କେହି ବା କୈାଣସି ବିଷୟ ପ୍ରାସଂଗିକ କହିବାରେ ନିହିତ ରହିଛି ଅତୀତକୁ ବର୍ତ୍ତମାନ ସହ ଯୋଡିବା । ଯାହା ବ୍ୟାପକ ଦୃଷ୍ଟିରୁ ପ୍ରାସଂଗିକ ତାହା ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ସାହାସିକତା , ଯାହା ଆଜିର ଆବଶ୍ୟକତା । ଯେପରି –
୧. ଧର୍ମାନ୍ଧତା ବିରୋଧରେ, ଧର୍ମନାଁରେ ହତ୍ୟା ବିରୋଧରେ ସ୍ୱର ଉତ୍ତୋଲନ କରିବାର ସାହସ ଆଜିର ଆବଶ୍ୟକତା
୧. ଧର୍ମାନ୍ଧତା ବିରୋଧରେ, ଧର୍ମନାଁରେ ହତ୍ୟା ବିରୋଧରେ ସ୍ୱର ଉତ୍ତୋଲନ କରିବାର ସାହସ ଆଜିର ଆବଶ୍ୟକତା । ବିବେକାନନ୍ଦ ଚିକାଗୋ ସହରରେ ଅନୁଷ୍ଠିତ ଧର୍ମ ସଭାରେ(Parliament of Religions) ଯୋଗ ଦେଇ ପ୍ରଥମ ଦିନ (୧୧ ସେପ୍ଟେମ୍ବର ୧୮୯୩) କହିଥିଲେ, “ସାମ୍ପ୍ରଦାୟିକତା, ଧର୍ମାନ୍ଧତା(bigotry), ଏବଂ ଏହାର ବିକଟାଳ ଦାୟାଦ ଧର୍ମନ୍ମୋଦ (fanaticism) ଏହି ସୁନ୍ଦର ପୃଥିବୀକୁ ବହୁ ଦିନ ଧରି ଅକ୍ତିଆର କରି ରଖିଛି । ପୃଥିବୀକୁ ସେମାନେ ହିଂସାରେ ପୁରାଇ ଦେଇଛନ୍ତି , ମଣିଷର ରକ୍ତରେ ସିକ୍ତ କରି ଦେଇଛନ୍ତି , ସଭ୍ୟତାକୁ ଧ୍ୱଂସ କରିଦେଇଛନ୍ତି ଏବଂ ସମୁଦାୟ ରାଷ୍ଟ୍ରକୁ ନୈରାଶ୍ୟ ଆଡକୁ ଠେଲି ଦେଇଛନ୍ତି । ଯଦି ଏହା ହୋଇ ନ ଥାନ୍ତା, ତାହାହେଲେ ମାନବ ସମାଜ ଆଜିର ଅବସ୍ଥା ତୁଳନାରେ ଆହୁରି ଅଧିକ ବିକଶିତ ହୋଇଥାନ୍ତା ।” ବିବେକାନନ୍ଦଙ୍କ ଏହି ଉକ୍ତିର ପୃଷ୍ଠଭୂମିରେ, ‘Lynching is a western construct’ କହି ଧର୍ମ ନାଁରେ ହେଉଥିବା ହିଂସାକୁ ଅଣଦେଖା କରାନଯାଉ (ସଦ୍ୟ ପ୍ରକାଶିତ National Crime Records Bureau Report ରୁ Lynching ଅପରାଧ ତାଲିକାରୁ ବାଦ ପଡିଛି), ଏହା ପ୍ରତି ଅଂଗୁଳି ନିର୍ଦ୍ଦେଶ କରିବାର ସାହସ ଆଜିର ଆବଶ୍ୟକତା ।
୨. “ମୁଁ ଗର୍ବିତ ଯେ ମୁଁ ସେହି ଦେଶରେ ବାସ କରୁଛି ଯେଉଁ ଦେଶ ପୃଥିବୀର ଅନ୍ୟ ରାଷ୍ଟ୍ର ଓ ଧର୍ମରୁ ଆସୁଥିବା ଅତ୍ୟାଚାରିତଙ୍କୁ ଓ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛି
୨. ଆଜି ସାହାସିକତାର ଆବଶ୍ୟକତା ଅଛି , ବିଶେଷତଃ ସ୍ମରଣ କରିବା ବିବେକାନନ୍ଦଙ୍କ ଉକ୍ତି ଯାହା ଚିକାଗୋରେ ଧର୍ମ ସଭାରେ ପ୍ରଥମ ଦିନ ସେ କହିଥିଲେ, “ମୁଁ ଗର୍ବିତ ଯେ ମୁଁ ସେହି ଦେଶରେ ବାସ କରୁଛି ଯେଉଁ ଦେଶ ପୃଥିବୀର ଅନ୍ୟ ରାଷ୍ଟ୍ର ଓ ଧର୍ମରୁ ଆସୁଥିବା ଅତ୍ୟାଚାରିତଙ୍କୁ ଓ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛି । ମୋତେ ଏହା ଗର୍ବର ସହ କହିବାକୁ ପଡୁଛି ଯେ ଆମେ ଆମ ବୁକୁରେ ଇସ୍ରାଏଲିଙ୍କର ଅତି ଶୁଦ୍ଧ ଅବଶେଷକୁ ଜାବୋଡି ଧରିଛୁ , ଯେଉଁମାନେ (ଇସ୍ରାଏଲର ଅଧିବାସୀ) ସେହି ବର୍ଷ ଦକ୍ଷିଣ ଭାରତକୁ ଆସିଥିଲେ ଓ ଆମର ଶରଣ ନେଇଥିଲେ, ଯେଉଁ ବର୍ଷ ରୋମର ଅତ୍ୟାଚାର ଫଳରେ ତାଙ୍କ ମନ୍ଦିର ଖଣ୍ଡବିଖଣ୍ଡିତ ହୋଇଥିଲା । ମୁଁ ସେହି ଧର୍ମର ଅନୁଯାୟୀ ଯେଉଁ ଧର୍ମ ଆଶ୍ରୟ ଦେଇଛି ଓ ଏବେ ବି ଯତ୍ନର ସହ ଲାଳନପାଳନ କରୁଛି ରହିଯାଇଥିବା ଅବଶିଷ୍ଟ ଜୋରାଷ୍ଟ୍ରିଆନ (Zoroastrian) ରାଷ୍ଟ୍ରକୁ ।”
୩. ଆଜି ସାହାସିକତାର ଆବଶ୍ୟକତା ଅଛି ସ୍ମରଣ କରିବା ପାଇଁ ବିବେକାନନ୍ଦଙ୍କର କ୍ଷୋଭୋକ୍ତି ଯାହା ସେ ତାଙ୍କ ବନ୍ଧୁ ହରିପଦ ମିତ୍ରଙ୍କୁ ଜଣାଇଥିଲେ
୩. ଆଜି ସାହାସିକତାର ଆବଶ୍ୟକତା ଅଛି ସ୍ମରଣ କରିବା ପାଇଁ ବିବେକାନନ୍ଦଙ୍କର କ୍ଷୋଭୋକ୍ତି ଯାହା ସେ ତାଙ୍କ ବନ୍ଧୁ ହରିପଦ ମିତ୍ରଙ୍କୁ ଜଣାଇଥିଲେ । ୨୮ ଡିସେମ୍ବର ୧୮୯୩ ଦିନ ସେ ହରିପଦଙ୍କୁ ଲେଖିଥିଲେ୨ , “ସେହି ହଜାର ହଜାର ସଂଖ୍ୟାର ବ୍ରାହ୍ମଣମାନେ ତଳେ ପଡିଥିବା , ଦଳିତ ଭାରତୀୟ ଜନସାଧାରଣଙ୍କ ପାଇଁ କଣ କରୁଛନ୍ତି? ‘ଛୁଁ ନା’( “Don’t-touch,”) ‘ଛୁଁ ନା’(“Don’t-touch,“), ଏହି ବାକ୍ୟଖଣ୍ଡ ହିଁ ତାଙ୍କ ପାଟିରୁ ସବୁବେଳେ ବାହାରୁଛି । ସେମାନଙ୍କ ହାତରେ ଆମର ଏହି ଶାଶ୍ୱତ ଧର୍ମ କେତେ ସଂକୀର୍ଣ୍ଣ ଓ ଅଧପତିତ ହୋଇଛି ସତେ । କେଉଁଠି ଆସି ଆମ ଧର୍ମ ଆଜି ପହଂଚିଲାଣି ? କେବଳ ‘ଛୁଁ ନା’ ମତବାଦରେ (“Don’t-touchism”), ଆଉ କେଉଁଠି ନୁହେଁ !”
୪. ଆଜି ସାହାସିକତାର ଆବଶ୍ୟକତା ଅଛି ସ୍ମରଣ କରିବା ପାଇଁ ବିବେକାନନ୍ଦଙ୍କର ଯୁବକମାନଙ୍କୁ ଆହ୍ୱାନ – “ଆସ, ମଣିଷ ହୁଅ
୪. ଆଜି ସାହାସିକତାର ଆବଶ୍ୟକତା ଅଛି ସ୍ମରଣ କରିବା ପାଇଁ ବିବେକାନନ୍ଦଙ୍କର ଯୁବକମାନଙ୍କୁ ଆହ୍ୱାନ ୩- “ଆସ, ମଣିଷ ହୁଅ । ସେ ପୁରୋହିତମାନଙ୍କୁ (priests)ପ୍ରତ୍ୟାଖ୍ୟାନ କର ଯେଉଁମାନେ ସବୁବେଳେ ପ୍ରଗତି ବିରୋଧୀ । କାରଣ ସେମାନେ କଦାପି ବଦଳିବେ ନାହିଁ , ସେମାନଙ୍କର ହୃଦୟ କଦାପି ଏତେ ବଡ ହେବ ନାହିଁ । ସେମାନେ ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସୁଥିବା ଅନ୍ଧବିଶ୍ୱାସ ଓ ସ୍ୱେଚ୍ଛାଚାରୀ ଶାସନର ସନ୍ତାନ । ପୁରୋହିତିଗିରି(priest craft)କୁ ପ୍ରଥମେ ନିର୍ମୂଳ କର । ଆସ, ମଣିଷ ହୁଅ । ସଙ୍କୀର୍ଣ୍ଣ ଗର୍ତ୍ତରୁ ବାହାରି ଆସ ଏବଂ ବିଦେଶକୁ ଦେଖ । ଦେଖ କିପରି ରାଷ୍ଟ୍ରମାନେ ଆଗେଇ ଚାଲିଛନ୍ତି! ତୁମେ ମଣିଷକୁ ଭଲ ପାଅ କି?ତୁମେ ତୁମ ଦେଶକୁ ଭଲ ପାଅ କି? ତାହାହେଲେ ଆସ ଆମେ ଏକ ଉଚ୍ଚତର ଭଲ ଅବସ୍ଥା ପାଇଁ ସଂଘର୍ଷ କରିବା । ପଛକୁ ଅନାଇବା ନାହିଁ , କେବଳ ଆଗକୁ ଦେଖିବା ।… ନୀରବରେ କାର୍ଯ୍ୟ କରିଯାଅ । ଖବରକାଗଜର ମୋହ ରେ ପଡ ନାହିଁ । ନାଁ କରିବା ପାଇଁ ଲାଳାୟିତ ହୁଅ ନାହିଁ । ଏହାହିଁ ମନେ ରଖ ।”
୫. ଆଜି ସାହାସିକତାର ଆବଶ୍ୟକତା ଅଛି ବିବେକାନନ୍ଦଙ୍କ ଭାଷାରେ ବଡ ଲୋକ, ବୁଦ୍ଧିଜୀବୀମାନଙ୍କ ସମ୍ପର୍କରେ କହିବା ଯେ, “ମୁଁ ତାଙ୍କୁ ଦୟାଦୃଷ୍ଟିରେ ଦେଖେ
୫. ଆଜି ସାହାସିକତାର ଆବଶ୍ୟକତା ଅଛି ବିବେକାନନ୍ଦଙ୍କ ଭାଷାରେ ବଡ ଲୋକ, ବୁଦ୍ଧିଜୀବୀମାନଙ୍କ ସମ୍ପର୍କରେ କହିବା ଯେ୪, “ମୁଁ ତାଙ୍କୁ ଦୟାଦୃଷ୍ଟିରେ ଦେଖେ । ଏହା ସେମାନଙ୍କର ଭୁଲ ନୁହେଁ । ସେମାନେ ସମାଜରେ ବଡ ଲୋକ ଓ ଉଚ୍ଚ ପଦସ୍ଥ ହୋଇପାରନ୍ତି କିନ୍ତୁ ସେମାନେ ପ୍ରକୃତରେ ଛୋଟ ପିଲାଙ୍କ ଭଳି । ସେମାନଙ୍କର ଆଖି ସେମାନଙ୍କର ଅଳ୍ପ କିଛି ଗଜ ଦୂରତାର ଛୋଟ ଦିଗବଳୟ ବାହାରେ କିଛି ଦେଖି ପାରେ ନା । ଦେଖେ କେବଳ ତାର ରୁଟିନ କାମକୁ, ଖାଇବା, ପିଇବା, ରୋଜଗାର କରିବା ଓ ସନ୍ତାନ ଜନ୍ମ କରିବାକୁ । ଏକ ଗାଣିତିକ ସଠିକତାର ସହିତ ଏହି କାର୍ଯ୍ୟଗୁଡିକୁ ଗୋଟିଏ ଗୋଟିଏ କରି ଥାଏ । ସେମାନେ ଏହା ବାହାରେ କିଛି ଜାଣନ୍ତି ନାହିଁ- ସୁଖୀ କ୍ଷୁଦ୍ର ଆତ୍ମାଗଣ! ସେମାନଙ୍କର ନିଦ୍ରା କଦାପି ବ୍ୟାହତ ହୁଏ ନାହିଁ । ସେମାନଙ୍କୁ ଆଦୈା ବ୍ୟଥିତ କରେ ନା ଭାରତର ବାୟୁମଣ୍ଡଳକୁ ଥରାଇ ଦେଉଥିବା, ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ଅତ୍ୟାଚାରର ପରିଣତି, ଦୁଃଖ, ବ୍ୟାଧି, ଅବକ୍ଷୟ ଓ ଦାରିଦ୍ର୍ୟ ଜନିତ ଦୀର୍ଘ ରୋଦନ । ସେମାନେ କ୍ୱଚିତ ସ୍ୱପ୍ନ ଦେଖନ୍ତି ମାନସିକ, ନୈତିକ ଓ ଦୈହିକ ଉତ୍ପୀଡନ ଯୁଗର, ଯାହା ଈଶ୍ୱରଙ୍କର ଛବିକୁ ଏକ ଲଦି ହୋଇଥିବା ଜନ୍ତୁ (beast of burden) ରେ ପରିଣତ କରିଦେଇଛି ; ଦୈବୀ ମାତା(Divine Mother)ର ପ୍ରତୀକକୁ ସନ୍ତାନ ଜନ୍ମକରା ଏକ ଦାସୀରେ ପରିଣତ କରିଦେଇଛି ଓ ବଂଚିବାକୁ ଏକ ଅଭିଶାପ ।….ଏହିଭଳି ତଥାକଥିତ ଧନୀଙ୍କୁ ବିଶ୍ୱାସ କର ନାହିଁ , ସେମାନେ ଜୀବନ୍ତ ଅପେକ୍ଷା ମୃତ ଅଧିକ ….ଏହି ତଥାକଥିତ ଧନୀ ଓ ମହାନଙ୍କ ଆଡକୁ ଅନାଅ ନାହିଁ । ଏହି ହୃଦୟହୀନ ବୁଦ୍ଧିଜୀବୀ ଲେଖକଙ୍କୁ ଓ ଖବରକାଗଜରେ ପ୍ରକାଶିତ ସେମାନଙ୍କର ଉଦାସୀନ ଲେଖାକୁ ଖାତିର କର ନାହିଁ ।” ସେ ସମୟରେ ସମାଜର ତତାକଥିତ ବଡଲୋକମାନଙ୍କର ସାଧାରଣ ବର୍ଗ ପ୍ରତି ଉଦାସୀନତା ଯାହା ବିବେକାନନ୍ଦ ଦେଖିଥିଲେ, ତାହା ଆଜି ମଧ୍ୟ ଦେଖାଯାଏ ନାହିଁକି? ଏହା ବିବେକାନନ୍ଦଙ୍କୁ ଅଧିକ ପ୍ରାସଂଗିକ କରିଦିଏ ନାହିଁକି?
୬. ଆଜି ସାହାସିକତାର ଆବଶ୍ୟକତା ଅଛି ଭୁଲ ଧାରଣା ଗୁଡିକୁ, କୁତର୍କକୁ ପ୍ରଶ୍ନ କରିବାର ଓ ସତ୍ୟ ଉଦଘାଟନ କରିବା ପାଇଁ ଉଦ୍ୟମ କରିବାର
୬. ଆଜି ସାହାସିକତାର ଆବଶ୍ୟକତା ଅଛି ଭୁଲ ଧାରଣା ଗୁଡିକୁ, କୁତର୍କକୁ ପ୍ରଶ୍ନ କରିବାର ଓ ସତ୍ୟ ଉଦଘାଟନ କରିବା ପାଇଁ ଉଦ୍ୟମ କରିବାର । ସିଦ୍ଧାନ୍ତ ପଛରେ ଥିବା ଯୁକ୍ତିରେ ବିରୋଧାଭାଷକୁ ଉନ୍ମୋଚିତ କରିବାର, ତାହା ଯେତେବଡ ପଣ୍ଡିତଙ୍କ ଦ୍ୱାରା ଦିଆଯାଇଥାଉ ନା କାହିଁକି । ଯେପରି ଶୁଦ୍ରଙ୍କର ବେଦ ଅଧ୍ୟୟନର ଅଧିକାର ପ୍ରସଂଗରେ ଶଙ୍କରାଚାର୍ଯ୍ୟଙ୍କ ଯୁକ୍ତିରେ ବିରୋଧାଭାଷକୁ ବିବେକାନନ୍ଦ ଉନ୍ମୋଚିତ କରି ଗ୍ରହଣ କରି ପାରୁ ନ ଥିଲେ, ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଶୁଦ୍ରଙ୍କ ବେଦ ଅଧ୍ୟୟନ ପାଇଁ ବାରଣକୁ । ସେ କହିଥିଲେ,“ଆଚାର୍ଯ୍ୟ (ଶଙ୍କରାଚାର୍ଯ୍ୟ) ବେଦରୁ କୈାଣସି ପ୍ରମାଣ ଦେଇ ପାରି ନାହାନ୍ତି ଯେ ଶୁଦ୍ରମାନେ ବେଦ ପଢିବା ଉଚିତ ନୁହେଁ । ସେ କେବଳ ଏକ ସଂହିତା (Tai. Samhita, VII. i. 1. 6)ରୁ ଉଦ୍ଧାର କରିଛନ୍ତି ଯେଉଁଠାରେ କୁହାଯାଇଛି “ଯଜ୍ଞ ବା ବୈଦିକ ବଳି(ଠରୟସମ ଗ୍ଦବମକ୍ସସଲସମରଗ୍ଦ) କାର୍ଯ୍ୟ ଶୁଦ୍ର ସମ୍ପାଦନ କରିବ ନାହିଁ ।” ଏହାକୁ ଆଧାର କରି ତାଙ୍କର ନିଷ୍କର୍ଷ ହେଉଛି ଯେ ଯେହେତୁ ସେମାନେ ଯଜ୍ଞ କରିବା ପାଇଁ ଅଧିକୃତ ନୁହନ୍ତି ତେଣୁ ଉପନିଷଦ ଓ ସଦୃଶ ଶାସ୍ତ୍ର ଗୁଡିକୁ ଅଧ୍ୟୟନ କରିବାର ଅଧିକାର ସେମାନଙ୍କର ନାହିଁ । କିନ୍ତୁ ସେହି ଆଚାର୍ଯ୍ୟ ଆଉ ଏକ ସୁତ୍ରକୁ (Vedânta-Sutras, I. i. 1) ଉଦ୍ଧାର କରି କହୁଛନ୍ତି ଯେ ବୈଦିକ କର୍ମକାଣ୍ଡ ଜାଣିବା ସହିତ ବୈଦିକ ଜ୍ଞାନ କାଣ୍ଡ ଜାଣିବାର କୋଣସି ସମ୍ପର୍କ ନାହିଁ । ଅର୍ଥାତ୍ ଯାହା ପୂର୍ବେ କହିଛନ୍ତି ତାହା ପରେ କହିଥିବା କଥା ସହିତ ମେଳ ଖାଉନାହିଁ । ତେଣୁ ଶୁଦ୍ରଙ୍କ ବେଦ ପାଠର ଅଧିକାର ସମ୍ପର୍କରେ ଆଚାର୍ଯ୍ୟ ଏପରି ପରସ୍ପର ବିରୋଧୀ ମତ କାହିଁକି ରଖିଲେ?” ଏଠାରେ ଜଣାଇଦେବା ଉଚିତ ହେବ ଯେ ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିରେ ହିନ୍ଦୁ ଧର୍ମର ମୂଳ ହେଉଛି ବେଦ । ତେଣୁ ବେଦରେ ଯଦି ବାରଣ ନାହିଁ ତାହାହେଲେ , ହିନ୍ଦୁ ଧର୍ମରେ ଶୁଦ୍ର ବେଦର ଜ୍ଞାନକାଣ୍ଡ ଅର୍ଥାତ ଉପନିଷଦ ପଢିପାରିବେ ।
ସେହିଭଳି ଜାତି ଜନ୍ମଗତ ବୋଲି ଦର୍ଶାଇବାକୁ ଯେତେବେଳେ ଶଙ୍କରାଚାର୍ଯ୍ୟ ବେଦାନ୍ତ ସୂତ୍ରର ଭାଷ୍ୟରେ ସ୍ମୃତିରୁ ଉଦ୍ଧାର କରୁଛନ୍ତି ଓ ନିଜ ମତର ଯଥାର୍ଥତା ପାଇଁ ମହାଭାରତ ଊପରେ ନିର୍ଭର କରୁଛନ୍ତି ସେତେବେଳେ ବିବେକାନନ୍ଦ ପ୍ରଶ୍ନ କରୁଛନ୍ତି୫ ଯେ ଶଙରାଚାର୍ଯ୍ୟ ଅବଗତ ଥିଲେ କି ସେହି ମହାଭାରତର ଭୀଷ୍ମପର୍ବରେ କୁହାଯାଇଛି ଯେ ଜାତି ପ୍ରଥା ଯୋଗ୍ୟତା ଭିତ୍ତିକ ?
ସେ ବେଦର ପୁରୁଷସୁକ୍ତରେ ଜାତି ଜନ୍ମଗତ ନୁହେଁ ବୋଲି କୁହାଯାଇଥିବା ଦର୍ଶାଇ ପ୍ରଶ୍ନ କରି ଚାହିଁଛନ୍ତି୫ ଜାଣିବା ପାଇଁ ଯେ ବେଦର କେଉଁ କେଉଁ ସ୍ଥାନରେ ଜାତି ଜନ୍ମଗତ ବୋଲି ଦୃଷ୍ଟାନ୍ତ ରହିଛି ।
କହିବା ବାହୁଲ୍ୟ ଯେ ଧର୍ମୀୟ ସଙ୍କୀର୍ଣ୍ଣତା ବିରୋଧରେ ଥିଲେ ବିବେକାନନ୍ଦ । ଯେଉଁମାନେ ବିବେକାନନ୍ଦଙ୍କ ସାହାସିକତା ସହିତ କୈାଣସି ରାଜନେତାର ସାହାସିକତାର ସାଦୃଶ୍ୟ ଦେଖନ୍ତି ସେମାନେ ବିବେକାନନ୍ଦଙ୍କ ସାହାସିକତାର ଉପରୋକ୍ତ ଦୃଷ୍ଟାନ୍ତ ଗୁଡିକୁ ମନେ ରଖିବା ଉଚିତ ଓ ଏାହର ପୃଷ୍ଠଭୂମିରେ ରାଜନେତା ମହୋଦୟଙ୍କ ସାହାସିକତାର ଆକଳନ ହେବା ଉଚିତ ।
ତେଣୁ ସଙ୍କୀର୍ଣ୍ଣତାକୁ ଖୋଲାଖୋଲି ବିରୋଧ କରିବାର ସାହାସ, ଧର୍ମାନ୍ଧତା ବିରୋଧରେ ସ୍ୱରଉତ୍ତୋଳନ କରିବାର ସାହସ, କୁତର୍କକୁ ବିରୋଧ କରିବାର ସାହସ ହିଁ ପ୍ରକୃତ ସାହସ । ବଡଲୋକଙ୍କୁ ପ୍ରଶ୍ନ କରିବାର ସାହସ ହିଁ ପ୍ରକୃତ ସାହସ । ମିଥ୍ୟାଚାର ଓ ଗୁଜବକୁ ପ୍ରଘଟ କରାଇପାରିବା ପ୍ରକୃତ ସାହସ । ଉପରୋକ୍ତ ଦୃଷ୍ଟାନ୍ତ ଗୁଡିକରେ ଏହି ସାହସର ଶିକ୍ଷା ହିଁ ଦେଉଛନ୍ତି ବିବେକାନନ୍ଦ ଯାହା ଆଜିର ଆବଶ୍ୟକତା । ତେଣୁ ବିବେକାନନ୍ଦ ପ୍ରାସଂଗିକ ।
‘ହିନ୍ଦୁତ୍ୱ’
(ଖ). ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ବିବେକାନନ୍ଦଙ୍କୁ ‘ହିନ୍ଦୁତ୍ୱ’ ଅବଧାରଣାର ଜଣେ ରୂପକାର (Designer) ବୋଲି ଉପସ୍ଥାପିତ କରିବା ଦର୍ଶାଏ ଯେ ବିବେକାନନ୍ଦ ପ୍ରାସଂଗିକ ବୋଲି ସଂଘ ବିଚାର କରେ । ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଜଣେ ନିଷ୍ଠାପର ପ୍ରଚାରକ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ ସାଂଗଠନିକ ସମ୍ପାଦକ ସୁନୀଲ ଅମ୍ବେକର ତାଙ୍କ ସଦ୍ୟ ପ୍ରକାଶିତ(Rupa, ୨୦୧୯) ପୁସ୍ତକ The RSS: Roadmaps for the 21st Centuryରେ (ପୃ ୭୯-୮୦) ଲେଖନ୍ତି, “ହିନ୍ଦୁତ୍ୱର ଆଧୁନିକ ପରିଭାଷା ସ୍ୱାମୀ ବିବେକାନନ୍ଦ ୧୧ ସେପ୍ଟେମ୍ବର ୧୮୯୩ ଦିନ ଚିକାଗୋଠାରେ ହୋଇଥିବା ବିଶ୍ୱ ଧର୍ମ ସଂସଦରେ ଉପସ୍ଥାପିତ କରିଥିଲେ ।…ସ୍ୱାମୀଜୀଙ୍କର ଚିକାଗୋ ବକ୍ତୃତା ହିନ୍ଦୁତ୍ୱର ଶୀର୍ଷବିନ୍ଦୁ (high point) ଥିଲା ଓ ସବୁବେଳ ପାଇଁ ରହିବ ।” ଏହି ମନ୍ତବ୍ୟରୁ ଜଣାପଡେ ଯେପରି ବିବେକାନନ୍ଦଙ୍କ ପୁର୍ବରୁ ‘ହିନ୍ଦୁତ୍ୱ’ର ଅବଧାରଣା ଥିଲା ଓ ସ୍ୱାମୀଜୀ ତାହାର ଏକ ଆଧୁନିକ ପରିଭାଷା ଦେଲେ । ଅମ୍ବେକର ତାଙ୍କ ପୁସ୍ତକରେ ଚନ୍ଦ୍ରନାଥ ବସୁ (୧୮୪୪-୧୯୧୦) ୧୮୯୨ରେ ‘ହିନ୍ଦୁତ୍ୱ’ ଶବ୍ଦ ବ୍ୟବହାର କରିଥିଲେ ବୋଲି କହି ବିବେକାନନ୍ଦଙ୍କର ୧୮୯୩ ଧର୍ମ ସଭାରେ ବକ୍ତୃତା ପୂର୍ବରୁ ଏହି ଶବ୍ଦ ବଂଗଳାରେ ଥିଲା ବୋଲି ଇଂଗିତ କରିଛନ୍ତି । ଏହା ତ ଭିନ୍ନ କଥା ଯେ ଏହି ଅବଧାରଣା ଉପରେ ଚନ୍ଦ୍ରନାଥଙ୍କର ପୁସ୍ତକ ଏ ଯାବତ୍ ଏହି ତଥ୍ୟକୁ ଆବିଷ୍କାର କରିଥିବା କେହି ଦେଖି ନାହାନ୍ତି । କିନ୍ତୁ ଚିକାଗୋ ଧର୍ମ ସଭାରେ ସ୍ୱାମୀଜୀ ଯେଉଁ ଭାଷଣମାନ ଦେଇଥିଲେ୬ (୧୧ ସେପ୍ଟେମ୍ବର ୧୮୯୩: RESPONSE TO WELCOME;୧୫ ସେପ୍ଟେମ୍ବର ୧୮୯୩: WHY WE DISAGREE;୧୯ ସେପ୍ଟେମ୍ବର ୧୮୯୩: PAPER ON HINDUISM;୨୦ ସେପ୍ଟେମ୍ବର ୧୮୯୩: RELIGION NOT THE CRYING NEED OF INDIA;୨୬ ସେପ୍ଟେମ୍ବର ୧୮୯୩: BUDDHISM, THE FULFILMENT OF HINDUISM;୨୭ ସେପ୍ଟେମ୍ବର ୧୮୯୩: ADDRESS AT THE FINAL SESSION) ସେ ଏହି ଶବ୍ଦ ବ୍ୟବହାର କରି ନ ଥିଲେ , ବରଂ ବ୍ୟବହାର କରିଥିଲେ HINDUISM । ଅପରପକ୍ଷରେ ୧୯୨୩ ମସିହାରେ HINDUTVA (ହିନ୍ଦୁତ୍ୱ)ଓ HINDUISM (ହିନ୍ଦୁବାଦ ବା ହିନ୍ଦୁ ଧର୍ମ)ଏକା କଥା ନୁହେଁ ବୋଲି ଯେତେବେଳେ ବିନାୟକ ଦାମୋଦର ସାଭରକର ତାଙ୍କ ପୁସ୍ତକ HINDUTVA ରେ କହୁଛନ୍ତି (ପୃ୩) ସେତେବେଳେ ସାଭରକର ଯେ ବିବେକାନନ୍ଦଙ୍କ HINDUISM ଅବଧାରଣା ପ୍ରତି ଅବଗତ ଥିବେ-ଏହା କହିବା ଅଯଥାର୍ଥ ହେବ ନାହିଁ । କାରଣ ସାଭରକରଙ୍କ ପୁସ୍ତକ ବିବେକାନନ୍ଦଙ୍କ ମୃତ୍ୟୁର ପ୍ରାୟ ୨୦ ବର୍ଷ ପରେ ପ୍ରକାଶ ପାଉଛି, ବିବେକାନନ୍ଦଙ୍କ ଚିକାଗୋ ଧର୍ମ ସଭାରେ ଭାଷଣର ୩୦ ବର୍ଷ ପରେ ! ତେଣୁ ଆମ୍ବେକର ବିବେକାନନ୍ଦ ହିନ୍ଦୁତ୍ୱର ପରିଭାଷା ଚିକାଗୋ ଦର୍ମସଭାରେ ଦେଇଥିଲେ ବୋଲି ଦାବି କରିବା କେତେ ଠିକ ତାହା ପାଠକ ବିଚାର କରିବେ । ଏହା ବୋଧହୁଏ ଏକ ରଣନୀତି ଯେ ଏହି ଭଳି ବିତର୍କିତ ଅବଧାରଣା ଗୁଡିକ ସହିତ ବଡ ବଡ ଲୋକଙ୍କୁ ସମ୍ପୃକ୍ତ କରାଇ ସର୍ବସାଧାରଣଙ୍କ ଭିତରେ ଏହି ଧାରଣା ଗୁଡିକର ଗ୍ରହଣୀୟତାକୁ ନିଶ୍ଚିତ କରିବା ।
ହିନ୍ଦୁଧର୍ମ
ତେବେ ହିନ୍ଦୁଧର୍ମ ସମ୍ପର୍କରେ ସ୍ୱାମୀ ବିବେକାନନ୍ଦଙ୍କର ଏକ ଉଲ୍ଲେଖ ଯୋଗ୍ୟ ମନ୍ତବ୍ୟ ଉଦ୍ଧାର କରିବା ଉଚିତ ହେବ । ସେ କୁହନ୍ତି୭ “ହିନ୍ଦୁ ଧର୍ମ କହିଲେ, ମୁଁ ବୁଝେ ବେଦର ଧର୍ମ” । ସ୍ମୃତି , ପୂରାଣ , ତନ୍ତ୍ର ଆଦି ସମ୍ପର୍କରେ କୁହନ୍ତି୮, “ସ୍ମୃତି, ପୂରାଣ, ତନ୍ତ୍ର ଏହି ଗୁଡିକ କେବଳ ସେତେବେଳେ ହିଁ ଗ୍ରହଣୀୟ ଯେତେବେଳ ଯାଏ ଏମାନେ ବେଦ ସମ୍ମତ ; ଏବଂ ଯେଉଁଠି ଏ ଗୁଡିକ ବେଦ ସହ ଅସଂଗତ ସେଗୁଡିକୁ ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି ବିଚାର କରି ପ୍ରତ୍ୟାଖ୍ୟାନ କରାଯିବା ଉଚିତ । କିନ୍ତୁ ଆଜିକାଲି ତ ଆମେ ପୂରାଣକୁ ବେଦଠାରୁ ଉଚ୍ଚ ସ୍ଥାନରେ ବସାଇଛୁ !” ଆହୁରି କୁହନ୍ତି୯,“ସ୍ମୃତି ଓ ପୁରାଣ ସୀମିତ ବୁଦ୍ଧି ସମ୍ପନ୍ନ ଲୋକଙ୍କ ଦ୍ୱାରା ସୃଷ୍ଟି ଏବଂ ଏଥିରେ ପୂରି ରହିଛି ବହୁ ଭ୍ରମ, ତୃଟି, ଶ୍ରେଣୀ ଅନୁଭବ (feelings of class) ଏବଂ ଅସୂୟା । କେବଳ ସେହି ଅଂଶ ଗ୍ରହଣୀୟ ହେବା ଉଚିତ ଯେଉିଁ ଅଂଶରେ ଆତ୍ମାର ଉଦାରତା ଓ ପ୍ରେମ ନିସୃତ ହେଉଥିବ, ଅବଶିଷ୍ଟ ଅଂଶକୁ ପ୍ରତ୍ୟାଖ୍ୟାନ କରିବାକୁ ହେବ ।”
ହିନ୍ଦୁ ଧର୍ମର ଉତ୍କର୍ଷତା ସହିତ ତାର ଦୁର୍ବଳତା ମଧ୍ୟ ସେ ଚିହ୍ନଟ କରିଛନ୍ତି । ଯେପରି ସେ କୁହନ୍ତି୧୦, “ପୃଥିବୀରେ ହିନ୍ଦୁ ଧର୍ମ ପରି କୈାଣସି ଧର୍ମ ନାହିଁ ଯାହା ମାନବତାର ମର୍ଯ୍ୟାଦାକୁ ଏତେ ଉତ୍ତୁଂଗ ଢଂଗରେ(lofty strain) ପ୍ରଚାର କରିଥାଏ; ଏବଂ ହିନ୍ଦୁ ଧର୍ମ ପରି ଏପରି କୈାଣସି ଧର୍ମ ନାହିଁ ଯାହା ଗରିବ ଓ ତଳେ ପଡିଥିବା ମଣିଷର ବେକକୁ ଏପରି ଭାବେ ଦଳି ଦେଇପାରେ । ଈଶ୍ୱର ମୋତେ ଦେଖାଇଛନ୍ତି ଯେ ଧର୍ମରେ କୈାଣସି ତୃଟି ନାହିଁ । ବରଂ ତୃଟି ହେଉଛି ହିନ୍ଦୁ ଧର୍ମରେ ଥିବା ଲୋକଦେଖାଣିଆ ଭାବେ ନିଷ୍ଟାପର, ଛଦ୍ମଚାରୀ ଶଠ ବ୍ୟକ୍ତିଗଣଙ୍କର, ଯେଉଁମାନେ ପରମାର୍ଥିକ (traditional) ଓ ବ୍ୟବହାରିକ ତତ୍ତ୍ୱ ଆକାରରେ ଅତ୍ୟାଚାରର ସମସ୍ତ ଯନ୍ତ୍ର ଉଦ୍ଭାବନ କରିଛନ୍ତି ।” ।
ସ୍ୱାମୀଜୀ କିପରି ହିନ୍ଦୁର ପରିକଳ୍ପନା କରନ୍ତି ? ସେ କୁହନ୍ତି୧୧ “…ଆମେ କେବଳ ସହିଷ୍ଣୁ ନୋହୁଁ , ଆମେ ହିନ୍ଦୁମାନେ ପ୍ରତ୍ୟେକ ଧର୍ମକୁ ଗ୍ରହଣ କରୁ , ମୁସଲମାନଙ୍କର ମସଜିଦରେ ପ୍ରାର୍ଥନା କରି, ଜୋରାଷ୍ଟ୍ରିଆନଙ୍କ ଅଗ୍ନିଙ୍କୁ ପୂଜା କରି, ଖ୍ରୀଷ୍ଟିଆନଙ୍କ କ୍ରୁଶ ସମ୍ମୁଖରେ ଆଜାନୁନତ ହୋଇ, ଏହା ଜାଣି ଯେ ସବୁ ଧର୍ମ, ନିମ୍ନତମ ଯନ୍ତ୍ର-ମନ୍ତ୍ରରେ ବିଶ୍ୱାସ(fetishism)ରୁ ଉଚ୍ଚତମ ନିରପେକ୍ଷବାଦୀ ସିଦ୍ଧାନ୍ତ (absolutism) ପର୍ଯ୍ୟନ୍ତ,ହେଉଛନ୍ତି ମାନବ ଆତ୍ମା ଦ୍ୱାରା ଅନନ୍ତକୁ ବୁଝିବା ଓ ହୃଦୟଂଗମ କରିବାର ବହୁବିଧ ଉଦ୍ୟମ, ପ୍ରତ୍ୟେକଟି ନିର୍ଦ୍ଧାରିତ ହୋଇଥାଏ ତାହାର ଜନ୍ମ ଓ ସଂସର୍ଗର ପରିସ୍ଥିତଦ୍ୱାରା,ଏବଂ ପ୍ରତ୍ୟେକଟିର ବିକାଶର ଏକ ଅବସ୍ଥାକୁ ଚିହ୍ନିତ କରିଥାଏ । ଆମେ ଏହି ସବୁ ଫୁଲକୁ ସଂଗ୍ରହ କରି ଏବଂ ତାକୁ ପ୍ରେମର ରଜ୍ଜୁରେ ବାନ୍ଧି ଉପାସନାର ଏକ ଚମତ୍କାର ପୁଷ୍ପଗୁଚ୍ଛଟିଏ ପ୍ରସ୍ତୁତ କରୁ ।”
ହିନ୍ଦୁଙ୍କ ଠାରୁ ଆଶା କରନ୍ତି ଚରମ ସହିଷ୍ଣୁତା ଯେତେବେଳେ ସେ ଲେଖନ୍ତି୧୨, “ଏଠି ଆମ ଭାରତରେ ହିନ୍ଦୁ ମାନେ ଖ୍ରୀଷ୍ଟିଆନଙ୍କ ପାଇଁ ଚର୍ଚ୍ଚ ଓ ମୁସଲମାନଙ୍କ ପାଇଁ ମସଜିଦର ନିର୍ମାଣ କରିଛନ୍ତି ଓ ଏବେ ବି କରୁଛନ୍ତି । ଏହା ହିଁ କରିବା ଉଚିତ । ସେମାନଙ୍କର ସମସ୍ତ ଘୃଣା ସତ୍ତ୍ୱେ, ସେମାନଙ୍କର ସମସ୍ତ ନୃଶଂସତା ସତ୍ତ୍ୱେ, ସେମାନଙ୍କର ସମସ୍ତ କ୍ରୁରତା ସତ୍ତ୍ୱେ, ସେମାନଙ୍କର ସମସ୍ତ ଅତ୍ୟାଚାର ସତ୍ତ୍ୱେ, ସେମାନଙ୍କର ସମସ୍ତ ହୀନ ଭାଷାରେ ପ୍ରୟୋଗ ସତ୍ତ୍ୱେ, ଆମେ ଖ୍ରୀଷ୍ଟିଆନଙ୍କ ପାଇଁ ଚର୍ଚ୍ଚ ଓ ମୁସଲମାନଙ୍କ ପାଇଁ ମସଜିଦ ସେତେବେଳ ଯାଏ ନିର୍ମାଣ କରି ଚାଲିଥିବୁ ଯାହା ନିଶ୍ଚିତ ଭାବରେ କରାଯିବା ଉଚିତ , ଯେତେବେଳ ଯାଏ ଆମେ ପ୍ରେମ ଜରିଆରେ ତାଙ୍କୁ ନ ଜିଣିଛୁ , ଯେତେବେଳ ଯାଏ ଆମେ ବିଶ୍ୱକୁ ଦେଖେଇ ନ ଦେଇଛୁ ଯେ ପ୍ରେମ ହିଁ ବଂଚି ରହିବ, ଘୃଣା ନୁହେଁ , ନମ୍ର ଭଦ୍ର ସ୍ୱଭାବ(gentleness)ର ହିଁ ଶକ୍ତି ଅଛି ବଂଚିରହିବାର ଓ ଫଳବତୀ ହେବାର, ନୃଶଂସତା ଓ ଦୈହିକ ବଳର ନୁହେଁ ।”
ସ୍ୱାମୀଜୀଙ୍କ ପରିକଳ୍ପନାରେ ଧର୍ମ କୈାଣସି ସଙ୍କୀର୍ଣ୍ଣତା ଭିତରେ ଆବଦ୍ଧ ବିଷୟ ନୁହେଁ । ସେ କୁହନ୍ତି୧୩,“ ଆମେ ମାନବ ଜାତିକୁ ଏପରି ସ୍ଥାନକୁ ନେଇଯିବାକୁ ଚାହୁଁ ଯେଉଁଠି ନା ବେଦ ଥିବ ନା ବାଇବେଲ ନା କୋରାନ ଅଥଚ ବେଦ, ବାଇବେଲ ତଥା କୋରାନର ସମନ୍ୱୟ (harmonising)ଦ୍ୱାରା ହିଁ ଏହା କରିବାକୁ ହେବ । ମାନବଜାତିକୁ ନିହାତି ଏହି ଶିକ୍ଷା ଦେବାକୁ ହେବ ଯେ ଧର୍ମ ଗୁଡିକ ସେହି ଗୋଟିଏ ଧର୍ମ ବା ଏକତ୍ୱ (oneness)ର ଭିନ୍ନ ଭିନ୍ନ ପରିପ୍ରକାଶ, ଯାହାଦ୍ୱାରା ପ୍ରତ୍ୟେକେ ତାଙ୍କ ନିଜ ପାଇଁ ଉପଯୁକ୍ତ ପଥକୁ ବାଛି ନେଇପାରିବୋ”
ବିଭିନ୍ନ ଧର୍ମକୁ ସଂକୀର୍ଣ୍ଣତା ଗଣ୍ଡିରୁ ବାହାରିବାକୁ ହେବ ଏହି ସନ୍ଦେଶ ଦେବାକୁ ଯାଇ ୧୫ ସେପ୍ଟେମ୍ବର ଦିନ ବିବେକାନନ୍ଦ ଧର୍ମ ସଭାରେ ଶ୍ରୋତାଙ୍କୁ କୂଅ ବେଂଗ ଓ ସମୁଦ୍ର ବେଂଗ ମଧ୍ୟରେ କଥୋପକଥନର ଏକ ଗଳ୍ପ କହିଥିଲେ । କୂଅ ବେଂଗ ତା କୂଅ ଠାରୁ ଆଉ କିଛି ବିଶାଳ ହୋଇପାରେ ନା କହିବା ଓ ସମୁଦ୍ର ବେଂଗ ଏହା ସହିତ ଏକମତ ନ ହେବାର ପ୍ରତିକ୍ରିୟାରେ କୂଅ ବେଂଗ କହୁଛି, “ମୋ କୂଅ ଠାରୁ ବଡ ଆଉ କିଛି ହୋଇ ନ ପାରେ । ଇଏ(ସମୁଦ୍ର ବେଂଗ) ମିଛ କହୁଛି ।ଆକୁ ଏଠୁ ନିକାଲ ବାହାର କର । ” ଏହା ପରେ ବିବେକାନନ୍ଦ କହୁଛନ୍ତି, “ମୁଁ ଜଣେ ହିନ୍ଦୁ । ମୁଁ ମୋର ଛୋଟ କୁଅଟି ଭିତରେ ବସିଛି ଓ ମୋର ଏହି ଛୋଟ କୂଅଟି ସାରା ବିଶ୍ୱ ବୋଲି ଭାବୁଛି । କୀରସ୍ତାନ ତାଙ୍କ ନିଜ ଛୋଟ କୂଅଟି ଭିତରେ ବସିଛନ୍ତି ଓ ଭାବୁଛନ୍ତି ଯେ ତାଙ୍କ କୂଅ ହେଉଛି ସାରା ବିଶ୍ୱ । ମୁସଲମାନ ତାଙ୍କ ନିଜ ଛୋଟ କୂଅଟି ଭିତରେ ବସିଛନ୍ତି ଓ ଭାବୁଛନ୍ତି ଯେ ତାଙ୍କ କୂଅ ହେଉଛି ସାରା ବିଶ୍ୱ ।”
ଧର୍ମ ଧର୍ମ ମଧ୍ୟରେ ବନ୍ଧ ବାଡ ଭାଂଗିବା ଦରକାର, ଏହା ବିବେକାନନ୍ଦଙ୍କର ଥିଲା ଲକ୍ଷ୍ୟ । ତେଣୁ ସେ ଆମରିକାକୁ ଧନ୍ୟବାଦ ଦେଉଥିଲେ ଯେ ସେମାନେ World’s Parliament of Religions ଆୟୋଜନ କରି ଏହି ବନ୍ଧ ବାଡ (barriers )କୁ ଭାଂଗିବାକୁ ଚେଷ୍ଟା କରିଛନ୍ତି । ଧର୍ମ ସଭାର ଶେଷ ଦିନରେ ସେ ଯାହା କହିଛନ୍ତି ତାହା ଦର୍ଶାଏ ଯେ ନିଜ ନିଜ ଧର୍ମକୁ ସର୍ବଶ୍ରେଷ୍ଠ ଧର୍ମ ବୋଲି ବିଚାରକୁ ସେ ପ୍ରତ୍ୟାଖ୍ୟାନ କରୁଛନ୍ତି । ସେ କହୁଛନ୍ତି,“ଯଦି ଏହି ଧର୍ମ ସଭା ପୃଥିବୀକୁ କିଛି ଦର୍ଶାଇଛି, ତାହା ହେଉଛି ଯେ ପବିତ୍ରତା, ଶୁଦ୍ଧତା ଓ ବଦାନ୍ୟତା ଉପରେ ପୃଥିବୀର କୈାଣସି ଚର୍ଚ୍ଚର ଏକକ ଅଧିକାର ନାହିଁ । ପ୍ରତ୍ୟେକ ବ୍ୟବସ୍ଥା ଭିତରେ ସୃଷ୍ଟି ହୋଇଛନ୍ତି ଉଚ୍ଚ ଚରିତ୍ରବାନ ପୁରୁଷ ଓ ନାରୀ । ଏହି ସୂଚନା ସତ୍ତ୍ୱେ, ଯଦି କେହି ସ୍ୱପ୍ନ ଦେଖୁଥାଏ ଯେ କେବଳ ତାଙ୍କରି ଧର୍ମ ହିଁ ରହିବ ଆଉ ସବୁ ଧର୍ମ ଧ୍ୱଂସ ହୋଇଯିବ, ତାଙ୍କ ପ୍ରତି ମୋର ଅନ୍ତରରୁ ଦୟା ଆସେ ଏବଂ ତାଙ୍କୁ ମୁଁ କହିଦେବାକୁ ଚାହେଁ ଯେ ପ୍ରତ୍ୟେକ ଧର୍ମର ପତାକାରେ ଖୁବ ଶୀଘ୍ର , ପ୍ରତିରୋଧ ସତ୍ତ୍ୱେ , ଲେଖା ହେବ “ସଂଘର୍ଷ ନୁହେଁ, ସାହାଯ୍ୟ ”(“ Help and not Fight,“), “ଧ୍ୱଂସ ନୁହେଁ, ଅନ୍ତର୍ଗ୍ରହଣ”(“ Assimilation and not Destruction,”), “ଐକ୍ୟଦ୍ଧତା ଓ ଶାନ୍ତି, ମତଭେଦ ନୁହେଁ”(“ Harmony and Peace and not Dissension” )
ତେଣୁ ସ୍ୱାଭାବିକ ଯିଏ ଯେଉଁ ଧର୍ମରେ ବିଶ୍ୱାସ କରୁଛି ତାହା ପ୍ରତି ସେ ନିଷ୍ଠାବାନ ରହୁ ସେ ଆଶା କରୁଥିଲେ । ସେଥିପାଇଁ ଧର୍ମ ସଭାର ଶେଷ ଦିନରେ ସେ କହିଥିଲେ, “କୀରସ୍ତାନଙ୍କୁ ହିନ୍ଦୁ ବା ବୈାଦ୍ଧ ହେବାର ଆବଶ୍ୟକତା ନାହିଁ । ନା ହିନ୍ଦୁ ବା ବୈାଦ୍ଧଙ୍କୁ କୀରସ୍ତାନ ହେବାର ଆବଶ୍ୟକତା ଅଛି । କିନ୍ତୁ ପ୍ରତ୍ୟେକେ ଅନ୍ୟର ମନୋଭାବ (spirit)କୁ ଅନ୍ତଃସ୍ଥ (assimilate)କରିବା ନିହାତି ଆବଶ୍ୟକ ଅଥଚ ନିଜର ସ୍ଵାତନ୍ତ୍ର୍ୟ (individuality)କୁ ବଜାୟ ରଖିବା ଉଚିତ, ଏବଂ ନିଜର ଅଭିବୃଦ୍ଧି ନିୟମ (law of growth) ଅନୁସାରେ ବଢିବା ଉଚିତ ।”
ସ୍ୱାମୀଜୀ ବୈାଦ୍ଧ ଧର୍ମର ଜଣେ ମହାନ ପ୍ରଶଂସକ ଥିଲେ । ହିନ୍ଦୁ ଧର୍ମ ଓ ବୈାଦ୍ଧ ଧର୍ମ ମଧ୍ୟରେ ବିଚ୍ଛେଦକୁ ସେ ଭାରତର ପତନର କାରଣ ବୋଲି ବିଚାର କରୁଥିଲେ । ତାଙ୍କ ଭାଷାରେ୧୪ ,“ହିନ୍ଦୁ ଧର୍ମ (Hinduism) ବୈାଦ୍ଧ ଧର୍ମ (Buddhism)ବ୍ୟତୀତ ବଂଚି ପାରିବ ନାହିଁ କି ବୈାଦ୍ଧ ଧର୍ମ ହିନ୍ଦୁ ଧର୍ମ ବ୍ୟତୀତ ବଂଚି ପାରିବ ନାହିଁ । ତେବେ ଏହି ବିଚ୍ଛେଦ କ’ଣ ଦର୍ଶାଉଛି ? ଏହା ଯେ ବୈାଦ୍ଧମାନେ ବ୍ରାହ୍ମଣଙ୍କ ମସ୍ତିଷ୍କ ଓ ଦର୍ଶନ ବିନା ଠିଆ ହୋଇପାରିବେ ନାହିଁ , ବ୍ରାହ୍ମଣ ଠିଆ ହୋଇପାରିବେ ନାହିଁ ବୈାଦ୍ଧଙ୍କ ହୃଦୟ ବିନା । ବୈାଦ୍ଧ ଓ ବ୍ରାହ୍ମଣଙ୍କ ମଧ୍ୟରେ ଏହି ବିଚ୍ଛେଦ ହିଁ ଭାରତର ପତନର କାରଣ । ଏହାହିଁ କାରଣ ଯେ ଆଜି ଭାରତ ତିରିଶ କୋଟି ଭିକାରୀଙ୍କର ଦେଶ ହୋଇଛି, ଏହାହିଁ କାରଣ ଯେ ଗତ ହଜାର ବର୍ଷ ଧରି ବିଜେତାଙ୍କର ଗୋଲାମ ହୋଇ ରହିଛି ଭାରତ । ଆସନ୍ତୁ ବ୍ରାହ୍ମଣଙ୍କର ବୈାଦ୍ଧିକତା ସହିତ ମହାତ୍ମା ବୁଦ୍ଧଙ୍କର ହୃଦୟ, ମହାନ ଆତ୍ମା ଓ ମାନବୀୟ ଗୁଣ ଜାଗ୍ରତକାରୀ ଶକ୍ତିକୁ ଯୋଡି ଦେବା ।”
ତର୍କ ହିଁ ସବୁରି ଉପରେ -ଏହା ଥିଲା ବିବେକାନନ୍ଦଙ୍କ ବିଶ୍ୱାସ
ତର୍କ ହିଁ ସବୁରି ଉପରେ -ଏହା ଥିଲା ବିବେକାନନ୍ଦଙ୍କ ବିଶ୍ୱାସ । ଏପରିକି ଧର୍ମ ଉପରେ ମଧ୍ୟ ତର୍କ । ସେ କହିଥିଲେ୧୫,“ଧର୍ମ ବେଶ ଉଦାର (broad) ହେବା ଉଚିତ । ଏହାର ସମସ୍ତ ଦାବି ତର୍କ ସିଦ୍ଧ ହେବା ଉଚିତ । କାହିଁକି ଧର୍ମମାନେ ଦାବି କରନ୍ତି ଯେ ସେମାନେ ତର୍କକୁ ମାନିବା ପାଇଁ ବାଧ୍ୟ ନୁହନ୍ତି, ତାହା କେହି ଜାଣେ ନା । ଯଦି ଜଣେ ତର୍କକୁ ମାନକ ବୋଲି ନ ମାନେ, ତାହାହେଲେ କୈାଣସି ସଠିକ ବିଚାର ହୋଇ ନ ପାରେ , ଏପରିକି ଧର୍ମ ସମ୍ବନ୍ଧରେ ମଧ୍ୟ ନୁହେଁ । ….. ତର୍କ ସମ୍ପର୍କରେ କୁହାଯାଏ ଯେ ଏହା ଯଥେଷ୍ଟ ଶକ୍ତଶାଳୀ ନୁହେଁ; ସତ୍ୟରେ ଉପନୀତ ହେବା ପାଇଁ ଏହା ସବୁବେଳେ ସାହାଯ୍ୟ କରେ ନାହିଁ; ବହୁବାର ଏହା ଭୁଲ କରିଥାଏ; ତେଣୁ ନିଷ୍କର୍ଷ ହେଉଛି ଯେ ଆମେ ଚର୍ଚ୍ଚର ପ୍ରଭୁତ୍ୱରେ ବିଶ୍ୱାସ କରିବା ଉଚିତ । ଜଣେ ରୋମାନ କାଥଲିକ ମୋତେ ଏହା କହିଥିଲେ । କିନ୍ତୁ ମୁଁ ଏଥିରେ କିଛି ତର୍କ ଥିବା ବୁଝି ପାରିଲି ନାହିଁ । ଅପର ପକ୍ଷରେ ମୁଁ କହିବି ଯେ ଯଦି ତର୍କ ଦୁର୍ବଳ ତାହାହେଲେ ପୁରୋହିତ /ଧର୍ମଯାଜକଙ୍କ ଗୋଷ୍ଠୀ ଅଧିକ ଦୁର୍ବଳ, ଏବଂ ମୁଁ ସେମାନଙ୍କର ରାୟକୁ ଗ୍ରହଣ କରିପାରିବି ନାହିଁ । କିନ୍ତୁ ମୁଁ ମୋ ତର୍କକୁ ମାନିବି , କାରଣ ଏହାର ସବୁ ଦୁର୍ବଳତା ସତ୍ତ୍ୱେ ଏହା ଜରିଆରେ ସତ୍ୟରେ ଉପନୀତ ହେବାର କିଛିଟା ସମ୍ଭାବନା ଅଛି । ଅନ୍ୟ ବାଟରେ ଏପରି ଆଶା ଆଦୈା ନାହିଁ ।”
ବିବେକାନନ୍ଦଙ୍କୁ ଭାରତରେ ଦାରିଦ୍ର୍ୟ, ଅଶିକ୍ଷା ସବୁ ଠାରୁ ବେଶୀ ବ୍ୟଥିତ କରୁଥିଲା । ଏହି ସମସ୍ୟା ପ୍ରତି ସମାଜର ବଡ ଲୋକମାନଙ୍କର ଉଦାସୀନତା ତାଙ୍କୁ କ୍ଷୁବ୍ଧ କରୁଥିଲା । ବଡ ଲୋକଙ୍କ ସମ୍ପର୍କରେ ସେ କହିଥିଲେ୧୬, “ହେ ମୋର ବନ୍ଧୁଗଣ, ମୁଁ ଆପଣମାନଙ୍କୁ ନିଶ୍ଚିତ କେତୋଟି କଟୁ ସତ୍ୟ କହିବି । ମୁଁ ଖବରକାଗଜରେ ପଢେ କିପରି ସାରା ଦେଶରେ ହାଉଳି ପଡିଥାଏ ଯେତେବେଳେ କେହି ଜଣେ ଇଂରାଜ ବ୍ୟକ୍ତି ଦ୍ୱାରା ଆମ ଲୋକର ହତ୍ୟା ହୁଏ ବା ତାକୁ ନିର୍ଯ୍ୟାତନା ଦିଆଯାଏା । ମୁଁ ପଢେ ଓ କାନ୍ଦେ । ତାର ମୂହୁର୍ତ୍ତକ ପରେ ମୋ ମନରେ ଏକ ପ୍ରଶ୍ନ ଉଠେ-କିଏ ଏ ସବୁ ପାଇଁ ଦାୟୀ ? ଜଣେ ବେଦାନ୍ତ ବିଶ୍ୱାସୀ(Vedantist) ଭାବେ, ମୁଁ ନିଜକୁ ପ୍ରଶ୍ନ ନ କରି ରହି ପାରେ ନା । ହିନ୍ଦୁ ଆତ୍ମବିଶ୍ଳେଷଣ କରୁଥିବା ବ୍ୟକ୍ତି । ସେ ନିଜ ଭିତରେ ଓ ନିଜ ଜରିଆରେ ହିଁ ବିଷୟଟିକୁ ଦେଖିବାକୁ ଚାହେଁ , ଅନ୍ତର୍ନିହିତ ଦୃଷ୍ଟି (subjective vision)ଜରିଆରେ । ମୁଁ ତେଣୁ ମୋ ନିଜକୁ ପଚାରେ: କିଏ ଦାୟୀ ? ପ୍ରତିଟି ଥର ଉତ୍ତର ଆସେ : ଇଂରେଜ ନୁହେଁ ; ନା ସେମାନେ ନୁହନ୍ତି; ଆମେ ହିଁ ଆମର ସମସ୍ତ ଦୁର୍ଦ୍ଦଶା ଓ ଅଧପତନ ପାଇଁ ଦାୟୀ, ଏବଂ କେବଳ ଆମେ ହିଁ ଦାୟୀ । ଆମର ଅଭିଜାତ ପୂର୍ବଜ ଆମ ଦେଶର ସାଧାରଣ ଲୋକଙ୍କୁ ପଦଦଳିତ କରିଚାଲିଲେ ଯେତେବେଳ ପର୍ଯ୍ୟନ୍ତ ସେମାନେ ଅସହାୟ ନ ହୋଇ ୍ଯାଇଛନ୍ତି , ଯେତେବେଳେ ଯାଏ ଏପରି ନିର୍ଯ୍ୟାତନାରେ ଗରିବ ଲୋକେ ଭୁଲି ନ ଯାଇଛନ୍ତି ଯେ ସେମାନେ ମଣିଷ । ସେମାନଙ୍କୁ ଶତାବ୍ଦୀଶତାବ୍ଦୀ ଧରି ବାଧ୍ୟ କରାଗଲା କାଠ କଟାଳି ଓ ପାଣି ବୁହାଳିର ଜୀବନ ଯାପନ କରିବା ପାଇଁ , ବିଶ୍ୱାସ କରିବା ପାଇଁ ଯେ ସେମାନେ ଦାସ ହୋଇ ଜନ୍ମ ହୋଇଛନ୍ତି, କାଠ କଟାଳି ଓ ପାଣି ବୁହାଳି ହୋଇ ଜନ୍ମ ହୋଇଛନ୍ତି । ଯଦି ତାଙ୍କ ପାଇଁ କେହି ପଦୁଟିଏ ସହାନୁଭୁତିର କଥା କହେ, ମୁଁ ପ୍ରାୟ ଦେଖେ ଆମ ଲୋକେ, ଆଧୁନିକ ଶିକ୍ଷା ପ୍ରାପ୍ତ ହୋଇ ଥିଲେ ମଧ୍ୟ, ଗରିବ, ତଳେ ପଡିଥିବା ମଣିଷକୁ ଉଠାଇବାର କର୍ତ୍ତବ୍ୟ ସମ୍ପାଦନ କରିବାକୁ ହଠାତ୍ କୁଣ୍ଠିତ ହୋଇଯାଉଛନ୍ତି ।”
ଦରିଦ୍ର ଅତ୍ୟାଚାରିତଙ୍କ ପାଇଁ ତାଙ୍କର ବ୍ୟାକୁଳତାର ଗଭୀରତା ପ୍ରକଟିତ ହୁଏ ଯେତେବେଳେ ସେ ଯୁବପିଢିକୁ ଆହ୍ୱାନ ଦେଇ କୁହନ୍ତି୧୭, “ଭାରତ ଅନ୍ୟୁନ ହାଜରେ ଯୁବକଙ୍କର ବଳିଦାନ ଚାହୁଁଛି । ମନେ ରଖ ମଣିଷଙ୍କର , ପଶୁଙ୍କର ନୁହେଁ(“India wants the sacrifice of at least a thousand of her young men — men, mind, and not brutes)ଇଂରାଜ ସରକାର ତୁମର ସୁସଂଗତ ସ୍ୱଚ୍ଛ ସଭ୍ୟତା (crystallised civilisation)କୁ ଭାଂଗି ଦେବାର ହୋଇଛି ହତିଆର , ଏବଂ ମାଡ୍ରାସ ହିଁ ଯୋଗେଇଥିଲା ପ୍ରଥମ ଲୋକ ଯିଏ ଇଂରାଜଙ୍କୁ ପାଦ ରଖିବାରେ ସାହାଯ୍ୟ କରିଥିଲା । ଏବେ କେତେଜଣ ନିଃସ୍ୱାର୍ଥପର, କୈାଣସି ସାଲିସ କରୁ ନଥିବା ଲୋକ ମାଡ୍ରାସ ଯୋଗାଇବା ପାଇଁ ପ୍ରସ୍ତୁତ ହେଉ ଯେଉଁମାନେ ଜୀବନ ମରଣ ସଂଗ୍ରାମରେ ଲିପ୍ତ ହେବେ, ଏକ ନୂତନ ବ୍ୟବସ୍ଥା ଗଢିବାପାଇଁ ,ସହାନୁଭୂତି ଗରିବଙ୍କ ପାଇଁ, ରୁଟି ଭୋକିଲାଙ୍କ ପାଇଁ , ଓ ଜ୍ଞାନାଲୋକ ସାଧାରଣଙ୍କ ପାଇଁ , ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷ କରିବେ ସେମାନଙ୍କୁ ମଣିଷ ସ୍ତରକୁ ଆଣିବା ପାଇଁ ଯେଉଁ ମାନେ ତୁମର ପୁର୍ବପୁରୁଷଙ୍କ ଅତ୍ୟାଚାର ଦ୍ୱାରା ପଶୁ ସ୍ତରକୁ ଚାଲିଯାଇଛନ୍ତି ?” ଏହା ସହିତ ସେ ଲେଖୁଛନ୍ତି, “ଶାନ୍ତ ଏବଂ ନୀରବରେ କାର୍ଯ୍ୟ କରିଯାଅ, ଖବରକାଗଜ ପାଇଁ ବ୍ୟାକୁଳତା ଦେଖାଅ ନାହିଁ, ନାଁ କରିବାର ବ୍ୟାକୁଳତା ଦେଖାଅ ନାହିଁ – ଏହା ତୁମେ ସବୁବେଳେ ମନେରଖ ।” ଆହୁରି କହୁଛନ୍ତି, “ଗରିବ, ଦୁଃସ୍ଥ, ନିଷ୍ପୀଡିତଙ୍କୁ ଭଲ ପାଅ, ଏବଂ ଇଶ୍ୱର ତୁମକୁ ଆଶୀର୍ବାଦ କରିବେ । ତୁମେ ଯାଇ ରାମନ୍ଦର ରାଜା ଓ ଅନ୍ୟମାନଙ୍କ ସହ ସମୟ ସମୟରେ ଦେଖାକର ଓ ଭାରତର ଜନଗଣଙ୍କ ପ୍ରତି ସହାନୁଭୂତିଶୀଳ ହେବାକୁ ତାଙ୍କୁ ଅନୁରୋଧ କର । ତାଙ୍କୁ କୁହ କିପରି ସେମାନେ ଗରିବଙ୍କ ବେକ ଉପରେ ଠିଆ ହୋଇଛନ୍ତି ଓ ସେମାନେ ମଣିଷ ପଦବାଚ୍ୟ ହେବେ ନାହିଁ ଯଦି ଏହି ଗରିବମାନଙ୍କୁ ଉଠାଇବା ପାଇଁ ସେମାନେ ଚେଷ୍ଟା ନ କରିଛନ୍ତି ।”
ଏହା ପୂର୍ବରୁ ସେ ଲେଖିଛନ୍ତି୧୮,“ଏହି ଦେଶରେ ମୁଁ ଶୀତ ଓ କ୍ଷୁଧାରେ ଶେଷ ହୋଇ ଯାଇପାରେ , କିନ୍ତୁ ହେ ଯୁବକ ମାନେ, ତୁମ ହାତରେ ମୁଁ ଅର୍ପଣ କରୁଛି ଗରିବ, ଅଜ୍ଞ ଓ ନିଷ୍ପେଷିତଙ୍କ ପାଇଁ ସହାନୁଭୂତି ଓ ସଂଘର୍ଷ ।” ଏହା ସହିତ ସେ ଲେଖିଥିଲେ, “ଲକ୍ଷେ ପୁରୁଷ ଓ ସ୍ତ୍ରୀ, ପବିତ୍ରତାର ଉତ୍ସାହ, ଇଶ୍ୱରଙ୍କଠାରେ ଶାଶ୍ୱତ ବିଶ୍ୱାସ ଏବଂ ସିଂହର ସାହସ ସହିତ ଗରିବ ଓ ତଳେ ପଡିଥିବା ମଣିଷ ପାଇଁ ସେମାନଙ୍କର ସହାନୁଭୂତିକୁ ନେଇ ଦେଶର ଏମୁଣ୍ଡ ସେ ମୁଣ୍ଡ ଭ୍ରମଣ କରି ପ୍ରଚାର କରିବେ ନିର୍ବାଣର ଶିକ୍ଷା(gospel of salvation), ପରୋପକାରର ଶିକ୍ଷା(gospel of help), ସାମାଜିକ ଉତ୍ଥାନର ଶିକ୍ଷା(gospel of social raising-up)- ସମାନତାର ଶିକ୍ଷା (gospel of equality) ।” ଆଜି ଗରିବ ନିଷ୍ପେଷିତଙ୍କ ଭିତରେ କାମ କରୁ ଥିବା, ତାଙ୍କ ଅଧିକାର ପାଇଁ ଲଢୁଥିବା ସଚେତନ ଲୋକଟି ତ କ୍ଷମତାସୀନର ଚକ୍ଷୁଶୀଳ ହେଉଛି, Urban Naxal ସମ୍ବୋଧନର ଶରବ୍ୟ ହେଉଛି, ସ୍ଥଳ ବିଶେଷରେ ସେ କାରାରୁଦ୍ଧ ମଧ୍ୟ ହେଉଛି । । ଉପରୋକ୍ତ ଉଦ୍ଧୃତି ଗୁଡିକ ଦର୍ଶାଉଛି ଯେ ଆଜି ମଧ୍ୟ ବିବେକାନନ୍ଦ ପ୍ରାସଂଗିକ । ସେମାନଙ୍କ ପାଇଁ ଯେଉଁମାନେ ସମାଜରେ ବୈଷମ୍ୟ, ଧର୍ମାନ୍ଧତା, ଅସହିଷ୍ଣୁତା, ମିଥ୍ୟାଚାରକୁ ନେଇ ଓ ସାଧାରଣ ଲୋକର ଦାରିଦ୍ର୍ୟ ତଥା ଉତ୍ପୀଡନକୁ ନେଇ ବିବ୍ରତ ।
ଉପସଂହାର
ବୋଧହୁଏ ଏହି ଉପସ୍ଥାପନାର ଯଥାର୍ଥ ଉପସଂହାର ହେବ ବିବେକାନନ୍ଦଙ୍କର ଏହି ଉକ୍ତିଟି୧୯ – “… ବିଶ୍ୱ ଅପେକ୍ଷା କରିଛି ସାର୍ବଜନୀନ ସହିଷ୍ଣୁତାର ଏକ ବିଶାଳ ଅବଧାରଣାକୁ । ଏହା ସଭ୍ୟତାର ସବୁଠାରୁ ବଡ ଅର୍ଜନ ବା ପ୍ରାପ୍ତି ହେବ । କୈାଣସି ସଭ୍ୟତା ବେଶୀ ଦିନ ସ୍ଥାୟୀ ହୋଇ ପାରିବ ନାହିଁ ଯଦି ଏହି ଅବଧାରଣାର ପ୍ରବେଶ ଏହା ଭିତରକୁ ନ ହୋଇଛି । କୈାଣସି ସଭ୍ୟତାର ବିକାଶ ହୋଇପାରିବ ନାହିଁ ଯେତେବେଳ ଯାଏ ଧର୍ମାନ୍ଧତା, ରକ୍ତପାତ ଓ ପାଶବିକତାର ପୂର୍ଣ୍ଣଚ୍ଛେଦ ନ ପଡିଛି । କୈାଣସି ସଭ୍ୟତା ନିଜ ମୁଣ୍ଡ ଟେକିବା ଆରମ୍ଭ କରିପାରିବ ନାହିଁ ଯେତେବେଳଯାଏ ଆମେ ପରସ୍ପର ପ୍ରତି ବଦାନ୍ୟତା ପ୍ରଦର୍ଶନ ନ କରୁ । ଏବଂ ଏହି ଅପରିହାର୍ଯ୍ୟ ବଦନ୍ୟତା ପ୍ରଦର୍ଶନର ପ୍ରଥମ ପାହାଚ ହେଉଛି ଅନ୍ୟର ଧର୍ମୀୟ ବିଶ୍ୱାସ ପ୍ରତି ସଦୟ -ବଦାନ୍ୟ ଦୃଷ୍ଟି । ବରଂ ଏହା ଠାରୁ ଅଧିକ । ଏହାକୁ ବୁଝିବାକୁ ହେଲେ ଆମେ କେବଳ ବଦାନ୍ୟ ହେଲେ ଚଳିବ ନାହିଁ , ଆମ ଆମ ଭିତରେ ଥିବା ସମସ୍ତ ଧର୍ମୀୟ ଧାରଣା ଓ ବିଶ୍ୱାସ ସତ୍ତ୍ୱେ , ଆମକୁ ନିଶ୍ଚିତ ଭାବରେ ପରସ୍ପର ପ୍ରତି ସାହାଯ୍ୟକାରୀ ହେବାଜୁ ପଡିବ । ଠିକ ଏହାହିଁ ଆମେ ଭାରତରେ କରୁ । ”
ଏବେ କରୁଛୁ କି?
ବ୍ୟବହୃତ ଉପାଦାନ ସୂଚୀ
Narendra’s Grab On Narendra, By Sonia Sarkar , Published 7.01.18 , https://www.telegraphindia.com/india/narendra-s-grab-on-narendra/cid/1331615
2. Complete-Works/ Volume 5/ Epistles – First Series /Letter to Haripada Mitra, dated 28th December 1893
3. Complete-Works/ Volume 5/ Epistles – First Series /Letter to ALASINGA, BALAJI, G. G., BANKINGCORPORATION, AND ALL MYMADRASFRIENDS, dated 10th July 1893
4.Complete-Works/ Volume 5/ Epistles – First Series /Letter to ALASINGA,., dated 20th August 1893
5. Complete-Works/ Volume 6/ Epistles – Second Series, letter dated 7th August 1889
6.Home / Complete-Works/ Volume 1/ Addresses at The Parliament of Religions
- BUDDHISM, THE FULFILMENT OF HINDUISM : 26th September, 1893
8.THE RELIGION WE ARE BORN IN,At an open-air meeting convened at Dacca, on the 31st March, 1901,Home / Complete-Works/ Volume 3/ Lectures from Colombo to Almora
9.CXXIV*(Translated from Bengali) ALMORA, 30thMay, 1897 ,Home / Complete-Works/ Volume 6/ Epistles – Second Series
10.Complete-Works/ Volume 5/ Epistles – First Series /Letter to ALASINGA,.,dated 20th August, 1893
- Summary of a lecture delivered before the Ethical Society, Brooklyn, at the Pouch Gallery in Clinton Avenue, on the 30th December 1894, Complete-Works/ Volume 1/THE HINDU RELIGION
12. THE MISSION OF THE VEDANTA , Home / Complete-Works/ Volume 3/ Lectures from Colombo to Almora
13.The_Complete_Works_of_Swami_Vivekananda/Volume_6/Epistles_-_Second_Series/CXLII_Friend
14. Complete-Works/ Volume 5/ Epistles – First Series /Letter to Haripada Mitra, dated 28th December 1893
15.The_Complete_Works_of_Swami_Vivekananda/Volume_2//Practical_Vedanta_and_other_lectures/Practical_Vedanta:_Part_III,Delivered in London, 17th November 1896
16. THE MISSION OF THE VEDANTA , Home / Complete-Works/ Volume 3/ Lectures from Colombo to Almora
17. Complete-Works/ Volume 5/ Epistles – First Series /Letter to ALASINGA dated 2nd November 1893 from Chicago
18. Complete-Works/ Volume 5/ Epistles – First Series /Letter to ALASINGA,., dated 20th August 1893
19. THE MISSION OF THE VEDANTA, Home / Complete-Works/ Volume 3/ Lectures from Colombo to Almora; Swami Vivekananda was in Kumbakonam on January 26, 1897
(ଲୋକସ୍ୱର ଅନୁଷ୍ଠାନ ତରଫରୁ ଲୋହିଆ ଏକାଡେମୀ, ଭୁବନେଶ୍ୱର ଠାରେ ୧୦ ନଭେମ୍ବର ୨୦୧୯ ଦିନ ଆୟୋଜିତ ଏକ ଆଲୋଚନା ସଭାରେ ଉପସ୍ଥାପିତ ଅଭିଭାଷଣର ସମ୍ପାଦିତ ଅଂଶ)
Photo credit- https://bit.ly/3QmJKqG