ଓଡ଼ିଶାରେ ପ୍ରାଗୈତିହାସିକ ଗୁମ୍ଫା ଚିତ୍ରକଳା

14 Min Read

ଓଡ଼ିଶାର ଚିତ୍ରକଳା ଗୁଡହାଣ୍ଡି, ଯୋଗୀମଠ, ଉଲାପଗଡ଼, ଉଷାକୋଠି, ମାଣିକମଡ଼ା, ଘାଟଘୁମର, ନରାଜ, ବିକ୍ରମଖୋଲ, ସୀତାବିଞ୍ଜି, ପୂଜାତୁଙ୍ଗୁରୀ ଓ ବଉଳା ପାହାଡ଼ ଆଦି ସ୍ଥାନରେ ଦେଖିବାକୁ ମିଳେ । ଛବିଗୁଡ଼ିକ ବିଭିନ୍ନ ଗେରୁ ତଥା ଧଳା ରଙ୍ଗରେ ଚିତ୍ରିତ । ସର୍ବଭାରତୀୟ ଭିତ୍ତିରେ ଏଗୁଡ଼ିକ ଅଧିକ ପରିମାଣରେ ମଧ୍ୟପ୍ରଦେଶରେ ଚିତ୍ରକଳା ସହିତ ସାମଞ୍ଜସ୍ୟ ରଖେ । ବିକ୍ରମଖୋଲ ଦେହରେ କେତେକ ଖୋଦିତ ରେଖାଙ୍କନ ଦେଖିବାକୁ ମିଳେ । ଏଗୁଡ଼ିକ ଅନେକ ପ୍ରାଚୀନ ଲିପି ରୂପେ ବ୍ୟକ୍ତ କରୁଥିଲେ ମଧ୍ୟ ବାସ୍ତବରେ ସେଗୁଡ଼ିକ ଚିତ୍ର । ଓଡ଼ିଶାର ଛବିର ବିଷୟବସ୍ତୁ ମଧ୍ୟରେ ନୃତ୍ୟ, ଶିକାର, ଗୋଚାରଣ ତଥା ମନୁଷ୍ୟ ହାତର ଛାପ ଦେଖିବାକୁ ମିଳେ । ଏହା ବ୍ୟତୀତ ବିଭିନ୍ନ ଢ଼ଙ୍ଗର ପ୍ରତୀକାତ୍ମକ ମାନବଙ୍କ ଛବି ମଧ୍ୟ ଦେଖାଯାଏ ।

Support Samadhwani

ନରାଜ:-   ଏହା କଟକ ମହାନଦୀ କୂଳରେ ଅବସ୍ଥିତ । ଏହିଠାରୁ କାଠଯୋଡ଼ି ନଦୀ ସୃଷ୍ଟି ହୋଇଛି । ଏହି ପାହାଡ଼ର ସିଦେ୍ଧଶ୍ୱର ମନ୍ଦିର ସନ୍ନିକଟରେ ପ୍ରାକ୍ ଐତିହାସିକ ଚିତ୍ରକଳା ପରିଲକ୍ଷିତ ହୁଏ । ଏହିଠାରେ ପଥର ଦେହରେ ତିନୋଟି ଚିତ୍ର ରେଖା ଦ୍ୱାରା ଅଙ୍କିତ ହୋଇଅଛି । ପ୍ରତ୍ୟେକ ଚିତ୍ରର ଉପରି ଭାଗରେ ଚନ୍ଦ୍ରବିନ୍ଦୁ ପରି ଚିହ୍ନ ରହିଛି । ଅନ୍ୟ କୌଣସି ଲେଖା କିମ୍ବା ଲିପିର ଚିହ୍ନ ବର୍ଣ୍ଣ ନାହିଁ । ପାଖକୁ ପାଖ ଚିତ୍ରଗୁଡ଼ିକ ଲାଗି ଲାଗି ରହିଛି । ପ୍ରଥମ ଚିତ୍ରଟି ଏକ ପକ୍ଷୀର ଚିହ୍ନ । ଏହାର ବାମ ପାଶ୍ୱର୍ରେ ଏକ ଛବି ଚିହ୍ନ ରହିଛି । ଦ୍ୱିତୀୟ ଚିତ୍ରଟି ଏକ ମଣିଷର ରେଖାଚିତ୍ର ସହ ତୁଳନୀୟ । ତୃତୀୟ ଚିତ୍ରଟି ଏହି ଦୁଇ ତୁଳନାରେ ବହୁତ ସାନ ହେଲେ ମଧ୍ୟ ଏହା ମଣିଷର ରେଖାଚିତ୍ର ପରି ଲାଗେ । ସମୁଦାୟ ଚିତ୍ରଟି ଏକ ପକ୍ଷୀ ଶିକାର ବିଷୟରେ ଧାରଣା ଦେଇଥାଏ । ମଣିଷ ଏକା ଶିକାର କରି କିମ୍ବା ଦଳଗତ ଭାବେ ଶିକାର କରିବା ଏଥିରୁ ଜଣାପଡ଼ିଥାଏ ।

ଘଟଗୁମର:-             ନୂଆପଡ଼ା ଜିଲ୍ଲାର ଖଡ଼ିଆଳଠାରୁ ଦକ୍ଷିଣ ପଶ୍ଚିମକୁ ଆଠକୋଶ ଦୂରରେ ସିନାପାଲି ଏବଂ ବୋଡ଼କ ଅଞ୍ଚଳର ମଧ୍ୟଭାଗରେ ବୈଜଲପୁର ଏବଂ ତୁମରବାହାଲ ଗ୍ରାମ ନିକଟସ୍ଥ ଉଦନ୍ତୀ ନଦୀର ବାମ ପାଶ୍ୱର୍ରେ ଘଟଗୁମର ଅବସ୍ଥିତ । ଏହିଠାରେ ଏକ ଝରଣା ଉଦନ୍ତୀ ନଦୀରେ ମିଳିତ ହୋଇଅଛି । ଏଠାରେ ଥିବା ପାହାଡ଼ କାନ୍ଥରେ ଅସ୍ପଷ୍ଟ ଭାବରେ ଗେରୁ ମାଟିର ରଂଗରେ ଏହି ଚିତ୍ରଗୁଡ଼ିକ ରଂଗାୟିତ ହୋଇଛି । ଏଥିରେ କେତୋଟି ମଣିଷ ଏବଂ କେତୋଟି ଷଣ୍ଢର ଚିତ୍ର ଥିବାର ଅନୁମାନ କରାଯାଇଥାଏ । ୧୯୮୦ ରେ ଗବେଷକ ଜିତ୍ରମିତ୍ର ପ୍ରସାଦ ସିଂହଦେଓ ଏହାକୁ ଆବିଷ୍କାର କରିଥିଲେ ।

ଯୋଗୀମଠ:-           ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଠାରୁ ପୂର୍ବ ଦିଗରେ ସଉରାଦି ଗ୍ରାମ ନିକଟରେ ଯୋଗୀ ମଠ ଢ଼ଙ୍ଗରେ ଅବସ୍ଥିତ । ଯୋଗୀମଠ ଚାରି ପାଖରେ ଖଣ୍ଡେ ଲାଇଟ୍ ପଥରରେ ପରିପୂର୍ଣ୍ଣ । କାନ୍ଥରେ ଅଙ୍କିତ ତିନୋଟି ଡିମ୍ବାକାର ବୃତ୍ତକୁ ‘ବ୍ରହ୍ମଜ୍ୟୋତି’ର ତରଙ୍ଗ ବୋଲି ଗବେଷକମାନେ ମତ ଦିଅନ୍ତି । ବାମରେ କୌଣସି ବାଦ୍ୟଯନ୍ତ୍ର ଚିତ୍ରତ ହୋଇଛି । ଯୋଗୀମଠ ଗୁମ୍ଫାରେ ଇଷତ୍ ପୀତ ଗେରୁ ମାଟିରେ ଅଙ୍କିତ ହୋଇଥିବା ଦେଖାଯାଏ । ଅପର ପାଶ୍ୱର ଚିତ୍ର ଅନେକ ଲିଭି ଆସିଲାଣି । ବର୍ତ୍ତମାନ ଦେଖାଯାଉଥିବା ଚିତ୍ରର ପଥର ଖଣ୍ଡ ଅନ୍ୟ ଏକ ପଥର ଖଣ୍ଡ ତଳେ ରହିଥିବାରୁ ଚିତ୍ରଗୁଡ଼ିକ ସୁରକ୍ଷିତ ଅଛି । ଏହାର ଉତ୍ତର ପାଶ୍ୱର୍ରେ ଗାଈ, ଗୋରୁ ମଣିଷ ଚିତ୍ର ସହ କେତେକ ଚିହ୍ନ ଅଙ୍କିତ ହୋଇଥିବାବେଳେ ପୂର୍ବ କାନ୍ଥରେ ଧଳା ଚୂନ ରଂଗ ବ୍ୟବହୃତ ହୋଇଛି ଓ କେତେକ ଗେରୁ ମାଟି ରଂଗ ବ୍ୟବହୃତ ହୋଇଥିବାର ଦେଖାଯାଏ । ପାଶ୍ୱର୍ ଚିତ୍ରଟି ଦୂର ଚିତ୍ରଠାରୁ ବଡ଼ ଜଣାଯାଏ । ଚିତ୍ରଗୁଡ଼ିକ ଆଙ୍କି ସାରିବା ପରେ ଗେରୁମାଟି ପ୍ରଲେପ ଦିଆଯାଇଛି ବୋଲି ଅନେକ ମତ ଦେଇଥାନ୍ତି । କେତେକ ଚିତ୍ର ଛବି ଲିପି ସଦୃଶ ଏବଂ ଡାହାଣରୁ ବାମ ଆଡ଼କୁ ଦୁଇ ତିନି ଧାଡ଼ି ବିଶିଷ୍ଟ । ଏଥିରେ କୌଣସି ଲେଖା କିମ୍ବା ଅକ୍ଷର ନଥାଇ ବାଦ୍ୟ ଯନ୍ତ୍ର, ଜୀବଜନ୍ତୁ ଓ ମଣିଷର ବୋଲି ଅନୁମାନ କରାଯାଏ । ଏଥିସହ ଷଣ୍ଢ, ଗାଈ, ଗଛ ଏବଂ ମଣିଷ ଭାବେ ପ୍ରତୀୟମାନ ହୁଏ । ମଣିଷର ରେଖାଚିତ୍ର ପଡ଼ିଆରେ ଗୋରୁ ଚରାଉଥିବା ପରି ମନେ ହୁଏ ।

Support Samadhwani

ପ୍ରାଚୀନ ପ୍ରସ୍ତର ଯୁଗରେ ଶେଷ ସମୟ ବେଳକୁ ମାଟିରେ ଅଙ୍କିତ ହରିଣ, କୁମ୍ଭୀର, ବାର୍ହା ଓ ଶିକାରୀର ଚିତ୍ର ଦେଖିବାକୁ ମିଳିଥାଏ । ଯୋଗୀମଠ ଗୁମ୍ଫାରୁ ସେତେବେଳେ ମଣିଷମାନେ ଚାଷ କରି ଚଳୁଥିବାର ଅନୁମାନ କରାଯାଇଥାଏ । ଏହା ଦଶହଜାରରୁ ଉଦ୍ଧ୍ୱର୍ ସମୟର ବୋଲି କୁହାଯାଏ । ଏହି ଚିତ୍ର ଗୁଡ଼ିକର ସାଦୃଶ ଉତ୍ତର ପ୍ରଦେଶର ମିର୍ଜାପୁର, ମଧ୍ୟପ୍ରଦେଶର ରାଇଘର ସିଂହନପୁର, ଓଡ଼ିଶାର ବିକ୍ରମଖୋଲ ଏବଂ ଉଲାପଗଡ଼, ଭୋପାଳ ନିକଟସ୍ଥ ସାହାଦବର୍ଦ୍ଦ ଓ ଭୀମବଟକ ଏବଂ ଚମ୍ବଲ ଘାଟୀର ଛିବାଣ୍ଡଲଠାରେ ଦେଖାଯାଏ । ମଧ୍ୟଯୁଗୀୟ ଭାରତୀୟ ଚିତ୍ରକଳା ସହ ସାଦୃଶ ଥିଲେ ମଧ୍ୟ ଅନେକ ଚିତ୍ର ଦୁର୍ବୋଧ୍ୟ ଏବଂ ଅସ୍ପଷ୍ଟ ମନେ ହୁଏ । ଏହି ଗୁମ୍ପା ଚିତ୍ର ୧୯୨୦ ମସିହାରେ ଶ୍ରୀମତୀ ରାଜଶ୍ରୀ ଦେବୀଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା ।

ଗୁଡ଼ହାଣ୍ଡି:-               କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟସ୍ଥ ଖଲିଆପାଲି ଗ୍ରାମ ସନ୍ନିକଟ ଗୁଡ଼ହାଣ୍ଡି ପର୍ବତମାଳା ଅବସ୍ଥିତ । ଉତ୍ତର ଓ ଦକ୍ଷିଣକୁ ଲାଗି ଲାଗି ରହିଥିବା ପର୍ବତମାଳାର ପୂର୍ବ ଦିଗରେ ଥିବା ଉପତ୍ୟାକା ସମୀପରେ “ବେହେରା’ ବରିଝରର  ଦକ୍ଷିଣ ଦିଗର ପାଦ ଦେଶରେ କେତେଗୁଡ଼ିଏ ଗୁମ୍ଫାରେ ଆଦିମାନବର ଚିତ୍ରକଳା ପରିଦୃଷ୍ଟ ହୁଏ । ଏହି ଗୁମ୍ଫାରେ ଥିବା ଚିତ୍ରାବଳୀକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଏ । ଏଥିରେ ଚତୁଷ୍କୋଣୀ ଜ୍ୟାମିତିକ ଚିତ୍ର, ଗୋଲାକାର, ବୃତ୍ତାକାର ଓ ଆୟତ୍ତାକାର ଅଟେ । ଅନ୍ୟ ଏକ ଚିତ୍ରରେ ଆଦିମ ମଣିଷକୁ ପଶୁ ଉପରକୁ ପଥର ଫୋଫାଡ଼ିବା ଅନୁମିତ ହୁଏ । କ୍ଷତବିକ୍ଷତ  ପଶୁଟି ମୁଣ୍ଡ ବୁଲାଉଥିବାର ଜଣାଯାଏ । ଅନ୍ୟ ଏକ ଚିତ୍ରରେ ଦଳେ ହରିଣକୁ ଲୋକମାନେ ଗୋଡ଼େଇବା ପରି ଦେଖାଯାଏ । ମଣିଷର ଛାୟା ଚିତ୍ର ଲମ୍ବା ବେଣି ସହ ମୁହଁ ଗାଢ଼ ରଂଗର ହୋଇଥିବାବେଳେ ତରଙ୍ଗାୟିତ ରେଖା ଦ୍ୱାରା ଗୋଡ଼, ଆଣ୍ଠୁ ଏବଂ ପାଦକୁ ଜାଣିବାକୁ ହୋଇଥାଏ । ଏହା ପର ଚିତ୍ର ମଣିଷର କେତେଗୁଡ଼ିଏ ଅଙ୍ଗ ପ୍ରତ୍ୟଙ୍ଗ ଚିତ୍ର ବୋଲି ଅନୁମାନ କରାଯାଏ । ଅନ୍ୟ ଏକ ଚିତ୍ରକୁ ଏକ ସ୍ତ୍ରୀ ଲୋକ ଏବଂ ନିଆଁ ଭାବରେ ବର୍ଣ୍ଣନା କରାଯାଏ । ଏହି ଚିତ୍ରଗୁଡ଼ିକ ଲାଲ, ଗେରୁମାଟି ଏବଂ କଳା ରଂଗ ବ୍ୟବହାର କରାଯାଇଛି । ଓଡ଼ିଶାର ସମ୍ବଲପୁର, ବିକ୍ରମଖୋଲ, ଉଲାପଗଡ଼, କଟକର ନରାଜ ତଥା ଉତ୍ତର ପ୍ରଦେଶର ସିଂହନପୁର ଠାରେ ଥିବା ପ୍ରାକ୍ ଐତିହାସିକ ଚିତ୍ର ସହ ସାମଞ୍ଜସ୍ୟ ଥିବା ଅନୁମାନ କରାଯାଏ । ମାତ୍ର ସିନ୍ଧୁ ସଭ୍ୟତାର ଛବିଠାରୁ ଏହା ଅଧିକ ଉନ୍ନତ ଓ ମାର୍ଜିତ । ଏହି ଦୁର୍ଗମ ଓ ବଣଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରୁ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଏବଂ ଗବେଷକ ସତ୍ୟନାରାୟଣ ରାଜଗୁରୁ ୧୯୪୭ରେ ପ୍ରଥମେ ଏହାକୁ ଲୋକଲୋଚନକୁ ଆଣିଥିଲେ ।

ବିକ୍ରମଖୋଲ:-          ଝାରସୁଗୁଡ଼ା ରେଲ ଜଙ୍କସନ ଠାରୁ ପ୍ରାୟ ଆଠ କୋଶ ଦୂର ପଶ୍ଚିମକୁ ଗଲେ ତିତିଲା ବାହାଲ ଗାଁ ନିକଟରେ ଏହା ଅବସ୍ଥିତ । ଏକ ଅପ୍ରଶ୍ରସ୍ତ ଗୁହା କ୍ରମଶଃ ସରୁ ହୋଇ ପାହାଡ଼ ଭିତରେ ପ୍ରବେଶ କରିଛି । ଏହାକୁ ବିକ୍ରମ ଖୋଲ ଗୁମ୍ଫା କୁହନ୍ତି । ଏହା ଭିତରେ ପ୍ରାଚୀନ ଲିପି ସଦୃଶ ଚିହ୍ନ ଖୋଦିତ ହୋଇଛି । ଏଥିରେ ୨୭ଫୁଟ ଲମ୍ବ ୧୧୫ଫୁଟ୍ ପ୍ରସ୍ଥ ପରିମିତ ସ୍ଥାନରେ ୭ଫୁଟ ମଧ୍ୟବର୍ତ୍ତୀ ଅର୍ଥାତ୍ ୩୦୦ଖ୍ରୀଷ୍ଟପୂର୍ବ ମଧ୍ୟରେ ବୋଲି ଅନୁମାନ କରାଯାଏ । ଏଠାରେ ଏକ  ଜନ୍ତୁର ଛବି ପ୍ରତୀକ ଭାବେ ଅଛି । ଏହା ବ୍ୟତୀତ ମଇଁଷି, ମାଙ୍କଡ଼, ଗୋରୁ, ପକ୍ଷୀ ଏବଂ ହରିଣ ଚିତ୍ର ଅସ୍ପଷ୍ଟ ଭାବେ ରହିଛି । ଏଥିରୁ କିଛି ଖୋଦିତ ହୋଇଥିଲାବେଳେ କିଛି ଲାଲ, ଖଇର ରଂଗରେ ଅଙ୍କିତ ହୋଇଛି । ଏହା କ୍ରମଶଃ ଅସ୍ପଷ୍ଟ ହୋଇ ଆସିଲାଣି । ସ୍ୱାମୀ ଜ୍ଞାନାନନ୍ଦ ନାମରେ ଜଣେ ଶିକ୍ଷିତ ସାଧୁ ଏହାକୁ ପ୍ରଥମେ ଆବିଷ୍କାର କରିଥିଲେ ।

ଉଲାପଗଡ଼:-            ବିକ୍ରମଖୋଲଠାରୁ ପ୍ରାୟ ପାଞ୍ଚକୋଶ ଦୂରରେ ଏବଂ ବେଲପାହାଡ଼ ଠାରୁ ତିନିକୋଶରୁ କିଛି ଅଧିକ ଦୂରରେ ଉଲାପଗଡ଼ ଅବସ୍ଥିତ । ଏଠାରେ ୫୦୦ ଉଚ୍ଚତା ବିଶିଷ୍ଟ କାନ୍ଥରେ ଖୋଦେଇ ହୋଇ ଚିହ୍ନ ସବୁ ଲେଖା କିମ୍ବ ଛବି ସଦୃଶ ରହିଛି । ଏଥି ମଧ୍ୟରୁ କେତେକ ଗଭୀର ଭାବେ ଖୋଦେଇ ହୋଇଥିବାରୁ ଏବେବି ସ୍ପଷ୍ଟଭାବେ ପ୍ରତୀୟମାନ ହୋଇଥାଏ । ଏଥିରେ ପ୍ରାଣୀର ସହ ନକ୍ସା ଅଙ୍କନ କରାଯାଇଛି । ଏଗୁଡ଼ିକ ଖଇର ଏବଂ ନାଲି ରଂଗର ଅଧିକାଂଶ ଅସ୍ପଷ୍ଟ । ଇଷତ୍ କଳା ଓ ଲାଲ ରଂଗର ତରଙ୍ଗାୟିତ ରେଖା ପର୍ବତମାଳା ଭଳି ଦେଖାଯାଉଥିବାବେଳେ ଅଙ୍କାବଙ୍କା ଦଉଡ଼ା ସହ ବନ୍ଧା ହେବା ପରି ଲାଗେ । ବାମ କୋଣରେ ଦଳେ ଲୋକ ବସି ଆଳାପ ଆଲୋଚନା କରୁଥିବାର ଅନୁମାନ କରାଯାଏ । ଓଡ଼ିଶାର ସୁନ୍ଦରଗଡ଼ ଉଷାକୋଠୀ, ମହେଞ୍ଜୋଦାରୋ, ମୀର୍ଜାପୁର, ସିଂହନପୁର ସହ ଏହାର ସାମଞ୍ଜସ୍ୟ ଦେଖାଯାଏ । ଏଠାରେ ଏକ ଦୁର୍ଗର ଭଗ୍ନାବଶେଷ କାଳକ୍ରମେ ନିଶ୍ଚିହ୍ନ ହୋଇଯାଇଥିବା କେତେକ କହିଥାନ୍ତି ।

ଉଷାକୋଠି:-            ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଠାରୁ ପ୍ରାୟ ତିନି କୋଶ ଦୂରରେ ରାଜବାହାଲ ଏବଂ ଅମଡ଼ାପାଣି ଦୁଇଗ୍ରାମ ନିକଟରେ ଉଷାକୋଠି, ନନ୍ଦି ଏବଂ ପଶ୍ଚିମ ପର୍ବତ ନାମରେ ତିନୋଟି ପାହାଡ଼ ଅବସ୍ଥିତ । ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୨୦୦ ଫୁଟ୍ ଉଚ୍ଚ ପର୍ବତମାଳା ମଧ୍ୟ ପ୍ରଦେଶ ପର୍ଯ୍ୟନ୍ତ ରହିଛି । ଏଠାରେ ଥିବା ଚାରୋଟି ଗୁମ୍ଫାକୁ ଉଷାକୋଠି କହିଥାନ୍ତି । ଚାରୋଟି ଗୁମ୍ଫା ମଧ୍ୟରେ ତିନୋଟି ଗୁମ୍ଫାରେ ମଣିଷ ଏବଂ ଜୀବଜନ୍ତୁଙ୍କ ଚିତ୍ର ରହିଛି । ସବୁ ଗୁମ୍ଫାକୁ ହିସାବ କଲେ ଏହା ୧୨ଟି ଗୁମ୍ଫା ହେବ । ମାତ୍ର ସବୁ ଗୁମ୍ଫାରେ ଚିତ୍ର ନଥାଏ । ନନ୍ଦି ପାହାଡ଼ର ଉପରି ଭାଗରେ ଧଳା ରଂଗର ଅସ୍ପଷ୍ଟ ଚିତ୍ର ପରିଲକ୍ଷିତ ହୁଏ । କାଳକ୍ରମେ ଏସବୁ ବିବର୍ଣ୍ଣ ହୋଇଗଲାଣି । ଅନେକ ଚିତ୍ରରେ ଝୋଟି ଚିତ୍ର ଓ ହସ୍ତରେଖା ସଦୃଶ ଦେଖାଯାଏ । ସବୁରେ ମଣିଷ ଚିତ୍ରର ଧାରଣା କରାଯାଏ । କେତେକ ଏହାକୁ ନାରୀ ଚିତ୍ର କୁହାଯାଉଥିବାବେଳେ କେତେକ ଏହାକୁ ପୁରୁଷର ଚିତ୍ର କହିଥାନ୍ତି । ତେବେ ଏହା ବିକ୍ରମଖୋଲ ଚିତ୍ର ସହ ସାମଞ୍ଜସ୍ୟ ଥିବାର ଜଣାଯାଇଥାଏ । ୧୯୫୧-୫୨ମସିହାରେ ସୁନ୍ଦରଗଡ଼ର ତତ୍କାୀନ ଜିଲ୍ଲାପାଳ ଏସ୍.ଡ଼ି. ମଜୁମଦାର ଏହାକୁ ଲୋକ ଲୋଚନକୁ ଆଣିଥିଲେ ।

ମାଣିକମଡ଼ା:-           ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଅଞ୍ଚଳରେ ଦକ୍ଷିଣ ପଶ୍ଚିମର ଅଢ଼େଇକୋଶ ଦୂରରେ ଏକ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏହି ସ୍ଥାନଟି ଅବସ୍ଥିତ । ଏଠାରେ ଥିବା ଗର୍ଜନ ପାହାଡ଼ ମାଳାର ମୂଷାମରା ପାହାଡ଼ ନିକଟରେ କେତେକ ଗୁମ୍ଫା ଦେଖାଯାଏ । ଏ ଅଞ୍ଚଳର ଲୋକମାନେ ସେହି ଗୁମ୍ଫାର ବିଭିନ୍ନ ନାମକରଣ କରିଥାନ୍ତି । ଏହି ଗୁମ୍ଫା ଚିତ୍ର ଥିବା ପାହାଡ଼ ଏବଂ ସେ ସ୍ଥାନକୁ କେତେକ ମାଣିକ ମୁଣ୍ଡ ବୋଲି କହିଥାନ୍ତି । ମାଣିକ ମୁଣ୍ଡା ବା ମାଣିକ ମୁଡା ପ୍ରବେଶ ପଥରେ କେତେଗୁଡ଼ିଏ ଖୋଦିତ ଅଙ୍କାବଙ୍କା ରେଖା ଦେଖାଯାଏ । ଏହି ରେଖା ପାଖରେ କେତୋଟି ଅନ୍ୟ ରେଖା ଦେଖାଯାଏ । ବାମ ପାଶ୍ୱର୍ ଶେଷରେ ଏକ ଗୋଲାକାର ବୃତ୍ତ ରହିଛି । କେତେକ ଏହି ରେଖାକୁ ସାପ ଓ ବୃତ୍ତକୁ ତା’ର ମୁଣ୍ଡ ବୋଲି କହିଥାନ୍ତି । ଗୁମ୍ଫା ଭିତର ୫୦ ହାତ ଲମ୍ବାର କାନ୍ଥରେ ଚିତ୍ରଗୁଡ଼ିକ ଦେଖିବାକୁ ମିଳେ । ଏହି ଚିତ୍ରଗୁଡ଼ିକ ନାଲି, ହଳଦିଆ ଓ ଧଳା ରଂଗର ଏବଂ ଏଗୁଡ଼ିକ ମଧ୍ୟରୁ ସାଧାରଣତଃ ନାଲି ଗେରୁ ମାଟିର ରଂଗ ବାରି ହୋଇପଡ଼େ । ଅନ୍ୟ ଏକ ଚିତ୍ରରେ ଏକ ବଣୁଆ ଷଣ୍ଢକୁ କେତେକ ଲୋକ ଘେରି ରହିଥିବାର ଜଣାଯାଏ । ଷଣ୍ଢକୁ ଧରିବାର ଚେଷ୍ଟା କରୁଥିବାବେଳେ ପାଖରେ ଏକ ଲଙ୍ଗଳର ଚିତ୍ର ପ୍ରଭୃତି ପ୍ରାଚୀନ ପ୍ରସ୍ତର ଯୁଗୀୟ ମଣିଷର ପଶୁପାଳନ ପ୍ରବୃତ୍ତି ରହିଥିବାର ଅନୁମାନ କରାଯାଏ । ଏହି ଚିତ୍ର ସହ ସାମଞ୍ଜସ୍ୟ ଥିବା ଚିତ୍ର ମାନ ଛତିଶଗଡ଼, ମଧ୍ୟପ୍ରଦେଶ ସିଂହନପୁର, ସୁନ୍ଦରଗଡ଼ର ଉଷାକୋଠି, ଉଲାପଗଡ଼, କଳାହାଣ୍ଡିର ଗୁଡ଼ହାଣ୍ଡି ସ୍ଥାନମାନଙ୍କରେ ଦେଖାଯାଏ ।

ପୂଜାଡୁଙ୍ଗୁରୀ ଉଷାକୋଠି:-        ସୁବର୍ଣ୍ଣପୁର ଜିଲ୍ଲାର ରାମପୁର ଓ ବିନିକା ତହସିଲର ସୀମାରେ ଥିବା ଚନାବେଢ଼ା ଓ ଅଡ଼ାକଷା ଦୁଇ ଗ୍ରାମ ବାଟ ଦେଇ ଉଷାକୋଠୀ ଯିବାକୁ ହୋଇଥାଏ । ଅନ୍ୟ ଏକ ରାସ୍ତାରେ ବରଗଡ଼ ଓ ବଲାଙ୍ଗୀର ସଡ଼କ ପଥର ଡୁଙ୍ଗୁରାପଲ୍ଲୀ ଠାରୁ ପ୍ରାୟ ଆଠ କୋଶ ଦୂରରେ ଅବସ୍ଥିତ । ଏହି ପୂଜାଡୁଙ୍ଗୁରୀ କେତେଗୁଡ଼ିଏ ଛୋଟବଡ଼ ପାହାଡ଼ର ସମଷ୍ଟି । ସାଧାରଣତଃ ଡ଼ଙ୍ଗୁରୀ ଅର୍ଥ ପାହାଡ଼ । ଏସବୁ ପାହାଡ଼ ଗୁଡ଼ିକୁ ଉଷାକୋଠି, ଫୁଲ ଚାଙ୍ଗୁଡ଼ି, ବଣ୍ଡା ବାଘ, ଠାରୋ ଡୁଙ୍ଗୁରୀ, ଗଡ଼ତଳ, ଗଣ୍ଡମାରୁ, ଚୁଡ଼ାକୁଟେନ, ଶତଗୁରୁଡ଼ା, ଖପସ ଡୁଙ୍ଗୁରୀ, ଟାଙ୍ଗୀ ପଥର, ବର କନିଆ, ସରଗ ଡୁଙ୍ଗୁରୀ ଇତ୍ୟାଦି ନାମକରଣ କରିଥାନ୍ତି । ଉଷାକାଠିରେ ଗୁମ୍ଫାଚିତ୍ର ରହିଥିବାରୁ ସ୍ଥାନୀୟ ଲୋକେ ଏହାକୁ ପୁତୁଲା ଲେଖା କହିଥାନ୍ତି । ଗୁମ୍ଫାର ପଥର ଦେହରେ କେତେକ ପଶୁ, ପକ୍ଷୀ, ମଣିଷ, ଷଣ୍ଢ, ଫୁଲ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟ କେତେକ ଚିତ୍ର ଅଙ୍କିତ ହୋଇଥାଏ । ଏହି ସମସ୍ତ ଚିତ୍ର ଲାଲ ଏବଂ ଗେରୁ ମାଟିର । ଏହିଭଳି ସମୟରେ କେଉଁଝର ବଉଳା ପର୍ବତମାଳାର କଣ୍ଟିପାଳ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଖୋଦେଇ ଚିତ୍ରଗୁଡ଼ିକ ଲୋକ ଲୋଚନକୁ ଆସିଥିଲା ।

ବଉଳା ପାହାଡ଼ :-     କେଉଁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡରେ ଥିବା ବଉଳା ଉପତ୍ୟକାରେ କଣ୍ଟପାଳ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦଧିଆ ଟାଙ୍ଗରା ନାମରେ ନାମିତ ଏହି ସ୍ଥାନ ପଥର ଚଟାଣ ଉପରେ ପାଖକୁ ପାଖ ତିନୋଟି ଚିତ୍ର ଖୋଦିତ ହୋଇ ରହିଛି । ଏଥିରୁ ଗୋଟିଏ ହାତୀ, ଅନ୍ୟଟି ପକ୍ଷୀ ଏବଂ ଅନ୍ୟଟି ଗଧ ଭାବେ ଚିହ୍ନିତ କରାଯାଇଛି । ଏଥିସହ ଦୁଇଧାଡ଼ି ଅକ୍ଷର ମଧ୍ୟ ଖୋଦିତ ହୋଇ ରହିଥିବା ଦେଖିବାକୁ ମିଳେ । ଏହାର ଅନତୀ ଦୂରରେ ବାଘମରା ଗୁମ୍ଫା ରହିଛି । ସ୍ଥାନୀୟ ଆଦିବାସୀମାନେ ଏ ସ୍ଥାନର ସମସ୍ତ ଚିତ୍ର ଐଶ୍ୱରୀୟ ବୋଲି କହିଥାନ୍ତି ।

କଇଁପୁର :-               ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରୁ ପଶ୍ଚିମକୁ ସାତ ଆଠ କିଲୋମିଟର ଦୂରରେ କଇଁପୁର ଗ୍ରାମ । ଏହି ଗାଁର ନିକଟକୁ ଲାଗି ପାଖନା ପାହାଡ଼ ରହିଛି । ଏହି ପାହାଡ଼ ମଧ୍ୟ ଭାଗରେ ଧଳା ରଂଗର ପାଲିସ୍ ପଥର କାନ୍ଥ ଦେହରେ ଅନ୍ତତଃ ପୁରୁଷେ ଠାରୁ ଉଦ୍ଧ୍ୱର୍ ଉଚ୍ଚର ଦୁଇଟି ପଥର ସନ୍ଧି ଡାହାଣ ପାଖକୁ ଏକ ଭୟଙ୍କର ଜନ୍ତୁର ଚିତ୍ର ଅଙ୍କା ଯାଇଛି । ଏହା ଉପରେ ଅନ୍ୟ ଏକ ପଥର ସାମାନ୍ତରଳ ଭାବରେ ଛାତ ପରି ରହିଛି । ପାଖରେ ଆଦିବାସୀମାନଙ୍କ ଦେବତା ପୂଜା ପାଉଛନ୍ତି । ଏହି ଚିତ୍ରଟି ନାଲି ଓ ଖଇର ରଂଗର ମିଶାମିଶି  ୭ହାତ ଲମ୍ବ ଏବଂ ୪ହାତ ପ୍ରସ୍ଥ ବିଶିଷ୍ଟ ହୋଇଥିବାବେଳେ ଜନ୍ତୁଟି ଆକ୍ରମଣାତ୍ମକ ଭଙ୍ଗୀରେ ଗୋଲାକାର ବଡ଼ ବଡ଼ ଆଖିରେ ହିଂସ୍ର ଭାବେ ଚାହିଁ ରହିଛି ।

ମାଣ୍ଡା ଡ଼ଙ୍ଗରୀ :-       ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଜିଲ୍ଲାର ଚଟା ହାଣ୍ଡି ଗ୍ରାମ ନିକଟରେ ମାଣ୍ଡା ଡ଼ଙ୍ଗରୀ ପାହାଡ଼ ଅବସ୍ଥିତ । ଏହି ପାହାଡ଼ ଗୁମ୍ଫାରେ କେତେଗୁଡ଼ିଏ ଚିତ୍ର ରହିଛି । ଗୁମ୍ଫାର ଅଭ୍ୟନ୍ତରର ଉପରି ଭାଗରେ ଚିତ୍ରିତ ଚାନ୍ଦୁଆ ସଦୃଶ ଦେଖାଯାଉଛି । କାନ୍ଥରେ ଅନେକ ଚିତ୍ର ରହିଛି । ଏହି ଚିତ୍ରଗୁଡ଼ିକ ଆଦିମ ମଣିଷର ଅଙ୍କିତ ପ୍ରାକ୍ ଐତିହାସିକ ଚିତ୍ରକଳା । ଜୟପୁର ରାଜା ବିକ୍ରମ ଦେବ ଏହାକୁ ପ୍ରଥମେ ଆବିଷ୍କାର କରିଥିଲେ ।

ସୀତାବିଞ୍ଜି :-             କେଉଁଝର ଠାରୁ କଟକ ରାସ୍ତାରେ ଗଲେ ୧୫ ମାଇଲ ପରେ କଟରାବେଢ଼ା ଗାଁ ପଡ଼େ । ଏହି ଗାଁ ଠାରୁ ପଶ୍ଚିମକୁ ଆଉ ଏକ କଙ୍କଡ଼ା ରାସ୍ତାରେ ୫ମାଇଲ ଗଲାପରେ ଡାଙ୍ଗୁଆପଶି ଗାଁ । ତା’ର ନିକଟରେ ସୀତାବିଞ୍ଜି ଗୁମ୍ଫା ଅବସ୍ଥିତ । ଏହା ପାଶ୍ୱର୍ରେ ସୀତା ନଈ ଏବଂ ସୀତା ଠାକୁରାଣୀ ମନ୍ଦିର ଅବସ୍ଥିତ । ୧୯୩୭ ମସିହାରେ ପଣ୍ଡିତ ବିନାୟକ ମିଶ୍ର ଓ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାକୁ ଲୋକଲୋଚନକୁ ଆଣିଥିଲେ । ଏଠାରେ ପଥର ଖଣ୍ଡ ଉପରେ କେତେକ ଲେଖାକୁ ବ୍ରାହ୍ମୀ ବୋଲି ମତବ୍ୟକ୍ତ କରିଥାନ୍ତି । ସୀତାବିଞ୍ଜିର ‘ରାବଣାଛାୟା’ ପରି ଚିତ୍ରାବଳୀକୁ ଚତୁର୍ଥ ଶତାବ୍ଦୀର ଅନୁମାନ କରାଯାଏ । ଭୂମି ଉପରୁ ପ୍ରାୟ ୨୦/୨୧ ହାତ ଉପରକୁ ଏକ ପ୍ରସ୍ତର ଖଣ୍ଡ ତଳକୁ ଦେଖାଯାଉଥିବା ଏହି ଚିତ୍ରାବଳୀ ୧୭ଫୁଟ୍ ଏବଂ ୧୦ଫୁଟ୍ ଦୈର୍ଘ୍ୟ-ପ୍ରସ୍ଥ ବିଶିଷ୍ଟ ଏକ ସମତଳ ସ୍ଥାନ ଅଧିକାର କରି ରହିଛି । ଏହି ଚିତ୍ର ସମୂହ ଏକ ରାଜକୀୟ ଶୋଭାଯାତ୍ରାକୁ ସୂଚୀତ କରେ । ଏଥିରେ ଇଷତ୍ ପୀତ ବର୍ଣ୍ଣ, ଧୂସର, ଧଳା, ହଳଦିଆ, ଲାଲ ଏବଂ ଗେରୁଆ ରଂଗ ବ୍ୟବହୃତ ହୋଇଛି । ଚିତ୍ରଟି ଟେମ୍ପରା ସଦୃଶ ଅଙ୍କିତ ହୋଇଛି । କେତେକ ଐତିହାସିକ ଏହାକୁ ଫେସ୍କୋପେଣ୍ଟିଂ ବୋଲି କହିଥାନ୍ତି । ଏହାର ଅଜନ୍ତାର ବିଖ୍ୟାତ ୧୮ନମ୍ବର ଗୁମ୍ଫା ଚିତ୍ରକଳା ସହ ସାମଞ୍ଜସ୍ୟ ଥିବାର ଲକ୍ଷ୍ୟ କରାଯାଏ । ଓଡ଼ିଶାରେ ଅନ୍ୟ କୌଣସି ପ୍ରାଚୀନ ଗୁମ୍ଫାରେ ଏହି ଶୈଳୀର ଅଙ୍କନ ଦେଖାଯାଏ ନାହିଁ ।

ମୋଟାମୋଟି ଭାବେ ଦେଖିବାକୁ ଗଲେ ପ୍ରାଚୀନ ପ୍ରସ୍ତର ଯୁଗରେ ମଣିଷ ଗୁମ୍ଫାରେ ବାସ କରୁଥିଲା ଏବଂ ଶିକାର କରି ଜୀବିକା ନିର୍ବାହ କରୁଥିବା ପ୍ରସ୍ତର ଯୁଗରେ ହିଁ ଛବି ଚିତ୍ର ଅଙ୍କନ ପ୍ରଚଳିତ ଥିଲା ବୋଲି ଗବେଷକମାନେ ମତ ଦେଇଥାନ୍ତି । ପରବର୍ତ୍ତୀ ସମୟରେ ମଣିଷ ମନରେ ରଂଗ ଲଗାଇବାର ଧାରଣା ଆସଲା ଓ ସେହି ଅନୁସାରେ ମଣିଷ ପ୍ରଥମେ ଲାଲ, ହଳଦିଆ, ମାଟିଆ, ପାଉଁଶିଆ ଓ ବାଇଗଣି ରଂଗ ବ୍ୟବହାର ଜାଣିବା ପରେ ଅନ୍ୟ ସବୁ ରଂଗ ବିଷୟରେ ଜାଣିଲା । ଛବି ଗୁଡ଼ିକରେ ଶିକାର, ନୃତ୍ୟ, ପଶୁ, ପକ୍ଷୀ, ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିବାର ଦେଖିବାକୁ ମିଳେ ।

Share This Article
ଚିତ୍ରକର, କଳା ଶିକ୍ଷକ, ଲେଖକ