[box type=”shadow” align=”” class=”” width=””]ଜଗତୀକରଣର ପ୍ରଭାବରୁ କେହି ମୁକ୍ତ ନୁହଁନ୍ତି । ସଂସ୍କୃତି ବା ମୁକ୍ତ ହୁଅନ୍ତା କିପରି? ସମଗ୍ର ବିଶ୍ୱରେ ଯେଉଁ ପରିବର୍ତ୍ତନ ବିଶେଷ ଭାବରେ ଦୃଶ୍ୟମାନ ତାହା ହେଲା ସାଂସ୍କୃତିକ ପରିବର୍ତ୍ତନ ଏବଂ ସାଂସ୍କୃତିକ ସାମ୍ରାଜ୍ୟବାଦ । ଏହି ପ୍ରକ୍ରିୟାରେ ଆମର ବହୁ ପୁରାତନ କଳା-ସଂସ୍କୃତି ଅନେକାଂଶରେ ଲୋପ ପାଇବାକୁ ବସିଛି । ଲେଖକ ସମ୍ବଲପୁରୀ ଗୀତର ଉଦାହରଣ ଦେଇ କହିଛନ୍ତି କେମିତି ଯୁଗ ସହିତ ପରିବର୍ତ୍ତନ ସବୁ ସମୟରେ ଆସିଥାଏ କିନ୍ତୁ ଆମର ବିକୃତ ମାନସିକତା ଏବଂ ସ୍ୱାର୍ଥପରତା ଜଗତୀକରଣ ପରେ ଆମ ସଂସ୍କୃତିକୁ ଧ୍ୱଂସ ଆଡ଼କୁ ଟାଣି ନେଉଛି ଯାହାର ସୁରକ୍ଷା ନିହାତି ଅପରିହାର୍ଯ୍ୟ । ଏଭଳି ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପିତ କରିଛନ୍ତି ଲେଖକ ମୋହନ ସାହୁ । -ସମ୍ପାଦକ[/box]
ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହେବାପରେ ଏହା କେବଳ ବିଶ୍ୱ ଅର୍ଥନୀତିକୁ ନୁହେଁ ବରଂ ଇତିହାସ, ରାଜନୀତି, ଭୂଗୋଳ, କଳା, ସାହିତ୍ୟ-ସଂସ୍କୃତି ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି । ଭାରତର ପ୍ରାନ୍ତୀୟ, ଲୋକନୃତ୍ୟ ବିହୁ କି ଭାଙ୍ଗଡ଼ା ଦ୍ୱାରା ଆମେ ଯେତେ ଅନୁପ୍ରାଣିତ ବା ପ୍ରଭାବିତ, ପାଶ୍ଚାତ୍ୟ ଗୀତ – ସଙ୍ଗୀତ ଦ୍ୱାରା ମଧ୍ୟ ପ୍ରଭାବିତ ହେବା ସେପରି ସ୍ୱାଭାବିକ । ଅନ୍ୟ ଏକ ସଂସ୍କୃତି ଦ୍ୱାରା ପ୍ରଭାବିତ ହେବାକୁ ସଂକ୍ରମଣ କହିବା ଅପେକ୍ଷା ବରଂ ଆହରଣ କରିବା ଅଧିକ ପ୍ରାସଙ୍ଗିକ ହୋଇପାରେ । କାରଣ ଲୋକମହୋତ୍ସବ ଗୁଡ଼ିକର ଆୟୋଜନ ଓ ସର୍ବଭାରତୀୟ ସ୍ତରରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମମାନଙ୍କ ମାଧ୍ୟମରେ ଅନେକ ଦିନରୁ ଆମ ପାଇଁ ଅପରିଚିତ ଥିବା ବିହୁ ବା ଭାଙ୍ଗଡ଼ା ଲୋକନୃତ୍ୟ ବିଷୟରେ ଆମେ ଅବଗତ ହେଲୁ । ତଦ୍ୱାରା ସେମାନଙ୍କ ନୃତ୍ୟଶୈଳୀରେ ପ୍ରୟୋଗ ହେଉଥିବା ଅନେକ ଲଳିତ ବିଭବଗୁଡ଼ିକ ଆମେ ସ୍ୱେଚ୍ଛାରେ ଗ୍ରହଣ କରିନେଇ ଆମ ଲୋକନୃତ୍ୟର ଆଙ୍ଗିକ ଓ ଆତ୍ମିକ ବିଭବକୁ ଆହୁରି ସମୃଦ୍ଧ କରିବା ପାଇଁ ଚେଷ୍ଟିତ ହେଲୁ । ସେମାନେ ମଧ୍ୟ ଆମର ଅନେକ ଶୈଳୀକୁ ଉଦାର ଭାବରେ ଗ୍ରହଣ କରିନେଲେ । ନୃତ୍ୟରେ ଯେମିତି, ଗୀତ ଓ ବାଦ୍ୟରେ ମଧ୍ୟ ଅନୁରୂପ ବିନିମୟ ପରିଲକ୍ଷିତ ହେଲା । ସର୍ବଭାରତୀୟ ସ୍ତରରେ ଯେଉଁ ସାଂସ୍କୃତିକ ବିନିମୟର ଧାରା ବଳବତ୍ତର ରହିଲା, ଆନ୍ତର୍ଜାତିକ ସ୍ତରରେ ମଧ୍ୟ ତା’ର ପ୍ରତିଫଳନ ଦେଖିବାକୁ ମିଳିଲା ।
ଇଟାଲୀର ଇଲିଆନା ସୀତାରିଷ୍ଟ ଓଡ଼ିଶୀ ନୃତ୍ୟଶୈଳୀର ଶାସ୍ତ୍ରୀୟ ଦିଗ ପ୍ରତି ଯେତେ ସଚେତନ ରହି ନୃତ୍ୟ ପ୍ରଦର୍ଶନ କଲେ, ମାଲେସିଆର ଇମ୍ଲି ଇବ୍ରାହିମ୍ ବା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଶାଶ୍ୱତ ଯୋଶୀ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ବଜାୟ ପୂର୍ବକ ସେଥିରେ ନୂତନ ପ୍ରୟୋଗ ସବୁ କରି ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ଯୁଗୋପଯୋଗୀ ଭାବରେ ଉପସ୍ଥାପନ କରିବାରେ ବ୍ରତୀ ହେଲେ । ଇଟାଲୀର ନର୍ତ୍ତକନର୍ତ୍ତକୀ ଯଥାସମ୍ଭବ ତାଙ୍କ ଶୈଳୀରେ ରଙ୍ଗବତୀ ଗୀତର ତାଳେ ତାଳେ ଅଙ୍ଗଭଙ୍ଗୀ କରି ସମ୍ବଲପୁରୀ ନୃତ୍ୟ ପରିବେଷଣ କଲେ । ଜର୍ମାନୀ ଫ୍ରି ୟୁନିଭର୍ସିଟି (ବର୍ଲିନ)ର ନୃତତ୍ତ୍ୱ ବିଭାଗ ପ୍ରଫେସର ଲିଡ଼ିଆ ଜୁଲିଆନା ଗୁଜୀ ବରଗଡ଼ ଜିଲ୍ଲା ବୋଡ଼ାସମ୍ବର ଅଞ୍ଚଳରୁ ସଂଗୃହିତ ଲୋକଗୀତ ସ୍ୱରରେ ନିଜେ ଜାଇଫୁଲ ଗୀତ ଗାଇଲେ ଓ ସମ୍ବଲପୁରୀ ଲୋକସଙ୍ଗୀତର ରିଦମରେ ତାକୁ ଷ୍ଟୁଡ଼ିଓରେ ରେକର୍ଡ଼ିଂ ମଧ୍ୟ କଲେ । କହିବା ବାହୁଲ୍ୟ ଏସବୁ ପ୍ରକ୍ରିୟାକୁ ଆମ ଗୀତ-ବାଦ୍ୟ-ସଙ୍ଗୀତରେ ଆଧୁନିକତାର ପ୍ରୟୋଗ/ ପ୍ରଭାବ/ ସ୍ପର୍ଶ/ ଅନୁପ୍ରବେଶ/ ସଂକ୍ରମଣ – ଯାହାକିଛି ବି କୁହାଯାଇପାରେ ।
ପରମ୍ପରାବାଦୀମାନେ, ଯେଉଁମାନେ ଅତୀତ ସହ ଆବେଗିକ ସମ୍ପର୍କ ସୁଦୃଢ଼ କରିବା ସହ ସାଂସ୍କୃତିକ ରକ୍ଷଣଶୀଳତାର ବଶବର୍ତ୍ତୀ ସେମାନେ ଆମ ସଙ୍ଗୀତରେ – ଗୀତ, ନୃତ୍ୟ ବା ବାଦ୍ୟରେ ସାମାନ୍ୟତମ ଆଧୁନିକତାର ପ୍ରୟୋଗକୁ ସୁଦ୍ଧା ସହଜରେ ଗ୍ରହଣ କରିପାରନ୍ତି ନାହିଁ । ଯଦିଓ ତାହା ସଭ୍ୟତାର ପ୍ରବହମାନ ଧାରାରେ ଅବଶ୍ୟମ୍ଭାବୀ ଓ ଅନିବାର୍ଯ୍ୟ ସମ୍ବଲପୁରୀ ଲୋକସଙ୍ଗୀତରେ କି-ବୋର୍ଡ଼ ବା ଗିଟାର ବଜାଇବା ଯେପରି ଆଧୁନିକ, ଗଁଡ଼ାବଜାକୁ ପଞ୍ଚବାଦ୍ୟ କହିବା ମଧ୍ୟ ସେହିପରି ଆଧୁନିକ ବ୍ୟାଖ୍ୟାନ ବା ବର୍ଣ୍ଣନା । ଢୋଲ୍, ନିସାନ, ତାସା, ଟିମକିଡ଼ି ଓ ମୁହୁରି ସମନ୍ୱିତ ଗଁଡ଼ାବଜାରୁ ବହୁଦିନରୁ ଟିମକିଡ଼ି ବାଦ୍ୟଟି ଉଭାନ୍ ହୋଇଗଲାଣି । ସେଥିପ୍ରତି ଆମର ଲକ୍ଷ୍ୟ ନାହିଁ ।
ସେହିପରି ଏକ କଷ୍ଟସାଧ୍ୟ ମୁହୁରି ବାଦ୍ୟ ବାଦନ ପାଇଁ ମୁହୁରି ଓ ମୁହୁରିଆଙ୍କର ଅଭାବ ଦେଖାଦେଲାଣି । ତାଙ୍କ ସ୍ଥାନରେ ଆମେ ଧିରେ ଧିରେ ସ୍ୱତଃସ୍ପୁର୍ତ୍ତ ଭାବରେ ଇଲେକ୍ଟ୍ରିକ୍ ଅର୍ଗାନକୁ ସାମିଲ କରିସାରିଲୁଣି । ଗଁଡ଼ାବଜାର ତାସାରେ ଏବେ ଦାମୁର୍ (ବାଛୁରୀ) ଚମଡ଼ା ଆଚ୍ଛାଦନ କରାନଯାଇ ସିନ୍ଥେଟିକ୍ ଆଚ୍ଛାଦନ କରାଯାଉଛି । ତେଣୁ ତାସା ବାଦନ ଜନିତ ଧ୍ୱନି ମଧ୍ୟ ଆଉ ଶ୍ରୁତିମଧୁର ନହୋଇ କର୍ଣ୍ଣକଟୁ ହେବାରେ ଲାଗିଛି । ଅନେକବର୍ଷ ହେଲା ଗଁଡ଼ାବଜାରେ ଝୁମକା ଓ କସ୍ତାଲ୍ ବ୍ୟବହାର କରାଯାଉଛି ଯାହାର କି ଏ ବାଦ୍ୟ ପରମ୍ପରାରେ ଆଗରୁ ଦେଖା ନଥିଲା । ଏବେ ଗଁଡ଼ାବଜାର କେବଳ ଢୋଲ୍ ଓ ନିସାନ ରହିଛି ଏବଂ ତହିଁରେ ଝୁମକା, କସ୍ତାଲ ଓ ଇଲେକ୍ଟ୍ରିକ୍ ଅର୍ଗାନକୁ ଯୋଡ଼ି ସଂସ୍କୃତିକରଣ ବା ଅପଭ୍ରଂଶ କରି ‘ପଞ୍ଚବାଦ୍ୟ’ ନାମରେ ବା ‘ଦୁଲଦୁଲି’ ନାମରେ ଲୋକସଂସ୍କୃତିର ଗବେଷକମାନେ ନାମିତ କରି ବର୍ଣ୍ଣନା ଓ ଆଲୋଚନା କରୁଛନ୍ତି । ଏପରି ଆହରଣ ବା ମିଶ୍ରଣକୁ ଆମ ଲୋକସଙ୍ଗୀତ, ବିଶେଷତ ଲୋକବଦ୍ୟ ଗଁଡ଼ାବଜାରେ ଆଧୁନିକତାର ସଂକ୍ରମଣ ବୋଲି କୁହାଯିବ କି? ଏହି ବିବର୍ତ୍ତନ ବା ପରିବର୍ତ୍ତନର ଧାରାରେ ଦିନେ ଢୋଲ୍ କି ନିସାନର ସ୍ୱରୂପରେ ଯେ ରୂପାନ୍ତର ଘଟିବ ନାହିଁ ବା ସେ ବାଦ୍ୟଗୁଡ଼ିକ ଉଭାନ ହୋଇ ତାଙ୍କ ସ୍ଥାନ ଅନ୍ୟ କେଉଁ ବାଦ୍ୟ ନେବ ନାହିଁ, ତାହା କିଏ କହିପାରିବ?
ଆମେ କେବଳ ଆମର ଗୀତଗୁଡ଼ିକର ସଂରଚନାରେ ବିକୃତି ଯେପରି ଏକ୍ଡ଼ା ଏକ୍ଡ଼ା ରା, କେମଛା, ତିର୍ଛି ନୈନୋଁ ବାଲି ଆଦିକୁ ନାକ ଟେକୁଛୁ । ସେଥିରେ ବାଜୁଥିବା ଘୋ-ଘୋ ବାଦ୍ୟକୁ ସମାଲୋଚନା କରୁଛୁ ବା ସେ ବାଦ୍ୟର ତାଳରେ ଆଧୁନିକ ବେଶଭୁଷାରେ ଯୁବକଯୁବତୀଙ୍କ ଉନ୍ମତ୍ତ ନୃତ୍ୟକୁ ଦେଖି ହେଉନାହିଁ ବୋଲି କହିବୁଲୁଛୁ । ସେସବୁ କଥା ଠିକ୍ । କିନ୍ତୁ ନାଚ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇବା ପାଇଁ ନିଜ ପାଞ୍ଚ ବର୍ଷ ବୟସର ଝିଅକୁ ଯେତେବେଳେ ନାଚ ସାର୍ ‘ଚିକ୍ନି ଚମେଲି’ କି ‘ଚୋଲି କେ ପିଛେ କ୍ୟା ହୈ’ ଗୀତ ତାଳରେ ନାଚ ଶିଖାଉଛନ୍ତି, ସେତେବେଳେ ଆମର ଉନ୍ନତ ରୁଚି, ଆଦର୍ଶ, ସଂସ୍କାର ସବୁ ଯାଉଛି କୁଆଡ଼େ? ଆମର ରୁଗ୍ଣ ମାନସିକତା, ସ୍ୱାର୍ଥପରତା ଓ ପକ୍ଷପାତିତା ହିଁ ସାହିତ୍ୟ-ସଙ୍ଗୀତରେ ରୁଚିହୀନ ଉପାଦାନ ସବୁ ପୂରାଇବା ପାଇଁ ପ୍ରଶ୍ରୟ ଦେଇଚାଲିଛି । ଛୋଟ ଛୋଟ ପୁଅଝିଅମାନଙ୍କୁ ‘ରଫିନାଇଟ୍’ରେ ରୋମାଣ୍ଟିକ ଡୁଏଟ୍ ଗୀତ ଗାଇବାକୁ ପ୍ରୋତ୍ସାହନ ଦେଇ ତାଳି ମାରି ଆମେ ଏକ ସାଂସ୍କୃତିକ ଅପରାଧି ହୋଇଯାଉ ନାହୁଁ କି? ମାଁ-ବାପା-ପୁଅ-ଝିଅ-ଅଜା-ଆଇ ଏକା ସାଙ୍ଗରେ ବସି ଟେଲିଭିଜନରେ ଏଡଲଟ୍ ଚାନେଲ୍ ଦେଖିବା କେତେ ଯୁକ୍ତିଯୁକ୍ତ? ସେଭଳି ରଚିର ଦୃଶ୍ୟର ପଂକ୍ତିଦର୍ଶନ ବେଳେ ଆମେ ଆମର ସମ୍ଭ୍ରମତା ବଜାୟ ରଖିବାରେ କେତେ ସଫଳ ହେଉଛୁ?
ଆଜି ଯାହାକୁ ଆମେ ସମ୍ବଲପୁରୀ ସଙ୍ଗୀତର କ୍ଲାସିକ ପର୍ଯ୍ୟାୟରେ ପରିଗଣିତ କରୁଛୁ, ସେସବୁ ଗୀତ ଯେ ଦିନେ ମୁକ୍ତିଲାଭ କାଳରେ ପ୍ରବଳ ଜନସମାଲୋଚନାର ଶରବ୍ୟ ହୋଇଥିଲେ, ସେ କଥା କ୍ୱଚିତ ଆମ ସ୍ମରଣକୁ ଆସେ । ଆମ ଗୀତକୁ, ଆମ ସଙ୍ଗୀତକୁ ଆଧୁନିକ କରି ବରବାଦ୍ କରିଦେଲେ ବୋଲି ସଚେତନ, ଶିକ୍ଷିତ ବୁଦ୍ଧିଜୀବୀ ଲୋକେ ଆମର ଅନେକ ଗୀତକୁ ସେତେବେଳେ ନାପସନ୍ଦ କରିଥିଲେ । ‘ଇ ବାଏଟ୍ତରେ ତରେ ଗଲାରେ ଭାଲୁ ଖସ୍ ଖସ୍’/ ‘ଗଲାରାତି ଝୁମ୍ରାର୍ ସୁରେଁ ଧରିଦେଲି ତୋର୍ ନାଁ, ପାଶର୍ ଘରେ ଶୁଇଥିଲା ଶୁନି ପାଏଲା ମୋର୍ ମାଆ/ ଘର୍ ଅନ୍ଧାର କରି ଘାଟୁଛୁ ମତେ, ପାଶ୍ କେ ଆ ପଦେ କହେମି ତତେ, ଶୁଇଲା ଠାରୁ ତୋର୍ ଟାମିତି ଆଏଲି ମନ୍ ମୋର କୁରୁବୁରି ହେଲାନରେ ଆ, ଆ ଆ ମୋର୍ ଚେପ୍ କାଁ ଡିଆ ପାଶ୍କେ ଘାଏ ମୋର୍ ଆ, ଯା ଯାରେ ଲଡ଼୍ବଡ଼ିଆ ଶୁଇପଡ଼୍ବୁ ଟିକେ ଯା’ ପରି ଗୀତମାନଙ୍କର ରଚୟିତା କଣ୍ଠଶିଳ୍ପୀ ବା ସଙ୍ଗୀତକାର ଏବେ ଆମର ପୂଜ୍ୟ, ନମସ୍ୟ ଓ ପ୍ରତିଷ୍ଠିତ ।
କିନ୍ତୁ ଏହି ଗୀତଗୁଡ଼ିକ ଯେତେବେଳେ କଲିକତାର ପ୍ରତିଷ୍ଠିତ କମ୍ପାନୀମାନେ ଏଲ୍.ପି. ରେକର୍ଡ଼ ମାଧ୍ୟମରେ ବଜାରକୁ ଛାଡ଼ିଥିଲେ, କେହି ସମାଲୋଚନାର ଊଦ୍ଧ୍ୱର୍ରେ ନଥିଲେ ।
ଆଧୁନିକତା ଏକ ଆପେକ୍ଷିକ ଶବ୍ଦ । କାଲି ଯାହା ଆଧୁନିକ ଥିଲା ଆଜି ତାହା ଅତୀତ, ପୁରାତନ । ଆଜି ଯାହାକୁ ଆଧୁନିକ କୁହାଯାଉଛି, ଆସନ୍ତା କାଲି ତାକୁ ପ୍ରାଚୀନ, ଅମୂଲ୍ୟ, ଦୁର୍ମୁଲ୍ୟର ବିଶେଷଣରେ ସଜାଇ ହୁଏତ ସଂଗ୍ରହାଳୟରେ କି ଅଭିଲେଖାଗାରରେ ରଖାଯାଇପାରେ । କୌଣସି ଏକ କଳାକୃତୀର ସମ୍ପୂର୍ଣ୍ଣ ଭାବରେ ତତ୍କାଳ ମୂଲ୍ୟାୟନ କରିବା ସମ୍ଭବପର ନୁହେଁ । କାଳର କଷଟି ପଥରରେ ପରୀକ୍ଷିତ ହୋଇ ଖାଣ୍ଟି ସୁନା ଆହୁରି ଆହୁରି ଝଲସି ଉଠିବ ଓ ଖାଦ ସବୁ ଆପେ ଆପେ ସୁନାରୁ ଅପସାରିତ ହୋଇଯିବେ । ତେବେ ଆଧୁନିକତା ନାମରେ ତକ୍ରାଳୀନ ସମାଜ ପାଇଁ କୁରୁଚିପୂର୍ଣ୍ଣ ପରିବେଷଣକୁ ଗ୍ରହଣ କରିହୁଏ ନାହିଁ । ପ୍ରାଚୀନକୁ ଠକ୍ ଭାବରେ ଜାଣିଥିବା ଅଭିଜ୍ଞ, ବିଜ୍ଞ ବ୍ୟକ୍ତି ହିଁ ଆଧୁନିକତାର ଠିକ୍ ଭାଗମାପ ନିର୍ଦ୍ଧାରଣ କରି ଉଚିତ ସମ୍ମିଶ୍ରଣ ଘଟାଇଥାଏ ।
ପ୍ରାଚୀନ ଉପାଦାନ ସବୁକୁ ନେଇ ଆଧୁନିକ ବୈଷୟିକ ଜ୍ଞାନକୌଶଳର ସମୁଚିତ ସମନ୍ୱୟ ଘଟାଇ ଏବର ସମାଜ ପାଇଁ ରୁଚିଶୀଳ କଳାକୃତୀ ପ୍ରସ୍ତୁତ କରିବାରେ ଏକ ଆଦର୍ଶ ସ୍ଥାନୀୟ ଦୃଷ୍ଟାନ୍ତ ହେଉଛନ୍ତି ସବ୍ୟସାଚୀ ମହାପାତ୍ର । ସିନେକ୍ରିଟିକ ମାନେ ତାଙ୍କ କଳାକୃତୀ ଗୁଡ଼ିକର ବୈଷୟିକ ତ୍ରୁଟିବିଚ୍ୟୁତି ଦର୍ଶାଇପାରିବେ । କିନ୍ତୁ ସାଧାରଣ ଜନମାନସ ପାଇଁ ତାଙ୍କର ଉପସ୍ଥାପନା ବା ପରିବେଷଣ ଅତ୍ୟନ୍ତ ରୁଚିଶୀଳ, ଏହା ବିନା ଦ୍ୱିଧାରେ କୁହାଯାଇପାରେ । ଏହା ତାଙ୍କ ‘ଭୁଖା’, ‘ଝିଲି’, ‘ଶଲାବୁଢ଼ା’ ଓ ‘ଆଦିମ ବିଚାର’ ପରି ଚଳଚ୍ଚିତ୍ରରୁ ପ୍ରମାଣିତ ।
ଆଧୁନିକତାର ପ୍ରଭାବରୁ କେହି କେବେ ବର୍ତ୍ତିପାରି ନାହାନ୍ତି ବା ଆମେ ମଧ୍ୟ ଆଧୁନିକତାକୁ ପରିହାର କରିପାରିବା ବୋଲି ଆମର ହୃଦବୋଧ ହେଉନାହିଁ । ତେବେ ଆମ ଗୀତ, ବାଦ୍ୟ, ସଙ୍ଗୀତରେ ଆଧୁନିକତାର ସ୍ପର୍ଶ କେତେମାତ୍ରାରେ ରହିଲେ ତାହା ଯୁଗୋପଯୋଗୀ ହେବା ସହ ଆମ ସାଂସ୍କୃତିକ ଓ ପାରମ୍ପରିକ ଗାମ୍ଭୀର୍ଯ୍ୟ ମଧ୍ୟ ଅତୁଟ ରହିପାରିବ, ତାହା ଏକ ନିଷ୍ଠାପର କର୍ତ୍ତବ୍ୟବୋଧର ଉତ୍ତରଦାୟିତ୍ୱ ଉପରେ ନିର୍ଭର କରେ । ଯେତେବେଳେ ଆମ ଜୀବନର ସରଳ କ୍ଷେତ୍ରକୁ ଆଧୁନିକତା ଅନାୟାସରେ ଆବୋରି ସାରିଲାଣି, ଆମ ଗୀତ, ନୃତ୍ୟ, ବାଦ୍ୟ ବା ସେଥିରୁ ବାଦ୍ ଯିବେ କିପରି? ଏହି ଅପ୍ରିୟ ସତ୍ୟକୁ ସାମ୍ନା କରିବାକୁ ଯିବାବେଳେ ଆମକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ହେବ, ଯେପରିକି ଆଧୁନିକତାକୁ ଗ୍ରହଣ କରୁ କରୁ ଆମର ନିଜସ୍ୱ ପରିଚୟ ହଜି ନଯାଏ ।
photo credit -https://bit.ly/3CI80Qa