ଶାସ୍ତ୍ରୀୟ ସଙ୍ଗୀତ ପର୍ଯ୍ୟାୟରେ ଓଡ଼ିଶୀ

Swayamprava Parhi (Chief Editor)
6 Min Read

ଗତ ସେପ୍ଟେମ୍ବର ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ ଏକ ପ୍ରସ୍ତାବ ପାରିତ କରିଛି ଯାହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ୨୦୦୮ ମସିହାରେ ରାଜ୍ୟ ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାର ଦୀର୍ଘ ୧୨ ବର୍ଷ ପରେ ଏଭଳି ଏକ ନିସ୍ପତ୍ତି ନେବା ନିଶ୍ଚିତ ଭାବରେ ଓଡ଼ିଶାର ସଙ୍ଗୀତ ଜଗତପାଇଁ ଗୁରୁତ୍ୱପୂର୍ଣ୍ଣ। ବିଶିଷ୍ଟ ଓଡ଼ିଶୀ ଗାୟିକା ତଥା ବିଦୁଷୀ ଶ୍ୟାମାମଣୀ ଦେବୀ, ଗୁରୁ ଗୋପାଳ ପଣ୍ଡାଙ୍କ ଠାରୁ ଆରମ୍ଭକରି ଓଡିଶୀ ସଙ୍ଗୀତର ସବୁ ଗୁରୁମାନେ ଏହି ଖବରଟି ପାଇବାପରେ ଭାବ ବିହ୍ୱଳ ହୋଇପଡ଼ିଛନ୍ତି ଓ ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି। ସେହି କଳାକାର ତଥା ଗୁରୁମାନଙ୍କର ଜୀବନବ୍ୟାପି ସାଧନା ଯେତେବେଳେ ସଫଳ ହେବାକୁ ଯାଉଛି ନିଶ୍ଚିତ ଭାବରେ ସେମାନେ ଆନନ୍ଦ ଅନୁଭବ କରିବେ ।

ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ସଙ୍ଗୀତକୁ ନେଇ ନାଟ୍ୟ ଶାସ୍ତ୍ର କ’ଣ କହେ ଟିକେ ଜାଣିବା ଆବଶ୍ୟକ । ନାଟ୍ୟ ଶାସ୍ତ୍ର ମତରେ ଅବଳା, ବାଳ, ଗୋପାଳ, ରାଜାମାନେ ନିଜ ମନରୁ ଯାହା ଗାନ କରନ୍ତି ତାକୁ ସଙ୍ଗୀତ କୁହାଯାଏ(ଉତ୍କଳ ସଙ୍ଗୀତ ପଦ୍ଧତି) । ସଙ୍ଗୀତ ମଣିଷଦ୍ୱାରା ସୃଷ୍ଟି ହୋଇଥିବା ଏକ ପ୍ରବାହମାନ ନିର୍ଝରଣୀ ଯିଏକି ନିଜର ସ୍ୱରୂପକୁ ସବୁବେଳେ ବଦଳାଇ ଚାଲିଥାଏ(ମ୍ରୃଣାଳ ପାଣ୍ଡେ) । ସଙ୍ଗୀତର ସ୍ୱରୂପ ପରିବର୍ତ୍ତନ ଏକ ନୀରନ୍ତର ପ୍ରକ୍ରିୟା। ଓଡ଼ିଶୀ ସଙ୍ଗୀତକୁ ଯେତେବେଳେ ଆମେ ଏହିଭଳି ପୃଷ୍ଠଭୂମିରୁ ଆଲୋଚନା କରିବା ଅନେକ ବିଷୟ ଆମର ଦୃଷ୍ଟିଗୋଚର ହୁଏ।

ଓଡ଼ିଶାର ପୁରପଲ୍ଲୀରେ ଯେଉଁସବୁ ଗୀତ ବିଚରଣ କରୁଥିଲା ସେସବୁ ଦେଶୀ ସଙ୍ଗୀତ । ଯେଉଁ ସଙ୍ଗୀତକୁ କୌଣସି ଧାରାରେ ବା ରାଗ, ତାଳ ନିର୍ଣ୍ଣୟ ନକରି ଲୋକମାନେ ଗାଉଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ କିଛି ଶାସ୍ତ୍ରୀୟକାର ଏହିସବୁ ସଙ୍ଗୀତକୁ ସଂଗ୍ରହ କରି ସେଗୁଡ଼ିକୁ ଉଚ୍ଚାଙ୍ଗ ସଙ୍ଗୀତ ସ୍ତରକୁ ଆଣିବାପାଇଁ ପ୍ରୟାସ କରିଥିଲେ। ଯେମିତି, କାଳିଚରଣ ପଟ୍ଟନାୟକ ‘ଉତ୍କଳ ସଙ୍ଗୀତ ପଦ୍ଧତିର ସୂଚନାରେ ଲେଖିଲେ ଯେ, “ଦୁଃଖର କଥା, ସଙ୍ଗୀତର ସାଧନା ଓ ଗବେଷଣା ପରିବର୍ତ୍ତେ ଲୋକେ ଇଚ୍ଛା ଅନୁସାରେ ରାଗ ରାଗିଣୀ ପ୍ରତି ଦୃଷ୍ଟି ନରଖି ଗାନ କରୁଥିବାରୁ ଓଡ଼ିଆ ସଙ୍ଗୀତର ଗୌରବ ହାନି ହେଉଛି । ଏଭଳି ସଙ୍ଗୀତ ପ୍ରତି ଅନାସ୍ଥା ଦେଖି ମଧୁପୁରର ସଙ୍ଗୀତ ବିଷାରଦ ପଟ୍ଟାୟତ ବଳଦେବ ଚନ୍ଦ୍ର ଧୀର ଓଡ଼ିଶାର ଉଚ୍ଚାଙ୍ଗ ସଙ୍ଗୀତର ପୁନଃରୁଦ୍ଧାର ଓ ପ୍ରଚାର ନିମନ୍ତେ ଆଜୀବନ ସଙ୍ଗୀତ ଗବେଷଣା କରି, ଉତ୍କଳର ପ୍ରକୃତ ସଙ୍ଗୀତର ପୁନଃରୁଦ୍ଧାର ଓ ପ୍ରଚାର ନିମିତ୍ତ ବହୁ ଶାସ୍ତ୍ର ଆଲୋଚନା କରି ଓ ଭାରତର ପ୍ରଧାନ ସଙ୍ଗୀତଜ୍ଞମାନଙ୍କ ସହିତ ପରାମର୍ଶ କରି ସଙ୍ଗୀତ ବିଷୟକ ନାନା ତତ୍ତ୍ୱପୂର୍ଣ୍ଣ ଲେଖା ଲେଖିଯାଇଛନ୍ତି ।” ସେହିସବୁ ଲେଖାକୁ ସଂଗ୍ରହ କରି ସମ୍ବଳିତ କରାଯିବା ଆଜିର ସମୟରେ ଜରୁରୀ ।

ଆମ ପିଲାଦିନେ ଗାଁ ମାନଙ୍କରେ ସାଧାରଣତଃ ଲୋକମାନେ ଓଡ଼ିଶୀ ସଙ୍ଗୀତ ପ୍ରତି ଅଧିକ ଆକୃଷ୍ଟ ହେଉଥିବାର ମୁଁ ଦେଖିଛି । ଗାଁରେ ସେତେବେଳେ ସଙ୍ଗୀତ କହିଲେ କିଛି ଓସ୍ତାଦ୍ ଯେଉଁମାନେ ବିଭିନ୍ନ ଗାଁ ବୁଲି ବୁଲି ନାଟକ, ଗୀତ, ନୃତ୍ୟ ଶିକ୍ଷା ଦେଉଥିଲେ। ମୁଁ ମଧ୍ୟ ପାଖ ଗାଁର ଜଣେ ଓସ୍ତାଦଙ୍କ ନିକଟକୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିବାପାଇଁ ଯାଇଥିଲି ଅବଶ୍ୟ ପରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର କିରାନା ଓ ଗୋଆଲିଅର ଘରାନାର ବିଶିଷ୍ଟ ଗୁରୁ ଶ୍ରୀ ଧନେଶ୍ୱର ଦାସଙ୍କ ନିକଟରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କଲି। ଗାଁରେ ଅନେକ ଓଡ଼ିଶୀ ଗୀତ ଯେମିତି, କଦମ୍ବ ବନେ ବଂଶୀ ବାଜିଲାରେ, ନୀରଜ ବଦନୀ ମନା ଘେନି ତୁ ଗଲୁ ଯମୁନା, ରାଧାନାମେ ବରଜ ରାଜା ମୁରଲୀ ବଜା ବ୍ରଜ ବଜାରେ, ସରି ଗଲାଣିକି ହାଣ୍ଡିରୁ ତୋରାଣୀ ହେ ବେଣୁ ପାଣି ଭଳି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ଅନେକ ଗୀତ ଶିକ୍ଷା ଗ୍ରହଣ କରିଥିଲି । କିନ୍ତୁ ଏହିସବୁ ସଙ୍ଗୀତର ରାଗ, ତାଳ ଶିକ୍ଷା ଆମକୁ ମିଳୁନଥିଲା ।

Samadhwani Support us

ଏମିତି ଅନେକ ଗୀତ ଓଡ଼ିଶାର ପୁରପଲ୍ଲୀରେ ବିଚରଣ ଏବେବି କରୁଛି ଯାହାକୁ ଏକାଠି କରାଯିବାର ଜରୁରୀ ଆବଶ୍ୟକତା ରହିଛି । ଏହାଛଡ଼ା ଓଡ଼ିଶାର ବିଭିନ୍ନ ପ୍ରାନ୍ତୀୟ ସଙ୍ଗୀତକୁ ଓଡ଼ିଶୀ ସଙ୍ଗୀତରେ ଯୋଡ଼ିବାପାଇଁ ଯେଉଁଭଳି ଗବେଷଣାର ଆବଶ୍ୟକତା ଅଛି ସେହି ବିଷୟକୁ ଧ୍ୟାନ ଦିଆଯିବା ସହିତ ନୂତନ ପିଢ଼ୀର ଶିକ୍ଷାର୍ଥୀ ଓ ଗବେଷକମାନଙ୍କୁ ଏହି ଦିଗରେ ପ୍ରେରଣା ଦିଆଯିବା ମଧ୍ୟ ଜରୁରୀ। ଏହିସବୁ ପ୍ରାନ୍ତୀୟ ସଙ୍ଗୀତ ଉଚ୍ଚାଙ୍ଗ ଓଡ଼ିଶୀ ସଙ୍ଗୀତର ପର୍ଯ୍ୟାୟଭୂକ୍ତ ହେଲେ ଓଡ଼ିଶୀ ସଙ୍ଗୀତର ପରିସର ଆହୁରି ବ୍ୟାପକ ହୋବାର ସମ୍ଭାବନା ରହିଛି। ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଦୁଇଜଣ ବିଦ୍ୱାନ ବିଷ୍ଣୁ ନାରାୟଣ ଭାତଖଣ୍ଡେ, ବିଷ୍ଣୁ ଦିଗମ୍ବର ପଲୁସ୍କରଙ୍କ ଭଳି ବିଦ୍ୱାନ ଓଡ଼ିଶାରେ ଜନ୍ମ ନେବାର ଆବଶ୍ୟକତା ଏମିତି ସମୟରେ ଅନୁଭବ ହେଉଛି ।

ଗୋଟିଏ ପଟେ ଉଚ୍ଚାଙ୍ଗ ଓଡ଼ିଶୀ ସଙ୍ଗୀତ ଓ ଅନ୍ୟପଟେ ଗାଁ ଗାଁରେ ବିଚରଣ କରୁଥିବା ଦେଶୀ ଗାୟନକୁ ଦେଖିଲେ ଉଭୟ କ୍ଷେତ୍ରରେ କିଛି ଖାଲିପଣ ରହିଯିବା ପରି ଅନୁଭବ ହେଉଛି । ଉଦାହରଣ ସ୍ୱରୂପ ଯେମିତି, ଓଡ଼ିଶୀ ସଙ୍ଗୀତ ଭିତରେ ଶୁଦ୍ଧ ଗାୟକୀର ଅଭାବ। ସ୍ୱର ସାଧନା କ୍ଷେତ୍ରରେ ହୁଏତ ଅନେକ ବ୍ୟତିକ୍ରମ ରହୁଛି ଯାହା ଗାୟକୀରେ ପ୍ରତିଫଳିତ ହେଉଛି। ସ୍ଵରର ଶୁଦ୍ଧତା ବିଶ୍ୱର ଯେକୌଣସି ଶାସ୍ତ୍ରୀୟ ସଙ୍ଗୀତର ପ୍ରାଥମିକ ଦିଗ। ସେହି ଦିଗକୁ ହୁଏତ ଧାରାବାହିକ ଭାବରେ ଅଣଦେଖା କରାଯାଇଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଉଚ୍ଚାଙ୍ଗ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଓଡ଼ିଶୀର ମୂଳ ରୂପଟି ସମ୍ପୁର୍ଣ୍ଣ ପ୍ରକଟିତ ହୋଇପାରୁ ନାହିଁ । ଓଡ଼ିଶୀ ସଙ୍ଗୀତରେ ହିନ୍ଦୁସ୍ଥାନୀ ସଙ୍ଗୀତର ପ୍ରଭାବ ଆଜିକାଲିର ଗାୟକ ଗାୟିକାମାନଙ୍କ ଗାୟକୀରେ ଅଧିକରୁ ଅଧିକ ଅନୁଭବ କରିହେଉଛି । ଏହିସବୁ ଦୁର୍ବଳତାକୁ ପ୍ରାଥମିକତା ଦେଇ  ଦୂର କରିବା ଆବଶ୍ୟକ ମନେହୁଏ।

ପ୍ରତ୍ୟେକ ସଙ୍ଗୀତ ପରିବର୍ତ୍ତନଶୀଳ କିନ୍ତୁ ଯଦି ପରିବର୍ତ୍ତନ ଭିତରେ ମୂଳ ରୂପଟି ବଦଳି ଯାଏ ତାହେଲେ ଅସ୍ଥିତ୍ୱର ପ୍ରସଙ୍ଗ ସୃଷ୍ଟିହୁଏ। ଓଡ଼ିଶୀର ନିଜସ୍ୱ ଗାୟନ ଶୈଳୀ ଯାହାକି ଓଡ଼ିଶୀକୁ ଅନ୍ୟ ଶାସ୍ତ୍ରୀୟ ସଙ୍ଗୀତ ଠାରୁ ଭିନ୍ନ ପ୍ରମାଣିତ କରେ, ଯେଉଁ ଗାୟନ ଶୈଳୀରେ ଓଡ଼ିଶୀର ରୂପ ପ୍ରକଟିତ ହୁଏ ଆଜିର ସମୟରେ ସେହି ପରମ୍ପରାର ବାହକ କିଏ ?  ଯେମିତି, ‘ମଉଳିଲା କାମିନୀ ବିତିଲା ତୋ ଜାମିନୀ’ ଗୀତଟିକୁ ନିଆଯାଉ । ଶ୍ୟାମାମଣୀ ଦେବୀଙ୍କ ଗଳାରେ (ୟୁଟ୍ୟୁବରେ ଉପଲବ୍ଧ ) ଏହି ଗୀତର ମାଧୁର୍ଯ୍ୟତା ଓ ଭାବ, ରସ ଖୁବ କମ ନୂଆ ପିଢ଼ୀର ଗାୟକଙ୍କ ଠାରୁ ଶୁଣିବାକୁ ମିଳେ । ଶ୍ୟାମାମଣୀ ଦେବୀଙ୍କ ଗାୟକୀର ଉତ୍ତରାଧିକାରୀ ସୃଷ୍ଟି ହେବା ଯେମିତି ଜରୁରୀ, ନିମାଇଁଚରଣ ହରିଚନ୍ଦନଙ୍କ ଶୈଳୀରେ ଗାୟନ କରାଯିବା ସେମିତି ଜରୁରୀ ।

ପୁରାତନ ଶୈଳୀକୁ ଲୋକେ ଧୀରେ ଧୀରେ ଭୁଲିବା ଆରମ୍ଭ କଲେଣି । ଓଡିଶୀର ଶ୍ରୋତା ସେଥିପାଇଁ କମିକମି ଯିବା ସ୍ୱାଭାବିକ। ଯେଉଁ ସ୍ୱର ଆମ ସହ ଓ ଆମ ସଂସ୍କୃତି ସହ ଯୁଗ ଯୁଗରୁ ଥିଲା ସେ ସଙ୍ଗୀତକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଯିବାର ଅର୍ଥ ନିଜର ଅସ୍ଥିତ୍ୱକୁ ଉପେକ୍ଷା କରିବା । ଆଜିର ସମୟରେ ସବୁଠୁ ବଡ ପ୍ରସଙ୍ଗ ହେଉଛି ସମସ୍ତ ପୁରୁଣା ଗାୟକୀ, ଗୁରୁ ତଥା ଓଡ଼ିଶୀର ପୁରୁଣା ଗୀତକୁ ଏକାଠି କରିବା । ସମସ୍ତଙ୍କ ନିକଟରୁ ଯାହା ଉପଯୋଗୀ ତାହା ଶିକ୍ଷା ଗ୍ରହଣ କରିବା । ଓଡିଶୀ ସଂଗୀତ କ୍ଷେତ୍ରରେ ଏକ ବୃହତ୍ତର ଆନ୍ଦୋଳନ ଆଣିବା ପାଇଁ ଜରୁରୀ ହେଉଛି ଉଦାରତାର ସହିତ ଏକ ବିଶାଳ ହୃଦୟ ନେଇ ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧିବାପାଇଁ ଉଦ୍ୟମ ଆରମ୍ଭ କରିବା। ଯେଉଁମାନେ ଆନ୍ଦୋଳନର ସୂତ୍ରଧର ହେବେ ସବୁଠାରୁ ଅଧିକ ତ୍ୟାଗ, କଷ୍ଟ ଓ ସାଧନା ସେହିମାନଙ୍କୁ କରିବାକୁ ହେବ। ସେଥିପାଇଁ ଆମେମାନେ ପ୍ରସ୍ତୁତ କି ??

ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରକ୍ରିୟା ଚାଲିଥିବା ସମୟରେ ଏହିଭଳି କିଛି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟରେ ଗୁରୁ ତଥା ଗବେଷଣା ପାଇଁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିତ୍ୱମାନେ ଉଦାର ଭାବରେ ସମାଲୋଚନାକୁ ସ୍ୱାଗତ କରିବା ସହିତ ଦୁର୍ବଳତା ଦୂର କରିବା ପ୍ରତି ଧ୍ୟାନ ଦେଲେ ଓଡ଼ିଶୀର କଳେବର ବୃଦ୍ଧି ହୋଇପାରିବ ବୋଲି ଆଶା ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.