ମାନବବାଦ କ’ଣ ବୋଲି ପଚାରିଲେ ତାଙ୍କଠାରୁ ସଠିକ୍୍ ଉତ୍ତର ହୁଏତ ମିଳିନପାରେ, ମାତ୍ର ସେ ଜଣେ ମାନବ ବାଦୀ କବି । ସେ କୌଣସି ପ୍ରତିଷ୍ଠିତ କବିଙ୍କୁ ପଢ଼ିନାହାନ୍ତି ତଥାପି ସେମାନଙ୍କ କଳ୍ପନା ସହିତ କବିଙ୍କର ଭାବନା ମେଳଖାଇଯାଏ । ଏଭଳି ଜଣେ ନିଆରା କବି ହେଉଛନ୍ତି ହଳଧର ନାଗ୍ । ଲୋକ କବି ରତ୍ନ ଭାବରେ ସମଗ୍ର ଓଡ଼ିଶାରେ ସେ ବେଶ୍ ପରିଚିତ । ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ କବି ହଳଧର ନାଗ୍ଙ୍କ ଘର ବରଗଡ଼ ଜିଲ୍ଲାର ବୀର ମାଟି ‘ଘେସଁ’ ଗ୍ରାମରେ ୧୯୫୦ ମସିହା ମାର୍ଚ୍ଚ ୩୧ ତାରିଖରେ । ବାପା ଭଜରାମ ନାଗ୍ ଏବଂ ମା ଗୁରୁବାରୀ ନାଗ୍ଙ୍କୁ ସେ ଛୋଟବେଳୁ ହରାଇଛନ୍ତି । ଏହି ମହାନ କବିଙ୍କ ପ୍ରଚଣ୍ଡ ପ୍ରତିଭାର ପରିଚୟ ମିଳେ ୧୯୯୦ ମସିହାରେ ସମ୍ବଲପୁରରୁ ପ୍ରକାଶ ପାଉଥିବା ଏକ ପତ୍ରିକା ମାଧ୍ୟମରେ । ଏହି ପତ୍ରିକାରେ କବିଙ୍କର ପ୍ରଥମ କବିତା ‘ଢ଼ଡ଼ୋ ବରଗଛ’ ପ୍ରକାଶ ପାଇଥିଲା । କବିଙ୍କର ପ୍ରଥମ କବିତାରୁ ବାରିହୋଇଯାଏ ହଳଧରୀୟ କବିତାର ମହକ । ସେତେବେଳେ ହଳଧର ଘେଁସ ହାଇସ୍କୁଲ୍ ଛାତ୍ରାବାସରେ ରାନ୍ଧୁଣିଆ ଭାବରେ କାମ କରୁଥିଲେ । ରନ୍ଧାବଢ଼ା କାମରୁ ଟିକଏ ଫୁରୁସତ୍ ମିଳିଲେ ହାଇସ୍କୁଲ୍ରେ ପଢ଼ା ହେଉଥିବା ସାହିତ୍ୟ ପ୍ରବେଶ ବହି ପଢ଼ି ପଢ଼ି କବିତା ମନସ୍କ ହୋଇଯାଇଥିଲେ । କବିତା ଗୁଚ୍ଛା, ସୁରୁତ୍ ଏବଂ ଭାବ୍ କବି ହଳଧରଙ୍କ ପ୍ରଥମ ସୃଷ୍ଟି ଅଟେ । ଅଛିଆଁ, ମହାସତୀ ଉର୍ମିଳା, ବଛର୍, ତାରା ମନ୍ଦୋଦରି, ସତିଆ ବହା, ସୁନ୍ଦର ସାଏ, ସିରି ସମଲେଇ, ରସିଆ କବି, କରମ ସାନି, ଚାଷୀ କବି ଗଙ୍ଗାଧର, ଗୋଆଲ୍ ତୀର୍ଥ ଏବଂ ବାବା ହଳଧର ଧାମ୍ ପରି କବିଙ୍କ ପୋ÷ରାଣୀକ ଏବଂ ଐତିହାସିକ କାବ୍ୟ ସମ୍ବଲପୁରୀ ସାହିତ୍ୟ ଜଗତକୁ ସମୃଦ୍ଧ କରିଛି । ଅତି ଚମକ୍ରାର ଶବ୍ଦ ସଂଯୋଜନା ସହିତ ସୁନ୍ଦର କବିତା ଆବୃତ୍ତି କବି ହଳଧରଙ୍କ ସ୍ୱତନ୍ତ୍ର ପରିଚୟ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ନିଜେ ଲେଖା ଯାଇଥିବା ସମସ୍ତ କାବ୍ୟ ଓ କବିତାକୁ ମୁଖସ୍ଥ କରିଛନ୍ତି । ମୁହଁ ଖୋଲିଲେ ବାହାରେ କାବ୍ୟ ଓ କବିତା । ଘଣ୍ଟା ଘଣ୍ଟା ଏବଂ ଦିନ ଦିନ ଧରି ନିର୍ଭୁଲ୍ ଭାବରେ କବିତା ଆବୃତ୍ତି ଦେଖିଲେ ଯେକେହିବି ଚକିତ ହୋଇଯିବ । ସେ ଯେତିକି କାବ୍ୟ କବିତାକୁ ନିଜ ଭିତରେ ସାଇତି ରଖିଛନ୍ତି କୋଣସି କମ୍ପୁଟର୍ର ହାର୍ଡଡିସ୍କ ମଧ୍ୟ ଫେଲ୍ ମାରିଯିବ ।
ଅଧ୍ୟାପକ ଡଃ ବବ୍ରୁ ବାହନ ମହାପାତ୍ରଙ୍କ ଭାଷାରେ ହଳଧରଙ୍କ କବିତାରେ ପ୍ରକୃତିର ସବୁଜିମା ଅଛି, ଜୀବନକୁ କାଖେଇ ନେବାର ଖୁସି ଅଛି, ମାଟିକୁ ଆପଣେଇନେବାର ପ୍ରେରଣା ଅଛି । ଅଛି ମଧ୍ୟ ଆଞ୍ଚଳିକ ଜାତୀୟତାର ସ୍ୱାଭିମାନ । ସବୁ ଖାଣ୍ଟି, ସବୁ ନିରୁତା, ନିଜ ଅନୁଭବର ଜଣେ ସଚ୍ଚାକବି ଅଟନ୍ତି ହଳଧର । ଖାଣ୍ଟି ସମ୍ବଲପୁରୀ ଭାଷାରେ କବିତା ଲେଖୁଥିବା କବିଙ୍କ ମଧ୍ୟରୁ ଅଗ୍ରଗଣ୍ୟ କବି ହେଉଛନ୍ତି କବି ହଳଧର ନାଗ୍ । ଆଖୁ ରସ ପରି ମିଠା ତାଙ୍କ କବିତାର ଭାଷା, କିଆ ଫୁଲିଆ ଜହ୍ନ ରାତି ପରି ତାଙ୍କର କବିତା ଏବଂ ମା କ୍ଷୀର ପରି ନିର୍ଭେଜାଲ୍ ତାଙ୍କର କବିତ୍ୱ । ଆଶିଣ ମାସରେ ଧାଙ୍ଗଡିଟିଏ ମୁହଁ ଧୋଇଲେ ମହାନଦୀର ପାଣି ଦର୍ପଣ ହୋଇଯାଏ ଠିକ୍ ସେମିତି ସମ୍ବଲପୁରୀ ସାହିତ୍ୟ ସଂସ୍କୃତିର ଦର୍ପଣ ହେଉଛନ୍ତି କବି ହଳଧର । ଯାହାଙ୍କ ଜରିଆରେ ସମ୍ବଲପୁରୀ ସାହିତ୍ୟ, ସଂସ୍କୃତିକୁ ଭଲଭାବରେ ଦେଖିହୁଏ ଅନୁଭବବି କରିହୁଏ । ନିଜ ଅଞ୍ଚଳର ଚାଲିଚଳଣି, ପର୍ବ ପର୍ବାଣୀ, ଦେ ଦେବତା,ଚାଷବାସ, ଖେତ୍ଖଲା, ମାଟିର ରଙ୍ଗ, ଚେହେରା ଓ ଜୀବନ ଶୈଳୀ ସବୁକିଛିକୁ ଅବିକଳ ଚିତ୍ରଣ କରିବାର କଳା କବିଙ୍କର କବିତାରେ ଭରପୁର ଭାବରେ ଭରି ରହିଛି । ବଉଲିଆ ଆମ୍ବଗଛର କେଉଁ ଡ଼ାଳରେ କୋଇଲି ଡ଼ାକେ ତାହା କବି ଜାଣି ପାରନ୍ତି । ମହୁଲିଆ ପବନ କେଉଁ ଜଙ୍ଗଲରୁ ଆସେ ତାହା କବିଙ୍କୁ ଜଣା ଏବଂ ସୁରୁଘୁଟୁ ନରିହା କେତେ ଭୋରରୁ ଉଠି କ୍ଷୀର ଦୁହିଁବାକୁ ଯାଏ ତାହା ମଧ୍ୟ କବି ହଳଧରଙ୍କୁ ଭଲଭାବରେ ଜଣା । ଆଖି ଆଗରେ ନାଚି ଯାଉଥିବା ଗାଁ ଦାଣ୍ଡ, ଗାଁ ଜୀବନରୁ ସାଉଁଟି ଆଣିଥିବା ଚିତ୍ର ଓ ଚରିତ୍ର, ଗାଁର ଖରା,ବର୍ଷା,ଶୀତ,କାକର, ଗାଁର ସଞ୍ଜସକାଳ ସବୁକିଛିକୁ କଲମ ଗାରରେ ବାନ୍ଧି ରଖିବାର ଜଣେ ଚମକ୍ରାର ଯାଦୁଗର ଅଟନ୍ତିି ହଳଧର ।
କବିଙ୍କର ପ୍ରଥମ ପ୍ରକାଶିତ କାବ୍ୟ ‘ଅଛିଆଁ’ ପୌରାଣିକ ପ୍ରସଙ୍ଗ ଉପରେ ଆଧାରିତ । ରାମଚରିତ ମାନସର ସବରୀ ଉପାଖ୍ୟାନକୁ ଆଧାର କରି ଏହି କାବ୍ୟ ଲେଖାଯାଇଥିଲେ ମଧ୍ୟ ଜାତିବାଦକୁ ନେଇ ଏଥିରେ କବିଙ୍କ ନିଜସ୍ୱ ଦୃଷ୍ଟି କୋଣ ଏହି କାବ୍ୟକୁ କାଳଜୟୀ କରିଛି । ଛୁଆଁ ଅଛୁଆଁ ବାଛ ବିଚାର ଏବଂ କୁସଂସ୍କାରକୁ ନିଜସ୍ୱ ଶୈଳୀରେ କବି ନାପସନ୍ଦ କରିଛନ୍ତି । ସେହିପରି ରାମାୟଣର ଉର୍ମିଳା ଚରିତ୍ରକୁ ନେଇ କବି ଲେଖିଛନ୍ତି ‘ମହାସତୀ ଉର୍ମିଳା’ କାବ୍ୟ । ଏଥିରେ ରାମଚନ୍ଦ୍ରଙ୍କର ବନଗମନ ଠାରୁ ଚଉଦବର୍ଷ ବନବାସ ଏବଂ ପରେ ଅଯୋଧ୍ୟ୍ୟା ଫେରିବା ପର୍ଯ୍ୟନ୍ତ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି କବି ହଳଧର ନାଗ୍ । ଏହି କାବ୍ୟଟି ମଧ୍ୟ ପ୍ରଭାତ ଓ ପ୍ରକୃତି ବର୍ଣ୍ଣନାରୁ ଆରମ୍ଭ ହୋଇଛି । କଳେବର ଦୃଷ୍ଟିରୁ ଛୋଟ ହେଲେ ମଧ୍ୟ କବିଙ୍କର କାମ ଧେନୁ କବିତା ଏକ ଶ୍ରେଷ୍ଠ କବିତା । ଏଥିରେ ମଣିଷର ଭୋଗବାଦୀ ଚରିତ୍ରକୁ କବି ଅତ୍ୟନ୍ତ ସ୍ପଷ୍ଟ ଓ ଶାଣୀତ ଭାବରେ ଉଜାଗର କରିଛନ୍ତି । କବିଙ୍କର ଅନ୍ୟାନ୍ୟ ସୃଜନଶୀଳ କବିତା ମଧ୍ୟରେ ଅଛି ପାଁଚ୍ ଅମରୁତ୍, ଅସତ୍ ନରକ୍, ଅତି, ଅସୁର, ଜୟେଗୀତି, ମହକ୍, ଢ଼ଡ଼ୋ ବରଗଛ, କାଁ ଯେ ବାହାରୁଛେ ଘରୁ ଆଦି ଅନେକ ଚମକ୍ରାର କବିତା । କବିଙ୍କ କାବ୍ୟ ଓ କବିତା ସମ୍ଭାରକୁ ଯଦି ପୋଷ୍ଟମଟମ୍ କରାଯାଏ ତେବେ ପ୍ରତ୍ୟେକ କବିତାରେ ପ୍ରକୃତି ଓ ଗ୍ରାମ୍ୟ ପରିବେଶର ନିଚ୍ଛକଚିତ୍ର ମିଳିବ । ଗୋଟିଏ କବିତା କିପରି ସୃଷ୍ଟି ହୁଏ ବୋଲି କବିଙ୍କୁ ପଚରାଯାଇଥିଲା । ଅତି ସଂକ୍ଷିପ୍ତ ଉତ୍ତର ଦେଇଥିଲେ ସେ ନିଜ ଭାଷାରେ କବିତା ମାଧ୍ୟମରେ “କବି କେ ଜାନେ କି ବାଦ୍ଲି କେ ଜାନେ ଖାଏବାର ମେସା ଫଲ୍, ଖାଏଲା ଚରାକେ ଉକଲାଏ ଯେନ ଆଁ କରେ ବର୍ ପିପଲ । କବି ଦୁନିଆଁର ସବୁକେ ଆହରନ୍ କରସି ଜେନଟା କଲମର ଗାରେ ଉଦଗୁରେଇ ଦେସି ଧରମ ବଟବୃକ୍ଷ କାଳଜୟୀ କବିତାଟେ ସୃଷ୍ଟି ହେଇଯାଏସି” ।
ସେହିପରି ଆପଣଙ୍କ କବିତାରେ କ’ଣ କହିବାକୁ ଚାହାଁନ୍ତି ବୋଲି ପଚାରିବାରୁ ଉତ୍ତର ଥିଲା ଏମିତି “କବି କହେତିକେ ବିଦେଶର ଭାଷା ସଂସ୍କୃତି ଆସେ ଚାପି । ଖିଆଲ ନାଇନ ଆପ୍ନାର୍ ଭାଷା ସଂସ୍କୃତି ହୁଏ ଢ଼ାପି । ତାର ବାହାରେ ମୁନୁଷ୍ର ଭଲ ମନ୍ଦ ଦୁଃଖ୍ ଦରଦ୍ ଯେନଟାକି ସମାଜ ଆଗାଁଡ଼େ ଫୁଟି ନେଇ ପାର୍ବାର୍, କହେଲେ ଭି କିହେ ନାଇଁ ଶୁନନ୍ ସେଟା ହଉଛେ ମୋର୍ କବିତା” ।
ଏକବିଂଶ ଶତାବ୍ଦୀର ଏଭଳି ଜଣେ ମହାନ କବିଙ୍କୁ କୋଟି ପ୍ରଣାମ ।
(ସହାୟକ ପତ୍ରିକା ଜୁହାର) ହଳଧର ନାଗ୍