ଲୋକ ନାଟକ : ମୁଣ୍ଡପୁତା କେଳା

ନଟବର ଷଡ଼ଙ୍ଗୀ 462 Views
8 Min Read

 

ଦିନକର କଥା । କଅଁଳ ଗାଧୁଆ ବେଳ । ଆମେ କୋଉ ମାନିବା ପିଲା । ଦାଣ୍ଡରେ ଆମର ରୋଷେଇବାସ ଚାଲିଛି । ହାର, ସୀତା ରୋଷେଇବାସ କଥା ବୁଝୁଛନ୍ତି। ଆମେ ଏଭିତରେ ୫/୭ଟି ପଣସ ପତ୍ର ଆଣି ପକାଇଲାଣୁ । ବଢ଼ାକୁଢ଼ା ହବ । ଖାଇବୁ । ପହଞ୍ଚିଗଲେ ଦୁଇଜଣ ଅଚିହ୍ନା ଲୋକ । ଜଣେ ମର୍ଦ୍ଦ । ଖଣ୍ଡେ ଛିଣ୍ଡା ଗାମୁଛା ଅଣ୍ଟାରେ ଗୁଡ଼ାଇଛି । ଚିକିଟା ମଳି ନଖ ଘୋସାରିଦେଲେ ମଇଳା ଲାଗିଯିବ । ଦିହ ତମାମ ଧୁଳିଆ ଧୂସର । ମୁଣ୍ଡରେ ମାସେ ହବ ତେଲ ଲାଗିନି । ବାଳ ଫୁରଫୁର ଉଡ଼ୁଛି । ନାକ ଉପରେ ୨ଟା ଲମ୍ବ ନିଶ । ଆଖି ଦିଟା ପଶିଯାଇଛି । ମୁଠାଏ ଲେଖାଏଁ ଚାଉଳ ଗାତରେ ଭର୍ତ୍ତି ହୋଇଯିବ । ଛାତିର ପଞ୍ଜରାହାଡ଼ ଗଣି ହୋଇଯାଇଛି । ଗୋଟେ ଭାର କାନ୍ଧେଇଛି । ପେଟ ପିଠିରେ ଲାଗିଯାଇଛି । ଭାର ଗୋଟେପଟେ କିଛି ବୁଜୁଳା ବୁଜୁଳି । ଆରପଟ ଟୋକେଇରେ ଦିଟା ଛୋଟ ଛୋଟ ପିଲା । ହାଡ଼ମାଂସ ହେଇ ପୁଳେ ଲେଖାଏଁ ହବ । ମାଇପିଟି ଗୋଟେ ଟୋକେଇ ମୁଣ୍ଡାଇଛି । କାଖରେ ଗୋଟେ ପିଲା । ସେ ମା’ଠୁ ଦୁଧ ଝୁଣୁଛି । ମୁଁ ୨/୩ ବର୍ଷ ଯାଏ ବୋଉଠାରୁ କ୍ଷୀର ପିଉଥିଲି । ମା ପିଲା କଥା ବୁଝିଗଲି । ଆମ ଖେଳ ଖତମ । ଆଗନ୍ତୁକ ଦିଜଣ ଦାଣ୍ଡରେ ଗୋଟାଏ ଜାଗରେ ଆସ୍ଥାନ ଜମାନ୍ତି । ଆମେ ସେମାନଙ୍କୁ ଘେରି ଠିଆ ହୋଇଗଲୁ । କଥା କ’ଣ କିଛି ଟେର ପାଉନୁ । ପିଲା ଗୁଡ଼ାକ କାନ୍ଦି କାନ୍ଦି ନନ୍ଦରା କତରା । ମା ବୁଝାଇଛି । ବୋଧେ ସେମାନଙ୍କୁ ଭୋକ ଲାଗୁଛି । ହାଣ୍ଡି ଟିଏତ ଅଛି । କିଛି ତୋରାଣି ସରାଟିରେ ଢାଳି ପିଲାଙ୍କୁ ପେଇଲା । ଢ଼କ ଢ଼କ କରି ପିଇଗଲେ । ଥୟ ପଡ଼ିଗଲେ ।

ଆମେ ଖୁଜୁବୁଜ ହେଲୁଣି । ବେଳାଭଲ ଉତ୍ତମ ମଧ୍ୟମ ଦବାକୁ କେହି ଆସିନଥାନ୍ତି । ଭୁତଭଳି ଲୋକଟା ଠିଆ ହୁଏ । ମୁଁ ନଶୋଇଲେ ବୋଉ ମତେ ଭୂତ ପ୍ରେତକଥା କହି ଶୁଆଇ ପକାଏ । ଏକଣ ଗୋଟେ ସେଇ ଭୂତକି । ମତେ ଟିକେ ଟିକେ ଡ଼ର ଲାଗିଲାଣି । ଦିହ ହାତ ଗୁଡ଼ାଏ ମାଟି ବାଲି ବୋଳିହେଇ ପଡ଼ିଲା । ହାତରେ ଡ଼ମ୍ବରୁ ଭଳି ଗୋଟେ ଯନ୍ତ୍ର । ଡ଼ମ୍‌ଡ଼ମ୍ କରି ଦାଣ୍ଡରେ ଦୁଇ ଚାରି ଘେର ଦୌଡ଼ି ଆସିଲା । କ’ଣ ଶୁଖିଲା ଶୁଖିଲା । ନାଁ “ଉହୁ ଉହୁ ହା, ହା, ହା । ରେ, ରେ, ରେ, ଗଲା ଓହଃ ,ଓହଃ,ଓହଃ” । କହିଲା ବେଳେ ଥରିଲା ଭଳି ହେଉଥାଏ । କାଠି ଦୁଇଟାରେ ଟପ୍ ଟପ୍ ଡ଼ବ୍ ଡ଼ବ୍ କରି ମର୍ଦ୍ଦ ସାଙ୍ଗରେ ତାଳ ଦେଇ ଗୋଟେ ନାଚ ଗୀତର ଆସର କଲାଣି । ସ୍ତ୍ରୀ ଲୋକଟାତ/କଣ୍ଠସ୍ୱର ସରୁ, ଗୀତ କ’ଣ ମୋର ମନେପଡ଼ୁନି । ତେବେ କିଛି ଗୋଟାଏ ବୋଲୁଥାଏ । ଗୋଟାଏ ରସୁଆଳ ପରିବେଶ । ଗାଁ ମର୍ଦ୍ଦ, ମାଇପେ, ପୁଅ, ଝିଅ ଦାଣ୍ଡରେ ଦାଣ୍ଡେ ଲୋକ । ବୋହୂ ଭୂଆସୁଣୀ କ’ଣ ଦାଣ୍ଡକୁ ଆସିବେ? ତାଙ୍କୁ ଦାଣ୍ଡମନା, ଦାଣ୍ଡ ତାଟି, କବାଟକୁ ଟିକେ ଟିକେ ଖୋଲି ଉଙ୍କି ମାରୁଥାନ୍ତି ।

ଆରମ୍ଭ ହେବ । ଭୁତ ମଣିଷଟି ଗୋଟେ ଗାତ ଖୋଳିଲା । ଲମ୍ବ ହେଇ ଛାଡ଼ି ଉପରକୁ କରି ପଡ଼ିଗଲା । ମୁଣ୍ଡ ଗାତ ଭିତରକୁ ନୁଆଁଇ ଦେଲା । ମାଇପିଟି ମୁଣ୍ଡ ଉପରେ ମାଟି ଲଦିଦେଲା । ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ ମାଟିରେ ପୋତିଦେଲା । ବଜାଇଲା ବାଜା ରାହାଧରି କାନ୍ଦିଲାଭଳି ଗୋଟେ ସ୍ୱର ବାହାରୁଛି । ପିଲା ତିନିଟା ରଡ଼ି ଛାଡ଼ୁଛନ୍ତି । ବଡ଼ ଦିଟା ୫/୭ ବର୍ଷ ଲେଖାଏଁ ହବ । ମା ଶିଖାଇଥାଏକି କ’ଣ କାନ୍ଦିଲେ କାନ୍ଦିଲେତ କାନ୍ଦି ଫଟେଇଲେ । ସବାସାନଟା କେଁ କେଁ ହଉଛି । ମୁଁ ପଛକୁ ଚାହିଁଲା ବେଳକୁ ବୋଉ । ଚୋର ଯେଉଁଠି ରାତିପାହୁଛି ସେଇଠି । ମୁଁ ଡ଼ରିଗଲାଣି । ପେଣ୍ଟରେ ଏକ ବୋଉକୁ ଡରି ନୁହେଁ । ସେ ଦୃଶ୍ୟକୁ ଦେଖି । ବୋଉ ବୋଧେ ମୋ ଅବସ୍ଥା ବୁଝିପାରିଲା । କହିଲା ଆରେ ନଟ! ଏମାନେ ମୁଣ୍ଡପୋତା କେଳା । ଖୁବ୍ ଗରିବ । ଅଛୁଆଁ । ପେଟ ପୋଷିବା ପାଇଁ ଏ ଧନ୍ଦା । ଡ଼ରୁଛୁକି ଦେଖ କଣ କ’ଣ ହବ । ଆମେ ନିଜେ ଗରିବ ବୋଉ ଏକଥା ଜାଣେ । ତଥାପି ମୁଣ୍ଡପୋତା କେଳାର ଗରିବି ସେ ସହିପାରୁନି । ମାଇପିଟି ବାଜାରେ ଗୋଟିଏ ସ୍ୱର ଅଭ୍ୟାସ କରିଛି । ଆମେ ଶୁଣି କାନ୍ଦ ଲାଗିଲାଣି । ପିଲା ଗୁଡ଼ାକ ରାହାଧରି କାନ୍ଦିକାନ୍ଦି ଅଟକି ଗଲେ ପିଠିରେ ୨/୪ଟା ଥୋଇ ଦଉଛିତ ସେମାନେ ପୁଣି କାନ୍ଦୁଛନ୍ତି । ପାଖକୁ ଯାଇ ହଲେଇ ଲେଣି । ସ୍ତ୍ରୀ ଲୋକଟି କାନ୍ଦିକାନ୍ଦି ମାଗୁଣି କରୁଛି, ମୋ ମର୍ଦ୍ଦ ମରିଯିବ । ତାର ନାକ କାନ ବନ୍ଦ । ପବନ ଯାଉନି । ତାକୁ ବଂଚାଅ ସାଆନ୍ତ । ସାଆନ୍ତାଣୀ ଆମ ଦୁଃଖ ଦେଖୁଛତ । ଆମେ ମାଗୁଣି କରୁଛୁ । ମକଦମ, ମକଦମାଣୀ । ଲହରକରି ଦୁଃଖ ଗୀତ ଗାଉଛି, ଦରବା ଖଣ୍ଡେ ଦାଣ୍ଡରେ ପକାଇଦେଇଛି ।

ମୁହଁତ ମାଟିରେ ପୋତିଛି । ମରିବ କ’ଣ? ମରିବା କଥା ମୋ ସମଝକୁ ଆସୁନି । ଲୋକଟା ମାଟି ଭିତରେ ଭୁଁ, ଭୁଁ, ଉହୁ, ଉହୁ, ମରିଗଲି, ମରିଗଲି ଶବ୍ଦ କରୁଛି । ପାଟି ଭିତରେ ପାଟିଏ ମାଟି । ପିଲା ୨ଟାଙ୍କୁ ମା ବଢ଼େଇଛି ବୋଧେ । ପୁଣି କାନ୍ଦି ଫଟେଇଲେ, “ବା ମରିଯିବ । ଆମ ବା ମରିଯିବ । ସାଆନ୍ତେ ତାକୁ ବଂଚାଅ ।” ହଠାତ୍ ଗୋଟେ ବୋମା ଫୁଟିଲାକି । ନକୁଳ ଭାଇନାତ ଚାଲିଲା ଶଗଡ଼ରେ ହାତ ଦବା ପିଲା । କସି ଦେଇଛି ଗୋଟେ ଟୋକା ଭୁତ ପେଟରେ ହୁଲକିନା ପଡ଼ିଲା । ଲୋକଟା ଉଠିବନିତ । ହୁଁ ହୁଁ ଶବ୍ଦ କରି ଗୋଟେ ହାତ ପେଟ ଉପରକୁ ଆଣି ଆଉଁଶି ପକାଉଛି । ଗୋପାଳିଆ ଭାଇନା ନକୁଳ ଭାଇନାର ଦି ଗାଲରେ ଠାଇ ଠାଇ ଦି ଥାପଡ଼ ଦେଲାତ ନକୁଳ ଭାଇନା ଛକି ଛକି ଗୋପାଳ ଭାଇନା ହାତକୁ ପୁଳାଏ କାମୁଡ଼ି ଦେଇ ବିଜୁଳି ବେଗରେ ଚଂପଟ । ‘ହଉ ଶଳା ଟୋକା ତୋ ବୋପାକୁ କାଲି କହୁଛି…’ । କଥା ନଥା ଆଡ଼କୁ ମୁହାଁଇଲାଣି । ମୁଁ ସେତେବେଳେ ବୋଧେ ଟିକେ ବୋକାଥିଲି । ବୋକାଙ୍କ ଭଳି ଏଣେ ତେଣେ ଚାହୁଁଥାଏ । ବୋମା ଫୁଟାରେ ୪/୫ ମିନିଟ୍ ଯାଇଥିବ । ଏ ଭିତରେ ଦରବା ଉପରେ ଅଧଲା ପଇସା ଏମିତି ପଡ଼ିଲାଣି । (ଟଙ୍କାକ ସେତେବେଳେ ୬୪ ପଇସା, ୧୨୮ ଅଧଲା, ୧୯୨ପାହୁଲା ଏମିତି ଚଳଣିଥାଏ) । ଚାଉଳ, ମୁଗ, ବିରି, କୋଳଥ କିଏ କିମିତି ଆଣୁଛନ୍ତି । ମାଇପିଟି ଅଲଗା ଅଲଗା ପୁଡ଼ାବଂଧି ଡ଼ାଲି ରଖୁଛି । ଚାଉଳ ଉଆ ଉସୁନା ଦଉଛନ୍ତି । ବାରିଜ ନାହିଁ । ଯୋଗୀ ଥାଳରେ ଉଆଉସୁନା ଖୋଜା ହଉଛି । ମାଇପିଟି ମୁହଁରେ ମୁରୁକି ହସ । ଲହର କରି ପାଟି କରୁଛି । ଉଠରେ ସନିଆ ବୋପା । ସାଆନ୍ତେ ଆମ ଦୁଃଖ ବୁଝିଛନ୍ତି । ତାଙ୍କର ବଢତି ହେଉ । ସାଆନ୍ତିଆଣୀଙ୍କ କାଚ ସିନ୍ଦୁର ବଜର ହେଉ । ଉଠ୍‌, ଉଠ୍ ଆରେ ମରିଯିବୁ ଉଠ୍ । ‘ହୁ ହୁ ଓ ହୁହା, ରା, ରା, ହସ୍‌’ ଶବ୍ଦ । ମର୍ଦ୍ଦ ଗାତରୁ ମୁଣ୍ଡ ଉଠାଇଲା ସୁଁ ସାଁ କରି କାସି ଛିଂକି ନାକରୁ ବାଲିମାଟି କଁଢ଼ିଲା । ଦିହେଁ ପଇସା ଗଣାଗଣି କଲେ । ମର୍ଦ୍ଦ ସବୁ ପଇସା ଗାଁଜିଆରେ ପୁରାଇ ଅଣ୍ଟାରେ ଖୋସିଲା । ଦଂଥଡ଼ା ନାଚ ଗୀତ କାମ ଶେଷ । ମାଇପିଟି ବୋଉ ସାଙ୍ଗରେ କ’ଣ ଦି ଚାରି ପଦ କଥା ହେଲା । ସାବ, ଏମିତି କେତେଦିନ ବଂଚିବ, ପିଲାଗୁଡ଼ାକଙ୍କ ପେଟ ବଢ଼ିବ । କ’ଣ ଖାଇବାକୁ ଦବୁ । ତୋରତ ବୟସ ଅଛି । ଦିହେଁ ମିଶି କାମ ଦାମ କରନ୍ତନି? ସାଆନ୍ତାଣୀ ଆମେ ପରା ଚଣ୍ଡାଳ, ଅଛୁଆଁ । ଆମ ଛାଇତ ଅଛୁଆଁ । ବାଉରି ବାବରଙ୍କ ଠାରୁ ହିନ । ହାଟ ତୋଟାରେ କୁଡ଼ିଆ ଖଣ୍ଡେ କରି ଅଛୁ । ଆମକୁ କିଏ କାମକୁ ଡ଼ାକିବ? କହି ସାବ ବୋଉକୁ ମାନ୍ୟ ହେଲା । ‘ସାବ ରହ । ମୁଁ ଘରୁ ଆସେ ।’ ବୋଉ ଦୁଇଖଣ୍ଡି ପୁରୁଣା ଲୁଗା ଆଣି ସାବକୁ ଦେଲା । ନନା ଦାନ୍ତ କଟମଟ କରୁଥାନ୍ତି । ସାଆନ୍ତାଣୀ । ତୁମ କାଚ, ସିନ୍ଦୂର ବଜର ହଉ । ଆମେ ତୁମ ଋଣ ଶୁଝିପାରିବୁନି । ଗେରସ୍ତ ଭାର, ଟୋକେଇ ସଜାଡ଼ି ସାରିଛି । ସମସ୍ତେ ଆଗ ପଛହେଇ ଚାଲିଲେ । ମୁଁ କିନ୍ତୁ ତାଙ୍କ ଗୀତ, ହୋ, ହା, ହୁ ରୁ କିଛି ଟେର ପାଉନଥାଏ । ସମସ୍ତେ ହସୁଥାନ୍ତି । ମୁଁ ବି ବୋକାଙ୍କ ଭଳି ହସିଦିଏ । ବୋଉ ପଛରୁ ଠେଲାଟାଏ ଦେଲା । “ଚାଲ ପେଟ ଲାଗି ଗଲାଣି । ଖାଇବୁ ଚାଲ” । ସେଦିନର କଥା ଆଜି ମନେ ପଡ଼ିଲେ ମୁଁ ଭାବେ ସମସ୍ତେତ ମଣିଷ । କେତେକ ଲୋକ ଏତେ ଗରିବ କାହିଁକି? କାହାର ପାଲିଙ୍କି ଉପରେ ପାଟ ଛତା । କାହାର ପଖାଳ, ତୋରାଣିବି ନାହିଁ । ଜଙ୍ଗଲର ଜୀବଜନ୍ତୁ ମାନଙ୍କର ତ ଏମିତି ନାର୍ହି । ପଶୁ, ପକ୍ଷୀଙ୍କ ଭିତରେତ ଏମିତି କମ୍ ବେଶୀ ନାହିଁ । ଏମାନେ ବିଦ୍ରୋହ କରୁନାହାଁନ୍ତି କାହିଁକି? ମୋ ମନ ଭିତରୁ କିଏ ଯିମିତି ମୋତେ ଡାକି ଦଉଛି, ଆରେ ନଟ । ବିଦ୍ରୋହ, ବିପ୍ଳବ ପାଇଁ ତୋର ଆଉ ବୟସ ଅଛି ।’

photo credit- https://bit.ly/35ihl32

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)
Exit mobile version