ଐତିହାସିକ ପ୍ରେକ୍ଷାପଟ୍ଟରେ ଦୟାନିଧି ମିଶ୍ରଙ୍କ ଉପନ୍ୟାସ : ଏକ ଦୃଷ୍ଟିପାତ

ଆନନ୍ଦ ସାଗରିଆ
22 Views
12 Min Read

ଫକୀରମୋହନଙ୍କ ପରବର୍ତ୍ତୀ କାଳରେ ଯେଉଁ କେତେଜଣ କଥା ସାହିତ୍ୟିକ ଭାବରେ ପରିଚିତ ଥିଲେ, ସେମାନଙ୍କ ମଧ୍ୟରୁ ଦୟାନିଧି ମିଶ୍ର ଅନ୍ୟତମ ବରଗଡ଼ ଜିଲ୍ଲା ଅନ୍ତର୍ଗତ ତୁରାଣ୍ଡି ଗାଁରେ ୧୮୯୧ ମସିହାରେ ଜନ୍ମ ଛାତ୍ରାବସ୍ଥାରୁ ହିଁ ତାଙ୍କର ସାହିତ୍ୟ ପ୍ରତି ରୁଚି ଥିଲା ମୁକୁର ଓ ଉତ୍କଳ ସାହିତ୍ୟ ପତ୍ରିକାରେ ଧାରାବାହିକ ଭାବରେ ତାଙ୍କର କବିତା ଓ ଗଳ୍ପ ପ୍ରକାଶ ପାଉଥିଲା ମୁକୁର ପତ୍ରିକାର ୧୯୨୨ରୁ ୧୯୨୪ ମସିହା ପର୍ଯ୍ୟନ୍ତ ସମ୍ପାଦକ କାର୍ଯ୍ୟ ନିର୍ବାହ କାଳରେ ତାଙ୍କର ଅନେକଗୁଡ଼ିଏ ଗଳ୍ପ ପ୍ରକାଶିତ ହେଇଥିଲା । ‘ଶାନ୍ତି’, ‘ମିଳନ’, ‘ରୂପର ମୂଲ୍ୟ’, ‘ପ୍ରଦୀପ ନିର୍ବାଣ’, ପ୍ରଭୃତି ଗଳ୍ପଗୁଡ଼ିକ ପରବର୍ତ୍ତୀ ସମୟରେ ‘କଥା କଦମ୍ବ’ (୧୯୨୪) ମସିହାରେ ଗଳ୍ପ ସଂକଳନ ଆକାରରେ ପ୍ରକାଶିତ ହେଲା ସଂକଳନରେ ଥିବା ପ୍ରାୟ ଗଳ୍ପଗୁଡ଼ିକ ଐତିହାସିକ ବୀରଯବାନମାନଙ୍କୁ ନେଇ ରଚନା ହୋଇଥିବାରୁ ପରବର୍ତ୍ତୀ କାଳରେ ଇତିହାସର ପୃଷ୍ଠଭୂମିକୁ ଭିତ୍ତିକରି  ଉପନ୍ୟାସ ରଚନା କରିଥିଲେ । ଉପନ୍ୟାସ ରଚନା କ୍ଷେତ୍ରରେ ଫକୀରମୋହନଙ୍କ ସମସାମୟିକ ଥିଲେ । ଫକୀର ମୋହନଙ୍କ ‘ପ୍ରାୟଶ୍ଚିତ’ (୧୯୧୫)ରେ ପ୍ରକାଶ ପାଇଥିବାବେଳେ ତାଙ୍କର ‘ନୟନତାରା’ ଉପନ୍ୟାସର ଲେଖା ସାରିଥିଲା ଉପନ୍ୟାସ ରଚନା ପୃଷ୍ଟଭୂମି ପରିପ୍ରେକ୍ଷୀରେ ବିଶିଷ୍ଟ ଔପନ୍ୟାସିକ ଗୋପୀନାଥ ମହାନ୍ତି ତାଙ୍କୁ ଓଡ଼ିଆ ଉପନ୍ୟାସ ପର୍ଯ୍ୟାୟରେ ଚତୁର୍ଥ ଔପନ୍ୟାସିକ ଭାବେ ଗ୍ରହଣ କରିଛନ୍ତି ଏବଂ ‘ନାୟନତାରା’କୁ ନବମ ସ୍ଥାନରେ ରଖିଛନ୍ତି ତାଙ୍କର ପ୍ରକାଶିତ ଉପନ୍ୟାସ ଗୁଡ଼ିକ – ‘ସଂଯୁକ୍ତା’ (୧୯୨୧), ‘ରାଣାପ୍ରତାପ ସିଂହ’ (୧୯୨୩), ‘ମାନଭଞ୍ଜନ’ ( ୧୯୨୪), ‘ନୟନତାରା’ ( ୧୯୭୨) ରେ ତାଙ୍କ ପୁତ୍ରଙ୍କ ଦ୍ୱାରା  ପୂର୍ଣାଙ୍ଗ ରୂପେ ପ୍ରକାଶିତ

ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସ ରଚନାର ଧାରା ଉମେଶଚନ୍ଦ୍ର ସରକାରଙ୍କ ‘ପଦ୍ମମାଳୀ’ ଉପନ୍ୟାସଠାରୁ ଆରମ୍ଭ ହୋଇଥିଲେ ହେଁ, ଏହାର ପୂର୍ଣ୍ଣାଙ୍ଗ ଓ ସଫଳ ପରିପ୍ରକାଶ ଘଟିଛି ଚଳିତ ଶତାବ୍ଦୀର ଦ୍ଵିତୀୟ ଦଶନ୍ଧିରେ ଫକୀରମୋହନ ହେଉଛନ୍ତି ଯଥାର୍ଥ ଐତିହାସିକ ଉପନ୍ୟାସର ସ୍ରଷ୍ଟା ତାଙ୍କର ‘ଲଚ୍ଛମା’ ଓଡ଼ିଆ ଐତିହାସିକ ସାହିତ୍ୟରେ ଏକ ବିରଳ ସୃଷ୍ଟି । ‘ଲଚ୍ଛମା’ ଉପନ୍ୟାସର ଆଙ୍ଗିକ ଓ ଆତ୍ମିକ ଦିଗକୁ ପର୍ଯ୍ୟାଲୋକନ କଲେ ସମସାମୟିକ ଏବଂ ପରବର୍ତ୍ତୀ ବହୁ ଔପନ୍ୟାସିକଙ୍କୁ ପ୍ରଭାବିତ କରିଥିବାର ଜଣାଯାଏସେଥି ମଧ୍ୟରୁ ଦୟାନିଧି ମିଶ୍ର ‘ସଂଯୁକ୍ତା’ ଓ ‘ରାଣା ପ୍ରତାପ ସିଂହ’ ଦୁଇଟି ଐତିହାସିକ ଉପନ୍ୟାସ ଲେଖିଥିଲେ।    ଉପନ୍ୟାସ ଦ୍ୱୟରେ ସ୍ଵେଦେଶ ପ୍ରେମ, ଜାତୀୟ ବୋଧ, ଐକ୍ୟତା ଓ ସଂହତି ପାଇଁ ଯେଉଁ ଆହ୍ବାନ ଦେଇଛନ୍ତି  ତାହା ବାସ୍ତବିକ ମହାଭାରତୀୟ ଚିନ୍ତାଧାରାର ଯଥାର୍ଥ ନିଦର୍ଶନ ଔପନ୍ୟାସିକ ପ୍ରାଦେଶିକ ଚିନ୍ତାଧାରାକୁ ପରିହାର କରି ମହାଭାରତୀୟ ଚିନ୍ତାଧାରାରେ ଅନୁପ୍ରାଣିତ ହେବା ସହ ଭାରତର ଗର୍ବ ଓ ଗୌରବର ପ୍ରଚାର ପ୍ରସାର ପାଇଁ ଏଭଳି ଐତିହାସିକ ଉପନ୍ୟାସ ଦୁଇଟି ରଚନା କରିଛନ୍ତି     

 ସଂଯୁକ୍ତା :

ସଂଯୁକ୍ତା ଉପନ୍ୟାସ ରଚନାର ଭୂମିକାରେ ବର୍ଣ୍ଣିତ “ ବର୍ତ୍ତମାନ ଯୁଗରେ ହିନ୍ଦୁ ମୁସଲମାନ ବିଦ୍ଵେଷର ଚର୍ଚ୍ଚା ଅହିତ କର ବୋଲି କେହି କହି ପାରନ୍ତି ଏହି ପୁସ୍ତକରେ ଇସଲାମ ଧର୍ମ ପ୍ରତି କୌଣସି ଆପେକ୍ଷ କରାଯାଇ ନାହିଁ ମହମ୍ମଦ ଘୋରୀ ଇସଲାମ ଧର୍ମାବଲମ୍ବୀ ବୋଲି ଭାରତର ଶତ୍ରୁ ନଥିଲେ ସେ ଭାରତ ବର୍ଷର ସ୍ଵାଧୀନତା ପାହାରୀ ଥିବାରୁ ହିନ୍ଦୁମାନଙ୍କ ଶତ୍ରୁତା ଅର୍ଜନ କରିଥିଲେ ଆଉ ଯେତେଦିନ ପର୍ଯ୍ୟନ୍ତ ଭାରତୀୟ ମୁସଲମାନଗଣ ତାଙ୍କୁ ବିଦେଶୀୟ ଶତ୍ରୁ ବୋଲି ଭାବି ନାହାନ୍ତି, ସେ ଦିନ ପର୍ଯ୍ୟନ୍ତ ହିନ୍ଦୁ -ମୁସଲମାନ ଏକତା ଆକାଶ କୁସୁମରେ ପର୍ଯ୍ୟବେଶିତ ରହିବ ।”(କ) ଉପନ୍ୟାସଟି ରଚନାର ପରିଧିରେ ଭାରତର ଇତିହାସ ପ୍ରସିଦ୍ଧ ଦୁଇଟି ତିରୋରୀ ଯୁଦ୍ଧ – ପ୍ରଥମ ୧୧୯୧ ଓ ଦ୍ଵିତୀୟ ୧୧୯୨ ମସିହାର କଥାବସ୍ତୁ ଉଲ୍ଲେଖ। ଦିଲ୍ଲୀ ସିଂହାସନ ଆରୋହଣ ପାଇଁ ପ୍ରତିଦୋନ୍ଦିତା, କ୍ଷମତା ଲିପସା, ସ୍ଵାର୍ଥପରତା ଓ ଈର୍ଷାର ବଶବର୍ତ୍ତୀ ହୋଇ ଜାତୀୟ ବିପର୍ଯ୍ୟୟକୁ ବରଣ କରିବା ସହ ଭାରତୀୟ ଜାତୀୟ ଜୀବନର ବିପର୍ଯ୍ୟୟ ରାଜନୀତିର ଘଟଣାକୁ ଭିତ୍ତି କରି ‘ସଂଯୁକ୍ତା’ ଉପନ୍ୟାସର ପରିକଳ୍ପିତ ଉପନ୍ୟାସରେ ‘ପୂର୍ବାଭାଷ’, ‘ସଂଯୁକ୍ତା’, ‘ବିଦାୟ’, ‘ପୃଥ୍ୱୀରାଜ’, ‘ଅଗ୍ନି ସଂଯୋଗ’, ‘ନୂତନ ସମ୍ବାଦ’, ‘ଯୁଦ୍ଧ’, ‘ହର୍ଷରେ ବିଷାଦ’, ‘ବିପରୀତ ମନ୍ତ୍ରଣା’, ଦୌତ୍ୟ’, ସ୍ଵୟମ୍ବର’, ‘ନବଦମ୍ପତି’, ‘ପୁନର୍ବାର ନୂତନ ସମ୍ବାଦ’, ‘ଯୁଦ୍ଧ ଓ ସନ୍ଧି’, ଭୀଷଣ ପ୍ରତିଜ୍ଞା’,  ପ୍ରଭୃତି ପରିଚ୍ଛେଦଗୁଡ଼ିକୁ ବିଭକ୍ତି କରିଛନ୍ତି ଏଥିରେ ପରିଚ୍ଛେଦ ଗୁଡ଼ିକ ପାଠକକୁ ବାନ୍ଧି ରଖିବା ସହ ଐତିହାସିକ ଚରିତ୍ରଗୁଡ଼ିକ ଜୟଚନ୍ଦ୍ର, ପୃଥ୍ୱୀରାଜ, ସଂଯୁକ୍ତା ଓ ମହମ୍ମଦ ଘୋରୀ ମୁଖ୍ୟ ଚାରୋଟି ଚରିତ୍ର ଉପନ୍ୟାସକୁ ନେଇ ଗତିଶୀଳ

         ଦିଲ୍ଲୀର ସମ୍ରାଟ ଅନଙ୍ଗପାଳଙ୍କ ମୃତ୍ୟୁ ପରେ ସିଂହାସନକୁ ନେଇ ଜୟଚନ୍ଦ୍ର ଓ ପୃଥଵୀରାଜ ମଧ୍ୟରେ ଦ୍ଵନ୍ଦ୍ଵ ସୃଷ୍ଟି ହେଲା ।   ଜୟଚନ୍ଦ୍ର ରାଠୋର ବଂଶଜ ଥିଲାବେଳେ ପୃଥ୍ୱୀରାଜ ଚୌହାନ ବଂଶଜ ଥିଲେ। ଜୟଚନ୍ଦ୍ର ଅହଙ୍କାରୀ ଓ ପରିଣାମଦର୍ଶୀ ଓ ପୃଥ୍ୱୀରାଜ ଧୀର ସ୍ଥିର, ବୁଦ୍ଧିମାନ ଓ ଶକ୍ତିଶାଳୀ ଥିଲେ। ପୃଥ୍ୱୀରାଜ ଜାଣନ୍ତି ଦୁହିଁଙ୍କ ମିଳନରେ ଭାରତବର୍ଷର ଗୌରବ ହେବ। କିନ୍ତୁ ଜୟଚନ୍ଦ୍ର ମିଳନକୁ ନେଇ ଅସନ୍ତୁଷ୍ଟ। ଜୟଚନ୍ଦ୍ରଙ୍କ ଦିଲ୍ଲୀରେ ରହଣୀ କାଳରେ ସଂଯୁକ୍ତାର ଜନ୍ମ। ସଂଯୁକ୍ତାର ଚରିତ୍ର ଓ ଜୟଚନ୍ଦ୍ରଙ୍କ ଚରିତ୍ର ମଧ୍ୟରେ ସଂପୂର୍ଣ୍ଣ ବିପରୀତ ଥିଲା। ସଂଯୁକ୍ତାଙ୍କ ଚରିତ୍ର ଗଠନରେ ପ୍ରଧାନଗୁଣ ପୃଥ୍ୱୀରାଜଙ୍କ ହାତ ଥିଲା। ସଂଯୁକ୍ତା ଓ ପୃଥ୍ୱୀରାଜଙ୍କ ଧୀରେ ଧୀରେ ମିଳନରେ ପ୍ରେମ ଜାତ ହୁଏ । ସଂଯୁକ୍ତା ଭଲପାଏ ପୃଥ୍ୱୀରାଜଙ୍କୁ । ଦୁହେଁ ଦୁହିଁଙ୍କୁ ନିବିଡ଼ ଭାବରେ ଭଲ ପାଆନ୍ତି। କିନ୍ତୁ ପିତାଙ୍କର ପୃଥ୍ୱୀରାଜ ପ୍ରତି ଶତ୍ରୁତା ଅବଗତ ହୋଇ ପରେ ସେ ନୀରବରେ ଅଶ୍ରୁ ବିସର୍ଜନ କରିଛି । ଜୟଚନ୍ଦ୍ର ଓ ପୃଥ୍ୱୀରାଜଙ୍କ ମଧ୍ୟରେ ଅନ୍ତର୍ବିବାଦ ଲାଗିଲା। ଏହାର ଫଳ ସ୍ୱରୂପ ବହିଃଶତ୍ରୁ ଭାରତ ଆକ୍ରମଣ କରିବାର ସୁଯୋଗ ପାଇଲା। ମହମ୍ମଦ ଘୋରୀ ଭାରତବର୍ଷ ଆକ୍ରମଣ କରିବାକୁ ପୃଥ୍ୱୀରାଜଙ୍କ ନେତୃତ୍ୱରେ ହିନ୍ଦୁ ସେନାବାହିନୀ ଯୁଦ୍ଧ କଲେ। ଔପନ୍ୟାସିକଙ୍କ ଭାଷାରେ -“ଏ ଯୁଦ୍ଧ ସନାତନ ହିନ୍ଦୁଧର୍ମ ଓ ଇସଲାମ ଧର୍ମ ମଧ୍ୟରେ ନୁହେଁ – ପବିତ୍ର ବେଦ ଓ କୋରାଣ ମଧ୍ୟରେ ନୁହେଁ – ଏହା କାବୁଲ ଓ ଭାରତବର୍ଷ ମଧ୍ୟରେ ଯୁଦ୍ଧ – କାବୁଲର ଧର୍ମାନ୍ଧ ଓ ଅର୍ଥଲୋଲୁପ ଯବନ ଏବଂ ଭାରତବର୍ଷର ଉଦାର ହିନ୍ଦୁ ମଧ୍ୟରେ ଯୁଦ୍ଧ।” (୧)ପରିଶେଷରେ ମୁସଲମାନମାନେ ଯୁଦ୍ଧରେ ପରାଜୟ ସ୍ଵୀକାର କରି ପଳାୟନ କଲେ। ହିନ୍ଦୁମାନେ ବିଜୟର ପତାକା ଉଡ଼ାଇ ‘ ହର ହର ମହାଦେଓ’ କହି ରାଜ୍ୟକୁ ଲେଉଟିଲେ। ଯୁଦ୍ଧରେ ପୃଥ୍ୱୀରାଜଙ୍କର ବିଜୟ ହେବାରୁ ପୃଥ୍ୱୀରାଜଙ୍କ ଗର୍ବ ଓ ଗୌରବ ବୃଦ୍ଧି ହେଲା। ତେଣୁ ଜୟଚନ୍ଦ୍ର ସହ୍ୟ କରି ନପାରି ରାଜସ୍ଵ  ଯଜ୍ଞର ଆୟୋଜନ କଲେ। ରାଜସ୍ଵ ଯଜ୍ଞର ମୂଳ କାରଣ ସଂଯୁକ୍ତାର ସ୍ଵୟମ୍ବର ସଭା। ସ୍ଵୟମ୍ବର ସଭାକୁ ପୃଥ୍ୱୀରାଜଙ୍କୁ ଛାଡ଼ି ସମସ୍ତ ରାଜାଙ୍କୁ ନିମନ୍ତ୍ରଣ ପତ୍ର ପଠାଇଲେ। ସଂଯୁକ୍ତାର ମାତା ତା’ର ଅନ୍ତର୍ବେଦନାକୁ ବୁଝିପାରି ଗୁପ୍ତଚର ହସ୍ତରେ ପୃଥ୍ୱୀରାଜ ପାଖକୁ ସ୍ଵୟମ୍ବରର ପତ୍ର ପଠାଇ ସଭାରେ ଯୋଗଦେବା ପାଇଁ ଅନୁରୋଧ କରି କହିଲେ। ସ୍ଵୟମ୍ବର ସଭା ଆରମ୍ଭ ହେଲା। ସଂଯୁକ୍ତା ସ୍ଵୟମ୍ବରକୁ ଆଗମନ ହେଲେ। ସଭା ଆରମ୍ଭ ହେବା ପୂର୍ବରୁ ପୃଥ୍ୱୀରାଜ ଏକ ଦ୍ଵାରପାଳର ପୁତ୍ତଳିକାରେ ଲୁଚି ରହିଥିଲେ। ସଂଯୁକ୍ତା ଆସି ବରଣମାଳା ପୁତ୍ତଳିକାକୁ ପିନ୍ଧାଇ ଦେବା ମାତ୍ରେ ହିରଣ୍ୟେ କଷିପୁ ଭଳି ଖମ୍ବରୁ ବାହାରିପଡ଼ିଲେ ପୃଥ୍ୱୀରାଜ । ସଂଯୁକ୍ତା ଓ ପୃଥ୍ୱୀରାଜର ବିବାହ ସମ୍ପନ୍ନ ହେଲା। ଇତି ମଧ୍ୟରେ ପୁନର୍ବାର ଭାରତ ଆକ୍ରମଣ ପାଇଁ ମହମ୍ମଦ ଘୋରୀ ଯୁଦ୍ଧର ମନ୍ତ୍ରଣା ଦେଲେ। ପୃଥ୍ୱୀରାଜ ଓ ସମର ସିଂହ ଯୁଦ୍ଧ କରି ମହମ୍ମଦ ଘୋରୀଙ୍କୁ ବନ୍ଦୀ କଲେ। ମାତ୍ର ପୃଥ୍ୱୀରାଜ ଉଦାର ଓ ମାନବିକତା ଦେଖାଇ କହିଲେ -“ଆପଣଙ୍କ ପ୍ରତି ଏହି ଦଣ୍ଡବିଧାନ ହେଲା କହି ପୃଥ୍ୱୀରାଜ ଘୋରୀଙ୍କୁ ବାହୁଫାଶରେ ଛନ୍ଦି ଆଲିଙ୍ଗନ କଲେ । ଏହା ଦେଖି ଘୋରୀ ନିସ୍ତବ୍ଧ,ନିର୍ବାକ,ବିସ୍ମିତ ! ପୃଥ୍ୱୀରାଜଙ୍କ ମୁଖ ଆଡ଼କୁ ଅନାଇ ସେ ଦେଖିଲେ ଯେ, ସେଠାରେ କେବଳ ସରଳତା,ଉଦାରତା ଓ ମମତ୍ତ୍ଵ ବିରାଜିତ ।”(୨) ମାତ୍ର ଘୋରୀ ହିନ୍ଦୁର ଏ ଉଦାରତାକୁ ସ୍ପର୍ଶ କରି ପାରିଲେ ନାହିଁ । ପୁନଶ୍ଚ ଜୟଚନ୍ଦ୍ର ସହ ସନ୍ଧି ସ୍ଥାପନ କରି ଭାରତ ଆକ୍ରମଣ କଲେ । ଫଳରେ ପୃଥ୍ୱୀରାଜ ଓ ସମର ସିଂହ ଯୁଦ୍ଧରେ ଫଳରେ ପୃଥ୍ୱୀରାଜ ଓ ସମର ସିଂହ ଯୁଦ୍ଧରେ ପ୍ରାଣ ତ୍ୟାଗ କଲେ । ଦୁଃଖଦ ସମ୍ବାଦକୁ ସହ୍ୟ କରି ନପାରି ସଂଯୁକ୍ତା ରଣଭୂମିରେ ପାଦଦେଇ ଯବନ ସେନାକୁ ବିପର୍ଯ୍ୟସ୍ତ କରି, ସମର ସିଂହ ଓ ପୃଥ୍ୱୀରାଜଙ୍କ ଚିତା ପ୍ରସ୍ତୁତ କଲେ ।  ନିଜେ ପୃଥ୍ୱୀରାଜଙ୍କ ଚିତାରେ ଆହୁତି ଦେଲେ । ଶେଷରେ ଭାରତ ସ୍ଵାଧୀନତାର ସ୍ଵପ୍ନ,ସ୍ୱପ୍ନ ହୋଇ ଚିରକାଳ ପାଇଁ ରହିଗଲା  

Samadhwani Support us

 ରାଣା ପ୍ରତାପସିଂହ :

ରାଣା ପ୍ରତାପସିଂହ ଔପନ୍ୟାସିକଙ୍କ ଅନ୍ୟ ଏକ ଐତିହାସିକ ଉପନ୍ୟାସ ।  ଏ ସମ୍ପର୍କରେ ଲେଖକ ପୁସ୍ତକ ଭୂମିକାରେ ସୂଚନା କରିଛନ୍ତି –‘’ବଙ୍ଗଳା ଭାଷାରେ ପ୍ରକାଶିତ ରାଜସ୍ଥାନର ଇତିହାସ ଏବଂ ସ୍ୱର୍ଗୀୟ ଜିତେନ୍ଦ୍ରଲାଲ ରାୟଙ୍କ ପ୍ରଣୀତ ‘ ରାଣା ପ୍ରତାପ’ ନାଟକର ଆଶ୍ରୟ ନେଇଛନ୍ତି ।’’(କ) ସଂଯୁକ୍ତା ଉପନ୍ୟାସ ଭଳି ଏହାର ଆକାର ମଧ୍ୟ କ୍ଷୁଦ୍ର । ଉପନ୍ୟାସରେ ‘ଅଭିଷେକ’,’ନୂତନ ଦୀକ୍ଷା’,’ଉଦ୍ୟୋଗ ପର୍ବ’,’ହର୍ଷେ ବିଷାଦ’, ‘ବିବାଦର ସୂତ୍ରପାତ’,’କଣ୍ଟେ ନୈବ କଣ୍ଟକ’,’ସଂଶୟାରମ୍ଭ’,’ଆୟୋଜନ’,’ହଳଦୀଘାଟ ଯୁଦ୍ଧ’,’ଭାତ୍ରୁ ମିଳନ’,’ମୋଗଲ ଶିବିରେ’,’ହିତେ ବିପରୀତ’,’ପୁନର୍ବାର ଯୁଦ୍ଧ’,’ଭୀଷଣ ଅନ୍ତର୍ବିପ୍ଲବ’,’କ୍ଷଣିକ ଦୁର୍ବଳତା’, ‘ପୃଥ୍ବୀରାଜଙ୍କ ପତ୍ର’,’ଖୁସ୍ ରୋଜ ମେଳା’,’ରାଜୋଦ୍ଧାର’,’ଯବନିକା ପତନ’, ଓ ‘ଉପସଂହାର’, ଶୀର୍ଷକରେ ଉପନ୍ୟାସକୁ ବିଭକ୍ତ କରିଛନ୍ତି । ମୋଗଲ ସମ୍ରାଟ ଆକବରଙ୍କ ସାମ୍ରାଜ୍ୟ ବିସ୍ତାର ଅନ୍ୟ ପକ୍ଷରେ ମେବାଡ଼ର ରାଣାପ୍ରତାପଙ୍କର ମାତୃଭୂମିର ସ୍ଵାଧିନତା ରକ୍ଷାପାଇଁ ପ୍ରାଣମୂର୍ଚ୍ଛା ସଂଗ୍ରାମ ଓ ସଂଘର୍ଷର କାହାଣୀ ଉପନ୍ୟାସରେ ବର୍ଣ୍ଣିତ ।

            ରାଣାପ୍ରତାପ ରାଜା ହେଲା ବେଳକୁ ଭାରତ ବର୍ଷରେ ମୋଗଲ ଶାସନ ବାଦଶାହ ଆକବରଙ୍କ ନିକଟରେ ବହୁ ରାଜାପୁତ ରାଜା ଓ ବୀର ସମର୍ପିତ ସେମାନଙ୍କ କନ୍ୟା ଓ ଭଗିନୀକୁ ଆକବରଙ୍କୁ ବିବାହ ଦେଇଅଛନ୍ତି ବିଶେଷତଃ ମାନସଂହିଙ୍କ ଶକ୍ତି ଓ ସାମର୍ଥ୍ୟ ଆକବରଙ୍କୁ ବିଭିନ୍ନ ଯୁଦ୍ଧରେ ବିଜୟୀ କରିଥାଏ ଅନ୍ୟ ପକ୍ଷରେ ଶକ୍ତି ସିଂହଙ୍କ ସହ ପ୍ରତାପଙ୍କ ଅନ୍ତର୍ବିବାଦ ଯୋଗୁଁ ଭାରତର ସ୍ଵାଧୀନତା ପାଇଁ କଷ୍ଟସାଧ୍ୟ ହୋଇପଡ଼ିଥିଲା କିନ୍ତୁ ଆକବରଙ୍କ ସପକ୍ଷରେ ମାନସିଂହ ଥିଲେ ମଧ୍ୟ ମହାଭାରତ ସାମ୍ରାଜ୍ୟ ପାଇଁ ହିନ୍ଦୁ- ମୁସଲମାନ ଏକତା ଚାହୁଁଥିଲେ ସେମାନେ ହିନ୍ଦୁଙ୍କ ପରି ଏକ ଭାରତ ମାତାର ସନ୍ତାନ ଗଙ୍ଗା ଓ ଯମୁନାର ମିଳନରେ ପ୍ରୟାଗ ସୃଷ୍ଟି ହେଲାଭଳି ହିନ୍ଦୁ ଓ ମୁସଲମାନଙ୍କ ମିଳନରେ ନୂତନ ମହାଭାରତ ସାମ୍ରାଜ୍ୟ ପ୍ରତିଷ୍ଠିତ ହେବ ଏହି ବିଶ୍ଵାସ ନେଇ ସେ ଆକବରଙ୍କ ସେନାପତି ଓ ମୁଖ୍ୟ ପରାମର୍ଶଦାତା ହୋଇଥିଲେ ନିଜର ପିଉସୀକୁ ଆକବରଙ୍କୁ ବିବାହ ଦେଇଥିଲେ ପ୍ରତାପ ଏପରି ଜଘନ୍ୟ ମନୋବୃତ୍ତିକୁ ଘୃଣା କରନ୍ତି ମାନସିଂହଙ୍କ  ଯବନ ସହିତ ଏକତ୍ର ପାନ ଭୋଜନକୁ ପ୍ରତାପ ଘୃଣାଚକ୍ଷୁରେ ଦେଖିବା ସହ ଗର୍ବିତ ସ୍ଵରରେ କହିଲେ-“ଯେ ଯବନ ସହିତ ଏକତ୍ର ପାନ ଭୋଜନ କରେ, ମେବାଡ଼ର ରାଣା ତାହା ସହିତ ଏକତ୍ର ଭୋଜନରେ ବସିବାକୁ ଅନିଚ୍ଛୁକ ।” (୩) ଏହି ଅପମାନରେ ମାନସିଂହ ପ୍ରତାପଙ୍କ ଦ୍ୱାରା ଅପମାନିତ ହୋଇ ପ୍ରତିଶୋଧ ନେବାକୁ ପ୍ରବଳ ଉଦ୍ୟମ କରିଥିଲେ ।

ଇତିହାସର ଅନ୍ଧାରକୁ ଭେଦ କରି ଔପନ୍ୟାସିକ ଆକବରଙ୍କ ମନ ଭିତରେ ଥିବା ଉଦ୍ଦେଶ୍ୟକୁ ଆବିଷ୍କାର କରିଛନ୍ତି ଆକବରଙ୍କ ଉଦ୍ଦେଶ୍ୟ ଥିଲା ଭାରତବର୍ଷରେ ମୋଗଲ ସାମ୍ରାଜ୍ୟ ସ୍ଥାପନ ଏଥିପାଇଁ ସେ କୁଟୀଳ ପନ୍ଥା ଅବଲମ୍ବନ କରିଛନ୍ତି ଅନେକ ରାଜପୁତ ରମଣୀକୁ ବିବାହ କରି ହିନ୍ଦୁ ଜାତି ପ୍ରତି ଉଦାରତା ଦେଖାଇବା ସହ ଛଳନା ମଧ୍ୟ କରିଛନ୍ତି ଏହା ପ୍ରକୃତରେ ଆକବରଙ୍କ ଯୌନ-ବିଳାସ ଥିଲା ଏହି ଯୌନ-ବିଳାସର ଅନ୍ୟତମ ଉଦାହରଣ ଖୁସରୋଜ ମେଳା ଏହି ମେଳା ଆକବରଙ୍କ ଦ୍ୱାରା ବର୍ଷକୁ ଥରେ ଅନୁଷ୍ଠିତ ହୁଏ ସେହି ମେଳାକୁ ପୁରୁଷମାନଙ୍କୁ ଯିବାପାଇଁ ନିଷେଧ । ଆକବର ଛଦ୍ମ ବେଶରେ ଯାଇ ସୁନ୍ଦରୀ ରମଣୀମାନଙ୍କୁ ରମଣ କରୁଥିଲେ । ଏକଥା ରାଜପୁତମାନେ ଜାଣି ମଧ୍ୟ ଅଜଣା ଭାବରେ ରହୁଥିଲେ। ଯେଉଁ ଦିନ ପୃଥ୍ୱୀରାଜଙ୍କ ପତ୍ନୀ ପ୍ରତି ଆକବରଙ୍କ ପାପ ଲାଳସା ପ୍ରକାଶ ପାଇଲା,ସେହିଦିନ ଆକବରଙ୍କ ରହସ୍ୟ ଉନ୍ମୋଚିତ ହେଲା। ଆକବରଙ୍କ ପ୍ରତି ରାଜପୁତମାନଙ୍କ ଘୃଣା ଭାବ ଜନ୍ମିଲା। ଅନ୍ୟ ପକ୍ଷରେ ମାନସିଂହ ଓ ଶକ୍ତିସିଂହ ମୋଗଲ ବାହିନୀ ନେଇ ମେବାଡ଼ର ପ୍ରତାପ ବିରୋଧରେ ଯୁଦ୍ଧଯାତ୍ରା କଲେ। ଯୁଦ୍ଧରେ ଆକବରଙ୍କ ପୁତ୍ର ସଲିମ୍ ସେନାପତିତ୍ଵ ନେଲେ । ଏ ଘଟଣା ଜାଣି ମାନସିଂହଙ୍କୁ ଗଭୀର ଆଘାତ ଲାଗିଲା । ମୋଗଲ ଓ ପ୍ରତାପଙ୍କ ସହିତ ଯୁଦ୍ଧ ହେବା ସମୟରେ ପ୍ରତାପ ମେବାଡ଼ର ଅଧିବାସୀମାନଙ୍କୁ ଶତ୍ରୁର ସମ୍ମୁଖୀନ ହେବା ପାଇଁ ଶ୍ରୀମଦ୍ ଭାଗବତ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉଦବୋଧନ ଦେଲା ଭଳି ହତ୍ଵ ବା ପ୍ରପସ୍ୟ ସେ ସ୍ୱର୍ଗମ୍, ଜିହ୍ୱା ବା ଭୋକ୍ଷସେ ମହୀମ ପରି ପ୍ରତାପ ତାଙ୍କର ପ୍ରଜାମାନଙ୍କୁ ଉଦବୋଧନ ଦେଇ କହିଥିଲେ ” ଅପର ଜାତିର ସ୍ୱାଧୀନତା ଅପହରଣ କରିବା ନିମନ୍ତେ ଆମ୍ଭେମାନେ ଯୁଦ୍ଧର ଆୟୋଜନ କରୁନାହୁଁ । ମାତୃଭୂମିର ସ୍ୱାଧୀନତା ରକ୍ଷା  ଆମ୍ଭମାନଙ୍କର ଏହା ଏକମାତ୍ର କାମନା ।”(୪) ପ୍ରତାପଙ୍କ ବଳିଷ୍ଠ ଉଦବୋଧନ ସମସ୍ତ ମେବାଡ଼ ବାସୀଙ୍କୁ ଜନ୍ମଭୂମିର ସ୍ୱାଧୀନତା ପାଇଁ ପ୍ରାଣ ଦେବାକୁ ଉଦବୋଧନ କଲା । ପୁଣି ରାଣାପ୍ରତାପଙ୍କ ସ୍ଵେଦେଶ ପ୍ରୀତିର ପଟାନ୍ତର ନଥିଲା। ଜନ୍ମଭୂମିକୁ ଶତ୍ରୁ କବଳରୁ ରକ୍ଷା କରି ନପାରିବାରୁ ଗଭିର ଦୁଃଖରେ କାନ୍ଦି ପକାଇଲେ। ଔପନ୍ୟାସିକଙ୍କ ଭାଷାରେ ” ଜନ୍ମଭୂମିକୁ ଯବନ କବଳରୁ ରକ୍ଷା କରିବା ତାପକ୍ଷରେ ଏକା ବଳକେ ଅସମ୍ଭବ । ଏହି ଯେ ଦୀନ କୁଟୀରଗୁଡ଼ିକ ଦେଖୁଛନ୍ତି, ମୋର ମୃତ୍ୟୁ ପରେ ଏଠାରେ ସୁଶୋଭିତ ହର୍ମରାଜି ନିର୍ମିତ ହେବ । ଆପଣମାନେ ସମସ୍ତେ ବିଳାସରେ ମଗ୍ନ ହେବେ । ମେବାଡ଼  ଭୂମି ଚିରକାଳ ଯବନର କ୍ରୀତଦାସ ହୋଇ ରହିବ । ପ୍ରତାପ ସିଂହ ଆଉ କହିପାରିଲେ ନାହିଁ । ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଗଲା ।”(୫) ଏକଥା ଶୁଣି ସର୍ଦ୍ଦାରମାନେ ପ୍ରତାପଙ୍କୁ କଥାଦେଇ କହିଲେ ଆମ୍ଭେମାନେ ଜୀବିତ ଥିବା ପର୍ଯନ୍ତ ଯବାନର କ୍ରୀତଦାସ ହେବାକୁ ମେବାଡ଼ ବାସୀଙ୍କୁ କେବେହେଲେ ଦେବୁ ନାହିଁ । ପ୍ରତପସିଂହ ସର୍ଦ୍ଦାରମାନଙ୍କ ପ୍ରତିଜ୍ଞା ବାକ୍ୟ ଶୁଣି ମୁଖରେ କ୍ଷୀଣ ହସ ଖେଳିଗଲା । ଚକ୍ଷୁ ଦୁଇଟି ଆଲୋକରେ ଭର୍ତ୍ତିହୋଇ ଏକାଗ୍ର ଚିତ୍ତରେ ମେବାଡ଼ର ଚିତ୍ତୋର ଦୁର୍ଗ ଆଡ଼େ ଦୃଷ୍ଟି ନିକ୍ଷେପ କଲେ । ତାଙ୍କର ସେ ଦୃଷ୍ଟି ଆଉ ଚିତୋରରୁ ପ୍ରତ୍ୟାବୃତ ହେଲା ନାହିଁ। ଚିତୋଡ଼ ନାମ ଉଚ୍ଚାରଣ କରି ପ୍ରତାପ ସିଂହ ଚିରଦିନ ପାଇଁ ଭବରଙ୍ଗ ଭୂମିରୁ ବିଦାୟ ନେଲେ। ସ୍ଵାଧୀନତର ଉଜ୍ଜଳତମ ନକ୍ଷତ୍ର ଚିରକାଳ ପାଇଁ ଅସ୍ତମିତ ହେଲା । ଉପନ୍ୟାସରେ ରାଣା ପ୍ରତାପଙ୍କ ସ୍ଵେଦେଶ ପ୍ରୀତି, ଆଦର୍ଶ ବ୍ୟକ୍ତିତ୍ଵ ଓ ବିରତ୍ଵ, ଦେବଗୁଣ ପ୍ରଚଣ୍ଡ ଜାତୀୟ ସ୍ୱାଭିମାନ ଯୁଗେ ଯୁଗେ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା

ଐତିହାସିକ ପଟ୍ଟଭୂମି ଉପରେ ଆଧାରିତ ‘ସଂଯୁକ୍ତା’ ଓ ‘ରାଣାପ୍ରତାପ ସିଂହ’ ଉପନ୍ୟାସ ଦ୍ୱୟ  ଜାତୀୟ ପ୍ରୀତି, ଦେଶବୋଧ,ଜାତି – ସଂଘର୍ଷ ଓ ଚମତ୍କାର ଶୈଳୀର ବର୍ଣ୍ଣନା ଦୃଷ୍ଟିରୁ ବିଶେଷ ଉଲ୍ଲେଖଯୋଗ୍ୟ। ଏ ଦୁଇଟି ଉପନ୍ୟାସକୁ ପୁଙ୍ଖାନୁପୁଙ୍ଖ ଭାବେ ଦେଖିଲେ ଦେଶର ଅଖଣ୍ଡତା ଓ ସ୍ୱାଧୀନତା ରକ୍ଷାପାଇଁ ବ୍ୟକ୍ତି ଶତ୍ରୁତା ଭୁଲି ଏକତା ରକ୍ଷା କରିବା ଓ ଦେଶ ପାଇଁ ଆତ୍ମବଳିଦାନ ଦେବା, ଏହି ଆହ୍ଵାନକୁ ଭିତ୍ତିକରି ଔନ୍ୟାସିକ ଉପନ୍ୟାସ ଦ୍ୱୟରେ ଦେଖାଇବା ପାଇଁ ପ୍ରଚେଷ୍ଟା କରିଛନ୍ତି  

ସଙ୍କେତ ସୂଚୀ :

. ମିଶ୍ର, ଦୟାନିଧି : ସଂଯୁକ୍ତା, ଉତ୍କଳ ସାହିତ୍ୟ ପ୍ରେସ, କଟକ, ଦ୍ଵିତୟ ସଂସ୍କରଣ -୧୯୩୪, ପୃଷ୍ଠା-କ

୨. ତୈତ୍ରବ : ପୃଷ୍ଠା-୩୨

୩ . ତୈତ୍ରବ : ପୃଷ୍ଠା-୬୦

୪ ମିଶ୍ର, ଦୟାନିଧି : ରାଣା ପ୍ରତାପସିଂହ , ଷ୍ଟୁଡେଣ୍ଟ ଷ୍ଟୋର, ବ୍ରହ୍ମପୁର, ଦ୍ଵିତୟ ସଂସ୍କରଣ -୧୯୩୦, ପୃଷ୍ଠା -କ

୫ ତୈତ୍ରବ : ପୃଷ୍ଠା-୩୫

୬ ତୈତ୍ରବ : ପୃଷ୍ଠା-୫୧

୭ ତୈତ୍ରବ : ପୃଷ୍ଠା-୧୦୫

ଗବେଷକ

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ସମ୍ବଲପୁର ବିଶ୍ଵବିଦ୍ୟାଳୟ, ଜ୍ୟୋତି ବିହାର, ବୁର୍ଲା

ମୋ: ୭୭୩୫୪୫୯୮୦୨

 

 

 

  

 

 

Share This Article