୍ଗ ମହୋଦଧି ଉତ୍ତର ତଟ…ନୀଳସୁନ୍ଦର ପର୍ବତ କଳ୍ପବଟ ନିକଟ । (ପାଣିଗ୍ରାହୀ କୃଷ୍ଣଚନ୍ଦ୍ର, ପ୍ରବନ୍ଧ ମାନସ, କଟକ, ୧୯୭୨, ପୃ-୨୩)
ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହି ଜଇନ୍ତ ଶବ୍ଦକୁ ଜଗନ୍ନାଥ ବୋଲି ଗ୍ରହଣ କରିଛନ୍ତି । ଏହା କିନ୍ତୁ ସତ୍ୟ ନୁହେଁ । ପ୍ରଥମତଃ ଜଇନ୍ତ ବା ଜଇନ୍ତା ଶବ୍ଦ ସାରଳା ମହାଭାରତରେ ବିଭିନ୍ନ ସ୍ଥାନରେ ଶବର ଆଦିବାସୀ ଚର୍ଚ୍ଚାରେ ସ୍ଥାନ ପାଇଛି । ଅନ୍ୟପକ୍ଷରେ ସାରଳା ଦାସ ମଧ୍ୟ ଜଗନ୍ନାଥ ଶବ୍ଦ ସହିତ ପରିଚିତ ଥିଲେ । ତେଣୁ ସାରଳା ଦାସ ଜଇନ୍ତାର ଭୂମିକୁ ଅନ୍ୟ କୌଣସି ଅର୍ଥରେ ଗ୍ରହଣ କରିଥିବା ଅଧିକ ଯୁକ୍ତିଯୁକ୍ତ । ଓଡିଶାରେ ଦଶହରା ପୂର୍ବରୁ ପାର୍ବଣ ଅବକାଶରେ ଗ୍ରାମ ଦେବତୀମାନଙ୍କୁ ତୁଷ୍ଟ କରିବା ପାଇଁ ଜନ୍ତାଳ କରାଯାଇଥାଏ । ଜନ୍ତାଳ ଶବ୍ଦ ସହିତ ଜଇନ୍ତର ସମ୍ପର୍କ ରହିଛି ।
ଏ ଶବ୍ଦର ପ୍ରକୃତ ଅର୍ଥ କୌଣସି ଅଣ-ଆର୍ଯ୍ୟ ଉପାସନା ତତ୍ତ୍ୱ ଏବଂ ଶାକ୍ତ-ତାନ୍ତ୍ରିକ ମତ ସହିତ ଜଡିତ । ତାହା ଜଣାଇଦିଏ ଯେ ପୁରୀ ଅଞ୍ଚଳରେ ପୁରୁଷୋତ୍ତମ ଉପାସିତ ହେବା ପୂର୍ବରୁ ଅର୍ଥାତ୍ ଏହା ବିଷ୍ଣୁକ୍ଷେତ୍ର ରୂପେ ପରିଚିତ ହେବା ପୂର୍ବରୁ ଏହା ଜଇନ୍ତାର କ୍ଷେତ୍ର ରୂପେ ପରିଚିତ ଥିଲା । ଏଠାରେ ଶାକ୍ତ-ତାନ୍ତ୍ରିକ ମତର ପ୍ରାବଲ୍ୟ ଦେଖାଯାଇଥିଲା । ତେଣୁ ଏହି କ୍ଷେତ୍ରର କେନ୍ଦ୍ରସ୍ଥାନରେ ଜଇନ୍ତା-ବିମଳା ବିରାଜିତ । ସେ ପୀଠେଶ୍ୱରୀ ରୂପେ ସ୍ୱୀକୃତ ।
ସାରଳା ଦାସ ଏହି ଶାକ୍ତ ପରଂପରାର ଜଣେ ସମର୍ଥକ ଥିଲେ । ତେଣୁ ପୁରୁଷୋତ୍ତମ କ୍ଷେତ୍ରକୁ ସେ ଜଇନ୍ତାର ଭୂମିରୂପେ ବର୍ଣ୍ଣନା କରିଥିଲେ । ପ୍ରସଂଗ ଅନୁରୋଧରେ କୁହାଯାଇପାରେ ଯେ ଚୋଡଗଙ୍ଗ ଏହି କ୍ଷେତ୍ରରେ ବୃହତ୍ ମନ୍ଦିର ନିର୍ମାଣ କରିବା ପୂର୍ବରୁ ଏଠାରେ ପୂଜିତ ସକଳ ଗୋସାଣୀମାନଙ୍କୁ ସ୍ଥାନାନ୍ତର କରାଇଥିବାର ପାରଂପାରିକ ବିବରଣୀ ରହିଛି । ପୁଣି ଶାକ୍ତ-ତାନ୍ତ୍ରିକ ମତ ର ପୀଠ ବା ଜଇନ୍ତା ରାଜ୍ୟ/ଭୂମି ରୂପେ ପୁରୁଷୋତ୍ତମ କ୍ଷେତ୍ର ପ୍ରସିଦ୍ଧ ଥିବାରୁ ତାନ୍ତ୍ରିକ ଗ୍ରନ୍ଥମାନଙ୍କରେ ବିମଳା ଓ ଜଗନ୍ନାଥ ଭୈରବର ନାମ ଓଡ୍ରରାଜ୍ୟର ଅଧିଷ୍ଠାତ୍ରୀ ଦେବତା ରୂପେ ବର୍ଣ୍ଣିତ ।
ଏହିପରି ଏକ ଶାକ୍ତ-ତାନ୍ତ୍ରିକ ମତର ପୀଠ ବା ଜଇନ୍ତାର ଭୂମିକୁ ବ୍ରାହ୍ମଣ୍ୟଧର୍ମର ପୂର୍ଣ୍ଣପୀଠରେ ପରିଣତ କରିବାକୁ ଉଦ୍ୟମ ଗୁପ୍ତୋତ୍ତର କାଳରେ ଦେଖାଯାଇଥିଲା । ପୁରୁଷୋତ୍ତମ-ବିଷ୍ଣୁଙ୍କ ପତ୍ନୀ ଲକ୍ଷ୍ମୀ ହୋଇଥିବାରୁ ସମୁଦ୍ର କୂଳର ଏହି ଜଇନ୍ତାର ଭୂମିକୁ ପୁରୁଷୋତ୍ତମ କ୍ଷେତ୍ର ରୂପେ ପ୍ରଚାର କରାଗଲା । ଏହା ଦ୍ୱାରା ମଧ୍ୟ ଜଇନ୍ତାର ପ୍ରଭାବ କମିଯାଇନଥିଲା । ପରେ ଅବଶ୍ୟ ଶୈବଧର୍ମ ଏଠାରେ ପ୍ରଭାବଶାଳୀ ହେଲା । ଖ୍ରୀଷ୍ଟୀୟ ଅଷ୍ଟମ-ନବମ ଶତକ ସୁଦ୍ଧା ଜଇନ୍ତା ଭୂମିରେ ଏକ ବିଷ୍ଣୁ-ପୁରୁଷୋତ୍ତମ ମନ୍ଦିର ନିର୍ମାଣ କରାଗଲା । ଯାହାର ଅବସ୍ଥିତି ଆଜି ନିର୍ଣ୍ଣୟ କରିବା ପାଇଁ ଏକାନ୍ତ ନିର୍ଭରଯୋଗ୍ୟ ତଥ୍ୟର ଅଭାବ ରହିଛି ।
ତେବେ ନବମ ଶତାବ୍ଦୀଠାରୁ ଏକାଦଶ ଶତାବ୍ଦୀ ମଧ୍ୟରେ ଏଠାରେ ପୁରୁଷୋତ୍ତମ ପୂଜିତ ହୋଇଥିବାର ସାହିତ୍ୟିକ ତଥା ଅଭିଲେଖୀୟ ଉପାଦାନରେ ସୂଚିତ ।(ମହାପାତ୍ର କେଦାରନାଥ, Antiquity of Jagannatha-Puri as a Place of Pilgrimage, Orissa Historical Research Journal, 3/1, 1954, p.6-21) ଏକାଦଶ ଶତକରେ ପ୍ରସିଦ୍ଧ ଥିବା ଭୋଜଙ୍କର ରାଜମାର୍ତ୍ତଣ୍ଡ, ଶ୍ରୀହର୍ଷଙ୍କର ନୈଷଧୀୟ ଚରିତ, ମୁରାରୀ ମିଶ୍ରଙ୍କର ଅନର୍ଘ ରାଘବ ନାଟକରେ ମଧ୍ୟ ଏହି ପୁରୁଷୋତ୍ତମ କ୍ଷେତ୍ରର ମହିମା ବର୍ଣ୍ଣିତ । ମାଦଳା ପାଞ୍ଜିରେ ମଧ୍ୟ ଗଙ୍ଗ ବଂଶ ରାଜତ୍ୱ ପୂର୍ବେ ପୁରୁଷୋତ୍ତମଙ୍କର ଏକ କ୍ଷୁଦ୍ର ମନ୍ଦିର ଥିବାର ସୂଚନା ରହିଛି ।
ତେବେ ଏହି କ୍ଷୁଦ୍ର ମନ୍ଦିର ସୋମବଂଶୀ-ଯଯାତି(ପ୍ରଥମ ବା ଦ୍ୱିତୀୟ) ନିର୍ମାଣ କରିଥିବାର ମାଦଳାପାଞ୍ଜିର ବିବରଣକୁ ସନ୍ଦେହ କରାଯାଇପାରେ । କାରଣ ମାଦଳାପାଞ୍ଜି ବ୍ୟତିତ ଆଉ କୌଣସି ପ୍ରାମାଣିକ ବିବରଣୀରେ ଏପରିକି ସୋମବଂଶୀ ରାଜାମାନଙ୍କର କୌଣସି ତାମ୍ରଫଳକରେ ବା ମନ୍ଦିର ଲିପିରେ ଏପରି ସୂଚନା ମିଳେନାହିଁ । ତାହା ଜଣାଇଦିଏ ଶୈବ-ସୋମବଂଶୀମାନେ(ପ୍ରଥମ ଓ ଦ୍ୱିତୀୟ ଯଯାତି) ପୁରୁଷୋତ୍ତମ ବିଷ୍ଣୁଙ୍କ ପାଇଁ ଏହି କ୍ଷେତ୍ରରେ କୌଣସି କ୍ଷୁଦ୍ର ମନ୍ଦିର ନିର୍ମାଣ କରାଇନଥିଲେ ।
ଏପରି ମନ୍ଦିର ସମ୍ଭବତଃ ଯଯାତି ରାଜତ୍ୱ ପୂର୍ବରୁ ଭୌମବଂଶୀ ଶାସକମାନଙ୍କର ରାଜତ୍ୱ କାଳରେ ନିର୍ମିତ ହୋଇଥିବା ଅଧିକ ସମ୍ଭବ । ପରେ ଜନଶ୍ରୁତିରେ ଭୌମବଂଶ ବାଦ ଯାଇ ସୋମବଂଶ ରାଜତ୍ୱ ସହିତ ପୁରୁଷୋତ୍ତମଙ୍କର କ୍ଷୁଦ୍ର ମନ୍ଦିର ନିର୍ମିତ ହୋଇଥିବାର କଥା ପ୍ରବେଶ କରିଛି । ଚୋଡଗଙ୍ଗ ଓଡିଶା ଅଧିକାର କରିବା ପୂର୍ବେ ଶିବ-ଲିଙ୍ଗରାଜଙ୍କର ଆଧିପତ୍ୟ ଓଡିଶାରେ ବିସ୍ତାରିତ ହୋଇଥିଲା ।
ତେଣୁ ଚୋଡଗଙ୍ଗ ସୋମବଂଶୀ ଶାସନ ଉତ୍ପାଟନ ପରେ ଓଡିଶାରେ ତାଙ୍କର କ୍ଷମତା ବୈଧିକରଣ ପାଇଁ ଶିବ-ଲିଙ୍ଗରାଜ ତାଙ୍କୁ ଓଡିଶାର ରାଜା ହେବେ ବୋଲି ଆଜ୍ଞା ଦେଇଥିଲେ ବୋଲି ପ୍ରଚାର କରାଯାଇଥିଲା । ସେତେବେଳେ ବିଷ୍ଣୁ-ପୁରୁଷୋତ୍ତମଙ୍କର ସେପରି ପ୍ରଭାବ ନଥିଲା । ପୁଣି ପୁରୁଷୋତ୍ତମ କ୍ଷେତ୍ରରେ ତାଙ୍କର କ୍ଷମତା ମଧ୍ୟ ସଂକୁଚିତ ହୋଇରହିଥିଲା, କାରଣ ଶାକ୍ତ-ତାନ୍ତ୍ରିକ ମତ ସେଠାରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା । ଏ ଦୃଷ୍ଟିରୁ ମାଦଳାପାଞ୍ଜି ବର୍ଣ୍ଣିତ ରକ୍ତବାହୁ ଆଖ୍ୟାନ ତଥା ଯଯାତିକେଶରୀଙ୍କର ପୁରୁଷୋତ୍ତମ କ୍ଷେତ୍ରରେ ମନ୍ଦିର ନିର୍ମାଣ ଏକ ସଂରଚନା ମାତ୍ର । ଏହା କଳାପାହାଡ ଓଡିଶା ଆକ୍ରମଣ ଏବଂ ପୁରୀ ମନ୍ଦିରରେ ପ୍ରବେଶ ତଥା ଜଗନ୍ନାଥ ମୂର୍ତ୍ତି ନଷ୍ଟ ପ୍ରସଂଗରୁ ସଂରଚିତ ହୋଇଛି ।
ପୁରୁଷୋତ୍ତମ କ୍ଷେତ୍ରରେ ଚୋଡଗଙ୍ଗ ରାଜତ୍ୱ ପୂର୍ବେ ସମ୍ଭବତଃ ବିଷ୍ଣୁଙ୍କର ପାଷାଣ ବିଗ୍ରହ ଉପାସିତ ହୋଇଥିଲା । ପୁରାଣ ବର୍ଣ୍ଣିତ ଇନ୍ଦ୍ରଦ୍ୟୁମ୍ନ ଆଖ୍ୟାନରେ ମଧ୍ୟ ଏହା ସୂଚିତ । କାରଣ ସେଥିରେ ସୂଚିତ ବିଶ୍ୱାବସୁ ଉପାସିତ ନୀଳମାଧବ ନୀଳେନ୍ଦ୍ରମଣି ପାଷାଣ ମୂର୍ତ୍ତି ପ୍ରସଂଗରୁ ଏ କଥା ସ୍ୱୀକାର କରାଯାଇପାରେ ଯେ ଦାରୁ ଉପାସନା ଏହି ପାଷାଣ ବିଗ୍ରହ ଉପାସନାକୁ ପରିବର୍ତ୍ତିତ କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ଧର୍ମ ମତ ପୁରୀ କ୍ଷେତ୍ରକୁ ଅଧିକାର କରି ନିଜନିଜ ତତ୍ତ୍ୱର ପ୍ରସାର କରାଇଥିଲେ ।
ସେ ମଧ୍ୟରେ ଆଦିମ ନିବାସୀ ଶବର ସମ୍ପ୍ରଦାୟର ଉପାସନା, ଶାକ୍ତ-ତାନ୍ତ୍ରିକ ସମ୍ପ୍ରଦାୟର ଉପାସନା ଖୁବ୍ ଶକ୍ତିଶାଳୀ ଥିଲେ । ଶୈବମାନେ କ୍ରମେ ସେଠାରେ ପ୍ରବେଶ କରିଥାଇପାରନ୍ତି-ଯାହାର ପ୍ରମାଣ ଲୋକନାଥ(ସ୍ୱୟମ୍ଭୁ ଲୋକେଶ୍ୱର) ତଥା ଅନ୍ୟ ପରବର୍ତ୍ତୀ ଶୈବ ମନ୍ଦିର । କିନ୍ତୁ ବିଷ୍ଣୁଙ୍କର ପୁରୁଷୋତ୍ତମ ନାମର ସାର୍ଥକତା ପାଇଁ ଏବଂ ଲକ୍ଷ୍ମୀ ତାଙ୍କର ପତ୍ନୀ ତଥା ସାଗର କନ୍ୟା ହୋଇଥିବାରୁ ଏପରି କ୍ଷେତ୍ରକୁ ଆର୍ଯ୍ୟ-ବ୍ରାହ୍ମଣମାନେ ଅଧିକାର କରିବାକୁ ଉଦ୍ୟମ କରିଥିଲେ ।
ଇନ୍ଦ୍ରଦ୍ୟୁମ୍ନ ଆଖ୍ୟାନର ବିଶ୍ଳେଷଣରେ ଏପରି ପ୍ରସଂଗ ମିଳିଥାଏ । ତେବେ ଦ୍ୱାଦଶ ଶତକ ପର୍ଯ୍ୟନ୍ତ ପୁରୀରେ ବିଷ୍ଣୁ-ପୁରୁଷୋତ୍ତମଙ୍କର ଆଧିପତ୍ୟ ସ୍ୱୀକୃତ ନହୋଇ ଶାକ୍ତ-ତାନ୍ତ୍ରିକ ମତର ଗଭୀର ପ୍ରଭାବରେ ଲୁଚି ରହିଥିଲା । ଚୋଡଗଙ୍ଗ ପ୍ରଥମେ ଏହି ମନ୍ଦିରର ସଂସ୍କାର କରାଇ ପୁରୁଷୋତ୍ତମଙ୍କର ସେବାପୂଜା ତଥା ଅଙ୍ଗଭୋଗ ବ୍ୟବସ୍ଥା କରିଥିଲେ । ବର୍ତ୍ତମାନର ଜଗନ୍ନାଥ ମନ୍ଦିର ବେଢାରେ ଥିବା ନୃସିଂହ ମନ୍ଦିରରେ ସଂଖ୍ୟାଧିକ ଲିପିମାନଙ୍କରେ ତାଙ୍କର ଦାନବ୍ୟବସ୍ଥାର ବିବରଣୀ ରହିଛି ।
ଅଥଚ ପୁରୁଷୋତ୍ତମ କ୍ଷେତ୍ରରେ ତାଙ୍କ ପୂର୍ବ ଶୈବ-ସୋମବଂଶୀ ରାଜାମାନଙ୍କର ଦାନବ୍ୟବସ୍ଥାର କୌଣସି ବିବରଣୀ ସ୍ଥାନ ପାଇନାହିଁ। ଏଥିରୁ ମନେହୁଏ ଯେ ଶୈବ-ସୋମବଂଶୀ ରାଜାମାନେ ଏହି କ୍ଷେତ୍ରର ବିଷ୍ଣୁ-ପୁରୁଷୋତ୍ତମଙ୍କ ପ୍ରତି ଉଦାସ ଥିଲେ । ସେମାନେ ଭୁବନେଶ୍ୱର-ଲିଙ୍ଗରାଜ କ୍ଷେତ୍ରରେ ଦାନ-ବ୍ୟବସ୍ଥା କରିଥିଲେ । ଦ୍ୱାଦଶ ଶତକର ଆରମ୍ଭରେ ଚୋଡଗଙ୍ଗ ଉକ୍ରଳ ଅଧିକାର କରିବା ପରେ ବିଷ୍ଣୁ-ପୁରୁଷୋତ୍ତମ ଅଧିକ ଜନପ୍ରିୟ ହୋଇଉଠିଲେ । ./..କ୍ରମଶଃ
[box type=”info” align=”” class=”” width=””]ଜଗନ୍ନାଥଙ୍କ ସମ୍ପର୍କରେ କିଛି କଥା ଲୋକମୁଖରେ ଅଛି ଆଉ କିଛି କଥା ଐତିହାସିକ ଗବେଷଣାର ଉପଲବ୍ଧି ହିସାବରେ ଆସିଛି । ଅନେକ କଥାକୁ ନେଇ ଦ୍ୱନ୍ଦ ମଧ୍ୟ ଉପୁଜିଛି । ଐତିହାସିକ କୈଳାଶ ଚନ୍ଦ୍ର ଦାଶ ନିଜ ଗବେଷଣା ଭିତରୁ ଲେଖାଟିରେ ପ୍ରକାଶ କରିଛନ୍ତି ଯେ, “ପ୍ରାଥମିକ ପର୍ଯ୍ୟାୟରେ ପୁରୁଷୋତ୍ତମ କ୍ଷେତ୍ର ବୈଷ୍ଣବ କ୍ଷେତ୍ର ରୂପେ ପରିଚିତ ହେବା ପୂର୍ବରୁ ଆଦିମ-ଶବରମାନଙ୍କର ଏକ କ୍ଷେତ୍ରରୂପେ ପରିଚିତ ଥିବାର ସୂଚନା ବର୍ତ୍ତମାନ ସୁଦ୍ଧା ପରିଚିତ ଗୁଣ୍ଡିଚା, ସୁଦ୍ଧଶୁଆର, କୋଇଲି ବୈକୁଣ୍ଠ, ଆଡପ ମଣ୍ଡପ ପରି ଅଣ-ଆର୍ଯ୍ୟ ଶବ୍ଦମାନଙ୍କରୁ ଜଣାପଡେ । ” – ସମ୍ପାଦକ[/box]
PHOTO CREDIT- PROF. KAILASH CHANDRA DAS FACE BOOK TIMELINE