ଦିନ ଥିଲା, କଲେଜେ କହିଲେ ନୋକେ ବୁଝୁଥିଲେ ଗୋଟିଏ ଜେଗା – କଟକର ରେଭେନ୍ସା । ତାହାର କାରଣ ବି ଥେଲା । ଏ ରାଇଜ ସାରା (କହିବାକୁ ଖାଲି ରାଇଜ – ପକୃତରେ ଥେଲା ବାର ଭାଇଙ୍କର ଇଜିମାଇଲି ଗାଡିଆଟିଏ), ମାନେ କୁଜଙ୍ଗରୁ କୁଚିଣ୍ଡା ପର୍ଯ୍ୟନ୍ତ, ଜଶୀପୁରରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ବ୍ୟାପିଥିବା ଓଡିଆଭାଷୀ ଅଞ୍ଚଳରେ ଥିଲା ଗୋଟିଏ ବୋଲି କଲେଜେ – ରେଭେନ୍ସା କଲେଜେ ।
ପ୍ରସିଦ୍ଧ କଥାକାର ଶ୍ରୀ ବସନ୍ତ ଶତପଥୀ ୧୯୩୩ ମସିହାରେ ରେଭେନ୍ସାରେ ବୃତ୍ତିଧାରୀ ଛାତ୍ର ଭାବରେ ପଢିବାକୁ ଆସିଲା ବେଳକୁ ୧୮୬୮ ମସିହାରେ ଛଅ ଜଣ ପିଲାଙ୍କୁ ଧରି ଖୋଲାଯାଇଥିବା ଇଣ୍ଟରମେଡିଏଟେ କଲେଜେଟିରେ ସେତେବେଳକୁ ଇଂରେଜିରେ ଏମ୍.ଏ. ଖୋଲି ସାରିଥିଲା । ଆଇ.ଏ.ରେ ବସନ୍ତ ବାବୁଙ୍କର ବିଷୟ ଥିଲା ଇତିହାସ, ଲଜିକ୍, ସଂସ୍କୃତ । ରହୁଥିଲେ ଇଷ୍ଟ୍ ହଷ୍ଟେଲରେ।
ହଷ୍ଟେଲରେ ସକାଳ ଜଳଖିଆରେ ମିଳୁଥିଲା ଚାରିଟା ପୁରୀ ଓ ତରକାରୀ । ଦିନବେଳା ଆମିଷ ଖାଉଥିବା ଲୋକଙ୍କ ପାଇଁ ସବୁଦିନ ମାଛ । ଶନିବାର ଦିନ ମାଂସ । ରାତିରେ କାନିକା । ଯେ ମାଂସ ନ ଖାଆନ୍ତି ତାଙ୍କ ପାଇଁ ରସଗୋଲା ଓ ଦିବ୍ୟ ଅନ୍ନ । ଉପରବେଳା ଜଳଖିଆ ଚାରିରୁ ଛଅଟା ଭିତରେ – ଖାଇବା ପାଇଁ ସୁଜି, ମୋହନଭୋଗ ନ ହେଲେ କାକରା । ହଷ୍ଟେଲେରେ ଥିଲା ମିଠା ଦୋକାନ – ଯିଏ ଚାହିଁବ କିଣିକରି ଖାଇପାରିବ । ପୂଜାରୀ ଭାବରେ ଥିଲେ ଧନି, କେଶବ, ବେଙ୍ଗ । ସମସ୍ତଙ୍କ ପାଇଁ ପିତ୍ତଳ ଥାଳି, ଗିନା ଓ ଗିଲାସ ବ୍ୟବସ୍ଥା ମଧ୍ୟ ଥିଲା ।
ପ୍ରତି ମାସର ଶେଷ ଶନିବାରରେ ହେଉଥିଲା ବିଶେଷ ମାସିକିଆ ରାଜକୀୟ ଭୋଜି । ପଲଉ ସହିତ ମାଂସର ଚପ୍, କଟଲେଟ୍ ଓ ଝୋଳ । ସାଧାଖିଆଙ୍କ ପାଇଁ ଛଅସାତ ଠା ନିରାମିଷ ତରକାରୀ । ତହିଁ ସହ ବଢ଼ାହେଉଥିଲା ଦୁଇତିନି ଠା ମିଠା, ଖିରି ଓ କିସିମିସି ଦିଆ ଖଜୁରୀ ଖଟା ।
ହଷ୍ଟେଲ୍ ଖାଇବା ବାହାରେ ପାଟି ଟକଳେଇଲେ ବା ଭୋକ କଲେ ଆଶ୍ରା ହେଲା ଅନୁ ପାନ ଦୋକାନ ପାଖକୁ କୁଞ୍ଜିଆ ମିଠା ଦୋକାନ । ଚାରି ପଇସାରେ ଚାରିଟା ରୁଟି ଭଳିଆ ବଡ଼ ବଡ଼ ଲୁଚି ଓ ପୁଡ଼ାଏ ଆଳୁଦମ୍ । ତାଙ୍କ ଦୋକାନର ପାନ୍ତୁଆ ଅପୂର୍ବ । ବର୍ତ୍ତମାନର ନେତାଜୀଙ୍କ ମୂର୍ତ୍ତି ପାଖରେ ଗୁଜୁରାଟୀ ଦୋକାନରେ ଗାଣ୍ଠିଆ, ଶେଉ, ମହୀଶୂର ପାଗ ମିଠା, ଚଟଣି ଆଉ ଚାହା । କଲେଜର ଆଦର୍ଶ ସ୍ଥାନୀୟ ଶିକ୍ଷକ, ଲାଇବ୍ରେରୀ ଓ ପାଠପଢ଼ା ସହ ପିଲାଙ୍କୁ ବାନ୍ଧି ରଖୁଥିଲା ମନକୁ ଟାଣି ରଖିଲା ଭଳି ଖାଇବା ।
ବି.ଦ୍ର. – ଏହି ଲେଖାଟିର ଉପାଦାନ ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ‘ମନେପଡେ’ ରୁ ସଙ୍ଗୃହିତ । ବହିଟି ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନଙ୍କ ଦ୍ୱାରା ପ୍ରକାଶିତ ।
[box type=”shadow” align=”” class=”” width=””]‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପ୍ରକାଶିତ ଏହି ଲେଖାଟି ଶୈଲେନ ରାଉତରାୟଙ୍କର ଏକ ସୃଜନାତ୍ମକ ସୃଷ୍ଟି । ଏହି ସ୍ତମ୍ଭରେ ଗତ କିଛି ବର୍ଷ ଧରି ସେ ‘ସମଦୃଷ୍ଟି’ ପାକ୍ଷିକ ପତ୍ରିକାରେ ଧାରାବାହିକ ଭାବରେ ଲେଖି ଆସୁଛନ୍ତି। ଓଡ଼ିଆ ଭାଷାରେ ପ୍ରକାଶିତ ଆତ୍ମଜୀବନୀଗୁଡ଼ିକୁ ଭିତ୍ତିପାଠ ଭାବରେ ଧରି ଓଡ଼ିଶାର ଜନଜୀବନର ସାମାଜିକ ଇତିହାସ ରଚନା ଦିଗରେ ଏହା ଏକ ପ୍ରଚେଷ୍ଟା ଏହା ସହ ଏକ ନୂତନ ପ୍ରଜନ୍ମକୁ ଇତିହାସର ଅନେକ ଅଣଆଲୋଚିତ ଚରିତ୍ର ଓ ଘଟଣା ମାନଙ୍କ ସହିତ ପରିଚୟ କରାଇବା ତଥା ପୁରାତନ ପୁସ୍ତକମାନଙ୍କ ସହ ଭେଟ କରାଇ ତତ୍ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଅଧିକ ଜାଣିବାର ଆଗ୍ରହ ସୃଷ୍ଟି କରିବା ପାଇଁ ସେ ନିଜର ଉଦ୍ୟମ ଏହି ସ୍ତମ୍ଭ ଜରିଆରେ ଜାରୀ ରଖିଛନ୍ତି । ତାଙ୍କର ଏହି ଚେଷ୍ଟାକୁ ଆଗେଇ ନେବା ପାଇଁ ‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପୂର୍ବପ୍ରକାଶିତ ଲେଖାଗୁଡ଼ିକୁ ଆମେ ସମଧ୍ୱନି ପୃଷ୍ଠାରେ ସ୍ଥାନିତ କରିବାକୁ ଅନୁରୋଧ କରିଥିଲୁ। ତାଙ୍କର ସହାୟତାରେ ଏହି ଧାରାବାହିକ ଏବେ ସମଧ୍ୱନିରେ ଆପଣ ପଢ଼ିବାକୁ ପାଇବେ । – ସମ୍ପାଦକ[/box]
Photo credit- https://bit.ly/32z31xh