ସମଧ୍ୱନି ହେଉଛି ଏକ ସାଂସ୍କୃତିକ ସଂଗଠନ ଯାହା ସାଧାରଣ ଲୋକଙ୍କ ସ୍ୱରକୁ ପ୍ରକାଶ କରିବାର ଏକ ମାଧ୍ୟମ । ଏହା 2005 ମସିହାରୁ କାର୍ଯ୍ୟ କରିଆସୁଛି l ବିଭିନ୍ନ ମଞ୍ଚରେ ଗଣସଂଗୀତ ପରିବେଷଣରୁ ଆରମ୍ଭ ହୋଇ କ୍ରମାଗତ ଭାବେ ଲୋକ ସଂଗୀତ ଓ ଲୋକ ବାଦ୍ୟ, ଚିତ୍ରକଳା, ଲୋକକଳା, ନାଟକ, ଲୋକ ବାଦ୍ୟ ଓ ଶାସ୍ତ୍ରୀୟ ସଂଗୀତର ପରିବେଷଣ ଓ ସର୍ବପରି ଓଡ଼ିଶାର ପୁରପଲ୍ଲୀରେ ଥିବା ସମସ୍ତ ପ୍ରକାରର ପାରମ୍ପରିକ ଓ ସାଂସ୍କୃତିକ ସଂଗୀତ, ବାଦ୍ୟ ଯନ୍ତ୍ର ଓ ନୃତ୍ୟ ଶୈଳୀ ବିଷୟର ଗବେଷଣା କ୍ଷେତ୍ରରେ ଏବଂ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ସମଧ୍ୱନି ସୁପ୍ରତିଷ୍ଠିତ ହୋଇପାରିଛି I ବଡ ବଡ ସଙ୍ଗୀତଜ୍ଞମାନଙ୍କ ଜୀବନୀ ଓ ସାଧନାର ତଥ୍ୟ ଉପସ୍ଥାପନା ସହ ଓଡିଶାର କୋଣ ଅନୁକୋଣରେ ଲୁକାୟିତ ହୋଇ ରହିଥିବା କଳା ଓ କଳାକାରମାନଙ୍କୁ ଲୋକଲୋଚନକୁ ଆଣିବାରେ ସମଧ୍ୱନି ଅବିରତଭାବେ କାର୍ଯ୍ୟ କରିଆସୁଛି I ଏହାଛଡା ସଂଗୀତ ଶିକ୍ଷାର୍ଥୀମାନଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ଓ କଳା ସଂସ୍କୃତି ଗବେଷକ ମାନଙ୍କ ପାଇଁ ସମଧ୍ୱନି ପାଲଟିଛି ଏକ ପ୍ରେରଣା ଓ ଗବେଷଣାର ଉତ୍ସ I ଆଜି ସମଧ୍ୱନି ସହ କେବଳ ଓଡିଶାର ନୁଁହ ବରଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ସୁ ପ୍ରତିଷ୍ଠି ସଙ୍ଗୀତଜ୍ଞ, ନାଟକ, ଲୋକକଳା ଓ ଚିତ୍ରକଳାର କଳାକାର, ସମାଜବିତ୍ତ ଓ ବୁଦ୍ଧିଜୀବୀ ତଥା ସଂସ୍କୃତି ପ୍ରେମୀ ଜଡିତ ହେଉଛନ୍ତି I ଓଡିଶାର ସାଂସ୍କୃତିକ ପ୍ରଗତିରେ ସମଧ୍ୱନିର ଭୂମିକା ଅପରିହାର୍ଯ୍ୟ I
ମୁଁ ଜଣେ ସଂଗୀତ ଶିକ୍ଷାର୍ଥୀ ଭାବେ 2004 ମସିହାରେ ଉତ୍କଳ ସଂଗୀତ ମହାବିଦ୍ୟାଳରେ ନାମ ଲେଖାଇଥିଲି ଓ ପରବର୍ତ୍ତୀ ସମୟରେ ପ୍ରାୟ 2006 ବେଳକୁ ସମଧ୍ୱନି ସମ୍ପର୍କରେ ଜାଣି ଯୋଗଦେବାର ସୁଯୋଗ ପ୍ରାପ୍ତ ହେଲି I ସେତେବେଳେ ସମଧ୍ୱନି ସହିତ ଜଡିତ ଥିବା ଅନେକ ସୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଦେଖି ଆହୁରି ଉତ୍ସାହିତ ଲାଗିଲା ଓ ସେବେଠାରୁ ଏ ଯାଏ ସମଧ୍ୱନି ସହ ରହିବାର ସୁଯୋଗ ରହି ଆସୁଅଛି I ଅନେକ ବାଧାବିଘ୍ନ, ପ୍ରତିକୂଳ ପରିସ୍ଥିତି ଓ ଆର୍ଥିକ ସମସ୍ୟା ପରେ ମଧ୍ୟ ସମଧ୍ୱନି ସେସବୁ ଭୃକ୍ଷେପ ନ କରି ତାର କାର୍ଯ୍ୟ ପଥରେ ଆଗକୁ ଚାଲି ଆସିଛି I ଆଗାମୀ ଦିନରେ ସମଧ୍ୱନି ଅନେକ କିଛି ନୂତନ କାର୍ଯ୍ୟ କରିବାକୁ ସଂକଳ୍ପ ରଖିଛି ଯାହାଦ୍ୱାରା ଉଭୟ କଳା ସଂସ୍କୃତି, ସମାଜର ସୁରକ୍ଷା ହୋଇପାରିବ ଏବଂ ପ୍ରତିଟି କଳାକାର ପ୍ରେରଣା ପାଇ ପାରିବେ I ସମଧ୍ୱନିର ସଫଳ ରୂପାୟନ ପାଇଁ ସମଧ୍ୱନିର ସମ୍ପାଦକ ଶ୍ରୀମତୀ ସ୍ଵୟଂପ୍ରଭା ପାଢ଼ୀଙ୍କ ଆପ୍ରାଣ ଉଦ୍ୟମ ଓ ଅବିରତ ଚେଷ୍ଟା ଦ୍ୱାରା ସମସ୍ତ କାର୍ଯ୍ୟ ସରଳ ଓ ସୁଗମ ହୋଇପାରିଛି I ଆଗାମୀ ଦିନ ମାନଙ୍କରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର କୃତି ସଂଗୀତ, ନାଟକ, ନୃତ୍ୟ, ଲୋକକଳାର ଛାତ୍ର ଛାତ୍ରୀ, ଗବେଷକ ଓ କଳା ସଂସ୍କୃତି ପ୍ରେମୀମାନଙ୍କୁ ସମଧ୍ୱନି ସହ ଯୋଡିହେବାକୁ ମୁଁ ନିବେଦନ କରୁଛି I
ଜ୍ୟୋତିପ୍ରକାଶ ସାହୁ,
(ସମଧ୍ଵନି ସାଂସ୍କୃତିକ ଗୋଷ୍ଠୀ ସଂଯୋଜକ)