ଭଦ୍ରକର ସଙ୍ଗୀତ ଓ ନାଟକ – (ଗୌରଗୋପଲ ଜେନା)

ଓଡ଼ିଶାର ସାଂସ୍କୃତି ମାନଚିତ୍ରରେ ଭଦ୍ରକ ବହୁ କାଳରୁ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଆସିଛି । ବିଶେଷତଃ ସଙ୍ଗୀତ ଓ ନାଟକ କ୍ଷେତ୍ରରେ ଭଦ୍ରକର ଅବଦାନ ଅତୁଳନୀୟ

Chief Editor
Chief Editor 428 Views
15 Min Read

ଓଡ଼ିଶାର ସାଂସ୍କୃତିକ ଜଗତରେ ଭଦ୍ରକର ଯୋଗଦାନ ଅତୁଳନୀୟ । ବିଶେଷକରି ୧୮ଶ ଶତାଦ୍ଦୀର ମଧ୍ୟଭାଗରୁ ଭଦ୍ରକ ସଙ୍ଗୀତ ନାଟକ କ୍ଷେତ୍ରରେ ଯେଉଁଭଳି ଉଦୀୟମାନ ହୋଇଥିଲା ତାହା ପ୍ରଣିଧାନଯୋଗ୍ୟ। କବି ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ଠାରୁ ଆରମ୍ଭ କରି ଜଗବନ୍ଧୁ ମିଶ୍ର, ଲାଲା ଗିରିଧାରୀ ରାୟ, ଜଗନ୍ନାଥ ପାଣି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ସଙ୍ଗୀତାଚାର୍ଯ୍ୟ ମନମୋହନ ସାବତ, ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଠାରୁ ଆରମ୍ଭକରି ପ୍ରହ୍ଲାଦଚନ୍ଦ୍ର ଦାସ, ଜଗବନ୍ଧୁ ସାହୁ, ରଂଗାଧର ରାୟ ମହାପାତ୍ର, ଧରଣୀଧର ଚାନ୍ଦ, କୃଷ୍ଣପ୍ରସାଦ ବେହେରାଙ୍କ ଅବଦାନ ସମ୍ପର୍କରେ ଲେଖକ ଚର୍ଚ୍ଚା କରିବା ସହିତ ଭଦ୍ରକର ସାଂସ୍କୃତିକ ପୃଷ୍ଠଭୁମିର ଏକ ସୁନ୍ଦର ଉପସ୍ଥାପନା କରିଯାଇଛନ୍ତି । ଭଦ୍ରକ ଅଞ୍ଚଳର ଯୁବପିଢ଼ି ଓ ସମଗ୍ର ରାଜ୍ୟର ସାଂସ୍କୃତିକ ଜଗତ ଏହିସବୁ ବିଷୟ ଜାଣିବା ଏ ସମ୍ପର୍କରେ ଅଧିକ ଗବେଷଣା କରିବା ପାଇଁ ଲେଖାଟିର ଅନେକ ଉପାଦେୟତା ରହିଛି । ଲେଖକ ଶ୍ରୀ ଗୌରଗୋପାଳ ଜେନା ଥିଲେ ବୃତ୍ତିରେ ଶିକ୍ଷକ ଯିଏ ଏବେ ଆମ ଗହଣରେ ଆଉ ନାହାଁନ୍ତି । ସେ ଭଦ୍ରକ ହାଇସ୍କୁଲର ପ୍ରଧାନ ଶିକ୍ଷକ ଥିଲେ । ଶିକ୍ଷା ବ୍ୟତୀତ ତାଙ୍କର ନିଶା ଥିଲା ସୃଜନାତ୍ମକ ସୃଷ୍ଟି କରିବା ଯାହା ଏହି ଲେଖାଟିରୁ ଅନୁମେୟ । ଗୌରଗୋପାଳ ଜେନାଙ୍କର ଏହି ତଥ୍ୟପୂର୍ଣ୍ଣ ସୃଷ୍ଟି ଭଦ୍ରକର ସାଂସ୍କୃତିକ ଐତିହକୁ ଉଜାଗର କରିପାରିଛି ସେଥିପାଇଁ ତାଙ୍କୁ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ – ସମ୍ପାଦକ

ଭଦ୍ରକର ଓଡ଼ିଶାର ସାଂସ୍କୃତିକୁ ଅବଦାନ

ଓଡ଼ିଶାର ସାଂସ୍କୃତି ମାନଚିତ୍ରରେ ଭଦ୍ରକ ବହୁ କାଳରୁ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଆସିଛି । ବିଶେଷତଃ ସଙ୍ଗୀତ ଓ ନାଟକ କ୍ଷେତ୍ରରେ ଭଦ୍ରକର ଅବଦାନ ଅତୁଳନୀୟ । ଖ୍ରୀଷ୍ଟିୟ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭଦ୍ରକରେ ସଙ୍ଗୀତ ଓ ନାଟକର ରୂପରେଖ କ’ଣ ଥିଲା, ନିର୍ଭରଯୋଗ୍ୟ ତଥ୍ୟର ଅଭାବରୁ ତାହା କହିବା ସମ୍ଭବ ନୁହେଁ । ତେବେ ଷୋଡ଼ଶ ଶତାବ୍ଦୀରେ ବୈଷ୍ଣବ ଧର୍ମର ପ୍ରଚାରକ ଶ୍ରୀଚୈତନ୍ୟ ଭଦ୍ରକ ଆସିଥିଲେ । ତାଙ୍କ ପ୍ରଚାରର ମାଧ୍ୟମ ଥିଲା ମୁଖ୍ୟତଃ ସଂକୀର୍ତ୍ତନ ଓ ଭାଷା ଥିଲା ବଙ୍ଗଳା । ତେଣୁ ସେତେବେଳେ ଭଦ୍ରକର ସଙ୍ଗୀତ ପରଂପରା ଉପରେ ସେହି ବଙ୍ଗଳା ସଂକୀର୍ତ୍ତନର ପ୍ରଭାବ ପଡ଼ିଥିବା ଅନୁମେୟ । ପୁନଶ୍ଚ ଖ୍ରୀ.ଅ. ୧୫୬୮ ରୁ ୧୭୫୧ ପର୍ଯ୍ୟନ୍ତ ଓଡ଼ିଶାରେ ଆଫଗାନ ଓ ମୋଗଲ ରାଜତ୍ୱ ଥିଲା । ଅବଶ୍ୟ ଆଫଗାନ ରାଜତ୍ୱର ସମୟ ମାତ୍ର ୧୦ ବର୍ଷ (୧୫୬୮ ରୁ ୧୫୭୮) । ମାତ୍ର ମୋଗଲ କତ୍ତ୍ୱର୍ତ୍ୱର ସମୟ ଦେଢ଼ଶହ ବର୍ଷରୁ ଅଧିକ (୧୫୭୮ ରୁ ୧୭୫୧) । ଅଧିକନ୍ତୁ ମୋଗଲ ଶାସନ କାଳରେ ଭଦ୍ରକ ମୋଗଲ ସମ୍ରାଟ ଅଧୀନରେ ଏକ ସ୍ୱତନ୍ତ୍ର ସୁବା ରୂପେ ପରିଗଣିତ ହେଉଥିଲା । ତେଣୁ ସେହି ସମୟ ମଧ୍ୟରେ ଭଦ୍ରକର ପାରମ୍ପରିକ ସଙ୍ଗୀତ ଓ ନାଟ୍ୟ ସଂସ୍କୃତି ଇସଲାମୀୟ ଅଥବା ମୋଗଲ ସଂସ୍କୃତି ଦ୍ୱାରା ନିଶ୍ଚିତ ଭାବରେ ପ୍ରଭାବିତ ହୋଇଥିଲା । ତେବେ, ତାହା ଏକ ସ୍ୱତନ୍ତ୍ର ଗବେଷଣା ବିଷୟ ଏବଂ ସେ ବିଷୟରେ ନିର୍ଣ୍ଣୟାତ୍ମକ ଭାବରେ କିଛି କହିବା ସମ୍ଭବ ନୁହେଁ ।

ବଂଶୀବଲ୍ଲଭ ଗୋସ୍ୱାମୀ ଓ  ମୋଗଲ ତାମ୍‌ସା

କିନ୍ତୁ ୧୮ଶ ଶତାଦ୍ଦୀର ମଧ୍ୟଭାଗରୁ ଭଦ୍ରକର ସଙ୍ଗୀତ ନାଟକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଲା । ଖ୍ରୀ.ଅ.୧୭୨୮ରେ ବର୍ତ୍ତମାନର ଭଦ୍ରକ ସହର ନିକଟବର୍ତ୍ତୀ ସଙ୍ଗତ ଗ୍ରାମରେ ଜନ୍ମଲାଭ କଲେ ଜଣେ ପ୍ରତିଭାର ବ୍ୟକ୍ତି କବି ବଂଶୀବଲ୍ଲଭ ଗୋସ୍ୱାମୀ । ପ୍ରାଚୀନ ଉର୍ଦ୍ଦୁ ପାରସୀ, ଓଡ଼ିଆ ଓ ବଙ୍ଗଳା ଭାଷାର ସମ୍ମିଶ୍ରଣରେ ସେ ରଚନା କଲେ କେତେଗୁଡ଼ିଏ ଗୀତିନାଟ୍ୟ ବା ତାମ୍‌ସା । ଏଗୁଡ଼ିକ ଓଡ଼ିଶାର ସଙ୍ଗୀତ ଓ ନାଟ୍ୟ ସାହିତ୍ୟକୁ କବିଙ୍କର ଅପୂର୍ବ ଅବଦାନ । ସାତଗୋଟି ତାମ୍‌ସା ମଧ୍ୟରୁ ମୋଗଲ ତାମ୍‌ସା କବିଙ୍କର ଶ୍ରେଷ୍ଠ ରଚନା ବୋଲି ଧରାଯାଏ । ସମାଜ ସଚେତନତା ଏହି ରଚନାର ପ୍ରଧାନ ବୈଶିଷ୍ଟ୍ୟ । ଏଥିରେ ତତ୍କାଳୀନ ପତନଶୀଳ ମୋଗଲ ପ୍ରତିପତ୍ତିର ଚମତ୍କାର ଚିତ୍ରଣ କରାଯାଇଛି । ବ୍ୟଙ୍ଗ, ବିଦ୍ରୂପ ଓ ହାସ୍ୟରସକୁ ଆଧାରକରି ତାମ୍‌ସାଗୁଡ଼ିକ ରଚିତ ହୋଇଥିବାରୁ ତାହା ତତ୍ କାଳୀନ ସମାଜର ସବୁଶ୍ରେଣୀର ଲୋକଙ୍କର ଉପଭୋଗ୍ୟ ହୋଇପାରିଥିଲା ।

ବଂଶୀବଲ୍ଲଭଙ୍କ ମୃତ୍ୟୁପରେ (ମୃତ୍ୟୁକାଳ ଅଜ୍ଞାତ) ଭଦ୍ରକ ସନ୍ନିହିତ ବାଙ୍କାର ଜଗବନ୍ଧୁ ମିଶ୍ର ଓ ପୁରୁଣା ବାଜାରର ଲାଲା ଗିରିଧାରୀ ରାୟ ସେହି ତାମ୍‌ସାଗୁଡ଼ିକୁ ଅଧିକ ସମୟୋପଯୋଗୀ କରାଇବା ପାଇଁ ସେଥିପାଇଁ ସ୍ଥାନେ ସ୍ଥାନେ ଓଡ଼ିଆ ସଙ୍ଗୀତର ସଂଯୋଜନା କରିଥିଲେ । ତଥାପି ସମୟ ଓ ଲୋକରୁଚିର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ତାମ୍‌ସାଗୁଡ଼ିକର ଆଦର କ୍ରମଶଃ କ୍ଷୀଣ ହୋଇଯାଇଥିଲା । ମାତ୍ର ସୁଖର ବିଷୟ, ଚଳିତ ଶତାବ୍ଦୀର ୭ ମଦଶକଠାରୁ ଏଗୁଡ଼ିକ ପ୍ରତି ବିଦ୍‌ଗଧ ସମାଜରେ ପୁଣି ଆଗ୍ରହ ସୃଷ୍ଟି ହୋଇଛି ଓ ସଂପ୍ରତି ଏହାର ନାଟ୍ୟାଭିନୟ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ଓ ଦୂରଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦର୍ଶିତ ହେଉଛି ।

ଜଗନ୍ନାଥ ପାଣି

ବଂଶୀବଲ୍ଲଭଙ୍କ ତିରୋଧାନର କିଛି ବର୍ଷ ପରେ ୧୮୩୬ ମସିହାରେ ଭଦ୍ରକ ସହରର ଦକ୍ଷିଣକୁ ଥିବା ନଳାଙ୍ଗ ଗ୍ରାମରେ ଜନ୍ମଗ୍ରହଣ କଲେ କବି ଓ ନାଟ୍ୟକାର ଜଗନ୍ନାଥ ପାଣି । ଏ ହେଉଛନ୍ତି ଯଥାର୍ଥରେ ଓଡ଼ିଶା ନାଟକର ପ୍ରଥମ ରଚୟିତା ଓ ଓଡ଼ିଶାରେ ବିଧିବଦ୍ଧ ଯାତ୍ରାଦଳର ପ୍ରଥମ ସଙ୍ଗଠକ । ପୂର୍ବରୁ ନାଟକ ବୋଇଲେ କେବଳ ରାମଲୀଳା ବା ରାସଲୀଳା ଆଦି କେତେକ ଲୀଳା ବା ସୁଆଙ୍ଗକୁ ବୁଝାଉଥିଲା । ମାତ୍ର ଜଗନ୍ନାଥ ପାଣି ପ୍ରଥମକରି ବିଭିନ୍ନ ପୌରାଣିକ ଆଖ୍ୟାୟିକା ଅବଲମ୍ବନରେ ଛାନ୍ଦନାଟକ ବା ଗୀତାଭିନୟ ରଚନା କରି ନିଜର ଯାତ୍ରାଦଳ ମାଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓ ଓଡ଼ିଶା ବାହାରେ ମଧ୍ୟ ସେଗୁଡ଼ିକ ଅଭିନୟ କରାଇଥିଲେ । ଏହି ଗୀତାଭିନୟକୁଡ଼ିକ ମଧ୍ୟରୁ ଦକ୍ଷଯଜ୍ଞ, ଧ୍ରୁବଚରିତ, ପାରିଜାତ ହରଣ, ସୀତା ବନବାସ, ସୁଭଦ୍ରା ପରିଣୟ, ମହୀରାବଣ ବଧ, ଲକ୍ଷ୍ମଣ ଶକ୍ତିଭେଦ, ରୁକ୍ମଣୀ ପରିଣୟ, ଭୂତକେଳି, କପଟପାଶା, ମୀରା ଚରିତ, ମାନଭଞ୍ଜନ ପ୍ରହ୍ଲାଦ ଚରିତ ଆଦି ବିଶେଷ ଲୋକପ୍ରିୟତା ହାସଲ କରିଥିଲା । ତାଙ୍କର ସଙ୍ଗୀତ ଗୁଡ଼ିକର ଭାଷା ଅତି ସରଳ ଓ ସୁଲଳିତ । ଗୀତାଭିନୟ ବ୍ୟତୀତ ବହୁ ଚଉପଦୀ, କୋଇଲି, ପାଲା, ଗୀତିନାଟ୍ୟ କାବ୍ୟ, ପ୍ରହସନ ଓ ସୁଆଙ୍ଗ ଆଦି ରଚନା କରି ପ୍ରାୟ ଅର୍ଦ୍ଧ ଶତାବ୍ଦୀ କାଳ ଓଡ଼ିଶାର ସଙ୍ଗୀତ ଓ ନାଟ୍ୟ ସାହିତ୍ୟକୁ ବହୁ ଭାବରେ ସମୃଦ୍ଧ କରି କବି ଜଗନ୍ନାଥ ପାଣି ୧୯୯୭ ମସିହାରେ ଇହଧାମ ତ୍ୟାଗ କଲେ ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଜଗନ୍ନାଥ ପାଣିଙ୍କ ପରେ ଓଡ଼ିଶାରେ ଗଣକବି ଭାବରେ ପ୍ରସିଦ୍ଧ ଲାଭ କରିଥିବା କଟକର ଜିଲ୍ଲାର ବୈଷ୍ଣବ ପାଣି, ଜଗନ୍ନାଥ ପାଣିଙ୍କ ଗୀତାଭିନୟ ଦ୍ୱାରା ପ୍ରଭୁତ ଭାବରେ ପ୍ରଭାବିତ ଓ ଅନୁପ୍ରାଣୀତ ହୋଇଥିଲେ । ବୈଷ୍ଣବ ପାଣି ନିଜେ ତାଙ୍କ ଜୀବନୀରେ ଏହା କହିଛନ୍ତି । ମନେରଖବା ଦରକାର ଯେ, ଜଗନ୍ନାଥ ପାଣିଙ୍କ ମୃତ୍ୟୁ ସମୟକୁ ବୈଷ୍ଣବ ପାଣି ଥିଲେ ତରୁଣ -କିଶୋର । ତେଣୁ ନିଃସନ୍ଦେହରେ କୁହାଯାଇପାରେ ଊନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଅଦ୍ୟାବଧି ଓଡ଼ିଶାରେ ଗଣନାଟ୍ୟ ନାମରେ ଯେଉଁ ନାଟ୍ୟଶୈଳୀ ଓ ପରମ୍ପରା ପ୍ରଚଳିତ ରହିଛି, ଜଗନ୍ନାଥ ପାଣି ହିଁ ତାହାର ପ୍ରଥମ ପ୍ରବର୍ତ୍ତକ ଓ ପଥପ୍ରଦର୍ଶକ ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ସଙ୍ଗୀତ କ୍ଷେତ୍ରରେ ଭଦ୍ରକରେ ଏକ ନୂତନ ଯୁଗର ସୂତ୍ରପାତ ହେଲା ଊନବିଂଶ ଶତାବ୍ଦୀର ଶେଷ ପାଦରେ । ସେତେବେଳେ ପ୍ରାୟ ସମକାଳୀନ ଭାବେ ଆବିର୍ଭୁତ ହେଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ସଙ୍ଗୀତାଚାର୍ଯ୍ୟ ମନମୋହନ ସାବତ ଓ ଜାତୀୟ କବି ବାଞ୍ଛାନିଧି ମହାନ୍ତି । କାନ୍ତକବିଙ୍କ ଜନ୍ମ ୧୮୮୮ ମସିହାରେ ଭଦ୍ରକ ଅଦୂରବର୍ତ୍ତୀ ତାଳପଦା ଗ୍ରାମରେ । ସେ ଥିଲେ ଆବାଲ୍ୟ ସଙ୍ଗୀତ ପ୍ରିୟ । ଛାନ୍ଦ, ଚମ୍ପୂ, ଜଣାଣ ପ୍ରଭୃତି ସେ ଅତି ଲଳିତ କଣ୍ଠରେ ଗାନ କରୁଥିଲେ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ବହୁ ଉଚ୍ଚକୋଟୀର ସଙ୍ଗୀତ ଓ ନାଟକ ରଚନା କଲେ ଓ ଅଭିନୟରେ ମଧ୍ୟ ପାରଦର୍ଶିତା ଲାଭକଲେ । ତାଙ୍କ ରଚିତ ନାଟକ ମଧ୍ୟରୁ ‘ଲକ୍ଷ୍ମୀ ଚଣ୍ଡାଳୁଣୀ’, ‘କାଳୀୟ ଦଳନ’ ଓ “ଅଫିମ ଲୀଳା’ ବିଶେଷ ଲୋକପ୍ରିୟ ହୋଇଥିଲା । ମାତ୍ର ଶୁଦ୍ଧ ସଙ୍ଗୀତ ହିସାବରେ ତାଙ୍କ ରଚିତ ‘ଜୀବନ ସଙ୍ଗୀତ’ ଓଡ଼ିଶାର ସାରସ୍ୱତ ମନ୍ଦିରରେ ଏକ ଅନିର୍ବାଣ ଦୀପ ହୋଇ ରହିଯାଇଛି । ବଙ୍ଗଳାରେ ରବୀନ୍ଦ୍ର ସଙ୍ଗୀତ ପରି ଓଡ଼ିଶାରେ କାନ୍ତ ସଙ୍ଗୀତ ମଧ୍ୟ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ । ଏ ଗୁଡ଼ିକରୁ ଅଧିକାଂଶ ଶାସ୍ତ୍ରୀୟ ରାଗରାଗିଣୀରେ ରଚିତ । ହେଲେ ହେଁ ‘ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡାଇବ ହେ’, ‘ଚାହେଁନା ମୁଁ ତମଦୟା ଦୟାମୟ’, ଅଥବା ‘ମୋର ସକଳ ଗର୍ବ ଚୂର୍ଣ୍ଣ କରିଛ’ ଆଦି ସଙ୍ଗୀତ ଶ୍ରେତା ପ୍ରାଣରେ ଏକ ପ୍ରଶାନ୍ତ କରୁଣ ମୂର୍ଚ୍ଛନା ସୃଷ୍ଟିକରେ ଏବଂ ଶ୍ରୋତାର ପ୍ରାଣକୁ ତୃତୀୟସ୍ତରକୁ ଉତ୍ତରିତ କରାଏ ।

ମନମୋହନ ସାବତ

ମନମୋହନ ସାବତ ଥିଲେ ଶୁଦ୍ଧ ଶାସ୍ତ୍ରୀୟ ସଙ୍ଗୀତର ସାଧକ ଏବଂ ଏ କ୍ଷେତ୍ରରେ ତାଙ୍କର ସାଧନା ଓ ଅବଦାନ ଅବିସ୍ମରଣୀୟ । ୧୯୯୨ ମସିହାରେ ଭଦ୍ରକ ନିକଟବର୍ତ୍ତୀ ଗୋଳାପୋଖରୀ ଗ୍ରାମରେ ତାଙ୍କର ଜନ୍ମ । ତାଙ୍କର ପ୍ରଥମ ସଙ୍ଗୀତ ଶିକ୍ଷା ନିଜର ସଙ୍ଗୀତାନୁରାଗୀ ପିତା କ୍ଷେତ୍ରମୋହନ ସାବତ୍‌ଙ୍କଠାରୁ । ପରେ କଲିକତାରେ ରହି ଧ୍ରୁପଦ, ଧାମରା, ଖେୟାଲ, ଠୁମୁରି, ଟପ୍‌ପା ଆଦି ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କଲେ । ସଙ୍ଗୀତ ଶିକ୍ଷାରେ ତାଙ୍କର ଗୁରୁ ଥିଲେ ସେତେବେଳର ସୁନାମଧନ୍ୟ ସୁଗାୟକ ସାତକଡ଼ି ମାଲାଙ୍କର। କେବଳ କଣ୍ଠ ସଙ୍ଗୀତ ନୁହେଁ, ସୀତାର, ବେହେଲା, ଏସ୍‌ରାଜ ଆଦି ଯନ୍ତ୍ର ସଙ୍ଗୀତ ଓ ତବଲା ବାଦନରେ ମଧ୍ୟ ଅତି ଉଚ୍ଚ ସ୍ତରକୁ ଯାଇଥିଲେ । ୧୯୩୭ ମସିହାରେ ନିଖିଳ ବଂଗ ସଂଗୀତ ପ୍ରତିଯୋଗିତାରେ ସେ ସୀତାର ବାଦନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପରବର୍ତ୍ତୀ କାଳରେ ସେହି ନିଖିଳ ବଂଗ ସଂଗୀତ ପ୍ରତିଯୋଗିତାରେ ଅନ୍ୟତମ ବିଚାରକ ରୂପେ ମନୋନୀତ ହୋଇଥିଲେ ।

ପ୍ରହ୍ଲାଦଚନ୍ଦ୍ର ଦାସ

ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ, ଏଇ ଭଦ୍ରକର ଆଉ ଜଣେ ବରପୁତ୍ର କଲିକତା ପ୍ରବାସୀ ପ୍ରହ୍ଲାଦଚନ୍ଦ୍ର ଦାସ ମଧ୍ୟ ସେହି ସମୟରେ ସଂଗୀତ ସାଧନା କରୁଥିଲେ । ତାଙ୍କର ଜନ୍ମ ୧୮୯୬ ମସିହାରେ ତିହିଡ଼ି ଅଞ୍ଚଳର ହରିପୁର ଗ୍ରାମରେ । ସୀତାର ଓ ସୁରବାହାର୍ ଯନ୍ତ୍ର ବାଦନରେ ସେ ଅପୂର୍ବ ଦକ୍ଷତା ଅର୍ଜନ କରିଥିଲେ । ୧୯୩୬ ମସିହାରେ ବଂଗ ସଙ୍ଗୀତ ପ୍ରତିଯୋଗିତାରେ ସୁରବାହାର୍ ବାଦନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମନମୋହନ ଓ ପ୍ରହ୍ଲାଦଚନ୍ଦ୍ରଙ୍କର ଏହି ସମୟ କୃତିତ୍ୱ କେବଳ ଭଦ୍ରକ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଥିଲା ଏକ ଅନୁପମ ଗୌରବର ବିଷୟ ।

ବାଞ୍ଛାନିଧି ମହାନ୍ତି

ବାଞ୍ଛାନିଧି ମହାନ୍ତି ଅମର ହୋଇଛନ୍ତି ତାଙ୍କର ଜାତୀୟତା ଭାବୋଦ୍ଦୀପକ ସଙ୍ଗୀତ ପାଇଁ । ତାଙ୍କର ଆବିର୍ଭାବ ୧୮୯୭ରେ ଏବଂ ତିରୋଭାବ ୧୯୩୮ରେ । ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ଆନ୍ଦୋଳନ ଅନ୍ୟତମ ବାର୍ତ୍ତାବହ ରୂପେ ଜାତୀୟତାବୋଧମୂଳକ ବହୁ ସଙ୍ଗୀତ ରଚନା କରି ଏବଂ ନିଜେ ଗାଇ ସମଗ୍ର ଓଡ଼ିଶାର ଜାତୀୟ ଜୀବନରେ ବହ୍ନିତରଂଗ ସୃଷ୍ଟି କରୁଥିଲେ । ‘କହକହ କେଉଁ ଜାତି ପାଇଛି ମୁକତି କରି ହୁରିହାରି ଗୁହାରି’, ‘ଧନ-ଜନ-ଯୁକ୍ତା ଭାରତ ମାତା’ ଅଥବା ‘କି ହେବ ସ୍ୱରାଜ ଘେନି ଯଦି ମୋର ନପୂରେ ପେଟ’- ଏଇଭଳି ବହୁ ପ୍ରାଣସ୍ପର୍ଶୀ ସଙ୍ଗୀତ ଦ୍ୱାରା ସେ ଜନମାନସରେ ପ୍ରବଳ ଉନ୍ମାଦନା ସୃଷ୍ଟି କରୁଥିଲେ । ଏ କ୍ଷେତ୍ରରେ ସେ ଥିଲେ ସ୍ୱାଧୀନତା ଆନ୍ଦୋଳନ ଯୁଗରେ ବଂଗଳାର ଚାରଣ କବି ମୁକୁନ୍ଦ ଦାସ ଓ ବିଦ୍ରୋହୀ କବି କାଜି ନଜରୁଲ୍ ଇସଲାମଙ୍କ ସଗୋତ୍ର । ତାଙ୍କ ମୃତ୍ୟୁପରେ ତାଙ୍କ ସଂଗୀତଗୁଡ଼ିକର ଏକ ସଙ୍କଳନ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ବାଞ୍ଛାନିଧି ପଦ୍ୟାବଳୀ’ ନାମରେ ପ୍ରକାଶିତ ହୋଇଛି ।

ଗୌରାଂଗଚରଣ ଦାସ

ବାଞ୍ଛାନିଧିଙ୍କର ସମସାମୟିକ ଓ ସହଯୋଗୀ ଆଉ ଜଣେ ସ୍ୱନାମଧନ୍ୟ ସଂଗୀତଶୀଳ୍ପୀ ଭଦ୍ରକ ନିକଟବର୍ତ୍ତୀ ଗେଲପୁର ଗ୍ରାମର ମଧୁକଣ୍ଠ ଗାୟକ ଗୌରାଂଗଚରଣ ଦାସ । ବାଞ୍ଛାନିଧିଙ୍କର ଅଧିକାଂଶ ସଂଗୀତ ଏହାଙ୍କ କଣ୍ଠାରେ ହିଁ ରୂପାୟିତ ହେଉଥିଲା । ଯାଜ ପୁରରୁ କୃଷ୍ଣପ୍ରସାଦ ବସୁ ଏଡ଼ତାଳ ଆସି ତଦାନୀନ୍ତନ ଜମିଦାର ଭୂୟାଁ ଭାସ୍କରଚନ୍ଦ୍ର ମହାପାତ୍ରଙ୍କ ପୃଷ୍ଠପୋଷକତାରେ ଯେଉଁ ଥିଏଟର୍ ଦଳ ଗଢ଼ିଥିଲେ, ଗୌରାଂଗ ସେଥିରେ ଜନପ୍ରିୟ ଗାୟକ ଓ ସୁଦକ୍ଷ ଅଭିନେତା ରୂପେ ଖ୍ୟାତିଅର୍ଜନ କରିଥିଲେ ।

ଜଗବନ୍ଧୁ ସାହୁ

ସଂଗୀତ କ୍ଷେତ୍ରରେ ଭଦ୍ରକର ଆଉ ଏକ ଗୌରବ ସ୍ତମ୍ଭ ହେଲେ ସଂଗୀତାଚାର୍ଯ୍ୟ ଜଗବନ୍ଧୁ ସାହୁ । ୧୯୧୪ ମସିହାରେ ଭଦ୍ରକର ପୀରହାଟ ନିକଟବର୍ତ୍ତୀ ଚନ୍ଦ୍ରକାଟବିନ୍ଧା ଗ୍ରାମରେ ତାଙ୍କର ଜନ୍ମ । ଆର୍ଥିକ ଦୁର୍ଗତି ଯୋଗୁଁ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ବାଳକ ଜଗବନ୍ଧୁ ଗ୍ରାମ୍ୟ ଯାତ୍ରା ଦଳରେ ଅଭିନୟ କରୁଥିଲେ । କୈଶୋର ଓ ଯୌବନରେ ମନମୋହନ ସାବତଙ୍କ ଶିଷ୍ୟତ୍ୱ ଲାଭକରି କଣ୍ଠସଙ୍ଗୀତ ଓ ଯନ୍ତ୍ରସଂଗୀତର ପ୍ରାୟ ସମସ୍ତ ବିଭାଗରେ ଅପୂର୍ବ ପାରଦର୍ଶିତା ଲାଭ କରିଥିଲେ । ୧୯୩୮ ମସିହାରେ ସେ କଲିକତାରେ ଅନୁଷ୍ଠିତ ନିଖିଳ ବଙ୍ଗ ସଂଗୀତ ପ୍ରତିଯୋଗିତାରେ ଯୋଗଦେଲେ କୀର୍ତ୍ତନ ଗାୟନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କୀର୍ତ୍ତନ ବଂଗୀୟମାନଙ୍କ ସ୍ୱର୍ଗୀୟ ସଂଗୀତ । ସେହି କୀର୍ତ୍ତନରେ ବହୁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତକରି ଓଡ଼ିଶା ଯୁବକ ଜଗବନ୍ଧୁ ଯେଉଁ ଗୌରବ ଓଡ଼ିଶା ପାଇଁ ଅର୍ଜନ କଲେ ତାହାର ମୂଲ୍ୟ କଳନାତୀତ ।

ଜଗବନ୍ଧୁ ସାହୁଙ୍କର ପ୍ରତିଭା ବହୁମୁଖୀ । ବିଶୁଦ୍ଧ ଶାସ୍ତ୍ରୀୟ ରୀତିରେ ଖେୟାଲ, ଭଜନ, ଠୁମୁରି, କୀର୍ତ୍ତନ ଏବଂ ଓଡ଼ିଶୀ ଗାନରେ, ବେହେଲା, ସରୋଦ, ଏସରାଜ ଆଦି ତାରତନ୍ତ୍ର ଓ ତବଲା ବାଦରେ ଓ ନୃତ୍ୟକଳାରେ ମଧ୍ୟ ତାଙ୍କର ଉଚ୍ଚକୋଟୀର ପାରଦର୍ଶିତା ଥିଲା । କିଛି କାଳ ସେ କଟକ ଆକାଶବାଣୀରେ ସମ୍ମାନନୀୟ ଶିଳ୍ପୀ ରୂପେ କାର୍ଯ୍ୟ କରିଥିଲେ । ତାଙ୍କ ରଚିତ ‘ସଂଗୀତର ସହଜର’ ପୁସ୍ତକ (ଦୁଇଖଣ୍ଡରେ ପ୍ରକାଶିତ) ଶାସ୍ତ୍ରୀୟ ସଂଗୀତ ଶିକ୍ଷାର ଏକ ପ୍ରଧାନ ସହାୟକ ଗ୍ରନ୍ଥ । ବହୁ ସଂଗୀତ ସମ୍ମିଳନୀ ଓ ପ୍ରତିଯୋଗିତାରେ ସେ ବିଚାରକ ରୂପେ କାର୍ଯ୍ୟ କରିଛନ୍ତି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରବେଶିକା ପରୀକ୍ଷାରେ ସଂଗୀତ ପରୀକ୍ଷକ ରୂପେ ସେ ବହୁଥର କାର୍ଯ୍ୟ କରିଛନ୍ତି।

ରଂଗାଧର ରାୟ ମହାପାତ୍ର ଓ ଧରଣୀଧର ଚାନ୍ଦ

ଭଦ୍ରକର ସଂଗୀତ ସାଧନା କ୍ଷେତ୍ରରେ ଆଉ ଦୁଇଜଣ ଶିଳ୍ପୀ ହେଲେ କୋର୍କୋରାର ରଂଗାଧର ରାୟ ମହାପାତ୍ର ଓ ଭଦ୍ରକ ବଙ୍କସାହିର ଧରଣୀଧର ଚାନ୍ଦ । ରଂଗାଧର ତାଙ୍କର ଗୁରୁ ଜଗବନ୍ଧୁ ସାହୁଙ୍କଠାରୁ ଅତି ଅଳ୍ପକାଳ ମଧ୍ୟରେ ବେହେଲା ଓ ସୀତାର ବାଦନରେ ଦକ୍ଷତା ଅର୍ଜନ କରିଥିଲେ । ଅତି ଅଳ୍ପକାଳରେ ମାତ୍ର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଧରଣୀଧର ଚାନ୍ଦ ପ୍ରାୟ ୧୯୪୦ ମସିହାରୁ ଅଦ୍ୟାବଧି ସଙ୍ଗୀତ ସାଧନା କରି ଆସୁଛନ୍ତି । ଭଦ୍ରକର ପ୍ରଖ୍ୟାତ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ସ୍ୱର୍ଗତ ଫନୀବାବୁ (ସୁରେନ୍ଦ୍ରମୋହନ ମୁଖାର୍ଜୀ)ଙ୍କ ସହାୟତାରେ ସଙ୍ଗୀତ ଶିକ୍ଷାକରି ଶ୍ରୀ ଚାନ୍ଦ କଟକ ଆକାଶବାଣୀର ପ୍ରତିଷ୍ଠା କାଳରୁ ଅଦ୍ୟାବଧି ଏହାର ଅନ୍ୟତମ କଣ୍ଠଶିଳ୍ପୀ ରୂପେ କାର୍ଯ୍ୟ କରି ଆସୁଛନ୍ତି । ଅନୁପମ କଣ୍ଠଲାଳିତ୍ୟ ଏହାଙ୍କର ବିଶେଷତ୍ୱ ।

ଓଡ଼ିଶାରେ ନାଟକ, ବିଶେଷତଃ ଗଣନାଟ୍ୟର ଉତ୍ପତ୍ତି ଓ ବିକାଶରେ ଭଦ୍ରକର ଅବଦାନ ଅପରିମେୟ । ଏ କ୍ଷେତ୍ରରେ କବି ବଂଶୀବଲ୍ଲଭ ଗୋସ୍ୱାମୀ ଓ ଜଗନ୍ନାଥ ପାଣିଙ୍କ ଭୂମିକା ପୂର୍ବରୁ ସୂଚିତ ହୋଇଛି । କାନ୍ତକବି ଲକ୍ଷ୍ମୀକାନ୍ତ ଓ ଭୂୟାଁ ଭାସ୍କରଦେବ ମହାପାତ୍ରଙ୍କ ପୃଷ୍ଠପୋଷକତାରେ ଗଠିତ ଯାତ୍ରାଦଳମାନ ମଧ୍ୟ ଚଳିତ ଶତାବ୍ଦୀର ପ୍ରଥମ ଭାଗରେ ଓଡ଼ିଆ ନାଟ୍ୟକଳାକୁ ଗଣାଭିମୁଖୀ କରାଇବା ଦିଗରେ ବିଶେଷ ସହାୟତା କରିଛନ୍ତି । ସେ କାଳର ଯାତ୍ରା ଜଗତର ତିନି ଜଣ କୃତି କଳାକାରଙ୍କ ନାମ ଉଲ୍ଲେଖଯୋଗ୍ୟ । ଜଣେ ହେଲେ ପ୍ରଖ୍ୟାତ ହାସ୍ୟରସ ପରିବେଷକ ଭଣ୍ଡାରିପୋଖରୀର ଉଦୟନାଥ ଦାସ । କୃଷ୍ଣ ପ୍ରସାଦ ବସୁ ଏହାଙ୍କୁ ‘ରଙ୍ଗକରାଜ ଉନିଆନ୍ନା’ ନାମରେ ଅଭିହିତ କରିଥିଲେ । ବିଭିନ୍ନ ଜୀବଜନ୍ତୁଙ୍କ ସ୍ୱର ଅନୁକରଣ କରିବା ଓ ବେହେଲା ଚଳାଇବାରେ ସେ ସୁଦକ୍ଷ ଥିଲେ । ସେ ବହୁକାଳ କୃଷ୍ଣପ୍ରସାଦ ବସୁଙ୍କ ଥିଏଟର ଦଳରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ହାସ୍ୟ ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ବହୁ ସଙ୍ଗୀତ ରେକର୍ଡ଼ି ହୋଇଛି । ୧୯୬୧ ମସିହାରେ ପ୍ରାୟ ୬୨ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କଲେ । ଆଉ ଦୁଇଜଣ ହେଲେ ହାଡ଼ିବନ୍ଧୁ ଦାସ ଓ ସନାତନ ପାଳ । ଏମାନଙ୍କ ବିଷୟରେ ବିଶେଷ ତଥ୍ୟ ଜଣାନାହିଁ । ମାତ୍ର ପଲ୍ଲୀ ଅଞ୍ଚଳର ଯାତ୍ରାପ୍ରେମୀଙ୍କ ସ୍ମୃତିରେ ସନା ହାଡ଼ିଆ ନାମରେ ସେମାନେ ଅଦ୍ୟପି ଅମର । ଅଭିନୟ ଓ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ସ୍ୱର୍ଗତ ଯତୀନ୍ଦ୍ରମୋହନ ମୁଖାର୍ଜୀ (ମନିବାବୁ) ଓ ସ୍ୱର୍ଗତ ସୁରେନ୍ଦ୍ର ମୋହନ ମୂଖାର୍ଜୀ (ଫନିବାବୁ)ଙ୍କ ନାମ ଓଡ଼ିଶାର ନାଟ୍ୟ ଜଗତରେ ଅବିସ୍ମରଣୀୟ ।

ନାଟ୍ୟଚାର୍ଯ୍ୟ ରଘୁନାଥ ପଣ୍ଡା ଓ ପଲ୍ଲୀକବି କୃଷ୍ଣପ୍ରସରଦ ବେହେରା

୧୯୪୦ ମସିହାର ପରବର୍ତ୍ତୀ କାଳରେ ନାଟକ ରଚନା ଓ ନାଟ୍ୟକଳାର ପ୍ରସାର କ୍ଷେତ୍ରରେ ଭଦ୍ରକର ବିଶେଷ ଉଲ୍ଲେଖଯୋଗ୍ୟ ଦୁଇଜଣ ବ୍ୟକ୍ତି ହେଲେ ନାଟ୍ୟଚାର୍ଯ୍ୟ ରଘୁନାଥ ପଣ୍ଡା ଓ ପଲ୍ଲୀକବି କୃଷ୍ଣପ୍ରସରଦ ବେହେରା । ରଘୁନାଥ ପଣ୍ଡାଙ୍କ ଜନ୍ମ ୧୯୧୬ ମସିହାରେ ଭଦ୍ରକର ଗଞ୍ଜମାଳ ଗ୍ରାମରେ । ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ହିସାବରେ ସେ ଓଡ଼ିଶାର ନାଟ୍ୟ ଜଗତର ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ । ନାଟ୍ୟ ଜଗତରେ ତାଙ୍କର ପ୍ରବେଶ ୧୯୪୨ ମସିହାରୁ । ବିଭିନ୍ନ ପୌରାଣିକ, ଐତିହାସିକ, ସାମାଜିକ ଓ କାଳ୍ପନିକ ବିଷୟବସ୍ତୁକୁ ନେଇ ସେ ୬୦ ଖଣ୍ଡରୁ ଅଧିକ ଆଧୁନିକ ରୁଚିର ନାଟକ କରିଛନ୍ତି । ତାଙ୍କ ସଂଳାପର ଭାଷା ଅତି ବଳିଷ୍ଠ ଓ ମାର୍ଜିତ ମାନର । ବିଭିନ୍ନ ମର୍ମରେ ବିଭିନ୍ନ ଯାତ୍ରାଦଳ ଗଠନ କରି ଓଡ଼ିଶାର ପୁରପଲ୍ଲୀ ସର୍ବତ୍ର ଏବଂ ଓଡ଼ିଶା ବାହାରେ ଟାଟା, କଲିକତା, ରାଞ୍ଚି ପ୍ରଭୃତି ସ୍ଥାନରେ ନାଟକ ପରିବେଷଣ କରି ଅମର ଖ୍ୟାତି ଅର୍ଜନ କରିଛନ୍ତି । ଓଡ଼ିଶାର ନାଟ୍ୟ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ ।

କୃଷ୍ଣପ୍ରସାଦ ବେହେରାଙ୍କ ଜନ୍ମ ନଳାଙ୍ଗ ଗ୍ରାମରେ । ଯେଉଁଠି ଜନ୍ମିଥିଲେ ଜଗନ୍ନାଥ ପାଣି । ବହୁ ନାଟକର ରଚୟିତା, ନାଟ୍ୟ ନିର୍ଦ୍ଦେଶକ, ସଂଗଠକ ଓ ଅଭିନେତା ରୂପେ କୃଷ୍ଣ ପ୍ରସାଦ ଅଶେଷ ଲୋକପ୍ରିୟତାର ଅଧିକାରୀ । ମାତ୍ର ଗୀତିକବିତା ରଚନାରେ ତାଙ୍କର ପ୍ରତିଭା ଅଧିକ ପରିସ୍ଫୁଟ । ପଲ୍ଲୀ ଜୀବରରେ ବିଭିନ୍ନ ବିଷୟ ଓ ଘଟଣାକୁ ଅଧାର କରି ବହୁ ସୁଲଳିତ ସଙ୍ଗୀତ ସେ ରଚନା କରିଛନ୍ତି ଏବଂ ଅପୂର୍ବ ଭାଭବିନ୍ୟାସ ଓ ମଞ୍ଜୁଳ ସ୍ୱର ସଂଯୋଜନା ଦ୍ୱାରା ସାରା ଓଡ଼ିଶାର ଜନମାନସରେ ସ୍ମରଣୀୟ ହୋଇ ରହିଛନ୍ତି ।

ଶେଷକଥା

ବିଗତ ୫୦ ବର୍ଷ ମଧ୍ୟରେ ଭଦ୍ରକରେ ବହୁ ଯାତ୍ରା ଓ ଅପେରା ଦଳ ଗଢ଼ିଉଠିଥିଲା । ବରଗଡ଼ିଆ (ରାମପୁର)ଠାରେ ସ୍ୱର୍ଗତ ବୃନ୍ଦାବନଚନ୍ଦ୍ର ମହାନ୍ତି ଉଦ୍ୟମରେ ପ୍ରତିଷ୍ଠିତ ରାମପୁର ନାଟ ସମାଜ, ରଘୁନାଥ ପଣ୍ଡାଙ୍କ ଦ୍ୱାରା ସ୍ଥାପିତ ଅସୁରାଳିର ଦାମୋଦର ଅପେରା, ବୃନ୍ଦାବନଚନ୍ଦ୍ର ଅପେରା (୧୯୪୨), ସପ୍ତମାତୃକା ଅପେରା, ନୀଳାଚଳ ଅପେରା, ଭଗବତୀ କଳାମନ୍ଦିର, କୃଷ୍ଣପ୍ରସାଦ ବେହେରାଙ୍କ ଦ୍ୱାରା ସ୍ଥାପିତ ଅଭରୀ (ଖନ୍ତାପଡ଼ା) ଦଳ, ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଉଦ୍ୟମରେ ସୋରରେ ପ୍ରତିଷ୍ଠିତ କଳିଙ୍ଗ ନାଟ୍ୟ ପରିଷଦ, ଦୀନବନ୍ଧୁ ମାଟିଆଙ୍କ ଦ୍ୱାରା ପରିଚାଳିତ ଶ୍ରୀଦୁର୍ଗା ଅପେରା ଏବଂ ଧାମନଗର, ଭଣ୍ଡାରିପୋଖରୀ, ମଙ୍ଗଳପୁର, ନଳାଙ୍ଗ, ବନ୍ତ, ବରହମ୍‌ପୁର, ଫତେପୁର, ବଳିତାପଡ଼ା, ରାଧାବଲ୍ଲଭପୁର, ଆଦି ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଗଢ଼ିଉଠିଥିବା ଯାତ୍ରାଦଳମାନ ଓଡ଼ିଆ ଯାତ୍ରା ସାହିତ୍ୟ ଓ ଯାତ୍ରାକଳାର ବିକାଶକୁ ସମୃଦ୍ଧକରିଛନ୍ତି । ଭଦ୍ରକର ଅନ୍ୟତମ ସୁପରିଚିତ ନାଟ୍ୟସଂସ୍ଥା, ‘ଓଡ଼ିଶା ଅପେରା’ ଓଡ଼ିଶା ବାହାରେ ସଫଳତାର ସହିତ ବହୁ ନାଟକ ପରିବେଷଣ କରି ନାଟ୍ୟ ଜଗତରେ ଭଦ୍ରକର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି ।

Share This Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is a vocal Artist, cultural journalist and folk cultural researcher. She is based out of Bhubaneswar and edits her cultural magazine, Samadhwani. The magazine is available both in print and digital formats. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She edited a book comprising the writings of village biographies of school students written during Covid-19. The name of the book is “Chota Ama Gaan Ti”. She has extensively documented issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker. She produced her documentary “Ganda Baja” in 2022. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha particularly of Puri and Cuttack district, both in written and video formats.