କଂସ ରାଜୁତି (ବିପ୍ଲବୀ ଗଣନାଥ ପାତ୍ରଙ୍କ ସ୍ମରଣରେ)

ଗଣନାଥ ପାତ୍ର
1 Min Read

କଂସ ରାଜୁତି ରାଜି
ଏବେ ବି ଯାଇନି ଭାଜି,
ଆଖିର ଲହୁରେ
ଦେବକୀ ମାଆ ଗୋ
କାନ୍ଦି ଘୁରିବୁଲେ ଆଜି… ।।୧।।

ଗଣତନ୍ତ୍ର ରାଜ୍
ଭାଷଣବାଜିରେ
ମାଆ ମୋ ବନ୍ଦିନୀ
କଂସ କାରାଗାରେ

ସନ୍ତାନେ ପ୍ରସବି ହେଲାଣି କାଇଲା,
ଧୈର୍ଯ୍ୟ ତା’ ଯାଉଛି ଭାଜି… ।।୨।।

ଚାରିଦିଗେ ଘନ କୁଆସା କୁହୁଡ଼ି
ଝାପସା ଝାପସା ବାଟ ହୁଏ ହୁଡ଼ି

Samadhwani Support us

ଅନେକ ଆଖିକୁ ଜାଲୁ ଜାଲୁ ଦିଶେ
ସ୍ୱାଧୀନତା ଅବା ପରାଧିନତା ସେ

ଶିଳ୍ପାୟନ ପରେ ଲୁଟେରାୟନର
ବିକାଶ ହାତରେ ବିନାଶ ସବାର

ଗଣତନ୍ତ୍ର କାବୁ ମୁନାଫା କବଳେ?
ତ୍ରିରଙ୍ଗା ଉଡ଼ଇ ଲାଞ୍ଚଖିଆ ମେଳେ?

କେବେ ଭରମ କଟିବ ସ୍ପଷ୍ଟ ଦେଖାଯିବ?
ସଂଶୟ ଲାଗେ ଆଜି… ।।୩।।

ଦେବକୀ ମାଆର ଅସଂଖ୍ୟ ସନ୍ତାନ
ବଢ଼ି, ମରୁଡ଼ି, ବତାସେ, ଭୋକେ ଦେଲେ ପ୍ରାଣ

ହତାଶା ନିରାଶା ଋଣର କବଳେ
ସହସ୍ର ସଂଖ୍ୟାରେ ପ୍ରାଣ ବିସର୍ଜିଲେ

ଶୀତଳ ମରଣ ଗଣେ ହେଲେ ଗଣା
ସବୁ ତାତି ଗଲା ହଜି… ।।୪।।

ଚିଲିକା ଗୋପାଳପୁର ରାଇଘରେ
ମାଇକଞ୍ଚ, ମାନ୍ଦ୍ରାବାଜୁ, ଲାଞ୍ଜିଗଡ଼େ

ଏ ଯେ ଗଣ ପ୍ରତିରୋଧେ ଗଣର ହନନ
ମାଆର ଅସଂଖ୍ୟ ସନ୍ତାନ ଉଷୁମ ଲହୁରେ

ଗଗନ-ପବନ ଭରୁଛି ତାତିରେ
ଘନ କୁହୁ୍ଡ଼ି ଯାଉଛି ଭାଜି…।।୫।।

ସବୁ ଅସ୍ପଷ୍ଟତା ସୁଦୃଶ୍ୟ ହୋଇବ
ଅସଲି ନକଲି ବଛା ପଡ଼ିଯିବ,

ଆହୁରି ବି କିଛି ଉଷୁମ ରକତ
ଜନତା ଦେବାକୁ ରାଜି
ମୋତେ ତାଗିଦ୍ ଆସିଛି ଆଜି…।।୬।।

(୧ଏପ୍ରିଲ ୨୦୦୭ ବିକଳ୍ପ ସନ୍ଧାନୀ ମଞ୍ଚର ବାର୍ଷିକ
ସମାବେଶରେ ଲୋହିଆ ଏକାଡେମୀଠାରେ ପଠିତ)

 

Photo credit-

https://bit.ly/2XEun43

Share This Article
ବିପ୍ଲବୀ ସଂସ୍କୃତିର ସଂଗଠକ ତଥା ବାମପନ୍ଥୀ ଜନନେତା