କିଛି ଗାଁ’ କିଛି ଅନୁଭୂତି : “ଜାମସେଠ୍”

Swayamprava Parhi (Chief Editor)
Swayamprava Parhi (Chief Editor) 326 Views
26 Min Read

ପାଇକମାଳ ବ୍ଲକର ଜାମସେଠ ହାଇସ୍କୁଲର ଆଉଜଣେ ଛାତ୍ରୀ ହେଉଛନ୍ତି ଲିଜା ପ୍ରଧାନ । ଲିଜା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ଜାମସେଠରେ ଦଶମ ଶ୍ରେଣୀରେ ପାଠ ପଢନ୍ତି । ତାଙ୍କ ଗ୍ରାମର ନାମ ଜାମସେଠ୍ । ଆମ ଭିଲେଜ ହିଷ୍ଟ୍ରି ଟିମ ଠାରେ ତାଙ୍କ ଗାଁ ଦେଖିବା ପାଇଁ ଯାଇଥିଲା । ଖୁବ ବଡ ଗାଁ’ ଜାମସେଠ । ଗାଁ ଭିତରକୁ ପଶିବା ବେଳେ ରାସ୍ତାରେ ଆମେ ଅନେକ ଜାମୁକୋଳି ଗଛ ଦେଖିଲୁ । ଗାଁ ଭିତରେ ଗୋଟିଏ ବଡ ଦେବୀ ମନ୍ଦିର । ଲିଜା କହିଲେ ମ୍ୟାମ ଆପଣ ଆମ ଗାଁ’କୁ ଦୀପାବଳି ପର ଦିନ ଆସିବେ ଦେଖିବେ ଏଠି କେତେବଡ଼ ମେଲ ଲାଗିବ । ଯଦିଓ ଆମେ ଦୀପାବଳି ପରେ ଆଉ ତାଙ୍କ ଗାଁ’କୁ ଯାଇପାରି ନଥିଲୁ । ଆମ ଟିମର ଅନ୍ୟତମ ଭିଡ଼ିଓ ଏକ୍ସପର୍ଟ ଉମେଶ ଚନ୍ଦ୍ର ବିଶ୍ଵାଳ କିନ୍ତୁ ତାଙ୍କ ଗାଁ’କୁ ଦୀପାବଳି ପରେ ଯାଇଥିଲେ ଓ ଗାଁର ସଂସ୍କୃତିକ କାର୍ଯ୍ୟକ୍ରମକୁ ଭିଡ଼ିଓ ରେକର୍ଡ଼ କରିବାପାଇଁ ଲିଜାଙ୍କୁ ଉତ୍ସାହିତ କରିଥିଲେ । ଲିଜା ନିଜର ଗାଁ ଇତିହାସ ଲେଖିବା ସମୟର ଅନୁଭୂତିକୁ ପ୍ରକାଶ କରି ଯାହା ଲେଖିଛନ୍ତି ଏଠାରେ ପ୍ରକାଶ କରାଯାଇଛି । 

Support Samadhwani

ଜାମସେଠ୍ ଗାଁ‘ର ଇତିହାସ ଓ ସଂସ୍କୃତି ଲେଖିବା ସମୟର ଅନୁଭୂତି

ମୋର ନାମ ଲିଜା ପ୍ରଧାନ I ମୁଁ ଦଶମ ଶ୍ରେଣୀର ଛାତ୍ରୀ ଓ ଜାମସେଠ୍ ସ୍କୁଲରେ ପାଠ ପଢ଼େ I ଦିନେ ଆମ ସ୍କୁଲରେ ସାର ଓ ମାଡାମ ମାନେ ଆସିଥିଲେ I ସେମାନେ ଆମକୁ ମିଲେଟ୍ ବିଷୟରେ ଜଣାଇଲେ ଓ ମାଡାମ ଗାଁ ଇତିହାସ ଲେଖିବାକୁ କହିଲେ । ସେ 5ଟି ପ୍ରଶ୍ନ ଦେଇ କହିଲେ ତମ ଗାଁ’ର ବୟସ୍କ ଲୋକଙ୍କୁ ପଚାରି ଲେଖିବ  I ମୁଁ ଘରକୁ ଯାଇ ଦାଦା ଓ ବଡ଼ ବାପାଙ୍କୁ ପଚାରିଲି । ପ୍ରଥମେ ସେ କହିଲେ ତୁ କ’ଣ କରିବୁ ଏସବୁ ଜାଣି । ମୁଁ କହିଲି ଆମ ସ୍କୁଲକୁ ମାଡାମ ଆସିଥିଲେ ବୋଲି ତା’ପରେ ସେ ଆମ ଗାଁ’ ବିଷୟରେ ମୋତେ ସବୁକଥା କହିଲେ I
ମୁଁ ଯେତେବେଳେ ଗାଁ’ର ଇତିହାସ ଲେଖିବା ପାଇଁ ଗାଁ’ ଲୋକଙ୍କୁ ଭେଟିଲି ସେ ସମୟରେ ମତେ ଲୋକଙ୍କୁ ପଚାରିବା ବହୁତ କଷ୍ଟ ହୋଇଥିଲା Iଲୋକଙ୍କୁ ବୁଝାଇ ବୁଝାଇ ପଚାରିଲା ବେଲେ ସେମାନେ କହୁଥିଲେ, ମୁଁ କହିପାରିବି ନାହିଁ I ବାପାଙ୍କ ସାଥିରେ ଯାଇ ମୁଁ ଗାଁ’ର ବୃଦ୍ଧ ଦାଦା ଓ ମାମାଙ୍କୁ ପଚାରିଲି । ମୋର ବାପା ମଧ୍ୟ ଆମ ଗାଁ’ର ଇତିହାସ ଲେଖିବାରେ ମୋତେ ବହୁତ ସାହାର୍ଯ୍ୟ କରିଛନ୍ତି I ମୁଁ ଆମ ଗାଁ’ର ସ୍ୱାସ୍ଥ୍ୟ ବିଷୟରେ ଆଶା ଦିଦି ଓ ଅଙ୍ଗନବାଡି ଦିଦିଙ୍କୁ ପଚାରିଲି I ଆଶା ଦିଦିଙ୍କୁ ତାଙ୍କର କାମ ଓ ତାଙ୍କୁ ଏହି କାମ କରି କେମିତି ଲାଗୁଛି ସେ ବିଷୟରେ ପଚାରିଲି I ସେ ମୋତେ ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି କହିଲେ I କେଉଁ ସମୟରେ କେଉଁ ଟୀକା ଔଷଧ ଦିଅନ୍ତି ସେ କହିଲେ I ମୁଁ ଯେତେବେଳେ ଅଙ୍ଗନବାଡ଼ି ଦିଦିଙ୍କୁ ପଚାରିଲି ସେ ମତେ କହିଲେ ତୁ ଜାଣିକି କ’ଣ କରିବୁ I ତୋର କି କାମରେ ଆସିବ? ମୁଁ କହିଲି ଆମ ସ୍କୁଲରେ ସାର ଓ ମାଡାମମାନେ ଆସିଥିଲେ । ସେମାନେ ମୋତେ ଗାଁ’ର ଇତିହାସ ଓ ଖାଦ୍ୟ,ସଂସ୍କୃତି ବିଷୟରେ ଲେଖିବାପାଇଁ କହିଛନ୍ତି I ମତେ ସ୍ୱାସ୍ଥ୍ୟ ବିଷୟରେ କୁହ ମୁଁ ଲେଖିବି । ତ’ପରେ ସେ ମୋତେ ଉତ୍ତର ଦେଲେ । 

ଆମ ଗାଁ’ର ନାମ ଜାମସେଠ୍ ପୁର ।  ଆମ ଗାଁ’ରେ ସବୁ ପ୍ରକାରର ଜାମକୋଳି ଗଛ ଥିଲା ,ସେଥିପାଇଁ ଗାଁ’ର ଲୋକମାନେ କଥା କଥାରେ ଜାମ ଗାଁ ବୋଲି କହୁଥିଲେ ।  ଦିନେ ଗାଁ’ର ଲୋକମାନେ ମାଟି ଗୁଡିରେ ପୂଜା କରୁଥିଲେ ସେଠାରେ ଗୋଟିଏ ଜାମ କୋଳି ଗଛ ଥିଲା ସେଇଟାକୁ ଦେଖି ଗାଁ’ର ଲୋକମାନେ ଜାମସେଠ୍ ନାମରେ ନାମିତ କଲେ ।  :ଆମ ଗାଁକୁ ଆଦିବାସୀ ଲୋକମାନେ ପ୍ରତିଷ୍ଠା କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଲୋକ ତାଙ୍କର ନାମ ଛୀନୁ ନାଏକ ଯିଏକି ଗାଁ’ର ଦେବୀ ଦେବତାଙ୍କୁ ସ୍ଥାପନ କରିଥିଲେ । ଗାଁକୁ ପରେ ପରେ ହରିଜନ,କୁଲତା,ଗୌଡ଼,କୁମ୍ଭାର,ସଅଂରା ,ବିନାଝାଲ ମାନେ ଆସି ବସତି ସ୍ଥାପନ କଲେ । ଆମ ଗାଁ’ର ଲୋକସଂଖ୍ୟା ହାରାହାରି ୧୪୮୪ । ଆମ ଗାଁରେ ଏବେ ୩୭୫ଟି ଘର ଅଛି ଏବଂ ୧୭୦ଟି ପକ୍କାଘର ଓ ୧୯୫ଟି ଚାଳ ଘର ଅଛି । କୁଲତା, ଗୌଡ଼, ବିଂଝାଳ, କୁମ୍ଭାର, ମାଝୀ, ବୁଝାରୀ, କଟକିଆ, କେଉଁଟ, ଅଗରିହା ଏହିସବୁ ଲୋକ ଆମ ଗାଁ’ରେ ବସବାସ କରନ୍ତି । ଆମ ଗାଁରେ ଚିତ୍ରକଳା ଓ କାଠକାମ କାରିଗରୀ ଅଛନ୍ତି। ଆମ ଗାଁରେ କେହି କଳାକାର କିମ୍ବା ଅନ୍ୟ କେହି ଲୋକ ସରକାରୀ ବା ବେସରକାରୀ ଭାବେ ପୁରସ୍କୃତ ହୋଇନାହାନ୍ତି । ଆମ ଗାଁରେ ଅତୀତରେ କେହି ସ୍ୱାଧୀନତା ସଂଗ୍ରାମ କିମ୍ବା ଅନ୍ୟ କିଛି ଗୁରୁତ୍ୱପୂର୍ଣ କାମରେ ଭାଗ ନେଇ ନାହାନ୍ତି। ଆମ ଗାଁରେ ଦର୍ଶନୀୟସ୍ଥାନ ବା ପର୍ଯ୍ୟଟନ ସ୍ଥଳ ନାହିଁ । ଆମ ଅତି ସରଳ ସୁନ୍ଦର ଗାଁ । ଆମ ଗାଁରେ ଦୁଇଟି ସ୍କୁଲ ଅଛି ଓ ଅଙ୍ଗନବାଡି କେନ୍ଦ୍ର ତିନିଟି ଅଛି। ବର୍ତ୍ତମାନ ଆମ ସ୍କୁଲରେ ୨୬୦ଟି ପିଲା ପାଠ ପଢୁଛି। ଗାଁରେ ପାଠପଢ଼ୁ ନଥିବା ଓ ଅଧାରୁ ପାଠ ଛାଡିଥିବା ପିଲା ସଂଖ୍ୟା ପ୍ରାୟ ଶତକଡା ୨୫ ଭାଗ । ସେମାନେ କୌଣସି କାମ ନ ପାଇବାରୁ ବାହାର ରାଜ୍ୟକୁ ଯାଉଛନ୍ତି କାମ ପାଇଁ । ଗାଁରେ ଅତୀତରେ ପାଣି ଆଣିବାପାଇଁ ଝରଣା, ପୋଖରୀକୁ ଯାଉଥିଲେ । ଏବେ ଗାଁରେ ନଦୀ, ନଳକୂପ,କୂଅ ରହିଛି। ଗାଁରେ ପାଣିର ଅସୁବିଧା ହୁଏନାହିଁ । ଯଦି ଅସୁବିଧା ହେଲେ ନଦୀ, ପୋଖରୀରୁ ପାଣି ଆଣି ବ୍ୟବହାର କରନ୍ତି। 

Support Samadhwani

ଗାଁର ସବୁଠାରୁ ପୁରୁଣା ବା ବୟସ୍କ ଲୋକ ହେଉଛନ୍ତି ନିତ୍ୟା ମାଝୀ । ସେ ତାଙ୍କ ପିଲାବେଳେ ଶୁଣିଥିଲେ ଯେ, ଆମ ଗାଁ‘ରେ ସବୁ ପ୍ରକାର ଜାମ କୋଳି ଗଛ ଥିଲା । ଯଥା-ରାଏଜାମ,ଛୋଟ ଜାମ ଇତ୍ୟାଦି । ଆଉ ଆମ ଗାଁ’ରେ ଧାନ ମିଲ ଥିଲା । ଆମ ଗାଁ ଚାରିଆଡେ ଘଞ୍ଚ ଜଙ୍ଗଲ ଥିଲା । ଆମ ଗାଁ ନଦୀ ପାଖରେ ସେମେଲ ଗଛ ଥିଲା ଓ ପାଖରେ ଭଣାର ଘାରିଏନ ପୂଜା କରୁଥିଲେ । ଆମ ଗାଁ’ର ମାତା ଗୁଡ଼ିଠାରେ ବରଗଛଟିଏ ଥିଲା ସେଠାରେ ବାଦୁଳି ପକ୍ଷୀମାନେ ରହୁଥିଲେ । ସେହି ବର ଗଛଠାରୁ  ସେମେଲ ଗଛକୁ ପ୍ରତିଦିନ ଯିବା ଆସିବା କରୁଥିଲେ । ସବୁ ପକ୍ଷୀ ଏକାସାଥିରେ ଯାଉଥିଲେ ।  ଗାଁ’ର ଛୋଟ ଛୋଟ ପୁଅ, ଝିଅମାନେ ହାତକୁ ଟେକି ଆ ଆ ବୋଲି ଡାକୁଥିଲେ । ଯଦି ତାଙ୍କ ହାତରେ ଧଳା ଧଳା କିଛି ଦେଖିବାକୁ ମିଳେ ତାହେଲେ ସେମାନେ ଭାବୁଥିଲେ ଯେ ପକ୍ଷୀମାନେ ଆମକୁ କିଛି ବର ଦେଲେ । ଦିନେ ବହୁତ ଜୋରରେ ଖରା ବର୍ଷା ହେଲା ଯେ ବାଦୁଳି ପକ୍ଷୀ ଓ ଅନ୍ୟ ପକ୍ଷୀ ମାନେ କିଏ ଗଛ ତଳେ ତ କିଛି ସୁଆଳରେ ପଡି ପଡି ମରିଯାଇଥିଲେ । ସେଦିନଠାରୁ ଆମ ଗାଁ’ରେ ବାଦୁଳି ପକ୍ଷୀ କମ ସଂଖ୍ୟାରେ ଦେଖା ଗଲେ । କିନ୍ତୁ ଏବେ ଗୋଟିଏ ବି ବାଦୁଳି ଦେଖାଯାଉନାହାନ୍ତି । ଆମ ଗାଁ‘ରେ ଗୋଟିଏ ସମିଲ ଥିଲା । ସେତେବେଳେ ପାଟଣା ଆଡୁ ପୋଷାକ ଆଣିଲେ ବାଟରେ ପୋଲିସ ମାନେ ଅଟକାଇ ରଖୁଥିଲେ ।  ଝିଅମାନେ କପଟୀ ପିନ୍ଧୁଥିଲେ ଓ ସ୍ତ୍ରୀ ଲୋକମାନେ କାପଟା ପିନ୍ଧୁଥିଲେ । ଆମ ଗାଁ’ର ଲୋକମାନେ ରାଜାକଟାକୁ ପିଇବାପାଇଁ ପାଣି ଆଣି ଯାଉଥିଲେ ନ ହେଲେ ଡଙ୍ଗ ନଦୀଠାରେ ବାଲି କୂଅ ଖୋଳି ପାଣି ଆଣି ବ୍ୟବହାର କରୁଥିଲେ । ଯେତେବେଳେ ଆମ ଗାଁ’ରେ ରାସ୍ତା ତିଆରି ହେଲା ସେତେବେଳେ ଲାଲଚୁରନି ବସ ପ୍ରଥମେ ଚାଲିଲା । ଗାଁ’ର ଛୁଆମାନେ ତାକୁ ଦେଖି ଡରୁଥିଲେ । ସେମାନେ ଭାବୁଥିଲେ ଆମକୁ ନେଇଯିବବୋଲି ।    

 ଆମ ମା’ମାନେ ଗାଁକୁ ବିବାହ କରି ଆସିବାବେଳେ ଆମ ଗାଁ’ରେ ମନ୍ଦିର ନଥିଲା । ଏବେ କାଳୀ ମନ୍ଦିର,ଶିବ ମନ୍ଦିର,ହନୁମାନ ମନ୍ଦିର ତିଆରି ହେଲାଣି । ତିନିଟି ନଳକୂଅ ଖନନ ହେଲା । ଆଗରେ ଗଛ ବେଶୀ ଥିଲା ଓ ଘର ସଂଖ୍ୟା କମ ଥିଲା । ସେ କାଳରେ ଚାଳଛପର ଘର ତଥା ଖପର ଘର ସଂଖ୍ୟା ଅଧିକ ଥିଲା । କାହା ଘରେ ମଧ୍ୟ ଶୌଚାଳୟ ନଥିଲା । ସମସ୍ତେ ନିତ୍ୟ କର୍ମ କରିବାକୁ ବାହାରକୁ ଯାଉଥିଲେ । ଘରେ ଘରେ ପିଇବା ପାଣିର ବ୍ୟବସ୍ଥା ନଥିଲା । ସମସ୍ତେ ଗାଁ ପୋଖରୀରୁ ବା କୂଅକୁ ଯାଉଥିଲେ ଗାଧେଇବା ପାଇଁ । ବିଭିନ୍ନ ପ୍ରକାର ପୋଷ ବ୍ରତ ଯଥା – ଭାଇ ଜିଉଁନ୍ତିଆ,ପୁଅ ଜିଉଁନ୍ତିଆ,ଜନ୍ମାଷ୍ଟମୀ,ଅଁଳା ନବମୀ ଏଗୁଡିକ ମିଶି ଗୋଟିଏ ଜାଗାରେ କରୁଥିଲେ । ବର୍ତ୍ତମାନ ଅଲଗା ଅଲଗା ସ୍ଥାନରେ କରୁଛନ୍ତି ।  

ଧର୍ମ ସ୍ଥାନ ଓ ପର୍ବପର୍ବାଣି 

ଆମ ଗାଁ’ରେ ମାଟିଗୁଡ଼ି,ଛୁଟିଗୁଡି,ଘମକାସାରୁ,ମାତା ଗୁଡ଼ି,କାଳୀ ମନ୍ଦିର,ଶିବ ମନ୍ଦିର,ଜଗନ୍ନାଥ ମନ୍ଦିର,ଠାକୁରବୁଢା,ଗଛ ମୂଳରେ ଠାକୁରାଣୀ ଏହିସବୁ ଧର୍ମ ପୀଠ ବା ପୂଜାସ୍ଥଳୀ ଅଛି । ଆମ ଗାଁ’ରେ ନୂଆଖାଇ,କାଳୀ ପୂଜା,ରଥଯାତ୍ରା ଏହି ସବୁ ପର୍ବ ପର୍ବାଣି ପାଳନ କରାଯାଏ । ପୂର୍ବରୁ ଗାଁ’ରେ ବଳି ପ୍ରଥା, ବିହନ ପର୍ବ, ମୁଠି ଛିଆ ପର୍ବ, ଏହି ସବୁ ପର୍ବ ପରମ୍ପରାରେ ଥିଲା ,ଏବେ ମଧ୍ୟ ଏହି ସବୁ ପ୍ରଥା ଗାଁ’ରେ କରନ୍ତି । ଗାଁ’ରେ ଲୋକମାନେ ଧର୍ମ ପୀଠ ବ୍ୟତୀତ ଅନ୍ୟ ସ୍ଥାନରେ ପଥରକୁ ଠାକୁର ବୁଢାଙ୍କୁ ଦେବତା ଭାବରେ ପୂଜା କରନ୍ତି । ଆମ ଗାଁ’ରେ ନୂଆଖାଇ ପର୍ବରେ ନୂଆଖାଇ ଭେଟ କରନ୍ତି । ଆମ ଗାଁ’ରେ କୀର୍ତନ ଦଳ, ନାଟକ ଦଳ, ବାଦ୍ୟ ବଜେଇବା ପାଇଁ ବଜନିଆ ଦଳ ଅଛନ୍ତି । ଗାଁ’ରେ ଯାନିଯାତ୍ରା ଓ ଉତ୍ସବ ସମୟରେ ମହିଳମାନେ ସମ୍ବଲପୁରୀ ଶାଢ଼ୀ ବା ଅନ୍ୟ ଶାଢ଼ୀ ପିନ୍ଧନ୍ତି ଏବଂ ପୁରୁଷମାନେ ନୂତନ ପେଣ୍ଟ ସାଟ ବା ଧୋତି ପିନ୍ଧନ୍ତି । ଗାଁ’ରେ ପର୍ବପର୍ବାଣୀରେ ଆରିସା ପିଠା, କାକରା ପିଠା, ଦୁଧରା ପିଠା, ଘାଣ୍ଟ ତରକାରୀ, କ୍ଷୀରି, ମଣ୍ଡା ପିଠା, ମୁଗ ସିଝା, ପୋଡ଼ ପିଠା ଇତ୍ୟାଦି କରନ୍ତି । ନୂଆଁଖାଇ ପର୍ବରେ ଆରିସା ପିଠା ଏବଂ ନୂଆ ଧାନର ଚୁଡା କରନ୍ତି । ପୌଷ ପୂର୍ଣ୍ଣମା ଦିନ ମଣ୍ଡା ପିଠା ଓ କାକରା ପିଠା ସମସ୍ତଙ୍କ ଘରେ କରନ୍ତି । ମାର୍ଗଶୀର ଗୁରୁବାରରେ ମୁଗ ସିଝା ଭାତ, ଡାଲି ଏବଂ ଦଶପୁର ଦିଆ ମଣ୍ଡା ପିଠା କରନ୍ତି । ପର୍ବପର୍ବାଣି ମାନଙ୍କରେ ସମସ୍ତଙ୍କ ଘରେ ଅରୁଆ ଚାଉଳର ଭାତ ଏବଂ ମୁଗ ଡାଲି ରନ୍ଧା ହୁଏ । ନୁଆଁଖାଇ ପର୍ବରେ ମା’ ସମଲେଇଙ୍କୁ ସାରୁ ତରକାରୀ ଭୋଗ ଲଗାଯାଏ । ଆଗ କାଳରେ ପର୍ବପର୍ବାଣି ମାନଙ୍କରେ ସୁଆଁ ଓ କାଙ୍ଗୁକୁ କ୍ଷୀରି ବନାଇ ଖାଉଥିଲେ । ବର୍ତ୍ତମାନ ଆଉ ମିଳୁନାହିଁ । ମାଣ୍ଡିଆକୁ ପିଠା କରି ଖାଉଥିଲେ ଏବଂ ଗୁଞ୍ଜିକୁ ଭାଜି ସେଥିରେ ବିଭିନ୍ନ ଲଡୁ ତିଆରି କରୁଥିଲେ । କିଆ ଗଛର ଚେରକୁ ଲେଆ ରାନ୍ଧୁଥିଲେ । 

ଖାଦ୍ୟପେୟ 

ଖାଦ୍ୟ ଭିତରେ ଆମେ ପ୍ରତିଦିନ ଘରେ ସକାଳ ଚା,ଚକୁଳି ପିଠା,ବରା,ସୁଜି,ଇଟିଲି,ସିମେଇ ଇତ୍ୟାଦି ଖାଉଛୁ । ମଧ୍ୟାହ୍ନରେ ଭାତ, ଡାଲି, ତରକାରୀ, ଶାଗ ଭଜା, ଖଟା, ଲେଥା, ପନିର ଆଦି ମାଧ୍ୟାନ ଭୋଜନ କରୁ । ସନ୍ଧ୍ୟାରେ ପୁରି ତରକାରୀ,ପକୁଡି,ବିରିବରା ଇତ୍ୟାଦି ସନ୍ଧ୍ୟାବେଳେ ଖାଉ । ରାତିରେ ଅଧିକାଂଶ ଲୋକ ଭାତ,ଡାଲି,ଭଜା,ତରକାରୀ ଖାଆନ୍ତି ଓ କେତେକ ଲୋକ ରୁଟି ଖାଆନ୍ତି । ବାପା, ମା’, ଜେଜେ, ଜେଜେମା, ଅଜା, ଆଈ, ଦାଦା, ନାନା ତାଙ୍କ ପିଲାବେଳେ ସେମାନେ ମହୁଲ ପିଠା, ଗୁଞ୍ଜି ପିଠା, କନ୍ଦା, କୋଳଥକୁ ସିଝାଇ ଓ ମହୁଲକୁ ସିଝାଇ ଖାଉଥିଲେ। ଜଙ୍ଗଲରୁ ଫଳମୂଳ ଆଣି ଖାଉଥିଲେ । ଏବେ ଛୁଆମାନେ ନୂତନ ନୂତନ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ପ୍ରଥମେ ପୁଷ୍ଟିକର ଖାଦ୍ୟ ସବୁ ଖାଉଥିଲେ ଏବେ ଦେହ ଖରାପ ହେବାପରି ଖାଦ୍ୟକୁ ସମସ୍ତେ ପସନ୍ଦ କରନ୍ତି । ଆମ ଗାଁ’ର ଲୋକେ ଆଗ ତାଳ ଗଜା , କଳାସୂ, କରନି, ବାସୁମତି, ଜିରାଗୁନି, ମାଣ୍ଡିଆ, ଟିଖିରୀ, ଗୁଞ୍ଜି, କାକରା ପିଠା, କୁଦୋ ଖାଉଥିଲେ ଏବେ ଆଉ ସେହି ଖାଦ୍ୟ ଖାଉନାହାନ୍ତି କିନ୍ତୁ ଏସବୁ ପୁଷ୍ଟିସାର ଖାଦ୍ୟ ଅଟେ ।  ପିଲାମାନେ ଏବେ ବେଶୀ ମନଚୁରିଆନ,ପାସ୍ତା,ମ୍ୟାଗି,ପିଜ୍ଜା,ଗୁପଚୁପ,ବରା ଇତ୍ୟାଦି ଖାଇବାକୁ ଭଲ ପାଉଛନ୍ତି । ଆମ ଗାଁ’ରେ ସୁଆଁ,ମାଣ୍ଡିଆ,ବାଜରା, ଜୁଆର, ଗୁନ୍ଦଲି ,କୋଦ ଏସବୁ ପୁଷ୍ଟିଶସ୍ୟ ଖାଦ୍ୟ ଆଉ ଖାଉନାହାନ୍ତି । ଆମ ଗାଁ’ର ପାରମ୍ପରିକ ଖାଦ୍ୟ ଗୁଡିକ ହେଲା ଦୁଧରା ପିଠା,ଆରିସା ପିଠା,ପୋଡ଼ ପିଠା ଇତ୍ୟାଦି । 

ଦୁଧରା ପିଠା ତିଆରି କରିବା ପାଇଁ – ପ୍ରଥମେ ଝୁନଗା ମଞ୍ଜିକୁ ପାଣିରେ ରଖି ,ବତୁରି ଗଲେ ତାକୁ ବାଟି ଦିଅନ୍ତି । ସେଥିରେ କ୍ଷୀର,ଲୁଣ,ଗୁଡ଼,ଦେଇ ଘାଣ୍ଟି ଘାଣ୍ଟି ମିଶାଇଦିଅନ୍ତି । ତାପରେ କଡେଇରେ ତେଲ ଗରମ କରିକି ଛାଣି ଦେଇଥାନ୍ତି । ତାପରେ ପିଠା ତିଆରି ହୋଇଯାଇଥାଏ । 

ପୋଡ଼ ପିଠା- ପୋଡ଼ ପିଠା ତିଆରି କରିବା ପାଇଁ ଗୋଟେ ଗିନା ଚାଉଳକୁ ବତୁରେଇ ତାକୁ ବହଳିଆ ବାଟି ଆଉ ଗୁଡ଼, ନଡ଼ିଆ, ଚିନି, କାଜୁବାଦାମକୁ ଭାଜି ପାନ ମଧୁରୀ,ଗୋଲମରିଚ,ଜିରା,ଇଲାଇଚି,ଲବଙ୍ଗ ନେବା । ଗୋଟେ ଗିନା ଘିଅ । ପ୍ରଥମେ କଡେଇରେ ପାଣି ଗରମ କରି ଗୁଡ଼ ପକେଇବା,ଚିନି ଦେଇକି ଗୋଳେଇଦେବା। ଗୁଡ଼ ଆଉ ଚିନି ମିଳେଇବା ପର୍ଯ୍ୟନ୍ତ । ତାପରେ ତେଜ ପତ୍ର ଛୋଟ ଛୋଟ କାଟିଥିବା ନଡ଼ିଆ,କାଜୁବାଦାମ କୁ ପକେଇବା । ସ୍ୱାଦ ଅନୁସାରେ ଲୁଣ ଦେଇ ଘାଣ୍ଟିଦେବା ଯେଉଁ ପିଠଉ ବାଟିକି ରଖିଥିବା ତାକୁ ଧୀରେ ଧୀର ତରଲେଇ ଗଲେଇବା ପକେଇ ଚାଲୁଥିବା,ଘାଣ୍ଟି ଚଳୁଥିଲେ ଯେପର୍ଯ୍ୟନ୍ତ ସିଝିବ ତାପରେ ଗୋଟେ ଚାମଚ ଦେଶୀ ଘିଅ ଓ ରାଶି,ପାନ ମଧୁରୀ ଇତ୍ୟାଦିକୁ ମସଲା ବନେଇ ତାକୁ ପକେଇବା । ଏବେ ଗୋଟେ ବଡ଼ କଡେଇ କୁ ନେଇ ତେଲ ପକେଇବା ଗୋଟିଏ କଦଳୀ ପତ୍ର ନେବା ସେଥିରେ ଘିଅ ଦେବା ତାକୁ କଡେଇରେ ରଖିବା ତାପରେ ସେଥିରେ ଜନ୍ତୁଣିକୁ ଦେବା ଓ ତାକୁ ସଜାଇ ଦେବା,ତାପରେ ଛୋଟ କଦଳୀ ପତ୍ର ଦେବା ପରେ ତାକୁ ଢାଙ୍କି ଦେବା ସିଝିବା ପର୍ଯ୍ୟନ୍ତ । ଆଜି କାଲିର ଝିଅ,ବୋହୁମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିଛନ୍ତି । ଯେମିତି ଆରିସା ପିଠା ବିଷୟରେ ଜାଣିଛନ୍ତି । ପ୍ରଥମେ ଚାଉଳକୁ ବତୁରେଇକି ଛାଣି ଦେଇଥାନ୍ତି । ତାକୁ ନେଇ ଢ଼ି଼ଙ୍କିରେ କୁଟନ୍ତି କିମ୍ବା ମିଲରେ ଗୁଣ୍ଡ କରନ୍ତି । କଡେଇରେ ଅଳ୍ପ ପାଣି ଗରମ କରି ସେଥିରେ ଗୁଡ଼ ପକାନ୍ତି ଅନ୍ୟ ଗୋଟିଏ କଡେଇରେ ରାଶିକୁ ଭାଜିବା । ଗୁଡରେ ପାନ ମଧୁରୀକୁ ଢ଼ାଳିବା ଗୋଳେଇଦେବା। ଗୁଡ଼ ପୋଡି ଆସିଲେ ଗୋଟିଏ ଗିନାରେ ପାଣି ରଖି ଗୁଡକୁ ଟିକେ ସେଥିରେ ପକାଇ ଦେଖିବା,ଜେଲି ପରି ହେଲେ ସେଥିରେ ଚୁନାକୁ କମ କମ ଦେଇକି ମିଶାଇବା । ଗୋଟିଏ କଡେଇରେ ତେଲ ଗରମ କରନ୍ତି ତାପରେ ଚୁନାରେ ତିଆରି ହୋଇଥିବା ଜତନିକୁ ଛୋଟ ଛୋଟ ଗୋଲ କରିକି ତା ମଝିରେ ଟିକିଏ ପତଳା କରି ତେଲରେ ଛାଣି ଦେଇ ସାରିଲାପରେ ଆରିସା ପିଠା ହୋଇଯାଇଥାଏ ।    

ସ୍ୱାସ୍ଥ୍ୟ 

ଆମ ଗାଁ’ର ଲୋକମାନଙ୍କୁ ଥଣ୍ଡା,କାଶ,କାଛୁକୁଣ୍ଡିଆ,ମ୍ୟାଲେରିଆ,ବସନ୍ତ ରୋଗ ହେଲେ ଶ୍ରୀମତି ଦୁର୍ବାସିନୀ ପ୍ରଧାନ ଆଶା ଦିଦିଙ୍କ ପାଖକୁ ଯାଇ ଚିକିତ୍ସା ପାଇଁ ସାହାଯ୍ୟ ଲୋଡ଼ନ୍ତି । ଗାଁ’ରେ ଲୋକମାନେ ଅଧିକ ଅସୁସ୍ଥ ହେଲେ ଡାକ୍ତର ଖାନା ଯାଇଥାନ୍ତି । ଆମ ଗାଁ’ରେ ହଇଜା, କାଛୁକୁଣ୍ଡିଆ ଆଦି ଜଳବାହିତ ରୋଗ ଦେଖାଯାଏ । ଭିଟାମିନ ଅଭାବରେ ପୋଲିଓ, ଅନ୍ଧାରକଣା, କଳଖିଆ, ଜିଭ ଘା ଆଦି ଦେଖାଯାଏ । ପୁଷ୍ଟିହୀନତା ରୋଗ ହେଲେ ଜିଭରେ ଘା ହେବା,ଓଜନ କମିବା,ଚର୍ମ ଓ ଓଠ ଶୁଖିଲା ଦେଖାଯାଏ,ମୁଣ୍ଡର ଚୁଟି କମ ବୟସରେ ପାଚିଯାଇଥାଏ । ଆମ ଗାଁ ପଂଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ର ଅଛି । ଗାଁ’ର ସମସ୍ତଲୋକ ଡାକ୍ତର ଖାନାକୁ ଯାଆନ୍ତି । କିନ୍ତୁ ଆଗର ଜେଜେ ମା’,ଜେଜେ ବାପା ଅଛନ୍ତି ସେମାନେ ଗୁଣିଆ,ବୌଦ୍ୟ ପାଖକୁ ଯାଆନ୍ତି । ପ୍ରସୂତି ପାଇଁ ଗାଁ’ର ସବୁ ସ୍ତ୍ରୀ ଲୋକ ଡାକ୍ତର ଖାନାକୁ ଯାଆନ୍ତି । ଆମ ଗାଁ ଗୋଟିଏ ବାହ୍ୟ ପରିମଳ ମୁକ୍ତ ଗାଁ । ଗତ 11 ବର୍ଷରୁ ବାହ୍ୟ ପରିମଳ ମୁକ୍ତ ହୋଇ ଆସୁଛି । ଆଗେ ଆମ ଗାଁ’ରେ ଡାଇରିଆ,ମେଲେରିଆ,କୃଷ୍ଠ,ପୋଲିଓ,ବସନ୍ତ,ଯକ୍ଷ୍ମା,ମହାମାରୀ ରୋଗ ଅଧିକ ମାତ୍ରାରେ ଦେଖାଯାଉଥିଲା ଯାହା ଏବେ ଦେଖାଯାଉ ନାହିଁ । ଆମ ଗାଁ ପରିସ୍କାର ପରିଚ୍ଛନ୍ନ ଅଟେ । ଗାଁ’କୁ ମିଶନ ଶକ୍ତି ବା S.H.G ଗ୍ରୁପ ଓ ଗାଁ କଲ୍ୟାଣ ସମିତି ପରିସ୍କାର ରଖନ୍ତି । ଆଶା ଦିଦି,ଅଙ୍ଗନୱାଡି ଦିଦି ,ସ୍ୱାସ୍ଥ୍ୟ କର୍ମୀ ଗାଁ’ର ଲୋକମାନେ ମିଶି ସ୍ଵଚ୍ଚ ଭାରତ ଅଭିଯାନ କରନ୍ତି । ବର୍ଷା ହେଲେ ମଶା ମାଛିରୁ ରକ୍ଷା ପାଇବା ପାଇଁ ଗାଁ’କୁ ପ୍ରଥମେ ପରିଷ୍କାର କରନ୍ତି ଘର ଘେରରେ ମଶାରୀ,କଏଲ ବ୍ୟବହାର କରନ୍ତି । ଆମେ ସୁରକ୍ଷିତ ନହେଲେ ଆମକୁ ମେଲେରିଆ,ଜ୍ୱର ହେବ । ଲୋକମାନେ ମଶା ଠାରୁ ରକ୍ଷା ପାଇବା ପାଇଁ ସନ୍ଧ୍ୟାବେଳେ ବିଭିନ୍ନ ପ୍ରକାର ଧୂଆଁ ଦିଅନ୍ତି । ମାଛି ମାନଙ୍କର ବଂଶ ବୃଦ୍ଧି ନ ହେବାପାଇଁ ଘରେ ଘରେ ମାଛି ମାରିବା ଔଷଧ ଛିଞ୍ଚନ କରନ୍ତି । ନାଳ ନର୍ଦ୍ଧମାରେ ଜମି ଯାଇଥିବା ପାଣିକୁ ପରିଷ୍କାର କରନ୍ତି।  ଆମ ଗାଁ’ରେ ସବୁ ମାସର ପ୍ରଥମ ବୁଧବାର ଦିନ ବୟସ ଅନୁସାରେ ଶିଶୁମାନଙ୍କୁ ପ୍ରତିଷେଧକ ଟୀକା ଦିଆଯାଏ । ଗତ କୋରନା ସମୟରେ ମଧ୍ୟ ଟୀକା ସମସ୍ତଙ୍କୁ ଦିଆଯାଇଥିଲା । ଗାଁ’ରେ ଏବେ କୋରନା, ଆଖୀଧରା, ରୋଗ, ଫାଇଲେରିଆ, କ୍ରାବସ, ଟାଇଫଏଡ ଏହିସବୁ ନୂଆ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବର୍ତ୍ତମାନ ଦେଖିବାକୁ ଗଲେ ଗାଁ’ରେ ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି । ଯେପରିକି-କୋରନା ରେ ପୀଡିତ ହୋଇ ମୃତ୍ୟୁ । ଏହା ସହିତ ଟାଇଫଏଡ, ଆଖୀଧରା ପରି ଭୁତାଣୁ ଜନିତ ରୋଗ ଦ୍ୱାରା ମଧ୍ୟ ଆକ୍ରାନ୍ତ ହେଉଛନ୍ତି ।  

ଚାଷବାସ 

ଆମ ଗାଁ’ରେ ଧାନ,ମୁଗ,ବିରି,ମାଣ୍ଡିଆ,କପା,ପନିପରିବା,କୋଳଥ,ମକା,ଚିନାବାଦାମ,ଆଖୁ ଇତ୍ୟାଦି ଚାଷ କରାଯାଏ । ଧାନ,କପା  ଅଧିକ ମାତ୍ରାରେ ଚାଷ କରାଯାଏ ।  ପୂର୍ବରୁ ଲୋକମାନଙ୍କର ମୁଖ୍ୟ ଖାଦ୍ୟ ସୁଆଁ,ମାଣ୍ଡିଆ,କୁଦୋ,ଗୁଞ୍ଜି,ସୁନିଆଁ,କୁସମା ଧାନର ଚାଉଳ ଥିଲା । ଗାଁ’ରେ 9 ସିଟ ଏକର ଜମି ଅଛି । 5 ସିଟ ଜମି ଚାଷପାଇଁ ଉପଯୋଗୀ ଓ 4 ସିଟ ଜମି ଅନୁପଯୋଗୀ । ଗାଁ’ରେ ସବୁ ଲୋକମାନେ ଚାଷକାମ ଉପରେ ନିର୍ଭର କରନ୍ତି । ଆମ ଗାଁ’ରେ ଚାଷ ବ୍ୟତୀତ ଲୋକମାନେ ଆଉ ଅନ୍ୟ କାମ କରନ୍ତି । ଯଥା-ବେପାର, ବିଜନେସ, ଶିକ୍ଷକ, ଅଙ୍ଗନବାଡି ଦିଦି, ପୋଲିସ,ଏବଂ ଅଧିକାଂଶ ଲୋକ ଚାଷୀ ଅଟନ୍ତି । ଆମ ଗାଁ ଲୋକମାନେ ବିହନକୁ ବସ୍ତାରେ ସାଇତି ରଖୁଛନ୍ତି । ଆଗ କାଳରେ ଭଦ୍ରିରେ ରଖୁଥିଲେ । ଗାଁ’ରେ ଚାଷକାମ ପାଇଁ ଜଳସେଚନର ବ୍ୟବସ୍ଥା ଅଛି । ଗାଁ’ର ଲୋକମାନେ ଚାଷକାମ ପାଇଁ ବର୍ଷା ଓ ଉଠା ଜଳସେଚନ ଉପରେ ନିର୍ଭର କରନ୍ତି । ଆମ ଗାଁ’ରେ ଜଳସେଚନ ପାଇଁ ସେତେ କିଛି ବ୍ୟବସ୍ଥା ନାହିଁ । ପ୍ରାୟ ୧୦ ଜଣ ଚାଷୀ ଜଳସେଚନର ବ୍ୟବସ୍ଥା ଦ୍ୱାରା ଉପକୃତ ହେଉଛନ୍ତି । 

ଗାଁ’ରେ ଧାଡି ପଦ୍ଧତିରେ ଚାଷ କରାଯାଏ । ଗାଁ’ରେ ବିଭିନ୍ନ ପ୍ରକାର ଫଳଗଛ ଗୁଡିକୁ ରୋପଣ କରି ସେଥିରୁ ଅମଳ କରାଯାଏ । ଯଥା-ଆମ୍ବ,କଦଳୀ ଇତ୍ୟାଦି । ହଳଦୀ ଚାଷ କରୁଥିବା ଲୋକମାନେ ଜମିକୁ ପ୍ରଥମେ ପୋଡି ଦିଅନ୍ତି ଓ ପରେ ସେଥିରେ ମୃତିକା ପ୍ରସ୍ତୁତି କରି ହଳଦୀ ଲଗାନ୍ତି । ଯେଉଁଥିରେ ଅଧିକ ଅମଳ କରିଥାନ୍ତି । ଏହା ସହିତ ଧାନ,ମୁଗ,ବିରି ଇତ୍ୟାଦି ଫସଲକୁ ବୁଣା ଯାଏ । ମାଣ୍ଡିଆ,ଧାନ ଭଳି ଶସ୍ୟକୁ ପ୍ରଥମେ ଅନ୍ୟତ୍ର ଜାଗାରେ ଗଜା କରାଇ ଗଛକୁ ବଢ଼ାଯାଏ ଏବଂ 1 ରୁ ଅଧା ଫୁଟ ହେବାପରେ ପ୍ରଥରୁ କରାଯାଇଥିବା ଜମିରେ ରୋପଣ କରାଯାଏ  । କପା ମଞ୍ଜିକୁ ନିର୍ଦ୍ଧିଷ୍ଟ ଦୂରତା ଅନୁସାରେ ରୋପଣ କରି ଚାଷ କରାଯାଏ । ଯଥା-କଲରା,ଜହ୍ନି,ଭେଣ୍ଡି,କାକୁଡି,ଫୁଲକୋବି,ବିଲାତି,ବାଇଗଣ,ବନ୍ଧାକୋବି ଇତ୍ୟାଦି କୁ ଚାଷ କରାଯାଏ ।  

8-ଫସଲର ନାମ                                                                                                       କେତେ ଅମଳ ହୁଏ (ଏକରକୁ/କୁଇଣ୍ଟାଲ ) 

  (1)ଧାନ                                                                                                               15  କୁଇଣ୍ଟାଲ 

  (2)ବିରି                                                                                                               2/3 କୁଇଣ୍ଟାଲ 

  (3)ମୁଗ                                                                                                               2/3 କୁଇଣ୍ଟାଲ 

  (4)ମାଣ୍ଡିଆ                                                                                                           3 କୁଇଣ୍ଟାଲ 

  (5)ବାଜରା                                                                                                            5 ରୁ 7 କୁଇଣ୍ଟାଲ 

  (6)ଯଅ                                                                                                                2 କୁଇଣ୍ଟାଲ 

  (7)ଗୁନ୍ଦଲି                                                                                                             3 କୁଇଣ୍ଟାଲ  

  (8)କୋଦ                                                                                                             5 ରୁ 6 କୁଇଣ୍ଟାଲ 

ଗାଁ’ରେ ବର୍ଷକରେ ଦୁଇ ଥର ଚାଷ ହୁଏ । ଖରିପ ଫସଲରେ-ଧାନ, ମକା, ଚିନାବାଦାମ, କପା, ବିରି, ମୁଗ, କୋଳଥ, ମାଣ୍ଡିଆ ଇତ୍ୟାଦି । ରବି ଫସଲରେ- ଗହମ, ବୁଟ, ମଟର, ରାଶି ଇତ୍ୟାଦି । ଗ୍ରାମାଞ୍ଚଳର ଲୋକମାନେ କାମ ନପାଇ ବାହାର ରାଜ୍ୟକୁ ଚାଲିଯାଉଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ପ୍ରାୟତଃ ଆମ ଓଡିଶାରୁ ଗୁଜୁରାଟ,ତାମିଲନାଡୁ ଇତ୍ୟାଦି ରାଜ୍ୟକୁ ଯାଉଥିବା ଜଣା ପଡିଛି । ଏମାନେ କୃଷିଋଣ ପରିଶୋଧ କରି ନ ପାରି କିମ୍ବା ସାହୁକାରର ପାଉଣା ଦେବାକୁ ଯାଇ,ବାହାର ରାଜ୍ୟର ବିଭିନ୍ନ ଫ୍ୟାକ୍ଟ୍ରି ମାଲିକ ମାନଙ୍କ ଦଲାଲ ମାଧ୍ୟମରେ କିଛି ଅଗ୍ରୀମ ଟଙ୍କା ନେଇ ଅନ୍ୟ ରାଜ୍ୟକୁ ଚାଲିଯାଉଥିବାର ଅନେକ ଉଦାହରଣ ରହିଛି । ଏ ଖଟିଖିଆ ଗରିବ ଲୋକମାନେ ସେଠାରେ ଇଟା ତିଆରି କରିବା,କଳାକାରଖାନାରେ କାମ କରିବା ଶୁଣାଯାଏ । ଦାଦନ ଖଟିବାକୁ ଯାଉଥିବା କିଛି ଲୋକମାନେ ନିଜର ଚାଷ ଜମିକୁ ଛାଡିଯାଉଥିବା ହେତୁ କୃଷିକ୍ଷେତ୍ରରେ ଅନେକ ପ୍ରଭାବ ପଡୁଛି । ବେଳେବେଳେ ଖେତ ପଡିଆ ରହିଯାଉଛି । ଫଳରେ ଆମ ରାଜ୍ୟରେ ଯେତିକି ଉତ୍ପାଦନ ହେବା କଥା ହେଇପାରୁନାହିଁ । ଏଥିପାଇଁ କିଛି ଲୋକ ନିଜ ପିଲା ଛୁଆଙ୍କୁ ସିଜନାଲ ହଷ୍ଟେଲରେ ଛାଡି ବାହାରେ ଅନେକ ଦିନଧରି ରହିଯାଉଛନ୍ତି । ଏପରିକି ନିଜ ଟଙ୍କା ମୁତାବକ କାମ କରିସାରିଲା ପରେ ମଧ୍ୟ କିଛି ଦୁଷ୍ଟ ପ୍ରକୃତିର ମାଲିକ ମାନେ ଜୋର ଜବରଦସ୍ତ ଅଧିକ କାମ କରିବାକୁ ବାଧ୍ୟ କରୁଛନ୍ତି । ଏପରି ଶୋଷଣର ଶିକାର ହୋଇ ଠିକ ସମୟରେ ଘରକୁ ଫେରିପାରୁନଥିବା ଛୋଟ ଚାଷୀ କୃଷି କାର୍ଯ୍ୟ କରିପାରୁ ନଥିବା ଦେଖାଯାଏ । ଶ୍ରମିକ ଅଭାବରୁ ବଡ ଚାଷୀମାନେ ବି ଠିକ ଭାବରେ ଚାଷ କାମ କରିପାରୁନାହାନ୍ତି । ଦାଦନ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ କାମ ଧନ୍ଦା ଯୋଗାଇଦେବା ନିହାତି ଜରୁରୀ ଅଟେ । ଲୋକମାନଙ୍କୁ ସଚେତନ କରାଇବା ସହିତ ସରକାରୀ ଯୋଜନା ଗୁଡିକରେ ସାମିଲ କରିବା ଏବଂ କୃଷି କ୍ଷେତ୍ରରେ ଆହୁରି ସୁବ୍ୟବସ୍ଥା ହେଲେ ହୁଏତ ଏ ସମସ୍ୟା ଦୁରେଇ ପାରେ ।    

ଆମ ଗାଁ’ରେ ପୁଷ୍ଟିଶସ୍ୟ ଚାଷ ହେଉଛି । ଆମ ଗାଁ’ରେ-ମାଣ୍ଡିଆ,ପନିପରିବା,ଧାନ ଆଦି ପୁଷ୍ଟିଶସ୍ୟ ଚାଷ ହେଉଛି । ପୂର୍ବରୁ ଆମ ଗାଁ’ରେ କୋଦ,ମାଣ୍ଡିଆ,ଗୁଞ୍ଜି,କାଙ୍ଗୁ ଚାଷ ହେଉଥିଲା । ଯାହା ଏବେ ଏହିସବୁ ଚଷ କରୁନାହାନ୍ତି । ଆମ ଗାଁ’ରେ ପ୍ରାୟ କମ ଲୋକ ପୁଷ୍ଟିଶଷ୍ୟଯୁକ୍ତ  ଖାଦ୍ୟ ଖାଉଛନ୍ତି ଆଉ ଅଧିକାଂଶ ଲୋକ ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟକୁ ଖାଉନାହାନ୍ତି  । ସେ ଭିତରୁ କିଛି ଲୋକ ନିଜେ ଚାଷ କରୁଛନ୍ତି ଓ ଅଧିକାଂଶ ଲୋକ ବଜାରରୁ କିଣି ଆଣୁଛନ୍ତି । ଖାଦ୍ୟ ବ୍ୟତୀତ ପୁଷ୍ଟିଶସ୍ୟ ମାଣ୍ଡିଆକୁ ମେଡ଼ିସିନ ତିଆରି ହେବାପାଇଁ ବ୍ୟବହାର କରୁଛନ୍ତି । ପୁଷ୍ଟିଶସ୍ୟ ଜାତୀୟ ଖାଦ୍ୟରୁ ଆମ ଶରୀରକୁ ଶକ୍ତି,ପୁଷ୍ଟିହୀନତା ଦୂର କରେ ଓ ସୁସ୍ଥ ରଖେ । ପୁଷ୍ଟିଶସ୍ୟକୁ ତୋଳି ଅମଳ କରାଯାଏ ଓ ମାଣ୍ଡିଆ ଭଳି ପୁଷ୍ଟିଶଷ୍ୟକୁ ଦାଆରେ କାଟି ବା ଖୁଣ୍ଟି ଆଣନ୍ତି । ସାଇତି ରଖିବା ପାଇଁ ପୁଷ୍ଟିଶସ୍ୟ ତୋଳି ଆଣି ସେଥିରେ ପାଉଁଶ, ଲିମ୍ବପତ୍ର ରେ ମିଶାଇ ରାଖାଯାଏ । ଘରେ ପ୍ରଥମେ ନଡା ବିଛଣା ଦେଇ ତା ଉପରେ ବୁରା ରେ ଧାନ କିମ୍ବା ଅନ୍ୟ ପୁଷ୍ଟିଶସ୍ୟ କୁ ରଖିଥାନ୍ତି । ପୁଷ୍ଟିଶଷ୍ୟ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା 2023 ବର୍ଷରୁ ମିଲେଟ ବର୍ଷ ଭାବରେ ଘୋଷଣା କରିଛନ୍ତି । ଏହା ସହ ବିଭିନ୍ନ ସ୍ଥାନରେ ମିଲେଟ ଉତ୍ସବମାନ ପାଳିତ ହେଉଛି । ପଞ୍ଚାୟତ ମାନଙ୍କରେ ମାଣ୍ଡିଆ ଭଳି ପୁଷ୍ଟି ଶସ୍ୟ ଯୋଗାଇ ଦିଆଯାଉଛି ଏବଂ ଯେଉଁମାନେ ମାଣ୍ଡିଆ ଚାଷ କରୁଛନ୍ତି ସେମାନଙ୍କୁ ସରକାର ପାରିଶ୍ରମିକ ବାବଦକୁ ପଇସା ଦେଉଛନ୍ତି ଏବଂ ସେମାନଙ୍କଠାରୁ ମାଣ୍ଡିଆ କିଣୁଛନ୍ତି । 

ଗାଁ ପରିବେଶ 

ଗାଁ’ର ଚାରିପାଖରେ ଘେରି ରହିଥିବା ପାଣି,ପବନ,ଗଛଲତା,ପଶୁପକ୍ଷୀ,ଘରଦ୍ୱାର ଇତ୍ୟାଦିକୁ ଆମେ ଗାଁ’ର ପରିବେଶ ବୁଝିଥାଉ । ଆମ ଗାଁ’ରେ ଆଗରୁ ସବୁ ଋତୁ ଅନୁଭବ ହେଉଥିଲା । ଗାଁ’ରେ ଏବେ ବର୍ଷା ଋତୁ,ଗ୍ରୀଷ୍ମ,ଶୀତ ଋତୁ ଅନୁଭବ ହେଉଛି । ଆଗରୁ ଗାଁ’ରେ ଗାଈ,ମଇଁଷି,କୁକୁର,ବିରାଡ଼ି,ଶୁଆ,ବଣି,ମେଣ୍ଢା,ଛେଳି ଓ କୁକୁଡ଼ା ,ପାରା,ବତକ ଗୃହପାଳିତ ପଶୁ ଓ ପକ୍ଷୀ ଥିଲେ । ଏବେ ଗାଁ’ରେ ଗାଈ,ମେଣ୍ଢା,ଛେଳି,ପାରା,ଶୁଆ,କୁକୁଡ଼ା,ବାତକ ଏହିସବୁ ପଶୁ ଓ ପକ୍ଷୀ ଦେଖାଯାଆନ୍ତି । ଆମ ଗାଁ ପାଖରେ ଜଙ୍ଗଲ ଅଛି । ତାର ନାଁ ହେଲା ମଧ୍ୟମ ଘଞ୍ଚ ରକାଶି ଡଙ୍ଗର ଓ ଅନ୍ୟଟି ଗନ୍ଧମାର୍ଦ୍ଧନ ପର୍ବତ,ଯାହାକି ଔଷଧିୟ ଗଛରେ ପରିପୂର୍ଣ ।  ଜଙ୍ଗଲରୁ ଲୋକମାନେ କାଠ,ଫଳମୂଳ,ଚେରମୂଳି ଔଷଧ,କେନ୍ଦୁ,ମହୁଲ,ଚାର,କରଡ଼ି,ଝୁଣା ବିଭିନ୍ନ ପ୍ରକାର ପତ୍ର ଯଥା-କେନ୍ଦୁ ପତ୍ର,ଶାଳ ପତ୍ର,ପଳାସ ପତ୍ର ଇତ୍ୟାଦି ସଂଗ୍ରହ କରନ୍ତି । ଆମ ଗାଁ’ରେ ନୀଳଗିରି ଗଛ,ଜାମ୍ବ,କୃଷ୍ଣ ଚୁଡା, କଦମ୍ବ, ଆମ୍ବ, ବରଗଛ, ତେନ୍ତୁଳି, ଦେବଦାରୁ, ପଣସ, ଅଁଳା, ଖଜୁରୀ, ନିମ୍ବ, ତାଳ, ଶାଗୁଆନ, ବାଉଁଶ, ପିଜୁଳି, ଲେମ୍ବୁ, ମହୁଲ ଗଛ, ବେଲ ଗଛ, ଜାମୁ ଗଛ, ଓ ଅନ୍ୟାନ୍ୟ ଗଛ ଦେଖାଯାଏ । ପୂର୍ବରୁ ଗାଁରେ :ବାଉଁଶ,ନଡ଼ିଆ,ବେଲ,ପୂର୍ବରୁ ଥିଲା ଯାହାକି ଏବେ ଦେଖାଯାଉନି । ଆଗରୁ  ଗାଁ’ରେ କିଛି ପ୍ରାକୃତିକ ଦୁର୍ବିପାକ ହେଇଥିଲା – ବନ୍ୟା ଓ ମରୁଡି ହୋଇଥିଲା ।  । ଆମ ଜେଜେ ମା’,ଜେଜେ ବାପା’ ପିଲା ଥିଲାବେଳେ ଗାଁ’ର ଚାରିପଟେ ଜଙ୍ଗଲ ଥିଲା ଏବଂ ଘରଦ୍ୱାର ତଥା ଲୋକ ସଂଖ୍ୟା କମ ଥିଲା । ସବୁଆଡେ ଚାଳ ଛପର ଘରଥିଲା । ଡାକ୍ତର ଖାନା,ସ୍କୁଲ,ବ୍ୟାଙ୍କ,ଓ ନ ଥିଲା । ନଳକୂପ ନଥିବାରୁ ଲୋକମାନେ ରାଜ କଟା ବନ୍ଧରୁ ପାଣି ଆଣି ରୋଷେଇ ଓ ଅନ୍ୟାନ୍ୟ କାମରେ ବ୍ୟବହାର କରୁଥିଲେ । ଆମ ଗାଁ ନଦୀ ଠାରେ ପୋଲ ନଥିଲା । ବର୍ଷା ହେଲେ ଅନ୍ୟ ଗ୍ରାମକୁ ପାଠ ପଢି ଯିବାକୁ ଅସୁବିଧା ହେଉଥିଲା । ଆମ ଗାଁ’ରେ କରତ କଳ ଥିଲା ଓ ପଞ୍ଚାୟତ ପାଖରେ ଧାନ ମିଲ ଥିଲା । ଲୋକମାନଙ୍କର ସମସ୍ତଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା । ଗାଁ’ରେ କୌଣସି ଗାଡି ଚଳାଚଳ ହେଉନଥିଲା । ବର୍ତ୍ତମାନ ବିଭିନ୍ନ ସ୍କୁଲ,ନଳକୂପ ଖନନ,ପିଇବା ପାଣିଯୋଗାଣ,ବସଷ୍ଟାଣ୍ଡ,ରାସ୍ତା ତିଆରି ପଂଚାୟତ RI ଅଫିସ /ରାଜ୍ୟସ୍ୟ ନିରୀକ୍ଷକ କାର୍ଯ୍ୟଳୟ ଇତ୍ୟାଦି ଅନୁଷ୍ଠାନ ତିଆରି ହୋଇଛି । ବର୍ତ୍ତମାନ ଖପରା ଘର ସଂଖ୍ୟା କମିବାରେ ଲାଗିଛି ଏବଂ ପକ୍କା ଘର ସବୁଆଡେ ଚାଲିଛି ।  ଗାଁ’ରେ ଗୃହପାଳିତ ପଶୁ ମାନଙ୍କ ପାଇଁ ଚାରଣ ଭୂମି ଅଛି । ଆଗରୁ ବହୁପରିମାଣରେ ଥିଲା କିନ୍ତୁ ଏବେ ସେହି ଜମିରେ ଚାଷ ହେଉଛି ଓ ଘର ମଧ୍ୟ ତିଆରି କରୁଛନ୍ତି । ସେଥିପାଇଁ ଧିରେ ଧିରେ ଚାରଣ ଭୂମି କମି କମି ଗଲାଣି । 

ଆମ ଗାଁ’ ହାଟ/ବଜାର

ଆମ ଗାଁ’ର ପଞ୍ଚାୟତରେ  ହାଟ/ବଜାର ବସେ ନାହିଁ । ଆମ ଗାଁ’ରୁ ପନିପରିବା, ମସଲା ଜାତୀୟ ଦ୍ରବ୍ୟ, ପୋଷାକ, ଚପଲ, ଫେଂସି ସାମାନ ଇତ୍ୟାଦି ଜିନିଷ ହାଟ/ବଜାରକୁ ବିକ୍ରିପାଇଁ ନିଆଯାଏ । ଗାଁ ଲୋକେ ପନିପରିବା,ପୋଷାକ,ବାସନ,ସୁନା,ରୂପା,ପୁସ୍ତକ,ଖାଦ୍ୟ ଦ୍ରବ୍ୟ ଇତ୍ୟାଦି କିଣନ୍ତି । ଆମ ଗାଁ’ରେ ଛୋଟ ବେପାରୀ/ବ୍ୟବସାୟୀମାନେ ଅଛନ୍ତି । ହାଟ ବଜାରରେ ବ୍ୟବସାୟ କରି ଜୀବିକା ନିର୍ବାହ କରିଥିବା ଲୋକ ସଂଖ୍ୟା ପ୍ରାୟ 50ରୁ ଉର୍ଦ୍ଧ୍ଵ । ଗ୍ରାମବାସୀଙ୍କ ଦ୍ୱାରା ହାଟରେ ପନିପରିବା,ମସଲା,ଚପଲ,ସୁନା ବିକ୍ରି କରାଯାଏ ଏହି ସବୁ ଲାଭ ଜନକ ଦ୍ରବ୍ୟ ଅଟେ । ସୁନା,ରୂପା,ଇଲେକ୍ଟ୍ରିକ ସାମଗ୍ରୀ ଯାନବାହନ କିଣିବାକୁ ଗାଁ ଲୋକଙ୍କୁ ଦୁରକୁ ଯିବାକୁ ପଡିଥାଏ । ଆମ ବଜାରରେ ଗାଁ’ର ପାରମ୍ପରିକ ହସ୍ତଶିଳ୍ପ,କଳାକୃତି ବିକ୍ରି ହୁଏ । ଯଥା-ମୂର୍ତ୍ତି,ବସ୍ତ୍ର,ପୋଷାକ,ମାଟିପାତ୍ର ଇତ୍ୟାଦି ମିଳିଥାଏ । ଆମ ଗାଁ :ହାଟ/ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟର ନାମ ହେଲା -ଚେରମୂଳି,କାଠ,ବାଉଁଶ ଗଜା,କନ୍ଦମୂଳ,ଝୁଣା,ଶାଳ ପତ୍ର,ମହୁ,ହରଡା ଏହିସବୁ ବିକ୍ରି ହେଉଛି । 

ସମସ୍ୟା: 

ଆମ ଗାଁ’ର ଲୋକମାନଙ୍କର ମୂଳ ସମସ୍ୟା ଭିତରେ ଜନ ସଂଖ୍ୟା ବୃଦ୍ଧି ଫଳରେ ଗାଁ’ର ଲୋକମାନଙ୍କୁ ରହିବାର ଅସୁବିଧା ହେଉଛି ଏବଂ ଗାଁ ଭିତରେ ଏକତାର ଅଭାବ ମଧ୍ୟ ଦେଖାଯାଉଛି । ନାଳ ନର୍ଦ୍ଧମାର ସୁବିଧା ନଥିବାରୁ ଅଳିଆ ପକେଇବାପାଇଁ ଅସୁବିଧା ହେଉଛି । ଜଳସେଚନର ଅସୁବିଧା ହେତୁ ବର୍ଷକୁ କେବଳ ଗୋଟିଏ ଥର ଚାଷୀମାନେ ଚାଷ କରୁଛନ୍ତି ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is an Artist, cultural journalist and folk cultural researcher. She is the Chief Editor of Samadhwani. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She is extensively documenting issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker and a Pod-caster. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.