ମୟୂରଭଞ୍ଜ ଛଉ ନାଟ (ଡ଼ଗର ପୃଷ୍ଠାରୁ) – ଶ୍ରୀ ନିତ୍ୟାନନ୍ଦ ମହାପାତ୍ର 

Swayamprava Parhi (Chief Editor)
7 Min Read

 

Support Samadhwani

ଛଉର ମୂଳ କଉଠି, ସେଟା ଖୋଜିବେ ଐତିହାସିକମାନେ। ମୋତେ ଭଲ ଲାଗିଲା ନାଚଟା-ଆଖିକି ରୁଚିଲା ମୁଁ ଆନନ୍ଦ ପାଇଲି କ୍ଷଣିକ ଲାଗି ମୋର ସେତିକି ଢେର। ମୁଁ ତା ଠୁଁ ବେଶୀ ଆଗକୁ ଯିବାକୁ ଚାହେଁ ନାହିଁ। ମୋର ତା ଠୁଁ ବେଶୀରେ ଯାଏ ଆସେ କେତେ?

ଛଉ ଆମ ଗଡ଼ଜାତ ଓଡ଼ିଆ ରାଇଜର ଗୋଟିଏ ମୌଳିକ ନାଚ। ଏ କଥା ମୁଁ ଲୋକଙ୍କ ମୁହଁରୁ ଶୁଣିଥିଲି। ଦେଖି ମନେ ବି ହେଲା ସେଇୟା। ତେବେ ସନ୍ଦେହ ହେଲା ଏଟା ପ୍ରକୃତରେ ଆର୍ଯ୍ୟ ଜାତ ଓଡ଼ିଆମାନଙ୍କର ନାଚ କି ଅନାର୍ଯ୍ୟ, ଏ ଦେଶର ଆଦିମ ଅଧିବାସୀ ଯେଉଁମାନେ, ସେଇ କୋହ୍ଲ, କନ୍ଧ, ସାନ୍ତାଳମାନଙ୍କର ନାଚ? ନାଚଟା ଯଉଁଠୁ ଆସୁ ଏଥିରେ ଯେ ନୃତ୍ୟ କଳାର ପରିପାଟି ଯଥେଷ୍ଟ ଅଛି ଏହା କେହି ଅସ୍ୱୀକାର କରିବେ ନାହିଁ।

Support Samadhwani

ଦୁଇଟି ଗଡ଼ଜାତ ମୁଲକରେ ଛଉ ନାଚ ଭାରି ଜମକରେ ହୁଏ। ଗୋଟିଏ ଗଡ଼ଜାତର ନାଟୁଆମାନେ ଆଜି ଇଉରୋପରେ । ସେଇ ଗଡ଼ଜାତର ନାମ ହେଉଛି ସଢ଼େଇ କଳା। ସେଦିନ ସେଠା ଦେବାନଙ୍କ ସାଙ୍ଗରେ ଦେଖା ହେଲା। ଇଟାଲିରେ ତାଙ୍କ ନାଟୁଆମାନେ ନାଟ ଦେଖାଇ ଯଉଁ ପ୍ରଶଂସା ପତ୍ର ସବୁ ପାଇଛନ୍ତି ତାର ନମୁନା ମୋତେ ସେ ଦେଖାଇଲେ । ୭/୮ ଟି ଇଟାଲିର ପ୍ରସିଦ୍ଧ ଖବର କାଗଜ ଖରା ଦିନରେ ବି ପ୍ରଶଂସା ଢାଳି ପକାଇଛନ୍ତି। ସେହି ଖବର କାଗଜଙ୍କ ଅଭିମତରୁ ଜାଣିଲି ଯେ ନାଟୁଆମାନେ ମୁହଁରେ ଗୋଟାଏ ମୁଖା ଦେଇ ନାଚନ୍ତି । ଏହି ମୁଖାଟିର ନାମ ହେଉଛି ଛଉ। ନର୍ତ୍ତକ ନିଜ ମୁହଁର ଭାବ ପ୍ରକାଶ କରିବାର ସୁବିଧା ପାଏ ନାହିଁ। କିନ୍ତୁ ସେହି ବୈଦେଶିକ ଖବର କାଗଜବାଲାମାନେ ଲେଖିଛନ୍ତି ଯେ ନାଟୁଆର ଅଙ୍ଗପ୍ରତ୍ୟଙ୍ଗ ସଞ୍ଚାଳନ ଏପରି ମଧୁର, ଏପରି ପରିସ୍ଫୁଟ ଯେ ନିର୍ଜୀବ ମୁଖାଗୁଡ଼ିକ ମଧ୍ୟ ଜୀବନ୍ତ, ପ୍ରଭାବିତ ପରି ମନେ ହୁଏ । ଏହା କମ୍ ପ୍ରଶଂସାର କଥା ନୁହେଁ ।

ମଣିଷ ଜୀବନରେ ଏପରି ଗୋଟିଏ ଗୋଟିଏ ମୁହୂର୍ତ୍ତ ଆସେ ଯେତେବେଳେ ହୃଦୟର ଉଚ୍ଛ୍ୱାସକୁ ପ୍ରକାଶ କରିବା ପାଇଁ ମୁଖ ଯନ୍ତ୍ର ଯଥେଷ୍ଟ ହୁଏ ନାହିଁ – ସେ ବାଧ୍ୟ ହୋଇ ମୂକ ହୁଏ । ସେତେବେଳେ ତାର ବିକଳ ମନୋଭାବ ସୁଗଠ ଅଟ୍ଟାର ଠାଣି ଦେଇ ଫୁଟି ଉଠେ। ପ୍ରତ୍ୟେକ ଭାରତୀୟ- ଭାରତୀୟ କହ, ଉକ୍ରଳୀୟ କହ ବା ପ୍ରାଚ୍ୟ କହ, କଳାର ମୂଳ ବସ୍ତୁ ଏହି ସ୍ୱାଭାବିକ ଠାଣି ଦେହରୁ ରୂପ ନେଇ ଗଢ଼ି ଉଠିଛି ବୋଲି ମୋର ମତ । ଏହା ଯେତେ ସୂକ୍ଷ୍ମ ହେବାକୁ ଯାଇଛି ସେତିକି ଅତିରିକ୍ତ ମଧ୍ୟ ହୋଇଛି । କିନ୍ତୁ ଅସ୍ୱାଭାବିକ ହୋଇନାହିଁ । ସେଥିପାଇଁ ଛଉ ଅତିରିକ୍ତ ହେଲେ ମଧ୍ୟ ଅସ୍ୱାଭାବିକ ନୁହେଁ । ମୁଁ ମୁଖାପିନ୍ଧା ଛଉ ନାଟ ଦେଖିନାହିଁ । ଛଉମାନେ ଯଦି ମୁଖା ହୋଇଥାଏ ତେବେ ମୁଖା ଦେଇ ନାଚିବା ଛଉର ମୌଳିକ ଏବଂ ମୁଖ୍ୟ ବସ୍ତୁ ବୋଲି ବୋଲିବାକୁ ହେବ।

ମୁଁ ଏଥର ଛଉ ଯେଉଁଠି ଦେଖିଲି ସେଠି ନାଟୁଆମାନଙ୍କ ମୁହଁରେ ମୁଖା ନ ଥିଲା । ସମୟର ଗତି ନେଇ ରୁଚିର ପରିବର୍ତ୍ତନ ଘଟିଛି ଏମାନଙ୍କ ନାଚରେ । ଏଟା ନିନ୍ଦନୀୟ ନୁହେଁ । ବରଂ ପ୍ରଶଂସାର କଥା । କିନ୍ତୁ ମାତ୍ରାଧିକ ଯେଉଁଠି ହେଇଛି ସେଇଠି ଯାଇଚି ବିଗିଡ଼ି । ହାଣ୍ଡିଏ ଦୁଧ ଦହିରେ ଟିକିଏ ବିଷ୍ଠା ପକାଇଲେ ଯେମିତି ନଷ୍ଟ ହୋଇଯାଏ ଏ ମୟୁର ଭଞ୍ଜର ଖାଣ୍ଟି ଓଡ଼ିଶୀ ଛଉ ଦେହରେ ବଙ୍ଗଳା ଗୀତ ବୋଲି ଅଭିନୟ କରିବା ବିକ୍ତୃତା ଦେବା ପ୍ରଭୃତି ଯୋଗ କରିବା ଫଳରେ ଠିକ ସେହି ଦୋଷ ଘଟିଛି ବୋଲି ମୋର ମନେ ହେଲା ।

ମୟୁର ଭଞ୍ଜର ଛଉ ଦେଖିବା ଏହି ମୋର ପ୍ରଥମ । ସେଇ ଗୋଟିଏ ଦିନ ଦେଖିଛି ଚୈତ୍ରର ଶେଷ ରାତି । କାକରରେ ବସି ମୋର ଗଳା ପଡ଼ିଗଲା ଯେମିତି, ନୃତ୍ୟକାର ଛଉ ନାଟରେ ଗୀତ ଓ ବାକ୍ୟାଭିନୟ ଦେଖି ଉତ୍ସାହଟା ବି ପଡ଼ିଗଲା ସେମିିତି । ଛଉ ନାଟର ମୂଳ ବାଜା ମାଦଳ ସହିତ ନୂଆ ନୂଆ ବାଦ୍ୟ ସଂଯୋଗ ଯେତିକି ତାହାକୁ ମିଷ୍ଟତର କରିଛି କୌଣସି ଅବୋଧ୍ୟ ସଂଗୀତ ଉପରେ ନାଚ ଦେଖାଇବା ତାହାକୁ ସେତିକି ପରିମାଣରେ ଅନୁପଯୋଗୀ କରିଛି । ମୋ ମତରେ କୌଣସି ଗୀତର ଭାବ ନେଇ ନାଚ କରିବାକୁ ହେଲେ ଏପରି କେତେ ଗୁଡ଼ିଏ ଗୀତ ବାଛି ନେବା ଉଚିତ ଯାହାକି ସାଧାରଣଙ୍କୁ ଭଲ ଭାବରେ ଜଣାଥିବ । ଏପରି ଗୀତ ଓଡ଼ିଶାରେ ଅଭାବ ନାହିଁ । ଚମ୍ପୁ, ଛାନ୍ଦ ପ୍ରଭୃତି ସଙ୍ଗୀତ ଓଡ଼ିଆଙ୍କ ମୁହେଁ ମୁହେଁ ଆଜି ଶୁଣାଯାଏ । ବଙ୍ଗଳା ଗୀତ ଉପରେ ନୃତ୍ୟ ପରିପାଟି ନ ଦେଖାଇ ପୁରୁଣା ଓଡ଼ଶୀ ଗୀତ ଉପରେ ନାଚ ଦେଖାଇ ଥିଲେ ବୋଧହୁଏ ସୁନ୍ଦର ହୋଇଥାନ୍ତା ।

ସେ ଦିନ ମୁଁ ଯେତେ ଗୁଡ଼ିଏ ନାଚ ଦେଖିଲି ତା ଭିତରୁ ରଙ୍ଗ ପଣ୍ଡା ଯୋଡ଼ି, ଓ ଶମ୍ଭୁ ନିଶମ୍ଭୁ ନାଚ ଯୋଡ଼ିକ ମୁକ ନାଚ ବୋଲି ମନେ ହେଲା । ଏହା ବୀର ରସର ନାଚ । ଛଉ ଟା ବୋଧହୁଏ ପ୍ରଥମେ କେବଳ ଏହି ବୀରରସକୁ ହିଁ ଆଶ୍ରୟ କରି ଆରମ୍ଭ ହୋଇଥିଲା । ତା’ ସଙ୍ଗରେ ଅନ୍ୟ ରସ ଯୋଗ କରିବା ସଙ୍ଗେ ସଙ୍ଗେ ନାଚର ପରିବର୍ତ୍ତନ ଘଟିବା ସ୍ୱାଭାବିକ । ସେଇ ଦୃଷ୍ଟିରେ ରସକୁ ନୂଆ ଛାଞ୍ଚରେ ପକାଇବା ଯଥାର୍ଥ ହୋଇଛି ।

କିନ୍ତୁ ମୋର ମନେ ହେଲା, ମୟୁର ଭଞ୍ଜର ଦୁଇଟି ବିବାଦମାନ ବା ପ୍ରତିଯୋଗୀଦଳ ଭିତରୁ କୌଣସିଥିରେ କେହି କଳାକୁଶଳୀ ଯୋଗ୍ୟ ବ୍ୟକ୍ତିର ଅଧ୍ୟକ୍ଷତା କାର୍ଯ୍ୟ କରି ନାହିଁ । ଉତ୍ତର ସାହିର ନାଚ ଅବଶ୍ୟ ଟିକିଏ ସୁକ୍ଷ୍ମ ବୋଲି ମାନିବାକୁ ହେବ । କିନ୍ତୁ ଛଉର ଗୋଟାଏ ବିଶିଷ୍ଟ ଦିଗ ବୋଲି ଯାହା ମୋର ମନେ ହେଲା, ତତ୍ ପ୍ରତି ଯଥେଷ୍ଟ ବା ଦକ୍ଷିଣ ସାହିର ନାଟୁଆମାନଙ୍କ ପରି ଦୃଷ୍ଟି ଦେବାରେ ସେମାନେ ଟିକିଏ ପଛେଇ  ଯାଇଛନ୍ତି । ସେଟା ହେଉଛି – ନାଚର ଯତି  ବା ମୁଦ୍ରା । ତା ସାଙ୍ଗରେ ଐକ୍ୟ ଓ ମେଳ । ଉତ୍ତର ସାହୀର ଭବାଭିବ୍ୟକ୍ତି ଖୁବ୍ ସୁନ୍ଦର ହେଲେ ମଧ୍ୟ ତାଳ, ମେଳ ଓ ମୁଦ୍ର୍ରା ଦିଗରୁ ଦକ୍ଷିଣ ସାହୀ ଟିକଏ ଉଚ୍ଚରେ । କିନ୍ତୁ ମୋଟ ଉପରେ ଉତ୍ତର ସାହୀର ନାଚ ହିଁ ବେଶୀ ଉପଭୋଗ୍ୟ ହୋଇଥିଲା ।

ସେଦିନ ଯେତେଗୁଡ଼ିଏ ନାଚ ଦେଖିଲି ତା’ ଭିତରୁ ଓଡ଼ିଆ ନାଚଟି ସବୁଠାରୁ ଭଲ ଲାଗିଲା । କାରଣ ମାର୍ଜିତ ହେଲେ ହେଁ ମୌଳିକ । ତାର ନାମ ଓଡ଼ିଆ ନ ହୋଇ ଓଡ଼ିଶୀ ହେବା ହିଁ ଉଚିତ ଥିଲା । ଦେଶ ବିଦେଶ ନାଚଟା ବଡ଼ ହାସ୍ୟାଷ୍ପଦ । ଦକ୍ଷିଣୀ ନାଚର ନମୁନାରୁ ବୁଝାପଡ଼େ ତାହା କିପରି ଗୋଟାଏ ସତ୍ୟର ଅପଳାପ । ରାସ, ତାମୁଡ଼ିଆ, କୃଷ୍ଣ ନାଚ ସୁନ୍ଦର ହେଲେ ମଧ୍ୟ ସଖାମାନଙ୍କର ନାଚ ତେତେ କଳାଗତ (artistic) ହୋଇ ନ ଥିଲା । ଶୃଙ୍ଗାର ରସରେ ବୀର ରସର ସମାବେଶ ଯୋଗୁଁ ତାର ହେଇଥିଲା ରସ ଭଙ୍ଗ।

କେତେକ ମୋ’ର ଭଳି ନୂଆ ଦେଖାଳିଙ୍କ ମୁହଁରୁ ଶୁଣିଲି,ସବୁ ନାଚଗୁଡ଼ାକ ଏକା ପରି ଲାଗୁଛି । ସେଟା ଆଖିର ଦୋଷ ଛଡ଼ା ମୁଁ ଆଉ କିଛି କହିବି ନାହିଁ । ଯିଏ ପହିଲୁ ପହିଲୁ ସାହେବଙ୍କ ସାଙ୍ଗରେ ମିଶେ ତାକୁ ସବୁ ସାହେବ ସବୁ ସାହେବାଣୀ ଏକା ପରି ଦିଶନ୍ତି । ଗଡ଼ଜାତ କୋହ୍ଲ କନ୍ଧଙ୍କ ଚେହେରାକୁ ଖୁବ୍ ତୀକ୍ଷ୍ମ ପର୍ଯ୍ୟବେକ୍ଷଣ କରି ନ ଦେଖିଲେ ଯେପରି ସବୁ ଏକା ଦିଶନ୍ତି । ପ୍ରତ୍ୟେକ ନାଟର ବିଶେଷତ୍ୱକୁ ମନ ଭିତରେ ଆଲୋଚନା କରି ନ ଦେଖିଲେ ସେହିପରି ଏକା ଦିଶିବାର କଥା । ମଣିଷ, ଖାଏ, ନାଚେ, ଶୁଏ – ସବୁ ମଣିଷ ସେଇ ଏକା କଥା କରନ୍ତି । ସମସ୍ତଙ୍କ ଜୀବନ ସେହି ଏକ ରକମର । କିନ୍ତୁ ପ୍ରତ୍ୟେକ ଭାବନାରେ ବିଶେଷତ୍ୱ ଅଛି । – ପାର୍ଥକ୍ୟ ଅଛି । ପ୍ରତ୍ୟେକ ଛଉନାଟରେ ବି ସେଇପରି ବିଶେଷତ୍ୱ ମିଳେ । ତା’ ଭିତରେ ପଛେ ଯେତେ ଦୋଷ ଥାଉ । ମୋର ବିଶ୍ୱାସ ତତ୍ତ୍ୱାବଧାରକମାନେ ଆଉ ଟିକିଏ ଦୃଷ୍ଟି ଦେଲେ ନାଚ ଆହୁରି ଉନ୍ନତ ଧରଣର ହୋଇପାରିବ ।

ଶୁଣିଲି, ପୃଷ୍ଠପୋଷକ ମହାରାଜା ଏହାକୁ ନିଜର ରାଜଧାନୀ ମଧ୍ୟରେ ପର୍ଯ୍ୟବେଶିତ କରି ରଖିବାକୁ ପସନ୍ଦ କରନ୍ତି । ବାହାରେ ବିଜ୍ଞାପିତ ହେବା ବିରୁଦ୍ଧରେ ସେ । କିନ୍ତୁ ମୋର ମନେହୁଏ ବାରିପଦାର ସୀମା ଛାଡ଼ିଲେ ଏହାର ଖ୍ୟାତି ଆହୁରି ବଢ଼ିବ ।

(ଡଗର- ଭି.ଓ ୧ରୁ ସଂଗ୍ରହ)

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.