କବିତାର କାଳରାତ୍ରୀ

କେଦାର ମିଶ୍ର
କେଦାର ମିଶ୍ର 183 Views
6 Min Read

ପ୍ରତିଦିନ ଦୁଇରୁ ଆଠଜଣ ସହିଦ୍ ହୁଅନ୍ତି ମୋର ଦେଶରେ ।

Support Samadhwani

କ୍ଷତାକ୍ତ ହୁଅନ୍ତି ଦଶଜଣ ।

ଭାଙ୍ଗିଯାଏ କୋଡ଼ିଏ ପାଖା ପାଖି ଘର

ବୋମା ମାଡ଼ରେ ।

Support Samadhwani

ଉପୁଡ଼ିଯାଏ ପଚାଶ ପାଖାପାଖି ଅଲିଭ ଗଛ । ଏମାନେ ସମସ୍ତେ କବିତାର ଗଢ଼ଣରେ

ନାଟକରେ ଓ ଅଧା ଚିତ୍ରିତ କାନ୍ଭାସ୍ରେ

ପଡ଼ିଥା’ନ୍ତି ଇତସ୍ତତଃ ।

ପ୍ରକ୍ଷାତ କବି ମେହେମୁଦ୍ ଡ଼ାରଉଇସଂକ କବିତା ‘ଇନ ଦ ସିଏଜ୍ର କିଛି ଅଂଶର ମୁକ୍ତ ଅନୁବାଦ ।

ଲେବାନନ୍ ବା ପାଲେଷ୍ଟାଇନ୍ରେ ଯୁଦ୍ଧର ଯେଉଁ ବିଭିଷିକା ତା’ରି ଭିତରେ ଜୀବନ ବଞ୍ଚାଇ କବିତା ଲେଖିଥିବା ଡ଼ାର୍ଉଇସ୍ ତାଙ୍କର କବିତା ଭିତରେ ମୃତ ମଣିଷ ମାନଙ୍କର ରକ୍ତକୁ ଅନୁଭବ କରିଛନ୍ତି ।ପ୍ରତି ସଭ୍ୟତାରେ ଗାଟେ ସମୟ ଆସ ଯେଉଁଠି ମଣିଷ ତା’ର ନିଜର ସ୍ଥିତିକୁ ନେଇ ସନ୍ଧିଆନ୍ ହୋଇଉଠେ । ମଣିଷ ଓ ମଣିଷ ଭିତରେ କ୍ଷମତାର କନ୍ଦଳ ଡ଼ାକିଆଣେ ଯୁଦ୍ଧ । ଯୁଦ୍ଧରେ ବିଜେତା ଓ ପରାଜିତ ଉଭୟ ମରନ୍ତି । ସତକଥା କହିବାକୁ ଗଲେ ଯୁଦ୍ଧ ସବୁବେଳେ ମାନବିକତାର ସମାଧି ସୃଷ୍ଟି କରେ । ହୁଏତ ଭାରତ ବର୍ଷ ଲେବାନନ୍ ପରି ଯୁଦ୍ଧଗ୍ରସ୍ଥ ନୁହେଁ । ତେବେ ହିଂସା ଓ ମରଣକୁ ନେଇ ଆମ ଦେଶର ପରିସ୍ଥିତି ଲେବାନନ୍ ଠାରୁ ବିଶେଷ ଭିନ୍ନ ନୁହେଁ। ଏଠି ହୁଏତ ଆକାଶରୁ ବୋମା ବର୍ଷୁନାହିଁ ।ତେବେ ଆମର ଜଙ୍ଗଲ ଭିତରେ ଯେତିକି ବନ୍ଧୁକର ଘନଘଟା ତାହା କିଛି କମ୍ ଭୟଙ୍କର ନୁହେଁ । ପ୍ରତିଦିନ ଆମର ପ୍ରିୟ ମଣିଷମାନ ସହିଦ୍ ହେଉଛନ୍ତି । ସେମାନେ ଯଦି ଖାକି ବର୍ଦ୍ଦି ପିନ୍ଧିଥା’ନ୍ତି, ତାହେଲେ ଆମେ ସେମାନଙ୍କୁ ସହିଦ୍ ବୋଲି କହି ତୋପସଲାମି ଦେଇଥାଉ ।ସେମାନେ ଯଦି ମଳିମୁଣ୍ଡିଆ ଆଦିବାସୀ ଓ ସେମାନଙ୍କ ହାତରେ ପୁରୁଣା କାଳିଆ ବନ୍ଧୁକ ଥାଏ, ଆମେ ସେମାନଙ୍କୁ ନକ୍ସଲ ବୋଲି କହି ଘୃଣା କରିଥାଉ । ତେବେ ଏହି ଯୁଦ୍ଧର ଏକମାତ୍ର ଜଘନ୍ୟ ସତ୍ୟ ହେଉଛି ମାନବିକତାର ମୃତ୍ୟୁ । ନକ୍ସଲ ଆନ୍ଦୋଳନ ନାମରେ ଯେଉଁ ବିଦ୍ରୋହ ଷାଠିଏ ଦଶକରେ ଆରମ୍ଭ ହୋଇଥିଲା ଆଜି ତା’ର ନୂତନ କଳେବର ମାଓବାଦ ସାରା ଦେଶ ପାଇଁ ଚିନ୍ତାର କାରଣ ହୋଇଛି । ଚିନ୍ତାର କାରଣ ଏଇଥି ପାଇଁ ଯେ, ଭାରତ ସରକାର ଏହାକୁ ଆମପାଇଁ ସବୁଠୁ ବଡ଼ ସୁରକ୍ଷାର ସଙ୍କଟ ବୋଲି ଘୋଷଣା କରିଛନ୍ତି । ତେବେ ଭାରତ ସରକାର ଯେଉଁ ଦୃଷ୍ଟିକୋଣରୁ ନକ୍ସଲ ଆନ୍ଦୋଳନକୁ ଏକ ସଂକଟ ବୋଲି କହୁଛନ୍ତି, ସେ ସଂକଟ ଭିନ୍ନ କଥା । ସରକାରଙ୍କ ପାଇଁ ଏହା ଏକ ଆନ୍ଦୋଳନ ନୁହେଁ, ବରଂ ସନ୍ତ୍ରାସର ବିଭିସିକା । ଏହାକୁ ଦମନ କରିବାଲାଗି ସରକାର ଏକ ବିରାଟ ସଶସ୍ତ୍ର ବାହିନୀ ଜଙ୍ଗଲକୁ ପଠାଇ ସାରିଛନ୍ତିି । ଅପରସନ୍ ଗ୍ରୀନ୍ହଣ୍ଟ୍ ନାମରେ ଆମର ପୁଲିସ୍ ବାହିନୀ ପ୍ରତିଦିନ କିଛି ଭାରତୀୟଙ୍କୁ ହତ୍ୟା କରୁଛନ୍ତି ଓ ସେମାନଙ୍କର ହତ୍ୟାକୁ ଆମର ସଫଳତା ବୋଲି ପ୍ରଚାର   କରୁଛନ୍ତି । ସମସ୍ୟାଟି ଅଛି ଏଇଠି । ନକ୍ସଲ୍ ଓ ସରକାର ଉଭୟ ରକ୍ତମୁଖା ହେବାକୁ ପଣ କରିଛନ୍ତି । ସେମାନଙ୍କପାଇଁ କ୍ଷମାତାର ଅହଂକାର ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ । ଉଭଅଙ୍କ ପାଖରେ ଅସ୍ତ୍ର ରହିଛି, ତେଣୁ ସେମାନେ ପରସ୍ପରକୁ ଆହ୍ୱାନ ଦେବାପାଇଁ ବେଶ୍ ତତ୍ପର । ଏହାର ପରିଣତି ସମ୍ପର୍କରେ କେହି ଭାବିବାପାଇଁ ଚାହୁଁ ନାହାନ୍ତି । ଏପରିକି ନକ୍ସଲ ଆନ୍ଦୋଳନକୁ ନେଇ ଏକ ଜାତୀୟ ବିତର୍କ ଗଢ଼ି ତୋଳିବା ଲାଗି ଗଣ ମାଧ୍ୟମର ଯେଉଁ ଗୁରୁ ଦାୟିତ୍ୱ ରହିଛି, ତାହା ମଧ୍ୟ ଗଣମାଧ୍ୟମ ପାଳନ କରୁନାହିଁ । ଅନେକ ସମୟରେ ଗଣମାଧ୍ୟମର ରିପୋର୍ଟ ଏକପାଖିଆ ଅଥବା ପ୍ରାୟୋଜିତ ।

ନକ୍ସଲ ଆନ୍ଦୋଳନକୁ ଏକ ରାଜନୈତିକ ପ୍ରସଙ୍ଗ ଭାବରେ ଯଦି ବିଚାର କରାଯାଏ, ତେବେ ଏଥିରୁ ଗୋଟିଏ ଅନୁଭବ ଅନ୍ତତଃ ଆମକୁ ମିଳିବ । ଯେଉଁମାନେ ଅନ୍ଧାର ଭିତରେ ଅଛନ୍ତି ଓ ତଥାକଥିତ ମୁଖ୍ୟ ସ୍ରୋତଠାରୁ ଦୂରରେ ରହୁଛନ୍ତି, ସେମାନଙ୍କ ଭିତରେ ଅସନ୍ତୋଷ ରହିଛି । ଏହି ଅସନ୍ତୋଷର କାରଣ ନିଜେ ସରକାର । ୬୦ବର୍ଷର ସ୍ୱାଧୀନତା ପରେ ମଧ୍ୟ ଏ ଦେଶର ଲୋକେ ଖାଇବାକୁ ନପାଇ ପୋକମାଛି ପରି ମୃତ୍ୟୁବରଣ କରନ୍ତି । ୧୨୫କୋଟି ଲୋକଙ୍କ ସମ୍ପତ୍ତିକୁ ୧୨୫ଜଣ ଲୋକ ନିଜ ଭିତରେ ଭାଗ ବାଣ୍ଟି ପେଟ ବଢ଼ାଇ ଚାଲନ୍ତି । ସେମାନଙ୍କର ବଢ଼ିଚାଲିଥିବା ପେଟ ଉପରେ ସରକାରର କୌଣସି ନିୟନ୍ତ୍ରଣ ନାହିଁ । ବରଂ ସରକାର ସେମାନଙ୍କ ପାଇଁ ସବୁଠୁ ବଡ଼ ସହଯୋଗୀର ଭୂମିକା ଗ୍ରହଣ କରୁଛନ୍ତି । ଜଳ, ଜମି ଓ ଜଙ୍ଗଲ ଏହି ତିନୋଟି ପ୍ରସଙ୍ଗକୁ ନେଇ ଆଜି ସାରା ଭାରତ ନିଜ ଭିତରେ ଯୁଦ୍ଧ କରୁଛି । ଏହି ଯୁଦ୍ଧର ଚିତ୍ର ଅତ୍ୟନ୍ତ ବିଭତ୍ସ । ଭାଇ ଓ ଭାଇ ବନ୍ଧୁକ ଧରି ପରସ୍ପରକୁ ମାରିବା ପାଇଁ କୁରୁକ୍ଷେତ୍ର ଯୁଦ୍ଧରେ ଠିଆ ହୋଇଛନ୍ତି । ଏହି କୁରୁକ୍ଷେତ୍ର ଯୁଦ୍ଧରେ କବିତାର ଭୂମିକା କ’ଣ? କବିତା ଭିତରୁ ଅନ୍ଧାର, ରକ୍ତ, ସନ୍ତ୍ରାସ ଓ ମଣିଷର ଛାତି ଭିତରେ ଗଢ଼ି ଉଠୁଥିବା ଭୟ ପ୍ରବେଶ କରିଛି କି? ଆମ କବିତାରେ ଆମ ସମୟର ସବୁଠୁ ବଡ଼ ରାଜ÷ନୈତିକ ସଙ୍କଟକୁ ନେଇ ଆମେ କିଛି କରିବାର ପ୍ରୟାସ କରିଛୁ କି? ଏହାର ଉତ୍ତର ହୋଇପାରେ ନିଶ୍ଚିତ ରୂପେ ଆମେ କିଛି କହିବାକୁ ଚାହୁଁଛୁ ଓ ଚାହୁଁଛୁ । ତେବେ ଯ।। କହିଛୁ ତାହା ଯଥେଷ୍ଟ ନୁହେଁ । କହିବାକୁ ଚାହିଁବା ପାଇଁ ଯେତିକି ବ୍ୟାକୁଳତା ଲୋଡ଼ା, ସେତିକି ବ୍ୟାକୁଳତା ଆମ ପାଖରେ ନାହିଁ । ସମକାଳୀନ ଭାରତୀୟ କବିତାରେ ସଙ୍କଟ ଅପେକ୍ଷା ସ୍ୱପ୍ନର ପ୍ରଭାବ ଅଧିକ । ଦୁର୍ଭାଗ୍ୟକ୍ରମେ କବିତା ଲେଖୁଥିବା ଭାରତୀୟ ସମାଜଟି ଏକ ମଧ୍ୟବିତ୍ତ ଜୀବନର ପ୍ରତିନିଧି । ଆଜିର ସମୟ ହେଉଛି ମଧ୍ୟବିତ୍ତର ଉଡ଼ାଣର ସମୟ । ଆକାଶ ଛୁଇଁବା ଲାଗି ମଧ୍ୟବିତ୍ତର ଆଖିରେ ଚମକ୍ରାର ସ୍ୱପ୍ନ ବୁଣା ଯାଇଛି । ଚାକିରି ଓ ଲକ୍ଷ ଲକ୍ଷ ଟଙ୍କାର ଦରମା ପ୍ୟାକେଜକୁ ନେଇ ଆମର ମଧ୍ୟବିତ୍ତ ଏତେ ବିଭୋର ଯେ, ତା’ପାଖରେ ପାଦ ତଳର ମାଟି କଥା ଭାବିବା ପାଇଁ ସମୟ ନାହିଁ । କବିତାରେ ଏକପ୍ରକାର ରହସ୍ୟମୟ ସ୍ୱପ୍ନିଳ ସ୍ଥିତି କେବଳ ଏହି କାରଣରୁ ହିଁ ଆସିଛି । କୋଡ଼ିଏ ଚାଳିଶ ବର୍ଷ ପୂର୍ବରୁ ଆମ କବିତାରେ ଯେଉଁ ନିଃସଙ୍ଗତା ଓ ଛିନ୍ନମୂଳ ଭାବ ଆସିଥିଲା, ତା’ର ଆମଦାନୀ ବିଦେଶରୁ । ଆଜି ଏକପ୍ରକାର ସୁଖର କବିତାରେ ଆମେ ମଗ୍ନ ଅଛୁ । ବଲିଉଡ଼ର ଭାଷାରେ କହିଲେ ଏକ ସହଜ ବିନ୍ଦାସ୍ ଜୀବନଚର୍ଯ୍ୟା ଆମ କବିତାକୁ ସହଜିଆ ଓ ଅଗଭୀର କରିଚାଲିି । ସେଠି କାଳରାତ୍ରିକୁ ଭୋଗିବା ତୀବ୍ରତା ନାହିଁ । ରକ୍ତକୁ ଦେଖି ଚିକ୍ରାର କରୁଥିବା ମଣିଷର ଆର୍ତ୍ତି ନାହିଁ । ଯଦି ବା ଆମେ କାଁ ଭାଁ କେତେବେଳେ ଆମେ ହିଂସା ଓ ମରଣକୁ ନେଇ କବିତା ଲେଖୁଛୁ, ତାହା ଅତିମାତ୍ରାରେ ରୋମାଣ୍ଟିକ୍ । କାଳରାତ୍ରିକୁ ଭୋଗିବା ଲାଗି ସ୍ୱପ୍ନ ସବୁବେଳେ ବଡ଼ ପ୍ରତିବନ୍ଧକ । ଖୋଲା ଆଖିରେ ଅନିଦ୍ରା ରହି କାଳରାତ୍ରିକୁ ଭୋଗିବାକୁ ପଡ଼େ । ନିଜ ଦେହର ପ୍ରତ୍ୟେକ ଅଂଶରେ କ୍ଷତର ଯନ୍ତ୍ରଣା ଅନୁଭବ ନକଲେ କବିତା ତୀବ୍ର ହୁଏନାହିଁ । ସେମିତି ଏକ ତୀବ୍ର ଅନୁଭବକୁ ଆମର କବିତା କେବେ ଉତ୍ତାରିବ କେଜାଣି?

Share this Article
କବି, ସାମ୍ବାଦିକ, ସଙ୍ଗୀତ ସମାଲୋଚକ