ସତ୍ୟନାରାୟଣ ପାଲା ଓ ସାମ୍ପ୍ରଦାୟିକ ସଂପ୍ରୀତି

17 Min Read

ଓଡ଼ିଆ ଲୋକନାଟ୍ୟ ପରମ୍ପରାରେ ସତ୍ୟନାରାୟଣ ପାଲା ଏକ ଅନନ୍ୟ ସୃଜନ, ଯାହାର ବିଶେଷତ୍ତ୍ଵ ହେଉଛି ଧର୍ମୀୟ ଆସ୍ଥା ସହିତ ସାମାଜିକ ସମନ୍ୱୟର ବାର୍ତ୍ତା ପ୍ରଚାର ପ୍ରସାର କରିବା । ଡ. ଅଜିତ କୁମାର ମୁନୀ ଏହି ପ୍ରବନ୍ଧରେ ପାଲାର କାହାଣୀ, ଚରିତ୍ର, ଭାଷା, ଛନ୍ଦ ଓ ଧର୍ମୀୟ ଦର୍ଶନର ବିଶ୍ଳେଷଣ ମାଧ୍ୟମରେ ଏହାର ଅନ୍ତର୍ନିହିତ ସାମ୍ପ୍ରଦାୟିକ ସଂପ୍ରୀତିକୁ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି। ବିଶେଷକରି ସତ୍ୟନାରାୟଣ ଓ ସତ୍ୟପୀରଙ୍କ ସମନ୍ୱିତ ରୂପ ମାଧ୍ୟମରେ ଓଡ଼ିଶାର ଲୋକସଂସ୍କୃତିର ଉଦାର ଓ ସମନ୍ୱୟବାଦୀ ଚେତନା ସ୍ପଷ୍ଟ ହୋଇଉଠିଛି। ଲୋକସାହିତ୍ୟ, ଲୋକନାଟ୍ୟ ଏବଂ ସାମାଜିକ ଇତିହାସର ଅଧ୍ୟୟନ କ୍ଷେତ୍ରରେ ଏହି ଲେଖାଟି ଏକ ମୂଲ୍ୟବାନ ସଂଯୋଜନ। – ସମ୍ପାଦକ

ଉପକ୍ରମ

ଓଡ଼ିଆ ଲୋକନାଟକ ପରମ୍ପରାରେ ପରିବେଷିତ ହୋଇଆସୁଥିବା ବିଭିନ୍ନ ଲୋକନାଟକ ମଧ୍ୟରେ ପାଲା ଏକ ଭିନ୍ନତମ ନାଟ୍ୟ ପରମ୍ପରା ଅଟେ। ଏହାର ପରିବେଷଣ ଶୈଳୀ, ସଙ୍ଗୀତ, କଥାଧର୍ମୀ ଅଭିନୟ ଏବଂ ଉଚ୍ଚମାନର ସାହିତ୍ୟିକ ମୂଲ୍ୟବୋଧ ଏହାକୁ ଏକ ସ୍ଵତନ୍ତ୍ର ପର୍ଯ୍ୟାୟର ଲୋକପ୍ରିୟତା ପ୍ରଦାନ କରିଛି । ପ୍ରାଚୀନ ଯୁଗରେ ସତ୍ୟନାରାୟଣ ପୂଜନ ପରମ୍ପରାରୁ ସୃଷ୍ଟିଲାଭ କରିଥିବା ଏହି ଲୋକନାଟକକୁ ସତ୍ୟନାରାୟଣ ପାଲା ଭାବରେ ନାମିତ କରାଯାଇଛି । ମୁଖ୍ୟତଃ ପାରମ୍ପରିକ ପାଲାରେ ପରିବେଷିତ ବିଷୟବସ୍ତୁ ମାନଙ୍କର ଭିନ୍ନତାକୁ ଆଧାର କରି ଏହାକୁ ଷୋହଳ ଭାଗରେ ବିଭକ୍ତ କରାଯାଇଛି ତେଣୁ ଏହାର ନାମ ଜନମାନସରେ ଷୋଳପାଲା ଭାବରେ ମଧ୍ୟ ପରିଚିତ ଅଟେ । ଷୋଳପାଲାର ଅନ୍ତର୍ଭୁକ୍ତ ପାଲା ଗୁଡ଼ିକ ହେଲା ଯଥା – 1. ସତ୍ୟନାରାୟଣ ପାଲା ୨. ଶ୍ରୀ ପଦ୍ମଲୋଚନ ପାଲା ୩. ମର୍ଦ୍ଦଗାଜି ପାଲା ୪. ମର୍ଦ୍ଦଗାଜି ବିଭା ପାଲା ୫. ବିଦ୍ୟାଧର ତାରାବତୀ ପାଲା ୬. ମଦନସୁନ୍ଦର ପାଲା ୭. ସଦାନନ୍ଦ ସୌଦାଗର ପାଲା  ୮. ଫାସିୟାର ପାଲା ୯. ଶଙ୍କର ଗୁଡ଼ିଆ ପାଲା  ୧୦. ଦୁର୍ଜନ ସିଂହ ପାଲା ୧୧. ହାରାଚାନ୍ଦ ପାଲା ୧୨. ଉଗ୍ରତାରା ପାଲା ୧୩. କାଠୁରିଆ ପାଲା ୧୪. ଲକ୍ଷ୍ମଣ କୁମାର ପାଲା ୧୫. ଅଭିନ୍ନ ମଦନ ପାଲା ୧୬. ସ୍ଵର୍ଗାରୋହଣ ପାଲା । ଏଠାରେ ଆମେ ଷୋଳପାଲାର ସତ୍ୟନାରାୟଣ ପାଲା ତାହାର ବିଷୟବସ୍ତୁ, ଚରିତ୍ର, ଭାଷା ଏବଂ ଛନ୍ଦ ତଥା ଏହାର ସାମ୍ପ୍ରଦାୟିକ ସଂପ୍ରୀତିକୁ ଆଲୋଚନାର କେନ୍ଦ୍ର ଭାବରେ ଗ୍ରହଣ କରିଛୁ ।

ସତ୍ୟନାରାୟଣ ଜନ୍ମ ପାଲା

ସତ୍ୟନାରାୟଣ ପାଲାକୁ ବିଶେଷତଃ ଜନ୍ମ ପାଲା ଭାବରେ ଗ୍ରହଣ କରାଯାଏ । ପରମ୍ପରିକତା ଅନୁସାରେ ଏହି ସତ୍ୟନାରାୟଣ ପାଲା ଷୋଳପାଲାର ସର୍ବ ପ୍ରଥମ ପାଲା ଅଟେ । କାରଣ ସତ୍ୟନାରାୟଣ ପାଲାରେ ସର୍ବପ୍ରଥମେ ପାଲା ନାଟର ଆରାଧ୍ୟ ଦେବତା ସତ୍ୟନାରାୟଣ ବା ସତ୍ୟପୀରଙ୍କ ଜନ୍ମ ବିଷୟ ବର୍ଣ୍ଣନା କରାଯାଇଛି । ଧରାଧାମରେ ପାତ୍ସା ନାମରେ ଏକ ସୁନ୍ଦର ରାଜ୍ୟ ଥିଲା । ସେହି ରାଜ୍ୟରେ ଜନ୍ମ ଗ୍ରହଣ କରିବା ନିମନ୍ତେ ଅଲେଖ ନିରାକାର ଖୋଦା ସ୍ଵର୍ଗରେ ବସି ମନରେ ବିଚାର କଲେ । ଓଡ଼ିଶାରେ ହିନ୍ଦୁ ମୁସଲମାନ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବାକୁ ଇଚ୍ଛା କଲେ । ଧରାପୃଷ୍ଠରେ ରାମ, ରହୀମ, କୋରାନ, ପୁରାଣ ପ୍ରତି ଲୋକମାନଙ୍କର ମନର ଭାବନା ଜାଣିବାକୁ ଚାହିଁଲେ । ତେଣୁ ସ୍ଵର୍ଗର ଆସ୍ଥାନ ଛାଡ଼ି ସେ ମର୍ତ୍ତ୍ୟ ଆଡ଼କୁ ଅଗ୍ରସର ହେଲେ ଏବଂ  ପାତ୍ସା ରାଜାଙ୍କର କନ୍ୟା କୁନ୍ତୀଙ୍କର ଗର୍ଭରେ ରହିବାକୁ ପ୍ରଭୁ ସ୍ଥିର କଲେ । କାରଣ ରାଜକନ୍ୟା କୁନ୍ତୀ ପ୍ରତିଦିନ ସକାଳେ ଶଯ୍ୟା ତ୍ୟାଗପରେ  କୋରାନ ପଢ଼ୁଥିଲେ । ଦିନେ ରାଜାଙ୍କର କନ୍ୟା ସଖୀମାନଙ୍କ ସହିତ ସମୁଦ୍ର କୁଳକୁ ସ୍ନାନକରିବା ନିମନ୍ତେ ଗଲେ ଏବଂ  ସମୁଦ୍ର ଜଳରେ ସଖୀମାନଙ୍କ ସହିତ ମିଶି ଛୋଟ ପିଲାଭଳି ଜଳକ୍ରୀଡ଼ା କରିବାକୁ ଲାଗିଲେ । ଠିକ ଏହି ସମୟରେ ଗୋଟିଏ ସୁନ୍ଦର ପଦ୍ମଫୁଲ ସମୁଦ୍ର ଜଳରେ ଭାସି ଆସି ରାଜଜେମାଙ୍କ ପାଖରେ ଲାଗିଲା । ତଳେ ସମୁଦ୍ରର ନୀଳ ଜଳରାଶି ଏବଂ ଉପରେ ସୂର୍ଯ୍ୟଙ୍କର ସୁନେଲି କିରଣରେ ଭାସୁଥିବା ପଦ୍ମ ଫୁଲଟି ବହୁତ ସୁନ୍ଦର ଦେଖାଯାଉଥାଏ କାରଣ ନିରାକାର ସର୍ବବ୍ୟାପୀ ସତ୍ୟନାରାୟଣ ସେ ପଦ୍ମ ଫୁଲ ଭିତରେ ଅବସ୍ଥାନ କରିଥିଲେ । ପଦ୍ମଫୁଲଟିର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ରାଜଜେମା କୁନ୍ତୀ ସେହି ଫୁଲଟିକୁ ହାତରେ ତୋଳିଆଣି ତାହାର ସୌନ୍ଦର୍ଯ୍ୟକୁ ଲୋଭନୀୟ ଚାହାଣୀରେ ଦେଖିବାକୁ ଲାଗିଲା ଏବଂ ତାହାର ସୁଗନ୍ଧକୁ ନାକ ପାଖକୁ ଆଣି ତିନିଥର ଆଘ୍ରାଣ କଲେ । ଏହାଦ୍ଵାରା ସର୍ବବ୍ୟାପୀ ନିରାକାର ଭକ୍ତପ୍ରିୟ ପ୍ରଭୁ ସତ୍ୟନାରାୟଣ ପଦ୍ମଫୁଲର ବାସ୍ନା ସହିତ ସେହେଜାଦୀ କୁନ୍ତୀର ଗର୍ଭ ଭିତରକୁ ପ୍ରବେଶ କଲେ ।

Samadhwani Support us

ଉଠାଇୟା ଫୁଲ କନ୍ୟା ତ୍ରିବାର ଶୁଙ୍ଘିଲ

ସତ୍ୟନାରାୟଣ ତାର ଗର୍ଭତେ ରହିଲ ॥

କପାଲେ ବିହିର ଲେଖା କେକରିବ ଆନ

ସାହାଜାଦୀ ଗର୍ଭତେ ରହିଲେ ନାରାୟଣ ॥

ନାରିକେଳ ଭିତରେ ଜଳ ଆପେ ଆପେ ବଢ଼ିଲା ଭଳି ରାଜଜେମା କୁନ୍ତୀଙ୍କର ଗର୍ଭରେ ଆପେଆପେ ପ୍ରଭୁ ନାରାୟଣ ବଢ଼ିବାକୁ ଲାଗିଲେ । ରାଜଜେମାଙ୍କର ଗର୍ଭଭାର ମଧ୍ୟ ଦିନକୁ ଦିନ ଧୀରେ ଧୀରେ ବଢ଼ିବାକୁ ଲାଗିଲା । ମୁହଁରୁ ବାରମ୍ବାର ହାଇ ବାହାରିଲା । ଖଟ ପଲଙ୍କ ଛାଡ଼ି ଭୂମି ଉପରେ ଶୟନ କରିବାକୁ ରାଜଜେମା ମନ ବଳାଇଲେ । ଜେମାଙ୍କର ଏହି ସବୁ ଶାରୀରିକ ଲକ୍ଷଣମାନ ଦେଖି ଦାସୀ ରାଣୀଙ୍କ ପାଖକୁ ଯାଇ ଏକାନ୍ତରେ ସବୁ କଥା କହିବାକୁ ଲାଗିଲେ । ରାଣୀ ସଙ୍ଗେ ସଙ୍ଗେ ରାଜାଙ୍କ ନିକଟକୁ ଯାଇ ଦାସୀଠାରୁ ଶୁଣିଥିବା ସବୁକଥା ଗୋଟିଗୋଟିକରି ପ୍ରକାଶ କଲେ । ରାଣୀଙ୍କ ନିକଟରୁ ଏହି ସବୁ କଥାମାନ ଶୁଣି ରାଜା କୋପାନଳ ହୋଇଗଲେ । ରାଗ ତମତମ ହୋଇ ମନ୍ତ୍ରୀଙ୍କୁ ପାଖକୁ ଡାକିଲେ । ରାଜଜେମା କୁନ୍ତୀଙ୍କର ଭୁଲ ପାଇଁ ତାଙ୍କୁ ଜିଅନ୍ତା ଅବସ୍ଥାରେ ସମାଧି ଦେବାପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କଲେ । କିନ୍ତୁ ମନ୍ତ୍ରୀ ମହାଶୟ ରାଜାଙ୍କୁ ଗର୍ଭବତୀ ନାରୀଙ୍କୁ ବଧ କରିବା ମହାପାପ ବୋଲି ବୁଝାଇଛନ୍ତି ଏବଂ ଜେମାଙ୍କୁ ଗର୍ଭସ୍ଥ ସନ୍ତାନ ପ୍ରସବ ହେବା ପର୍ଯ୍ୟନ୍ତ ସମୟ ଦେବାକୁ ଅନୁରୋଧ କରିଛନ୍ତି । ରାଜାଙ୍କ ସର୍ତ୍ତ ମୁତାବକ ନଗର ବାହାରେ ଏକ ବନ୍ଦିଶାଳା ନିର୍ମାଣ କରାଯାଇଛି । ସେହି ବନ୍ଦିଶାଳାରେ ଜଗୁଆଳ ମାନଙ୍କୁ ନିଯୁକ୍ତ କରାଯାଇଛି । କଂସ ଦେବକୀଙ୍କୁ କାରାଗାରରେ ରଖିଲାଭଳି କୁନ୍ତୀଙ୍କୁ ମଧ୍ୟ ସେହିଭଳି ଅବସ୍ଥାରେ ରଖାଯାଇଛି । ଘଡ଼ିଏ ଘଡ଼ିଏ ଅନ୍ତରରେ ରାଜା ମନ୍ତ୍ରୀଙ୍କ ଦ୍ଵାରା ରାଜଜେମାଙ୍କର ଖବର ସଂଗ୍ରହ କରିବାରେ ଲାଗିଛନ୍ତି ।  ଜଗୁଆଳ ମାନଙ୍କର କଡ଼ା ପହରା ଭିତରେ ନଖାଇ ନପିଇ ଗର୍ଭବତୀ କୁନ୍ତୀ ଅନାଥିନୀ ଭଳି ଅତ୍ୟନ୍ତ ଦୁଃଖରେ ସମୟ ଅତିବାହିତ କରୁଛନ୍ତି । ଏହିଭଳି ଦୁଃଖ କଷ୍ଟରେ ଜେମାଙ୍କର ଦଶମାସ ଦଶଦିନ ଚାଲିଗଲା ।  ଏତିକିବେଳେ ଗର୍ଭବତୀ କୁନ୍ତୀଙ୍କର ଗର୍ଭବେଦନା ବଢ଼ିବାରେ ଲାଗିଛି । ରାଜଜେମା ଦୁଃଖ କଷ୍ଟରେ ଭାଙ୍ଗି ପଡ଼ିଛନ୍ତି ।  ସେତେବେଳେ ଗର୍ଭ ଭିତରେ ରହି ସତ୍ୟପୀର ଗର୍ଭଧାରୀ ମାତାଙ୍କୁ ଲେଙ୍ଗୁଟି ବା କପଡ଼ା ମାଗିଛନ୍ତି । କାରଣ ମା କପଡ଼ା ଭକ୍ଷଣ କଲେ ପୁତ୍ର ସତ୍ୟପୀର ତାଙ୍କୁ ପିନ୍ଧି ନିଜର ଲଜ୍ଜା ନିବାରଣ କରି ଧରାଧାମରେ ଜନ୍ମ ନେବେ ।

ଅନ୍ତରେ କରେନ ଶୋକ ପାତ୍ସାରେ ଯେ ବେଟୀ

ଗର୍ଭେ ଥେକେ ସତ୍ୟ ପୀର ମାଗେନ ଲେଙ୍ଗୁଟି ॥

ଅନ୍ଧକୂପେ ଆଛି ଆମି ବାଲକ ଶରୀରେ

ଲଜ୍ଜାରେ ଖାତିରେ ଆମି ନାହଇ ବାହାର ॥

ସୁନ୍ଦର ଆଞ୍ଚାଲ ଯଦି ଦିଅ ପରିବାରେ

ତେବେ ଆମି ଜନମ ହୋଇବ ଏସଂସାରେ ॥

ଗର୍ଭସ୍ଥ ଶିଶୁର କଥା ଶୁଣି ମାତା ଚକିତ ହୋଇଯାଇଛନ୍ତି ।  ଶେଷରେ ପୁତ୍ରର ଅସମ୍ଭବ ଅନୁରୋଧକୁ ପୂରଣ କରିଛନ୍ତି । ମାତା କୁନ୍ତୀ ନିଜର ପିନ୍ଧା ଲୁଗାର କିଛି ଅଂଶକୁ ପୁତ୍ର ପାଇଁ ଭକ୍ଷଣ କରିଛନ୍ତି । ଏହାପରେ ଜଗତର ନାଥ ଜଗନ୍ନାଥ ଅନନ୍ତ ନିରାକାର ସର୍ବବ୍ୟାପୀ ସତ୍ୟନାରାୟଣ ଦେବକୀଙ୍କ ଗର୍ଭରୁ ବିଷ୍ଣୁ ଜନ୍ମ ନେଲାଭଳି ଚାରିହସ୍ତରେ ଶଙ୍ଖ,ଚକ୍ର,ଗଦା ଓ ପଦ୍ମ ଧାରଣ କରି ଗଳାରେ ଦିବ୍ୟ ପାରିଜାତ ପୁଷ୍ପର ମାଳା ଲମ୍ବାଇ ଜନ୍ମ ଗ୍ରହଣ କଲେ ଏବଂ ଅଳ୍ପ ସମୟ ପରେ ବିଜୁଳି ଆଲୋକ ଭଳି ପୀର ସ୍ଵର୍ଗକୁ ପ୍ରତ୍ୟାଗମନ କଲେ । ଏହିଭଳି ଅଲୌକିକ ଘଟଣା ଦେଖି କୁନ୍ତୀ ଚକିତ ଏବଂ  ଭୟଭୀତ ହୋଇଯାଇଛନ୍ତି ।

ପ୍ରସବିୟା ସାହାଜାଦୀ ଚାରିଦିଗେ ଚାହେଁ

ଫୁଲ ପଡ଼ିଅଛି ଫଳ ଦେଖିତେ ନ ପାଏ

କାରୁଣ୍ୟ କରିୟା ମନେ ଭାବେନ ଇଶ୍ଵର

କାହାକୁ ଆମାରେ ଭାଣ୍ଡ କିହେ ମାୟାଧର

ଜଗୁଆଳ ମାନଙ୍କ ଠାରୁ ସନ୍ତାନ ପ୍ରସବ କଥା ଶୁଣି ମନ୍ତ୍ରୀ ଏବଂ ରାଣୀ ତାରା ଆନନ୍ଦରେ କନ୍ୟା କୁନ୍ତୀ ପାଖକୁ ଆସିଛନ୍ତି । କନ୍ୟା ପାଖରେ ଫୁଲ ପଡ଼ିଥିବା ଦେଖିଛନ୍ତି କିନ୍ତୁ ଜନ୍ମିତ ପୁତ୍ର ବା କନ୍ୟାକୁ ଦେଖିପାରିନାହାନ୍ତି । ଏହିଭଳି ଚମତ୍କାର ଘଟଣା ତାଙ୍କୁ ଚକିତ କରିଦେଇଛି । ମା ପାଖରେ ରାଜଜେମା ଗର୍ଭଧାରଣର ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କରିଛନ୍ତି । ତଥାପି ସେ ରାଣୀଙ୍କୁ ସନ୍ତୁଷ୍ଟ କରିପାରିନାହାନ୍ତି । ରାଣୀଙ୍କ ମନରେ କୁନ୍ତୀଙ୍କ ପ୍ରତି ସନ୍ଦେହ ବଢିଯାଇଛି । ରାଣୀ କନ୍ୟାଙ୍କ ନିକଟରୁ ବିଦାୟ ନେଇ ରାଜାଙ୍କ ସମ୍ମୁଖରେ ସମସ୍ତ ଘଟଣା ପ୍ରକାଶ କରିଛନ୍ତି । ରାଜା ଓ ରାଣୀ ଉଭୟେ ନିଜର ଜନ୍ମିତ କନ୍ୟାକୁ ପିଲାଖାଇ ଡାହାଣୀ ବୋଲି ସନ୍ଦେହ କରିବା ସହିତ ଘୃଣା କରିଛନ୍ତି । ଶେଷରେ ତାଙ୍କୁ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଏକୁଟିଆ ଛାଡିଆସିବାକୁ ମନ୍ତ୍ରୀଙ୍କୁ ରାଜା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏସବୁ ଘଟଣା ପ୍ରଭୁ ସତ୍ୟନାରାୟଣ ଜାଣିବାକୁ ପାଇଛନ୍ତି ଏବଂ ନିଜ ମାଆଙ୍କର ଦୁଃଖ ଲାଘବ କରିବା ନିମନ୍ତେ ସ୍ଵର୍ଗର ବଢେଇ ବିଶ୍ଵକର୍ମାଙ୍କୁ ଡାକି ନିଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ସୁନ୍ଦର ପ୍ରାସାଦ ନିର୍ମାଣ କରାଇଛନ୍ତି ଏବଂ ତାହାର ଚାରିଦିଗରେ ପ୍ରଜାମାନଙ୍କୁ ରଖାଇଛନ୍ତି । ସମସ୍ତ ସୁବିଧା ସତ୍ଵେ କୁନ୍ତୀ ଜଙ୍ଗଲରେ ଏକାକିନୀ ଜୀବନ ଅତ୍ୟନ୍ତ ଦୁଃଖରେ କାଟିବାକୁ ଲାଗିଛନ୍ତି  । ମାଆ କୁନ୍ତୀଙ୍କର ଦୁଃଖକୁ ପ୍ରଭୁ ସତ୍ୟନାରାୟଣ ହିଁ ଦେଖୁଥାନ୍ତି । ମାତାଙ୍କର ଦୁଃଖ ସହିନପାରି ଦିନେ ପ୍ରଭୁ ସତ୍ୟନାରାୟଣ ମାତା କୁନ୍ତୀଙ୍କ ପାଖକୁ ଆସିଛନ୍ତି । ମାତାଙ୍କ କୋଳରେ ବସି ପ୍ରଭୁ ନିଜର ପରିଚୟ ପ୍ରଦାନ କରିଛନ୍ତି ଏବଂ ବାଳକ ରୂପରେ ମାତାକୁନ୍ତୀଙ୍କଠାରୁ  ସ୍ତନପାନ କରିଛନ୍ତି । ଦୁଃଖିନୀ ମାତାଙ୍କ ଆଖିରୁ ଝରିପଡ଼ୁଥିବା ଲୁହ ଧାରକୁ ପୋଛିଦେଇ  ସେ ତାଙ୍କୁ ଅଭୟ ପ୍ରଦାନ କରିଛନ୍ତି । ମାତାଙ୍କ ପାଇଁ ପ୍ରାସାଦ ମଧ୍ୟରେ ସମସ୍ତ ପ୍ରକାର ସୁବିଧାର ବନ୍ଦୋବସ୍ତ କରି ପ୍ରଭୁ ସତ୍ୟପୀର ସେଠାରୁ ବାହାରି ପାତ୍ସା ରାଜାଙ୍କ ଉଆସ ଆଡ଼କୁ ଅଗ୍ରସର ହୋଇଛନ୍ତି ।

ଏହି ସମୟରେ ପାତ୍ସା ରାଜାଙ୍କ ମନ୍ତ୍ରୀଙ୍କର ପୁଅ ସାଥି ବାଳକ ମାନଙ୍କ ସହିତ ଆନନ୍ଦରେ ଖେଳୁଥିଲା । ପ୍ରଭୂ ସତ୍ୟପୀର ଏହାଦେଖି ତାଉପରକୁ ବାଟୁଳି ମାରିଦେଇଛନ୍ତି । ପିଲାଟିର ମଥାରେ ବାଟୁଳି ବାଜି ଧାର ଧାର ହୋଇ ରକ୍ତ ଝରିପଡ଼ିଛି ।  ଏହି ଖବର ଯେତେବେଳେ ମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି ସେ ଆହତ ପୁତ୍ର ପାଖକୁ ପ୍ରାଣ ବିକଳରେ ଦୌଡ଼ି ଆସିଛନ୍ତି । ପୁତ୍ରକୁ ମୃତ ଅବସ୍ଥାରେ ଦେଖି କାନ୍ଦିକାନ୍ଦି ଅଧୌର୍ଯ୍ୟ ହୋଇ ଯାଇଛନ୍ତି । ମୃତ ପୁତ୍ରକୁ ବଞ୍ଚାଇଦେବା ଲାଗି ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି । ଏହି ସମୟରେ ସେଠାରେ ସର୍ବବ୍ୟାପୀ ସର୍ବ ଶକ୍ତିମାନ ପ୍ରଭୁ ସତ୍ୟପୀର ପହଞ୍ଚିଯାଇଛନ୍ତି ଏବଂ ମୃତ ପୁତ୍ରକୁ ବଞ୍ଚାଇବା ନିମନ୍ତେ ତାଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଛନ୍ତି ।

ସତ୍ୟପୀର ବଲେ ଆର କାନ୍ଦିଲେ କି ହବେ

ପରମାୟୁ ଦିୟା କେନ ନବାଞ୍ଛାଓ ତବେ ॥

ନଲିନୀ ପାଦେତ ଜଲ ଫେଲିଲ ଯେମନ

ପିଣ୍ଡ ମଧ୍ୟେ ପ୍ରାନ ଯେନ ରହିଛି ତେମନ

ଫକୀର ବଲେନ ଉଜିର ବଲି ହୋ ତୋମାର

ଏକବାର ପୂଜା ଯଦି ମାନ ସତ୍ୟ ପୀର

ଅଥବା କରିୟା ଯଦି କରିବେ ଶିରୀନୀ

ବଞ୍ଚାଇୟା ଦିବ ଯେ ତୋମାର ଯାଦୁମନି

ଏହା ଶୁଣି ମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ମୃତ ପୁତ୍ର ଯଦି ଜୀବନ ଫେରିପାଇବ ତେବେ ସେ ପାଞ୍ଚ ଲକ୍ଷ ଟଙ୍କାର ଶିରିଣୀ ଭୋଗ ପୂଜା କରିବ । ଏହା ଶୁଣି ଫକୀର ବେଶରେ ଆସିଥିବା ପ୍ରଭୁ ସତ୍ୟପୀର ଆନନ୍ଦିତ ହୋଇଯାଇଛନ୍ତି ଏବଂ ସେଠାରେ ସଙ୍ଗେସଙ୍ଗେ ପଦ୍ମାସନରେ ବସି ସଞ୍ଜିବନୀ ମନ୍ତ୍ର ପଢ଼ି ମୃତ ପୁତ୍ରର ଶରୀରରେ ପ୍ରାଣ ସଞ୍ଚାର କରିଛନ୍ତି । ପୁତ୍ରକୁ ଜୀବନ୍ତ ଅବସ୍ଥାରେ ଦେଖି  ସେ ସତ୍ୟପୀରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ପରବର୍ତ୍ତୀ ସମୟରେ ପୂର୍ବ ପ୍ରତିଜ୍ଞା ଅନୁସାରେ ନଗର ସାରା ସତ୍ୟନାରାୟଣଙ୍କ ଶିରିଣୀ ବାଣ୍ଟିଛନ୍ତି । ଶିରିଣୀ ବାଣ୍ଟି ବାଣ୍ଟି ମନ୍ତ୍ରୀବର ଶେଷରେ ରାଜାଙ୍କ ନିକଟରେ ପହଞ୍ଚିଛନ୍ତି । ରାଜାଙ୍କୁ ଯେତେବେଳେ ମନ୍ତ୍ରୀ ଶିରିଣୀ ଭୋଗ ଗ୍ରହଣ କରିବାକୁ କହିଛନ୍ତି ସେତେବେଳେ ରାଜା ମନରେ ଧର୍ମଗତ ବିଦ୍ଵେଷ ରଖି ମନ୍ତ୍ରୀଙ୍କ ଶିରିଣୀକୁ ଗ୍ରହଣ କରିନାହାନ୍ତି । ଆକାଶ ମାର୍ଗରେ ରହି ପ୍ରଭୁ ନାରାୟଣ ଏସବୁ ଘଟଣାମାନ ଦେଖିଛନ୍ତି । ଧର୍ମାନ୍ଧ ରାଜାଙ୍କୁ ଉଚିତ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରଭୁ ଏକ ନୂତନ ଉପାୟ ପାଞ୍ଚିଛନ୍ତି । ଜଙ୍ଗଲର ବାଘ ମାନଙ୍କୁ ମତାଇ ନଗର ସାରା ନାନା ବିତ୍ପାତ ସୃଷ୍ଟି କରିଛନ୍ତି । ରାଜ୍ୟବାସୀ ଭୟଭୀତ ହୋଇ ଯାଇଛନ୍ତି । ବାଘ ମାନଙ୍କ ଉତ୍ପାତ ଦେଖି ରାଜା ମନ୍ତ୍ରୀ ଏବଂ ସୈନ୍ୟ ସାମନ୍ତ ସମସ୍ତଙ୍କୁ ଧରି ଟୁରୀ ଭେରୀ ବଜାଇ ବାଘ ମାନଙ୍କୁ ଶୀକାର କରିବାକୁ ଜଙ୍ଗଲକୁ ଯାଇଛନ୍ତି ।ନିଘଞ୍ଚ ଜଙ୍ଗଲ ଭିତରେ ଏକ ସୁଉଚ୍ଚ ତଥା ମନୋରମ ପ୍ରସାଦ ଦେଖି ରାଜା କର ବା ଖଜଣା ମାଗିବା ଉଦ୍ଦେଶ୍ୟରେ ପ୍ରସାଦ ଭିତରକୁ ଯିବାକୁ ଅଗ୍ରସର ହୋଇଛନ୍ତି । ସୈନ୍ୟ ସାମନ୍ତ ଏବଂ ପାତ୍ରମନ୍ତ୍ରୀଙ୍କ ସହିତ ରାଜାଙ୍କୁ ଦେଖି ସାହାଜାଦୀ ଭୟରେ ପ୍ରଭୁ ନାରାୟଣଙ୍କୁ ସ୍ମରଣ କରିବାକୁ ଲାଗିଛନ୍ତି । ପ୍ରଭୁ ନାରାୟଣ ସଙ୍ଗେ ସଙ୍ଗେ ବାଳକ ରୂପରେ ସେଠାରେ ଆସି ପହଞ୍ଚି ଯାଇଛନ୍ତି  । ନାରାୟଣଙ୍କୁ ଦେଖି ରାଜା,ପାତ୍ର ,ମନ୍ତ୍ରୀ ସମସ୍ତେ ଭୟରେ ପଳାୟନ କରିଛନ୍ତି ।  ଏହାପରେ ନାରାୟଣ ରାଜାଙ୍କ ସମ୍ମୁଖକୁ ଗଲାବେଳକୁ ରାଜା ମନ୍ତ୍ରୀ ଉଭୟେ  ସେଠାରୁ ପଳାୟନ କରିଛନ୍ତି । ତଥାପି ନାରାୟଣ ଫକୀର ବେଶରେ ରାଜାଙ୍କ ନିକଟକୁ ଯାଇ ରାଜାଙ୍କ ସୈନ୍ୟ ସାମନ୍ତଙ୍କ ବିଷୟରେ ସୁଖଦୁଃଖ  ପଚାରି ବୁଝିଛନ୍ତି । ରାଜା ଅତ୍ୟନ୍ତ ଦୁଃଖରେ ପ୍ରଭୁ ନାରାୟଣଙ୍କ ପାଖରେ କାନ୍ଦିଛନ୍ତି । ରାଜାଙ୍କ ବିକଳ ସହିନପାରି ନାରାୟଣ ତାଙ୍କୁ ବ୍ୟାଘ୍ର ଆକ୍ରମଣରେ ମୃତ ସୈନ୍ୟ ସାମନ୍ତଙ୍କୁ ବଞ୍ଚାଇ ଦେବାକୁ ଅନୁରୋଧ କରିଛନ୍ତି ଏବଂ ସେମାନଙ୍କୁ ମଧ୍ୟ ପ୍ରଭୁ ନାରାୟଣ ଜୀବନ ପ୍ରଦାନ କରିଛନ୍ତି ।  ମୃତ ସୈନ୍ୟମାନେ ଜୀବନ ଫେରିପାଇଲା ପରେ ରାଜା ଯାକଜମକରେ ପ୍ରଭୁ ସତ୍ୟନାରାୟଣଙ୍କ ଶିରିଣୀ ପୂଜା ଦେବାକୁ ପ୍ରତିଜ୍ଞା କରିଛନ୍ତି । ଏହାପରେ ରାଜା ହାତଯୋଡ଼ି ଫକୀର ବେଶରେ ଥିବା ନାରାୟଣଙ୍କୁ ନିଜର ପ୍ରକୃତ ରୂପ ଦେଖାଇବାକୁ ଅନୁରୋଧ କରିଛନ୍ତି । ଫଳରେ ରାଜାଙ୍କ ଅନୁରୋଧ କ୍ରମେ ଫକୀର ବାବା ତତକ୍ଷଣାତ ନିଜର ପ୍ରକୃତ ଚତୁର୍ଭୁଜ ରୂପ ଦର୍ଶନ କରାଇଛନ୍ତି ।

ଫକୀର ବଲେନ ପାତ୍ସା କହିରେ ତୋମାରେ

ନିରାକାର ରୂପ ତୋରେ ଦେଖାଇବ ବାରେ ॥

ନିରାକାର ରୂପ ତବେ ହେର ଆସମାନେ

ଏତବଲି ଅନ୍ତର୍ଦ୍ଧାନ ହଇଲ ନାରାୟନେ ॥

ସୁନିୟା ସେ ପାତ୍ସା ଯଦି ଆସମାନେ ଚାହେଁ

ନିରାକାର ଅବତାର ଦେଖିବାରେ ପାଏ ॥

ଦଗ୍ଧ କାଞ୍ଚନ ରୂପ ହେରିଲେ ନୟନେ

ତତକ୍ଷଣେ ଶିରିଣୀ ସେ ମାନିଲ ଆପନେ ॥

ଏହାପରେ ଖଗପତି ନାରାୟଣ ସମସ୍ତ ମୃତ ସୈନ୍ୟ ମାନଙ୍କୁ ବଞ୍ଚାଇ ଦେଇଛନ୍ତି । ଫଳରେ କ୍ରୋଧାନ୍ଧ ରାଜାର ମନ ପରିବର୍ତ୍ତନ ହୋଇଯାଇଛି  । ରାଜା ଇଶାଣରେ ଗଣେଶ, ସୂର୍ଯ୍ୟ, ଗୌରୀଙ୍କ ସହିତ ଇଷ୍ଟଦେବ ରୂପରେ ନାରାୟଣଙ୍କୁ ରଖି ପୂଜା କରିଛନ୍ତି । ନାରାୟଣଙ୍କଠାରେ ନିଜକୁ ସମର୍ପଣ କରିବା ସହ ପୂର୍ବ ପ୍ରତିଜ୍ଞା ମୁତାବକ ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିରିଣୀ ଭୋଗ ବାଣ୍ଟିଛନ୍ତି । ଏପରିକି ସତ୍ୟପୀର ନାରାୟଣଙ୍କ ନାମ ମହିମା ଚାରିଆଡ଼େ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସତ୍ୟନାରାୟଣ ପାଲାର ଧର୍ମୀୟ ବୈଶିଷ୍ଟ୍ୟ

  1. ସନାତନ ଧର୍ମର ପରମ ଆରାଧ୍ୟ ଦେବତା ପ୍ରଭୁ ସତ୍ୟନାରାୟଣଙ୍କ ମହିମାର ପ୍ରଚାର ଓ ପ୍ରସାର କରିବା ।
  2. ହିନ୍ଦୁ ଧର୍ମର ସତ୍ୟନାରାୟଣ ଏବଂ ମୁସଲମାନ ଧର୍ମର ପୀରଙ୍କ ଭିତରେ ଥିବା ପ୍ରଭେଦକୁ ଦୂର କରି ଉଭୟଙ୍କୁ ଏକ ଏବଂ ଅଭିନ୍ନ ଭାବରେ ସମାଜରେ ପ୍ରତିପାଦିତ କରିବା ଓ ଉଭୟ ଧର୍ମ ମଧ୍ୟରେ ସାମ୍ପ୍ରଦାୟିକ ସଂପ୍ରୀତିର ବାର୍ତ୍ତା ପ୍ରଚାର କରିବା ।
  3. ଲୋକ ନାଟକ ମାଧ୍ୟମରେ ସତ୍ୟନାରାୟଣଙ୍କୁ ଆଧାର କରି କାହାଣୀ ମାନ ପ୍ରଦର୍ଶନ କରି ଲୋକ ମାନଙ୍କ ଭିତରେ ପାପ ପ୍ରତି ଭୀତି ସଂଚାର କରିବା ସହିତ ପୂଣ୍ୟ କାର୍ଯ୍ୟ ପ୍ରତି ପ୍ରୀତି ଭାବନା ଜାଗ୍ରତ କରିବା ।
  4. ସମାଜରେ ନାରୀ ଶକ୍ତିର ମହନୀୟତାକୁ ପ୍ରଚାର କରିବା ।
  5. ଏହି ବିଷୟବସ୍ତୁ ମାଧ୍ୟମରେ “ ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । “ ଭଳି ପୌରାଣିକ ଦର୍ଶନର ବାର୍ତ୍ତା ପ୍ରଚାର କରି ଦର୍ଶକ ବା ଭକ୍ତ ମାନଙ୍କ ମନରେ ଭଗବତ ସମ୍ମାନବୋଧ ସୃଷ୍ଟି କରିବା ।

ଚରିତ୍ରାୟନ

ଆମେ ଜାଣୁ ଯେଉଁ ବ୍ୟକ୍ତିମାନଙ୍କୁ କେନ୍ଦ୍ର କରି ନଟକର ବିଷୟବସ୍ତୁ ନିର୍ଦ୍ଧାରିତ ହୋଇଥାଏ ସେମାନଙ୍କୁ ଚରିତ୍ର କୁହାଯାଏ ଏବଂ ନାଟକରେ ସେମାନଙ୍କର ଗୁରୁତ୍ଵକୁ ଦେଖି ସେମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ୧. ମୁଖ୍ୟ ଚରିତ୍ର ୨. ଗୌଣ ଚରିତ୍ର ମାତ୍ର ଚାରିଗୋଟି ମୁଖ୍ୟ ଚରିତ୍ରକୁ ନେଇ ଏହି ପାଲାର କାହାଣୀ ପରିକଳ୍ପିତ ହୋଇଛି । ସେମାନେ ଯଥା – କୁନ୍ତୀ, ରାଜା, ମନ୍ତ୍ରୀ ଏବଂ ନାରାୟଣ । ଏହା ସହିତ ଯେଉଁ ଅଳ୍ପ କେତୋଟି ଚରିତ୍ର ଏଠାରେ ଗୌଣ ଚରିତ୍ର ଭାବରେ ଦେଖାଦେଇ ପାଲାର ବିଷୟବସ୍ତୁକୁ ଅଧିକ ନାଟକୀୟ କରିବାରେ ସହାୟକ ହୋଇଛନ୍ତି ସେମାନେ ହେଲେ ଯଥା – ରାଣୀ ଏବଂ ବିଶ୍ଵକର୍ମା  । ତତ୍କାଳୀନ ସମୟରେ କୁନ୍ତୀ ଭଳି ଜଣେ ନାରୀ ଚରିତ୍ରକୁ କେନ୍ଦ୍ରରେ ରଖି ନାଟକଟିକୁ କବି କର୍ଣ୍ଣ  ରଚନା କରିଛନ୍ତି ।

ଛନ୍ଦ ଓ ଭାଷା

ପାଲା ମୁଖ୍ୟତଃ ଏକ ଗାୟନ ଧର୍ମୀ ଲୋକନାଟକ ଅଟେ । ପ୍ରାରମ୍ଭରୁ ଏହାକୁ ଗାୟନ ମାଧ୍ୟମରେ ପରିବେଷଣ କରାଯାଉଥିଲା । ପରବର୍ତ୍ତୀ ସମୟରେ ଏଥିରେ ସଙ୍ଗୀତ ତଥା ଅଭିନୟ ଯୋଗ କରିବା ସହିତ ଅନ୍ୟାନ୍ୟ ନାଟକୀୟ ଉପାଦାନ ଗୁଡ଼ିକ ଯୋଡ଼ି ହେବା ଦ୍ଵାରା ଏହା ଅଧିକ ଉପଭୋଗ୍ୟ ହୋଇପାରିଲା । କବି କର୍ଣ୍ଣଙ୍କ ରଚିତ ଏହି ସତ୍ୟନାରାୟଣ ପାଲାଟି ମୁଖ୍ୟତଃ ଚତୁର୍ଦ୍ଦଶ ପଦି ଛନ୍ଦରେ ରଚିତ ହୋଇଥିଲା । ଯେଉଁ ଛନ୍ଦରେ ଆମ ଓଡ଼ିଆ ସାହିତ୍ୟରେ ଲକ୍ଷ୍ମୀ ପୂରଣ ଭଳି ପୁରାଣ ସାହିତ୍ୟ ରଚିତ ହୋଇଥିଲା ।

ସାମ୍ପ୍ରଦାୟିକ ସଂପ୍ରୀତି

ମଧ୍ୟଯୁଗରେ ଭାରତୀୟ ଧର୍ମଧାରାରେ ଯେଉଁ ସବୁ ଧର୍ମମାନ ପ୍ରଚଳିତ ଥିଲା  ସେଗୁଡ଼ିକ ହେଲା ଯଥା – ସନାତନୀ ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ, ମୁସଲମାନ ଧର୍ମ ଏବଂ ଖ୍ରୀଷ୍ଟ ଧର୍ମ । ତତ୍କାଳୀନ ସମୟର ରାଜନୈତିକ ଏବଂ ସାଂସ୍କୃତିକ ପୃଷ୍ଠଭୂମିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମ ମଧ୍ୟରେ ଧର୍ମୀୟ ବିଦ୍ଵେଷ ଚରମ ଶୀର୍ଷରେ ପହଞ୍ଚିଥିବା କଥା ମଧ୍ୟଯୁଗୀୟ ଇତିହାସରୁ ଜଣାପଡ଼େ । ଏପରିକି ହିନ୍ଦୁ ମାନଙ୍କର ଜୀବନ, ଜୀବିକା, ଧର୍ମ ଓ ସଂସ୍କୃତି ମଧ୍ୟଯୁଗର ମୁସଲିମ ଧର୍ମର ଶାସକ ମାନଙ୍କର ଶାସନ ବ୍ୟବସ୍ଥା ଭିତରେ ସଂପୂର୍ଣ୍ଣ ଅସୁରକ୍ଷିତ ଥିଲା । ଉତ୍କଳର ପରମ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ତେଣୁ ହିନ୍ଦୁ ଧର୍ମକୁ ଆଧାର କରି ପ୍ରାଚୀନ ଯୁଗରୁ ଉତ୍କଳର ଯେଉଁ ସତ୍ୟନାରାୟଣ ପାଲା ଭଳି ସୁନ୍ଦର ଲୋକ ନାଟକ ପରମ୍ପରା ଜନ୍ମ ନେଇଥିଲା ତାହା ମଧ୍ୟ ମୁସଲିମ ଶାସକ ମାନଙ୍କ ଆକ୍ରମଣର ଶିକାର ହେଲା । ଏହି ଲୋକନାଟକ ପରିବେଷଣ କରୁଥିବା ହିନ୍ଦୁ ସଂପ୍ରଦାୟର ଗୁରୁ ଏବଂ କଳାକାରମାନଙ୍କୁ ମଧ୍ୟ ଏହାର ପରିବେଷଣ ପାଇଁ ପ୍ରତିବନ୍ଧକ ଲଗେଇ ଦିଆଗଲା । ପାଲା ନାଟକୁ ସାଂସ୍କୃତିକ ପୃଷ୍ଠଭୂମିରୁ ନିଶ୍ଚିହ୍ନ କରିବାର ପ୍ରୟାସ କରାଗଲା ।  କିନ୍ତୁ ଏହା ମଧ୍ୟ ସତ୍ୟ ଯେ ବିଦେଶ ମାତିରୁ ସୃଷ୍ଟି ହୋଇ ଆସିଥିବା ଧର୍ମଟି ଭାରତରେ ବହୁତ କମ ସମୟ ଭିତରେ ବ୍ୟାପକ ଭାବରେ ବଢିଗଲା ସତ କିନ୍ତୁ ହିନ୍ଦୁରୁ ମୁସଲମାନ ପାଲଟିଥିବା ମଣିଷ ମନରୁ ଆଉ ଗୋଟିଏ ଧର୍ମର ମଣିଷ ପ୍ରତି ଭଲପାଇବାକୁ ତାହା ନଷ୍ଟ କରିପାରିଲା ନାହିଁ କିମ୍ବା ଭାରତର ମୂଳ ସଂସ୍କୃତି ପ୍ରତି କଠୋର ମନୋଭାବ ପୋଷଣ କରିପାରିଲା ନହିଁ । କଳାର ପରିବେଷଣକୁ ରାଜା ମାନଙ୍କର ରାଜନୈତିକ ବନ୍ଦ କରିଦିଆଯାଇପାରିଲା କିନ୍ତୁ କଳାକାର ମନ ଭିତରର କଳାପ୍ରବଣତାକୁ କେହି ମାରିପାରିଲେ ନାହିଁ ।  ଏହି ବିଶ୍ଵାସ ବୋଧରୁ ମୁସଲିମ ଧର୍ମର ଗ୍ରାମୀଣ ପୀର ବା ଫକୀର ଏବଂ ହିନ୍ଦୁ ଧର୍ମର ବ୍ରାହ୍ମଣ ବା ଗୁରୁ ମାନଙ୍କ ସାଂସ୍କୃତିକ ସମନ୍ଵୟ ଭିତରୁ ଆମର ସତ୍ୟନାରାୟଣ ପାଲା ସତ୍ୟପୀର ପାଲାରେ ରୂପାନ୍ତରିତ ହୋଇଗଲା । ମୁସଲିମ ଶାସକ ମାନଙ୍କୁ ଉଭୟ ଧର୍ମର  ସାଂସ୍କୃତିକ ବିନିମୟକୁ ପାଲାର ବିଷୟବସ୍ତୁ ଗୁଡ଼ିକ ସହାୟତାରେ ବୁଝେଇଦେଇ ଆମର ନାଟ୍ୟକଳା ପ୍ରତି ସେମାନଙ୍କର ଅତି କଠୋର ଅସହିଷ୍ଣୁତାକୁ କୋହଳ କରିବାରେ ସଫଳ ହେଲେ । ଏହି ସାମ୍ପ୍ରଦାୟିକ ସଂପ୍ରୀତି ସତ୍ୟନାରାୟଣ ଜନ୍ମ ପାଲାରେ ଅତି ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି । ମୁସଲିମ ଧର୍ମର ଫକୀର ବାବାଙ୍କୁ ସତ୍ୟନାରାୟଣଙ୍କର ଏକ ସ୍ୱରୂପ ଭାବରେ ଏଠାରେ ଦର୍ଶାଯାଇଛି । ହିନ୍ଦୁ ରାଜାଙ୍କର ମୁସଲିମ ମନ୍ତ୍ରୀ ଥିବା କଥା ଏହାର ଧର୍ମୀୟ ଉଦାରତାର ପ୍ରମାଣ ଦେଇଛି । ଶିରିଣୀକୁ ଘୃଣା କରୁଥିବା ରାଜା ଘଟଣା ଚକ୍ରରେ ଶିରିଣୀ ବାଣ୍ଟିଛନ୍ତି । ନାରାୟଣଙ୍କୁ ବିଶ୍ଵାସ କରୁନଥିବା ରାଜା ମୃତ ସୈନ୍ୟ ସାମନ୍ତଙ୍କୁ ଜୀବିତ କରିବା ନିମନ୍ତେ ପ୍ରଭୁଙ୍କର ଶରଣାପନ୍ନ ହୋଇଛନ୍ତି ଏବଂ ଶେଷରେ ରାଜା ଉଭୟ ଧର୍ମର ଆରାଧ୍ୟଦେବତା ନାରାୟଣ ଏବଂ ଆଲ୍ଲାଙ୍କ ଆଶୀର୍ବାଦ କାମନା କରିଛନ୍ତି । ଶିରିଣୀ ଭୋଗ ଗ୍ରହଣ କରିନଥିବା ରାଜା ନଗର ସାରା ଶିରିଣୀ ବାଣ୍ଟିବାର ପ୍ରତିଜ୍ଞା ନେଇଛନ୍ତି।

Share This Article
ଲୋକନାଟ୍ୟ ଗବେଷକ ଓ ଓଡ଼ିଆ ଅଧ୍ୟାପକ