ତକ୍ଷକର ପ୍ରଶ୍ନ

1 Min Read

ସେ କିପରି ଦାୟୀ

ଖାଣ୍ଡବ ବନରେ ଅଗ୍ନିକାଣ୍ଡ ପାଇଁ!

ଯେଉଁଠି ଜଳିଗଲା ତାର ପ୍ରିୟତମା ପତ୍ନୀ

ଜଳିଗଲେ ତାର ବିଶାଳ ଜ୍ଞାତି ଓ କୁଟୁମ୍ବ.

ସେ କିପରି ସେ ଦୋଷରେ ହେବ ଅଭିଯୁକ୍ତ

ସମୟକୁ ପଚାରେ ତକ୍ଷକ।

ମନ୍ଦ ମନ୍ଦ ହସି କୁହଇ ସମୟ

ଅନେକ ଯାଇଛି ବଦଳି ସମୟ।

ଆଉ କଣ ହୁଅନ୍ତେ ଅଭିଯୁକ୍ତ

ଦେବତା, ଅବତାର ଅବା ରାଜପୁତ୍ର,

ଅଗ୍ନି,  ଶ୍ରୀକୃଷ୍ଣ ଅବା ଅର୍ଜ୍ଜୁନ?

ତକ୍ଷକ କରଇ ପ୍ରଶ୍ନ

କଣ ବ୍ଯାସଦେବ ଭୂଲ?

ସମୟ ମନ୍ଦ ମନ୍ଦ ହସି କହେ

ସବୁ ମନେ ଅଛି,

ବ୍ୟାସଙ୍କର ସବୁ ଧାଡି –

କିଏ ଖାଣ୍ଡବ ବନରେ ଥିଲା

ଅଗ୍ନିର ପ୍ରକୋପରେ ପଳାଇ ଆସୁଥିବା

ଜୀବ ଜନ୍ତୁଙ୍କୁ

କିଏ ଫେରାଉଥିଲା

ଜଳନ୍ତା ନିଆଁକୁ ।

ମନେ ଅଛି

କୃଷ୍ନଙ୍କ ହାତରେ ଚକ୍ର,

ଅର୍ଜ୍ଜୁନଙ୍କ ହାତରେ ଗାଣ୍ଡିବର କରାମତି

ସବୁ ମନେ ଅଛି।

ତଥାପି, ତକ୍ଷକ

ତୁମେ ହେବ ଅଭିଯୁକ୍ତ ।

କାହିଁକି ନ ଥିଲ ତୁମେ

ଖାଣ୍ଡବ ଜଳିବା ବେଳେ

ତୁମ ଜ୍ଞାତି କୁଟୁମ୍ବଙ୍କ ମେଳେ?

କାହିଁକି ସନ୍ଦେହ ନ ହେବ

ବାହାରେ ଥାଇ ତୁମେ ଚାହୁଁ ଥିବ ଖାଣ୍ଡବ ଜଳୁ,

କରିଥିବ ଷଡଯନ୍ତ୍ର?

 ତେଣୁ ତୁମେ ଅଭିଯୁକ୍ତ

ତୁମେ ବନ୍ଦୀ ହେବ

ଅଟକ ରହିବ

ବିଚାର ସରିବା ଯାଏ।

ସମୟକୁ ପଚାରୁ ଥିଲା ତକ୍ଷକ ଅଧୀର

ଏ କି ବିଚିତ୍ର ବିଚାର,

ଦୋଷ ନ କରି ମଧ୍ୟ ବନ୍ଦୀ ହୋଇପାର?

ସମୟ କହେ ମନ୍ଦ ମନ୍ଦ ହସି

ସମୟ ବଦଳିଛି

ପୁରୁଣା ଫାଇଲ ସବୁ ଏବେ ଯେ ପିଟୁଛି।

ତେବେ ଏ ବିଚାର ସରିବ କେବେ?

ପଚାରେ ତକ୍ଷକ।

କିଏ ଜାଣେ –

କୁହଇ ସମୟ

ଦେଖୁ ନାହଁ

ଏଠି ପରା ସାରା

ରାଜ୍ୟ ଅଟକ।

(୧୦/୫/୨୦୨୦)

Photo credit- https://bit.ly/2T155uj
Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ