ସମ୍ପାଦକୀୟ… ବଜାରର ପଶାପାଲିରେ ‘ସଂସ୍କୃତି’

7 Min Read

            ସମଗ୍ର ବିଶ୍ୱ ଆଜି ଏକ ବଜାରରେ ପରିଣତ ହୋଇଛି । ବଜାରର କାମଟି ହେଲା କିଣା ବିକା କରିବା ଏବଂ ସବୁଥିରୁ ମୂଲ୍ୟ ବାହାର କରିବା । ଆମ ବିଶ୍ୱ ବଜାରଟିରେ ସବୁ ସମୟରେ କିଣା ବିକା କାମ ଚାଲିଛି । ତେଣୁ ବଜାରର ଚାହିଦା ମୁତାବକ ପ୍ରତ୍ୟେକ ଜିନିଷକୁ ମୂଲ୍ୟଯୁକ୍ତ କରିବାପାଇଁ ସେହି ଅନୁସାରେ ପ୍ରସ୍ତୁତ କରାଯାଉଛି । ମୂଲ୍ୟଯୁକ୍ତ ହୋଇନଥିବା କୌଣସିବି ଜିନିଷ ବା ମଣିଷ ଏହି ବଜାର ପାଇଁ ଅନୁପଯୁକ୍ତ । କିନ୍ତୁ ଏହିସବୁ ଜିନିଷ ବା ମଣିଷଟିର ସାମାଜିକ ଆବଶ୍ୟକତା ଏବଂ ସାମଗ୍ରିକ ଜୀବଜଗତ ବଞ୍ଚିରହିବାରେ ଯୋଗଦାନଟିକୁ ବଜାର କେବେବି ମାନ୍ୟତା ଦିଏନା ଫଳରେ ଏହି ବିଶ୍ୱ ବଜାରରେ ନିଜର ଅସ୍ତିତ୍ୱକୁ ସାଉଁଟିବା ଛଡ଼ା ଏହି ଦୁର୍ମୁଲ୍ୟ ମଣିଷ ପ୍ରଜାତି ମାନଙ୍କଠାରୁ ଆରମ୍ଭ କରି ଗଛ ପତ୍ର, ଜଙ୍ଗଲ, ପାହାଡ଼, ନଦୀ, ଝରଣା, ସମୁଦ୍ର ତଟ, ଅନେକ ପ୍ରଜାତିର ପକ୍ଷୀ, ମହୁମାଛି, ଜିଆ, ମାଟିରେ ଥିବା ଅଣୁଜୀବ ଇତ୍ୟାଦିଙ୍କର ଅନ୍ୟ ପନ୍ଥା ନଥାଏ । ଅନ୍ୟପଟେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ଏହି ବଜାରରେ ନିଜକୁ ମୂଲ୍ୟଯୁକ୍ତ କରାଇବାପାଇଁ ଅନେକେ ବେଶ ତତ୍ପର ।

                ଏହି ପ୍ରକ୍ରିୟାରେ ମଣିଷଠାରୁ ଆରମ୍ଭ କରି ସଂସ୍କୃତି, ସାଂସ୍କୃତିକ ମାଧ୍ୟମ; (ଲୋକ ସଙ୍ଗୀତ, ନାଟକ, ବାଦ୍ୟଠାରୁ ଆରମ୍ଭ କରି ଶାସ୍ତ୍ରୀୟ ସଙ୍ଗୀତ ଯାଏଁ), ବିଭିନ୍ନ ଧର୍ମ, ଧର୍ମାନୁଷ୍ଠାନ, ଖାଦ୍ୟ, ପେୟ, ବସ୍ତ୍ର, ଆସବାପତ୍ର, ଗଣମାଧ୍ୟମ ଯାହାକିଛି ଆମ ଆଖି ସାମ୍ନାରେ ଦେଖୁଛେ ସବୁକୁ ସାମିଲ କରାଯାଇଛି । ବଜାରର ମଙ୍ଗ ଧରିଥିବା ବେପାରୀମାନଙ୍କ ପାଇଁ ଏସବୁ କେବଳ ପଣ୍ଣ୍ୟ ଏବଂ ଯେଉଁ ପଣ୍ଣ୍ୟ ତାର ମୁନାଫା ହାସଲରେ ଉପଯୋଗୀ ହୋଇପାରିବ । ଏହି ପ୍ରକ୍ରିୟା ଭିତରେ ଯାହାସବୁ ସାମାଜିକ, ସାଂସ୍କୃତିକ ଏବଂ ପାରିବେଶିକ ଅବକ୍ଷୟ ହେବ ବା ଯାହାକିଛି ବଳିଦାନ ବଜାର ମାଗିବ ସେସବୁ ନିଷ୍ଠାର ସହ ଦେବାପାଇଁ ସେମାନେ ବାଧ୍ୟ ବା ନଦେଲେ ବଜାର ସବୁକିଛିକୁ ଧ୍ୱଂସ କରିଦେବାର ଉଦାହରଣର ମଧ୍ୟ ଦେଖାଯାଏ । ହେଲେ ଏହି ମୂଲ୍ୟ ନେବା ଓ ମୂଲ୍ୟ ଦେବା ପ୍ରକ୍ରିୟାଟି ଯେତେ ସରଳ ଶୁଣାଯାଏ ସେତେ ସରଳ ହୋଇନଥାଏ । ମଣିଷଟି ବା ବସ୍ତୁଟିକୁ ମୂଲ୍ୟଯୁକ୍ତ କରିବାପାଇଁ ଯେଉଁସବୁ ପ୍ରକ୍ରିୟା ଦେଇ ଯିବାକୁ ହୁଏ ସେହି ପ୍ରକ୍ରିୟାରେ ଚକଚକିଆ ଆଲୋକିତ ବଜାରରେ ସେ କେତେବେଳେ ନିଜର ଅସ୍ଥିତ୍ୱଟିକୁ ହରାଇ ବସେ ଓ ଅନ୍ତଃସାର ଶୂନ୍ୟ ହୋଇ ରହିଯାଏ ନିଜେ ଜାଣିପାରେନା ।

                               ଏହି ବଜାରର ପଣ୍ଣ୍ୟ ସାଜିଥିବା ଆମ ସଂସ୍କୃତି ଓ ସାଂସ୍କୃତିକ ମାଧ୍ୟମ ଗୁଡ଼ିକୁ ଟିକେ ନିରିଖେଇ ଦେଖିଲେ ସବୁକିଛି ସ୍ପଷ୍ଟ ଜାଣିହେବ । କେତେବେଳେ ଏଠି ହିନ୍ଦୁ ସଂସ୍କୃତିର ଦ୍ୱାହି ଦିଆଯାଏ ତ କେତେବେଳେ ଭାରତୀୟ ସଂସ୍କୃତି ଓ ଆର୍ଯ୍ୟ ସଂସ୍କୃତିର ଉଦାହରଣ ଦେଇ ନିଜର ମହନୀୟତା ବିଶ୍ୱବାସୀଙ୍କ ଆଗରେ ପ୍ରଚାର କରାଯାଏ, ହେଲେ ଏହା ପଛରେ ଥିବା ରାଜନୈତିକ ଉଦ୍ଦେଶ୍ୟଟି ସମସ୍ତଙ୍କ ନଜର ଆଢ଼ୁଆଳରେ ଲୁଚିରହେ ଯାହାକୁ ସାଧାରଣ ଜନଗଣ ଦେଖିପାରନ୍ତି ନାହିଁ । ପଣ୍ଣ୍ୟ ହୋଇଯାଏ ଆମ ସଂସ୍କୃତି-ଐତିହ୍ୟ, ରାଜନୀତି ଓ ବଜାରର ପଶାପାଲିରେ। ଗୋଟିଏପଟେ କିଛି ରାଜନୈତିକ ଶକ୍ତି ସଂସ୍କୃତିକୁ ଅସ୍ତ୍ର କରି ଲୋକଙ୍କର ବିଶ୍ୱାସକୁ କ୍ରୟ କରୁଥିବା ବେଳେ ଅନ୍ୟପଟେ ଆଧୁନିକତା ନାଁରେ ବଜାରୀ ସଂସ୍କୃତିର ଅନବରତ ପ୍ରଚାର ପଛରେ ଉଦ୍ଦେଶ୍ୟଟି ଥାଏ କେବଳ ବେପାର । ତେଣୁ କେତେବେଳେ ଟେଲିଭିଜନର ସିରିଏଲ ଆମ ଜନସାଧାରଣଙ୍କର ମାନସପଟ୍ଟକୁ ଗ୍ରାସ କରିବସେ ଆଉ ବଜାରରେ ଚକଚକିଆ ଦିଶୁଥିବା ବ୍ରାଣ୍ଡ ସାବୁନ, ଅତର, କ୍ରିମ ଓ ଅନ୍ୟାନ୍ୟ ସାମଗ୍ରୀ ସବୁଠାରୁ ଅଧିକ ଆଦରଣୀୟ ହୋଇ ପଡ଼ନ୍ତି ଆମ ଘରର ଡ଼୍ରେସିଂ ଟେବୁଲରେ ଆମେ ନିଜେ ଜାଣୁନା । କେବଳ ସେତିକି ନୁହେଁ ଅଶୋକ, ମହାରାଣା ପ୍ରତାପ, ମହାଭାରତ, ରାମାୟଣ ଭଳି ସିରିଏଲ ମାଧ୍ୟମରେ ଆମ ଅବଚେତନ ମନକୁ ପ୍ରଭାବିତ କରାଯାଏ କେମିତି ସମାଜଟି ରହିବାପାଇଁ ସବୁବେଳେ ସଙ୍ଘର୍ଷ ଜରୁରୀ । ଏହା ପଛରେ ଥିବା ଉଦ୍ଦେଶ୍ୟ ଯେ ପ୍ରଭୂତ୍ୱର ପ୍ରଚାର ପ୍ରସାର କରିବା ଏବଂ ପୁରୁଷର େଔଦ୍ଧତ୍ୟର ପ୍ରତିଷ୍ଠା କରିବା ଦର୍ଶକ ଜାଣିବାର କୌଣସି ବାଟ ନଥାଏ, ଫଳରେ ସଂସ୍କୃତି ଭିତରେ ଉଦ୍ଦେଶ୍ୟ ପ୍ରଣୋଦିତ ବାର୍ତ୍ତା ସବୁ ସମୟରେ ପ୍ରଚାର କରାଯାଏ । ଗୋଟିଏ ପଟେ ବଜାରର ପ୍ରଭାବ ଘରର ଆସବାପତ୍ର ସବୁକିଛିର ଚରୀତ୍ରରେ ପରିବର୍ତ୍ତନ ଆଣୁଥିବା ବେଳେ ଟେଲିଭିଜନ୍ ଏବଂ ଗଣମାଧ୍ୟମର ସୌଜନ୍ୟରୁ ପ୍ରାୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ମାନସିକ ସ୍ତରକୁ ପ୍ରଭାବିତ କରନ୍ତି । ବିଶେଷକରି ୯୦ ଦଶକ ପରେ ଗଣମାଧ୍ୟମର ସୌଜନ୍ୟରୁ ଯେଉଁସବୁ ବିକୃତି ଆମ ଯୁବ ସମାଜ ନିକଟରେ ସୃଷ୍ଟି ହୋଇଛି ସେଥିପାଇଁ କେବଳ ବଜାର ହିଁ ଦାୟୀ ଏଥିରେ କୌଣସି ସନ୍ଦେହ ନାହିଁ ।

                   ବାପା ମା’ମାନେ ବଜାରର ଜଣେ ଜଣେ ବିକ୍ରେତା ଓ କ୍ରେତା ଯେଉଁମାନେ ଏହି ପ୍ରକ୍ରିୟାରେ ପିଲାକୁ ପଣ୍ଣ୍ୟ କରି ବଜାର ପାଇଁ ପ୍ରସ୍ତୁତ କରନ୍ତି । ବେଶୀ ଦରରେ କେଉଁ ବୈଷୟିକ ଶିକ୍ଷା  ଗ୍ରହଣ କଲେ ବଜାର ଉପଯୋଗୀ କାମ ମିଳିବ ସେହି ଭାବରେ ଶିକ୍ଷା ଦେବାପାଇଁ ପିଲାଟିକୁ ଜନ୍ମଠାରୁ ପ୍ରସ୍ତୁତ କରନ୍ତି । ପିଲାଟି ଭିତରୁ କେତେବେଳେ ମଣିଷପଣିଆ, ସମ୍ବେଦନଶୀଳତା, ଭଲପାଇବା ଆଦି ଦୂର୍ମୁଲ୍ୟ ଗୁଣ ଗୁଡ଼ିକ ହଜିଯାଏ ନିଜେ ବାପା ମା ମଧ୍ୟ ଜାଣିପାରନ୍ତି ନାହିଁ । ଏହିଭଳି ବଜାରୀ ସଂସ୍କୃତି ଭିତରୁ ଯେଉଁସବୁ ନାଗରିକମାନେ ଭବିଷ୍ୟତରେ ଦେଶର ଶାସନର ମଙ୍ଗ ଧରୁଛନ୍ତି ସେମାନଙ୍କ ନିକଟରୁ ସମ୍ବେଦନଶୀଳତା, ପ୍ରେମ, ସ୍ନେହ. କର୍ତ୍ତବ୍ୟନିଷ୍ଠା, ସଚ୍ଚୋଟତା ଭଳି ମାନବିକ ମୂଲ୍ୟବୋଧ ଗୁଡ଼ିକୁ ଆଶା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ ।

Samadhwani Support us

                  ଏହି ବଜାର ମାନବିକ ସମ୍ବେଦନଶୀଳତାକୁ ସମ୍ପୁର୍ଣ୍ଣଭାବେ ନଷ୍ଟ କରିଦିଏ । ସେଥିପାଇଁତ ଅଜଣା ରୋଗର ଦାଉରେ ହେଉ ବା ଖାଦ୍ୟ ଓ ପୃଷ୍ଟିସାରର ଭିଷଣ ଅଭାବ ଭିତରୁ ଗତ ୩ ମାସ ଧରି ଲଗାତାର ଚିରନିଦ୍ରାରେ ଶୋଉଥିବା ମାଲକାନଗିରିର ଶିଶୁମାନଙ୍କର ରୋଗର କାରଣ ସରକାର ଖୋଜି ପାଇପାରିଲେ ନାହିଁ କି ରାଜ୍ୟର ଅନ୍ୟ ଅଞ୍ଚଳର ଲୋକେ ପ୍ରଶ୍ନ ମଧ୍ୟ କଲେ ନାହିଁ । ଏତେ ସ୍ପର୍ଶକାତର ବିଷୟଟି କୌଣସି ଗଣମାଧ୍ୟମର ପ୍ରଚାର ଓ ଗବେଷଣାର ବିଷୟ ହୋଇପାରିଲା ନାହିଁ । ବଜାର ପାଇଁ ବା ବଜାରୀ ଗଣମାଧ୍ୟମ ପାଇଁ ଏହା ଟି.ଆର.ପି ଯୁକ୍ତ ଖବର ନୁହେଁ ନିଶ୍ଚୟ ।

                 ପ୍ରକୃତ ମଣିଷ ବା ଅସଲି ମଣିଷର ଘୋର ଅଭାବ ଦେଖାଦେଇଛି ଆମ ସମାଜରେ । ମଣିଷ ଭିତରେ ଅସଲ ମୂଲ୍ୟବୋଧଟି ବଞ୍ଚିଥିଲେ ଶିଶୁ ମୃତ୍ୟୁ ବିଷୟଟି ରାଜ୍ୟବାସୀଙ୍କର ନିଦ ହଜାଇ ଦେଇଥାନ୍ତା ଓ ସରକାରଙ୍କ ଗାଦି ଟଳମଳ ହୋଇଯାଆନ୍ତା । ଆଦିବାସୀ ଶିଶୁଟିଏ ବଜାର ପାଇଁ କେତେ ମୂଲ୍ୟବାନ ଯେ ସେଥିରେ ଲୋକେ ଏତେ ବ୍ୟତିବ୍ୟସ୍ତ ହେବେ? ନିଜକୁ ମୂଲ୍ୟଯୁକ୍ତ କରିପାରିନଥିବା ଏମିତି ଲକ୍ଷ ଲକ୍ଷ ଆଦିମ ଅଧିବାସୀ ଏହି ପ୍ରକ୍ରିୟାରେ ଆଜି ନିଶେଷ ହେବାକୁ ବସିଛନ୍ତି ଏବଂ ନିଶେଷ ହେବାକୁ ବସିଛି ହଜାର ହଜାର ବର୍ଷଧରି ଲୋକେ ବଞ୍ଚାଇ ରଖିଥିବା ସଂସ୍କୃତିକ ପରିବେଶ ଆଉ ସଭ୍ୟତା ।

ବଜାର ପ୍ରଚାର କରେ ଯେ, କିଛି ପାଇବାପାଇଁ କିଛି ହରାଇବାକୁ ପଡ଼େ । ହେଲେ ଆମେ ପାଇଛୁ କେତେ ହରାଇଛୁ କେତେ ଯଦି ମୂଲ୍ୟାୟନ କରାଯାଏ ତେବେ ପାଦତଳର ମାଟି ଖସିଯାଏ । ପାଇଥିବା ସବୁକିଛି ଅସାର, କ୍ଷଣସ୍ଥାୟୀ ମନେହୁଏ । ହଜାର ହଜାର ବର୍ଷଧରି ମାନବ ସମାଜ ଅର୍ଜନ କରିଥିବା ସବୁ ମୂଲ୍ୟବୋଧ, ପ୍ରକୃତି ଓ ପ୍ରାକୃତିକ ସମ୍ବଳ, ସଭ୍ୟତା, ସଂସ୍କୃତି ବଦଳରେ ପାଇବା ତାଲିକାରେ ଥାଏ ବଡ଼ ବଡ଼ ବିଜୁଳି ଆଲୁଅ ଭରା ସହର, ମେସିନ୍, କାଗଜ ଟଙ୍କା, କାରଖାନାର ଧୂଆଁ, ପାଉଁସ, ନଷ୍ଟ ହୋଇପାରୁନଥିବା ପ୍ଲାଷ୍ଟିକର ଗଦା ଗଦା ଜିନିଷ, ହୋଟେଲ, ଆମୋଦ ପ୍ରମୋଦ ପାଇଁ କ୍ଲବ, ଡ଼୍ୟାନ୍ସବାର, ଅପ୍ରାକୃତିକ ଜୀବନଶୈଳୀର ସବୁ ଆଧାର । ମାତ୍ର କେତୋଟି ବର୍ଷ ଭିତରେ ବଜାର ଆମର ଜୀବନ, ସମାଜ, ରାଜନୀତି ଓ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହୋଇସାରିଛି । ଆମେ ତାରି ଚାରିପଟେ ଅତି ଅସହାୟ ଭାବେ ଘୁରି ବୁଲୁଛେ ।

                     ନିଜର ସୃଜନଶୀଳତା ଓ ତା’ ଉପରେ ଆଧାରିତ ସଂସ୍କୃତିକୁ ବଞ୍ଚାଇବାକୁ ହେଲେ ଆମକୁ ପ୍ରଥମେ ବଜାରର ଆଧିପତ୍ୟକୁ ଭାଙ୍ଗିବାକୁ ପଡ଼ିବ । ଏଭଳି ଏକ କଠିନ କାମ ଆମେ ସେତିକିବେଳେ ଆରମ୍ଭ କରିପାରିବା ଯେତେବେଳେ ଆମେ ବଜାରର ଅସଲ ସ୍ୱରୂପ ଓ ସ୍ୱଭାବଟିକୁ ଅନ୍ତରର ସହ ଚିହ୍ନିପାରିବା।

Share This Article
Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha