Home / ଅନ୍ୟାନ୍ୟ / ନାରୀ / ଶ୍ରୀମତୀ ମାଳତୀ ଚୈାଧୁରୀ

ଶ୍ରୀମତୀ ମାଳତୀ ଚୈାଧୁରୀ

ମାଳତୀ ସେନ ନବକୃଷ୍ଣ ଚୌଧୁରୀଙ୍କୁ ବିବାହକରିବା ପରେ ମାଳତୀ ଚୈାଧୁରୀ ହୋଇଥିଲେ । ୧୯୦୪ ମସିହାରେ ଜନ୍ମ ଗ୍ରହଣ କରି ୧୯୯୮, ମାର୍ଚ୍ଚ ୧୫ରେ ମୃତ୍ୟୁବରଣ କରିଥିଲେ । “ସେ ନିର୍ଭୀକ ଥିଲେ, ସ୍ୱାଧୀନଚେତା ଥିଲେ, ସ୍ପଷ୍ଟବାଦୀ ଥିଲେ କୁସଂସ୍କାର ବିରୋଧୀ ଥିଲେ-ଏହା ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତେ ସ୍ୱୀକାର କରନ୍ତି । ତାଙ୍କ ବ୍ୟକ୍ତିତ୍ୱର ଏହି ଦିଗ ଗୁଡିକ ହିଁ ତତ୍କାଳୀନ ଯୁବ ସମ୍ପ୍ରଦାୟକୁ ଆକୃଷ୍ଟ କରିଥିଲା । ସବୁଠାରୁ ବଡ ଆକର୍ଷଣୀୟ ଦିଗ ଥିଲା ତାଙ୍କର ଆଗକୁ ମାଡିଯିବାର ସାହସ । ଏହାହିଁ ଆକୃଷ୍ଟ କରିଥିଲା ମହମ୍ମଦ ବାଜୀ , ବିଶ୍ୱନାଥ ପଟ୍ଟନାୟକଙ୍କ ଭଳି ସେ ସମୟର ଯୁବକଙ୍କୁ, ଯେଉଁମାନେ ଆଜୀବନ ମାଳତୀ ଚୈାଧୁରୀ ଓ ନବକୃଷ୍ଣ ଚୈାଧୁରୀଙ୍କର ଅନୁଗାମୀ ହୋଇ ରହିଲେ ।” ଏହିଭଳି ଭାବରେ ମାଳତୀ ଚୌଧୁରୀଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଉକ୍ତ ଲେଖାଟିରେ ଆଲୋଚନା କରିଛନ୍ତି ପ୍ରଫେସର ବୀରେନ୍ଦ୍ର ନାୟକ।– ସମ୍ପାଦକ

୨୬ ଜୁଲାଇ ୨୦୨୧ ଦିନ ମାଳତୀ ଚୈାଧୁରୀଙ୍କ ୧୧୭ତମ ଜନ୍ମ ଜୟନ୍ତୀ ଅନେକ ଅନୁଷ୍ଠାନ ପାଳନ କରିଥିବେ । ସାରା ଭାରତ ମହିଳା ସାଂସ୍କୃତିକ ସଂଗଠନର ଓଡିଶା ଶାଖା ମଧ୍ୟ ଏକ ଅନଲାଇନ ଆଲୋଚନା ସଭାର ଆୟୋଜନ କରିଥିଲେ । ଏହି ଲେଖକ ସେହି ଆଲୋଚନା ସଭାରେ ଅଂଶ ଗ୍ରହଣ କରିଥିଲା । ଏ ଲେଖକ ଶ୍ରୀଯୁକ୍ତ ନବକୃଷ୍ଣ ଚୈାଧୁରୀଙ୍କ ଉପରେ କିଛି ଅଧ୍ୟୟନ କରିଛି ଓ କରୁଛି । କିନ୍ତୁ ଏ ଲେଖକକୁ ମନେ ହେଉଥିଲା ଯେ ନବକୃଷ୍ଣଙ୍କ ଉପରେ ଅଧ୍ୟୟନ ସମ୍ପୂର୍ଣ୍ଣ ହୋଇ ପାରେ ନା ଯଦି ମାଳତୀ ଦେବୀଙ୍କ ସମ୍ପର୍କରେ ଅଧ୍ୟୟନ କରା ନ ଯାଏ । ଉପରୋକ୍ତ ଅନଲାଇନ ଆଲୋଚନାରେ ଏ ଲେଖକ ଯୋଗ ଦେବା ପାଇଁ ଯେତେବେଳେ ନିମନ୍ତ୍ରଣ ପାଇଲା ସେ ମାଳତୀ ଦେବୀଙ୍କ ଉପରେ ବିଶେଷ ଆଗ୍ରହର ସହ ପଢା ପଢି ଆରମ୍ଭ କରିଲା । ଏହି ଅଧ୍ୟୟନରୁ ଯେଉଁ ସୂଚନା ସଂଗ୍ରହ ହୋଇଥିଲା ତାହାକୁ ଉପରୋକ୍ତ ଅନଲାଇନ ସଭାରେ ଯୋଗ ହୋଇଥିବା ଶ୍ରୋତାଙ୍କୁ ଜଣାଇବାର ଉଦ୍ୟମ କରାଯାଇଥିଲା । ସେହି ସୂଚନାଗୁଡିକୁ ଏହି ନିବନ୍ଧରେ ଉପସ୍ଥାପିତ କରାଯାଉଛି, ଓ ଏହାର ସନ୍ଦର୍ଭ ଗୁଡିକୁ ବିସ୍ତାରିତ କରି । ଏ ଲେଖକ ଥରେ ମାତ୍ର ମାଳତୀ ଦେବୀଙ୍କୁ ସଶରୀରରେ ଦେଖିଛି, ଯେଉଁ ଦିନ ପ୍ରଥମ ଓ ଶେଷ ଥର ପାଇଁ ନବକୃଷ୍ଣ ଚୈାଧୁରୀଙ୍କୁ ସଶରୀରରେ ଦେଖିଥିଲା, ୫ ମାର୍ଚ୍ଚ ୧୯୭୮ ଦିନ । ତେଣୁ ଏହି ନିବନ୍ଧଟି ମାଳତୀ ଦେବୀଙ୍କର ନିଜସ୍ୱ କେତୋଟି ଲେଖା, ସାକ୍ଷାତକାର ଓ ତାଙ୍କ ସମ୍ପର୍କରେ ସହଯୋଗୀ ମାନଙ୍କର ଲିଖିତ ଅଭିଜ୍ଞତାର ଆଧାର ଉପରେ ହିଁ ପ୍ରସ୍ତୁତ କରାଯାଇଛି ।

ବଂଗ ଭାଷୀ ମାଳତୀ ଦେବୀ ତାଙ୍କର ଜୀବନର ସମୁଦାୟ ୯୪ ବର୍ଷ ସମୟ କାଳରୁ ସାତ ଦଶନ୍ଧି ଓଡିଶାର ମାଟି ପାଣି ପବନରେ ଗୋଳେଇ ଘାଣ୍ଟି ହୋଇ ଏହାର ଅବହେଳିତ, ଶୋଷିତ, ଉତ୍ପିଡୀତ ଅଧିବାସୀ ଓ ଆଦିବାସୀଙ୍କ ମୁକ୍ତି ପାଇଁ କରିଥିବା ବେସାଲିସ ସଂଘର୍ଷ ସମ୍ପର୍କରେ ପ୍ରତ୍ୟେକ ମାନବତାବାଦୀ ସମ୍ବେଦନଶୀଳ ବ୍ୟକ୍ତି ଜାଣିବା ଉଚିତ , ଆଗାମୀ ପିଢିର ଯୁବକ-ଯୁବତୀ ମଧ୍ୟ ଜାଣିବା ଉଚିତ । ସେ ନିର୍ଭୀକ ଥିଲେ, ସ୍ୱାଧୀନଚେତା ଥିଲେ, ସ୍ପଷ୍ଟବାଦୀ ଥିଲେ କୁସଂସ୍କାର ବିରୋଧୀ ଥିଲେ-ଏହା ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତେ ସ୍ୱୀକାର କରନ୍ତି । ତାଙ୍କ ବ୍ୟକ୍ତିତ୍ୱର ଏହି ଦିଗ ଗୁଡିକ ହିଁ ତତ୍କାଳୀନ ଯୁବ ସମ୍ପ୍ରଦାୟକୁ ଆକୃଷ୍ଟ କରିଥିଲା । ସବୁଠାରୁ ବଡ ଆକର୍ଷଣୀୟ ଦିଗ ଥିଲା ତାଙ୍କର ଆଗକୁ ମାଡିଯିବାର ସାହସ । ଏହାହିଁ ଆକୃଷ୍ଟ କରିଥିଲା ମହମ୍ମଦ ବାଜୀ , ବିଶ୍ୱନାଥ ପଟ୍ଟନାୟକଙ୍କ ଭଳି ସେ ସମୟର ଯୁବକଙ୍କୁ, ଯେଉଁମାନେ ଆଜୀବନ ମାଳତୀ ଚୈାଧୁରୀ ଓ ନବକୃଷ୍ଣ ଚୈାଧୁରୀଙ୍କର ଅନୁଗାମୀ ହୋଇ ରହିଲେ ।

ବହୁତ ଘଟଣା ବହୁଳ ଥିଲା ମାଳତୀ ଦେବୀଙ୍କର ଜୀବନ । ଏହି ଘଟଣା ଗୁଡିକ ଭିତରେ ହିଁ ତାଙ୍କର ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ପ୍ରକଟିତ ହେଉଥିଲା । ଏହାକୁ ବୁଝିବାର ଆବଶ୍ୟକତା ଅନୁଭବ କରି ଯେଉଁ ଅଧ୍ୟୟନ କରିଛି ଓ ମୁଁ ଯେପରି ତାଙ୍କ ବ୍ୟକ୍ତିତ୍ୱକୁ ବୁଝି ପାରିଛି ତାହା ହିଁ ଏହି ନିବନ୍ଧରେ ଲିପିବଦ୍ଧ କରାଯାଇଛି ।

ପ୍ରାଦେଶିକତା ଉର୍ଦ୍ଧ୍ୱରେ ମାଳତୀ ଦେବୀ

ମାଳତୀ ଚୈାଧୁରୀ ବିବାହ ପୂର୍ବରୁ ମାଳତୀ ସେନ ନାଁରେ ପରିଚିତ ଥିଲେ । ବିବାହ ପୂର୍ବରୁ ତାଙ୍କୁ ମିନୁ ବୋଲି ସ୍ନେହରେ ସମ୍ବୋଧନ କରାଯାଉଥିଲା, ବିବାହ ପରେ ତାଙ୍କ ଶ୍ରଦ୍ଧା ନାଁ ହେଲା ନୁମା । ସେ ବଂଗୀୟ ଥିଲେ । ଓଡିଆ ଯୁବକ ନବକୃଷ୍ଣ ଚୈାଧୁରୀଙ୍କୁ ୧୯୨୭ ମସିହାରେ ବିବାହ କରିବା ପରେ ତାଙ୍କର ସାଂଗିଆ ହେଲା ଚୈାଧୁରୀ । ଏହି ଓଡିଶା ମାଟିରେ ସେ ରହିଲେ ସାତ ଦଶନ୍ଧି, ୧୯୯୮, ମାର୍ଚ୍ଚ ୧୫ରେ ମୃତ୍ୟୁ ପର୍ଯ୍ୟନ୍ତ । ତଥାପି ସେ ଯେ ବଂଗାଳୀ ଏହା ଓଡିଶାର ଅନେକ ଲୋକ କହୁଥିଲେ । ମାଳତୀ ଦେବୀ କ୍ଷୋଭର ସହିତ କହୁଥିଲେ, “ଓଡିଶାରେ ଅନେକ ଲୋକ ଅଛନ୍ତି ଯେ ନୁମା ବଂଗାଳୀ ବୋଲି ଭାବନ୍ତି ।”ଏହା ଥିଲା ମାଳତୀ ଦେବୀଙ୍କର ପ୍ରତିକ୍ରିୟା ଯେତେବେଳେ ଜଣେ କହିଲେ, “ନୁମା ତ ଓଡିଶାରେ ଏତେ କାମ କଲେ, ମାତ୍ର କାହିଁ ତାଙ୍କୁ ତ ସ୍ୱୀକୃତି ସୂଚକ ପତ୍ରଟିଏ ମଧ୍ୟ ମିଳିଲା ନାହିଁ ।”(ଏକ ବିରାଟ ବ୍ୟତିକ୍ରମ, ଜୟକୃଷ୍ଣ ମହାନ୍ତି, ନୁମା-ଏକ ସଙ୍କଳନ, ପୃ ୧୨୬) କିନ୍ତୁ ମାଳତୀ ଦେବୀ ତାଙ୍କ ଦାମ୍ପତ୍ୟ ଜୀବନରେ ଏହାକୁ କିପରି ଦେଖୁଥିଲେ ?

ସେ କହୁଥିଲେ, “ଦୀର୍ଘକାଳର ଏକତ୍ର ବସବାସରେ ଏହି ଅବିସମ୍ବାଦିତ ସତ୍ୟ (ସେ ଉତ୍କଳୀୟ ଓ ମୁଁ ବଂଗୀୟ) ଆମ ଦୁହିଁଙ୍କ ମନରେ ତିଳେମାତ୍ର ରେଖାପାତ କରି ନାହିଁ କେବେହେଲେ । ପରସ୍ପରକୁ ଏକ ଏବଂ ସମାନ ପଥର ପଥିକ ବୋଲି ଭାବି ବାଟ ଚାଲିଛୁ । ପ୍ରାଦେଶିକତାର କ୍ଷୁଦ୍ର ଗଣ୍ଡି ଭିତରେ ଆମେ କେବେ କାତର ହୋଇ ପଡିନାହୁଁ ।”(ସେବା ମାର୍ଗର ପଥିକ, ନୁମା -ଏକ ସଙ୍କଳନ, ପୃ୧୪୨) ପ୍ରାଦେଶିକତାର କୈାଣସି ପ୍ରକାର ଗନ୍ଧକୁ ସେ ବରଦାସ୍ତ କରିପାରୁ ନ ଥିଲେ ।

୧୯୮୪ ଏପ୍ରିଲ ମାସରେ ଓଡିଶାରେ ବାସ କରୁଥିବା ଏକ ପଡୋଶୀ ରାଜ୍ୟର ପ୍ରବାସୀ ସଂସ୍ଥା ତାଙ୍କର ଏକ ଉତ୍ସବକୁ ମାଳତୀ ଦେବୀଙ୍କୁ ନିମନ୍ତ୍ରଣ ପଠାଇଥିଲେ-ତାଙ୍କୁ ସେଠି ସମ୍ମାନିତ କରିବା ଉଦ୍ଦେଶ୍ୟରେ । ନିମନ୍ତ୍ରଣ ପତ୍ରରେ ସେ ପ୍ରାଦେଶିକତାର ଗନ୍ଧ ବାରି ଥିଲେ ଓ ଉତ୍ତରରେ ଲେଖିଥିଲେ- “ଆପଣମାନେ ମୋତେ ଦୟାକରି ଏହି ଅନୁଷ୍ଠାନରେ ଉପସ୍ଥିତ ରହିବା ପାଇଁ ଆଶା କରିବେ ନାହିଁ । ମୁଁ ସମ୍ମାନ ଗ୍ରହଣ କରିବାକୁ ଉଚିତ ବୋଧ କରେ ନାହିଁ ।

ବିଶେଷ କରି ଯଦି ଓଡିଶାର ଜନତା ପାଇଁ କିଛି କରିଥାଏ ଓଡିଶା ଜନତା ତାର ବିଚାର କରିବେ । ଶିକ୍ଷିତ ସହରବାସୀଙ୍କ ପାଇଁ ମୁଁ କେଭେ କିଛି କରି ନାହିଁ । ବରଂ ତୀବ୍ର ସମାଲୋଚନା ହିଁ ମୋର କଥାବାର୍ତ୍ତା ଏବଂ ଆଚରଣରେ ଦେଖାଇ ଆସିଛି । ଅଧିକନ୍ତୁ ଓଡିଶାରେ ଛାତିରେ ବସି ପରିଷଦ ଗଢିବା ମୁଁ କାହିଁକି ପସନ୍ଦ କରିପାରେ ନାହିଁ । ଏ ଯୁଗରେ ପ୍ରାଦେଶିକତାର ଗନ୍ଧ ଯେଉଁଠାରେ ତିଳେ ମାତ୍ର ଥିବ ତାକୁ ମୁଁ ଏଡେଇ ଚଳିବାଟା ଉଚିତ ମନେକରେ….. ””(ଜନ ଜାଗରଣରେ ମାଳତୀ ଦେବୀଙ୍କ ଭୂମିକା, ନୁମା-ଏକ ସଙ୍କଳନ, ପୃ ୩୨ )

…କ୍ରମଶଃ

Photo credit -https://bit.ly/3pTnef0

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ସଂସ୍କୃତି ସଂରକ୍ଷକ ସ୍ରଷ୍ଟା କାଳୀଚରଣ

କାଳୀଚରଣଙ୍କକର ଜନ୍ମ ଓଡ଼ିଆ ସଂସ୍କୃତିର ଏକ ବିପର୍ଯ୍ୟସ୍ତ ସମୟରେ ବିଂଶ ଶତାବ୍ଦୀ ଆରମ୍ଭର ଅବ୍ୟବହିତ ପୂର୍ବରୁ । ୧୮୭୬ ମସିହାରେ …

Leave a Reply

Your email address will not be published. Required fields are marked *