ଯିବା ଦିନର ଏଇ କଥାଟି – ୱିଲଫ୍ରେଡ଼ ଆୱେନ (ସାରାଂଶ)- ସୋନାଲୀ ଦତ୍ତ

Dr. Samidha Vedabala
Dr. Samidha Vedabala 246 Views
8 Min Read

ୱିଲଫ୍ରେଡ଼ ଆୱେନ (୧୮୯୩-୧୯୧୮)

ମୂଳଲେଖା – ସୋନାଲୀ ଦତ୍ତ/ସାରାଂଶ ପ୍ରସ୍ତୁତି – ସମିଧା ବେଦବାଳା

[box type=”shadow” align=”” class=”” width=””]ୱିଲଫ୍ରେଡ଼ ଆୱେନଙ୍କ ମୃତ୍ୟୁର ଶହେବର୍ଷ ପୁରିଛି । ଏହି ସମୟରେ ବିଶ୍ୱର ଅନେକ ଦେଶରେ ଯୁଦ୍ଧର ତାଣ୍ଡବ ଲାଗିରହିଛି । ଯୁଦ୍ଧ ବିରୋଧୀ କବିଙ୍କର ପ୍ରୟାସ ଆଜିବି ଅପୂରଣୀୟ ହୋଇରହିଛି । ବିଶ୍ୱଯୁଦ୍ଧ ପରର ଯେଉଁ ନୀରବତା କଥାଟି କ଼ୁହାଯାଇଛି ଆଜିବି ସମସ୍ତଙ୍କ ମନରେ ସେହି ନୀରବତା ଭୟ ସୃଷ୍ଟି କରୁଛି। ସେହି ଭୟ, ଆତଙ୍କ ଓ ନୀରବତା ଯେ କେତେ କେତେ ଦେଶର କୁନିକୁନି ପିଲାମାନଙ୍କୁ ଆତଙ୍କିତ କରି ରଖିଛି ତାହା ଅବର୍ଣ୍ଣନୀୟ । ତେବେ କବିଙ୍କର ଯେଉଁ ପ୍ରୟାସଟି ଥିଲା ଯୁଦ୍ଧ ମାନସିକତାକୁ ପ୍ରଶ୍ନ କରିବା ସେହି ମାନସିକତାଟି ସବୁ ଯୁବପ୍ରାଣରେ ପ୍ରଶ୍ନକରିବାର ଉନ୍ମାଦନା ସୃଷ୍ଟି କରିବା ଆଜି ଜରୁରୀ ମନେହୁଏ । ସେଥିପାଇଁ କବି ୱିଲଫ୍ରେଡ଼୍ ଆୱେନଙ୍କ ଉପରେ ବଙ୍ଗଳା ଭାଷାରେ ପ୍ରକାଶିତ ଆନନ୍ଦବଜାର ପତ୍ରିକାର ଏହି ଲେଖାଟିର ସାରାଂଶ ଏଠାରେ ପ୍ରକାଶ କରିବା ଜରୁରୀ ମନେକଲୁ ।- ସମ୍ପାଦକ[/box]

ପ୍ରିୟ ଗୁରୁଦେବ ରବିନ୍ଦ୍ରନାଥ, ଆପଣ ଲଣ୍ଡନରେ ଅଛନ୍ତି ବୋଲି ଶୁଣିବା ବେଳୁ ସାହସ ଖୋଜୁଛି ଅପଣଙ୍କୁ ଚିଠିଟିଏ ଲେଖିବା ପାଇଁ । ଚିଠି ଟି ଆପଣଙ୍କ ପାଖରେ କେବେ ପହଞ୍ଚିବ ଜାଣିନି ।  ପ୍ରାୟ ଦୁଇ ବର୍ଷ ତଳର କଥା କହୁଛି । ସେଦିନ ମୋ ବଡ଼ ପୁଅ ଯୁଦ୍ଧକୁ ଯାଉଥିଲା ଶେଷ ଥର ପାଇଁ । ଦିନଟି ଥିଲା ତାର ବିଦାୟର ଦିନ । ଝିଲମିଲ ସୂର୍ଯ୍ୟ କିରଣରେ ଆମେ ଦୁଇଜଣ ସମୁଦ୍ର ଆଡ଼କୁ ମୁହଁ କରି ଚାହିଁ ରହିଥିଲୁ । ଫ୍ରାନସ ଆଡ଼କୁ ଆମ ନଜର ପଡ଼ିଥିଲା ବେଳକୁ ଆମ ହୃଦୟ ଭାରି ଭାରି ଲାଗୁଥିଲା ଆଉ ଠିକ୍ ସେହି ସମୟରେ ମୋ କବିପୁଅ ଆପଣଙ୍କର ଏଇ ଅସାଧାରଣ ଶବ୍ଦ ଗୁଡ଼ିକ ମୋତେ ଶୁଣେଇଥିଲା:

 “ଯିବା ଦିନର ଏଇ କଥାଟି ଯେମିତି ଯାଏ କହି,

ଯାହା ଦେଖିଛି, ଯାହା ପାଇଛି, ତୁଳନା ତା’ର ନାହିଁ” ।

୧୯୨୦ ମସିହାରେ ଏହି ଚିଠି ଟି ରବିନ୍ଦ୍ରନାଥଙ୍କୁ ଲେଖିଥିଲେ ସୁଜାନ ଆୱେନ । ପୃଥିବୀର ଅନ୍ୟତମ ଶ୍ରେଷ୍କ ଯୁଦ୍ଧ ବିରୋଧୀ କବି, ପଚିଶ ବର୍ଷ ବୟସର ତରୁଣ ସୈନିକ ୱିଲଫ୍ରେଡ଼୍ ଆୱେନ^(Wilfred Owen – Poet) ଗୀତାଞ୍ଜଳିର ଛୟାନବେ ନମ୍ବର କବିତାର ଏହି ପଂକ୍ତି ଦୁଇଟି ସୁଜାନ ଆର୍ଥାତ୍ ତାଙ୍କ ମା’ଙ୍କୁ ଉପହାର ଦେଇ ଯାଇଥିଲେ ଯୁଦ୍ଧକୁ  ଯିବାବେଳେ । ହୁଏତ କବି ଜାଣିଥିଲେ ସିଏ ଆଉ କେବେ ଯୁଦ୍ଧରୁ ଫେରିବେନି ବୋଲି । ଅଥବା ଏହା ଥିଲା ତାଙ୍କର ଖୁବ୍ ପରିଚିତ ଯୁଦ୍ଧ ଅଭିଜ୍ଞତାଜାତ ଏକ ସ୍ୱାଭାବିକ ଅଭିବ୍ୟକ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ ସୈନିକ କବି ତାଙ୍କର ପ୍ରିୟତମ ମଣିଷ ଠାରୁ ଦୂରେଇ ଯିବା ବେଳେ ତାଙ୍କର ନିଜ ଲେଖା କବିତା ଆବୃତ୍ତି କରିନାହାଁନ୍ତି ।

ସେ ତାଙ୍କର କହିବା କଥାଗୁଡ଼ା ସଂଗ୍ରହ କରିଛନ୍ତି ପ୍ରାଚ୍ୟର ଜଣେ ଅନ୍ୟ ଭାଷାର କବିଙ୍କର କଲମରୁ । ଆୱେନଙ୍କର ଅକାଳ ମୃତ୍ୟୁର ଶହେ ବର୍ଷ ପରେ ରବିନ୍ଦ୍ରନାଥ ଠାକୁରଙ୍କ ଦେଶର ଲୋକ ହିସାବରେ ଆମେ ତାଙ୍କଭଳି ଜଣେ ଯୁଦ୍ଧ ବିରୋଧୀ କବିଙ୍କୁ ମନେପକାଇବା ବର୍ତ୍ତମାନ ସମୟରେ ଆବଶ୍ୟକ ମନେହୁଏ । ଆୱେନ୍ ଯେମିତି ବାନ୍ଧି ହୋଇଯାଇଥିଲେ ରବିନ୍ଦ୍ରନାଥଙ୍କ ସହିତ ଏକ ଅଜଣା ସୁତାରେ ଠିକ୍ ସେମିତି ଆଜି ଆମର ଜୀବନ ଓ ବିଶ୍ୱପରିସ୍ଥିତି ସତେ ଯେମିତି ଆମ ଅଜାଣତରେ ଟାଣି ହେଇଯାଉଛି ତାଙ୍କରି କବିତା ଆଡ଼କୁ ।

ୱିଲଫ୍ରେଡ଼ ଆୱେନ (୧୮୯୩-୧୯୧୮) କବି ଜୀବନର ଆରମ୍ଭରେ ଥିଲେ ଜଣେ ରୋମାଣ୍ଟିକ ମଣିଷ, ଶେଲି, କିଟ୍ ଙ୍କର ପରମ ଅନୁରାଗୀ । ୧୯୧୩ ମସିହାରେ ଇଂରାଜୀ ଓ ଫରାସି ଭାଷା ପଢ଼େଇବା ପାଇଁ ଫ୍ରାନସର ଏକ ଅନୁଷ୍ଠାନ ସହିତ ମଧ୍ୟ ଯୋଡ଼ି ହୋଇଥିଲେ । ସେଇଠି ଥିବାବେଳେ ଆରମ୍ଭ ହେଇଥିଲା ପ୍ରଥମ ବିଶ୍ୱ ଯୁଦ୍ଧ । ଆୱେନ ଘରୁକୁ ଫେରିଲେ । ସେଇଠୁ ଆରମ୍ଭ ହେଲା କବିଙ୍କର ସୈନିକ ଜୀବନ । ସାତ ମାସ ଟ୍ରେନିଂ ପରେ ସେ ନିଯୁକ୍ତ ହେଲେ ମଞ୍ଚେଷ୍ଟର ରେଜିମେଣ୍ଟରେ, ସକେଣ୍ଡ ଲେଫ୍ଟନାଣ୍ଟ ହିସାବରେ ।

ପ୍ରଥମେ ପ୍ରଥମେ ସୈନୀକ ଜୀବନ ବର୍ଣ୍ଣହୀନ ଲାଗୁଥିଲା। ସାଥୀମାନେ ଅଭିବ୍ୟକ୍ତି ହୀନ ଅସ୍ଥିତ୍ୱ ମନେ ହେଉଥିଲେ । ଗୋଟିଏ ଦୁର୍ଘଟଣାରେ ଶେଲ୍ ଗାତରେ ପଡ଼ି ମାରାତ୍ମକ ଆହତ ହେଇଯାଇଥିଲେ । ସଜ୍ଞାହୀନ ଅବସ୍ଥାରେ ପଡ଼ିରହିଥିଲେ ବହୁ ଦିନ । ‘ଶେଲର ଝଟକ୍କା’ ଆୱେନଙ୍କୁ ଦୋହଲେଇ ଦେଇ ଗଲା । ଏଡ଼ିନବର୍ଗ ହସ୍ପିଟାଲରେ ଭର୍ତ୍ତି ହେଲେ । ଚେତା ଫେରିଲାବେଳେ ନିଜକୁ ସେ ଖୋଜିପାଇଲେ ସହଯୋଦ୍ଧା ମାନଙ୍କର ମୃତଶବ ମାନଙ୍କ ଚାରିପଟେ । ଯୁଦ୍ଧ ଜୀବନଟାକୁ ଯେ କେମିତି ସାଂଘାତିକ ଭାବରେ ଅନିଶ୍ଚିତ ଓ କୃତ୍ରିମ କରି ଦେଇଛି, ତାହା ପ୍ରଥମଥର ପାଇଁ ହୃଦୟଙ୍ଗମ କରିଥିଲେ ତରୁଣ କବି ।

ଏଡ଼ିନବର୍ଗରେ  ଯୁଦ୍ଧ ବିରୋଧୀ କବି ସିଗଫ୍ରାୟେଡ଼ ସାସୁନ^(Siegfried Sassoon-Poet)ଙ୍କ ସହିତ ତାଙ୍କର ଦେଖାହେଲା । ଏଇ ଦୁଇ କବିଙ୍କର ବନ୍ଧୁତ୍ୱ ଏକ ଅସାମାନ୍ୟ ଉଚ୍ଚତା ଛୁଇଁଥିଲା। ଆୱେନଙ୍କର କବିତାର ଦିଗ କ୍ରମଶଃ ବଦଳି ଗଲା । କିଛିଟା ପରିସ୍ଥିତିର ପ୍ରଭାବରେ, କିଛିଟା ମା’ଙ୍କ ସାଙ୍ଗରେ ଆତ୍ମିୟତା ବେଳେ, ଆଉ ଅନେକଟା ମାନବିକତାର ଛାପରେ ।

ସମସ୍ତଙ୍କର ତୀବ୍ର ଆପତ୍ତି ସତ୍ତେ୍ୱ କାହାକୁ ନ ଜଣେଇ ଆୱେନ ଚାଲିଗଲେ ଫ୍ରାନସ ଯୁଦ୍ଧ କ୍ଷେତ୍ରକୁ । କହିଁକି ନା ସେ ଥିଲେ ଯୁଦ୍ଧର ଅସଲ ବର୍ବରତା ବୁଝି ସାରିଥିବା ଜଣେ ମୋହମୁକ୍ତ ଏବଂ ସାହାସୀ ଯୋଦ୍ଧା । ଏହି ସାହସ ହିଁ ତାଙ୍କୁ ଅନେକବାର ଜିତାଇଛି ଜର୍ମାନ ବିରୋଧୀ ଯୁଦ୍ଧମାନଙ୍କରେ । ସେ ଜାଣିପାରିଥିଲେ ତାଙ୍କୁ ଲେଫ୍ଟନାଣ୍ଟ ପଦକୁ ଉନ୍ନତ୍ତ କରା ହେବ । ସତରେ ସେଇଆ ହେଲା । କିନ୍ତୁ ତା ପୂର୍ବରୁ, ନଭେମ୍ବରରେ ୪ତାରିଖରେ ୱିଲଫ୍ରେଡ଼୍ ଆୱେନ୍ ଯୁଦ୍ଧକ୍ଷେତ୍ରରେ ମୃତ୍ୟୁ ବରଣ କରିଥିଲେ । ଆଉ ଗୋଟିଏ ସପ୍ତାହ ବଞ୍ଚିଥିଲେ ଆସିଯାଇଥାନ୍ତା ‘ଶାନ୍ତି ଘେଷଣା’ର ଦିନ । କିନ୍ତୁ  ସେଦିନ ସୁଜାନ ଆେଓ୍ନଙ୍କ ନିକଟକୁ ଆସିଥିଲା ପୁଅ ବଦଳରେ ପୁଅରେ ମୃତ୍ୟୁର ସମ୍ବାଦ । ସ୍ମୃତିର ଫଳକ ଉପରେ କ’ଣ ଲେଖାହେବ, ପୁଅ ଲେଖା କବିତାରୁ ବାଛି ଦେଲେ ମା’ ସ୍ୱୟଂ ନିଜ ହାତରେ । କିନ୍ତୁ ଗୋଟିଏ ଚିରନ୍ତନ ପ୍ରଶ୍ନ ସବୁବେଳେ  ପ୍ରଶ୍ନ ହୋଇ ରହିଗଲା ସବୁଦିନ ପାଇଁ; ଏଇ ଦେହମାନଙ୍କ ଭିତରେ କ’ଣ ଆଉ କେବେ ଜୀବନ ଫେରିଆସିବ?

ସ୍ୱ ରଚିତ ମାତ୍ର ପାଞ୍ଚଟି କବିତା ପ୍ରକାଶିତ ହେବା ବଞ୍ଚିଥିବା ବେଳେ ଦେଖିଛନ୍ତି ଆୱେନ । ବାକି ପାଣ୍ଡୁ ଲିପି ଛପା ହେଲା ୧୯୨୦ମସିହାରୁ ୧୯୮୩ ମସିହାଯାଏ, ଛଅ ଦଶକ ଧରି । ଆୱେନଙ୍କର କବିତାକୁ ଅନୁଭବ କରିବାକୁ ହେଲେ ଯିବାକୁ ପଡ଼ିବ “ସେଣ୍ଡ ଅଫ୍”ର ସେଇ ଗଳି ପଥରେ, ଯୋଉଁଠି ଅଙ୍ଗହୀନ ସୈନ୍ୟମାନଙ୍କ ବିଦ୍ଧାବସ୍ଥା, ଘରକୁ ଫେରିବାର ନୈଶବ୍ଦ୍ୟ ଚପି ଯାଉଛି ରଣହୁଙ୍କାରରେ । ଆମେ ଲଜ୍ଜାରେ, ଭୟରେ ଶିହରି ଉଠୁ ଯେତେବେଳେ ‘ଷ୍ଟ୍ରେଞ୍ଜ ମିଟିଙ୍ଗ’ରେ ଜଣେ ନିହତ ସୈନ୍ୟ ତାର ହତ୍ୟାକରୀକୁ କୁହେ – “ବନ୍ଧୁ, ମୁଁ ତୁମର ସେଇ ଶତ୍ରୁ, ଯାହାର ତମେ ହତ୍ୟାକରିଛ ।”

ଅସଲରେ ଯୁଦ୍ଧରେ ସୈନ୍ୟ ଯେତେ ଜଣଙ୍କର ହତ୍ୟା କରୁ, ରକ୍ତ ତା ନିଜର ହିଁ ଝରେ । ଆଉ ସେଇ ହତ୍ୟାଲୀଳା, ସେଇ ଧୁଆଁ ଧୂଳିର ଆର୍ତ୍ତନାଦ, ଜୟ ପରାଜୟର ହିସାବ ନିକାଶ ପରେ ରହିଯାଏ ଏକ ଅଦ୍ଭୁତ ବିସନ୍ନତା ଓ ଏକ ନୀରବ- ଜୀବନ, ଯୌବନକୁ ଆଘାତ କରିବା ପରର ନୀରବତା । ଆୱେନ କିନ୍ତୁ ସେଦିନ ଦେଖିବାକୁ ପାଇଥିଲେ ଆଲୋକର କିରଣ ସେଇ ଯୁବକ ମାନଙ୍କର ହାତରେ ନୁହେଁ, ସେମାନଙ୍କ ଆଖିରେ ।

ଯେଉଁ ବହି ଆୱେନ ପ୍ରକାଶ କରିପାରିନାହାଁନ୍ତି, ତାର ଭୂମିକାରେ ଲେଖିଯାଇଥିଲେ “ମୋର ବିଷୟ ହେଲା ଯୁଦ୍ଧ, ଯୁଦ୍ଧର ଯନ୍ତ୍ରଣା” । ୱିଲଫ୍ରେଡ଼ ଆୱେନଙ୍କ ଯିବାର ଶହେ ବର୍ଷ ବିତି ଗଲାଣି । ଗତ ୪ ନଭେମ୍ବର ଗୀତ, ସଂଗୀତ, କବିତା, ବକୃତା, ଅନେକ ପ୍ରକାରରେ ତାଙ୍କୁ ସ୍ମରଣ କଲେ ‘ୱିଲଫେଡ଼ ଆୱେନ୍ ଅସୋସିଏସନ’ର ସଦସ୍ୟ ଓ ତାଙ୍କର ଆତ୍ମିୟମାନେ । ଟାୱାର ଅଫ ଲଣ୍ଡନ ଚାରି ପାଶ୍ୱର୍ରେ ସେଇଦିନ ରାତିସାରା କବିଙ୍କ ସ୍ମରଣରେ ଜଳି ଉଠିଥିଲା ଦଶ ହଜାର ମହମବତୀ । ସାରା ବର୍ଷ ଚାଲିବ ଯୁଦ୍ଧ ବିରୋଧି କବିଙ୍କ ସ୍ମରଣରେ ଏମିତି ନାନା ଅନୁଷ୍ଠାନ ।

ଏବଂ ସାରା ବର୍ଷ ବୋମା ପଡ଼ୁଥିବ ସ୍କୁଲ ମାନଙ୍କରେ, ଘର ଉପର ଠାରୁ  ଆରମ୍ଭ କରି ହସ୍ପିଟାଲ ଏବଂ ସର୍ବତ୍ର । ସେନା ଆଗରେ ଠିଆ ହେଇ ଯୁଦ୍ଧକୁ ପ୍ରଶ୍ନ କରିବାକୁ ହେଲେ ଏବେ ବି ଅନେକ ଆୱେନଙ୍କୁ ଜନ୍ମ ନେବାକୁ ପଡ଼ିବ ।

ମୂଳଲେଖା – ସୋନାଲୀ ଦତ୍ତ

ଭାଷାନ୍ତର – ସମିଧା ବେଦବାଳା

[box type=”shadow” align=”” class=”” width=””]ୱିଲଫ୍ରେଡ଼ ଆୱେନଙ୍କ ମୃତ୍ୟୁର ଶହେବର୍ଷ ପୁରିଛି । ଏହି ସମୟରେ ବିଶ୍ୱର ଅନେକ ଦେଶରେ ଯୁଦ୍ଧର ତାଣ୍ଡବ ଲାଗିରହିଛି । ଯୁଦ୍ଧ ବିରୋଧୀ କବିଙ୍କର ପ୍ରୟାସ ଆଜିବି ଅପୂରଣୀୟ ହୋଇରହିଛି । ବିଶ୍ୱଯୁଦ୍ଧ ପରର ଯେଉଁ ନୀରବତା କଥାଟି କ଼ୁହାଯାଇଛି ଆଜିବି ସମସ୍ତଙ୍କ ମନରେ ସେହି ନୀରବତା ଭୟ ସୃଷ୍ଟି କରୁଛି। ସେହି ଭୟ, ଆତଙ୍କ ଓ ନୀରବତା ଯେ କେତେ କେତେ ଦେଶର କୁନିକୁନି ପିଲାମାନଙ୍କୁ ଆତଙ୍କିତ କରି ରଖିଛି ତାହା ଅବର୍ଣ୍ଣନୀୟ । ତେବେ କବିଙ୍କର ଯେଉଁ ପ୍ରୟାସଟି ଥିଲା ଯୁଦ୍ଧ ମାନସିକତାକୁ ପ୍ରଶ୍ନ କରିବା ସେହି ମାନସିକତାଟି ସବୁ ଯୁବପ୍ରାଣରେ ପ୍ରଶ୍ନକରିବାର ଉନ୍ମାଦନା ସୃଷ୍ଟି କରିବା ଆଜି ଜରୁରୀ ମନେହୁଏ । ସେଥିପାଇଁ କବି ୱିଲଫ୍ରେଡ଼୍ ଆୱେନଙ୍କ ଉପରେ ବଙ୍ଗଳା ଭାଷାରେ ପ୍ରକାଶିତ ଆନନ୍ଦବଜାର ପତ୍ରିକାର ଏହି ଲେଖାଟିର କିଛି ଅଂଶ ଏଠାରେ ପ୍ରକାଶ କରିବା ଜରୁରୀ ମନେକଲୁ ।- ସମ୍ପାଦକ[/box]

PHOO CREDIT – https://www.iwm.org.uk/history/5-things-you-need-to-know-about-the-first-world-war

https://www.google.com/search?tbm=isch&sa=1&ei=flvFXLyCLZL5rQHblYq4AQ&q=WORLD+WAR+PHOTO&oq=WORLD+WAR+PHOTO&gs_l=img.3..0l2j0i5i30l6j0i8i30l2.14143.17189..17749…0.0..0.126.708.0j6……1….1..gws-wiz-img…….0i7i30j0i7i5i30j0i8i7i30.4RfaP3h514A#imgrc=jnucX-1GJpXY9M:

Share This Article
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ) Samidha Vedabala (Ph.D., Rabindra Bharati University, Kolkata), a performer and researcher of Indian Classical Music, Sitar. She has been working as an assistant professor of music in the Department of Music at Sikkim University since 2011. Along with performance in music, she is actively involved in academic research in Indian music. She has published two books and many academic journals. Her professional and academic association with Sitar inspires her to continue writing on the instrument and its various aspects. Her book titled "Sitar Music: The Dynamics of Structure and Its Playing Techniques" is one of them. Her work has been the source of information for one of the documentaries on Sitar in the UK. She has also attended many national and international seminars on sitar music. As a writer, Dr. Samidha has been associated with Samadhwani for over a decade.