ଆଧୁନିକ ଅବବୋଧରେ ‘ଜଗତୀକରଣ’ ଅତ୍ୟନ୍ତ ଜଟିଳ ପ୍ରସଙ୍ଗ। ସାହିତ୍ୟସମାଲୋଚକ ଚିତ୍ତରଞ୍ଜନ ଦାସ ସମେତ ପୃଥିବୀର ଅନ୍ୟ ବହୁ ସମାଜବିଜ୍ଞାନୀ ଓ ନୃତତ୍ତ୍ଵବିତଙ୍କ ପରି ଏହାକୁ ମଣିଷର ଜଗତ ପରିକ୍ରମଣ ମାନସିକତାର ସାଂପ୍ରତିକ ରୂପାନ୍ତର ବୋଲି କହିଛନ୍ତି। ମାନବ ସଭ୍ୟତାର ଇତିହାସ ଚର୍ଚ୍ଚାକାରଉଇଲଡୁରାଣ୍ଟ ଓ ଆରନାଲ୍ଡଟୟନବୀଙ୍କ ବିଚାରକୁ ଗ୍ରହଣ କରି ସେ ପ୍ରତିପାଦନ କରିବାକୁ ଚେଷ୍ଟା କରିଅଛନ୍ତି ଯେ,ପ୍ରାଗଐତିହାସିକ କାଳରୁ ବ୍ୟକ୍ତି ଆପଣାର ଶାରୀରିକ ଆବଶ୍ୟକତା ପୂରଣ ଉଦ୍ଦେଶ୍ୟରେ ଭୂମିରୁ ଭୂମ୍ୟାନ୍ତରି ହୋଇଛି। ଏହାକୁ ଆମେ ତା’ର ଯାଯାବରୀ ମାନସିକତା କହିପାରିବା। ମଣିଷ ବଣ,ପାହାଡ଼, ନଈ,ମରୁଭୂମି ଏପରିକି ପାରାବାର ଅତିକ୍ରମ କରିଛି। ବଞ୍ଚିବା ପାଇଁ ସେ ଅନ୍ୟ ଅନେକଙ୍କ ସହିତ ସଂଘର୍ଷ କରିଛି। ଏଇ ସଂଘର୍ଷ କେତେବେଳେ ସମନ୍ଵୟ ତ, କେତେବେଳେ ତିକ୍ତତାରେ ହୋଇଛି ରୂପାନ୍ତରିତ। ସେ ନିଜକୁ ଦେଇଛି। ଅନ୍ୟମାନଙ୍କୁ ବି ଗ୍ରହଣ କରିଛି। ଅନ୍ୟକୁ ସୁଖ ଓ ସନ୍ତୋଷ ଦେବାପାଇଁକେତେବେଳେ ଧର୍ମ, କେତେବେଳେ ବ୍ୟାବସାୟିକ ସାମଗ୍ରୀ ଏବଂ ଆଉ କେତେବେଳେ ଆପଣା ଅହଙ୍କାରର ପର୍ବତକୁ ଅସୀମ ଉତ୍ସାହର ସହିତ ବୋହିଛି। ଦୁର୍ବଳମାନଙ୍କୁ ଶାରୀରିକ ଓ ମାନସିକ ଶକ୍ତି ବଳରେ କରିଛି ମଧ୍ୟ ପରାହତ। ଯାତ୍ରାକାଳରେସେ ଯେଉଁ ପର୍ଯ୍ୟନ୍ତ ଯାଇଛି, ଜଗତ ସେଠି ଶେଷ ହୋଇଯାଇଛି ବୋଲି ଧାରଣା ବି ପୋଷଣ କରିଛି।
ଆଧୁନିକ ପରିଭାଷାରେ ‘ଜଗତୀକରଣ’କୁ ସମ୍ପୂର୍ଣ ଏକ ନୂଆ ବିଚାର ବୋଲି ଦାବି କରିବା ସମୀଚୀନ ନୁହେଁ। ମାନବ ସଭ୍ୟତାର ଇତିହାସ ଆଲୋଚନା ପରିପ୍ରେକ୍ଷୀରେ ଆମେ ଏ କଥା ମଧ୍ୟ କହିପାରିବା ଯେ ବିଶ୍ଵାସ ଓ ବେପାର ହିଁ ଉପଯୁକ୍ତ ମାନସିକତାର ପଲ୍ଲବନ ଓ ଗତିଶୀଳତାର ମାଧ୍ୟମ ହୋଇଛି। ପରାଜିତ ଜାତିର ସାର୍ବଭୌମତ୍ଵ,ଏପରିକି ଅସ୍ତିତ୍ଵର ବିଲୋପାୟନଅଥବାନବୀକରଣରେ ଏହି ଦୁଇ ଉପାଦାନ ଅନୁଘଟକ ହୋଇଛି। ସମ୍ପ୍ରତି ବିଶ୍ଵରେ ଜଗତୀକରଣ ରାଜନୀତିର ବିସ୍ତାରିତ ଭୂମି ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେବାକୁ ଆବଶ୍ୟକ ମଣୁଛି। ଯୁଦ୍ଧବିଧ୍ଵସ୍ତ ଆମେରିକା ଏବଂ ତାହାର ମିତ୍ରରାଷ୍ଟ୍ରମାନଙ୍କର ନେତୃବୃନ୍ଦ ଦେଶର ସାମଗ୍ରିକ ବିକାଶ ଉଦ୍ଦେଶ୍ୟରେ ୧୯୪୬ ମସିହାରେ “INTERNATIONAL BANK FOR RECONSTRUCTION AND DEVELOPMENT”ଗଠିତ ହୋଇଥିଲା। ଯାହାର ପରିବର୍ତ୍ତୀ ନାମ ବିଶ୍ଵବ୍ୟାଙ୍କ(WORLDBANK)। ପରେ ପରେସମାଦର୍ଶପୁଷ୍ଟ ଅନ୍ୟ ଏକ ଅନୁଷ୍ଠାନ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (INTERNATIONALMONETARYFUND)ମଧ୍ୟ ଜନ୍ମନିଏ। ଉଭୟ ସଂଗଠନର ନେତୃତ୍ଵ ନେଇଛି ଆମେରିକା। ଅର୍ଥକୁ ବିକାଶର ସର୍ବମୂଳ ଆବଶ୍ୟକତାର ମାନ୍ୟତା ଦେଇ ଅବଶ୍ୟ ଏକ ‘ବିଶ୍ଵଗ୍ରାମ’ପ୍ରତିଷ୍ଠା କରାଯାଇଛି। ଏହି ବିଶ୍ଵଗ୍ରାମ ହେଉଛି ‘ଜଗତୀକରଣ’ ବା ‘GLOBALISATION’। ଅର୍ଥ ଓ ବିଦ୍ୟାର ଆଧାରରେ ବିଶ୍ଵଗ୍ରାମଟିବହୁଭାଗୀ ହୋଇଛି।
୧୯୮୦ ପରବର୍ତ୍ତୀ ଓଡିଆ ନାଟକ ସମ୍ପର୍କରେ ଆଲୋଚନା କରିବାକୁ ଗଲାବେଳେ ସ୍ଵତଃ ଦୁଇଟି ପ୍ରଶ୍ନ ଆସି ଉପସ୍ଥିତ ହୁଏ। ପ୍ରଥମଟି ଓଡିଆ ନାଟକର ସୁସ୍ପଷ୍ଟ ଦିଗ ପରିବର୍ତ୍ତନ ଏବଂ ଦ୍ଵିତୀୟଟି ଓଡିଆ ନାଟକରେ ଉତ୍ତର ଆଧୁନିକ ଚିନ୍ତାଧାରାର ପ୍ରବେଶ। ସାଂପ୍ରତିକ ନାଟକର ବକ୍ତବ୍ୟ ଓ ଶୈଳୀକୁ ଲକ୍ଷ୍ୟକଲେଏ ଦୁଇଟିର ସତ୍ୟତା ପ୍ରତିପାଦିତ ହୁଏ। ଗତ ଶତାବ୍ଦୀର ସପ୍ତମ ଦଶକର ମଧ୍ୟଭାଗ ଆଡକୁ ଅନେକ କ୍ଷେତ୍ରରେ ପରିବର୍ତ୍ତନର ସ୍ଵର ଶୁଣିବାକୁ ମିଳିଥିଲା। ନୂତନ ନାଟ୍ୟଧାରା ଭାବେ ଯେଉଁ ନାଟ୍ୟ ତାର ସାନ୍ଦ୍ରତା ଖୋଜୁଥିଲା ; ଠିକ ସେଇ ସମୟରେ ନାଟକ କେବଳ ନୁହେଁ,ଆମର ସମଗ୍ର ଜୀବନଯାପନର ଶୈଳୀ ; ଆମର ସ୍ଥିତାବସ୍ଥାରେ ଅନେକ ନୂତନତାର ସ୍ପର୍ଶ ଦେଖିବାକୁ ମିଳିଲା। ଭାରତୀୟ ରାଜନୀତିର କାଳିମା ସଦୃଶ ସୃଷ୍ଟ ଜରୁରୀକାଳିନ ପରିସ୍ଥିତି; ବିବିଧ ସ୍ତରରେ ଦେଖାଦେଇଥିବା ନାନା ବିସଙ୍ଗତି; ପରିବର୍ତ୍ତିତ ଭାରତୀୟ ସାମାଜିକ ଓ ଆର୍ଥନୈତିକସ୍ଥିତି ସହିତ ସମୟର ନୂଆ ରୂପ କଡ ଲେଉଟାଉଥିଲା ଅଷ୍ଟମ ଦଶକର ପରବର୍ତ୍ତୀ ସମୟକୁ। ବିଜ୍ଞାନ,ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ବିବର୍ତ୍ତନର ଶୀର୍ଷରେ ପୃଥିବୀ ସନ୍ଦର୍ଶନ କଲା ଏକ ନୂଆ ସମୟକୁ। କୌଣସି ଗ୍ରହ-ଗ୍ରହାନ୍ତର ଓ ଉପଗ୍ରହ-ନକ୍ଷତ୍ର ଆଉ ଅପହଞ୍ଚ ହେଲାନିମଣିଷପାଇଁ। ‘ବିଶ୍ଵଗ୍ରାମ’/‘ଜଗତୀକରଣ’(GLOBALISATION)ର ଯେଉଁ ପରିକଳ୍ପନା କାଳେକାଳେ ହୋଇଆସୁଥିଲା; ସେଇ ବୃହତ କଳ୍ପନା କ୍ରମଶଃ ସାନ୍ଦ୍ର ରୂପ ନେଲାନବମ ଦଶକ ବେଳକୁ। ୱାର୍ଲ୍ଡ ୱାଇଡ ୱେବ (WWW) ଓ ଅନ୍ତର୍ଜାଲ(INTERNET)ର ପୃଥିବୀ ଯୋଡିଦେଲା ସମଗ୍ର ବିଶ୍ଵକୁ ଏକ ସୂତ୍ରରେ। ତା ସହିତ ଭ୍ରାମ୍ୟମାଣ ଯୋଗାଯୋଗର ମାଧ୍ୟମ ହୋଇ ଠିଆ ହେଲା ମୋବାଇଲ ଫୋନ; ଆଉ ହାତ ପାହାନ୍ତାରେ ଅନ୍ତର୍ଜାଲର ପୃଥିବୀ। କୌଣସି ତଥ୍ୟ ଓ ସୂଚନା ଆଉ ଅପହଞ୍ଚ ହୋଇ ରହିଲା ନାହିଁ ମଣିଷ ପାଖରେ। ଏଲ.ପି.ଜି (Liberalisation-Privatisation-Globalisation) ଦ୍ଵାରାସମକାଳର ବିଶ୍ଵ ବଦଳୁଥିଲା ପ୍ରତ୍ୟେକ ଭୌଗୋଳିକ ପରିସର। ତତସହିତବ୍ୟକ୍ତିର ଆତ୍ମସଚେତନତା,ଅଧିକାରବୋଧ,ସ୍ଵଚ୍ଛନ୍ଦତା,ସୌଖୀନ ଜୀବନ ଭିତରକୁ ଅକାତରେ ଧସେଇ ପଶିଲା ବିଜ୍ଞାନର ବିବିଧ ଆୟାମ ଏବଂ ମଣିଷର ଚିର ଜିଜ୍ଞାସା ଓ ଅନ୍ଵେଷା ସ୍ପର୍ଶ କଲା ଉନ୍ନତ ଜ୍ଞାନ ଓ ଚିନ୍ତନର ଶିଖରକୁ। ତା ସହିତ ବଦଳି ଚାଲିଲା ବ୍ୟକ୍ତିମଣିଷର ବିବିଧ ପ୍ରେକ୍ଷାସବୁ। ଗୋଟିଏ ପଟେ ବିଜ୍ଞାନର ଚରମ ବାସ୍ତବତା ଏବଂ ଅନ୍ୟପଟେଈଶ୍ଵରୀୟ କଣିକା ବା GODPARTICLES ରେ ବିଶ୍ଵାସୀ ହେଲା ମଣିଷ। କିନ୍ତୁ ତା ଭିତରେ ମଣିଷ ଏକ ସମାନ୍ତରାଳ ଜୀଇଁ ପାରିଲା କି ନାହିଁ ତାହାହିଁ ହେଲା ପ୍ରଶ୍ନବାଚୀ। ଆଉ ଏହିସବୁ ରୂପାୟିତ ହେଲା ପ୍ରତ୍ୟେକ ‘କଳା’ ଭିତରେ। ସର୍ବୋପରି କୁହାଯାଇପାରେ ଯେ ପ୍ରତ୍ୟେକ ପ୍ରେକ୍ଷାକୁ ନୂଆ ଚିହ୍ନିବାକୁ ମଣିଷ ଆରମ୍ଭ କଲା। ତେଣୁ ଇତିହାସ-ପୂରାଣ-ସମାଜ-ରାଜନୀତି-ଧର୍ମନୀତି ପ୍ରତ୍ୟେକ ବିଷୟକୁ ନୂଆ ଭାବେ ତର୍ଜମା କରିବାକୁ ଆରମ୍ଭ କଲା। ଗୋଟିଏ ପଟେ ଯେଉଁ ଶୈକ୍ଷିକ ସଚେତନତାକୁ ଆମେ ‘ଆଧୁନିକତା’(Modernity)ଆଖ୍ୟା ଦେଇଥିଲେ; ତାରି ଏକ ବହୁ ପରିବର୍ତ୍ତିତ ନୂତନ ସମୟକୁ ଆଧୁନିକତା ପର ବା ‘ଉତ୍ତର ଆଧୁନିକ’ (PostModern) ସମୟ ସଚେତନତା ଭାବେ କଳନା କଲା ମଣିଷ। ଗୋଟିଏ ପଟେ ପରିଲକ୍ଷିତ ବିସଙ୍ଗତି ଏବଂ ଅନ୍ୟପଟେ ସେଗୁଡିକର ପୁନର୍ବିଶ୍ଲେଷଣ ଭିତରେ ନାଟକ ସଂଦର୍ଶନ କରିଛି ପରିବର୍ତ୍ତନକୁ। ଏହି ପରିବର୍ତ୍ତନର ବିବିଧ ଧାରା ମଧ୍ୟରୁ ମିଥରପୁନର୍ମୂଲ୍ୟାୟନ ଧାରା ଅନ୍ୟତମ।
ମିଥ ଆଲୋଚନାର ପରିସର ଯେତେ ବ୍ୟାପକ ହେଉନା କାହିଁକି ଏହା ଆମର ଚଳଣି, ପ୍ରଥା,ବିଶ୍ୱାସ,କିଂବଦନ୍ତି, ଇତିହାସ, ସାହିତ୍ୟ ଓ ସଭ୍ୟତା ସହିତ ଏକପ୍ରକାର ମନସ୍ତାତ୍ତ୍ଵିକ ସମ୍ପର୍କ ଭିତ୍ତିରେ ସର୍ବଦା ହୋଇଥାଏ ପରିଶୀଳିତ। ସମ୍ପ୍ରତି ମିଥ ଅଧ୍ୟୟନରେ ଯୋଡି ହୋଇଯାଇଛି ଅନେକ ନୂତନ ପ୍ରସଙ୍ଗ। ତେଣୁ ମିଥକୁ ପୌରଣିକ ମିଥ, ଐତିହାସିକ ମିଥ, କିଂବଦନ୍ତିମୂଳକମିଥ, ଲୋକମିଥ ଓ ସାହିତ୍ୟିକ ମିଥଭାବେ ଏହାକୁ ଅନୁଶୀଳନ କରାଯାଇପାରେ। ମିଥଗତ ସ୍ଵାତନ୍ତ୍ର ଓ ପ୍ରତିକାତ୍ମକତା ଦୃଷ୍ଟିରୁ ଆମର ସାମାଜିକ, ରାଜନୀତିକ,ସାଂସ୍କୃତିକ ତଥା ସାଂପ୍ରତିକ ଜୀବନଧାରା ମଧ୍ୟରୁ ମିଥ-ଚରିତ୍ର ଏବଂ ମିଥ-ଘଟଣା ସହିତ ଆମର ନୂତନ ପରିଚିତି ମଧ୍ୟ ସୃଷ୍ଟି ହୋଇଥାଏ। ମିଥର ସ୍ଵାତନ୍ତ୍ର୍ୟତା’ ର ପ୍ରତୀକାତ୍ମକ ରୂପ ଉପରେ ଭୀତ୍ତି କରିଥାଏ। ଉଦାହରଣ ସ୍ୱରୂପ‘ରାବଣ’ପ୍ରସଙ୍ଗ ସ୍ମରଣକୁ ଆସିଲେ ସ୍ଵତଃ ଜଣେ ନାରୀଅପହରଣକାରୀ ରାକ୍ଷସ ପ୍ରସଙ୍ଗ ସ୍ମରଣକୁ ଆସିଥାଏ। ଠିକ ସେହିଭଳି ‘ରାମଚନ୍ଦ୍ର’ କହିଲେ ଜଣେ ପୁରୁଷୋତ୍ତମ;‘ସୀତା’ କହିଲେ ଜଣେ ସତୀନାରୀ;‘ଯୁଧିଷ୍ଠିର’ କହିଲେ ଜଣେ ଧର୍ମବନ୍ତ ଓ ବିଚାରବନ୍ତ;‘ଭୀମ’ କହିଲେ ଜଣେ ପ୍ରଚଣ୍ଡ ବୀର ମଣିଷ;‘କଂସ’ ଓ ‘ଶକୁନି’ କହିଲେ ଜଣେ ଜଣେ ଖଳ ମାତୁଳଙ୍କୁ ବୁଝାଇଥାଏ। ଏହି ଭିନ୍ନ ବ୍ୟକ୍ତିତ୍ଵହିଁ ଚରିତ୍ରମାନଙ୍କର ମିଥ-ସ୍ଵାତନ୍ତ୍ର ଅଟେ। ଅନୁରୂପ ଭାବରେ ମିଥକୈନ୍ଦ୍ରିକ ଘଟଣାର ଅନୁଶୀଳନ ତା’ ର ଭାବଗତନିର୍ଦ୍ଦିଷ୍ଟତା ଦୃଷ୍ଟିରୁ ବିଚାର କରାଯାଇଥାଏ। ଯେପରି କଥାପ୍ରସଙ୍ଗରେ ଆମେ କୌଣସି ଏକ ଦ୍ଵନ୍ଦ୍ୱାତ୍ମକପରିସ୍ଥିତିକୁ ବର୍ଣନା କରିବାକୁ ଯାଇ ‘କୁରୁକ୍ଷେତ୍ର’ ବା ‘ମହାଭାରତ’ଟିଏ ଲାଗିଗଲା ବୋଲି କହୁ;ସେଭଳି ପ୍ରସଙ୍ଗରେ କୁରୁକ୍ଷେତ୍ର ବା ମହାଭାରତ ଏକ ବିଶେଷ ଘଟଣାକୁ ସ୍ଵତଃ ସ୍ମରଣ କରାଇଦିଏ। ଗତ ଶତାବ୍ଦୀର ସପ୍ତମ ଦଶକ ଓ ସପ୍ତମ ଦଶକର ଶେଷାର୍ଦ୍ଧ ପରେ ଓଡିଆ ନାଟକରେ ଏହାର ବିପୁଳ ଆରୋପଣକୁ ଲକ୍ଷ୍ୟ କରାଯାଇଥାଏ।
ମନୋରଞ୍ଜନ ଦାସଙ୍କ ‘ନନ୍ଦିକାକେଶରୀ’ ନାଟକରେ ମିଥର ସାର୍ଥକ ପ୍ରୟୋଗ ହୋଇଛି। ଇତିହାସର ନନ୍ଦିକା ଏବଂ ନାଟକର ନନ୍ଦିକା ମଧ୍ୟରେ ଅନେକ ଫରକ। କାରଣ ନାଟକର ନନ୍ଦିକା ବିପ୍ଳବିଣୀ। ସେ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିଛି। ଏହା ହେଉଛି ନାଟକର ଆଧୁନିକତମ ଦିଗ। ବିଜୟ ମିଶ୍ରଙ୍କ ‘ତଟ ନିରଞ୍ଜନା’ ଏବଂ ‘ପର୍ଶୁରାମ’ ନାଟକରେ ମିଥର ପରୀକ୍ଷା ନିରୀକ୍ଷା ଦେଖିବାକୁ ମିଳେ। ‘ତଟ ନିରଞ୍ଜନା’ ହେଉଛି ଇତିହାସ, କିମ୍ବଦନ୍ତୀ ଏବଂ ଆଧୁନିକତାର ଏକ ସମ୍ମିଶ୍ରଣ। ଏଠି ନିରଞ୍ଜନା, ବୁଦ୍ଧ ପ୍ରତ୍ୟେକ ଗୋଟିଏ ଗୋଟିଏ ପ୍ରତୀକ। ଇତିହାସର ଚରିତ୍ର ଗୁଡିକ ଆଧୁନିକ ମାନଦଣ୍ଡରେ ବିଚରଣ କରିଛନ୍ତି। ଇଚ୍ଛାମତୀର ପ୍ରଶ୍ନ ଜୀବନ ଏବଂ ଜଗତର ମୂଳଦୁଆକୁ ଦୋହଲାଇ ଦେଇଛି। ବୁଦ୍ଧ ଆଧୁନିକ ମାପକାଠିରେ ଅତ୍ୟନ୍ତ ଦୁର୍ବଳ ଏବଂ ପୁଣିଥରେ ଜ୍ଞାନ ସାଧନା ପାଇଁ ସେ ଅଭିରୁଚି ପୋଷଣ କରିଛନ୍ତି। ସେହିପରି ‘ପର୍ଶୁରାମ’ ନାଟକରେ ପୁରାଣର ପର୍ଶୁରାମମିଥଟିକୁ ନାଟ୍ୟକାର ସତର୍କ ଭାବେ ପ୍ରୟୋଗ କରିଛନ୍ତି। ଶୋଷକଗୋଷ୍ଠୀଙ୍କୁ ବିନାଶ କରିବା ପାଇଁ ପର୍ଶୁରାମଙ୍କ ପରିକଳ୍ପନା ଭାରତୀୟ ପୁରଣରୁ ଗୃହିତ। ନାଟକରେ ଫ୍ଲାସବ୍ୟାକରେ ପୁରାଣର ପରଶୁରାମ ଏବଂ ସମାନ୍ତରାଳ ଭାବେ ସମକାଳରପରଶୁରାମ ପରିକଳ୍ପନା ବେଶ ଉତ୍କଣ୍ଠା ସୃଷ୍ଟିକାରୀ। ସେହିପରି ବିଜୟ ମିଶ୍ରଙ୍କ ‘ଜଣେ ରାଜା ଥିଲେ’,ଅକ୍ଷୟ ମହାନ୍ତିଙ୍କ ‘ବିକ୍ରମାଦିତ୍ୟ ସିଂହାସନ’, ରବୀନ୍ଦ୍ରନାଥ ଦାସଙ୍କର ‘ଯଯାତୀ ଯନ୍ତ୍ରଣା’, ରତ୍ନାକର ଚଇନିଙ୍କ‘ଅଥଚ ଚାଣକ୍ୟ’, କାର୍ତ୍ତିକ ଚନ୍ଦ୍ର ରଥଙ୍କ‘ବହ୍ନିମାନ’ ଭଳି ‘ସିଂହାସନ’ ଓ ‘ରାଜନୀତିକ’ ଅଭିସନ୍ଧିର ଅନ୍ତର୍କଥାମିଥ ମାଧ୍ୟମରେ ବେଶ ବଳିଷ୍ଠତାର ସହିତ ପ୍ରତିପାଦିତ ହୋଇଛି ନାଟ୍ୟସମୂହରେ। ନାଟ୍ୟକାର ଯଦୁନାଥ ଦାଶ ମହାପାତ୍ରଙ୍କ ‘ଅଶାନ୍ତ ଦ୍ରୌପଦୀ’ ନାଟକରେ ଦ୍ରୌପଦୀର ମାନସିକତା ଭିନ୍ନ। ଦ୍ରୌପଦୀର ପ୍ରଶ୍ନ ଅନେକ ହେଲେ ଉତ୍ତର ନାହିଁ। ସେ ଉଗ୍ରକଣ୍ଠରେ ଘୋଷଣା କରିଛି- “ମୁଁ ଚାହେଁ ସେଇ ନିଃସ୍ଵାର୍ଥପରହିଂସାବିହୀନ,ଇର୍ଷାଶୂନ୍ୟପ୍ରେମ, ଯାହା ମହାଭାରତର ଦ୍ରୌପଦୀ ପାଇଥିଲା। କୁହ ଭୀମ, ଅର୍ଜୁନ,ନକୁଳ,ସହଦେବ ! ଦେଇପାରିବ?” ନାଟକରେ ଦ୍ରୌପଦୀ ଭୀମ, ଅର୍ଜୁନ, ନକୁଳ,ସହଦେବଆଦିଙ୍କୁ ପ୍ରତ୍ୟାଖ୍ୟାନ କରି ବିବାହ କରିଛି ଉଦ୍ଧବଙ୍କୁ। ଏଠି ପୁରଣର ଦ୍ରୌପଦୀ ଏବଂ ନାଟକର ଦ୍ରୌପଦୀ ଉଭୟ ଅଶାନ୍ତ। କୁଞ୍ଜ ରାୟଙ୍କ ‘କାଳାନ୍ତର’ ନାଟକରେ ମିଥ ଏକ ଭିନ୍ନସ୍ଵାଦର ବାର୍ତ୍ତା ବହନ କରିଛି। ଯଦୁବଂଶର ଧ୍ଵଂସ ମାଧ୍ୟମରେ କୁଞ୍ଜ ରାୟ ସାଂପ୍ରତିକ ଯୁଗ ଯନ୍ତ୍ରଣାକୁ ପ୍ରକଟ କରିଛନ୍ତି। ସତ୍ୟଯୁଗର ପରିସମାପ୍ତି ଏବଂ କଳିର ଆଗମନ ନାୟକ କୃଷ୍ଣଙ୍କୁ କରାଇଛି ବିବ୍ରତ। କୃଷ୍ଣ ଏଠି ଜଣେ ସାଧାରଣ ମଣିଷ। ସାଧାରଣ ମଣିଷ ଭଳି ସେ ଏ ନାଟକରେ ପ୍ରତୀତ ହୋଇଛନ୍ତି। ମିଥ ଆଧୁନିକ ଜନମାନସରେ ସଂବେଦନଶୀଳ ବାର୍ତ୍ତାକୁ ବହନ କରିଛି। ନାଟ୍ୟକାର ନୀଳାଦ୍ରିଭୂଷଣହରିଚନ୍ଦନଙ୍କ‘ ଭୀମଭୋଇଙ୍କ ସନ୍ଧାନରେ’ ଓ ‘ସ୍ଵର୍ଗାରୋହଣ’ ଉଭୟ ନାଟକରେ ମିଥଯୁଗୋପଯୋଗୀବାର୍ତ୍ତା ପ୍ରଚାର କରିବାରେ ବେଶ ସଫଳତା ଅର୍ଜନ କରିଛନ୍ତି। ନାଟ୍ୟକାର ଆନନ୍ଦଚନ୍ଦ୍ରପହିଙ୍କ‘ପ୍ରତୀକ୍ଷାରେ ପରୀକ୍ଷିତ’ ମଧ୍ୟ ଏକ ଭିନ୍ନସ୍ଵାଦରମିଥ ସମ୍ବଳିତ ନାଟକ। ନାଟ୍ୟକାର ପହିପୁରାଣରୁ ପରୀକ୍ଷିତ ଉପାଖ୍ୟାନକୁ ସଂଗ୍ରହ କରି ଆଧୁନିକ ସମାଜର ଏକ ନିଚ୍ଛକ ଘଟନା ମଧ୍ୟରେ କୌଶଳର ସହିତ ରୋପଣ କରିଛନ୍ତି। ଚିଣ୍ଟୁର ଦୁଷ୍ଟାମି ପାଇଁ ପରୀକ୍ଷିତ ବାବୁଙ୍କ ପରିବାର କିପରି ମାନସିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି, ତା’ ର ଏକ ମନ୍ମୟ ରୂପ ହେଉଛି ଏହି ନାଟକ।
ମହାଭାରତୀୟ ମିଥ ଆଧାରରେ ରଚିତ ନାଟ୍ୟକାର ବିଜୟ ଶତପଥୀଙ୍କର ‘କର୍ଣ’ ଏକ ଉଲ୍ଲେଖଯୋଗ୍ୟ ସୃଷ୍ଟି। ମହାଭାରତରେ ‘କର୍ଣ୍ଣ’ ଓ ସମକାଳର ‘ସୂର୍ଯ୍ୟ’ ଚରିତ୍ର ଦେଇ ମିଥ ଭାବନା ନାଟକୀୟ ଅବବୋଧକୁ ଶକ୍ତିଶାଳୀ କରିଛି। ଯେଉଁଠି କର୍ଣ୍ଣ ହେଉଛନ୍ତି ଏକ ଅପରିବର୍ତ୍ତିତ ପରମ୍ପରାର ଅନୁକ୍ରମ। କର୍ଣ୍ଣ – କୁନ୍ତୀ ଭଳି ଚରିତ୍ରମାନେ ସୀମାବଦ୍ଧ ନୁହନ୍ତି ଗୋଟିଏ ଯୁଗ ପାଇଁ କେବଳ ନୁହେଁ; ବରଂ ଯୁଗେ ଯୁଗେ ଏମାନଙ୍କ ଅସ୍ତିତ୍ଵ ରହିଛି। ଏମାନେ ଯଦିଓ କୌଣସି ନୂତନତାର ସମ୍ଭାବନା ଆଣିପାରନ୍ତି ନାହି; କିନ୍ତୁ ସୃଷ୍ଟି କରିଚାଲନ୍ତି ଅନେକ ଜଟିଳତା। ନାଟ୍ୟକାର ଶତପଥୀଙ୍କ ‘କଂସର ଆତ୍ମା’ରେ ପୁରାଣ ଯୁଗର କଂସକୁ ଅନ୍ୟାୟ ଓ ଅତ୍ୟାଚାରର ପ୍ରତୀକ ଭାବେ ଦେଖାଇଦିଆଯାଇଛି। ମିହିର କୁମାର ମେହେରଙ୍କ ‘ନାଟକ: ଶକୁନ୍ତଳା’; ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ମିଥକୁ ଆଧାର କରି ରଚିତ। ଆଧୁନିକ ବସନ୍ତ ଭିତରେ ଦୁଷ୍ମନ୍ତଙ୍କ ଅନୁରଣନ। ଆଉ କବିତା ହେଉଛନ୍ତି ଶକୁନ୍ତଳା। ପୁରାଣର ଅନୁରୂପ ଭାବବିନ୍ୟାସକୁ ସମାନ୍ତରାଳ ଭାବରେ ବସନ୍ତ ଓ କବିତା ଭିତରେ ଦୃଶ୍ୟ। ଗୋଟିଏ ପଟେ ବସନ୍ତ ଓ କବିତା; ଅନ୍ୟପଟେ ହେମନ୍ତ ଓ କଲ୍ପନା! ସନ୍ତାନ ଜନ୍ମ କରିବାକୁ ଯାଇ କଳ୍ପନାର ମୃତ୍ୟୁ ଏବଂ କବିତା, ବସନ୍ତଙ୍କର ସନ୍ତାନକୁ ଜନ୍ମ ଦେଇ ନିରୁଦ୍ଧିଷ୍ଟ। ମହାଭାରତୀୟ ପ୍ରାକ-ମିଥ ରୂପାୟଣ ଦୃଷ୍ଟିରୁ ‘ନାଟକ: ଶକୁନ୍ତଳା’ ଏକ ଭିନ୍ନ ସଂଯୋଗ। ନାଟ୍ୟକାର ରତି ମିଶ୍ରଙ୍କ ‘ସୀତା’,‘ସତର୍କ ସଙ୍ଘମିତ୍ରା’, ‘ଚାଞ୍ଚଲ୍ୟକର’ ଇତ୍ୟାଦି ସଫଳ ମିଥଧର୍ମୀ ନାଟକ। ଚନ୍ଦ୍ରଶେଖର ନନ୍ଦଙ୍କ ‘ଆମେସବୁ ଚନ୍ଦ୍ରସେଣା’ ନାଟକ ମଧ୍ୟ ମିଥ୍ କୁ ଆଧାର କରି ଗଢିଉଠିଛି। ଆଧୁନିକ ମଣିଷର ବିକଳ ବିଧୃତି ସ୍ଥିତି ପୁରାଣର ମିଥଭିତରେ ପ୍ରତିବିମ୍ବିତ ହୋଇଛି। ନାଟ୍ୟକାର ନାରାୟଣ ସାହୁଙ୍କ ‘ସୁବର୍ଣ ସକାଳ’ ନାଟକରେ ରାଜା ମର୍କତକେଶରୀଏବଂ ବାଇମୁଣ୍ଡି ଉପାଖ୍ୟାନକୁ ସତର୍କତାର ସହ ଖଞ୍ଜିଦିଆଯାଇଛି। ଏଠି ମିଥ୍ ନୂଆ ରଙ୍ଗରେ ରଞ୍ଜିତ। ରାଜା ମର୍କତକେଶରୀ ଏବଂ ବାଇମୁଣ୍ଡି ଆଧୁନିକ କଟକ ସହରକୁ ଦେଖି ବିଚଳିତ ଏବଂ ବିବ୍ରତ ହୋଇଛନ୍ତି। ଦିନେ କଟକବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ମନ୍ତ୍ରୀ ବାଇମୁଣ୍ଡି କଟକ କାଠଯୋଡି ପଥରବନ୍ଧ ନିର୍ମାଣ କରିବା ପାଇଁ ରାଜାଙ୍କ ନିକଟରେ ଅନୁରୋଧ କରିଥିଲେ, ହେଲେ ଆଜିର ଧ୍ଵଂସାଭିମୁଖୀ କଟକ ନିରୀକ୍ଷଣ କରିବା ପରେ ସେହି ପଥରବନ୍ଧକୁ ଭାଙ୍ଗିଦେବା ପାଇଁ ରାଜାଙ୍କ ନିକଟରେ ନିବେଦନ କରିଛନ୍ତି। ନାଟ୍ୟକାର ରବୀନ୍ଦ୍ରନାଥ ଦାସଙ୍କ ‘ଧୃବ’ ନାଟକରେ ଦେବଲୋକର ସୁମନ୍ୟୁ ଅଭିଶାପଗ୍ରସ୍ତ ହୋଇ ମର୍ତ୍ତ୍ୟରେ ଧୃବ ହୋଇ ଜନ୍ମଲାଭ କରିବାର ପ୍ରତୀକ ଭାବଟି ମିଥ ଭାବରେ ଆଲୋଚିତ ହୋଇଛି ସମକାଳର ଅବହେଳିତ ବସ୍ତି ବାଳକ ଧୃବ ପାଖରେ। ବିସ୍ମୟ ବାଳକ ଭାବରେ ଧ୍ରୁବର ‘ଧାବକତ୍ଵ’ ତାକୁ ଆଣିଦେଇଛି ସ୍ଵାତନ୍ତ୍ର୍ୟ। ନାଟ୍ୟସମାଲୋଚକ ଡ. ନାରାୟଣ ସାହୁଙ୍କ ମତରେ,“୧୯୭୦ ପରଠାରୁ ମିଥଧର୍ମୀ ନାଟକରେ ପରମ୍ପରା ଆରମ୍ଭ ହୋଇଛି ଏବଂ ନିଜକୁ ସଫଳ ଭାବେ ପ୍ରତିଷ୍ଠା କରିପାରିଛି। ଆଧୁନିକ ନାଟ୍ୟକାର ନିଜର ଅନ୍ତର୍ବେଦନାକୁ, ଅବଶୋଷକୁ ପ୍ରକାଶ କରିବା ପାଇଁ ମିଥର ଆଶ୍ରୟ ନେଇଛି। ଅଧିକାଂଶ ନାଟକରେ ମିଥ୍ ତା’ ନିଜ କଥା କହିଛି ଏକ କଳାତ୍ମକ ଢଙ୍ଗରେ। କେତେବେଳେ ନାଟ୍ୟକାର ମିଥର କଙ୍କାଳକୁ ଗ୍ରହଣ କରିଛି ତ ପୁଣି କେତେବେଳେ ମିଥର ପୂର୍ଣ୍ଣାବୟବ ଚିତ୍ର ଅଙ୍କନ କରିଛି। ତେବେ ବିଂଶ ଶତାବ୍ଦୀର ଶେଷ ଦୁଇ ଦଶକ ହେଉଛି ମିଥ୍ ନାଟକ ପାଇଁ ସୁବର୍ଣ ଯୁଗ। ଏଇ ଅବଧିରେ ଲେଖାଯାଇଛି ବହୁ ମିଥ୍ ଧର୍ମୀ ନାଟକ, ଯାହା ଓଡିଆ ନାଟକର ଗୁଣାତ୍ମକ ବିକାଶ ଘଟାଇପାରିଛି।” ଆଲୋଚକ ଡ. ଆଲୋକ ବରାଳଙ୍କ ମତରେ, “ ଓଡିଆ ନାଟକର ଉତ୍ତର ଆଧୁନିକ କାଳରେ ବହୁଳ ଭାବେ ଲେଖା ହୋଇଥିବା ମିଥ୍ ସମ୍ବଳିତ ନାଟକରେ ଯେଉଁ ମିଥ ଚରିତ୍ରମାନଙ୍କର ନବ ମୂଲ୍ୟାୟନ ପ୍ରସଙ୍ଗଟି ଅଧିକ ପରିଲକ୍ଷିତ; ତା’ ର ଉହାଡରେ ଅଛି ସମକାଳୀନ ତାତ୍ତ୍ଵିକ ଦୃଷ୍ଟିଭଙ୍ଗୀର ପରିପୋଷଣ। ଯାହାର ଆଧାର ଭାବେ ନବ ଇତିହାସବାଦ (NEWHISTORICISM) ବା Cultural Poetics ବା Cultural Materalism କୁ ଗ୍ରହଣ କରାଯାଇପାରେ। ” ସେ ଦୃଷ୍ଟିରୁ ମିଥର ପୁନଃର୍ମୂଲ୍ୟାୟନ ଭଳି ପ୍ରସଙ୍ଗକୁ ଉତ୍ତର ଆଧୁନିକ ପ୍ରେକ୍ଷାରେ ଅନୁଶୀଳନ କଲାବେଳେ ଏହାକୁ ସଭ୍ୟତାର ମନସ୍ତାତ୍ତ୍ଵିକ ଭିତ୍ତି; ପ୍ରତୀକ ତଥା ଅତୀତର ବାର୍ତ୍ତମାନିକ ପ୍ରାସଙ୍ଗିକତାକୁ ଆଧୁନିକତାର ପିଣ୍ଡି ଉପରେ ଲୋକମୁଖୀ କରାଇ ବୋଧ୍ୟ କରିବା ଭଳି ପ୍ରସଙ୍ଗ ଅଧିକ ଗୁରୁତ୍ଵଲାଭ କରିଛି।
