ମାର୍ଚ୍ଚ ୮, ବିଶ୍ୱ ମହିଲା ଦିବସର ଏକ ଅନୁଚିନ୍ତନ
ପ୍ରଶ୍ନ : ଭାରତବର୍ଷରେ ଏକ ସମାଜ ଗଢ଼ିଉଠିଥିଲା ଯେଉଁଠି ଯୁଦ୍ଧ ନଥିଲା, ଇର୍ଷା ନଥିଲା, ସମତାଭିତ୍ତିକ ସମାଜ ଥିଲା । ଏଭଳି ସଭ୍ୟତା କାହିଁକି, କେମିତି ଗଢ଼ି ଉଠିଥିଲା? ତା’ର କାରଣ କ’ଣ କାହିଁକି ସେ ବିଷୟରେ ଚର୍ଚ୍ଚା ନାହିଁ?
ଉତ୍ତର : ନାରୀର ଯେଉଁ ଯୌନ ସ୍ୱାଧୀନତା ଥିଲା ନାରୀ ଦ୍ୱାରା ଏଭଳି ସମାଜ ଗଢ଼ି ଉଠୁଥିଲା । ଐତିହାସିକମାନେ ସହଜରେ ଏ ବିଷୟକୁ ଗ୍ରହଣ କରିପାରୁନାହାନ୍ତି । ପୃଥିବୀର କିଛି ସଭ୍ୟତାକୁ ଅଧ୍ୟୟନ କରି ଏହାକୁ ଗ୍ରହଣ କରାଯାଇଛି । ଯଦି ଜୀବଜନ୍ତୁଙ୍କ କଥା ଦେଖାଯାଏ ତେବେ ସିଂହର ଯେଉଁ ଦଳ ତିଆରି ହେଉଛି ପୁରୁଷ ତିଆରି କରୁଛି ନାରୀ ମଧ୍ୟ ତିଆରି କରୁଛି । ସେମିତି ହାତୀ ଯେଉଁ ଦଳ କରୁଛି ପୁରୁଷ ତିଆରି କରୁଛି ନାରୀ ବି କରୁଛି ।
ମହୁମାଛି ପୁରାପୁରି ନାରୀର ନେତୃତ୍ୱରେ ଦଳ ଗଢ଼ିଥାନ୍ତି । ମଣିଷ କ୍ଷେତ୍ରରେ ସର୍ବଜୀବ ମୈତ୍ରୀ ଭାବନାଟା ନାରୀ ପାଖରେ ଦେଖାଯାଏ ଯାହାର ଉଦାହରଣ ହେଲା ମହେଞ୍ଜୋଦାର ହରପ୍ପା ସଭ୍ୟତା ଏବଂ ଗୀତାର ସାଂଖ୍ୟ, ଯୋଗ, ଲୋକାୟତର ଆଲୋଚନା ବେଳେ ଏଇଟା ରହିଛି । ନାରୀ କୈନ୍ଦ୍ରିକ ସଭ୍ୟତା କଥା ମଧ୍ୟ କହିଛନ୍ତି ମନୋବିଜ୍ଞାନୀ ଏରିକ୍ସନ । ଏବେ ଦିନକୁ ଦିନ ଆମର ସରକଲ୍ ଛୋଟ ହୋଇ ହୋଇ ଯାଉଛି । ଦିନଆସିବ ଯେତେବେଳେ ସ୍ତ୍ରୀ ଉପରେ ଅତ୍ୟାଚାର ବଢ଼ି ବଢ଼ି ଯିବ । ପରିବାର ଆହୁରି ଭାଙ୍ଗି ଭାଙ୍ଗି ଯିବ । ତା’ର ଆଉ ଏକ ଦିଗ ଅଛି । ସ୍ତ୍ରୀର ଯୌନ ସ୍ୱାଧୀନତା ସହିତ ସମାଜରେ ମୈତ୍ରୀ ଯଦି ନବଢ଼ିଲା ତାହାହେଲେ ସବୁକିଛି ଅଲଗା ପ୍ରକାର ହୋଇଯିବ ।
ସମାଜଟା ଓଲଟା ବଦଳିଯିବ । ସ୍ତ୍ରୀର ଯୌନ ସ୍ୱାଧୀନତା ସହିତ ସମାଜର ମୈତ୍ରୀ ଭାବନାଟା ବଢ଼ି ବଢ଼ି ଚାଲିଥିଲା ଅତୀତରେ । କିନ୍ତୁ ଏବେ ସେ ଭାବନାଟା ଛୋଟ ହୋଇଯାଉଛି । ସ୍ତ୍ରୀର ଯୌନ ସ୍ୱାଧୀନତା କଥା କହିବା ଦୂରରେ ଥାଉ ତା’ର ଜନ୍ମ ଏବେ କମିଗଲାଣି । ଭୋଗବାଦ ଆଡ଼କୁ ସ୍ତ୍ରୀର ଯୌନ ସ୍ୱାଧୀନତା ଯଦି ଗଲା ତେବେ ତାହା ଭୁଲଆଡ଼କୁ ଚାଲିଗଲା । କିନ୍ତୁ ଅତୀତରେ ଯେଉଁ ଯୌନ ସ୍ୱାଧୀନତା କଥା ଥିଲା ସେଥିରେ ସେମାନେ ଖୋଜୁଥିଲେ ଯେ ସମାଜରେ କେଉଁମାନେ ଭଲଲୋକ ଅଛନ୍ତି ଏବଂ କେଉଁମାନେ ଠିକ୍ ରାସ୍ତାରେ ସମାଜକୁ ଚଳାଇପାରିବେ କେଉଁମାନଙ୍କ ଭିତରେ ମୈତ୍ରୀ ଭାବନା ପ୍ରଚଣ୍ଡ ଅଛି ସେ ଲକ୍ଷ୍ୟରେ ସେମାନେ ନିଜର ପତି ଚୟନ କରୁଥିଲେ ।
କିନ୍ତୁ ବତ୍ତର୍ମାନ କେବଳ ଜୀବନକୁ ଉପଭୋଗ କରିବାର ଲକ୍ଷ୍ୟ ହୋଇଯାଇଛି । ଅତୀତର ଯୌନ ସ୍ୱାଧୀନତା ଓ ବର୍ତ୍ତମାନର ଯୌନ ସ୍ୱାଧୀନତା ଭିତରେ ଆକାଶ ପାତାଳ ଫରକ । ଏବେ ପରିବାର ଭାଙ୍ଗି ଭାଙ୍ଗି ପଡ଼ୁଛି, ଗୋଷ୍ଠୀ ଭାଙ୍ଗି ଭାଙ୍ଗି ପଡ଼ୁଛି । ଆମେ ନିଜର ପରିବାରକୁ ଭଲପାଉନୁ କିନ୍ତୁ ଭାରତୀୟ ବୋଲି ଗର୍ବ କରୁଛୁ । ବୁଢ଼ା ବାପା ମା’ଙ୍କର ଯତ୍ନ ନେଇପାରୁନୁ କିନ୍ତୁ ଚିନ୍ତା କରୁଛୁ ମୁଁ ଭାରତୀୟ, ଭାରତ ପାଇଁ ଜୀବନ ଦେବି । ନିଜେ ମରିବି ନହେଲେ ମାରିବି । ନିଜ ମନସ୍ତତ୍ତ୍ୱ ବିରୁଦ୍ଧରେ ବି ମଣିଷ ଯାଉଛି । ସେଥିପାଇଁ ସେ ଖୁସି ହୋଇପାରୁନି ଦୁଃଖ ପାଉଛି ।
ବୁଦ୍ଧଙ୍କଠାରୁ ଆରମ୍ଭ କରି ଯେତେ ଯୋଗୀ ଥିଲେ ତାଙ୍କ ମନରେ କେତେ ପ୍ରଶାନ୍ତି ଥିଲା । ସେମାନେ ବହୁତ ଖୁସି ରହୁଥିଲେ । ତାଙ୍କର ବ୍ୟକ୍ତିତ୍ୱ ଥିଲା ସମନ୍ୱିତ ବ୍ୟକ୍ତିତ୍ୱ । ସେମାନଙ୍କ ମନରେ ପ୍ରେମ ଭାବଟା ବହୁତ ବେଶୀ ଥିଲା । ସମସ୍ତଙ୍କୁ ସେମାନେ ବେଶୀ ଭଲପାଉଥିଲେ । ଏପରିକି ଗୋଟିଏ ଯୋଗ ଉପରେ କଥା ରହିଛି ଜଣେ ଯୋଗୀଙ୍କ ଉପରେ ଗବେଷଣା କରାଯାଉଥିଲା । ଜଣେ ପ୍ରଫେସରଙ୍କୁ ଆଣିଥିଲେ ତାଙ୍କ ସହ ବାର୍ତ୍ତାଳାପ କରିବା ପାଇଁ ।
ସେ ପ୍ରଫେସର ଜଣକ ବହୁତ ରାଗି ଲୋକ ଏବଂ ସମସ୍ତଙ୍କ ପ୍ରତି ଆକ୍ଷେପ କରି କହିବାକୁ ଭାରି ଭଲପାଆନ୍ତି । କିନ୍ତୁ ତାଙ୍କର ଯୋଗୀଙ୍କର ଯେତେବେଳେ ବାର୍ତ୍ତାଳାପ ହେଲା ସେ ପ୍ରଫେସର କୌଣସି ଆକ୍ଷେପ ଆକ୍ରମଣ ନକରି ଅତି ସୁନ୍ଦର ଭାବେ ଆଲୋଚନା କଲେ । ତାଙ୍କ ମନରେ କୌଣସି ପ୍ରକାର କ୍ରୋଧ ଦେଖାଦେଲା । ପରେ ପ୍ରଫେସରଙ୍କୁ ପଚରାଗଲା କ’ଣ ହେଲା ଆପଣ ତ ହଠାତ୍ ରାଗିଉଠନ୍ତି ଏବେ ରାଗିଲେ ନାହିଁ? ସେ ଉତ୍ତରଦେଲେ ଯେ, ମୋତେ କେମିତି ଗୋଟେ ଲାଗିଲା, ମୁଁ କିଛି କହିପାରିଲିନି । ତାଙ୍କ ସହ ମାଡ଼ ଲାଗିବାକୁ ଇଚ୍ଛା ହେଲାନି । ଏଇଟା କେମିତି ହୋଇଗଲା ମୁଁ ବି ଜାଣିପାରୁନି ।
ପ୍ରଶ୍ନ: ‘ନାଟକରେ ନାରୀ’ ଏଭଳି ଏକ ବିଷୟବସ୍ତୁ ଉପରେ ଆପଣ କ’ଣ କହିବାପାଇଁ ଚାହିଁବେ?
ଉତ୍ତର: ‘ନାଟକରେ ନାରୀ’ ବିଷୟଟି ଉପରେ ଗତସଂଖ୍ୟାରେ ମୁଁ ଦେଖିଲି । ବହୁତ ଭଲଲାଗିଲା । ଏଭଳି ଏକ ବିଷୟବସ୍ତୁ ଉପରେ ଆଲୋଚନା ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଯେଉଁ ସମାଜରେ ବଢ଼ିଛେ ଆମ ଚିନ୍ତାଧାରା ସମାଜକୈନ୍ଦ୍ରିକ ହେବାପାଇଁ ବାଧ୍ୟ । ଯେଉଁମାନେ ସମାଜରେ ନୂତନ ଚିନ୍ତାଧାରା ଦେଇଥାନ୍ତି ସେମାନଙ୍କର ବି କେତେବେଳେ କେତେବେଳେ ଭୁଲ୍ ରହିଯାଇଥାଏ। ଗୋଟିଏ ଉଦାହରଣ ହେଲା; ମହାଭାରତରେ ନାଟକୀୟତା ବହୁତ ବେଶୀ ।
ଶକୁନ୍ତଳାଠୁ ଆରମ୍ଭ କରି ଅନେକ ଜାଗାରେ ଆପଣ ପାଇବେ ନାଟକୀୟତା । କିନ୍ତୁ ଅୀତତରେ ମହାଭାରତକୁ ଶାନ୍ତ ରସର କାବ୍ୟ ବୋଲି କୁହାଯାଉଥିଲା । ଶାନ୍ତରସ ଗୋଟିଏ ଶବ୍ଦ ଏଇଟା ପାଶ୍ଚାତ୍ୟ ଜଗତରେ ନାହିଁ କି ଭାରତର କାବ୍ୟ, କବିତାରେ ନାହିଁ । ଶାନ୍ତରସକୁ ଏଠାରେ ଭକ୍ତିରସ ସହିତ ମିଶାଇ ଦିଆଯାଇଛି । ଶାନ୍ତରସ ହେଉଛି ଗୋଟିଏ ଅଲଗା ଜିନିଷ । ତାହା ଆଉ ଏକ ଉନ୍ନତ ସଭ୍ୟତାର ଦାନ । ସେହି ସଭ୍ୟତା ମୋର ଯାହା ମନେହୁଏ ନାରୀକୈନ୍ଦ୍ରିକ ସଭ୍ୟତା । ଯେଉଁ ସଭ୍ୟତାରେ ପୁରୁଷ ନାରୀର ଅଧିକାର ସମାନ ସମାନ ଥିଲା । ବର୍ତ୍ତମାନ ଯାହାସବୁ ନାଟକ ଲେଖାଯାଉଛି ସବୁନାଟକରେ ନାରୀ ପ୍ରତି ଠିକ୍ ସମ୍ମାନ ଦିଆଯାଇପାରୁନି । ଯେଉଁମାନେ ଟିକେ ଆଗୁଆ ଚିନ୍ତାଧାରାର ନାଟ୍ୟକାର ସେମାନେ ନାରୀକୁ କିଛି କିଛି ଗୁରୁତ୍ୱ ଦେଇଛନ୍ତି ।
କିନ୍ତୁ ଯେତେବେଳେ ଆମେ ମହାଭାରତ ସମୟକୁ ଯିବା ସେତେବେଳେ ନାରୀର ଯୌନ ସ୍ୱଧୀନତା ଥିଲା । ବର୍ତ୍ତମାନ ଯୁଗରେ ଯୌନ ସ୍ୱାଧୀନତା ପ୍ରସଙ୍ଗଟି ଆଦୌ ଭାବିହେବନି । ବର୍ତ୍ତମାନର ସମାଜକୁ ଧରି ଆମର ଚିନ୍ତନଟିକୁ ତ ଆଗକୁ ନେବାକୁ ପଡ଼ିବ? ବେଦରେ ଜଣେ ଚରୀତ୍ର ‘ବୃତ୍ତ’ ଯିଏ ହେଉଛନ୍ତି ଇନ୍ଦ୍ରଙ୍କର ସବୁଠୁ ବଡ଼ ଶତ୍ରୁ । ବୃତ୍ତଙ୍କୁ ହତ୍ୟା କରାଯାଇଛି କିନ୍ତୁ ବୃତ୍ତଙ୍କୁ ହତ୍ୟା କଲାପରେ ବୃତ୍ତଙ୍କ ରାଣୀ କୁଆଡ଼େ ଗଲେ ସେ ବିଷୟରେ କିଛି କୁହାଯାଇ ନାହିଁ? ପୁରୁଷମାନଙ୍କୁ ଶେଷ କରିଦେଇ ସେତେବେଳେ ନାରୀମାନଙ୍କୁ ଯୌନ ଦାସୀ କରିଦେଉଥିଲେ ।
ଏଭଳି ଏକ ସମାଜ ବି ଥିଲା । ନମୃଦି ଆଉ ଏକ ଚରିତ୍ର ଯାହାଙ୍କୁ ଇନ୍ଦ୍ର ହତ୍ୟା କରିଥିଲେ । ନମୃଦିଙ୍କ ସ୍ତ୍ରୀ କିଏ ଥିଲେ ସେ ବିଷୟରେ କୌଣସି ସୂଚନା ନାହିଁ । ବ୍ୟୃତ୍ତଙ୍କୁ ରକ୍ଷା କରିଛନ୍ତି ତାଙ୍କ ମା, ତାଙ୍କ ବାପା କୁଆଡ଼େ ଗଲେ ସେ ବିଷୟରେ ଉଲ୍ଲେଖ ନାହିଁ? ନମୃଦିଙ୍କ ସହିତ ଅନେକଗୁଡ଼ିଏ ନାରୀ ଥିଲେ ବୋଲି କୁହାଯାଏ । ନାରୀ ବାହିନୀ ଥିଲେ ବୋଲି କିଏ କିଏ କୁହନ୍ତି, କିନ୍ତୁ ସେ ସମୟରେ ବାହିନୀ କୁଆଡ଼ୁ ଆସିବେ? ଯୁଦ୍ଧ ତ ନଥିଲା ।
ଇନ୍ଦ୍ର ଆକ୍ରମଣ କରି ବିଭିନ୍ନ ଷଡ଼ଯନ୍ତ୍ର କରି ନମୃଦିଙ୍କୁ ହତ୍ୟା କରିଥିଲେ । ପ୍ରଫେସର ସୁକୁମାରୀ ଭଟ୍ଟାଚାର୍ଯ୍ୟ ତାଙ୍କ ବହିରେ ଏକଥା ଲେଖିଛନ୍ତି । ଏକ ସମାଜ ଥିଲା ଯେଉଁ ସମାଜରେ ନାରୀମାନଙ୍କର ସ୍ୱାଧୀନତା ଥିଲା । ସେହି ସମାଜରେ ଋଷିମାନେ ମଧ୍ୟ ପରିବାର ସହିତ ଜଡ଼ିତ ହୋଇଥିଲେ ଯେମିତିକି ଉଦ୍ଦାଳକ ଋଷି, ଭୃଗୁ ଋଷି ଏମିତି ଅନେକ । ସେହି ସମାଜରେ ଯୁଦ୍ଧ ନଥିଲା, ସଂଘର୍ଷ ନଥିଲା, ବ୍ୟକ୍ତିଗତ ସମ୍ପତ୍ତି ନଥିଲା । ତେଣୁ ସେହି ସମାଜକୁ ନେଇ ସେତେବେଳେ ନାରୀର ଚରିତ୍ର ତିଆରି ହେଉଥିଲା । ଏବେ ଯେତେବେଳେ ନାଟକ ତିଆରି ହେଉଛି ଏବେକାର ସମାଜର ପ୍ରତିଫଳନ ନାରୀ ଚରିତ୍ର ଭିତରେ ଦେଖିବାକୁ ମିଳୁଛି ।
ବର୍ତ୍ତମାନ ସମୟରେ ନାରୀକୁ ନେଇ ଅତି ଉଚ୍ଚତର ଚିନ୍ତାଧାରାର ନାଟକ ରବିନ୍ଦ୍ରନାଥଙ୍କର । ରବିନ୍ଦ୍ରନାଥଙ୍କ ନାଟକରେ ନାରୀ କଥା କହିଲେ ସେଠି ଆଧ୍ୟାତ୍ମିକତା, ନାନ୍ଦନିକତାର ପ୍ରଭାବ ପଡ଼ିଛି । କିଛିଟା ଛାୟା କାୟାର ଆଭାସ ମଧ୍ୟ ରହିଛି । ତାଙ୍କର ଚିନ୍ତାଧାରାଟି ଭଲଲାଗେ କିନ୍ତୁ ରବିନ୍ଦ୍ରନାଥ ଯେ ନାରୀ ପ୍ରତି ଠିକ୍ ସମ୍ମାନ ଦେଇପାରିଛନ୍ତି ସେ ବିଷୟଟି ମୁଁ କହିପାରିବିନି । କିନ୍ତୁ ଅନ୍ୟମାନଙ୍କଠୁ ସେ ବହୁତ ଆଗକୁ ଯାଇଛନ୍ତି । ସେଇଟା ଗୋଟିଏ ବହୁତ ବଡ଼ କଥା । ସେ ଜଣେ ଆଧ୍ୟାତ୍ମବାଦୀ । ଆଧ୍ୟାତ୍ମିକତା କେବଳ ମାନବିକତା ନୁହେଁ ସର୍ବଜୀବ ମୈତ୍ରୀ ମନୋଭାବ, ବସୁଧୈବ କୁଟୁମ୍ବକମର କଥା । ସମସ୍ତଙ୍କ ପ୍ରତି ମୈତ୍ରୀ ଭାବନା, ସମସ୍ତଙ୍କ ପ୍ରତି ପ୍ରେମ ଯାହା ସମସ୍ତଙ୍କ ସହିତ ଏକାକାର କରିଦେଇଥାଏ । ଏଇଟା ରବିନ୍ଦ୍ରନାଥଙ୍କ ଲେଖାରେ ପ୍ରକାଶିତ ହୁଏ ।
ପ୍ର: କୁହାଯାଏ ନାରୀ ଜୀବନଟା ଏକ ନାଟକ ଏହା କ’ଣ ସତ?
ଉ: ନାରୀ ସମ୍ପୂର୍ଣ୍ଣ ଭାବରେ ଏକ ସ୍ୱାଧୀନ ଜୀବ । ଲୋକାୟତ ଦର୍ଶନ କହେ ନାରୀର ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ବିଚାର ଅଛି ଯେଉଁଟିକୁ ସମାଜ ଗ୍ରହଣ କରିପାରେନା । ବୁଦ୍ଧଙ୍କ ସମୟରୁ ନାରୀର ଯୌନ ସ୍ୱାଧୀନତା ଉପରେ ଆକ୍ରମଣ ଆରମ୍ଭ ହେଲାଣି । ଜୈନଧର୍ମରେ କାଶିନାଥଙ୍କ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ଏକ ମୂଲ୍ୟବୋଧ ହୋଇନଥିଲା । କାଶୀନାଥଙ୍କ ପରେ ମହାବୀରଙ୍କ ସମୟରେ ବ୍ରହ୍ମଚର୍ଯ୍ୟ ଏକ ମୁଖ୍ୟ ମୂଲ୍ୟବୋଧ ଭାବରେ ଦେଖାଦେଲା ।
ବୁଦ୍ଧଙ୍କ ସମୟରେ ବ୍ରହ୍ମଚର୍ଯ୍ୟକୁ ଗ୍ରହଣ କରାଗଲା । ବୁଦ୍ଧଙ୍କୁ ନିଜ ପତ୍ନୀ ଯଶୋଧାରାଙ୍କୁ ଛାଡ଼ି ଆସିବାକୁ ପଡ଼ିଲା । ନାରୀ ପୁରୁଷ କ’ଣ ଏକାଠି ହୋଇ ଯୋଗସାଧନ କରିପାରିବେ ନାହିଁ? ବଶିଷ୍ଟ ଋଷି ସସ୍ତ୍ରୀକ ହୋଇ ଯୋଗସାଧନ କରୁଥିଲେ । ଏମିତି ଅନେକ ଯୋଗୀ, ଋଷି ଅଛନ୍ତି । ନାରୀକୁ ବାଦ ଦେଇ ପୁରୁଷ ଏକାକୀ ହୋଇଯାଇଛି ସେଥିପାଇଁ ଅନ୍ଧଗଳି ଭିତରେ ପଶିଯାଇଛି ଏବଂ ଯେଉଁଠୁ ବାହାରିବାର ଉପାୟ ବି ନାହିଁ । ପୁରୁଷର ଗୋଟିଏ ସାହସ ରହିଛି କିନ୍ତୁ ତା’ସହିତ ଯେଉଁ ନିଷ୍ଠୁରତା ତା’ଭିତରେ ରହିଛି ଯାହା ଫଳରେ ମଣିଷପଣିଆ ମରିମରିଯାଇଛି ।
ଆଜିକାଲି ବିଭିନ୍ନ ଶିକ୍ଷାନୁଷ୍ଠାନରେ ରେଗିଂ ହେଉଛି । ମେଡ଼ିକାଲ କଲେଜରେ, ଇଞ୍ଜିନିୟରିଂ କଲେଜରେ, ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ରେଗିଂ କିଛି କିଛି ହେଉଛି । ଆଣ୍ଟି ରେଗିଂ ସ୍କ୍ୱାର୍ଡ଼ ମାଧ୍ୟମରେ ରେଗିଂକୁ କିଛିଟା ଜବଦ କରାଯାଇଛି । କିନ୍ତୁ ପୁରୁଷର ଯେଉଁ ମାନସିକତା ଯାହା ଇଚ୍ଛା ତାହା କରିପାରିବି, ସାହସି ହେବି, ନିଷ୍ଠୁର ହେବି ଏସବୁ ଗୁଣଗୁଡ଼ିକ ସମାଜକୁ କୁଆଡ଼େ ନେବ କହିହେବନି । ଅସୀମ୍ ଶ୍ରୀବାସ୍ତବଙ୍କ ‘ଚର୍ଣ୍ଣିଂ ଦ ଆର୍ଥ’ ବହିଟି ପଢ଼ୁଥିଲି ।
ସେଥିରେ ପଢ଼ିଲି ହରିଆଣାର ଗୋଟିଏ ଅଞ୍ଚଳର ଘଟଣା । ହରିଆଣାର ସେହି ଅଞ୍ଚଳର କଥା ଯେଉଁଠି ପୃଥିବୀର ସର୍ବଶ୍ରେଷ୍ଠ ସଭ୍ୟତା ଆରମ୍ଭ ହୋଇଥିଲା ବୋଲି କୁହାଯାଏ କାରଣ ହରିଆଣା ହେଉଛି ସିନ୍ଧୁ ସଭ୍ୟତାର ପିଠସ୍ଥଳୀ । ସେଠି ଯୋଗୀମାନଙ୍କ କଥା କୁହାଯାଇଛି । ସେଠି ଏବେ ଅବସ୍ଥା କ’ଣ ହୋଇଛି? ସରକାର ତିନିହଜାର ଏକର ଜମି କମ୍ପାନୀକୁ ଦେଇଛନ୍ତି । ଚେଷ୍ଟା ଚାଲିଛି ସରକାର ତରଫରୁ ଲୋକମାନେ କମ୍ପାନୀଙ୍କୁ ଜମି ଦେଇଦେବା ପାଇଁ । କମ୍ପାନୀ ଲୋକମାନେ ଲୋକଙ୍କୁ ଜମି ଦେବାପାଇଁ ପ୍ରଭାବିତ କରୁଛନ୍ତି । ‘ଚର୍ଣ୍ଣିଂ ଦ ଆର୍ଥ’ର ଲେଖକମାନେ ସେଠିକି ଯାଇଥିଲେ । ସେଠି ମା’ମାନେ କହିଲେ ଏଠିକାର ପୁଅମାନେ ସବୁ ନଷ୍ଟ ହୋଇଗଲେଣି । ମଦୁଆ ହୋଇ ବନ୍ଧୁକ ଏବଂ ଗାଡ଼ିଧରି ସବୁବେଳେ ବୁଲୁଛନ୍ତି । ଯଦି କିଛି କମ୍ପେନସେସନ୍ ମିଳିଲା ପିଲାମାନେ ଘରେ ପହଞ୍ଚୁଛନ୍ତି ହାତରେ ବନ୍ଧକୁ ଧରି । ବାପାଙ୍କର କାନମୁଣ୍ଡରେ ବନ୍ଧୁକନଳୀ ଦେଖେଇ କହୁଛନ୍ତି ତମେ ଚେକ୍ ରେ ବର୍ତ୍ତମାନ ଦସ୍ତଖତ କର ତା’ ହେଲେ ଆମେ ପଇସାଟା ପାଇବୁ । ଏହିଭଳି ଘଟଣା ପୁୁରଷମାନଙ୍କର ସ୍ୱଭାବରେ ଦେଖାଦେଇଛି । ସନ୍ଧ୍ୟା ହେଲେ ଘରର ବୋହୂ, ଝିଅ, ମା କେହି ସାହସ କରୁନାହାନ୍ତି ଗାଁ’ଭିତରକୁ ଯିବାପାଇଁ । ଘରଭିତରେ ରହିବାକୁ ପଡ଼ୁଛି । ମଣିଷ ତେବେ କୁଆଡ଼େ ଗଲାଣି? ଆମେ କିନ୍ତୁ ସମାଜବାଦର ସ୍ୱପ୍ନ ଦେଖୁଛନ୍ତି । ଯଦି ଏମିତି ହୁଏ ତେବେ ସମାଜବାଦ ଆସିବ କେମିତି? ସମସ୍ତଙ୍କ ସହିତ ମୈତ୍ରୀ ଭାବନା ଯଦି ବଢ଼ିବ ସମାଜବାଦ ଯାଇ ପ୍ରତିଷ୍ଠା ହୋଇ ପାରିବ । କିନ୍ତୁ ଏବେ ଏଇଟା କ’ଣ ବଢ଼ୁଛି? ହତ୍ୟାର ଭାବନା, ମାରିବାର ଭାବନା, ମଦ ପିଇବାର ଭାବନା ବଢ଼ିବାରେ ଲାଗିଛିି ।
ଅବସ୍ଥାଟା କ’ଣ ହୋଇଛି? ମଣିଷର ଦୁଇଟି ଗତି । ପ୍ରକୃତି ଯାହା ଚାହେଁ ସେ ଦିଗରେ ଗତି କରିବାକୁ ହେଲେ ଏସବୁ ବଦଳିବା ଦରକାର । ପ୍ରତ୍ୟେକ ମଣିଷ ଟିକେ ଭଲ ମଣିଷ ହେଲେ ବା ବଦଳିଲେ ପରିବର୍ତ୍ତନ ଆସିପାରିବ । ବଦଳିବା ଅର୍ଥ ମଣିଷର ମୈତ୍ରୀର ପରିସରଟା ଆଗକୁ ଆଗକୁ ବଢ଼ି ବଢ଼ି ଚାଲିବ । ପ୍ରଫେସର ଜନବର୍ଗ ଗବେଷଣାକରି କହିଛନ୍ତି ଯେ, ଯିଏ ବଡ଼ ଦଳ ତିଆରି କଲା ତା’ର ବୁଦ୍ଧି ସେତେ ବଢ଼ିଲା ।
ମଣିଷ ୧୪୮ଜଣଙ୍କୁ ନେଇ ନିଜର ଦଳ ତିଆରି କରିଥାଏ । ସିମ୍ପାଞ୍ଜି ୫୦-୬୦ ଜଣ ଭିତରେ ନିଜର ଦଳ ତିିଆରି କରିଥାଏ । ଅନ୍ୟଜୀବ କ୍ଷେତ୍ରରେ ଆହୁରି କମ୍ । ଏଇଟା ବୈଜ୍ଞାନିକ ମାନଙ୍କର ମତ । ମୈତ୍ରୀ ଭାବନା ମଣିଷ ଭିତରେ ଯାହାଥିଲା ଏବେ କମି କମି ଆସିଲାଣି । ଏବେ ଆଉ ଗୋଟିଏ ପ୍ରଶ୍ନ ଆସିଛି ‘ରାଷ୍ଟ୍ରବାଦ’ । ‘ରାଷ୍ଟ୍ରବାଦ’ ସବୁବେଳେ ଚିନ୍ତାଧାରାକୁ ସୀମିତ କରିଦିଏ । ରାଷ୍ଟ୍ରପ୍ରେମ ଏବେ ବିଶ୍ୱପ୍ରେମରେ ପରିଣତ ହେଲାଣି । ଧର୍ମମାନେ ବି ବିଶ୍ୱବ୍ୟାପି କାର୍ଯ୍ୟ ଆରମ୍ଭ କଲେଣି ।
ଏବେ ଯେଁଉସବୁ ଦଳ ହେଉଛନ୍ତି ସେଇଟା ଗୋଟିଏ ଧର୍ମୀୟଦଳ । ସବୁ ଭଲ ଜିନିଷ ଆମର ଯାହା ଯାହା ଥିଲା ସେସବୁ ଆସ୍ତେ ଆସ୍ତେ ହଜି ହଜି ଗଲାଣି । ନାନ୍ଦନିକତା ଗୋଟିଏ ବହୁତ ଭଲ କଥା; ସୌନ୍ଦର୍ଯ୍ୟେରେ ଅନୁସନ୍ଧାନରେ ଯିବା । ନାନ୍ଦନିକତା ସହିତ ମଣିଷର ଯଦି ବିକାଶ ନହୁଏ, ମୈତ୍ରୀର ବିକାଶ ଯଦି ନହୁଏ ତେବେ କିଛି ହୋଇପାରିବ ନାହିଁ । ନାରୀଭିତ୍ତିକ ସଭ୍ୟତାରେ ହିଁ ମୈତ୍ରୀ ବ୍ୟାପକ ହେବ । ମହେଞ୍ଜୋଦାର ହରପ୍ପାରେ ନାରୀଭିତ୍ତିକ ସଭ୍ୟତା ଗଢ଼ିଉଠିଥିଲା ।
ଏଇଠି ମୋର ବିରୋଧ ବଡ଼ ବଡ଼ ଐତିହାସିକମାନଙ୍କ ସହିତ । ରୋମିଲା ଥାପ୍ପର ହୁଅନ୍ତୁ ବା ଅନ୍ୟମାନେ ସେମାନେ ବହୁତ ତଥ୍ୟ ଦେଇଛନ୍ତି ବହୁତ କଥା କହିଛନ୍ତି କିନ୍ତୁ ସ୍ତ୍ରୀ ଶାସନ ଉପରେ କିଛି କହିପାରିନାହାନ୍ତି । ମନସ୍ତତ୍ତ୍ୱ ବିଜ୍ଞାନ ଅନୁସାରେ ପୁରୁଷ ଓ ନାରୀର ମସ୍ତିଷ୍କ ଅଲଗା ଅଲଗା ପ୍ରକାରର । ନାରୀ ଚାହେଁ ସମତା ପୁରୁଷ ଚାହେଁ ଆଧିପତ୍ୟ । ଆମର ଐତିହାସିକମାନେ ଏଭଳି ସମୀକ୍ଷା ଭିତରକୁ ଆଉ ଯାଉନାହାନ୍ତି ।
ପ୍ର: ଯେତେସବୁ ନାରୀ ସ୍ୱାଧୀନତା ବିରୋଧୀ ସାମାଜିକ ନିୟମକାନୁନ୍ ନାରୀର ସ୍ୱାଧୀନ ଚିନ୍ତା ଚେତନାର ପରିପନ୍ଥୀ ହୋଇଛି ସେସବୁ ସମ୍ପର୍କରେ କ’ଣ କହିବେ?
ଉତ୍ତର: ଆଜି ନାରୀକୁ ଉପଭୋଗର ବସ୍ତୁ କରିଦିଆଯାଉଛି । ପୁରୁଷତ୍ୱଟାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ପୁରୁଷତ୍ୱ କହିଲେ ମାଡ଼ପିଟ ଭଲ କରୁଥିବା ଲୋକକୁ ବୁଝାଉଛି । ଯେତେ ଯେ କ୍ରିମିନାଲ କାମ କରିପାରୁଛି ସେ ସେତେ ଭଲ ହିରୋ ସମାଜ ଆଗରେ ହୋଇପାରିଛି । ଅନ୍ୟପଟେ ଗଣମାଧ୍ୟମର ସହଯୋଗରେ ଅର୍ଦ୍ଧଲଙ୍ଗଳା ନାରୀର ଏକ ଚିତ୍ର ଦେଖାଯାଉଛି ସମାଜକୁ, କେଉଁଠି ନାରୀ ନିଜକୁ ଅଳଙ୍କାରରେ ସଜେଇ ସୁନ୍ଦର କରୁଛି ଅନ୍ୟକୁ ଆକର୍ଷିତ କରିବାପାଇଁ ।
ଅନ୍ୟମାନଙ୍କର ଅତ୍ୟାଚାର, ତାଡ଼ନାକୁ ପ୍ରତିବାଦ ନକରି ସହନଶୀଳତାର ପ୍ରମାଣ ଦେଇ ସହିଯାଉଛି, ସନ୍ଧ୍ୟାବେଳେ ପୂଜାପାଠ କରୁଛି, ସମସ୍ତଙ୍କ ମନ ନେଇ କାମ କରିଯାଉଛି । ଯେଉଁସବୁ କାମ କରୁଛି ଅନ୍ୟମାନଙ୍କୁ ଖୁସି କରିବା ପାଇଁ କରୁଛି କିନ୍ତୁ ନିଜ ଆତ୍ମାର ବିରୋଧି ସେଇଟା ହେଉଛି। ତା ସହିତ ବିପ୍ଳବାତ୍ମକ ଚିନ୍ତାଧାରା କି ସମାଜ ବଦଳିବାର ଚିନ୍ତାଧାରା ତା’ ଭିତରେ ନାହିଁ ।
ପ୍ର: ଅନ୍ତର୍ନିହିତ ମୈତ୍ରୀ ଭାବନା ବଦଳରେ ଏକ ଛଳନାପୂର୍ଣ୍ଣ ବ୍ୟବହାରରେ ନିଜକୁ ଆଦର୍ଶ ଭାବରେ ଗଢ଼ିବା ପାଇଁ ଚେଷ୍ଟା କରୁଛି ନାରୀ । ସେଇ ସବୁ କଥାକୁ ଆଖି ଆଗରେ ରଖି ନାରୀ ଜୀବନଟାକୁ ଗୋଟିଏ ନାଟକ କୁହାଯାଇପାରିବ କି?
ଉ: ଆପଣ ଶରତଚନ୍ଦ୍ରଜୀଙ୍କ ଲେଖା ତ ନିଶ୍ଚୟ ପଢ଼ିଥିବେ ଶରତଚନ୍ଦ୍ରଜୀ ବଙ୍ଗଳାର ଜଣେ ପ୍ରସିଦ୍ଧ ଔପନ୍ୟାସିକ । ତାଙ୍କ ପ୍ରତ୍ୟେକ ଉପନ୍ୟାସରେ ସେ ଗୋଟିଏ ସେଣ୍ଟିମେଣ୍ଟାଲ ନାରୀର କଥା କହିଛନ୍ତି । ପ୍ରତ୍ୟେକ ସ୍ଥାନରେ ନାରୀ ପରିବାରର ମନନେଇ ସେଇ ଅନୁସାରେ ଚାଲିଲା । ଯିଏ ଯେତିକି ତ୍ୟାଗପୂତ ଜୀବନ ବିତେଇଲା ସେ ନାରୀ ହିଁ ଠିକ୍ ନାରୀ । ଏଭଳି ସେଣ୍ଟିମେଣ୍ଟାଲିଜମ୍ ତାଙ୍କ ଉପନ୍ୟାସରେ ଦେଖା ଦେଇଥିଲା । ଯେଉଁଟା କି ହୁଏତ ବଙ୍ଗାଳୀମାନଙ୍କର ଚରିତ୍ର ଭିତରେ କିଛି ପଶିଯାଇଥାଇପାରେ । ବିପ୍ଳବୀ ନାରୀଙ୍କୁ ହୁଏତ କେଉଁଠି କିଛିକିଛି ଦେଖାଇଛନ୍ତି ତାଙ୍କ ଲେଖାରେ । କିନ୍ତୁ ମୋଟାମୋଟି ନାରୀମାନଙ୍କ ଠାରୁ ଆଶା କରାଯାଇଛି ଯେ ନାରୀ ସବୁବେଳେ ଦ୍ୱିତୀୟସ୍ଥାନରେ ରହିବ ଏବଂ ପୁରୁଷର କଥାକୁ ସେ ଗ୍ରହଣ କରିବ ।
ଆଦର୍ଶ ନାରୀ ଭାବରେ ଆମକୁ ସତୀ ଅନୁସୂୟାଙ୍କ କଥା କୁହାଯାଇଛି ଯେଉଁଠି କୋଷ୍ଠରୋଗୀ ସ୍ୱାମୀଙ୍କୁ ନେଇ ବେଶ୍ୟା ସହିତ ସେ ରଖିବାକୁ ଚାହେଁ । ଟେକି ଟେକି ସ୍ୱାମୀଙ୍କୁ ନେଉଛି ନେଲାବେଳେ ରାସ୍ତାରେ ଋଷିଥିଲେ ସେ ଅଭିଶାପ ଦେଲେ ତୋ ସ୍ୱାମୀ ରାତି ପାହିଲେ ମରିବ । ସେଠି ସେ ତପସ୍ୟା କରୁଛି ନସରୁ ରାତି ନମରୁ ପତି ଏକ ରାତି ହେଉ ଶପତ ରାତି । ଏଇଟା କେତେବଡ଼ ଭୁଲକଥାଟି କୁହାଯାଇଛି । କେତେବଡ଼ ଅନ୍ୟାୟ କରାଯାଇଛି ସ୍ତ୍ରୀ ପ୍ରତି । ତା ସହିତ ଆମେ ଯଦି ଅଲଗା ପ୍ରକାର ଚରିତ୍ରର ନାରୀକୁ ଦେଖିବା ଦୁର୍ଦ୍ଦାନ୍ତ ନାରୀ, ସେ ବହୁତ ମାତ୍ରାରେ ମାରଧର କରୁଛି । ପୁରୁଷ ଭଳି ସାହସ ଦେଖାଉଛି ତେବେ ସିଏ ବି ଆଦର୍ଶ ନାରୀ ହୋଇଯାଇଛି । ଦୁଇଟାଯାକ ଭୁଲ୍ ଆଦର୍ଶ ।
ପ୍ର: କୌଣସି ନାରୀ ଚାହେଁନା ଜନ୍ମସ୍ଥାନ ଛାଡ଼ି ପରଘରେ ଜୀବନ କଟାଇବା ପାଇଁ । ସାମାଜିକ ନୀୟମ ତା’କୁ ବାଧ୍ୟ କରିଛି ବିବସ କରିଛି ଏଥିପାଇଁ । ତେବେ ଏଭଳି ପ୍ରଶ୍ନ ଉପରେ ଆପଣ କ’ଣ ମତ ରଖିବେ?
ଉ: ଆପଣ ଯେଉଁଟା ଭାବୁଛନ୍ତି, କହୁଛନ୍ତି ସେଇଟା କିଛି ଭୁଲ୍ କଥା ନୁହେଁ ଠିକ୍ କଥା । ସମାଜ ନାରୀକୁ ବିବସ କରିଦେଇଛି, ପୁରୁଷ ତାକୁ ଅସହାୟ କରିଦେଇଛି ଯେ ଏଇଟା ହିଁ ରାସ୍ତା ଅନ୍ୟ ରାସ୍ତା ନାହିଁ । ଜବରଦସ୍ତି କରି ରଖାଯାଇଛି । ବଡ଼ କଥା ହେଲା ସ୍ତ୍ରୀ ଓ ପୁରୁଷର ମସ୍ତିଷ୍କ ଭିତରେ ପ୍ରଭେଦ ରହିଛି । ପୁରୁଷର ଯୌନ ଉଦ୍ଧୀପନା ନାରୀଠାରୁ ଚାରିଗୁଣ ଅଧିକ ରହିଛି ଏହା ମନସ୍ତତ୍ତ୍ୱବିତ୍ମାନେ କହିଛନ୍ତି । ପୁରୁଷମାନେ ଅଧିକ କାମୁକ ।
ଆମେରିକାର ମନସ୍ତତ୍ତ୍ୱ ବୈଜ୍ଞାନିକ ଲାଲା ମଜୁମଦାର ତାଙ୍କ ପୁସ୍ତକରେ ଏକଥା କହିଛନ୍ତି। ନାରୀ, ସମାଜ ଭିତରେ ଗୋଳମାଳ ଆଦୌ ଚାହେଁନି । ସବୁକଥାଗୁଡ଼ା ଆଜିକାଲି ଭୋଗବାଦ ଆଡ଼କୁ ଚାଲିଯାଇଛି । ଗୋଟେପଟେ ଭୋଗବାଦୀ ଚିନ୍ତାଧାରା ଆଉଗୋଟେ ପଟେ ଯୋଗୀ ଚିନ୍ତାଧାରା । ଗବେଷଣାରୁ ଜଣାପଡ଼ିଛି ଯେ ଯୋଗୀନିମାନେ ଯୌନ କ୍ଷେତ୍ରରେ ସ୍ୱାଧୀନ ଥିଲେ । ସେମାନେ ଚିନ୍ତା କରୁଥିଲେ କାହାସହ ସମ୍ପର୍କ ରଖିବେ । କାହାଠାରୁ ସନ୍ତାନ ଜନ୍ମ ଦେବେ । ସନ୍ତାନର ଦାୟିତ୍ୱ ନିଜେ ନେବେ କି କେହି ଯଦି ନେବାପାଇଁ ଚାହେଁ ସିଏ ବି ନେଇଯାଇପାରେ । ମାଧବି ଜଣେ ଯୋଗୀନି ଚରିତ୍ର ଯେଉଁଠି ତାଙ୍କର ଯୌନ ସ୍ୱାଧୀନତା ଥିଲା । ସେ ବାପାଙ୍କ କଥାମାନି ସବୁକାମ କରୁଥିଲେ । ଇଏ ଗୋଟେ ପ୍ରକାର ଯୌନ ସ୍ୱାଧୀନତା ଯେଉଁଠି ସେମାନେ ପୁରାପୁରି ସ୍ୱାଧୀନ ଏବଂ ଯେଉଁଠି ସେମାନେ ଯାହାଇଚ୍ଛା କରିପାରିବେ ।
ଯେକୌଣସି ବିଷୟ ଚିନ୍ତା କରିପାରିବେ । କିନ୍ତୁ ସ୍ୱାଧୀନତା ଯଦି ଭୋଗବାଦ ଆଡ଼େଗଲା ତାହାହେଲେ ତ ଭୁଲରାସ୍ତାରେ ଚାଲିଗଲା । ବର୍ତ୍ତମାନ କିଏ କେତେ ପଇସା ଦେଇପାରିବ, ଆମେ ଜୀବନକୁ ଉପଭୋଗ କରିପାରିବା ଏଭଳି ଚିନ୍ତାଧାରା ଗ୍ରାସ କରିଛି । ଇଏ ଅଲଗାପ୍ରକାର ଯୌନ ସ୍ୱାଧୀନତା । ଆଉ କିଛି ଭୋଗବାଦୀ ନାରୀ ପଇସା ବହୁତ ରୋଜଗାର କରୁଛି ବେଶ୍ୟା ଖୋଜୁଛି ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ।
ସେମାନେ ଥିଲେ ଯୋଗବାଦୀ ନାରୀ, ଇଏ ହେଲେ ଭୋଗବାଦୀ ନାରୀ । ଯୋଗବାଦୀ ନାରୀର ଯୌନ ସ୍ୱାଧୀନତା ସମାଜରେ ମୈତ୍ରୀ ପ୍ରତିଷ୍ଠା କରିବାରେ ସହଯୋଗ କରିଛି କିନ୍ତୁ ଭୋଗବାଦୀ ନାରୀ ଓଲଟା ନାନା ପ୍ରକାର ବିଚିତ୍ର ଚିନ୍ତାଧାରା ସୃଷ୍ଟି କରିଛି ଯାହାଫଳରେ ମଣିଷ ଅଧିକରୁ ଅଧିକ ଅନ୍ୟାୟ ଭିତରକୁ ଯାଇଛନ୍ତି ଯେଉଁଠି ଭୋଗଟା ହିଁ ଶ୍ରେଷ୍ଠସ୍ଥାନ ନେଇଛି । ଦୁଇଟା ପୁରାପୁରି ଅଲଗା ଚରିତ୍ର । ଉଭୟ ଯଦିଓ ଯୌନ ସ୍ୱାଧୀନତା ଚାହୁଁଛନ୍ତି କିନ୍ତୁ ଉଭୟଙ୍କର ଅଲଗା ଅଲଗା ପ୍ରକାର ଚିନ୍ତାଧାରା ।
ମୈତ୍ରୀ ଭାବନାଟା ଯେଉଁଠି ବଢ଼ି ବଢ଼ି ଯାଉଛି ସମାଜ ଠିକ୍ ରାସ୍ତାରେ ଯାଉଛି ବୋଲି ଧରିନେବାକୁ ପଡ଼ିବ । ଯେତେବେଳେ ମୈତ୍ରୀ କମୁଛି ଭୁଲ୍ ରାସ୍ତାରେ ସମାଜ ଯାଉଛି ବୋଲି କୁହାଯିବ । ଆମ ସମୟରେ ଆମେ ବାପା ମାଙ୍କୁ ଅବହେଳା କରିବା କଥା ଭାବିପାରୁ ନଥିଲେ । ଆଜିକାଲି ସମସ୍ତେ ବାପା ମାଙ୍କୁ ଖରାପ ବ୍ୟବହାର କରୁଛନ୍ତି । ମୈତ୍ରୀ ଭାବନାଟା ଖଣ୍ଡ ଖଣ୍ଡ ହୋଇଯାଉଛି । ଏହା ଫଳରେ ଯୁଦ୍ଧ ବେଶୀ ବଢ଼ି ବଢ଼ି ଚାଲିଛି ।
ପ୍ର: ସୃଜନଶୀଳତା ଓ ନାରୀ ଭିତରେ କ’ଣ ସମ୍ପର୍କ ରହିଛି? କେଉଁମାନେ ଏସବୁ ବିଷୟରେ ଆଜିଯାଏଁ ଆଲୋଚନା କରିଆସିଛନ୍ତି?
ଉ: ପ୍ରକୃତି ନାରୀକୁ ସୃଜନଶୀଳତା ଆରମ୍ଭରୁ ଦେଇଛି । ନାରୀର ସୃଜନଶୀଳତା ନଥିଲେ ପ୍ରଥମ ଅବସ୍ଥାରେ ଯେତେବେଳେ ମଣିଷ ସମାଜ ଗଢ଼ା ହୋଇଥିଲା ସେତେବେଳେ ନାରୀମାନେ ଏକଜୁଟ୍ ହୋଇ ବିରୋଧ କରୁଥିଲେ ଦୁଷ୍ଟ ପୁରୁଷମାନଙ୍କୁ । ସାତ ନିୟୁତ ବର୍ଷ ତଳେ ମଣିଷର ସୃଷ୍ଟି ହେଲା । ତିନି ନିୟୁତ ବର୍ଷ ବେଳକୁ ମଣିଷର ଦାନ୍ତଗୁଡ଼ିକ ଛୋଟ ହୋଇଆସିଲାଣି । ସିମ୍ପାଞ୍ଜି କିମ୍ବା ଅନ୍ୟ କୌଣସି ପ୍ରଜାତିର ଦାନ୍ତ ଛୋଟ ହୋଇନାହିଁ କିନ୍ତୁ ମଣିଷର ଦାନ୍ତ ଛୋଟ ହୋଇଗଲା କାହିଁକି? ନାରୀମାନେ ଏକତ୍ରିତ ହୋଇ ଦୁଷ୍ଟ ଓ ଶକ୍ତିଶାଳୀ ପୁରୁଷମାନଙ୍କୁ ବିରୋଧ କଲେ ।
ସେମାନେ ଚାହୁଁଥିଲେ ଶ୍ରଦ୍ଧାଳୁ ପୁରୁଷ ଯାହାଠାରୁ ଭଲ ପିଲାଟିଏ ହେବ । ସେଇଟା ହିଁ ଏକମାତ୍ର କାରଣ ଅନ୍ୟ କୌଣସି କାରଣ ଗବେଷକମାନେ କହିପାରି ନାହାନ୍ତି । ସେତେବେଳେ ପୁରୁଷ ପ୍ରାୟ ନାରୀର ଦୁଇଗୁଣ ଥିଲା । ଏବେ ପୁରୁଷ ଶାରୀରିକ ଗଠନରେ ନାରୀର ୧.୫ ଗୁଣ । କାହିଁକି ପୁରୁଷ କମିଲା? କୁଆଡ଼େଗଲେ ସେ ମହାପୁଙ୍ଗ ପୁରୁଷମାନେ? ସେମାନେ ବହୁତ ଶକ୍ତିଶାଳୀ, ମଲ୍ଲଯୁଦ୍ଧ ଭଲ କରିପାରନ୍ତି । ଅଲଗା ଧରଣର ମଣିଷକୁ ପ୍ରକୃତି ଚାହୁଁଥିଲା । ଯାହାଫଳରେ ମଣିଷ ମସ୍ତିଷ୍କର ବିକାଶ ହେଲା । ମୈତ୍ରୀ ଭାବନାର ବିକାଶ ହେଲା । ଆସ୍ତେ ଆସ୍ତେ ତା’ର ସଂଖ୍ୟା ବଢ଼ି ବଢ଼ି ଗଲା। ବର୍ତ୍ତମାନ କିନ୍ତୁ ମଣିଷ ସମାଜ ଓଲଟା ରାସ୍ତାରେ ଯାଉଛି । ମୈତ୍ରୀ ସମାଜରେ ଅନ୍ୟକୁ ସେବା ଦେବାର କଥା ଥିଲା ।
ମୈତ୍ରୀ ଭାବନାଟା ବିଜ୍ଞାନର ବିକାଶ ସହିତ କମି କମି ଆସିଛି । ଶେଷରେ ମଣିଷ ଯୁଦ୍ଧଖୋର ହୋଇଯାଇଛି । ପ୍ରକୃତି ବି ଆଉ ଚାହେଁନା ମଣିଷ ବଞ୍ôଚରହୁ, ହୁଏତ ଭବିଷ୍ୟତରେ ସମାଜ ଧ୍ୱଂସ ହୋଇଯାଇପାରେ । ଏବେ ଗୋଟିଏ ବହୁତ ଅସୁବିଧା ସମୟ ଆସିଛି । ଧର୍ମ, ନାନ୍ଦନିକତା, ପ୍ରେମ ଏସବୁ କଥା ଆଲୋଚନା କରିବାକୁ ହେଲେ ମୈତ୍ରୀ ସମାଜ ବଢ଼ାଇବା ଆବଶ୍ୟକ । ସବୁକ୍ଷେତ୍ରରେ ସବୁଠି ପ୍ରତିଯୋଗିତା ହୋଇଛି ମୁଖ୍ୟ । ଭବିଷ୍ୟତରେ ମଣିଷ ମଣିଷକୁ ମାରିବାକୁ ପଛାଇବନି ।
ହୁଏତ ଯେଉଁଭଳି ପରିବେଶରେ ପରିବର୍ତ୍ତନ ହେଉଛି ମଣିଷ ପାଇଁ ଭବିଷ୍ୟତରେ ଯଥେଷ୍ଟ ସଂଖ୍ୟାରେ ଖାଦ୍ୟ ମିଳିନପାରେ । ଯାହା ହାତରେ ଖାଦ୍ୟ ପଡ଼ିଛି ଯାହା ହାତରେ ଅସ୍ତ୍ରଶସ୍ତ୍ର ଅଛି ସେ ଅନ୍ୟମାନଙ୍କୁ ମାରଧର କରି ଖାଦ୍ୟ ନେଇଯାଇପାରେ । ହୁଏତ ଭବିଷ୍ୟତରେ ଆମେରିକା ଏ କାମ କରିପାରେ । ତେଣୁ କ’ଣ ଘଟିବ ଭବିଷ୍ୟତକୁ ନେଇ ଆଉ ବିଶେଷ ଭାବିହେବନି । ତେବେ ସମାଜବାଦ କୁହନ୍ତୁ ବା ମାର୍ସ୍କିଜିମ୍ କୁହନ୍ତୁ କେଉଁଠିବି ଯଦି ମଣିଷ ଅଧିକରୁ ଅଧିକ ଗୁଣ୍ଡା ହୋଇଯାଉଛି ସେଠି ସ୍ନେହ ପ୍ରେମ ଗୋଷ୍ଠୀ ତିଆରି ନହେଉଛି ତା’ହେଲେ ବଞ୍ôଚବାଟା ସଫଳ ହୋଇପାରିବ ନାହିଁ ଓ କୌଣସି ଉନ୍ନତ ଚିନ୍ତନ ଆଗକୁ ଯାଇପାରିବନି । ଯୁବକମାନେ ମଦ ପିଇବେ, ବନ୍ଧକୁ ଧରିବେ ତାହା ସହିତ ବାପା ମାଙ୍କୁ ଧମକାଇବେ ।
ସ୍ତ୍ରୀମାନେ ଯେଉଁଠି ଭୟକରିବେ ପଦାକୁ ଆସିବା ପାଇଁ ଏଭଳି ଅବସ୍ଥାରେ କ’ଣ କରିହେବ? ସେଠି କ’ଣ ସମାଜବାଦ ଆସିବ । ଲାଟିନ୍ ଆମେରିକାରେ ଅନେକ ଥିଓରିଟିସିଆନ୍ ଜନ୍ମ ନେଇଛନ୍ତି । ବହୁତ ସୁନ୍ଦର ଭାବରେ ସେମାନେ ସମାଜକୁ ବ୍ୟାଖ୍ୟା କରୁଛନ୍ତି ଅନେକ କଥା କହୁଛନ୍ତି କିନ୍ତୁ ପ୍ରଶ୍ନ ହେଉଛି ଯଦି ଗୁଣ୍ଡାଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲେ ଯଦି ପ୍ରତ୍ୟେକ ଅଞ୍ଚଳରେ ମରାହଣା ମୁଖ୍ୟ ହୋଇଯାଏ ସେ ସ୍ଥାନରେ ସମାଜବାଦ ଆସିବ କିପରି?
ପ୍ର: ନାରୀ ସମାଜ ପାଇଁ ଆପଣ କ’ଣ ବାର୍ତ୍ତାଦେବେ?
ଉ:ନାରୀ ହିଁ କେବଳ ଏଭଳି ପରିସ୍ଥିତିର ମୁକାବିଲା କରିପାରିବ । ପୁରୁଷଠୁ ଏତେଟା ଆଶା କରାଯାଉନାହିଁ । ନାରୀ ଯେଉଁଟା କରିବ ଅବଶ୍ୟ ଅନେକ ପୁରୁଷ ତାକୁ ସମର୍ଥନ ଦେବେ । କାରଣ ପୁରୁଷ ଭିତରେ ବି ନାରୀ ଚେତନା କିଛି ରହିଛି ଯେମିତି ନାରୀ ଭିତରେ ପୁରୁଷ ଚେତନା ରହିଛି । ନାରୀ ଚେତନାଟି ଯଦି ପୁରୁଷ ଭିତରେ ବଢ଼ିଗଲା ଅନେକ ପୁରୁଷ ନାରୀ ସହ ମିଶିଯିବେ । ଯାହା ହୁଏତ ମହେଞ୍ଜୋଦାର ହରପ୍ପା ସଭ୍ୟତାରେ ଥିଲା । ସେ ସଭ୍ୟତାରେ ଅହିଂସାକୁ ଗ୍ରହଣ କରିଥିଲେ, ଧର୍ମକୁ ବାଦ ଦେଇଥିଲେ, ପୁରୋହିତ ରଖିନଥିଲେ, ଭଗବାନ ବୋଲି କେହି ନଥିଲେ, ରଜା ନଥିଲେ, ହତ୍ୟା ନଥିଲା, ଦଣ୍ଡ ନଥିଲା, ତେବେ ପୁରୁଷମାନେ ଯଦିସମର୍ଥନ କରିନଥାନ୍ତେ ଏଇଟା ସମ୍ଭବ ହୋଇନଥାନ୍ତା ।
ତେଣୁ ନାରୀର ଯେଉଁସବୁ ଗୁଣ ରହିଛି ସେଇଟା ଯଦି ଗ୍ରହଣ କରାଗଲା ଯେଉଁଟା ଯୋଗୀ ସମାଜରେ ସମ୍ଭବ ଥିଲା ଯେମିତି ନାରୀର ସଭ୍ୟତା ଆସିବ ତା ମନସ୍ତତ୍ତ୍ୱକୁ ନେଇ ସେଇଟା ସମତାଭିତ୍ତିକ ସମାଜ, ନାରୀ କୈନ୍ଦ୍ରିକ ସଭ୍ୟତା ତା ଛଡ଼ା ଆଉକିଛି ହୋଇପାରେନା । ଗୀତାର ସାଂଖ୍ୟ, ଯୋଗ, ଲୋକାୟତ ଉପରେ ଯଦି ଗବେଷଣା କରିବେ ତେବେ ପାଇବେ କୌଣସି ନାରୀଛଡ଼ା ଏଭଳି ଦର୍ଶନ କେହି ଲେଖିପାରିବ ନାହିଁ । ସାଂଖ୍ୟରେ ପ୍ରକୃତିକୁ ହିଁ ମୁଖ୍ୟ ଆଧାର କରାଯାଇଛି, ସେଠି ପୁରୁଷର ଅସ୍ତିତ୍ୱ ହିଁ ନାହିଁ । ଯେଉଁ ସଭ୍ୟତା ଗଢ଼ିଉଠିଛି ସେଇଟା ନାରୀଭିତ୍ତିକ ସଭ୍ୟତା । ଏଭଳି ନାରୀ କୈନ୍ଦ୍ରିକ ସଭ୍ୟତା ଉପରେ ଗବେଷଣା ହେବା ଦରକାର।
ଇତିହାସ କହେ ଏଥେନସ୍ ଓ ସ୍ପାର୍ଟା ଭିତରେ ତିରିଶ ବର୍ଷ ଯେଉଁ ଯୁଦ୍ଧ ହେଲା ସେତେବେଳେ ନାରୀମାନେ ବିଦ୍ରୋହୀ ହୋଇଗଲେ କହିଲେ ଯୁଦ୍ଧ କରିବାକୁ ଆମେ ଦେବୁନି । ଆମେ ଚାହୁଁଛୁ ଏକ ଶାନ୍ତି ଥିବା ଦେଶ । ତେଣୁ ଆମେ ପୁରୁଷମାନଙ୍କୁ ସୁଯୋଗ ଦେବୁନି ଆମ ସହ ଯୌନ ସମ୍ପର୍କ ରଖିବା ପାଇଁ । ଏଇଟା ଗ୍ରୀକ୍ ନାଟକରେ ଲେଖାଅଛି । ଜାତୀୟତା ନାଁ’ରେ ଆଜି ଯେଉଁ ହତ୍ୟା ହେଉଛି, ସେମାନେ ସମାଜରେ ପ୍ରଧାନ ହୋଇଛନ୍ତି ।
ସୈନ୍ୟମାନେ ତ ନାରୀ ଉପରେ ଅତ୍ୟାଚାର କରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି । ତେଣୁ ଯୁଦ୍ଧମୁକ୍ତ ପୃଥିବୀ, ଯେଉଁଠି ପ୍ରେମ ରହିବ, ସ୍ନେହ ରହିବ କିଏ ତା’କୁ ଗଢ଼ିବ? ଯାହା ପୁରୁଷଠାରୁ ଆଶା କରାଯାଏନା ଆଶା କରାଯାଏ କେବଳ ନାରୀଠାରୁ । ନାରୀମାନେ ଯେମିତି ପୁରୁଷ ନିକଟରେ, ପିଲାମାନଙ୍କ ନିକଟରେ ଦୁର୍ବଳ ହୋଇପଡ଼ୁଛନ୍ତି ସେଇଟା ହେବାକଥା ନୁହେଁ । କାରଣ ଯେତିକି ମହାଭାରତରୁ ମୁଁ ପଢ଼ିଛି ସେଥିରେ ଶ୍ୱେତକେତୁ, ପର୍ଶୁରାମ ଏମିତି ଅନେକ ପୁଅମାନଙ୍କ ପାଖରେ ଦୁର୍ବଳତା ଯୋଗୁଁ ପୁରୁଷର ଦାସତ୍ୱ ସ୍ୱୀକାର କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି ମା’ମାନେ । ଏହା ଏକ ଅସୁବିଧା କଥା । ତାଙ୍କ ସ୍ତ୍ରୀମାନେ କହିଲେ ଯେ ଆମ ପୁଅମାନଙ୍କ ଉପରେ ବି ଆମର ବିଶ୍ୱାସ ନାହିଁ । ସେମାନେ ପରିବାର ଭିତରେ ମଧ୍ୟ ଯୌନ ନିର୍ଯାତନା ଦେବାକୁ ପ୍ରସ୍ତୁତ ।
ତେଣୁ ଏ ଅବସ୍ଥାରେ ନାରୀ ସଙ୍ଗଠିତ ହେବ ଓ ନାରୀ ମୂଲ୍ୟବୋଧକୁ ପ୍ରତିଷ୍ଠା କରିବ ତା’ହେଲେ ଯାଇ କିଛି ହେବ । ସିନେମା ମାନଙ୍କରେ ଦେଖାଇ ଦିଆଯାଉଛି ‘ନାରୀ ନୁହେଁ ତୁ ନାରାୟଣୀ’ ସେଇଟା ସମ୍ଭବ ନୁହେଁ । ଦରକାର ନାରୀମାନେ ସଙ୍ଗଠିତ ହେବା । ମୈତ୍ରୀ ଭାବନାଟା ବଢ଼େଇବା । କିନ୍ତୁ ନାରୀ ବି ଆଜି ପୁରୁଷ ଭାବନାକୁ ଗଲାଣି । ସିଏ ପସନ୍ଦ କରୁଛି ଯେଉଁ ପୁରୁଷ ଭଲ ମାଡ଼ ଦେଇପାରୁଛି । ନାରୀ ତାକୁ ଖୋଜୁଛି ଯିଏ ଭଲ ଖେଳୁଛି ସିଏ ସର୍ବଶ୍ରେଷ୍ଠ ପୁରୁଷ । ନାରୀ ଯେତେବେଳେ ପୁରୁଷର ମୂଲ୍ୟବୋଧ ଦ୍ୱାରା ଆକର୍ଷିତ ହୋଇନାହିଁ ସେତେବେଳେ ପରିବର୍ତ୍ତନ କଥା ଚିନ୍ତା କରିବା ଅସମ୍ଭବ ହୋଇପଡ଼ିଛି । ନାରୀ ହିଁ ପରିବର୍ତ୍ତନ ଆଣିପାରିବ । ପ୍ରକୃତି ସେହିଭଳି ନାରୀକୁ ଗଢ଼ିଛି । ତାକୁ ମନସ୍ତତ୍ତ୍ୱ ସେହିଭଳି ଦେଇଛି ।
ଅବସରପ୍ରାପ୍ତ ଅଧ୍ୟାପକ ଭଗବତ ପ୍ରସାଦ । ବୟସ ୮୪ । ପୁସ୍ତକ ପଢ଼ିବା ଯେମିତି ତାଙ୍କର ନିଶା । ଦିନର କିଛି ନିର୍ଦ୍ଦିଷ୍ଟ ସମୟ ସେ ନିଜ ଦ୍ୱାରା ସଂଗୃହୀତ ପାଠାଗାରରେ ପଢ଼ାପଢ଼ି କରିବାରେ କଟାନ୍ତି । ଅନେକଗୁଡ଼ିଏ ବିଷୟ ଉପରେ ସେ ତାତ୍ତ୍ୱିକ ବିଶ୍ଳେଷଣ କରିଛନ୍ତି । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ନାରୀମାନଙ୍କର ଅଧିକାର, ଦଳିତମାନଙ୍କର ଅଧିକାର, ବିଶ୍ୱଶାନ୍ତି, ସମତାଭିତ୍ତିକ ସମାଜର ପ୍ରତିଷ୍ଠା ଏବଂ ମଣିଷ ସୃଷ୍ଟି ଠାରୁ ଆଜିଯାଏଁ ଘଟିଥିବା ବିବର୍ତ୍ତନର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ତାଙ୍କର ବିଭିନ୍ନ ଲେଖା ପ୍ରକାଶିତ ହୋଇଛି । ନାରୀମାନେ ଇତିହାସର ବିଭିନ୍ନ ସୋପାନରେ କେଉଁଭଳି ସ୍ଥାନ ଓ ସମ୍ମାନ ପାଇଆସିଥିଲେ ଏବଂ ସେଥିରେ କିଭଳି ଓ କେଉଁ କାରଣ ଯୋଗୁଁ ଅବକ୍ଷୟ ଘଟିଲା ସେସବୁର ଯୁକ୍ତିଯୁକ୍ତ ବ୍ୟାଖ୍ୟା ଭଗବତ ପ୍ରସାଦଙ୍କର ପ୍ରତିଟି ଲେଖାରେ ବେଶ୍ ଭଲଭାବରେ ପ୍ରତିଫଳିତ । ଆମର ବିନମ୍ର ପ୍ରୟାସ ତାଙ୍କ କଥାଗୁଡ଼ିକୁ ପାଠକମାନଙ୍କ ନିକଟରେ ସଠିକ୍ ଉପସ୍ଥାପନ କରିବା । ଯେହେତୁ ଆମର କଥୋପକଥନ ଟେଲିଫୋନ୍ ଯୋଗେ ହୋଇଥିଲା ସେହିଦୃଷ୍ଟିରୁ ଯଦି କିଛି ଉପସ୍ଥାପନାରେ ଭୁଲ୍୍ ରହିଯାଇଥାଏ ସେଥିପାଇଁ ଭଗବତ ପ୍ରସାଦ ଦାୟୀ ନୁହଁନ୍ତି ବରଂ ଆମେ ଏହାକୁ ଉପସ୍ଥାପନାରେ ନିଜର ଭୁଲ୍ ବୋଲି ଗ୍ରହଣ କରିବୁ । – ସମ୍ପାଦକ
Photo credit – internet