ଷ୍ଟିଫେନ ହକିଂଙ୍କ ପଛର ନାରୀ

17 Min Read

ଗାଲିଲିଓ, ନ୍ୟୁଟନ ଓ ଆଇନଷ୍ଟାଇନଙ୍କର ସମକକ୍ଷ ବୈଜ୍ଞାନିକ ହେଉଛନ୍ତି ଷ୍ଟିଫେନ ହକିଙ୍ଗ, ଏହା ହିଁ ତାଙ୍କର ମୃତ୍ୟୁ ପରେ ବହୁ ପ୍ରଚାରିତ ସମ୍ବାଦ । ଯେଉଁଦିନ ଷ୍ଟିଫେନ ହକିଙ୍ଗଙ୍କର ଜନ୍ମ ହୋଇଥିଲା, ୮ ଜାନୁଆରୀ ୧୯୪୨, ସେହି ଦିନ ଅବଶ୍ୟ ୩୦୦ ବର୍ଷ ପୂର୍ବେ, ଗାଲିଲିଓଙ୍କର ହୋଇଥିଲା ମୃତ୍ୟୁ । ଏହାହିଁ ବୋଧହୁଏ ଥିଲା କାରଣ ଯେ ଗାଲିଲିଓ ଥିଲେ ତାଙ୍କର ହିରୋ । (ପୃ ୧୭୯)  ଯେଉଁ ଦିନ ଷ୍ଟିଫେନ ହକିଙ୍ଗଙ୍କର ମୃତ୍ୟୁ ହେଲା, ୧୪ ମାର୍ଚ୍ଚ ୨୦୧୮, ସେହି ଦିନ, ଅବଶ୍ୟ ୧୩୯ବର୍ଷ ପୂର୍ବେ, ଆଇନଷ୍ଟାଇନଙ୍କର ହୋଇଥିଲା ଜନ୍ମ ।

Support Samadhwani

କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ତିରିଶ ବର୍ଷ ଧରି (୧୯୭୯ରୁ ୨୦୦୯) ଯେଉଁ ପଦବୀ ଧାରଣ କରୁଥିଲେ, ଲୁକାସିଆନ ପ୍ରଫେସର ଅଫ ମାଥେମାଟିକ୍ସ (Lucasian Professor of Mathematics), ତାହାକୁ ପ୍ରଥମେ ମଣ୍ଡନ କରିଥିଲେ ଆଇଜାକ୍ ନ୍ୟୁଟନ (୧୬୬୯ରୁ ୧୭୦୨) । ନୋବେଲ ପୁରସ୍କାରକୁ ବାଦ୍ ଦେଲେ ବୋଧହୁଏ ଏପରି କୌଣସି ପୁରସ୍କାର ବା ସମ୍ମାନ ପଦାର୍ଥ ବିଜ୍ଞାନରେ ନାହିଁ, ଯାହା ଷ୍ଟିଫେନ ହକିଙ୍ଗ୍ଙ୍କୁ ପ୍ରାପ୍ତ ହୋଇନଥିଲା । ତାଙ୍କୁ ପୁରସ୍କୃତ କରିବାର ସୌଭାଗ୍ୟରୁ କୌଣସି ବିଶ୍ୱବିଦ୍ୟାଳୟ ବା ବିଜ୍ଞାନ ସଂଗଠନ ପଛରେ ପଡ଼ିଯିବାକୁ ଚାହୁଁ ନଥିଲେ ।

ମୂଳତଃ ଜଣେ ବ୍ରହ୍ମାଣ୍ଡ ତତ୍ତ୍ୱବିଦ୍ (cosmologist) ଓ ଆପେକ୍ଷିକ ତତ୍ତ୍ୱବିଦ୍ (Relativist), କୃଷ୍ଣଗର୍ତ୍ତ (Black hole)ର ଅବଧାରଣାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ସେ ସମୁଦାୟ ବୈଜ୍ଞାନିକ ଜଗତକୁ ଚକିତ କରି ଦେଇଥିଲେ । କୃଷ୍ଣଗର୍ତ୍ତ ସୀମାନ୍ତରେ ସର୍ବଗ୍ରାସୀ ମାଧ୍ୟାକର୍ଷଣ, ଏହାର ଆଭ୍ୟନ୍ତର ଅବସ୍ଥାକୁ ସବୁ ସମୟ ପାଇଁ ଲୁକ୍କାୟିତ ରଖିପାରେ ଅର୍ଥାତ୍ ତା’ଭିତରୁ କୌଣସି ବିକିରଣ ସମ୍ଭବ ନୁହେଁ, ଏହି ପ୍ରଚଳିତ ଧାରଣାର ଏକ ବିରୋଧୀ ଧାରଣା ସେ ପ୍ରତିପାଦିତ କରିଥିଲେ । କୃଷ୍ଣଗର୍ତ୍ତ ନିରନ୍ତର ପ୍ରବାହରେ କଣିକା ବିକିରଣ କରିପାରେ, କୃଷ୍ଣଗର୍ତ୍ତର କାଳକ୍ରମେ କ୍ଷୟ ହୋଇପାରେ ଓ ଶେଷରେ ତାହାର ବିସ୍ଫୋରଣ ହୋଇପାରେ ଓ ସତ୍ତାର ବିଲୟ ହୋଇପାରେ । ଏହି ନିଷ୍କର୍ଷରେ ଷ୍ଟିଫେନ ହକିଙ୍ଗ ଉପନୀତ ହୋଇଥିଲେ ସାଧାରଣ ଆପେକ୍ଷିକ ତତ୍ତ୍ୱ (General Theory of Relativity) ଓ କ୍ୱାଣ୍ଟମ ମେକାନିକ୍ସ (Quantum Mechanics)ର ଅବଧାରଣାଗୁଡ଼ିକର ମିଳିତ ପ୍ରୟୋଗ କରି । ଏହା ଫଳରେ କ୍ଷୁଦ୍ରାତି କ୍ଷୁଦ୍ର କଣିକାରୁ ଆରମ୍ଭ କରି ବୃହତ ମହାଜାଗତିକ ପିଣ୍ଡର ଗତି ଓ ପ୍ରକୃତିକୁ ଗୋଟିଏ ଏକୀକୃତ ତତ୍ତ୍ୱ  (Unified Theory) ଦ୍ୱାରା ବୁଝିବାର ସମ୍ଭାବନା ସୃଷ୍ଟି ହେଲା ।

କିନ୍ତୁ ଏହି  ନିଷ୍କର୍ଷକୁ ଯେତେବେଳେ ଷ୍ଟିଫେନ ହକିଙ୍ଗ ଏକ ବିଜ୍ଞାନ ସେମିନାରରେ ଉପସ୍ଥାପିତ କରୁଥିଲେ ଓ ଶ୍ରୋତା ମହଲରେ ସମ୍ପୂର୍ଣ ନୀରବତା ବିଦ୍ୟମାନ ଥିଲା, ସେତେବେଳେ ସେମିନାରର ହତଚକିତ ଅଧ୍ୟକ୍ଷ ଠିଆ ହୋଇପଡ଼ିକହିଲେ, “ଦେଖନ୍ତୁ, ଏହା ସମ୍ପୂର୍ଣ୍ଣ ଭାବରେ ସାଧାରଣ ଜ୍ଞାନର ବିରୋଧୀ ! ମୁଁ ଏପରି ମତ କେଭେଁ ଶୁଣି ନାହିଁ । ଏହି ଅଧିବେଶନକୁ ସହସା ସମାପ୍ତ ଘୋଷଣା କରିବା ଛଡ଼ା ମୋର ଆଉ କୌଣସି ବିକଳ୍ପ ନାହିଁ ।” (ପୃ ୨୧୧) ଅଧ୍ୟକ୍ଷ ମହୋଦୟ କୃଷ୍ଣଗର୍ତ୍ତର ପ୍ରଚଳିତ ଧାରଣା, ଯାହାକୁ ସେ ଅକାଟ୍ୟ ସତ୍ୟ ବୋଲି ଧରିନେଇଥିଲେ, ତାହା ପ୍ରତି ଷ୍ଟିଫେନ ହକିଙ୍ଗଙ୍କର ଧାରଣା ଥିଲା ଯେପରି ଧର୍ମଦ୍ରୋହୀ ।

Support Samadhwani

ତେଣୁ ସେ ଏତେ ବିବ୍ରତ ହୋଇପଡ଼ିଥିଲେ ଯେ, ଉପସ୍ଥାପନ ପରେ ସାଧାରଣତଃ ହେଉଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସେ ବାତିଲ କରିଦେଲେ, ଅଧିବେଶନର ତତକ୍ଷଣାତ୍ ସମାପ୍ତି ଘୋଷଣା କରି । ଏପରିକି ଉପସ୍ଥାପକଙ୍କୁ ଧନ୍ୟବାଦ ଦେବାର ସୌଜନ୍ୟତାକୁ ମଧ୍ୟ ସେ ପାଶୋର ହୋଇଯାଇଥିଲେ । ହୁଇଲ ଚେଆରରେ ବସି, କ୍ଷୀଣ ସ୍ୱରରେ ଉପସ୍ଥାପନ କରୁଥିବା ଷ୍ଟିଫେନ ହକିଙ୍ଗଙ୍କୁ ଏହା କିପରି ଆଘାତ ଦେଇଥିବ, ତାହା ସହଜରେ ଅନୁମେୟ । କିନ୍ତୁ ଏହି ନିଷ୍କର୍ଷ ହିଁ ତାଙ୍କୁ ଏକ ଅନନ୍ୟ ପଦାର୍ଥବିଜ୍ଞାନୀ ଭାବେ ପରିଚିତି ଦେଲା, ପୁରସ୍କାର ଓ ସମ୍ମାନର ସୁଅ ଛୁଟିଲା ।

ଏହି ନିଷ୍କର୍ଷ ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ନେଚର୍ ରେ ପ୍ରକାଶିତ ହେବା ପରେ ପରେ ଷ୍ଟିଫେନ ହକିଙ୍ଗ ମାତ୍ର ୩୩ବର୍ଷ ବୟସରେ ବିଖ୍ୟାତ ରୟାଲ୍ ସୋସାଇଟିର ଫେଲୋ ଭାବେ ନିର୍ବାଚିତ ହେଲେ । ତାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ଷ୍ଟିଫେନ ହକିଙ୍ଗ । ଗଣମାଧ୍ୟମ ପାଇଁ ସେ ହୋଇଗଲେ ଏକ ଆକର୍ଷଣୀୟ ଛବି, ଏକ ବହୁ ଯନ୍ତ୍ରଖଚିତ ଚକଲଗା ଚେଆର(Wheel chair)ରେ ଗୋଟିଏ ପଟକୁ ମୁଣ୍ଡ ଝୁଲାଇ ବସିଥିବା ଷ୍ଟିଫେନ ହକିଙ୍ଗ୍ । ଶାରୀରିକ ଅକ୍ଷମତା ସତ୍ତେ୍ୱ ତାଙ୍କର ବୈଜ୍ଞାନିକ ସୃଜନଶୀଳତା ବିସ୍ମୟକର ଥିଲା ଓ ଏହାହିଁ ଥିଲା ତାଙ୍କ ପ୍ରତି ଗଣମାଧ୍ୟମର ଆକର୍ଷଣର କାରଣ । ତାଙ୍କର ପ୍ରଥମ ପତ୍ନୀ ଜେନ ହକିଙ୍ଗଙ୍କ ଭାଷାରେ, “ତାଙ୍କ ସ୍ଥିତିର ବିରୋଧାଭାଷ (paradox) ହିଁ ତାଙ୍କୁ ଗଣମାଧ୍ୟମର ପ୍ରିୟ କରିଥିଲା ।”(ପୃ ୨୭୬)

ଯେତେବେଳେ ଷ୍ଟିଫେନ ହକିଙ୍ଗଙ୍କର ଶାରୀରିକ ଅକ୍ଷମତା ସତ୍ତେ୍ୱ ତାଙ୍କର ବୈଜ୍ଞାନିକ ସୃଜନଶୀଳତାକୁ ନେଇ ପ୍ରଶଂସାରେ ସମସ୍ତେ ମୁଖର ହେଉଥିଲେ, ଅକ୍ଷମତାକୁ ଅତିକ୍ରମ କରିବାରେ ତାଙ୍କର ସାହସକୁ ବଧେଇ ଜଣାଉଥିଲେ, ସେତବେଳେ ଜଣେ ସ୍ୱେଚ୍ଛାସେବୀ ମହିଳା ରୁଥ୍ ହଗସ୍ (Ruth Hughes) ଜେନ ହକିଙ୍ଗଙ୍କୁ କହିଥିଲେ, “ଯେ ସେ ପ୍ରଥମେ ଷ୍ଟିଫେନଙ୍କୁ ଦେଖିଲେ କାଲଟେକର ଫାକଲ୍ଟି କ୍ଲବ, ଆଥେନିୟମରେ, ଏବଂ ଯେତେବେଳେ ସମସ୍ତେ ତାଙ୍କର ସାହସ ଏବଂ ମେଧାକୁ ପ୍ରଶଂସା କରୁଥିଲେ, ଏପରି ଏକ ଦେଶରେ ଯେଉଁଠି ସଫଳତାକୁ ପୂଜା କରାଯାଏ ଓ ଅସଫଳତା  ଉପରେ ବିଳାପ କରାଯାଏ, ସେତେବେଳେ ସେ ନିଜକୁ କହୁଥିଲେ ଏହି ଭଳି ଜଣେ ବ୍ୟକ୍ତି ପଛରେ ସମାନ ଭାବରେ ସାହାସୀ କେହି ଜଣେ ନିଶ୍ଚୟ ଅଛି ।”

ଯେତେବେଳେ ଷ୍ଟିଫେନଙ୍କୁ ପାପାଲ ପଦକ(Papal medal) ଦ୍ୱାରା ସମ୍ମାନିତ କରାଗଲା ସେତେବେଳେ ରୁଥ୍ ଜେନ ହକିଙ୍ଗଙ୍କୁ ଏକ ମୁକ୍ତାର ଗହଣା ଉପହାର ସଦୃଶ ଦେଇଥିଲେ । (ପୃ ୨୩୪) କହିବା ବାହୁଲ୍ୟ ଯେ ଷ୍ଟିଫେନଙ୍କ ସଫଳତା ପଛରେ ପତ୍ନୀ ଜେନକୁ ହିଁ ସ୍ୱୀକୃତି ଦେଉଥିଲେ ରୁଥ୍ ।

ଜେନ୍ ପ୍ରକୃତରେ ଜଣେ ସାହସୀ ମହିଳା । ସେ ଏହା ଜାଣି ବିବାହ କରିଥିଲେ ଯେ ଷ୍ଟିଫେନ ଏକ ଦୁଃସାଧ୍ୟ ସ୍ନାୟବିକ ରୋଗରେ ପୀଡ଼ିତ । ଷ୍ଟିଫେନଙ୍କ ପିତା ଫ୍ରାଙ୍କ ତ ଜେନ୍ କୁ  ସତର୍କ କରାଇ ଦେଇଥିଲେ ଯେ ଷ୍ଟିଫେନଙ୍କର ଆୟୁଷ ବେଶୀ ନୁହେଁ ଓ ବୈବାହିକ ସମ୍ପର୍କ ପାଇଁ ତାଙ୍କଠାରେ ସାମର୍ଥ୍ୟ ମଧ୍ୟ ବେଶୀ ଦିନ ରହିବ ନାହିଁ । ଷ୍ଟିଫେନଙ୍କ ମାତା ଜେନ୍ଙ୍କୁ ଷ୍ଟିଫେନ୍ଙ୍କ ରୋଗ ବିଷୟରେ ସବୁକିଛି ଜଣାଇଦେବାକୁ ଚାହୁଁଥିଲେ । କିନ୍ତୁ ଜେନ୍ କିଛି ଜାଣିବା ପାଇଁ ଆଗ୍ରହୀ ନ ଥିଲେ କାରଣ ତାଙ୍କରି ଭାଷାରେ,“ମୁଁ ଷ୍ଟିଫେନ୍ଙ୍କୁ ଏତେ ଭଲ ପାଉଥିଲି ଯେ ତାଙ୍କୁ ବିବାହ କରିବାରୁ କେହି ମୋତେ ଅଟକାଇ ପାରିନଥାନ୍ତେ । ମୁଁ ନିଶ୍ଚିତ ଥିଲି ଯେ ତାଙ୍କୁ ନେଇ ହିଁ ମୁଁ ପରିବାର କରିବି, ମୋର ସମସ୍ତ ପୂର୍ବ ମହତ୍ତ୍ୱାକାଂକ୍ଷାକୁ ପଛରେ ପକାଇ ଦେଇ, ଯାହା ମୋ ସମ୍ମୁଖରେ ଥିବା ଆହ୍ୱାନ ତୁଳନାରେ ଅତ୍ୟନ୍ତ ନିରର୍ଥକ ମନେ ହେଉଥିଲା ।”(ପୃ ୬୪)

ବ୍ରିଟିଶ ପ୍ରଶାସନିକ ସେବାର ଜଣେ ଅଧିକାରୀଙ୍କର କନ୍ୟା ଜେନ୍ ଥିଲେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଭାଷାର ଛାତ୍ରୀ ଓ ଭାଷା ଅଧ୍ୟାପନା ଓ ଗବେଷଣାରେ ନିଜର ଏକ ପରିଚୟ ସୃଷ୍ଟି କରିବାର ମହତ୍ତ୍ୱାକାଂକ୍ଷା ତାଙ୍କର ଥିଲା । କିନ୍ତୁ ଏହାକୁ ସେ ପଛରେ ପକାଇ ମାତ୍ର ୨୧ବର୍ଷ ବୟସରେ ସେ ବିବାହ କଲେ ଷ୍ଟିଫେନଙ୍କୁ ଯାହା ପଞ୍ଜୀକୃତ ହୋଇଥିଲା ୧୪ ଜୁଲାଇ ୧୯୬୫ ଦିନ । ଷ୍ଟିଫେନଙ୍କ ବୟସ ସେତେବେଳେ ମାତ୍ର ୨୩ବର୍ଷ । ଦୁଇବର୍ଷ ତଳୁ ଜଣାପଡ଼ିଲାଣି ଯେ ଷ୍ଟିଫେନ ଦୁଃସାଧ୍ୟ ସ୍ନାୟବିକ ରୋଗ (Amyotrophic Lateral Sclerosis (ALS)ରେ ପୀଡ଼ିତ ଯାହାର ପରିଣତି ହେଲା ଯେ ତାଙ୍କର ଅଙ୍ଗପ୍ରତ୍ୟଙ୍ଗ, ଶରୀରର ସମସ୍ତ କ୍ରିୟାକ୍ଷମ ଅଂଶଗୁଡିକ ସେମାନଙ୍କର କ୍ଷମତା କ୍ରମଶଃ ହରାଇ ବସିଲେ, କେବଳ ମସ୍ତିଷ୍କକୁ ଛାଡ଼ି । ଯେତେବେଳେ ଜଣାପଡିଥିଲା ଏହି ରୋଗ, କ୍ୱଚିତ କେହି ଭାବୁଥିଲା ଯେ ଷ୍ଟିଫେନ ମାତ୍ର କେଇଟା ବର୍ଷଠାରୁ ଅଧିକ ଦିନ ବଂଚି ପାରିବେ ବୋଲି । ଡାକ୍ତର ତ କହିଥିଲେ ଯେ ଦୁଇବର୍ଷରୁ ଅଧିକ ନୁହେଁ ।(ପୃ ୪୭୯)

ସେହି ସମୟରେ ଜେନ୍ ଷ୍ଟିଫେନଙ୍କ ହାତ ଧରିଥିଲେ  ଓ ନିଜର ମହତ୍ତ୍ୱାକାଂକ୍ଷାକୁ ସମ୍ମୁଖରେ ଥିବା ଆହ୍ୱାନ ତୁଳନାରେ ନିରର୍ଥକ ମନେ କରିଥିଲେ । କ’ଣ ଥିଲା ସେ ଆହ୍ୱାନ ଓ କିପରି ସେ ତା’ର ହେଉଥିଲେ ସମ୍ମୁଖୀନ? ତାହାର ଝଲକ ମିଳେ ଯେତେବେଳେ ଜେନ୍ ତାଙ୍କର ଅଭିଜ୍ଞତାକୁ ବର୍ଣ୍ଣନା କରି ଲେଖନ୍ତି, “ଗୋଟିଏ ଉଚ୍ଚା ଧାର ଜାଗା ବା ପାହାଚ, ପାହାଚର ସିଡ଼ି ତ ଦୂରର କଥା, ଏପରି ପ୍ରତିବନ୍ଧକ ସୃଷ୍ଟି କରେ ଯେ ଗୋଟିଏ ସାଧାରଣ ପରିବାର ପାଇଁ ସେମାନଙ୍କର ବାହାରକୁ ବୁଲାଇବାକୁ ଯିବା ଏକ ଦୁର୍ଯୋଗରେ ପରିଣତ  ହୋଇଯାଇପାରେ ।

ମାତ୍ର ପଚାଶ କିଲୋ ଓଜନର ମୋ ଶରୀର ଏପରି ଶକ୍ତିଶାଳୀ ନୁହେଁ ଯେ ମୁଁ କାହାରି ସାହାଯ୍ୟ ନ ନେଇ ଏହି ପ୍ରତିବନ୍ଧକକୁ ଅତିକ୍ରମ କରିପାରିବି । ଆଖ ପାଖକୁ ଚାହିଁ ଖୋଜୁଥାଏ ଯାଉଥିବା କେହି ପୁରୁଷ ଲୋକ ଦେଖାଯିବେ ଯାହାଙ୍କୁ ମୁଁ ସାହାଯ୍ୟ ପାଇଁ ଅନୁରୋଧ କରିବି । ତାପରେ ମୋ କୋଳରେ ଥିବା ଶିଶୁଟିକୁ କେହିପାଖରେ ଥିବା ଦୟାଳୁ ମହିଳାଙ୍କ ହାତକୁ ବଢ଼ାଇ ଦେବି । ତାପରେ ସେହି ପୁରୁଷ, (ତିନି ବର୍ଷର) ପୁଅ ରବର୍ଟ ଓ ମୁଁ ଚେଆରକୁ ସେଥିରେ ବସିଥିବା ମଣିଷ ସହିତ ଉପରକୁ ଟେକିବୁ ପ୍ରତିବନ୍ଧଟିକୁ ଅତିକ୍ରମ କରିବା ପାଇଁ । ବ୍ୟସ୍ତ ହେଉଥିବି, ସାହାଯ୍ୟ କରୁଥିବା ପୁରୁଷ ଜଣକ ଚେଆରକୁ ଟେକିବାରେ କିଛି ଭୁଲ କରିଦେଉ ନାହାନ୍ତି ତ, ହାତ ବା ଗୋଡ଼ ରଖିବା ଜାଗାକୁ ଟେକି ଦେଉନାହାନ୍ତି ତ ।”(ପୃ ୧୫୯)

କହିବା ବାହୁଲ୍ୟ ଯେ ଚେଆରରେ ବସିଥିବା ବ୍ୟକ୍ତି  ହେଉଛନ୍ତି ଷ୍ଟିଫେନ ହକିଙ୍ଗ । ଷ୍ଟିଫେନଙ୍କ ଚେଆରକୁ ଉଠାଇବାରେ ସାହାଯ୍ୟ କରୁଥିବା କେହି କେହି ପଚାରିଥାନ୍ତି, “କ’ଣ ୟାଙ୍କୁ ଖୋଉଛ? ଏତେ କ୍ଷୀଣ ଶରୀର ଏତେ ଓଜନିଆ କିପରି?” (“What do you feed him on ? He weighs a ton for such a slight chap.”) ଜେନ୍ଙ୍କର ଉତ୍ତର ହୋଇଥାଏ, “ସବୁ ଓଜନ ତାଙ୍କ ମସ୍ତିଷ୍କରେ ।” ( “It is all in his brain.”)

ଜେନ୍ ତେଣୁ ବାହାରି ପଡ଼ନ୍ତି ଏକ ବିକ୍ଷୋଭ ପଟୁଆରରେ, କଅଁଳା କନ୍ୟାକୁ ବେକରୁ ଓହଳିଥିବା ଝୁଲିରେ ପକାଇ, ହାତରେ ଷ୍ଟିଫେନଙ୍କର ହୁଇଲ ଚେଆରକୁ ପେଲି ପେଲି, ପାଖରେ ଦଉଡୁଥିବା ଶିଶୁ ପୁତ୍ର ସାଙ୍ଗରେ । ଦାବି ଯେ ଦୀର୍ଘ ସମୟରୁ ପୀଡ଼ିତ ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ପାଇଁ ଜୀବନ ଧାରଣକୁ ସହଜ କର । ଜେନ୍ ପ୍ରଶ୍ନ କରୁଥିଲେ, “ଏକ ନିଷ୍ଠୁର ପ୍ରକୃତି ଦ୍ୱାରା ଜୀବନଚର୍ଯ୍ୟା ଉପରେ ଆରୋପିତ କଟକଣା ବ୍ୟତିରେକେ ଆଉ କୌଣସି କଟକଣା କାହିଁକି ସେ (ଷ୍ଟିଫେନ)ଭୋଗିବାକୁ ବାଧ୍ୟ ହେବେ?

କାହିଁକି ତାଙ୍କ ପାଇଁ ଜୀବନକୁ କଷ୍ଟପ୍ରଦ କରିବେ ଅଦୂରଦର୍ଶୀ ଅମଲା, ଯେତେବେଳେ କି ସତୁରୀ ଦଶକ ବ୍ରିଟେନର ବିପତ୍ତି ଏହି ଚହଟ-ଚିକ୍କଣ ଅଧିକାରୀଙ୍କ ଠାରୁ ଭିନ୍ନ, ପ୍ରତିଦିନ ସେ ତାଙ୍କ ଜୀବନର ସୀମିତ ସୁଯୋଗର  ବହୁଳ ସଦୁପଯୋଗ କରୁଛନ୍ତି?” (ପୃ ୧୬୦) ଏହିଭଳି ପ୍ରତିକ୍ରିୟାର କାରଣ ଥିଲା ଯେ ବ୍ରିଟିଶ ସରକାର ଯଦିଓ ୧୯୭୦ ମସିହାରେ  Chronically Sick Disabled Person’s Act, ପ୍ରଣୟନ କରିଥିଲେ ଏହାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାରେ ସେଭଳି ତତ୍ପରତା ଦେଖାଯାଇ ନଥିଲା ।

କିନ୍ତୁ ପରିବାରର ଏହି ସହେଯାଗକୁ ଗୁରୁତ୍ୱ ଦେବାର ଆବଶ୍ୟକତା କେତେ ଅନୁଭବ କରୁଥିଲେ ଷ୍ଟିଫେନ ହକିଙ୍ଗ? ଷ୍ଟିଫେନ ହକିଙ୍ଗ ନିଜର ବୈଜ୍ଞାନିକ ଗବେଷଣାର ସଫଳତା ପାଇଁ ପରିବାରର ବିଶେଷତଃ ପତ୍ନୀ ଜେନ୍ଙ୍କର ଭୂମିକାକୁ ସ୍ୱୀକୃତି ଦେବେ ଏହା ଜେନ୍ ଆଶା କରିବା ସ୍ୱାଭାବିକ । କିନ୍ତୁ ଏହା ହେଉ ନ ଥିଲା । ୧୯୭୪ ମସିହାରେ ରୟାଲ ସୋସାଇଟିର ଫେଲୋସିପ୍ ପାଇଁ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜେନ୍ଙ୍କ ଦ୍ୱାରା ଆୟୋଜିତ ଏକ ବନ୍ଧୁ ମିଳନରେ ଯେତେବେଳେ ଷ୍ଟିଫେନ୍ ହକିଙ୍ଗ ତାଙ୍କ ହୁଇଲ ଚେଆରରୁ ଉପସ୍ଥିତ ସମସ୍ତ ଅତିଥିଙ୍କୁ ତାଙ୍କର କ୍ଷୀଣସ୍ୱରରେ ତାଙ୍କର ଗବେଷଣା ସମ୍ପର୍କରେ ଏକ ବିବରଣୀ ଦେଇ ଧନ୍ୟବାଦ୍ ଦେଉଥିଲେ, ସେତେବେଳେ ସେହି କୋଠରୀରେ ଛିଡ଼ା ହୋଇଥିବା ଜେନ୍ ଓ ଦୁଇ ପିଲାଙ୍କୁ ସେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ଦେଇଥିଲେ ।

ଜେନ୍ ଲେଖନ୍ତି, “ଦୁଇ ପିଲାଙ୍କୁ ମୋ ବାହୁରେ ବେଢ଼ି, ମୁଁ କୋଠରୀର ଗୋଟିଏ କୋଣରେ ଠିଆ ହୋଇ ଅପେକ୍ଷା କରିଥାଏ ଯେ ସେ ଆମ ଆଡ଼କୁ ବୁଲି ମୃଦୁ ହସି, ମୁଣ୍ଡ ହଲାଇ ସ୍ୱୀକୃତି ଜଣାଇବେ ଆମ ନ’ଅ ବର୍ଷ ବିବାହର ପାରିବାରିକ ସଫଳତାକୁ । ଏହା ବୋଧହୁଏ ଅନିଚ୍ଛାକୃତ ତ୍ରୁଟି ଥିଲା ଯେ ସେହି ମୁହୂର୍ତ୍ତର ଉତ୍ତେଜନାରେ ସେ ଆମ ବିଷୟରେ କହିବାକୁ ଭୁଲିଗଲେ । କରତାଳି ଧ୍ୱନି ଭିତରେ ସେ ତାଙ୍କର ବକ୍ତବ୍ୟ ଶେଷକଲେ, ଆଉ ମୁଁ ମୋର ମୋର ନୈରାଶ୍ୟକୁ ଲୁଚାଇବାକୁ ଯାଇ ମୋର ଓଠକୁ କାମୁଡି ଧରିଲିା ” (ପୃ ୨୧୩)

ନିଜର ମହତ୍ତ୍ୱାକାଂକ୍ଷାକୁ ପଛରେ ପକାଇ ନିଜର ସମସ୍ତ ସମୟକୁ ଷ୍ଟିଫେନଙ୍କ ତତ୍ତ୍ୱାବଧାନରେ ସମର୍ପି ଦେଇଥିବା ଜେନ୍, ଷ୍ଟିଫେନଙ୍କ ସଫଳତାରେ ତାଙ୍କର ଭୂମିକା ପାଇଁ ଷ୍ଟିଫେନଙ୍କଠାରୁ ନିଃସନ୍ଦେହ ସ୍ୱୀକୃତି ଚାହୁଁଥିଲେ, ଯାହା ସ୍ୱାଭାବିକ । କିନ୍ତୁ ଷ୍ଟିଫେନଙ୍କର ଯେଉଁ ପରିମାଣରେ ପ୍ରସିଦ୍ଧି ବଢୁଥିଲା, ସେହି ପରିମାଣରେ ଯେପରି ଜେନ୍ ଓ ଷ୍ଟିଫେନଙ୍କ ମଧ୍ୟରେ ଦୂରତା ବଢୁଥିଲା । ଜେନ୍ଙ୍କ ପାଇଁ ଏହା ବୋଧହୁଏ ସବୁଠାରୁ ଦୁଃଖଦ ଅଭିଜ୍ଞତା ଥିଲା ଯେ ଷ୍ଟିଫେନ ତାଙ୍କୁ ଦିନେ ଅବିଶ୍ୱାସ କରିବେ ।

ଏହା ଥିଲା ଷ୍ଟିଫେନଙ୍କ ରଚିତ A Brief History of Time ପ୍ରକାଶନ ଜଗତରେ ଅଭୂତପୂର୍ବ ସଫଳତାର ପରିଣତି । ଜେନ୍ ଲେଖନ୍ତି, “୧୯୮୫ ମସିହାରେ A Brief History ପାଇଁ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବା ପରଠାରୁ ମୁଁ ହିଁ ନ୍ୟୁୟର୍କ ସ୍ଥିତ ଏଜେଣ୍ଟଙ୍କ ସହ ପତ୍ର ବିନିମୟ କରୁଥିଲି । ଯେଉଁ  ଅୟୋଜନ ଅନୁସାରେ ମୁଁ ବହିରୁ ମିଳୁଥିବା ରୟାଲଟି କଥା ବୁଝୁଥିଲି, ସେ ଆୟୋଜନକୁ ମୋ ପିଠି ପଛରେ କୌଣସି କାରଣ ନ ଥାଇ ଓଲଟାଇ ଦିଆଗଲା ।

ଏହି ପରିବର୍ତ୍ତନ ସମ୍ପର୍କରେ ମୁଁ ଜାଣିଲି ନ୍ୟୁୟର୍କସ୍ଥିତ ଏଜେଣ୍ଟଙ୍କଠାରୁ । ସେ ମୋତେ ଜଣାଇଲେ ଯେ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବହି ସମ୍ପର୍କିତ ସମସ୍ତ ଚିଠି ପତ୍ର ଷ୍ଟିଫେନଙ୍କ ପାଖକୁ ତାଙ୍କ ଡିପାର୍ଟମେଣ୍ଟକୁ ଯିବ, ଆଉ ମୋ ପାଖକୁ ଘର ଠିକଣାରେ ଆସିବ ନାହିଁ । ମୋର କୌଣସି ଧାରଣା ନ ଥିଲା ଯେ ଏହିଭଳି ପରିବର୍ତ୍ତନ  କିଏ ଉସ୍କାଇଛି ଏବଂ ଷ୍ଟିଫେନ ମଧ୍ୟ କୌଣସି କୈଫିୟତ ଦେଇ ନଥିଲେ । ବହୁବର୍ଷର ପରସ୍ପର ପ୍ରତି ବିଶ୍ୱାସ ପରେ,  ମୋର ପଇସା ପତ୍ରର ହିସାବାଦି ରଖିବାର ଦକ୍ଷତା ଓ ବିଜ୍ଞତାକୁ ଯେପରି ପ୍ରଶ୍ନ କରାଯାଉଥିଲା ।”(ପୃ ୪୪୧)

ଜେନ୍ ଓ ଷ୍ଟିଫେନଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଲା । ଏହା ଜେନ୍ ବୁଝୁଥିଲେ । ତଥାପି ସେ କୌଣସି ପରିସ୍ଥିତିରେ ଚାହୁଁ ନ ଥିଲେ ସମ୍ପର୍କକୁ ଛିନ୍ନ କରିବା ପାଇଁ କାରଣ ତାଙ୍କ ଭାଷାରେ, “ମୁଁ ନିଶ୍ଚିତ ଥିଲି ଯେ ମୋ ବିନା ସେ ଏକ ନିଖୋଜ ପିଲା ଭଳି (a lost child), ଅଝଟିଆ ଜିଦ୍ଖୋର ଅଥଚ ଅସହାୟ ଓ ନିରୀହ । ମୋର ଭାଗ୍ୟ ତାଙ୍କ ଭାଗ୍ୟ ସହ ଏତେ ନିବିଡ଼ତାର ସହ ଓ ଦୀର୍ଘକାଳ ଧରି ଯୋଡି ହୋଇଥିଲା ଯେ ତାଙ୍କପ୍ରତି ମୁଁ କଦାପି ଉଦାସୀନ ହୋଇ ପାରୁନଥିଲି, ଯେତେ ଜଟିଳ ହେଉ ନା କାହିଁକି ଏହି ଶାରୀରିକ ଅକ୍ଷମ ପ୍ରତିଭାଙ୍କର ବିଚିତ୍ର ପରିସ୍ଥିତି ।

ତାଙ୍କର ଯତ୍ନ ନେବା ମୋର ଅଭ୍ୟାସ ହୋଇଯାଇଥିଲା ଯେପରି ଏକ ଜନ୍ମଗତ ପ୍ରବୃତ୍ତି (second nature) । ମୁଁ ଅଣଦେଖା କରିପାରୁ ନଥିଲି ତାଙ୍କ ଚେହେରାରେ ଯଦି ଦେଖାଯାଉଥିଲା  ଯନ୍ତ୍ରଣା (distress), ଅଶାନ୍ତି (discomfort) ବା ଅସମ୍ମତି (disapproval)ର ସାମାନ୍ୟତମ ସଙ୍କେତ । ସତ କଥା ହେଉଛି ମୁଁ ଏବେ ବି ତାଙ୍କୁ ଏକ ଗଭୀର ଯତ୍ନଶୀଳ ମନନେଇ ଭଲ ପାଏ ।” (ପୃ ୪୬୧-୨) ।

କିନ୍ତୁ ଏତେ ମମତ୍ୱ ସତ୍ତେ୍ୱ ଜେନ୍ ଏହି ସମ୍ପର୍କକୁ ରକ୍ଷା କରିପାରିଲେ ନାହିଁ । ଷ୍ଟିଫେନ ଏକ ପତ୍ର ଜରିଆରେ ଜେନ୍ଙ୍କୁ ଜଣାଇଦେଲେ ଯେ ସେ ତାଙ୍କର ନର୍ସ ଏଲେନ ମାସନ ସହ ରହିବାର ଯୋଜନା କରୁଛନ୍ତି ।(ପୃ ୪୬୫) ପରିସ୍ଥିତି ଏପରି ହେଲା ଯେ ଷ୍ଟିଫେନଙ୍କ ସହ ଏକ ଖୋଲା ଆଲୋଚନା ମଧ୍ୟ ସମ୍ଭବ ନଥିଲା । ଜେନ୍ଙ୍କ ଭାଷାରେ, “ସେ ଯେତେ ତାଙ୍କ ନିଜ ସ୍ଥିତି ଉପରେ ନିୟନ୍ତ୍ରଣ ହରାଉଥିଲେ, ମୁଁ ସେତେ ଅନୁଭବ କରୁଥିଲି ଯେ ସେ ମୋତେ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ସତେ ଯେପରି ମୁଁ ତାଙ୍କର ଏକ ସମ୍ପତ୍ତି ମାତ୍ର ହୋଇଯାଇଛି ।”(ପୃ ୪୬୫)

୨୫ବର୍ଷର ବୈବାହିକ ଜୀବନ ଉପରେ  ଯବନିକା ପଡ଼ି ଆସୁଥିଲା । ଜେନଂକ ଭାଷାରେ , “ମୁଁ ଅନୁଭବ କରୁଥିଲି ଯେପରି ମୁଁ ନିନ୍ଦିତ (discredited) ଓ ବର୍ଜିତ (disowned) ହେଉଛି, ନିଜର ଏକ ପରିଚିତି ପାଇଁ ଦରାଣ୍ଡି ହେଉଛି (fumbling), ସତେ ଯେପରି ବିଗତ ପଚିଶ ବର୍ଷ କୌଣସି ଚିହ୍ନ ନ ଛାଡି ପୋଛି ହୋଇଯାଉଛି ।” (ପୃ ୪୭୧) ବିଚ୍ଛେଦ ହିଁ ଥିଲା ଏକ ମାତ୍ର ପରିଣତି । ୧୯୯୦ରୁ ପାଂଚ ବର୍ଷ ଅଲଗା ରହିବା ପରେ ୧୯୯୫ ମସିହାରେ ଔପଚାରିକ ଛାଡ଼ପତ୍ର ସମ୍ଭବ ହେଲା । ଷ୍ଟିଫେନ ବିବାହ କରିଲେ ଏଲେନ ମାସନଙ୍କୁ ୧୯୯୫ରେ ।

୧୯୯୭ରେ ଜେନ୍ ବିବାହ କଲେ ସଂଗୀତଜ୍ଞ ସହଯୋଗୀ ଜୋନାଥନ ଜୋନ୍ସଙ୍କୁ । ଷ୍ଟିଫେନଙ୍କ ୨ୟ ବିବାହ ୨୦୦୬ ଯାଏ କାଏମ ରହିଲା । ଷ୍ଟିଫେନଙ୍କ ୨ୟ ଛାଡ଼ପତ୍ର ପରେ ପୁଣି ଜେନ୍ ଓ ଷ୍ଟିଫେନଙ୍କ ମଧ୍ୟରେ ଫେରିଆସିଲା ନିବିଡ଼ତା । ତାଙ୍କରି ଭାଷାରେ, “ଏହା ସେହି ପୁରୁଣା ସମୟ ଭଳି ଥିଲା, ଖାଇବା ଟେବୁଲ ଚାରିପଟେ ବସି ଥଟ୍ଟା ପରିହାସ ଓ ରସିକତା କରିବା ଓ ଅପେକ୍ଷା କରିବା ଷ୍ଟିଫେନ ଶେଷକୁ କଣ କହୁଛନ୍ତି ।” (ପୃ ୪୮୭)

Professor Stephen Hawking & wife Jane (DIVORCED) with children Robert, Lucy & Tim.

ଅବଶ୍ୟ ଏତେବେଳକୁ ଷ୍ଟିଫେନ ଓ ଜେନ୍ ସେମାନଙ୍କ ପୁଅ-ଝିଅ, ନାତି-ନାତୁଣିଙ୍କ ଗହଣରେ ଉପଭୋଗ କରୁଥିଲେ ପରସ୍ପରର ସାନ୍ନିଧ୍ୟ । ଜେନ୍ ମଧ୍ୟ ଇତ୍ୟବସରରେ ଲେଖକ ଓ ଆଧୁନିକ ଭାଷାର ଗବେଷିକା ଓ ଅଧ୍ୟାପିକା ଭାବେ ତାଙ୍କର ଏକ ସ୍ୱତନ୍ତ୍ର ପରିଚିତି ପ୍ରତିଷ୍ଠା କରି ପାରିଥିଲେ । ୧୯୯୪ରେ ସେ ଲେଖିଲେ ପୁସ୍ତକ At Home in France,୧୯୯୯ରେ ଲେଖିଲେ Music to Move the Stars, ୨୦୦୭ରେ ଲେଖିଲେ Travelling to Infinity: My Life with Stephen ଯାହାକୁ ଆଧାର କରି ନିର୍ମାଣ ହୋଇଥିଲା ୨୦୧୪ରେ ଚଳଚ୍ଚିତ୍ର The Theory of Everything ଓସ୍କାର ପୁରସ୍କାର ପାଇଁ ବିଭିନ୍ନ ବିଭାଗରେ ହୋଇଥିବା ମନୋନୟନ ତାଲିକାରେ ସ୍ଥାନ ପାଇଥିଲା । ଏହାର ନାୟକ ସର୍ବୋକ୍ରୃଷ୍ଟ ଅଭିନେତାଭାବେ ଓସ୍କାର ପୁରସ୍କାର ପାଇଥିଲେ । ୨୦୧୬ରେ ପ୍ରକାଶ ପାଇଛି ତାଙ୍କର ଏକ ଉପନ୍ୟାସ ଝସକ୍ଷରଦ୍ଭଗ୍ଧ ଗଙ୍କଗ୍ଦସମ, ଜୁନ ୨୦୧୮ ସୁଦ୍ଧା ପ୍ରକାଶ ପାଇବାକୁ ଯାଉଛି ତାଙ୍କର ଆଉ ଏକ ଉପନ୍ୟାସ ଉକ୍ସଚ୍ଚ ଗ୍ଧକ୍ଟ ଊକ୍ସରବଜ୍ଞ ଇଶବସଦ୍ଭ ।

ପାଠକେ ବୁଝି ପାରୁଥିବେ କେଉଁ ପ୍ରକାରର ମହତ୍ତ୍ୱାକାଂକ୍ଷାକୁ ପଛରେ ପକାଇ ଜେନ୍ ବେରିଲ ୱାଇଲ୍ଡ (Jane Beryl Wilde) (ବିବାହ ପୂର୍ବନାମ) (ଜନ୍ମ ୨୯ ମାର୍ଚ୍ଚ ୧୯୪୪) ମାତ୍ର ଏକୋଇଶ ବର୍ଷରେ ବୟସରେ ଷ୍ଟିଫେନ ହକିଙ୍ଗଙ୍କ ହାତ ଧରିଥିଲେ ।

ବି.ଦ୍ର: ପ୍ରବନ୍ଧଟିରେ ଉଲ୍ଲେଖ ହୋଇଥିବା ସମସ୍ତ ଉଦ୍ଧୃତି ଜେନ୍ ହକିଙ୍ଗ ଦ୍ୱାରା ଲିଖିତ ପୁସ୍ତକ  (Travelling to Infinity: My Life with Stephen (Alma Books Ltd. United Kingdom, 2007, paperback edition in 2010, reprinted in 2011) ରୁ ନିଆଯାଇଛି । ଏହି ପୁସ୍ତକର କେଉଁ ଅଂଶ ବା ପୃଷ୍ଠାରୁ ଉଦ୍ଧୃତି ନିଆଯାଇଛି ବନ୍ଧନୀ ଭିତରେ ସେହି ପୃଷ୍ଠା ସଂଖ୍ୟାକୁ ଉଲ୍ଲେଖ କରାଯାଇଛି । ଓଡ଼ିଆ ଅନୁବାଦ : ଲେଖକ…

[box type=”shadow” align=”” class=”” width=””]କୁହାଯାଏ ପ୍ରତ୍ୟେକ ସଫଳ ପୁରୁଷ ପଛରେ କେହିଜଣେ ନାରୀ ନିଶ୍ଚୟ ଥାଏ । ନାରୀର ଭୂମିକା ସମଗ୍ର ବିଶ୍ୱରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ନେଇଥିବା ବେଳେ ସମଗ୍ର ସମାଜରେ ନାରୀକୁ ନେଇ ଯେଉଁଭଳି ବୁଝାମଣା, ଚର୍ଚ୍ଚା, ଦୃଷ୍ଟିଭଙ୍ଗୀ ରହିଆସିଛି କେବେବି ସେଥିରୁ ନିସ୍କର୍ଷ ମିଳେନି ଯେ ଆମ ସମାଜ ଗଠନରେ ମୁଖ୍ୟ ଭୂମିକାଟି ନାରୀ ନେଇଥାଏ ବୋଲି । ପ୍ରତ୍ୟେକଟି ଦାୟିତ୍ୱକୁ ନିଜର ଭାବି ସବୁ ମୂହୂର୍ତ୍ତରେ ଆପଣେଇ ନେଉଥିବା ନାରୀକୁ ସ୍ୱୀକୃତୀର ଆବଶ୍ୟକତା ପଡ଼େ । ଏହାଠାରୁ ହାସ୍ୟାସ୍ପଦ କ’ଣ ବା ହୋଇପାରେ? ସେଥିପାଇଁ କେଉଁସବୁ ଅଦୃଶ୍ୟ ହାତ ପୁରୁଷର ସଫଳତା ପଛରେ ରହିଥାଏ ତାହା ଜାଣିବା ଏବଂ ସେମାନଙ୍କୁ ପରଦା ଆଢ଼ୁଆଳରେ ନରଖି ସାମ୍ନାକୁ ଆଣିବା ନିହାତି ଆବଶ୍ୟକ ମନେହୁଏ । ଏମିତି କିଛି ଚିନ୍ତା ଓ ଚେତନାକୁ ନେଇ ପ୍ରଫେସର ବିରେନ୍ଦ୍ର ନାୟକଙ୍କର ଏହି ଲେଖା । ନିକଟରେ ମୃତ୍ୟୁବରଣ କରିଥିବା ବିଶିଷ୍ଟ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କର ପତ୍ନୀ ଜେନ୍ ବେରିଲଙ୍କ ସମ୍ପର୍କରେ ପ୍ରଫେସର ବିରେନ୍ଦ୍ର ନାୟକ ଏହି ଲେଖାଟି ପ୍ରସ୍ତୁତ କରିଛନ୍ତି । ଏହିଭଳି କିଛି ଅଦୃଶ୍ୟ ନାରୀ ମାନଙ୍କୁ ସମଧ୍ୱନିରେ ସ୍ଥାନୀତ କରି ନାରୀମାନଙ୍କର ସାଂସ୍କୃତିକ ଭୂମିକାକୁ ତୋଳିଧରିବାପାଇଁ ଆମର ଏହା ପ୍ରଥମ ପ୍ରୟାସ । ଜଣେ ଗଣିତଶାସ୍ତ୍ରର ବିଶେଷଜ୍ଞ ଭାବରେ ଷ୍ଟିଫେନ ହକିଙ୍ଗଙ୍କର ମୃତ୍ୟୁକୁ ବିଶ୍ଳେଷଣ କରିବାର ବୌଦ୍ଧିକ କ୍ଷମତା ଥାଇବି ପ୍ରଫେସର ବିରେନ୍ଦ୍ର ନାୟକ କାହିଁକି ତାଙ୍କ ସଫଳତା ପଛରେ ଥିବା ନାରୀ ଜଣଙ୍କର ଭୂମିକାଟି ଖୋଜିଲେ ତାହାହିଁ ତାଙ୍କର ବିଶେଷତ୍ତ୍ୱ । ଏହି ଭିନ୍ନ ଦୃଷ୍ଟି ପାଇଁ ତାଙ୍କ ନିକଟରେ ‘ସମଧ୍ୱନି’ କୃତଜ୍ଞ । –ସମ୍ପାଦକ[/box]

ସୌଜନ୍ୟ- ସମଦୃଷ୍ଟି (୧୬-୩୧ ମାର୍ଚ୍ଚ, ୨୦୧୮)

Photo credit- Internet

[amazon_link asins=’0553175211,055255958X,085750357X,8179925919,0593048156,0593056973′ template=’ProductCarousel’ store=’bestdealsto05′ marketplace=’IN’ link_id=’ 158afa9b-2f32-11e8-8833-afa76c444bc8′]

 

Share this Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ