ସମଧ୍ଵନି ସାଂସ୍କୃତିକ ଗବେଷଣାକେନ୍ଦ୍ର ତରଫରୁ ଓଡ଼ିଆ ଭାଷା ଦିବସ ୨୦୨୫ରେ ଘୋଷଣା କରାଯାଇଛି “ଆମ ଗାଁ ଆମ ଜୀବନ” ପ୍ରତିଯୋଗିତା – ୨୦୨୫” ।
ଏହି ପ୍ରତିଯୋଗିତାରେ ଓଡ଼ିଶାର ସମସ୍ତ ସ୍କୁଲର (ଷଷ୍ଠ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପାଠ ପଢୁଥିବା) ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ । ଏହି କାର୍ଯ୍ୟକ୍ରମ ଏପ୍ରିଲ ୧, ତାରିଖ ଓଡ଼ିଆ ଭାଷା ଦିବସରୁ ଆରମ୍ଭ ହୋଇ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂପୂର୍ଣ୍ଣ ଡିଜିଟାଲ ମାଧ୍ୟମ, ଟେଲିଫୋନ ଓ ଅନଲାଇନ ମାଧ୍ୟମରେ ଯୋଗାଯୋଗ କରି କାର୍ଯ୍ୟକ୍ରମ ଆୟୋଜନ ହେବ ।
- ଏହି ପ୍ରତିଯୋଗିତା ଏପ୍ରିଲ ୧, ୨୦୨୫ରୁ ୩୦ ଜୁଲାଇ ୨୦୨୫ ମଧ୍ୟରେ ଅନୁଷ୍ଠିତ ହେବ।
- ପ୍ରତିଯୋଗିତାର ଶେଷ ତାରିଖ: ୩୦ ଜୁଲାଇ ୨୦୨୫ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜ ଗାଁ’ର ଜୀବନୀ ଖାତା ପିଡିଏଫ ଆକାରରେ, ଏହା ସହିତ ନିଜ ଗାଁ’ର ଫଟୋ ଓ ଭିଡିଓ ଆମ ନିକଟକୁ ପଠାଇଦେବେ ।
- ଅଗଷ୍ଟ ୧୫ ଦିନ ପୁରସ୍କାର ଘୋଷଣା ହେବ ।
ସରକାରୀ ଓ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସମାନ ସୁଯୋଗ ମିଳିବ । ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାରେ ଲେଖିବା ପାଇଁ ହେବ । ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଛାତ୍ରଛାତ୍ରୀମାନେ ନିଜ ଗାଁ ମାଟିକୁ ଭଲ କରି ଜାଣିବା ଓ ନିଜ ଗାଁ ସହିତ ଯୋଡ଼ିହୋଇ ରହିବା ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କାର୍ଯ୍ୟକ୍ରମର ନିର୍ଦ୍ଦେଶକ, ସ୍ଵୟଂପ୍ରଭା ପାଢୀ ଘୋଷଣା କରିଛନ୍ତି ।
ବିଶିଷ୍ଟ ସାମ୍ବାଦିକ ସୁଧୀର ପଟ୍ଟନାୟକଙ୍କ ପ୍ରେରଣାରେ ୨୦୦୫ ମସିହାରେ ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ର ଦ୍ଵାରା ଆୟୋଜିତ ଗ୍ରାମ୍ୟ ଗଣିତ ମେଧା ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜ ଗାଁ’ର ଜୀବନୀ ଲେଖିବା ଓ ସେ ସବୁ ଗାଁ’ର ଜୀବନୀକୁ ନେଇ ସୁଧୀର ପଟ୍ଟନାୟକଙ୍କ ସମ୍ପାଦନାରେ ୨୦୦୫ ମସିହାରେ “ଆମ ଗାଁ ଆମ ଜୀବନ” ପୁସ୍ତକ ପ୍ରକାଶ କରାଯାଇଥିଲା । ସେହି ଦିନଠାରୁ ୨୦୨୦ ମସିହା କୋଭିଡ଼ ମହାମାରୀ ସମୟ ମଧ୍ୟରେ ବିଭିନ୍ନ ସ୍କୁଲରେ ଅନଲାଇନ ମାଧ୍ୟମରେ ଗାଁ’ର ଜୀବନୀକୁ ଲିପିବଦ୍ଧ କରାଇବାର ଯେଉଁ ଅନୁଭୂତି ସବୁ ସଂଗ୍ରହ କରାଯାଇଛି, ସେସବୁ ଅନୁଭୂତିରୁ ପ୍ରେରଣା ନେଇ ଏହି ପ୍ରତିଯୋଗୀତାର ରୂପରେଖ ପ୍ରସ୍ତୁତ କରାଯାଇଛି । ଦୀର୍ଘ ୨୦ ବର୍ଷର ଅନୁଭୂତିକୁ ଆଧାର କରି ଏହି ପ୍ରତିଯୋଗୀତା ଆରମ୍ଭ କରାଯାଇଛି ବୋଲି ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ତଥା ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟାନାୟକ ଓ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ସ୍ଵୟଂପ୍ରଭା ପାଢୀ ପ୍ରକାଶ କରିଛନ୍ତି ।
ଆଗ୍ରହୀ ସ୍କୁଲ ଛାତ୍ରଛାତ୍ରୀମାନେ ନିଜ ନାମ ପଞ୍ଜୀକରଣ କରିବା ପାଇଁ ନିମ୍ନଲିଖିତ ଗୁଗୁଲ ଫର୍ମ ପୂରଣ କରି ଆମ ନିକଟକୁ ପଠେଇବେ କିମ୍ବା ନିମ୍ନଲିଖିତ ମୋବାଇଲ ନମ୍ବର ଓ ଇମେଲରେ ନିଜର ସମସ୍ତ ବିବରଣୀ ସହିତ ମେସେଜ ମାଧ୍ୟମରେ ଯୋଗାଯୋଗ କରିବେ ।
ଆମେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଗୁଗୁଲ ଫର୍ମ ମାଧ୍ୟମରେ ଦିଆଯାଇଥିବା ପ୍ରଶ୍ନ କିମ୍ବା ପିଡିଏଫ ପ୍ରଶ୍ନ ଯୋଗାଇଦେବୁ ।
ଯୋଗାଯୋଗ ଠିକଣା:
ସ୍ଵୟଂପ୍ରଭା ପାଢୀ
(ନିର୍ଦ୍ଦେଶକ, ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ର, ମୁଖ୍ୟ ସମ୍ପାଦକ ସମଧ୍ଵନି www.samadhwani.com)
ମୋବାଇଲ ନମ୍ବର – 9438189779
Email: swayamprava2025@gmail.com
Google form link: Click here
- କିଛି ଜରୁରୀ କଥା
- ପ୍ରଶ୍ନର ଉତ୍ତର ପାଇଁ ସଠିକ୍ ଲୋକଙ୍କୁ ପଚାରିବ – ଯେମିତି ଗାଁ’ର ପୁରୁଣା କଥା ପାଇଁ ବୟସ୍କ ଲୋକଙ୍କୁ।
- କିଛି ପ୍ରଶ୍ନ ବୁଝିପାରିଲେ ନାହିଁ ତ ଶିକ୍ଷକଙ୍କୁ କିମ୍ବା ଆମକୁ ଫୋନ୍ରେ – ମେସେଜ କିମ୍ବା ହ୍ଵାଟ୍ସଆପରେ ନମ୍ବର – 9438189779 ରେ ପଚାରି ପାରିବେ ।
(ଆସ ଆମ ଗାଁ’ର ଜୀବନୀ ଲେଖିବା)
“ପ୍ରଶ୍ନାବଳୀ”
୧. ଗାଁ’ର ଅତୀତ ବିଷୟରେ ଭିନ୍ନ ଭିନ୍ନ ସଂପ୍ରଦାୟର ବୟସ୍କ ଜେଜେ ମା ଓ ଜେଜେ ବାପାଙ୍କୁ ପଚାରି ଲେଖିବା ।
(ସେଥିରେ ଏହିସବୁ କଥାକୁ ପଚାରିବା – ଅତୀତରେ ଆମ ଗାଁ କେମିତି ଥିଲା ? – ଆମ ଗାଁ’ର ନାମ ଏମିତି କାହିଁକି ରଖାଗଲା? ଏ ବିଷୟରେ ସେମାନେ ପିଲାଦିନେ କିଛି କଥା ବା କିଛି କାହାଣୀ ଶୁଣିଛନ୍ତି କି ? – କେବେ ଓ କିଏ ପ୍ରଥମେ ଗାଁ ବସାଇଥିଲେ? – ଆଗରୁ ଗାଁ କେମିତି ଥିଲା? ଜଙ୍ଗଲ, ନଦୀ, ପଶୁ-ପକ୍ଷୀ, ଗଛଲତା କ’ଣ କ’ଣ ଥିଲା ? – ପୁରୁଣା ଦିନରେ କେଉଁ ପର୍ବ ପାଳନ ହେଉଥିଲା? କେଉଁସବୁ ଉତ୍ସବ ଗାଁ’ରେ ହେଉଥିଲା ? – ଲୋକଙ୍କ ଭିତରେ ସମ୍ପର୍କ କେମିତି ଥିଲା ? ପରସ୍ପର ଦୁଃଖ ଓ ସୁଖରେ କେମିତି ମିଳିମିଶି ଚଳୁଥିଲେ ? – ଗାଁ ଲୋକେ କ’ଣସବୁ ଚାଷ କରୁଥିଲେ ? କ’ଣ ରାନ୍ଧିକି ଖାଉଥିଲେ? – ଆମ ଗାଁ ଦେବୀ-ଦେବତାଙ୍କୁ ନେଇ କିଛି କାହାଣୀ ଅଛି କି ? – ବନ୍ୟା, ମରୁଡ଼ି ହେଲେ ଲୋକେ ସେତେବେଳେ କ’ଣ କରୁଥିଲେ? – ପୂର୍ବରୁ ଗାଁ’ରେ ଝଗଡା ହେଲେ ଲୋକେ କେମିତି ସମାଧାନ କରୁଥିଲେ ? – ବିବାହ ଉତ୍ସବ, ଜନ୍ମ ଓ ମୃତ୍ୟୁକୁ କେମିତି ଲୋକେ ପାଳନ କରୁଥିଲେ ? ଉତ୍ସବରେ ସେମାନେ କ’ଣ ଖାଉଥିଲେ ?)
୨. ଆମ ଗାଁ’ର ବର୍ତ୍ତମାନ ବିଷୟରେ ଜାଣିବା (ବୟସ୍କ ଲୋକ, ନିଜ ବାପା- ମା ବା ଗାଁ ଶିକ୍ଷକ- ଅଙ୍ଗନବାଡି ଦିଦିଙ୍କୁ ପଚାର)
(ଏବେ ଗାଁ’ରେ କେତେ ଘର ଅଛି ? କେତେ ଲୋକ ରହୁଛନ୍ତି ? କେଉଁ ସଂପ୍ରଦାୟର ଲୋକମାନେ ରହୁଛନ୍ତି? – ଆମ ଗାଁ’ର ବଡ଼ ପର୍ବ ନାମ କ’ଣ ? ସେଥିରେ କ’ଣ ହୁଏ? କେଉଁ ପିଠା ଓ ଭଲ ଖାଦ୍ୟ ରୋଷେଇ ହୁଏ? – ଗାଁ’ରେ ଡାକ୍ତରଖାନା, ସ୍କୁଲ, ପାଣି ବ୍ୟବସ୍ଥା କେମିତି ଅଛି ? – ପ୍ରତ୍ୟେକ ବିଷୟରେ ପଦେ ଲେଖାଏଁ ଲେଖ। – ଗାଁ’ରେ କେଉଁ କଥା ନୂଆରେ ଘଟୁଛି ? ଗାଁ ବଦଳୁଛି କି? ଯେମିତି- ନୂଆ ମେସିନର ବ୍ୟବହାର, ସ୍କୁଲରେ ନୂଆ କଥା ପଚାରି ବୁଝି ଲେଖ ।)
୩. ଚାଷ ଓ ଖାଦ୍ୟର କାହାଣୀ (ଆମ ଗାଁ’ର ଜଣେ ଚାଷ କରୁଥିବା ଓ ବିଭିନ୍ନ ଜୀବିକା କରୁଥିବା ଲୋକଙ୍କୁ ଭେଟି ସାକ୍ଷାତକାର କରିବା – ତାଙ୍କ ନାମ ଓ ବୟସ ପଚାରିବା – ତାଙ୍କୁ ନିମ୍ନ ବିଷୟ ଗୁଡିକ ପଚାରି ବୁଝିବା)
(ଆମ ଗାଁ’ରେ ଆଗରୁ କେଉଁ ଫସଲ ଚାଷ ହେଉଥିଲା ଓ ଏବେ କ’ଣ ହେଉଛି ? ଗାଁ’ରୁ କେଉଁ ଫସଲ ବଜାରକୁ ବିକ୍ରିପାଇଁ ଯାଏ ? – ପୁରୁଣା ଫସଲ ଗୁଡିକ (ମାଣ୍ଡିଆ, କୁଦୋ, ସୁଆଁ) କାହିଁକି କମିଗଲା? କେଉଁ ଫସଲ ଆଉ ଚାଷ ହେଉନାହିଁ ? – ଆଗରୁ କ’ଣ ଖାଦ୍ୟ ଖାଉଥିଲେ? ଏବେ ତାକୁ କାହିଁକି ଭୁଲିଗଲେ? – ଗାଁ’ରେ କେଉଁ ଜୀବିକା କରୁଥିବା ଲୋକ ଅଛନ୍ତି ଖୋଜିବା ? ସେମାନେ କ’ଣ କରନ୍ତି ଓ ସେସବୁକୁ କେଉଁଠି ବିକ୍ରିବଟା କରନ୍ତି ପଚାରି ବୁଝିବା ? )
୪. ଗାଁ’ର ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ : ଗାଁ’ର ବୟସ୍କ ଲୋକଙ୍କୁ ପଚାରିବା – ( ଆମ ଗାଁ’ରେ ପ୍ରତି ବର୍ଷ ନାଟକ ହୁଏ କି ? କିଏ କରନ୍ତି ? ପୂର୍ବରୁ ଏସବୁ ହେଉଥିଲା କି ? – କେଉଁ ଗୀତ, ନାଚ, କଳା ଥିଲା ? ପୁରୁଣା ଗୀତ ଗୁଡିକୁ ରେକର୍ଡ କରି ଖାତାରେ ଲେଖ।- ସେଥିପାଇଁ ନଂ ରହିଛି । – ପିଲାମାନେ କେଉଁ ଖେଳ ଖେଳନ୍ତି? ଗାଁ’ର ଝିଅ ଓ ପୁଅଙ୍କ ଭିତରୁ କେହି ଭଲ ଖେଳାଖେଳି କରନ୍ତି କି ? – ଗାଁ’ରେ ଖେଳପଡ଼ିଆ ଅଛି କି ? ତୁମେ କଣ ଖେଳିବାକୁ ଭଲ ପାଅ ? )
୫. ଗାଁ’ର ବର୍ତ୍ତମାନ ଜୀବନ ଓ ସମାଜ ବିଷୟରେ – ଗାଁ’ର ମୁରବି, ସ୍କୁଲ ଶିକ୍ଷକ, ଜାଣିବା ଶୁଣିବା ଲୋକଙ୍କୁ ପଚାରିବା
(ଆମ ଗାଁ’ରେ କ’ଣ ଅସୁବିଧା ଅଛି? ଗାଁ’ର ପାଣି, ରୋଜଗାର, ସ୍କୁଲ, ଡାକ୍ତରଖାନା ବିଷୟରେ ଗୋଟିଏ ଲେଖାଏଁ ପଦ ଲେଖ – ଏହାକୁ ଠିକ୍ କରିବାକୁ ଗାଁ ଲୋକେ କ’ଣ କରନ୍ତି ? – ପୁରୁଣା ଦିନରେ ଗାଁ’ରେ ସ୍କୁଲ ନଥିଲାବେଳେ ପିଲାମାନେ କେମିତି ପଢ଼ୁଥିଲେ? – ଏବେ ଗାଁ’ରେ ସ୍କୁଲ ଅଛି କି? ସମସ୍ତ ପିଲା ସ୍କୁଲ ଯାଆନ୍ତି କି, ନା କିଛି ପିଲା ପଢ଼ିପାରନ୍ତି ନାହିଁ? କାହିଁକି ପଢ଼ିପାରନ୍ତି ନାହିଁ ? ସେମାନେ କ’ଣ କରନ୍ତି? – ଗାଁ’ର ଲୋକମାନେ ଦାଦନ ଯାଉଛନ୍ତି କି ? କେତେ ଲୋକ ଦାଦନ ଯାଇଛନ୍ତି ? କେଉଁ କାମ କରିବାକୁ ଯାଉଛନ୍ତି ? – ଆଗରୁ ଗାଁ ପାଖରେ ଜଙ୍ଗଲ ଥିଲା କି ? କେତେ ଥିଲା ଓ ଏବେ କେତେ ଅଛି? କାହିଁକି କମିଛି ? – ଜଙ୍ଗଲରୁ ଗାଁ ଲୋକେ କ’ଣ ସବୁ ଆଣୁଥିଲେ? (ଯେମିତି କାଠ, ଫଳ, ଔଷଧ) – ଗାଁ’ର ପାଣି, ମାଟି, ପବନ ଏବେ ବଦଳିଛି କି ? ପୂର୍ବ ଅପେକ୍ଷା କାହିଁକି ଖରାପ ହୋଇଛି ବୋଲି ଲୋକେ କହୁଛନ୍ତି ? – ଗାଁ’ରେଲୋକେ କେଉଁ କାମଧନ୍ଦା କରନ୍ତି? (ଯେମିତି ବୁଣାକାର, କମାର, କୁମ୍ଭାର, କାଠ ମିସ୍ତ୍ରୀ, ରାଜମିସ୍ତ୍ରୀ, ମାଛ ଧରା, ଚିତ୍ରକର, ବାଦ୍ୟ କାରିଗର ଭଳି ) – ଗାଁ’ରେ ବିଭିନ୍ନ ସଂପ୍ରଦାୟର ଲୋକ କେମିତି ମିଶିକି ରହୁଛନ୍ତି? ସମସ୍ତେ ଏକାଠି ପର୍ବ ପାଳନ କରନ୍ତି କି ? – ଆମ ଗାଁ’ର ସବୁଠୁ ଧନୀ ଲୋକ କିଏ ? ସିଏ କ’ଣ କରନ୍ତି ଓ କେମିତି ଚଳନ୍ତି? ଆମ ଗାଁ’ର ସବୁଠୁ ଗରିବ କିଏ ? ସେ କ’ଣ କରନ୍ତି ଓ କେମିତି ଚଳନ୍ତି ?)
୬. ଗାଁ’ର ଭବିଷ୍ୟତକୁ ନେଇ ଆମେ କଣ ଚିନ୍ତା କରୁଛନ୍ତି ଓ ଆମ ଗାଁ ଲୋକମାନେ କେମିତି ଚିନ୍ତା କରୁଛନ୍ତି?
(ଆମ ଗାଁ’ର ଜୀବନୀକୁ ଲିପିବଦ୍ଧ କରିବା କାହିଁକି ଜରୁରୀ? ଗାଁ’ର ଜୀବନୀ ଲେଖି ମୁଁ କ’ଣସବୁ ନୂଆ କଥା ଶିକ୍ଷା ପାଇଲି ? ଏସବୁ କଥା ପର ପିଢି ପାଇଁ ଆମେ କେମିତି ସାଇତି ରଖିପାରିବା ? – ଗାଁ’ର ଲୋକେ ଆମର ଏହି ପ୍ରୟାସ ସମ୍ପର୍କରେ କ’ଣ କହନ୍ତି ? – ଆମ ଗାଁ’ର କେଉଁ କଥା ମୋତେ ବହୁତ ଭଲ ଲାଗେ ? ଆମ ଗାଁ’ର କେଁ କଥା ମୋତେ ବହୁତ କଷ୍ଟ ଦିଏ? ତାକୁ ଦୂର କରିବା ପାଇଁ ମୁଁ କ’ଣ କରିପାରିବି ? – ମୁଁ ଆମ ଗାଁ’ର ସଂସ୍କୃତିକୁ ବଞ୍ଚେଇବା ପାଇଁ ଓ ଲୋକଙ୍କର ପରସ୍ପର ଭିତରେ ଥିବା ସଂପର୍କକୁ ବଞ୍ଚେଇବା ପାଇଁ କ’ଣସବୁ କରିବି ? )
ସୃଜନାତ୍ମକ ଚିନ୍ତା
ନିଜର ଗାଁକୁ ନେଇ ତୁମର ସ୍ୱପ୍ନ ଲେଖ: “ମୋ ଗାଁକୁ ନେଇ ମୋର କ’ଣ ସ୍ୱପ୍ନ ରହିଛି ଓ ମୁଁ ମୋ ଗାଁକୁ କେମିତି ଦେଖିବା ପାଇଁ ଚାହୁଁଛି ?
(ସବୁ ଗବେଷଣା ସାରିବା ପରେ ଓ ସବୁ କଥା ଲିପିବଦ୍ଧ କରିବା ପରେ ଏହି ରଚନାଟି ଲେଖିବା ।)
ଛୋଟ ଟିପ୍ସ୍
– ପ୍ରଶ୍ନଗୁଡ଼ିକୁ ସରଳ କରି ପଚାରିବା ।
– ବୟସ୍କଙ୍କ କଥା ମନଦେଇ ଶୁଣି ସଠିକ୍ ଭାବେ ଲେଖିବା ।
– ଫଟୋ, ଭିଡିଓ, ଅଡିଓ ଗୁଡିକୁ ସାଇତି ରଖି ଓ ଆମ ନିକଟକୁ ପଠାଇ ଦେବାକୁ ଅନୁରୋଧ ।
ତଳେ ଦିଆଯାଇଥିବା ପଞ୍ଜୀକରଣ ଫର୍ମ ପୂରଣ କରି ଓ ଆମ ନିକଟକୁ ଏହି ମୋବାଇଲ କିମ୍ବା ଇମେଲ ରେ ପଠାଇଦିଅ –
WhatsApp No – 9438189779 / Email: swayamprava2025@gmail.com
ପୁରସ୍କାରର ବାବସ୍ଥା:
- ନିଜ ଗାଁ ସମ୍ପର୍କରେ ଲେଖିଥିବା ସମସ୍ତ ଛାତ୍ରଛାତ୍ରୀ ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ର ତରଫରୁ ପାଇବେ ଏକ ସାର୍ଟିଫିକେଟ୍ !
- ଗାଁ ସଂସ୍କୃତିର ସବୁ ବିଭାଗ ଲେଖା ହୋଇଥିବା ଖାତା ଗୁଡିକୁ www.samadhwani.com ରେ ପ୍ରକାଶ ପାଇବା ପାଇଁ ବ୍ୟବସ୍ଥା କରାଯିବ ।
- ସବୁଠୁ ଭଲ ଗବେଷଣା କରାଯାଇଥିବା ଓ ସଠିକ ନାମ, ବୟସ ଓ ତଥ୍ୟ ଥିବା ଲେଖା ଗୁଡିକୁ “ଆମ ଗାଁ ଆମ ଜୀବନ” ପୁସ୍ତକରେ ସ୍ଥାନ ଦିଆଯିବ । – ତଥ୍ୟର ସତ୍ୟାସତ୍ୟ ଜାଣିବାପାଇଁ ସ୍କୁଲ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନଙ୍କ ପରାମର୍ଶ ମଧ୍ୟ ନିଆଯିବ ।
- ନିଜ ଗାଁ ସମ୍ପର୍କରେ ସବୁଠାରୁ ଭଲ ଲେଖିଥିବା ଦଶଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯିବ ଓ ସେମାନଙ୍କ ଭିତରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥିବା ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରାଯିବ ।
ପୁରସ୍କାର ଚୟନ କମିଟି:
୧- ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟାନାୟକ
୨- ପ୍ରଫେସର ବୀରେନ୍ଦ୍ର ନାୟକ
୩- ସମଦୃଷ୍ଟି ମୁକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ଦେଶୀ ଚାଷୀ ଶ୍ରୀଯୁକ୍ତ ନଟବର ଷଡଙ୍ଗୀ
୪- ଡ. ସୁମିତ୍ରା ପଟେଲ
୫- ସମଦୃଷ୍ଟିର ସମ୍ପାଦକ ଶ୍ରୀଯୁକ୍ତ ସୁଧୀର ପଟ୍ଟନାୟକ
୬- ସମଧ୍ଵନିର ସମ୍ପାଦକ ତଥା ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ସ୍ଵୟଂପ୍ରଭା ପାଢୀ
ଆସନ୍ତୁ, ସମସ୍ତେ ଏହି ପ୍ରତିଯୋଗିତାରେ ଭାଗ ନେବା ଓ ଏକାଠି ଆମ ଗାଁ’ର କଥାକୁ ଦୁନିଆକୁ ଜଣେଇବା!
ଶୁଭେଛା ସହିତ