ବିଦଗ୍‌ଧ ମାଟି ବିମୁଗ୍‌ଧ ବିଭୂତି: ପାରଳାର ସଙ୍ଗୀତ ନାଟ୍ୟକୃତି

ସଂସ୍କୃତ ନାଟ୍ୟକାର କାଳିଦାସଙ୍କ ମତରେ “ପ୍ରୟୋଗ ପ୍ରଧାନ ହିଁ ନାଟ୍ୟ ଶାସ୍ତ୍ର।”

ଦେବାଶିଷ ମହାପାତ୍ର
244 Views
32 Min Read

ନାଟକ ହେଉଛି ଏକ ବୟୋଜ୍ୟେଷ୍ଠ କଳା। ସାହିତ୍ୟର ଅନ୍ୟାନ୍ୟ ବିଭବ ମଧ୍ୟରୁ ଏହା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। କାରଣ କବିତା, ଉପନ୍ୟାସ, ଗଳ୍ପ, ଜୀବନୀ, ଆତ୍ମଜୀବନୀ ପ୍ରଭୃତି ରଚନା ହୋଇସାରିବା ପରେ, ସେଗୁଡ଼ିକର କାର୍ଯ୍ୟ ସମାପ୍ତି ହୋଇଯାଏ। କିନ୍ତୁ ନାଟକଟିଏ ରଚନା ହୋଇସାରିବା ପରେ ହିଁ, ତାହାର ପ୍ରକୃତ କାର୍ଯ୍ୟ ଆରମ୍ଭ ହୁଏ। ସୁତରାଂ ନାଟକ ରଚନା ହେବା ପରେ ତାହା ନାଟ୍ୟଗୁରୁ ବା ନିର୍ଦ୍ଦେଶକ ନିକଟକୁ ପ୍ରେରଣ କରାଯାଏ ଏବଂ ନାଟକ ପରିବେଷଣ ବା ନାଟକ ମଞ୍ଚସ୍ଥ ହେବାର ସମସ୍ତ ଦାୟିତ୍ୱ ତାଙ୍କ ହାତରେ ନ୍ୟସ୍ତ କରାଯାଏ। ତେଣୁ ମଞ୍ଚ ସଫଳତା ହିଁ ନାଟକର ପ୍ରକୃତ ସଫଳତା ଭାବରେ ଗ୍ରହଣ କରାଯାଏ। ‘ନଟ୍‌’ ଧାତୁରେ ‘ଅ’ ପ୍ରତ୍ୟୟ ଯୋଗ ହୋଇ ନାଟ୍ୟ, ନାଟକ, ନାଟ ଓ ନଟ ଇତ୍ୟାଦି ଶବ୍ଦର ଉତ୍ପତ୍ତି ହୋଇଛି। କେତେକ ଗବେଷକଙ୍କ ମତରେ ପ୍ରଥମତଃ ନୃତ୍ୟ, ଦ୍ୱିତୀୟରେ ସଙ୍ଗୀତ ଏବଂ ପରବର୍ତ୍ତୀ କାଳରେ ଗଦ୍ୟ ଭାଷାର ଆରମ୍ଭ ହୋଇଛି। ନୃତ୍ୟରେ ମନୁଷ୍ୟର କଳାତ୍ମକ ଅଭିବ୍ୟକ୍ତି ରହିଥିବା ସମୟରେ ନାଟ୍ୟରେ ଏହାର ବିକଶିତ ରୂପ ଦେଖିବାକୁ ମିଳେ। ‘ନାଟ୍ୟ ଶାସ୍ତ୍ର’ ଗ୍ରନ୍ଥର ପ୍ରଣେତା ଭରତ ମୁନିଙ୍କ ମତରେ ବେଦବର ବ୍ରହ୍ମା ଜଗତର କଲ୍ୟାଣ ନିମନ୍ତେ ବେଦ ସୃଷ୍ଟି କରିଥିଲେ। କିନ୍ତୁ ଏହି ବେଦ ଜଗତର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବା ବ୍ରାହ୍ମଣଙ୍କ ନିକଟରେ ସୀମିତ ରହିଯିବା ଫଳରେ; ସମଗ୍ର ବର୍ଗର ଲୋକଙ୍କ ନିମନ୍ତେ ବ୍ରହ୍ମା ନାଟକ ବା ‘ପଞ୍ଚମ ବେଦ’ ସର୍ଜନା କରିଥିଲେ। ବେଦବର ଋଗ୍‌ବେଦରୁ ପାଠ୍ୟ (କଥାବସ୍ତୁ), ସାମବେଦରୁ ସଙ୍ଗୀତ, ଯଜୁଃବେଦରୁ ଅଭିନୟ, ଏବଂ ଅଥର୍ବ ବେଦରୁ ରସ ଗ୍ରହଣ କରି ଏହି ‘ପଞ୍ଚମ ବେଦ’ ବା ନାଟକ ସୃଷ୍ଟି କରିଥିଲେ। ଯାହା ଉଭୟ ଶ୍ରାବ୍ୟ ଓ ଦୃଶ୍ୟ ଶକ୍ତିର ସମନ୍ୱିତ ରୂପ। ସାହିତ୍ୟର କାବ୍ୟ -କବିତା ଓ ଅନ୍ୟାନ୍ୟ ବିଭବରେ କେବଳ ଶ୍ରବଣେନ୍ଦ୍ରିୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ନାଟକରେ ଦୃଶ୍ୟଶକ୍ତି ଓ ଶ୍ରାବ୍ୟ ଶକ୍ତି କାର୍ଯ୍ୟକ୍ଷମ ହୋଇଥାଏ। ତେଣୁ ଅନେକ ଆଳଙ୍କାରିକ ନାଟକକୁ ମିଶ୍ରକଳା ବୋଲି କହିଥାନ୍ତି।

Support Samadhwani

ସଂସ୍କୃତ ଆଳଙ୍କାରିକ ଗଣ ନାଟକକୁ ଦୃଶ୍ୟକାବ୍ୟ ଓ ରୂପକ ନାମରେ ମଧ୍ୟ ଅଭିହିତ କରନ୍ତି। ଆଳଙ୍କାରିକ ବାମନାଚାର୍ଯ୍ୟଙ୍କ ମତରେ “ଅଭିନୟାତ୍ମକ କାବ୍ୟ ନାଟ୍ୟମ୍‌”। ଅତଏବ ଗୀତ, ବାଦ୍ୟ, ନୃତ୍ୟ, ଅଭିନୟ ଆଦିର ଏକ ସମ୍ମିଶ୍ରିତ କଳାରୂପ ହେଉଛି ନାଟକ। ତେଣୁ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ଉପଯୁକ୍ତ ରଙ୍ଗମଞ୍ଚ, ଆଲୋକ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ନାଟକ ସର୍ବଦା ନିର୍ଭରଶୀଳ। ଏହି ଦୃଷ୍ଟିରୁ ନାଟକକୁ ଅନେକ ‘ସହଯୋଗମୂଳକ କଳା’, ପ୍ରୟୋଗାତ୍ମକ କଳା ଭାବେ ବିଚାର କରିଥାନ୍ତି। 231 ଅର୍ଥାତ୍ ପ୍ରୟୋଗ ବା ପରିବେଷଣର ଚାରୁତା ବା ରମଣୀୟତା ନାଟକର ରସୋତ୍ତୀର୍ଣ୍ଣତା ପାଇଁ ମୁଖ୍ୟତଃ ଦାୟୀ। ନାଟକ ରଚନା ଏବଂ ମଞ୍ଚ ପରିଚାଳନା କ୍ଷେତ୍ରରେ ନାଟ୍ୟକାର ତଥା ଅନ୍ୟ ସମସ୍ତ କର୍ମୀ ସାବଧାନତା ଅବଲମ୍ବନ କରନ୍ତି। ସାହିତ୍ୟର ଅନ୍ୟାନ୍ୟ ବିଭବ ଭଳି ନାଟକରେ ସ୍ୱମତ ଉପସ୍ଥାପନା କରିବାର ସ୍ୱାଧୀନତା ନାଟ୍ୟକାରଙ୍କ ନିକଟରେ ନଥାଏ। ତେଣୁ ସେ ବିଭିନ୍ନ ଚରିତ୍ର ଜରିଆରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥାନ୍ତି। ପ୍ରକାରାନ୍ତରେ ନାଟ୍ୟକାରଙ୍କ ଉପସ୍ଥାପନାଗତ ମାନସିକତା ରଙ୍ଗମଞ୍ଚରେ ନିୟନ୍ତ୍ରିତ ହୋଇଥାଏ। ସୁତରାଂ ଦର୍ଶକମାନଙ୍କ ରୁଚି, ରଙ୍ଗମଞ୍ଚର ପ୍ରକାର, ଅଭିନେତା ବା ଚରିତ୍ରମାନଙ୍କ ଅଭିନୟ, ନିର୍ଦ୍ଦିଷ୍ଟ ସମୟ ସୀମା ଭଳି ବହୁ କ୍ଷେତ୍ରରେ ନାଟକ ନିୟନ୍ତ୍ରିତ ହେଉଥିବା ଯୋଗୁଁ ନାଟ୍ୟ ସୃଷ୍ଟି ନିମନ୍ତେ ଏକ ଉତ୍ତମ ପ୍ରତିଭାର ଆବଶ୍ୟକତା ରହିଛି । ସମାଲୋଚକ ଈକ୍ଟଙ୍କକ୍ଷଗ୍ଧକ୍ଟଦ୍ଭଙ୍କ ମତରେ- “ଓଗ୍ଧ ସଗ୍ଦ ବ ଖସଗ୍ଧରକ୍ସବଗ୍ଧଙ୍କକ୍ସର ଗ୍ଧଷବଗ୍ଧ ଗ୍ଧବକ୍ଷଳ ବଦ୍ଭୟ ଙ୍ଗବକ୍ଷଳଗ୍ଦ ଭରଲକ୍ଟକ୍ସର କ୍ଟଙ୍କକ୍ସ ରଚ୍ଚରଗ୍ଦ.”। ତେଣୁ ସାହିତ୍ୟର ଅନ୍ୟାନ୍ୟ ବିଭବ ଅପେକ୍ଷା ନାଟକ ଅଧିକ ମାତ୍ରାରେ ସ୍ୱତନ୍ତ୍ର।

ଭାରତର ନାଟ୍ୟାଚାର୍ଯ୍ୟ ତଥା ନାଟ୍ୟାଲୋଚକମାନଙ୍କ ମତରେ ଭାରତରେ ବହୁ ଶତାବ୍ଦୀ ପୂର୍ବରୁ ନାଟକ ରଚନା ହୋଇଥିବା ସଙ୍ଗେସଙ୍ଗେ ଏହା ବିକଶିତ ରୂପ ମଧ୍ୟ ଧାରଣ କରିସାରିଥିଲା। ଭରତମୁନିଙ୍କ ନାଟ୍ୟଶାସ୍ତ୍ର ରଚନା ହୋଇଥିôବା ପୂର୍ବରୁ ହିଁ ଭାରତରେ ନାଟ୍ୟକଳା ପ୍ରତିଷ୍ଠା ଲାଭ କରିଛି; ଏଥିରେ ଆଦୌ ସଂଶୟ ନାହିଁ। ତେବେ ଶତାବ୍ଦୀ ଶତାବ୍ଦୀ ସମୟବ୍ୟାପୀ ବିକଶିତ କରିଥିବା ନାଟ୍ୟ କଳା ମଧ୍ୟରେ କେବେ ବିବର୍ତ୍ତନ କିମ୍ବା ପରିବର୍ତ୍ତନର ଗନ୍ଧ ବାରି ହୋଇନାହିଁ? ଯଦି ଭରତମୁନିଙ୍କ ଭାଷାରେ “ଲୋକବୃତ୍ତାନୁକରଣମ୍ ନାଟ୍ୟମ୍‌” ବା ଲୋକ ବୃତ୍ତର ସଫଳ ଅନୁକରଣ ହିଁ ନାଟକ; ତେବେ ଲୋକ ବୃତ୍ତରେ କିଛି ପରିବର୍ତ୍ତନର ଧାରା ସହସ୍ରବର୍ଷ ବ୍ୟାପୀ ଦେଖାଯାଇନାହିଁ! ନିଶ୍ଚିତ ଭାବେ ଏହିଭଳି ଏକ ବିଶାଳ କାଳଖଣ୍ଡ ମଧ୍ୟରେ ସାଧାରଣ ଲୋକଙ୍କ ଜୀବନଚର୍ଯ୍ୟା ମଧ୍ୟରେ ପରିବର୍ତ୍ତନ ଘଟିଛି ଏବଂ ଜୀବନ ସହ ତାଳ ଦେଇ ରୁଚିରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ଏହି ପରିବର୍ତ୍ତନ ହିଁ ଭାରତୀୟ ନାଟକ ମଧ୍ୟରେ ବିଭିନ୍ନ ୠକ୍ଟକ୍ସଜ୍ଞ ବା ଢାଞ୍ଚା ମାଧ୍ୟମରେ ନାଟକ ରଚନା କରିବାର ଆସ୍ପର୍ଦ୍ଧା ଦେଖାଯାଇଛି। ପ୍ରାଚୀନ କାଳରୁ ଅଦ୍ୟାବଧି ତଥା ଆଧୁନିକ କାଳରେ ମନୁଷ୍ୟ ଦଣ୍ଡାୟମାନ ହେବା ମଧ୍ୟରେ ଦେଖିଛି ନାଟକର ବିଭିନ୍ନ ଆଙ୍ଗିକ ଓ ଆତ୍ମିକ ରୂପ। ଲୀଳା, ସୁଆଙ୍ଗ, ଦାସକାଠି, ପାଲା ଭଳି ଲୋକ ନୃତ୍ୟ ଠାରୁ ଆରମ୍ଭ କରି ସଙ୍ଗୀତ ନାଟକ, ଆଧୁନିକ ନାଟକ, ପ୍ରତୀକାତ୍ମକ ନାଟକ, ଗୀତାଭିନୟ, ଗୀତିନାଟ୍ୟ, ଅପେରା ବା ଥିଏଟର ପର୍ଯ୍ୟନ୍ତ ସମସ୍ତ ୠକ୍ଟକ୍ସଜ୍ଞ ଏଥିରେ ଅନ୍ତର୍ଭୁକ୍ତ। ଏହି ସମସ୍ତ ନାଟ୍ୟରୂପ ମଧ୍ୟରେ ‘ସଙ୍ଗୀତ ନାଟକ’ ଅନ୍ୟତମ। ଏହି ସଙ୍ଗୀତ ନାଟକ ୧୮୬୦ ଖ୍ରୀ.ଅ. ଠାରୁ ଆରମ୍ଭ କରି ୧୯୫୦-୬୦ ଖ୍ରୀ.ଅ. ପର୍ଯ୍ୟନ୍ତ ସମସ୍ତ ଦକ୍ଷିର ଓଡ଼ିଶାର ନାଟ୍ୟ ମଣ୍ଡପ ଓ ନାଟ୍ୟପ୍ରେମୀଙ୍କୁ ଆଚ୍ଛନ୍ନ କରି ରଖିଥିଲା। ତେଣୁ ଏହି ସଙ୍ଗୀତ ନାଟକ ଧାରା ସମ୍ପର୍କରେ ବିଚାର ଓ ବିଶ୍ଲେଷଣ କରିବା ଏକାନ୍ତ ଜରୁରୀ।

ସଙ୍ଗୀତ ନାଟକ:

ସାହିତ୍ୟରେ ସଙ୍ଗୀତ ଓ ନାଟକ ଉଭୟ ଭିନ୍ନ ବିଭବ ଭାବରେ ପରିଗଣିତ। ସଙ୍ଗୀତକୁ ଗାନ କରି ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଉଥିବା ସମୟରେ ନାଟକକୁ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନା କରାଯାଏ। ତେବେ ସଙ୍ଗୀତ ଓ ନାଟକ ଏହି ଦୁଇଟି ଭିନ୍ନ ବିଭବକୁ ଏକତ୍ରୀତ କରି ସଙ୍ଗୀତ ନାଟକ ରଚନା ହେବାର ପରମ୍ପରା ଉତ୍କଳ ଭୂମିରେ ଏକଦା ସୃଷ୍ଟି ହୋଇଥିଲା। କେବଳ ଓଡ଼ିଆ ନୁହେଁ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ମଧ୍ୟ ସଙ୍ଗୀତ ନାଟକ ରଚନା ହୋଇଥିବା ଆମର ଦୃଷ୍ଟିଗୋଚର ହୁଏ। ତେଣୁ ଉତ୍କଳରୁ ଯେ ସଙ୍ଗୀତ ନାଟକ ପ୍ରଥମେ ସୃଷ୍ଟି ହୋଇଥିଲା, ଏହା କହିବା ଅସମ୍ଭବ। ସାଧାରଣତଃ ତେଲୁଗୁ, ତାମିଲ୍‌, ମରାଠୀ ଆଦି ପ୍ରାନ୍ତୀୟ ଭାଷାରେ ସଙ୍ଗୀତ ନାଟକ ଲେଖା ହୋଇଥିବା ପ୍ରମାଣ ରହିଛି। ସଙ୍ଗୀତ ନାଟକ ଯେ ସମ୍ପୂର୍ଣ୍ଣ ରୂପେ ପ୍ରାଚ୍ୟ ନାଟ୍ୟତତ୍ତ୍ୱ ଅନୁସୃତ; ଏହା ଅସ୍ୱୀକାର କରାଯାଇ ପାରିବ ନାହିଁ। ତେବେ ନାଟକ ଓ ଅଭିନୟ କଳା ସମ୍ପର୍କରେ ପୂର୍ବରୁ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି, ବର୍ତ୍ତମାନ ସଙ୍ଗୀତ ସମ୍ପର୍କରେ ଆଲୋଚନା କରିବା ବିଧେୟ। ସଙ୍ଗୀତ ଓ ଗୀତ ମାଧ୍ୟମରେ ପ୍ରଭେଦ ଦର୍ଶାଇବାକୁ ଯାଇ ଆଲୋଚକ ଡ.ଅଶୋକ କୁମାର ତ୍ରିପାଠୀ ନିଜର ନିବନ୍ଧ ନିଚୟ ପୁସ୍ତକ ମଧ୍ୟରେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଏକ ମତକୁ ଉଲ୍ଲେଖ କରିଛନ୍ତି- “କଳଶା ଚୌତିଶା ପରି ଦୀର୍ଘ ରଚନାକୁ ଉତ୍କଳୀୟମାନେ ଛାନ୍ଦ ବା ଗୀତ କହନ୍ତି; କିନ୍ତୁ ଶୃଙ୍ଖଳିତ ଏବଂ ନିର୍ଦ୍ଦିଷ୍ଟ ସ୍ୱରବଦ୍ଧ ଲଘୁ ରଚନାଗୁଡ଼ିକ ହିଁ ସଙ୍ଗୀତ।” ସୁତରାଂ, ଶୃଙ୍ଖଳିତ ଭାବରେ ରାଗ ଓ ତାଳର ପ୍ରୟୋଗ ହୋଇଥିବା ସହ ଶାସ୍ତ୍ରୀୟନିୟମାନୁସାରୀ କ୍ଷୁଦ୍ର ପଦ୍ୟ ହିଁ ସଙ୍ଗୀତ। ବର୍ତ୍ତମାନ ସଙ୍ଗୀତ ନାଟକର କେତୋଟି ପରିଭାଷାକୁ ଉଲ୍ଲେଖ କରିବା ପ୍ରୟୋଜନୀୟ ମନେହୁଏ।

Support Samadhwani

ନାଟ୍ୟ ଶାସ୍ତ୍ରର ପ୍ରଣେତା ଭରତମୁନିଙ୍କ ମତରେ –

“ଗୀତ ପ୍ରଯତ୍ନଃ ପ୍ରଥମତୁ କାର୍ଯ୍ୟଃ

ଶାମ୍ୟାହି ନାଟ୍ୟସ୍ୟ ବହନ୍ତି ଗୀତଂ

ଗୀତେ ଚ ବାଦ୍ୟେ ଚ ହି ସଂପ୍ରଯୁକ୍ତେ

ନାଟ୍ୟ ପ୍ରୟୋଗଃ ନ ବିପତ୍ତି ମେତି।”

(ନାଟ୍ୟଶାସ୍ତ୍ର ୪ର୍ଥ ଭାଗ, ୩୨/୪୯୩)

ଅର୍ଥାତ୍ ପ୍ରଥମେ ଗାନ ବିଷୟରେ ଯତ୍ନବାନ ହେବା ଉଚିତ। କାରଣ ଗାନକୁ ନାଟ୍ୟର ବିଶ୍ରାମ ସ୍ଥାନ ବୋଲି କୁହାଯାଇଛି। କଣ୍ଠ ଓ ବାଦ୍ୟର ସମନ୍ୱୟତାରେ ହିଁ ନାଟକ ବିପଦମୁକ୍ତି ରହିବ।

ସେହିପରି ‘ପ୍ରହଲ୍ଲାଦ ନାଟକ’ର ଉପୋଦ୍‌ଘାତରେ ସମ୍ପାଦକ ଭଗବାନ ପଣ୍ଡା ସଙ୍ଗୀତ ଶାସ୍ତ୍ର ମଧ୍ୟରୁ ସଙ୍ଗୀତର ଏକ ସଂଜ୍ଞା ନିରୂପଣ କରିଛନ୍ତି-

“ଗୀତବାଦ୍ୟ ନୃତ୍ୟ ତ୍ରୟଂ ନାଟ୍ୟ ତୌର୍ଯ୍ୟତ୍ରିକଂ ଯେତ୍‌

ସଙ୍ଗୀତ ପ୍ରେକ୍ଷାଣାର୍ଥେଽସ୍ମିନ୍ ଶାସ୍ତ୍ରୋକ୍ତ ନାଟ୍ୟ ଧର୍ମିକଃ।”

(ପ୍ରହ୍ଲାଦ ନାଟକ- ରାମକୃଷ୍ଣ ଛୋଟରାୟ, ୧୧ ପୃଷ୍ଠା)

ଅର୍ଥାତ୍ ଗୀତ, ବାଦ୍ୟ, ନୃତ୍ୟ – ଏହି ତୌର୍ଯ୍ୟତ୍ରିକ ହିଁ ସଙ୍ଗୀତ ଏବଂ ଏହା ନାଟ୍ୟ ଧର୍ମିକା।

ପୁନଶ୍ଚ ସଙ୍ଗୀତ ପ୍ରାଣ ନାଟକ ସମ୍ପର୍କରେ ଆଲୋଚକ ଧୀରେନ୍ ଦାଶ ନିଜର ‘ଓଡ଼ିଶାର ଜାତରା’ ପୁସ୍ତକରେ ମତ ପ୍ରଦାନ କରିଛନ୍ତି- “ସଙ୍ଗୀତ ବହୁଳ ହେଲେ ଏହା ନାଟକ ନୁହେଁ ବୋଲି କେତେକ ତଥାକଥିତ ଥିଏଟର୍ ପ୍ରେମୀ ଏକ ଅତି ହାସ୍ୟାସ୍ପଦ ମତପୋଷଣ କରିଥାନ୍ତି। କିନ୍ତୁ ପ୍ରକୃତ ପକ୍ଷରେ ନାଟକ ସମ୍ପୂର୍ଣ୍ଣ ଭାବେ ସଙ୍ଗୀତପୂର୍ଣ୍ଣ ହେଲେ କୌଣସି କ୍ଷତି ନାହିଁ ବା ବାରଣ ନାହିଁ। ଅନ୍ୟତ୍ର କହିଛି ଯେ, ନାଟକକୁ ନୃତ୍ୟରେ ପରିବେଷଣ କରାଯାଏ ବୋଲି ଶାସ୍ତ୍ର ଉଲ୍ଲେଖ ଅଛି। ନାଟ୍ୟ ଶବ୍ଦଟି ନୃତ୍ୟ, ସଙ୍ଗୀତ ଓ ଅଭିନୟ ସମସ୍ତର ଏକତ୍ର ସମାବେଶ। ନୃତ୍ୟ କିମ୍ବା ସଙ୍ଗୀତ ବିନା ଅଭିନୟ ସମ୍ଭବ। ଅଭିନୟ ବିନା ନୃତ୍ୟ ସମ୍ଭବ। ନୃତ୍ୟ କିମ୍ବା ସଙ୍ଗୀତ ବିନା ନାଟକ ଅସମ୍ଭବ, ସେହିପରି ନାଟ୍ୟ ପାଇଁ ନୃତ୍ୟ, ସଙ୍ଗୀତ, ଅଭିନୟ ପ୍ରତ୍ୟେକ ଅପରିହାର୍ଯ୍ୟ।

ସେହିପରି ଆଲୋଚକ ଡ.ଦାଶରଥି ଦାସ ସାହିତ୍ୟ ଓ ସଙ୍ଗୀତ ମଧ୍ୟରେ ରହିଥିବା ସମ୍ପର୍କକୁ ‘ସାହିତ୍ୟ କୋଷ’ ପୁସ୍ତକର ‘ସଙ୍ଗୀତ ଓ ସାହିତ୍ୟ’ ଶୀର୍ଷକ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି- “ସାହିତ୍ୟ ସଙ୍ଗୀତ ନୁହେଁ, ସଙ୍ଗୀତ ବି ସାହିତ୍ୟ ନୁହେଁ। ଉଭୟ କିନ୍ତୁ ଅନ୍ୟୋଽନ୍ୟନିର୍ଭର। ସଙ୍ଗୀତ ବିନା ସାହିତ୍ୟ ପଙ୍ଗୁ। ଆଉ ସାହିତ୍ୟ ବିନା ସଙ୍ଗୀତ ଅନ୍ଧ। ସାହିତ୍ୟର ଗତି ସୌନ୍ଦର୍ଯ୍ୟ ଚାହେଁ। ବିଶେଷତଃ କାବ୍ୟ କବିତା ସଙ୍ଗୀତାତ୍ମକ ହେବାକୁ ପ୍ରାଣାନ୍ତକ ଉଦ୍ୟମ କରନ୍ତି। ଗଦ୍ୟ ବି କେଉଁଠି ନା କେଉଁଠି ଛନ୍ଦକୁ ବରଣ କରି ନେଇଥାଏ। ସାହିତ୍ୟର ସଙ୍ଗୀତ ହେବା ଉଦ୍ୟମ ହିଁ ତାହାର ଆବେଦନକୁ ଯଥେଷ୍ଟ ବଢ଼ାଇ ଦେଇଥାଏ। ସଙ୍ଗୀତ ବି ସାହିତ୍ୟର ଭାବ ମାଧୁର୍ଯ୍ୟ ଚାହେଁ ସଙ୍ଗୀତର ସାହିତ୍ୟ ହୋଇ ଉଠିବା ଉଦ୍ୟମ ତାହାର ଭାବ ଉଦ୍ରେକ କରିବା କ୍ଷମତା ବଢ଼ାଇ ଦେଇଥାଏ। ସାହିତ୍ୟ ଓ ସଙ୍ଗୀତ କିପରି ସମ୍ମିଳିତ ଉଦ୍ୟମରେ ରଚନାକୁ ଉତ୍କର୍ଷ ପ୍ରଦାନ କରିଥାନ୍ତି, ତାହା ‘ଗଲାଣିତ କଥା ଗଲାରେ ସଙ୍ଗାତ’ ସଙ୍ଗୀତ ଉପଲକ୍ଷେ କବି ରାଧାନାଥ ବୁଝାଇଛନ୍ତି। ଶୁଣିଲା ମାତ୍ରେ ଭାବାନ୍ତର ଜାତ ହୁଏ। ଆଉ ମନ ସଙ୍ଗୀତ ଆବେଗରେ ଅତିନ୍ଦ୍ରୀୟ ଦେଶରେ ବିଚରଣ କରିଥାଏ।”

ଆଲୋଚକ ଡ.ଅଶୋକ କୁମାର ତ୍ରିପାଠୀଙ୍କ ମତରେ “ଗଦ୍ୟପଦ୍ୟମୟୀ ଦୃଶ୍ୟକାବ୍ୟ ହିଁ ନାଟକ। ନାଟକରେ ଗଦ୍ୟ ଯେତିକି ଆବଶ୍ୟକ ପଦ୍ୟ ସେତିକି ଜରୁରୀ।”

ଉପରୋକ୍ତ ସଂଜ୍ଞାଗୁଡ଼ିକ ମଧ୍ୟରୁ ସ୍ପଷ୍ଟ ଜଣାପଡ଼େ ସାହିତ୍ୟ ସହ ସଙ୍ଗୀତର ସମ୍ପୃକ୍ତି ଯେପରି ଅନିବାର୍ଯ୍ୟ, ନାଟ୍ୟ ସହ ସଙ୍ଗୀତର ସମ୍ପର୍କ ମଧ୍ୟ ଅତ୍ୟନ୍ତ ଘନିଷ୍ଠ। ତେବେ ଉତ୍କଳର ସଙ୍ଗୀତ ନାଟକର ପୃଷ୍ଠଭୂମି ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା ବିଧେୟ।

ଉତ୍କଳରେ ସଙ୍ଗୀତ ନାଟକର ପୃଷ୍ଠଭୂମି:

କୌଣସି ଏକ ନାଟ୍ୟ ପରମ୍ପରା ବା ଧାରା ହଠାତ ସୃଷ୍ଟି ହୋଇନଥାଏ। ପୂର୍ବ ସଙ୍ଗଠିତ କିଛି ଘଟଣା ଏବଂ ସାଂସ୍କୃତିକ ଓ ସାମାଜିକ ଆବେଦନ ହିଁ ସାହିତ୍ୟ ମଧ୍ୟରେ ଏକ ନୂତନ ପରମ୍ପରା ସୃଷ୍ଟି ହେବା ନିମନ୍ତେ ପ୍ରେରଣା ଯୋଗାଏ। ପ୍ରଥମ ଓଡ଼ିଆ ନାଟକ ତଥା ସଙ୍ଗୀତ ନାଟକ ରଘୁନାଥ ପରିଚ୍ଛାଙ୍କ। ‘ଶ୍ରୀରାଧା ଗୋପୀନାଥ ବଲ୍ଲଭ ନାଟକ’ ଭାବେ ସୃଷ୍ଟି ହେଲେ ହେଁ, ଏହା ପୂର୍ବରୁ ଉତ୍କଳରେ ସଂସ୍କୃତ ଭାଷାରେ ସଙ୍ଗୀତ ନାଟକ ରଚନାର ଏକ ସୁରମ୍ୟ ପରମ୍ପରା ବିଦ୍ୟମାନ ଥିଲା। ଏହି କ୍ରମରେ ରାଜା କପିଳେନ୍ଦ୍ର ଦେବଙ୍କ ‘ପରଶୁରାମ ବିଜୟ’ ଓ ରାୟ ରାମାନନ୍ଦଙ୍କ ‘ଶ୍ରୀଜଗନ୍ନାଥ ବଲ୍ଲଭ’ ନାଟକ ଦ୍ୱୟକୁ ଆଲୋଚନାର ପରିସରଭୁକ୍ତ କରାଯାଇପାରେ। ଉତ୍କଳୀୟ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ଜଣେ ପ୍ରଜାବତ୍ସଳ ରାଜା ସହ ଉତ୍କଳୀୟ ଭାଷାନୁରାଗୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କ ଶାସନ କାଳ ମଧ୍ୟରେ ହିଁ ସାରଳା ଦାସଙ୍କ ଦ୍ୱାରା ଓଡ଼ିଆ ସାହିତ୍ୟର ମୂଳଭିତ୍ତି ସ୍ଥାପିତ ହୋଇଥିଲା। ଏପରିକି ସାହିତ୍ୟାନୁରାଗୀ ରାଜା ମଧ୍ୟ ‘ପରଶୁରାମ ବିଜୟ’ ନାମରେ ଖଣ୍ଡେ ସଂସ୍କୃତ ନାଟକ ରଚନା କରି ସେଥିମଧ୍ୟରେ ଓଡ଼ିଆ ସଙ୍ଗୀତକୁ ସଂଯୋଜିତ କରିଥିଲେ। ସଂସ୍କୃତ ନାଟକ ମଧ୍ୟରେ ଶାସ୍ତ୍ରୀୟ ରାଗ ତାଳଯୁକ୍ତ ଓଡ଼ିଆ ସଙ୍ଗୀତର ପ୍ରୟୋଗ କରି ନିଜର ମାତୃଭାଷା ପ୍ରୀତିର ସଂକେତ ପ୍ରଦାନ କରିଥିଲେ। ସେହି ସଙ୍ଗୀତରୁ ଏକ ଦୃଷ୍ଟାନ୍ତ ମଧ୍ୟରେ ଏଠାରେ ପ୍ରଦାନ କରାଗଲା।

କେବଣ ମୁନି କୁମର, ପରଶୁ ଦକ୍ଷିଣକର

ବାମେଣ ଶୋହେ ଧନୁଶର ନା

କୋପେଣ ବୋଲଇ ବୀର ତ, ତୁଯେ ମୋ ବାଧିଲୁ ତାତ

ଆଜ ତୋର ଛେଦିବଇଁ ମଥା ନା

ଶୁଣ ରାଜନ ହୋ, କିଏ ତୋର ରାଜ୍ୟେ ବ୍ରହ୍ମ ବଧେ ନା।(୧)

ଏତୋର ଚନ୍ଦ୍ରବଦନ, ମେଘକି ଢ଼ାଙ୍କିଲା ଜହ୍ନ

ତାହା ଦେଖି ବିଚଳ ମୋ ମନ ନା

ଆବର ଦେଖ ଅରଷ୍ଟି, ରାଜ୍ୟ ତୋ ରୁଧିର ବୃଷ୍ଟି

ପୁର ବେଢ଼ି ରୋଦନ୍ତି ଶୃଗାଳ ନା।”

ଏହି ସଙ୍ଗୀତ ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରିବାକୁ ଯାଇ କହିଛନ୍ତି- “ଏହି ଗୀତରୁ ପ୍ରତୀତ ହୁଏ ଯେ, ବୌଦ୍ଧଗାନ ଓ ଦୋହା – ଯୁଗରୁ ଧାର୍ମିକ ଗୀତ ଏବଂ ପୁରାଣାଦି ଦାଣ୍ଡୀ ବୃତ୍ତରେ ଲିଖିତ ହେବା ସତ୍ତ୍ୱେ ନିର୍ଦ୍ଦିଷ୍ଟ ସ୍ୱରବଦ୍ଧ ସଙ୍ଗୀତର ଅଭାବ ନଥିଲା।”

ପରଶୁରାମ ବିଜୟ ପରେ ଦ୍ୱିତୀୟ ନାଟକ ଭାବେ କବି ‘ରାୟ ରାମାନନ୍ଦ’ଙ୍କ ‘ଶ୍ରୀ ଜଗନ୍ନାଥ ବଲ୍ଲଭ’ ସଙ୍ଗୀତ ନାଟକ ପ୍ରତୀୟମାନ ହୁଏ। ଏହି ନାଟକ ମଧ୍ୟରେ ନାଟ୍ୟକାର ଯତ୍ନବାନ ଭାବେ ସଙ୍ଗୀତ ନାଟକ ଶବ୍ଦର ପ୍ରୟୋଗ କରିଛନ୍ତି। ଯଥା-

“ଶ୍ରୀରାମାନନ୍ଦରାୟେଣ କବିନାଂ ତତ୍ତତ୍‌ଗୁଣାଳଙ୍କୃତଂ

ଶ୍ରୀଜଗନ୍ନାଥବଲ୍ଲଭ ନାମ ଗଜପତି ପ୍ରତାପରୁଦ୍ର ପ୍ରିୟଂ।

ରାମାନନ୍ଦ ସଙ୍ଗୀତ ନାଟକଂ ନିର୍ମାୟ ସମର୍ପିତ ମଭିନେଷ୍ୟଶମି।”

ଏହି ନାଟକରେ ବହୁ ଚତୁଷ୍ପାଦୀ ଶ୍ଲୋକ ଥିବା ସମୟରେ ୨୦ଟି ରାଗ ପ୍ରୟୋଗ ହୋଇଥିବା ସହ ୨୧ଟି ସଙ୍ଗୀତ ସଂଯୁକ୍ତ ହୋଇଛି ଏବଂ ନାଟକ, କେଦାର, ବସନ୍ତ, ଗୋଣ୍ଡିକିରୀ, ଗାନ୍‌ଧାର, ସମତୋଡ଼ି, ମହ୍ଲାର, ସୁହୟା, ଦେଶାଗ, କର୍ଣ୍ଣଟ, ମାଳବ, ଦୁଃଖିବରାଡ଼ି, ସମତୋଡ଼ି, ରାମକୋଳି, ମାଳବଶ୍ରୀ, ସୁଖସିନ୍ଦୁଡ଼ା, ଆହାରୀ, ଲଳିତ, ମଙ୍ଗଳଗୁଜ୍ଜରୀ ଆଦି ରାଗ ପ୍ରୟୋଗ ହୋଇଥିବା ଦେଖାଯାଏ।

ଅଧ୍ୟାପିକା ବିଷ୍ଣୁପ୍ରିୟା ଓତା ଏହି ନାଟକ ସମ୍ପର୍କରେ ଉଲ୍ଲେଖ କରିଛନ୍ତି “ପରବର୍ତ୍ତୀ କାଳରେ ଓଡ଼ିଶାର ସଂସ୍କୃତ ନାଟ୍ୟ ସାହିତ୍ୟକୁ ଏହା କିପରି ପ୍ରଭାବିତ ବା ଅନୁପ୍ରାଣିତ କରିଛି, ତାହା ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀର କବିଭୂଷଣ, ଗୋବିନ୍ଦ ସାମନ୍ତରାୟଙ୍କ ‘ସମୃଦ୍ଧ ମାଧବ ନାଟକମ୍‌’ ଚନ୍ଦ୍ରଶେଖର ରାଜଗୁରୁଙ୍କ ‘ମଥୁରାନିରୁଦ୍ଧ ନାଟକମ୍‌’, କବିରତ୍ନ ସଦାଶିବ ଉଦ୍‌ଗାତାଙ୍କ ‘ପ୍ରମୁଦିତ ଗୋବିନ୍ଦ ନାଟକମ୍‌’ ପ୍ରଭୃତିରୁ ଜଣାପଡ଼େ। ରାଧାକୃଷ୍ଣଙ୍କ ଲୀଳା ବିଷୟ ଘେନି ଏହି ନାଟକଗୁଡ଼ିକ ରଚିତ ଏବଂ ଏଗୁଡ଼ିକ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ‘ଶ୍ରୀଜଗନ୍ନାଥ ବଲ୍ଲଭ ନାଟକମ୍‌’ର ପ୍ରଭାବ ପଡିଥିବା ସମୀକ୍ଷକ ପଣ୍ଡିତମାନେ ମତ ପ୍ରଦାନ କରିଥାନ୍ତି। (ଶ୍ରୀ ଜଗନ୍ନାଥ ବଲ୍ଲବ ନାଟକ- ସମୀକ୍ଷା ଓ ଅନୁବାଦ ବିଷ୍ଣୁପ୍ରିୟା ଓତା)

ସଙ୍ଗୀତ ନାଟକର ପୃଷ୍ଠଭୂମି ଯେ ପୂର୍ବରେ ଉତ୍କଳରେ ନଥିଲା, ଏହା କୁହାଯାଇପାରିବ ନାହିଁ। ଅଧିକନ୍ତୁ ଏତିକି କୁହାଯାଇପାରେ ପାରଳା ଅଧିବାସୀ କବିଚନ୍ଦ୍ର ରଘୁନାଥ ପରିଚ୍ଛା। ସଙ୍ଗୀତ ‘ଶ୍ରୀ ରାଧା ଗୋପୀନାଥ ବଲ୍ଲଭ ନାଟକ’ ଓଡ଼ିଆ ଭାଷାରେ ରଚିତ ପ୍ରଥମ ସଙ୍ଗୀତ ନାଟକ। ବର୍ତ୍ତମାନ ସଙ୍ଗୀତ ନାଟକର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରିବା ଅପରିହାର୍ଯ୍ୟ।

ସଙ୍ଗୀତ ନାଟକର ବୈଶିଷ୍ଟ୍ୟ:

ବିଭିନ୍ନ ଦୃଷ୍ଟିକୋଣରୁ ସମାଲୋଚକଗଣ ସଙ୍ଗୀତ ନାଟକର ଅନେକ ବୈଶିଷ୍ଟ୍ୟ ନିରୂପଣ କରିବା ନିମନ୍ତେ ଉଦ୍ୟମ କରିଛନ୍ତି। ଏପରିକି ପଦ୍ୟ ଭାବେ ଓଡ଼ିଆ ନାଟକର ବିଭିନ୍ନ ୠକ୍ଟକ୍ସଜ୍ଞ ବା ରୂପ ରହିଥିବା ହେତୁ ସଙ୍ଗୀତ ନାଟକ, ଗୀତିନାଟ୍ୟ, ଗୀତାଭିନୟ, କାବ୍ୟ ନାଟିକା ଓ ବିଭିନ୍ନ ଲୋକନାଟକକୁ ସଙ୍ଗୀତ ନାଟକ ଭାବେ ଆଲୋଚନା କରିଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଏକାନ୍ତ ନିର୍ଭୁଲ ଭାବେ ନାଟ୍ୟାଲୋଚକ ଡ.ଅଶୋକ କୁମାର ତ୍ରିପାଠୀ ନିରୂପଣ କରିଥିବା କେତେକ ସାଧାରଣ ଲକ୍ଷଣକୁ ଏଠାରେ ପ୍ରଦ କରାଗଲା। ଯଥା-

୧.         “ସଙ୍ଗୀତ ନାଟକଗୁଡ଼ିକ ବିଶୁଦ୍ଧ ବିଦଗ୍‌ଧ- ମଞ୍ଚନାଟକ।

୨.         ଏଗୁଡ଼ିକ ସଙ୍ଗୀତପ୍ରାଣ ଓ ସଙ୍ଗୀତବହୁଳ ନାଟକ।

୩.         ତାଳ, ନୃତ୍ୟ ଏହାର ଅନ୍ୟତମ ବିଭବ।

୪.         ଏଗୁଡ଼ିକରେ ଗଦ୍ୟ ସଂଳାପର ଅଭାବ ନାହିଁ। ଯଦିଚ ତାହା ପ୍ରଥମ ପର୍ଯ୍ୟାୟରେ ସଂସ୍କୃତ ନାଟକର ଗଦ୍ୟତୁଲ୍ୟ ଆଡ଼ମ୍ବରପୂର୍ଣ୍ଣ: କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସେଥିରେ ସରଳ ଶବ୍ଦ ଓ ସଂକ୍ଷିପ୍ତ ବାକ୍ୟ ବିନ୍ୟାସ ରୀତି ଅନୁସୃତ।

୫.         ଏଗୁଡ଼ିକ ଭାରତୀୟ ନାଟ୍ୟ ଶୈଳୀର ବହୁ ଆଙ୍ଗିକ ଅନୁସରଣ କରିଛନ୍ତି।

୬.         ଏହାର ବିଷୟବସ୍ତୁ ପ୍ରାୟତଃ ଖ୍ୟାତବୃତ୍ତ: ପୌରାଣିକ ଆଖ୍ୟାନ ଆଧାରିତ। କ୍ୱଚିତ୍ ଐତିହାସିକ ଓ କାଳ୍ପନିକ ବିଷୟଭିତ୍ତିକ।

୭.         ଗଦ୍ୟ ସଂଳାପରେ ଲୋକ ଭାଷାର ରମଣୀୟ ପ୍ରୟୋଗ ସ୍ଥାନେ ସ୍ଥାନେ ଦେଖିବାକୁ ମିଳେ।

୮.         ଉତ୍କଳର ଦକ୍ଷିଣାଂଶରେ ଏହି ନାଟକର ଉଦ୍ଭବ ଓ ବିକାଶ ହେତୁ ଏଥିରେ ହିନ୍ଦୁସ୍ଥାନୀ ଏବଂ ଓଡ଼ିଶୀ ରାଗ, ତାଳ ସହିତ ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶରେ ପ୍ରଚଳିତ କର୍ଣ୍ଣାଟକୀ ରାଗ, ତାଳ କିମ୍ବା କର୍ଣ୍ଣାଟକୀ ଗାୟନ ପଦ୍ଧତିର ମିଶ୍ରଣ ଘଟିଛି।

୯.         ଏହାର ଦୀର୍ଘ କଳେବର ଅନୁଯାୟୀ ମଞ୍ଚାୟନ ଅବଧି ମଧ୍ୟ ସୁଦୀର୍ଘ। ଗୋଟିଏ ରାତ୍ରିର ଅଭିନୟ ମଧ୍ୟରେ ସୀମିତ କରିବା ପାଇଁ କେହି କେହି ଏହାର କଳେବର ସଂକ୍ଷିପ୍ତ କରିଛନ୍ତି।

୧୦.      ଏଥିରେ ସନ୍ନିବିଷ୍ଟ ଗୀତଗୁଡ଼ିକ ସଙ୍ଗୀତଶାସ୍ତ୍ର ପ୍ରକାରେ ଧ୍ରୁୁବପାଞ୍ଚାଳୀ ଶ୍ରେଣୀୟ। ଅର୍ଥାତ୍ ଧ୍ରୁବପଦଯୁକ୍ତ ବହୁପଦ ବିଶିଷ୍ଟ: ଧ୍ରୁବପଦକୁ ମିଶାଇ ଦୁଇରୁ ପାଞ୍ଚପଦ ବିଶିଷ୍ଟ ଲଘୁରଚନା।

୧୧.      ସଙ୍ଗୀତ ସଞ୍ଚାଳନ ବେଳେ ପାଳି ଧରିବା ବ୍ୟବସ୍ଥା ପ୍ରାୟତଃ ଦେଖାଯାଏ।

୧୨.      ଦକ୍ଷିଣ ଓଡ଼ିଶାର ଗଡ଼ଜାତି ରାଜାମାନେ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ କୃତି ରଚନା କରିଛନ୍ତି, ଅଥବା ଆଶ୍ରିତକବି -ପଣ୍ଡିତମାନଙ୍କ ଦ୍ୱାରା ଲେଖାଇଛନ୍ତି ଏବଂ ସଙ୍ଗୀତଜ୍ଞମାନଙ୍କ ସହାୟତାରେ ଆପଣା ରଙ୍ଗାଳୟରେ ସର୍ବପ୍ରଥମେ ମଞ୍ଚନ କରାଇଛନ୍ତି। କିଛି ରାଜଭକ୍ତ ନାଟ୍ୟକାର ରାଜାଙ୍କ ନାମରେ ଭଣତି କରି ସଙ୍ଗୀତ ନାଟକ ଲେଖିଥିବା ମଧ୍ୟ ଦେଖାଯାଏ।

୧୩.      ଏଗୁଡ଼ିକ ଅତ୍ୟନ୍ତ ବ୍ୟୟବହୁଳ ନାଟକ। ସୁତରାଂ ବହୁ ନାଟକ ରାଜ ପୃଷ୍ଠପୋଷକତା ହରାଇବା ପରେ ସାଧାରଣ ସମାଜରେ ମଞ୍ଚନ -ସୁଯୋଗ ପାଇନାହାନ୍ତି। କିନ୍ତୁ କେତେକ ଭାଗ୍ୟଶାଳୀ ନାଟ୍ୟକୃତି ରାଜପ୍ରାଙ୍ଗଣରୁ ଆସି ଗ୍ରାମ୍ୟ ସମିତିର ପୃଷ୍ଠପୋଷକତା ଲାଭକରି ଲୋକନାଟକ ରୂପରେ ଆଜିବି ଦକ୍ଷିଣ ଓଡ଼ିଶାର ଗ୍ରାମ୍ୟ ଦାଣ୍ଡରେ ସଗୌରବ ମଞ୍ଚସ୍ଥ ହୋଇଆସୁଛି। ଯଥା- ‘ପ୍ରହ୍ଲାଦ ନାଟକ’, ‘ରାମନାଟକ’ ପ୍ରଭୃତି।

୧୪.      ରାଗ, ତାଳ, ବଦ୍ଧ ମାର୍ଗୀ ସଙ୍ଗୀତ ରଚନା ଯେତିକି କଷ୍ଟକର ସେଗୁଡ଼ିକର ଶୁଦ୍ଧତା ରକ୍ଷଣ ପୂର୍ବକ ନାଟ୍ୟ ମଞ୍ଚନ କାଳରେ ତାକୁ ପରିବେଷଣ କରିବା ତତୋଧିକ ଦୁଃସାଧ୍ୟ। ଏହି ସମସ୍ୟାର ସମାଧାନ ନିମିତ୍ତ ନାଟ୍ୟକାରମାନେ ଗୀତଟିଏ ରଚନା କଲାବେଳେ ଯେଉଁ ରାଗ, ତାଳ ଗ୍ରହଣ କରନ୍ତି, ସେହିରାଗ, ତାଳରେ ପୂର୍ବରୁ ରଚିତ ହୋଇ ପ୍ରସିଦ୍ଧି ପାଇଥିବା ଗୀତର ସୂଚନା ଦେଇ ସେଥିପ୍ରତି ଗାଇବା ଲାଗି ଇଙ୍ଗିତ କରିଥାନ୍ତି।” (ନିବନ୍ଧ ନିଚୟ, ଡ. ଅଶୋକ କୁମାର ତ୍ରିପାଠୀ)

ଉପରୋକ୍ତ ଲକ୍ଷଣଗୁଡ଼ିକ ହିଁ ସଙ୍ଗୀତ ନାଟକକୁ ପରୀକ୍ଷଣ ଓ ନିରୀକ୍ଷଣ କରିବା ନିମନ୍ତେ ଏକ ମାପକାଠି ସଦୃଶ୍ୟ କାର୍ଯ୍ୟ କରିବ।

ସାହିତ୍ୟ ଓ ସଂସ୍କୃତିର ସୃଜନଶାଳା- ପାରଳା:

ଉତ୍କଳ ଭୂଖଣ୍ଡର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଧାର୍ମିକ ଓ ସାହିତ୍ୟିକ ପ୍ରେକ୍ଷାପଟ୍ଟକୁ ଆଲୋଚନା କରିବା ସମୟରେ ପାରଳା ତଥା ଆଧୁନିକ ପାରଳାଖେମୁଣ୍ଡିକୁ ଅଣଦେଖା କରାଯାଇପାରିବ ନାହିଁ। ଓଡ଼ିଶାର ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ ହେଉଥିବା ପାରଳା ଦକ୍ଷିଣ ସୀମାନ୍ତରେ ରହିଥିଲେ ହେଁ ନିଜସ୍ୱ ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ସ୍ୱତନ୍ତ୍ରତା ଦ୍ୱାରା ମହିମାମଣ୍ଡିତ। ପ୍ରାଚୀନ କାଳରୁ ଅଦ୍ୟାବଧି ବହୁ ପଣ୍ଡିତ, କୋବିଦ ଓ ଜ୍ଞାନଦୀପ୍ତ ବ୍ୟକ୍ତିମାନଙ୍କର ଲୀଳା ଖେଳାର ଭୂମି ଭାବରେ ଏହି ପାରଳା ଭୂମିର ମହାନ ଇତିହାସର ଏକ ସ୍ୱତନ୍ତ୍ର ପୃଷ୍ଠା ମଧ୍ୟରେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇରହିଛି। ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ, ଉତ୍କଳୀୟ ନବଜାଗରଣର ବିକାଶ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆଦି ବିଭିନ୍ନ କ୍ଷେତ୍ର ପ୍ରତି ଏହି ମାଟି ଏବଂ ଏହି ମାଟିର ମହାପୁରୁଷମାନଙ୍କ ଅବଦାନ ଅତୁଳନୀୟ। ଏପରିକି ନବଜାଗରଣ କାଳରେ ଦେଖାଯାଇଥିବା ସାହିତ୍ୟ ଆନ୍ଦୋଳନରେ ମଧ୍ୟ ଏହି ଅଞ୍ଚଳ ତଥା ଏହି ଅଞ୍ଚଳର ସାହିତ୍ୟିକମାନଙ୍କ ଭୂମିକା ବେଶ୍ ଗୁରୁତ୍ୱବହନ କରେ। ଓଡ଼ିଶାରେ ରଙ୍ଗମଞ୍ଚ ଆନ୍ଦୋଳନ ବା ନାଟ୍ୟାନ୍ଦୋଳନ ସମୟରେ ପାରଳାରେ ବୈଷ୍ଣବଦାୟିନୀ ସଭା ଓ ପଦ୍ମନାଭ ରଙ୍ଗାଳୟ ପ୍ରତିଷ୍ଠା ହୋଇଥିଲା। ଏହି ପ୍ରସଙ୍ଗରେ ପାରଳାର ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ମନ୍ତବ୍ୟ ହେଲା- “ଏହି ରାସ ମଣ୍ଡପଟି ଦେଖିବାକୁ ସାଦାସିଧା, କିନ୍ତୁ ଏହା ପଛରେ ଛପି ରହିଛି ଓଡ଼ିଶାର ରଙ୍ଗମଞ୍ଚ ଆନ୍ଦୋଳନର ଅନେକ ମରମଗାଥା। ଆପନ୍ନା ପରିଚ୍ଛାଙ୍କ ନବାନୁରାଗ, ସିଂହାଦ୍ରି ପରିଚ୍ଛାଙ୍କ ନବୋତ୍କଣ୍ଠା, ସତ୍ୟନାରାୟଣ ରାଜଗୁରୁଙ୍କ ରାଧାଭିଷେକ ଇତ୍ୟାଦି ଅନେକ ନାଟକର ସଫଳ ଅଭିନୟ ଏହି ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡିରେ ରଙ୍ଗମଞ୍ଚ ଆନ୍ଦୋଳନ ସହ ଆପନ୍ନା ପରିଚ୍ଛା ଓ ପରିଚ୍ଛା ମଠ କିଭଳି ଭାବେ ସମ୍ବନ୍ଧିତ ଥିଲେ ସେଥିର ସମ୍ପୂର୍ଣ୍ଣ ବିବରଣୀ ଦେଲେ ତାହା ହେବ ଅର୍ଦ୍ଧଶତାବ୍ଦୀର ରଙ୍ଗମଞ୍ଚର ଇତିହାସ।” (ପାରଳାର ପରିଚ୍ଛା ମଠ ଓ ଜାତିପ୍ରାଣ ଆପନ୍ନା ପରିଚ୍ଛା – ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୃଷ୍ଠା-୬୧)

ଓଡ଼ିଆ ନାଟ୍ୟ ଓ ରଙ୍ଗମଞ୍ଚ ଆନ୍ଦୋଳନ ସମୟରେ ପାରଳାରେ ଦୁଇଟି ରଙ୍ଗମଞ୍ଚ ରହିଥିବା ସୂଚନା ମିଳେ। ଏହି ପ୍ରସଙ୍ଗରେ ମଧ୍ୟ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ମତକୁ ଉଦ୍ଧାର କରାଯାଇପାରେ – “୧୯୧୫ ଖ୍ରୀଷ୍ଟାବ୍ଦରେ ଆପନ୍ନା ପରିଚ୍ଛା ମହାରାଜାଙ୍କ ସହ କେତେକ ନୀତିଗତ ମତଭେଦ କାରଣରୁ ପଦ୍ମନାଭ ରଙ୍ଗାଳୟରୁ ନିଜକୁ ଅସଂପୃକ୍ତି କରି ନେଇ ନିଜସ୍ୱ ଏକ ନାଟ୍ୟଦଳ ଗଠନ କରିଥିଲେ। ଆପନ୍ନା ଏହି ନାଟକ ଦଳ ପରିଚ୍ଛା ମଠର ପୂର୍ବରୁ କୁହାଯାଇଥିବା ରାସମଣ୍ଡପକୁ ରଙ୍ଗମଞ୍ଚର ରୂପ ଦେଇ ସେଥିରେ ନାଟକ ଅଭିନୟ କରୁଥିଲେ। ପଦ୍ମନାଭ ରଙ୍ଗାଳୟ ସହ ସମାନ୍ତରାଳ ଭାବେ ଏହି ନାଟକ ଗତିକରି ବହୁ ଖ୍ୟାତିର ଅଧିକାରୀ ହେଲା ବେଳକୁ ପଦ୍ମନାଭ ରଙ୍ଗାଳୟ ପକ୍ଷରୁ ଅଭିନୀତ ନାଟକମାନ ଥିଲା ଅଧୋଗାମୀ।” ତେବେ ଓଡ଼ିଆ ନାଟକ ଆନ୍ଦୋଳନ ସମୟରେ ପାରଳାରେ ରେନେଁସା ବା ନବଜାଗରଣର ପ୍ରଭାବ ପଡିଥିଲେ ହେଁ ଲୋକଙ୍କ ରୁଚି ସମ୍ମୁଖରେ ନତମଥ ହୋଇ ପାରଳାର ନାଟ୍ୟକାରଗଣ ସଙ୍ଗୀତ ନାଟକ ରଚନା ପରମ୍ପରା ବଳବତ୍ତର ରଖିଛନ୍ତି। ତେଣୁ ବର୍ତ୍ତମାନ ପାରଳାର ପ୍ରମୁଖ ସଙ୍ଗୀତ ନାଟ୍ୟକାରମାନଙ୍କ ସମ୍ପର୍କରେ ଆଲୋଚନା କରିବା ଅଧିକ ଯୁକ୍ତିଯୁକ୍ତ।

ରଘୁନାଥ ପରିଚ୍ଛା:

ପ୍ରଥମ ଓଡ଼ିଆ ନାଟକର ମାନ୍ୟତା ପ୍ରାପ୍ତ ନିମନ୍ତେ ଯେତେ ବାଦ-ବିବାଦ ଦେଖାଗଲେ ହେଁ କାଳ ବା ସମୟ ଦୃଷ୍ଟିରୁ ରଘୁନାଥ ପରିଚ୍ଛାଙ୍କର ‘ଶ୍ରୀ ରାଧା ଗୋପୀନାଥ ବଲ୍ଲଭ’ ନାଟକ ହିଁ ପ୍ରଥମ ଓଡ଼ିଆ ନାଟକ ଭାବେ ଘୋଷଣା କରାଯିବା ସମୀଚୀନ। ୧୮୬୦ରୁ ୧୮୬୨ ଖ୍ରୀ.ଅ. ମଧ୍ୟରେ କବିଚନ୍ଦ୍ର ରଘୁନାଥ ପରିଚ୍ଛା। ଏହି ନାଟକ ସୃଷ୍ଟି କରିଥିଲେ ମଧ୍ୟ ୧୮୬୬ ଖ୍ରୀ.ଅ. ମଧ୍ୟରେ ଏହି ନାଟକ ପ୍ରକାଶିତ ହୋଇଥିଲା। ନାଟକ ମଧ୍ୟରେ ଅସମ୍ଭବ କାବ୍ୟ ଚାତୁରୀର ପ୍ରଦର୍ଶନ, ସଙ୍ଗୀତ ବହୁଳତା, ସଂସ୍କୃତ ନାଟକର ପ୍ରଭାବ ଆଦିକୁ ଲକ୍ଷ୍ୟକରି ଅନେକ ସମାଲୋଚକ ଏହି ନାଟକକୁ ପ୍ରଥମ ଓଡ଼ିଆ ନାଟକ ଭାବେ ଗ୍ରହଣ କରିବାକୁ କୁଣ୍ଠାବୋଧ କରନ୍ତି। ତଥାପି ଆମ ଓଡ଼ିଆ ଭାଷାର ପ୍ରଥମ ନାଟକ ଯେ ଗୋଟିଏ ସଙ୍ଗୀତ ନାଟକ, ଏହା ଆମକୁ ସ୍ୱୀକାର କରିବାକୁ ହେବ। ଏହି ନାଟକର ଭୂମିକାରେ ଆଲୋଚକ ଗୌରୀ କୁମାର ବ୍ରହ୍ମା ଉଲ୍ଲେଖ କରିଛନ୍ତି- “ଏ ନାଟକରେ ନାନା ରାଗ ଓ ତାଳ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ସହ ସଂସ୍କୃତ ବୃତ୍ତର ମଧ୍ୟ ଅନେକ ଶ୍ଲୋକ ସନ୍ନିବେଶିତ। ଦକ୍ଷିଣ ଭାରତୀୟ ଭାଷାମାନଙ୍କ ମଧ୍ୟରେ ସଂସ୍କୃତ ଛନ୍ଦ ଅନୁସରଣରେ ଭାଷାଗତ ରଚନାର ଆଦର ଅତ୍ୟନ୍ତବେଶୀ। କବିଙ୍କର ଏହି ସଂସ୍କୃତ ଛନ୍ଦ-ପ୍ରୀତି ଦକ୍ଷିଣୀ ପ୍ରଭାବରୁ ଉଦ୍‌ଭୁତ ବୋଲି ଅନୁମାନ କରିବାରେ ଯଥେଷ୍ଟ ଯୌକ୍ତିକତା ଥିଲାପରି ଜଣାଯାଏ।” ଏହି ନାଟକ ରଚନା ନିମନ୍ତେନାଟ୍ୟକାର ନିଶ୍ଚୟ ଓଡ଼ିଆ ବୈଷ୍ଣବ କାବ୍ୟ ସାହିତ୍ୟ ଓ ଚମ୍ପୂ ଦ୍ୱାରା ପ୍ରେରଣା ପାଇଥିବେ। କାରଣ ଦକ୍ଷିଣ ଓଡ଼ିଶାର ଅଧିବାସୀ ଦୀର୍ଘକାଳ ପର୍ଯ୍ୟନ୍ତ କବିସମ୍ରାଟ ଉପେନ୍ଦ୍ରଭଞ୍ଜ, କବିସୂର୍ଯ୍ୟ ଓ ଗୋପାଳକୃଷ୍ଣଙ୍କ ସଙ୍ଗୀତ ଶ୍ରବଣ କରି ନିଜର କଳା ତୃଷ୍ଣା ଉପଶମ କରୁଥିଲେ। ଦର୍ଶକ ରୁଚିବୋଧକୁ ଦୃଷ୍ଟିରେ ରଖି ଏପରି ସଙ୍ଗୀତ ନାଟକ ରଚନା କରିଥିବା ମନେହୁଏ। ଅଙ୍କ ଦୃଶ୍ୟ ବିହୀନ ଏହି ନାଟକ ମଧ୍ୟରେ ସୂତ୍ରଧାର ଓ ନଟନଟୀ ଚରିତ୍ର ରଙ୍ଗମଞ୍ଚକୁ ଆସି ପ୍ରଥମେ ନାଟକର ବିଷୟବସ୍ତୁଗତ ସୂଚନା ପ୍ରଦାନ କରିଛନ୍ତି। ନାଟକରେ ପାତ୍ରପାତ୍ରୀଗଣ ଆତଯାତ ହିଁ ଏହି ନାଟକ ପରିବେଷଣରେ ମଞ୍ଚ ପରିଚାଳନାରେ ସହାୟତା ହୋଇଛି। ନାଟକ ମଧ୍ୟରେ ଉଭୟ ପଦ୍ୟ ଓ ଗଦ୍ୟ ସଂଳାପନର ପ୍ରୟୋଗ ହୋଇଥିଲେ ମଧ୍ୟ ପଦ୍ୟ ହିଁ ନାଟକର ପ୍ରାଣସ୍ପନ୍ଦନ ହୋଇଥିବା ଦେଖାଯାଏ। ସେଥି ମଧ୍ୟରୁ ଗୋଟିଏ ଲେଖାଏଁ ଉଦାହରଣ ନିଆଯାଇପାରେ।

ସଙ୍ଗୀତ – ରାଗ- ଘଣ୍ଟାରବ, ଆଡ଼ିତାଳ

ରାଧା ପୁରତକୁ ଯାନା। ଶଠ ଲମ୍ପଟ କା, ନା।

ଜାଗର କରି ସେ, ନବୀନ କିଶୋରୀ। ଲଭିଲା କେତେ ଯାତନା।

କେଉଁ ଯୁବତୀ। ସଙ୍ଗରେ ନିଶି ମାତି। ପୁରିଲା ମନ କାମନା।

ଗଦ୍ୟ ସଂଳାପ: “ହେ ନର୍ତ୍ତକ ଚୂଡ଼ାମଣି। ସୁରମଣି ମଣି ବରନ ଗୁଣ-ଗଣ ପଠନ ଗୁଣି। ନାଦ ଶ୍ରୁତି ଚିତ୍ରା-ଘନା ଚାଳନିକା ଦ୍ୱାବିଂଶ ଷଡ୍‌ଜାତି ସପ୍ତସ୍ୱର ଷଡ୍‌ଜ ମଧ୍ୟମ ଗ୍ରାମ ମୂର୍ଚ୍ଛନା।

ନାନ୍ଦ୍ୟାନ୍ତେ ସୂତ୍ରଧାର ଭକ୍ତିରେ ପ୍ରଦାନ କରିଥିବା ଗଦ୍ୟ ସଂଳାପକୁ ଦେଖିଲେ ମନେହୁଏ, ସଂସ୍କୃତ ସମାସ ବହୁଳ ଶବ୍ଦ ଓ କାବ୍ୟିକ ଅଭିବ୍ୟକ୍ତି ହିଁ ଏହି ଗଦ୍ୟ ସଂଳାପର ପ୍ରାଣ। ଏତଦ୍‌ବ୍ୟତୀତ ନାଟ୍ୟକାର ରଘୁନାଥ ପରିଚ୍ଛାଙ୍କ ବାସୁଦେବ ନାଟକ, କୃଷ୍ଣ ଚନ୍ଦ୍ରମା ନାଟକ, ମୁକ୍ତା ନାଟିକା ପ୍ରଭୃତି ନାଟକ ମଧ୍ୟରୁ ପ୍ରାୟ ସମସ୍ତ ସଙ୍ଗୀତ ନାଟକ ପରିସରଭୁକ୍ତ ହୋଇପାରେ। ନାଟକଗୁଡ଼ିକର ଅପ୍ରାପ୍ୟ ଯୋଗୁଁ ଏହା ସମ୍ପର୍କରେ ଆଲୋଚନା କରିବା ଅସମ୍ଭବ।

ଗୋପୀନାଥ ପରିଚ୍ଛା:

ଦକ୍ଷିଣ ଓଡ଼ିଶାର ଅନ୍ୟ ଏକ ଲୋକପ୍ରିୟ ସଙ୍ଗୀତ ନାଟକ ‘ପ୍ରହଲ୍ଲାଦ ନାଟକ’ର ସ୍ରଷ୍ଟା ଭାବେ ଗୋପୀନାଥ ପରିଚ୍ଛା ବେଶ୍ ଜଣାଶୁଣା। ଆଲୋଚକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ମତରେ ଏହି ନାଟକରେ ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟଙ୍କ ନାମ ଭଣତି ରହିଥିଲେ ହେଁ; ଏହାର ପ୍ରତ୍ୟେକ ସଙ୍ଗୀତ ଗୋପୀନାଥ ସଙ୍ଗୀତ ସହ ମେଳ ଖାଉଥିବା ହେତୁ ଏହାର ପ୍ରକୃତ ରଚୟିତା ପାରଳାନିବାସୀ ଗୋପୀନାଥ ପରିଚ୍ଛା। ୧୨୬ଟି ସଙ୍ଗୀତ ପ୍ରୟୋଗ ହୋଇଥିବା ଏହି ସଙ୍ଗୀତ ନାଟକ ‘ରଜା ନାଟକ’ଭାବେ ସମଗ୍ର ଦକ୍ଷିଣ ଓଡ଼ିଶାରେ ପରିଚିତ। ଡ.ଅଶୋକ କୁମାର ତ୍ରିପାଠୀ ୧୮୮୮ରୁ ୧୮୯୦ ମଧ୍ୟରେ ଏହି ନାଟକ ସୃଷ୍ଟି ହୋଇଥିବା ଉଲ୍ଲେଖ କରିଛନ୍ତି । ଏହି ନାଟକର ଉଭୟ ପଦ୍ୟ ଓ ଗଦ୍ୟ ସଂଳାପକୁ ଉଲ୍ଲେଖ କରି; ଏହାର ସାଙ୍ଗୀତିକଗୁଣକୁ ପ୍ରମାଣ କରାଯାଇପାରେ।

ପଦ୍ୟ ସଂଳାପ:

“କହିଲା କେ କହ ଏ ଦୁର୍ବୁଦ୍ଧିକି,

ଧରାଇ ତାକୁ ଆଣି ଦଣ୍ଡିବି ଏବେ ପୁଣି

ତ୍ରିପୁରେ କେ ନ ଜାଣି, ମୋତେ ଅଛନ୍ତି କି?

ଆଜ ଯାଇ ଦୁର୍ଲ୍ଲଭ, ହେବୁରେ ତୁହି

ବୋଲି ମୁହିଁ ଶୀଘ୍ରେ ଭାବନା କରଇ

ତୋଷିବୁ ରାକ୍ଷସଙ୍କୁ, ନାଶ କରି ସୁରଙ୍କୁ

ହେଲୁ ଏ ଅଜ୍ଞାନକୁ, ମୁଁ ଜାଣିଥିଲି କି।”

ଗଦ୍ୟ ସଂଳାପ:

“ରାଜା:    ହେ ଗଜକର୍ଣ୍ଣ ବୀର, ଏ ଦୁଷ୍ଟ କୁମରକୁ, ଏହାକୁ ଧରି ମହା ଅରଣ୍ୟ ମଧ୍ୟରେ ଅତି ଉଚ୍ଚବୃକ୍ଷରେ ବେଗେ ବନ୍ଧନ କର। ଏଥିରେ ଶୁଭ ମୋର ନାହିଁ। ମୋ ବୋଲ କର।

ଗଜଗର୍ଣ୍ଣ: ଯେ ହୁକୁମ ପ୍ରମାଣେ ମହାରାଜାଧିଭାଗ।” ଯଥାର୍ଥରେ ଏହି ପ୍ରହ୍ଲାଦ ନାଟକକୁ ପାରଳାର ଏକ ଅନବଦ୍ୟ ସଙ୍ଗୀତ ନାଟ୍ୟକୃତି ଭାବେ ଗ୍ରହଣ କରାଯାଏ।

ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ:

ଓଡ଼ିଆ ସଙ୍ଗୀତ ନାଟକର ଅନ୍ୟତମ ବିନ୍ଧାଣୀ ଭାବେ ପାରଳା ରାଜା ଗୌରଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମ ଚିର ସ୍ମରଣୀୟ। ସଙ୍ଗୀତ ନାଟକର ଏନ୍ତୁଡ଼ିଶାଳ ପାରଳାରେ ଜନ୍ମଗ୍ରହଣ କରିଥିବା ଏକ ରାଜା ସଙ୍ଗୀତ ନାଟକ ରଚନା କରିବା କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ। ଦକ୍ଷିଣ ଓଡ଼ିଶାର ଅଧିକାଂଶ ରାଜା ମହାରାଜା କଳା ସାହିତ୍ୟର ଉତ୍ତମ ପୃଷ୍ଠପୋଷକ ଏବଂ ବରେଣ୍ୟ ସାଧକ ମଧ୍ୟ; ଏହି ସୂତ୍ରରେ ପାରଳାରାଜା ଗୌରଚନ୍ଦ୍ର ଗଜପତି ଦେବ ‘ଧ୍ରୁବ ନାଟକ’ ନାମରେ ଖଣ୍ଡିଏ ସଙ୍ଗୀତ ନାଟକ ରଚନା କର ନିଜସ୍ୱ ସାହିତ୍ୟାନୁରାଗ ପ୍ରଦର୍ଶନ କରିଛନ୍ତି। ‘ଧ୍ରୁବ ନାଟକ’ ସମ୍ପର୍କରେ ଆଲୋଚକ ଶ୍ୟାମସୁନ୍ଦର ରାଜଗୁରୁ ପ୍ରବନ୍ଧାବଳୀ ପୁସ୍ତକ ମଧ୍ୟରେ ଉଲ୍ଲେଖ କରିଛନ୍ତି- “ରାଜା ମହୋଦୟ ପ୍ରସିଦ୍ଧ ଭକ୍ତ ଶିଶୁ ଧ୍ରୁବଙ୍କ ଉପାଖ୍ୟାନ ଅବଲମ୍ବନ କରି ଏ ନାଟକ ଖଣ୍ଡିଏ ପ୍ରଣୟନ କରିଅଛନ୍ତି। ସମାଲୋଚ୍ୟ ନାଟକରେ ଚରିତ୍ରଗୁଡ଼ିକର ବିଶେଷତ୍ୱ ଅଧିକ ନଥିଲେ ହେଁ ସବୁଗୁଡ଼ିକ ସଙ୍ଗତ ଭାବରେ ଚିତ୍ରିତ ହୋଇଅଛି। ଭାଷାରେ ପ୍ରାଦେଶିକତା ଅତ୍ୟନ୍ତ ଅଧିକ।” ଏହି ଧ୍ରୁବ ନାଟକ ମଧ୍ୟରେ ସୂତ୍ରଧାର ନାଟକ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛି – “ପ୍ରିୟେ! ଆଉ କିଛି ନୁହେ। ପାରଳାଖେମୁଣ୍ଡିଶ୍ୱର ଗଙ୍ଗାବଂଶାବତଂସ ସ୍ୱର୍ଗୀୟ ଶ୍ରୀଶ୍ରୀଶ୍ରୀ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ମହାରାଜା ସଙ୍ଗୀତ ଧ୍ରୁବ ନାଟକ ରଚନା କରିଅଛନ୍ତି। ତାହା ଆଜି ଏହି ରଙ୍ଗସ୍ଥଳରେ ଅଭିନୟ କରାଇବା ଲାଗି ମନ କରିଅଛି। ତୁମ୍ରଭ ସହାୟ ବିନା କୌଣସି କଥା କି ହୋଇପାରେ ଏଣୁ ତୁମ୍ଭଙ୍କୁ ଡାକିଲି।” ଏହି ନାଟକ ମଧ୍ୟରେ ସଂସ୍କୃତ ରାଗ ଓ ତାଳ ପ୍ରୟୋଗ ହୋଇଥିବା ସର୍ବମୋଟ ୨୩ଟି ସଙ୍ଗୀତ ସଂଯୋଜିତ ହୋଇଛି। ଏହି ନାଟକରେ ସର୍ବମୋଟ ପାଞ୍ଚୋଟି ଅଙ୍କ ରହିଛି। ୧୯୨୨ ଖ୍ରୀ.ଅ.ରେ ପାରଳାସ୍ଥିତ ଗଜପତି ପ୍ରେସ୍‌ରୁ ଏହି ନାଟକ ପ୍ରକାଶିତ ହୋଇଛି। ଏହି ନାଟକର ସଙ୍ଗୀତଗୁଡ଼ିକ ଅତ୍ୟନ୍ତ ସରଳ ଓ ସାବଲୀଳ। ଯଥା-

ଆଜ ଏକି ପ୍ରାଣନାଥ ବୁଝି ନପାରଇ

ସରଳ ଅନ୍ତସ୍କରଣେ ମୋତେ କହ ସମଜାଇ ।ା

କାହିଁ ପାଇଁ ସତେ ଏହି ନାଟକ ଆଳୟ

ଚିତ୍ର ବିଚିତ୍ର କରି ମଣ୍ଡିଛ ହେ ପ୍ରାଣପ୍ରିୟ?(୧)

ମାନ୍ୟଗଣ୍ୟ ଭଦ୍ରଲୋକ ହରଷ ଚିତ୍ତରେ

ବସିଅଛନ୍ତି ପ୍ରାଣ ଈଶ୍ୱର ଆସି ଏହିଠାରେ। (୨)

ତାନପୂର୍ଣ୍ଣ ଗାନବାଦ୍ୟ କି ରଙ୍ଗେ ଶୁଭଇ।

ଅତି ସୁନ୍ଦର ଆଲୋକମୟ ସବୁତ ଦିଶଇ ।(୩)

ଉପରବର୍ଣ୍ଣିତ ସଙ୍ଗୀତରୁ ନାଟକର ଗାନ, ବାଦ୍ୟ, ଆଲୋକସଜ୍ଜା ଇତ୍ୟାଦିକୁ ଦେଖି ଦର୍ଶକ ଭାବେ ଆସିଥିବା ମାନ୍ୟଗଣ୍ୟ ତଥା ଭଦ୍ରଲୋକଙ୍କ ଚିତ୍ତ କିପରି ଉଲ୍ଲସିତ ହୋଇଉଠିଛି ତାହା ସୂଚାଇ ଦିଏ ।

ଆପନ୍ନ ପରିଚ୍ଛା:

ଓଡ଼ିଶାର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ସାହିତ୍ୟିକ ପ୍ରେକ୍ଷାପଟ୍ଟ ଉପରେ ସର୍ବଦା ଦୃଷ୍ଟି ରଖୁଥିବା ଜନନାୟକ ଓ ସାହିତ୍ୟିକ ହେଉଛନ୍ତି ପାରଳାସ୍ଥିତ ରସିକରାଜ ମଠାଧୀଶ ଆପନ୍ନା ପରିଚ୍ଛା। ମଠ ପରିଚାଳନା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ପାରଳାର ପ୍ରାୟ ସମସ୍ତ ମଠର ରକ୍ଷଣାବେକ୍ଷଣ ଦାୟିତ୍ୱ, ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ, ଜାତୀୟ କଂଗ୍ରେସ କମିଟିର ବିଭିନ୍ନ ଅଧିବେଶନରେ ଯୋଗଦାନ, ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାରଳାର ମହାରାଜା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶୁଳ୍କ ଶିକ୍ଷାପ୍ରଦାନ ସହ ଆବାସିକ ବ୍ୟବସ୍ଥା ଭଳି ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବା ସହ ନାଟ୍ୟ ରଚନା ଓ ପ୍ରଯୋଜନା ମଧ୍ୟ ତାଙ୍କର ପ୍ରବଳ ଦୁର୍ବଳତା ରହିଥିଲା। ପ୍ରଥମେ ‘ବୈଷ୍ଣବନନ୍ଦଦାୟିନୀ ସଭା’, ପରବର୍ତ୍ତୀ କାଳରେ ‘ରସିକରାଜ ପ୍ରସାଦୈକ ନାଟକ ସଂଘ’ ପ୍ରତିଷ୍ଠା କରାଇ ନାଟ୍ୟ ରଚନା ଓ ପରିବେଷଣରେ ସେ ଥିଲେ ମନଯୋଗୀ। ୧୯୧୬ ମସିହାର ପ୍ରକାଶିତ ତାଙ୍କ ‘ବିଜୟବସନ୍ତ’ ଏକ ସଫଳ ନାଟକ ହେଲେ ହେଁ; ଏହା ସଙ୍ଗୀତ ନାଟକର ପର୍ଯ୍ୟାୟଭୁକ୍ତ ନୁହେଁ। ତଥାପି ଅନେକ ସମାଲୋଚକ ସେ ଅନେକ ସଙ୍ଗୀତ ନାଟକ ରଚନା କରିଥିବା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ଡ.ରମେଶ ପ୍ରସାଦ ପାଣିଗ୍ରାହୀ ‘ସାହିତ୍ୟ କୋଷ’ ପୁସ୍ତକ ମଧ୍ୟରେ ଲେଖିଛନ୍ତି- ସେ ବଙ୍ଗଳା, ସଂସ୍କୃତ, ଓଡ଼ିଆ, ଇଂରାଜୀ ଭାଷଣରେ ସୁପଣ୍ଡିତ ଏବଂ ସଙ୍ଗୀତଜ୍ଞ ଓ ନାଟ୍ୟକାର। ନବମ ଶ୍ରେଣୀରେ ପଢୁଥିବାବେଳେ ସେ ‘ଚନ୍ଦ୍ରହାସ’ ନାମକ ନାଟକ ଲେଖିଛନ୍ତି ଓ ତାଙ୍କ ନିର୍ଦ୍ଦେଶନାରେ ଏହା ମଞ୍ଚସ୍ଥ ହୋଇଛି। ଦର୍ଶକମଣ୍ଡଳୀରେ ଥାଇ ତାଙ୍କୁ ଉତ୍ସାହିତ କରିଛନ୍ତି ଶ୍ୟାମସୁନ୍ଦର ରାଜଗୁରୁ ଓ ଗୋପୀନାଥ ପରିଚ୍ଛା। ପରେ ‘ସୁନ୍ଦ-ଉପସୁନ୍ଦ’, ‘ବିଜୟବସନ୍ତ’, ‘ଚଞ୍ଚଳ କୁମାରୀ’, ‘ହେମଚନ୍ଦ୍ର’, କନୌଜ କୁମାରୀ, ‘ସ୍ୱର୍ଣ୍ଣଲତା’, ‘ହେମଲତା’, ‘ବିଲ୍ୱମଙ୍ଗଳ’, ‘ସୀତା-ବନବାସ’, ‘କାଳୀୟଦଳନ’, ‘ନବଲୀଳା ବିଳାସ’, ‘ଗୋଷ୍ଠ ମିଳନ’, ‘ମାନଭଞ୍ଜନ’, ‘ରାଧାକୃଷ୍ଣ ପ୍ରଣୟ’, ‘ଧ୍ରୁବ’ ଇତ୍ୟାଦି ୧୬ଖଣ୍ଡ ନାଟକ ରଚନା ସାଙ୍ଗକୁ ଆପଣା ପୈତୃକ ମଠ ପ୍ରାଙ୍ଗଣରେ ‘ରସିକରାଜ ପ୍ରସାଦୈକ ସୃଜନ ମନୋରଞ୍ଜନ ନାଟ୍ୟଦଳ ଓ ମଞ୍ଚ’ ନିର୍ମାଣ କରିଛନ୍ତି। ୧୯୦୪ ମସିହାରେ ନାଟ୍ୟକାର ମହାରାଜା ପଦ୍ମନାଭ ନାରାୟଣ ଦେବଙ୍କ ମୃତ୍ୟୁପରେ ଆପନ୍ନା ନିଜ ମଞ୍ଚ ନାମ ପରିବର୍ତ୍ତନ କରି ‘ପଦ୍ମନାଭ ରଙ୍ଗାଳୟ’ ରଖିଛନ୍ତି। ତାଙ୍କ ଉଦ୍ୟମ ଓ ସାଧନା, ଦକ୍ଷିଣ ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ପରିମଣ୍ଡଳକୁ ନୂଆ ଆୟାମ ଦେଇଛି।” ନାଟ୍ୟକାରଙ୍କ ବିଜୟ ବସନ୍ତ ସାମାଜିକ ନାଟକ ବ୍ୟତୀତ ‘ଗୋଷ୍ଠମିଳନ’ ଓ ‘ନବଲୀଳା ବିଳାସ’ ଦୁଇଟି ସଙ୍ଗୀତ ନାଟକର ପାଣ୍ଡୁଲିପି ନାଟ୍ୟକାରଙ୍କ ବଂଶଧର ମୂରଲୀଧର ପରିଚ୍ଛାଙ୍କ ସୌଜନ୍ୟରୁ ପ୍ରାପ୍ତ ହୋଇଛି। ସାହିତ୍ୟ ସଂଗ୍ରାହକ ଓ ଗବେଷକ ମୂରଲୀଧରଙ୍କ କହିବା ଅନୁସାରେ ରସିକରାଜ ମଠରେ ଅବସ୍ଥିତ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କର ଗ୍ରନ୍ଥାଗାରରୁ ହିଁ ସଂଗ୍ରହ କରିଛନ୍ତି। ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ ଭିତ୍ତି କରି ନାଟ୍ୟ ବିଷୟ ଗତିଶୀଳ ହୋଇଛି। ପାରମ୍ପରିକ ଭାବେ ଦୁଇ ନାଟକ ମଧ୍ୟରେ ସୂତ୍ରଧାର ନଟ, ନଟୀ, ମାରିଷ, ବିଦୂଷକ, ଚରିତ୍ର ନଥିଲେ ହେଁ ପ୍ରତି ସଙ୍ଗୀତ ଓ ତାଳ ସୂଚୀତ ହୋଇ ଅନେକ ସଙ୍ଗୀତ ପ୍ରୟୋଗ କରାଯାଇଛି। ନାଟକ ମଧ୍ୟରେ ଉଭୟ ଗଦ୍ୟ ଓ ପଦ୍ୟ ସଂଳାପ ପ୍ରୟୋଗ ହୋଇଥିବା ଲକ୍ଷ୍ୟ କରାଯାଏ। ସେଥି ମଧ୍ୟରୁ ଏକ ଉଦାହରଣ ନିମ୍ନରେ ପ୍ରଦତ୍ତ କରାଗଲା-

“ଶ୍ୟାମ ଅଙ୍ଗେ ଆହାକି ରଙ୍ଗେ ଲହରୀ ଭାଙ୍ଗେ ଯମୁନା ଯାଏ,

ତମ ମୁଖ-ଶଶୀ ନୀରେକ୍ଷି ରୂପସୀ ଶୋଭା ପରକାଶି

ନାଚେ କି ସୁନ୍ଦରେ

ପ୍ରେମ ଭୋଳେ ମଧୁର ତାଳେ ଅମୀୟ ରୋଳେ ରାଗିଣୀ ପାଏ”

(ଗୋଷ୍ଠମିଳନ (ପାଣ୍ଡୁଲିପି)- ଆପନ୍ନା ପରିଚ୍ଛା)

ନାଟ୍ୟକାରଙ୍କ ଏହି ଦୁଇଟି ନାଟକ ବ୍ୟତୀତ ଅନ୍ୟ ଯେଉଁସବୁ ଅପ୍ରାପ୍ୟ ନାଟକ ରହିଛି ସେହି ନାଟକଗୁଡ଼ିକ ମଧ୍ୟରୁ ଅନେକ ନାଟକ ସଙ୍ଗୀତ ପ୍ରାଣ ନାଟକ ତଥା ସଙ୍ଗୀତ ନାଟକ ହୋଇଥିବ; ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ପଦ୍ମନାଭ ନାରାୟଣ ଦେବ:

ଊନବିଂଶ ଶତାବ୍ଦୀର ଶେଷଭାଗରେ ବିକ୍ରମଦେବ ବର୍ମା ଯେପରି ବିଶାଖାପାଟଣାଠାରେ ସଙ୍ଗୀତ ନାଟକ ଶୀର୍ଷକ ଦ୍ୱାରା ‘ଶ୍ରୀ ସଙ୍ଗୀତ ରାଧାମାଧବ ନାଟକ’ ରଚନା କରିଥିଲେ, ପରବର୍ତ୍ତୀ କାଳରେ ଅର୍ଥାତ୍ ୧୯୦୧ ଖ୍ରୀ.ଅ.ରେ ପାରଳା ପ୍ରିନ୍ସ ପଦ୍ମନାଭ ଦେବ ‘ଶ୍ରୀ ସଙ୍ଗୀତ ପ୍ରହ୍ଲାଦ ନାଟକ’ ରଚନା କରିଥିଲେ। କେବଳ ଏତିକି ନୁହେଁ ତାଙ୍କ ଦ୍ୱାରା ରଚିତ ସମସ୍ତ ନାଟକ ସଙ୍ଗୀତ ନାଟକଗୁଡ଼ିକ ହେଲା- ‘ବାଣ ଦର୍ପଦଳନ ନାଟକ’ (୧୯୦୧), ‘ଅହଲ୍ୟା ଓ ଶାପ ବିମୋଚନ ନାଟକ’ (୧୯୦୨), ‘ଦାନ ପରୀକ୍ଷା ନାଟକ’ (୧୯୦୨), ‘ଚନ୍ଦ୍ରାବତୀ ସ୍ୱୟଂବର’ (୧୯୦୧, ଅପ୍ରକାଶିତ), ‘ତାରକା ସଂହାର ନାଟକ’ (୧୯୦୨, ଅପ୍ରକାଶିତ) ଇତ୍ୟାଦି। ନାଟ୍ୟକାରଙ୍କ ‘ସଙ୍ଗୀତ ପ୍ରହ୍ଲାଦ ନାଟକ’ର ପ୍ରସ୍ତାବନାରେ ନଟ ଓ ସୂତ୍ରଧାର ସଂଳାପରେ ଯ।।ହ ଦର୍ଶାଇଛନ୍ତି ସେଥିରୁ ତତ୍କାଳୀନ ପାରଳା ତଥା ଗଞ୍ଜାମ ଦର୍ଶକମାନଙ୍କ ନାଟକ ପ୍ରତି ରହିଥିବା ଧାରଣା ସମ୍ପର୍କରେ ଅବଗତ ହୁଏ। ତାହା ଏଠାରେ ପ୍ରଦତ୍ତ-

ନଟ        :           ବିଜ୍ଞବର! ଆଜିକାଲି ଆମ୍ଭ ଗଞ୍ଜାମ ଓଡ଼ିଆ ମାନଙ୍କର ନାଟକାଭିନୟର ସମାଦର କରିବା ଲୋକ ବିରଳ ଲକ୍ଷିତ ହୁଅନ୍ତି। କେତେକ ନବ୍ୟ ସଭ୍ୟ ବ୍ୟକ୍ତି ଆମ୍ଭମାନଙ୍କର ଆର୍ଯ୍ୟ-ରଚିତ ଶାସ୍ତ୍ରମାନଙ୍କୁ ଅଧୀତ, ବୋଧ ଓ ତଦନୁଯାୟୀ ଆଚରଣ କରିବା ତେଣିକି ଥାଉ, ସେମାନଙ୍କ ପ୍ରତି ଭ୍ରୂକ୍ଷେପ କରନ୍ତି ନାହିଁ। ୍‍ ୍‍ ୍‍ ଆଉ ଏକ ଦଳ ଅଛନ୍ତି ଯେ, ସେମାନେ ନାଟକାଭିନୟ କାହାକୁ କୁହନ୍ତି ତାହାର ଗନ୍ଧ ସୁଦ୍ଧା ଜାଣିନାହାନ୍ତି। ଏପରିସ୍ଥଳେ ନାଟକାଭିନୟ କରିବା ଲାଗି ଆପଣ କିପରି ଆଦେଶ ଦେଉଛନ୍ତି? ଏହା ଅତି ଆଶ୍ଚର୍ଯ୍ୟର ବିଷୟ।

ସୂତ୍ର       :           ନଟ! ଏପରି କହିବା ଉଚିତ ନୁହେଁ। ଆପଣ ଏ ଦେଶୀୟ ଲୋକଙ୍କୁ ଯେଉଁ ଯେଉଁ ଶ୍ରେଣୀରେ ବିଭାଗ କରିଅଛନ୍ତି ତାହା ସତ୍ୟ। ମାତ୍ର ସେପରି ଲୋକ ଏହି ଦେଶରେ ଏକା ଅଛନ୍ତି, ତାହା ନୁହେଁ ସକଳ ଦେଶରେ ନ୍ୟୂନାଧିକରେ ଥାନ୍ତି। ଏହି ହେତୁରୁ ଶ୍ରମ ସ୍ୱୀକାର ପୂର୍ବକ ସାଧ୍ୟତମ ଉପାୟ ଅବଲମ୍ବନ କରି କୁପଥରେ ପ୍ରଧାବିତ ହେଉଥିବା ଲୋକଙ୍କୁ ସଦ୍‌ମାର୍ଗ ଦେଖାଇବା ପ୍ରତ୍ୟେକ ବିଜ୍ଞ ବ୍ୟକ୍ତିର କର୍ତ୍ତବ୍ୟ କର୍ମ।

ସେହିପରି ନାଟକ ମଧ୍ୟରେ ସଙ୍ଗୀତର ଚାହିଦା କିପରି ରହିଥିଲା ତାହା ସମ୍ପର୍କରେ ମଧ୍ୟ ଏକ ସଂଳାପରୁ ସୂଚନା ମିଳେ:-

ବିଦୂଷକ   :           ମହାରାଜ! ଆଜି ଦିନପରି ଆନନ୍ଦର ଦିନ ମୋ ଜୀବନରେ କସ୍ମିନ କାଳେ ଘଟିନଥିଲା। ଏଣିକି ଘଟିବ ନାହିଁ। ଅବଶ୍ୟ ମହାରାଜ ଜାଣନ୍ତି- ‘ଆନନ୍ଦ ଦିନରେ ସୁଖିନୋ ସୁଖକାରୀ’। ସଙ୍ଗୀତ କିଛି ଚର୍ଚ୍ଚା ହେଲେ ଭଲ ହେବ। ମହାରାଜ ନର୍ତ୍ତକୀ ଦଳ ମଧ୍ୟ ଏହିଠାରେ ଅଛନ୍ତି। ଆଜ୍ଞା ହେଲେ ନୃତ୍ୟ ଗାନାଦି କରିବେ।

ବସ୍ତୁତଃ ଆଲୋଚନାରୁ ସ୍ପଷ୍ଟ ବାରିହୋଇପଡୁଛି ଯେ, ଦକ୍ଷିଣ ଓଡ଼ିଶାର ସଙ୍ଗୀତ ନାଟକ ଉତ୍ତରଣରେ ପାରଳା ପ୍ରିନ୍‌୍‌ସଙ୍କ ଭୂମିକା ଅଦ୍ୱିତୀୟ।

ପଣ୍ଡିତ ଗୋପୀନାଥ ନନ୍ଦ:

ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜଣେ ଲବ୍ଧ ପ୍ରତିଷ୍ଠ ଭାଷାତତ୍ତ୍ୱବିତ୍‌, ସମାଲୋଚକ ଓ ଅଧ୍ୟାପକ ଭାବେ ଯେତିକି ସୁନାମ ରହିଥିଲା ଉତ୍କଳରେ, ପାରଳା ଅଞ୍ଚଳରେ ନାଟ୍ୟଗୁରୁ ନନ୍ଦ ପଣ୍ଡିତେ ନାମରେ ସେତିିକି ପରିିଚୟ ରହିଥିଲା। ଅନେକ ସମୟରେ ପାରଳାର ପଦ୍ମନାଭ ରଙ୍ଗାଳୟରେ ନାଟ୍ୟ ଶିକ୍ଷାଦାନ କରୁଥିଲେ ନନ୍ଦ ପଣ୍ଡିତେ। ଏପରିକି ନିଜେ ମଧ୍ୟ ଅନେକ ସଂସ୍କୃତ ନାଟକର ଅନୁବାଦ କରି ସେହି ପଦ୍ମନାଭ ରଙ୍ଗାଳୟରେ ମଞ୍ଚସ୍ଥ କରାଉଥିଲେ। କେବଳ ସଂସ୍କୃତ ନାଟକକୁ ସେ ସଙ୍ଗୀତ ନାଟକ ରୂପ ପ୍ରଦାନ କରୁଥିଲେ ତାହା ନୁହଁ, ବରଂ ଅନେକ ମୌଳିକ ନାଟକ ସୃଷ୍ଟି କରି ମଧ୍ୟ ନାଟ୍ୟ ସାହିତ୍ୟର ସମୃଦ୍ଧି କରିବାରେ ସହାୟକ ହୋଇଥିଲେ। ପଣ୍ଡିତ ଗୋପୀନାଥ ନନ୍ଦ ପାରଳା ପ୍ରିନ୍ସ ପଦ୍ମନାଭ ନାରାୟଣ ଦେବଙ୍କ ଠାରୁ ପ୍ରେରଣା ପାଇ ସୀତା ବନବାସ(୧୯୦୭), ବିକ୍ରମୋର୍ବିଶୀୟ (୧୯୦୧), ରାମାଶ୍ୱମେଧ (୧୯୦୨), ଦ୍ରୌପଦୀ ବସ୍ତ୍ରହରଣ (୧୯୦୫), ଜାନକୀ ପରିଣୟ (୧୯୦୫) ଭଳି ନାଟକ ସୃଷ୍ଟି କରିଥିଲେ। ଦ୍ରୌପଦୀ ବସ୍ତ୍ରହରଣ ନାଟକର ଭୂମିକାରେ ସେ ସ୍ୱୀକାର କରିଛନ୍ତି – “ଆଜିକାଲି ଅନେକ ନାଟକ ଲେଖିଅଛନ୍ତି, କିନ୍ତୁ ନାଟକୀୟ ଲକ୍ଷଣ ପ୍ରତି ଅତି ଅଳ୍ପଲୋକ ଦୃଷ୍ଟି ରଖିଥାନ୍ତି। ନାଟକ ଲକ୍ଷଣଗୁଡ଼ିକ ଓଡ଼ିଆରେ ପୂର୍ଣ୍ଣମାତ୍ରାରେ ନହେଲେ ସୁଦ୍ଧା ସୁଖ, ସନ୍ଧି, ପ୍ରକୃତି କେତେକ ଅତ୍ୟାବଶ୍ୟକୀୟ ଲକ୍ଷଣ ନରଖିଲେ କଦାଚ ନାଟକ ବୋଲାଯାଇ ନପାରେ। ସେପରି ପୁସ୍ତକକୁ ଅନ୍ୟ ନାମ ଦେବା ଉଚିତ। ସର୍ବସାଧାରଣଙ୍କ ବୋଧ ଏବଂ ଅଭିନୟ ଲାଳିତ୍ୟ ସକାଶେ ଭାଷା ଟିକିଏ ସରଳ କରି କେତେଗୁଡ଼ିଏ ସଙ୍ଗୀତ ଗଦ୍ୟ ଏଥିରେ ରଖିବାକୁ ପଡ଼ିଲା।”

ସୁତରାଂ ଗୋପୀନାଥ ନନ୍ଦଙ୍କ ସଙ୍ଗୀତ ନାଟକରେ ଗୀତଗୁଡ଼ିକରେ ବର୍ଣ୍ଣନାତ୍ମକ କାବ୍ୟ ଶୈଳୀହିଁ ଅଧିକ ପ୍ରସ୍ଫୁଟିତ। ରାଗ ରହିଛି ତାଳ ରହିଛି କିନ୍ତୁ ପୂର୍ବ ସଙ୍ଗୀତ ନାଟ୍ୟକାରଙ୍କ ନାଟ୍ୟ ସଙ୍ଗୀତ ଭଳି ସଙ୍ଗୀତର ଭାଷା କ୍ଲିଷ୍ଟ ହେବା ପରିବର୍ତ୍ତେ ଟିକିଏ ସରଳ ଓ ସରସ ହୋଇଛି।

ସିଂହାଦ୍ରୀ ପରିଚ୍ଛା:

Tagline & Highlights

ଓଡ଼ିଆ ସଙ୍ଗୀତ ନାଟକର ଲୀଳାଭୂମି ବା ଏନ୍ତୁଡ଼ିଶାଳ ଭାବେ ପରିଚିତ ପାରଳାଖେମୁଣ୍ଡିର ଅନ୍ୟ ଏକ ପ୍ରମୁଖ ସଙ୍ଗୀତ ନାଟ୍ୟକାର ଭାବେ ସିଂହାଦ୍ରି ପରିଚ୍ଛାଙ୍କ ନାମ ଚିରସ୍ମରଣୀୟ। ପାରଳାର ସମାଲୋଚିକା ମୀନାକ୍ଷୀ ସାହୁ ନିଜର ‘ପାରଳାର ନାଟକ ଓ ନାଟ୍ୟକାର’ ପୁସ୍ତକ ମଧ୍ୟରେ ସିଂହାଦ୍ରି ପରିଚ୍ଛାଙ୍କ ନାଟ୍ୟକୃତିଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଛନ୍ତି- “ପାରଳାର ଅନ୍ୟତମ ଶ୍ରେଷ୍ଠ ନାଟ୍ୟକାର ସିଂହାଦ୍ରି ପରିଚ୍ଛା (୧୮୯୫-୧୮୭୮)ଙ୍କ ନାଟକ ‘ବୀର ଅଭିମନ୍ୟୁ’, ‘ବସନ୍ତ ବିଳାସ’ ଓ ‘କାଳୀୟ ଦଳନ’, ଗୋଟିଏ ଗୋଟିଏ ସାର୍ଥକ ସୃଷ୍ଟି। ନାଟ୍ୟକାରଙ୍କ କାଳୀୟ ଦଳନ ନାଟକରେ ମର୍ତ୍ତାବନନିବାସୀ ଶ୍ରୀବ୍ରଜପୁରର ପ୍ରେମାବତାର ସଚ୍ଚିଦାନନ୍ଦ ବ୍ରହ୍ମସ୍ୱରୂପ ଶ୍ରୀକୃଷ୍ଣଙ୍କ ପ୍ରେମର ସମୟ ଅଲୌକିକ, ଅପ୍ରକଟ ଲୀଳାମାଧୁରୀ ଏଥିରେ ପ୍ରକଟ।” ସେଥିମଧ୍ୟରୁ ବର୍ତ୍ତମାନ ନାଟ୍ୟକାରଙ୍କ ଦୁଇଟି ସଙ୍ଗୀତ ନାଟକ ନମୋତ୍କଣ୍ଠା (୧୯୨୮) ଓ କାଳୀୟ ଦଳନ (୧୯୬୧) ପ୍ରକାଶିତ ପୁସ୍ତକର ସନ୍ଧାନ ମିଳେ। ‘ନବୋତ୍କଣ୍ଠା’ ନାଟକଟି ଶଶୀଭୂଷଣ ରଥଙ୍କ ଆଶା ପିଣ୍ଟିଂ ପ୍ରେସ୍‌ରୁ ପ୍ରକାଶିତ ହୋଇଥିବା ସମୟରେ ‘କାଳୀୟ ଦଳନ’ ନାଟକଟି ବ୍ରହ୍ମପୁରସ୍ଥିତ ଅନନ୍ତ ତ୍ରିପାଠୀ ଶର୍ମ୍ମାଙ୍କ ଶିରୋମଣି ପ୍ରେସ୍‌ରୁ ପ୍ରକାଶିତ। ନବୋତ୍କଣ୍ଠା ନାଟକରେ ତିନୋଟି ଅଙ୍କ ଓ ପ୍ରତ୍ୟେକ ଅଙ୍କରେ ତିନୋଟି ଦୃଶ୍ୟ ରହିଥିବା ସହ ୨୮ଟି ରାଗ ତାଳ ସୂଚୀତ ସଙ୍ଗୀତ ରହିଛି। ସେହିପରି ଅନ୍ୟ ଏକ ନାଟକ କାଳୀୟ ଦଳନ ସମ୍ପର୍କରେ ଆଲୋଚିକା ଡ.ରଶ୍ମିତା କୁମାରୀ ପାତ୍ର ଉଲ୍ଲେଖ କରିଛନ୍ତି- “ଓଡ଼ିଆ ସାହିତ୍ୟରେ ପୁରାଣ ଚର୍ଚ୍ଚିତ କଥାବସ୍ତୁକୁ ନେଇ ବହୁ ପରିମାଣରେ ନାଟକ ରଚିତ। ଶ୍ରୀଯୁକ୍ତ ପରିଚ୍ଛାଙ୍କର ‘କାଳୀୟ ଦଳନ’ ନାଟକ ଏ ପରମ୍ପରାର ଏକ ଭିନ୍ନ ସ୍ୱାଦର ମଞ୍ଚ ଉପଯୋଗୀ ନାଟକ। ଏହି ନାଟକଟି ୧୯୬୧ ମସିହାରେ ପ୍ରକାଶିତ। କାଳିନ୍ଦୀ ପ୍ରକଟ କରିଥିବା ପ୍ରସଙ୍ଗ ଉପରେ ନାଟକଟି ଆଧାରିତ। ସମ୍ପୂର୍ଣ୍ଣ ନାଟକରେ ଚାରୋଟି ଅଙ୍କ। ପ୍ରଥମ ଅଙ୍କରେ ତିନୋଟି ଦୃଶ୍ୟ, ଦ୍ୱିତୀୟ ଅଙ୍କରେ ତିନୋଟି ଦୃଶ୍ୟ, ତୃତୀୟ ଅଙ୍କରେ ତିନୋଟି ଦୃଶ୍ୟ ଏବଂ ଚତୁର୍ଥ ଅଙ୍କରେ ତିନୋଟି ଦୃଶ୍ୟ ସ୍ଥାନିତ। ପ୍ରଥମ ଅଙ୍କରେ ଏଗାରଟି, ଦ୍ୱିତୀୟ ଅଙ୍କରେ ପାଞ୍ଚୋଟି, ତୃତୀୟ ଅଙ୍କରେ ଚାରୋଟି ଚତୁର୍ଥ ଅଙ୍କରେ ଆଠଟି ଗୀତ କର୍ଣ୍ଣାଟକୀ ସଙ୍ଗୀତର ବିଭିନ୍ନ ରାଗ, ତାଳ ସହ ସନ୍ନିବେଶିତ।” ‘କାଳୀୟ ଦଳନ’ ନାଟକର ଏକ ସଙ୍ଗୀତ ନିମ୍ନରେ ପ୍ରଦାନ କରାଗଲା-

ରାଗ-ଖମାଚ, ତାଳ-ରୂପକ

(ଦେଖଲୋ ସରୋବରେ)

“ଜନନୀ ହୃଦୟ ତୁମେ ଜାଣ ନାହିଁ ମହାମନା

ଏଣୁ ଏ ଅବଳା ପ୍ରାଣେ ଦେଲ ଦାରୁଣ ବେଦନା।(ଘୋଷା)

ତେଜି ଏକମାତ୍ର ଧନେ ଆରତି ସଙ୍କୁଳ ବନେ

ରହିକି ପାରିବ କ୍ଷଣେ କର ଭଲେ ଏ ଭାବନା।”

(କାଳୀୟ ଦଳନ – ସିଂହାଦ୍ରି ପରିଚ୍ଛା)

ସାମଗ୍ରୀକ ଆଲୋଚନାରୁ ଜଣାପଡ଼େ ସିଂହାଦ୍ରୀ ପରିଚ୍ଛାଙ୍କ ନାଟକଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଓଡ଼ିଆ ସଙ୍ଗୀତ ନାଟକ ପର୍ଯ୍ୟାୟଭୁକ୍ତ। ଆଲୋଚିତ ନାଟକ ଗୁଡ଼ିକରେ ନିଜ ବଂଶଜ ସଙ୍ଗୀତ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ନାଟ୍ୟ ଶୈଳୀ ଦ୍ୱାରା ନାଟ୍ୟକାର ପ୍ରଭାବିତ ହୋଇଥିବା ମନେହୁଏ। ଏତଦ୍‌ଭିନ୍ନ ପାରଳାର ସତ୍ୟନାରାୟଣ ରାଜଗୁରୁଙ୍କ ‘ରାଧାଭିଷେକ’ ନାଟକ ଓ ବେଣୀମାଧବ ପାଢ଼ୀଙ୍କ ଅନେକ ନାଟକ ସଙ୍ଗୀତ ନାଟକ ଦ୍ୱାରା ବହୁମାତ୍ରାରେ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଏ।

ଓଡ଼ିଆ ନାଟକ ଓ ରଙ୍ଗମଞ୍ଚ ଆନ୍ଦୋଳନ ସମୟରେ ଦକ୍ଷିଣ ଓଡ଼ିଶାରେ ପ୍ରଚଳିତ ଥିବା ସଙ୍ଗୀତ ନାଟକ ପରମ୍ପରା ଯେ ପ୍ରଥମେ ପାରଳାଖେମୁଣ୍ଡିରେ ସୃଷ୍ଟି ହୋଇଥିଲା; ଏହା ସ୍ୱୀକାର୍ଯ୍ୟ। ଏହି ସଙ୍ଗୀତ ନାଟକ ଓଡ଼ିଆ ନାଟ୍ୟ ସାହିତ୍ୟର ବିକାଶରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଲୋକ ବା ଦର୍ଶକଙ୍କ ରୁଚିକୁ ପରୀକ୍ଷା କରି ସଙ୍ଗୀତ ନାଟକର ଧାରା ପ୍ରଧାବିତ ହୋଇଥିଲା। ପାରଳାରୁ ସୃଷ୍ଟି ହୋଇ ଏହି ନାଟ୍ୟ ଶୈଳୀ ସମଗ୍ର ଦକ୍ଷିଣ ଓଡ଼ିଶା ସମେତ ଅନ୍ୟାନ୍ୟ ଅଞ୍ଚଳର ନାଟକ ଓ ନାଟ୍ୟକାରଙ୍କୁ କବଳିତ କରି ରଖିଥିଲା; ଏହା ଯୁଗଯୁଗ ଧରି ନିଦ୍ୱର୍ନ୍ଦ୍ୱରେ କୁହାଯିବ।

 

ଲେଖକ:

ଦେବାଶିଷ ମହାପାତ୍ର

ଗବେଷକ, ସ୍ନାତକୋତ୍ତର ଓଡ଼ିଆ ବିଭାଗ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

Share This Article
ଗବେଷକ, ସ୍ନାତକୋତ୍ତର ଓଡ଼ିଆ ବିଭାଗ- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ