ସମଧ୍ୱନି ପାଇଁ ଦୀର୍ଘ ଜୀବନ କାମନା କରୁଛି

3 Min Read

2005 ରୁ 2025 ଦୀର୍ଘ ଦୁଇ ଦଶନ୍ଧିର ଯାତ୍ରାକୁ ଯଦି ମନେପକାଇବା ତାହେଲେ ତାହାର ଅତୀତର ପ୍ରତ୍ୟେକଟି ମୁହୂର୍ତ୍ତ ସଂଘର୍ଷମୟ ଆଉ ପ୍ରେରଣାଦାୟକ ଏକଥା  ପୁରା ସତ୍ୟ ଅଟେ l ସମଧ୍ୱନି ତାର ଜନ୍ମ ଠାରୁ ଯୌବନ ପର୍ଯ୍ୟନ୍ତ ସମାଜର କଳା, ସାହିତ୍ୟ, ସଂସ୍କୃତି ଆଉ ସଭ୍ୟତା ପାଇଁ କରି ଆସିଥିବା ସାଂସ୍କୃତିକ ଆନ୍ଦୋଳନ ପାଇଁ ଉତ୍ସର୍ଗୀକୃତ ସଂଗ୍ରାମୀ ଭଳି ସଂଗ୍ରାମ କରି ଆସିଛି l କେତେବେଳେ ସେ ଗଣ ସଂଗୀତ ଗାନକରି ଜନ ଆନ୍ଦୋଳନର ବାର୍ତ୍ତାବହ ସାଜିଛି, କେତେବେଳେ ବୃତ୍ତଚ୍ଚିତ୍ର ଜରିଆରେ ସମାଜର ତଳ ପାହାଚରେ ଥିବା ନିରୀହ ଲୋକ ମାନଙ୍କ ପାଇଁ ଉପର ପାହାଚରେ ଥିବା ଲୋକମାନଙ୍କର ଶୋଷଣ ପୀଡନକୁ ସେମାନଙ୍କ ସମ୍ମୁଖରେ ପରିବେଷଣ କରି ସେମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ସଚେତନ କରିଛି, କେତେବେଳେ ଗାଁ ଗାଁ ବୁଲି ଗାଁର ସରଳ କୋମଳମତି ପିଲାମାନଙ୍କୁ ସେମାନଙ୍କର ମାଟି ମା’ର ଜୀବନୀ ଲେଖା ଶିଖାଇ ସୃଜନଶୀଳତାର ନିର୍ଝର ସୃଷ୍ଟି କରିଛି ଆଉ କେତେବେଳେ ଆଧୁନିକତାର ରଥ ଚକତଳେ ଦଳି ଚକଟି ହେଇ ମରିଯାଉଥିବା ସମାଜର ଲୋକ ସଂଗୀତ ପରମ୍ପରାର ପୁନରୁଦ୍ଧାର ପାଇଁ ପ୍ରୟାସ କରିଛି l ଏହାସହିତ ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ଗବେଷଣା, ପରିବେଷଣ ତଥା ପ୍ରଚାର ପ୍ରସାର ପାଇଁ ଅହରହ ଚେଷ୍ଟା କରିଆସୁଛି l ଏହିଭଳି ଏକ ବଳିଷ୍ଠ ଆଭିମୁଖ୍ୟ ଓ ନିରନ୍ତର ସାଧନା ସମଧ୍ୱନିକୁ ରାଜ୍ୟର ଏକ ପ୍ରମୁଖ ତଥା ଅଗ୍ରଣୀ ସାଂସ୍କୃତିକ ପତ୍ରିକାର ସ୍ଥାନ ଅଳଙ୍କୃତ କରିଛି l କେବଳ ଏତିକି ନୁହେଁ ଏହି ପତ୍ରିକା ବହୁ କଳାକାର, ଗୁରୁ ଏବଂ ଗବେଷକ ମାନବକୁ ଲୋକ ଲୋଚନକୁ ଆଣିବାରେ ଏକ ବହୁମୂଲ୍ୟ ସଫଳତା ଅର୍ଜନ କରିଛି l ଏହି ସଫଳତା ପଛରେ ସମ୍ପାଦିକା ସ୍ୱୟଂପ୍ରଭା ପାଢ଼ୀଙ୍କ ଏକନିଷ୍ଠ ଉଦ୍ୟମ, ଗଭୀର ଆନ୍ତରିକତା ଓ ସୃଜନଶୀଳତା ମୁଖ୍ୟ ଭୂମିକା ନିର୍ବାହ କରି ଆସିଛି l ସେଥିପାଇଁ ଆଜି ମୁଁ ସମ୍ପାଦିକାଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି l ତତ ସହିତ ଏହି ସାଂସ୍କୃତିକ ବିପ୍ଳବକୁ ଯେଉଁ ପରଦା ପଛର ନାୟକମାନେ ସହଯୋଗ କରିଆସିଛନ୍ତି ସେମାନଙ୍କୁ ମଧ୍ୟ ମୋର ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନ l ଏକବିଂଶ ଶତାବ୍ଦୀର ଏହି ଘଡିସନ୍ଧି ମୁହୂର୍ତ୍ତରେ ମୁଁ ଏହି ପତ୍ରିକାର ଦୀର୍ଘାୟୁ କାମନା କରିବା ସହିତ ସଫଳତା କାମନା କରୁଛି l ଏହାର ବୈପ୍ଲବିକ ଧ୍ୱନି ସମସ୍ତଙ୍କୁ ଆନ୍ଦୋଳିତ କରୁ, ଲୋକ ସମାଜର ଜୀବନ, ଜୀବିକା, ପରମ୍ପରା ଓ ସଂସ୍କୃତିକୁ ଏହା ଆହୁରି ଅଧିକରୁ ଅଧିକ ପ୍ରତିଫଳିତ କରୁ, ଲୋକ ମରି ଯାଉଥିବା ଲୋକ ନାଟକ, ଲୋକ ସଂଗୀତ ଓ ଲୋକ ନୃତ୍ୟମାନଙ୍କୁ ନୂଆ ଜୀବନ ଦେବା ସହ ଦୁସ୍ଥ କଳାକାର ମାନଙ୍କୁ ବଞ୍ଚିବାର ରାହା ଦେଖାଉ, ପ୍ରତ୍ୟେକ ଜିଲ୍ଲାରେ ଗାଁ ଗାଁ ରେ ପିଲାମାନଙ୍କୁ ନେଇ କର୍ମଶାଳା ମାଧ୍ୟମରେ ସେମାନଙ୍କୁ ଗାଁର ଜୀବନୀ ଲେଖା ଶିଖାଇ ରାଜ୍ୟରେ ହଜାର ହଜାର କୁନି ସାହିତ୍ୟିକ ଓ ଐତିହାସିକ ସୃଷ୍ଟିକରୁ, ଓଡ଼ିଶାର କଳା ଓ ସଂସ୍କୃତି ଜଗତରେ ଗବେଷଣା, ପ୍ରଶିକ୍ଷଣ, ପରିବେଷଣ ତଥା ପ୍ରୋତ୍ସାହନ କ୍ଷେତ୍ରରେ ସମଧ୍ୱନି ଏକ ଆଲୋକ ବର୍ତ୍ତିକାର ଗୌରବ ଅର୍ଜନ କରୁ l ଶେଷରେ ସମସ୍ତଙ୍କୁ ପୁଣିଥରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପତ୍ରିକାର ଦୀର୍ଘ ଜୀବନ କାମନା କରୁଛି l

Support Samadhwani
Share This Article
ଲୋକନାଟ୍ୟ ଗବେଷକ ଓ ଓଡ଼ିଆ ଅଧ୍ୟାପକ
Exit mobile version