ଦାୟୀ ନୁହେଁ କେହି
ତାହାଲେ କଣ ଏହା ଦୈବୀ ଦୁର୍ବିପାକ ଥିଲା,
ବଜ୍ର ପଡିଥିଲା, ଯେ
ବାରଟି ନିରୀହ ଲୋକ ଟଳି ପଡିଲେ, ଓ
ସମୁଦାୟ ଦେଶଟାକୁ ସାମୟିକ ସ୍ତବ୍ଧ କରିଦେଲେ ?
କଣ ମିଥ୍ୟା ଥିଲା ପୁଲିସ ବାହିନୀର ଘେରି,
ମିଥ୍ୟା ଥିଲା ଗୁଳି,
ମିଥ୍ୟା ଥିଲା କଟା ପାପୁଲି ?
ଯାହା ଜାଣିବାକୁ ଏଗାର ବର୍ଷ ଅପେକ୍ଷା କରିବାକୁ ହେଲା?
ତାହା କ’ଣ ବଜ୍ରାଘାତ ଥିଲା?
କଣ ବା କରିପାରିଥାନ୍ତେ ସେମାନେ ବା
ତାଙ୍କ ପାଇଁ କହୁଥିବା ମୁଷ୍ଟିମେୟ କିଛି ?
ଟଳି ପଡିଥିବା ମଣିଷଙ୍କୁ
ଯଦି ଆମେ ଦାୟୀ କରିଥାନ୍ତେ ଓ ପଚାରିଥାନ୍ତେ,
“କାହିଁକି ସ୍ଫିତ କରି ଛାତି
ଲଢୁଥିଲ ଭିଟା ମାଟି ପାଇଁ ?
ଲଢୁଥିଲ, ପ୍ରାଣ ଦେଲ
ତା ପରେ ଆଉ କଣ?
ହେଲ ନାହିଁ କି ତୁମେ ଦାୟୀ ତୁମ ମୃତ୍ୟୁ ପାଇଁ ?”
ସାହସ ହୋଇ ନି ଆମର, ଏତିକି କହିବା ପାଇଁ
ବାଡି ଭାଂଗି ନାହିଁ , ସାପ ମରି ନାହିଁ
ଏଗାର ବର୍ଷ ବିତିଛି ଏହି ସତ୍ୟ ଜାଣିବା ପାଇଁ!
ମୋତେ ହତିଆର କର ନାହିଁ
ଯେଉଁ ଲେଖା ତୁମକୁ ନ ସୁହାଇଲା
ତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା,
ଦେଶକୁ ପଚାରୁଛି କିଏ ଯେ
ଲେଖକର ଲେଖାରେ
କେତେ ଦ୍ରୋହ ଥିଲା?
ଦେଶ ତେଣୁ କ୍ଷୁବ୍ଧ-
ସେ କରୁଛି ପ୍ରଶ୍ନ – ,
“ତୁମେ ସତେ ମତେ
କେତେ ଦୁର୍ବଳ ନ ଭାବୁଛ ଯେ,
କାହାର ଲେଖାରେ ମୁଁ
ଖଣ୍ଡ ବିଖଣ୍ଡିତ ହେବି ଓ
ସତ୍ତା ହରାଇବି?”
“ମୋ ଉପରେ ତୁମର ବିଶ୍ୱାସ କୁ ପ୍ରଶ୍ନ କରୁଛି,
ସେମାନଙ୍କର ଲେଖାକୁ ନୁହେଁ,
ଯାହାଙ୍କୁ ଦେଶଦ୍ରୋହୀ କହି ମାମଲା ଠୁକୁଁଛ
ଓ ମୋତେ ପ୍ରକାରାନ୍ତେ ଦୁର୍ବଳ କହୁଛ ।
“ଅନୁରୋଧ, ମୋତେ ଅପମାନିତ କର ନାହିଁ ।
ପୁଣି କହୁଛି
ମୁଁ ଏତେ ଭଂଗୁର ନୁହେଁ ଯେ
କାହାରି ଲେଖାରେ ଖଣ୍ଡ ବିଖଣ୍ଡିତ ହେବି
ଓ ସତ୍ତା ହରାଇବି ।
ଅନୁରୋଧ, କ୍ଷମତା ଦଖଲ ପାଇଁ
ମୋତେ ହତିଆର କର ନାହିଁ ।
ଯଦି ମୋତେ ମା କହୁଛ
ତାହାହେଲେ ଆନନ୍ଦିତ ହୁଅ ଦେଖି
ମୁଁ କିପରି ମୋ କୋଳରେ ନିର୍ବିକାର ସଭିଙ୍କୁ ଧରିଛି ”
Photo credit – https://bit.ly/3oxILYv