ପଶ୍ଚିମ ଓଡ଼ିଶାର ଲୋକନାଟ୍ୟ ପରମ୍ପରାରେ ଭଗବାନ ସାହୁ ଏକ ଅବିସ୍ମରଣୀୟ ନାମ। ତାଙ୍କ ନାଟ୍ୟସାଧନା, ନିର୍ଦ୍ଦେଶନା ଏବଂ ଲୋକସଂସ୍କୃତି ପ୍ରତି ନିଷ୍ଠା କେବଳ ରଙ୍ଗମଞ୍ଚକୁ ସମୃଦ୍ଧ କରିନଥିଲା, ବରଂ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ଚେତନାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥିଲା। ‘ଭଗବାନ ସାହୁଙ୍କ ନାଟକରେ ନାରୀ’ ଶୀର୍ଷକ ଏହି ଲେଖାରେ ଲେଖିକା ଜୟଶ୍ରୀ ସାହୁ ବ୍ୟକ୍ତିଗତ ସ୍ମୃତି, ଦର୍ଶକ ଅନୁଭବ ଓ ନାଟ୍ୟବୋଧକୁ ଆଧାର କରି ଭଗବାନ ସାହୁଙ୍କ ନାଟକରେ ନାରୀ ଚରିତ୍ରର ନିର୍ମାଣ, ଉପସ୍ଥାପନା ଏବଂ ସାମାଜିକ ତାତ୍ପର୍ଯ୍ୟର ଏକ ମୂଲ୍ୟବାନ ଆଲୋଚନା କରିଛନ୍ତି। ପଶ୍ଚିମ ଓଡ଼ିଶାର ଲୋକନାଟ୍ୟ ଐତିହ୍ୟ, ଭଗବାନ ସାହୁଙ୍କ ନାଟ୍ୟ ଅବଦାନ ଏବଂ ନାରୀ ଚରିତ୍ରର ସୃଜନଶୀଳ ରୂପାୟଣକୁ ବୁଝିବା ପାଇଁ ଏହି ପ୍ରବନ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିପାରେ । – ସମ୍ପାଦକ
ପିଲାବେଳେ ଗାଁରେ ନାଟକ, ଦଣ୍ଡ, ସଂଚାର, ପାଲା ବା ଦାସକାଠିଆ ହେଲେ ଦିନବେଳୁ ଆମେ ବସ୍ତା, ପଟି ଆଦି ପକେଇ ନିଜପାଇଁ ଜାଗା ସୁରକ୍ଷିତ ରଖୁଥିଲୁ । ସଂରକ୍ଷିତ ଜାଗାଟା ମୁକ୍ତ ମଞ୍ଚର ଏତେ ପାଖରେ ଥିଲା ଯେ ଖଳନାୟକ ବା ଖଳନାୟିକାକୁ ଗୋଡ଼ି, ଖପରା ଆଦି ନିରାପଦରେ ମାରି ହେଉଥିଲା । ଗାଁକୁ ବିଜୁଳି ଆଲୁଅ ଆସି ନଥିଲା । ପାଠ ପଢ଼ାର ବି ଏତେ ଚାପ ନଥିଲା। କେତେଜଣ ତ ସଂଧ୍ୟା ୭ଟାରୁ ଖିଆପିଆ ସାରି ଦେଇ ପହଞ୍ଚିଯାଇ ବସ୍ତା ଉପରେ ବସିପଡ଼ି ନାଟକକୁ ଅପେକ୍ଷା କରୁଥିଲେ । ନାଟକ ଆରମ୍ଭ ହେଲା ବେଳକୁ ଏମାନଙ୍କ ଶୟନର ଅଢେଇ ପ୍ରହର. । ମାଇକ ଆୱାଜ ସହ ଏକ ପ୍ରକାର ପ୍ରତିଯୋଗୀତା କରି ହଲେଇ ଝୁଲେଇ ସେମାନଙ୍କ ନିଦ ଭାଙ୍ଗିବା ପରେ ଷ୍ଟେଜ ଆଡକୁ କେବଳ ମୁଣ୍ଡଟା ଟୁଙ୍ଗାରି ଦେଇ କହୁଥିଲେ, “ମାଏଝି ବାହାରଲେ ଉଠାବୁ ଗା ।” କହିବା ବାହୁଲ୍ୟ,ଏଠି ମାଏଝି’ ର ଅର୍ଥ ହେଲା ନାରୀ ବେଶରେ ପୁରୁଷ ଅଭିନେତା।
ଏ ତଥାକଥିତ ମାଏଝି ବା ନାରୀ ବେଶରେ ପୁରୁଷ କଳାକାରମାନଙ୍କ ମଧ୍ୟରେ କୁମ୍ଭାରୀ ଗାଁ’ର ଭଗବାନ ପାର୍ଟିର କଳାକାରମାନେ ଥିଲେ ଆମ ସର୍ବାଧିକ ପ୍ରିୟ । ତାର କାରଣସବୁ ଖୁବ ଓଜନଦାର । ସେ ସମୟରେ, ଅର୍ଥାତ୍ ୧୯୭୫ରୁ ପ୍ରାୟ ୧୯୮୫ଯାଏଁ କାର୍ତ୍ତିକ ମାସରେ ପ୍ରତିବର୍ଷ ଆମ ଗାଁରେ ସାତ ଆଠ ଦିନ ଧରି ବିଭିନ୍ନ ଗାଁର ନାଟକ ଅଭିନୀତ ହେଉଥିଲା । ରାତିରେ ନାଟ ଦେଖା, ଦିନବେଳେ ସ୍କୁଲ । ସମୟ ପାଇଲାମାତ୍ରେ ନାଟକକୁ ନେଇ ଚର୍ଚ୍ଚା । ଚର୍ଚ୍ଚା ପୁଣି ବର୍ଷ ସାରା । ମୋର ମନେଅଛି ସବୁଠାରୁ ବେଶି ଚର୍ଚ୍ଚା ହଉଥିଲା ଭଗବାନ ସାହୁଙ୍କ ନାଟକକୁ ନେଇ । ଅନ୍ୟ ନାଟକ ସବୁ ମୋଟାମୋଟି ମେଲୋଡ୍ରାମାଟିକ; ଖଳନାୟକ ସହ ହାତ ମିଳେଇଥିବେ ଅନ୍ୟ ଚରିତ୍ରମାନେ। ଦୁଃଖିନୀ ନାୟିକା କାନ୍ଦୁଥିବ ପ୍ରତି ଦୃଶ୍ୟରେ ନାଟକ ଶେଷହେବା ଯାଏଁ । ମଝି ମଝିରେ କେତେବେଳେ କେମିତି ନୃତ୍ୟ ବା କମେଡ଼ିର ବ୍ରେକ। ଅଥଚ, ଭଗବାନ ସାହୁଙ୍କ ପୁରୁଷ, ନାରୀ ଚରିତ୍ର ସମସ୍ତେ ଚଳଚଞ୍ଚଳ । ନବରସର ଏକ ଚମତ୍କାର ସିମ୍ଫୋନୀ ଥିଲା ଭଗବାନ ପାର୍ଟିର ମଞ୍ଚାୟନ। ସୀତା, ଦ୍ରୌପଦୀଙ୍କ ଦୁଃଖରେ ମନଟା ଭାରାକ୍ରାନ୍ତ ହୋଇ ପଡ଼ିଥିବା ବେଳେ ପରବର୍ତ୍ତୀ ଦୃଶ୍ୟରେ ଘୁଙ୍ଗୁର ବାନ୍ଧି ଦୃତ ଛନ୍ଦାୟିତ ପାଦରେ ମଞ୍ଚକୁ ଆସିବେ ଗଦାଧର ବରିହା । ହେଃ, ରସଭଙ୍ଗ କରିଦେଲି ମ । ଗଦାଧର ବରିହା ତ ନୁହଁନ୍ତି, ଗୋଟେ ଚିକମିକ ରଙ୍ଗୀନ ପ୍ରଜାପତି ।”
ଭୋଟ ଦିଅ ହେ ଭୋଟ ଦିଅ,
ଭୋଟର ଭାଇ ଭୋଟ ଦିଅ,
ପୁଅ ଅଫିସର ଝିଅ ଡାକତର,
ଦେଶ ସେବିକା ମୁଁ ମନ୍ତ୍ରୀ ଝିଅ ।
× × ×× ×× ××
ଛାଡ଼ ମୋ ପଣତ ଶ୍ୟାମ ଯିବି ଯମୁନା
ବାଟ ଛାଡିଦିଅ ଆଉ ହଟ କରନା ।
×× × × ×× × ××× ×
ଘୁମୁରା ବାଜିଲା ରେ ଘୁମ ଘୁମ ଘୁମ
ମୋର ଗୁଡ଼ର ପଇଁରୀ ବାଜେ ଛୁମ ଛୁମ ଛୁମ
କିଏ ସେ ବଇଁଶୀ ବଜେଇଲା
ମୋର କଅଁଳ ଛାତି ହେଲା ଛନ ଛନ ଛନ ।
ହାସ୍ୟ ଲାସ୍ୟମୟୀ ଚଞ୍ଚଳାକ୍ଷୀ ଭଗବାନ ପାର୍ଟିର ଷ୍ଟାର ନର୍ତ୍ତକୀ ଗଦାଧର ବରିହା କେତେବେଳ କଳା ଚଷମା ସହ ଆଧୁନିକ ବେଶ ପରିପାଟୀରେ, କେବେ କତରିଆ , ବନ୍ଦରିଆ, ଦୁଇମୁହିଁ କପଟାରେ ଲାସ୍ୟମୟୀ ଲବଙ୍ଗଲତା ରୂପରେ ତ କେତେବେଳେ କ୍ଲାସିକାଲ ଗେଟ ଅପରେ ନୃମୁଣ୍ଡମାଳିନୀ ରୂପରେ । ଗଦାଧର ଏକ ପ୍ରତୀକ ମାତ୍ର। ତାଙ୍କ ଗହଣରେ ଅନେକ ନୃତ୍ୟଶିଳ୍ପୀ ; ଅନେକ ନାରୀ କହିଲେ ଭୁଲ ହେବନି, ଅଙ୍ଗଭଙ୍ଗୀ, ଏମିତିକି ଶରୀର ପରିପାଟୀ ବି ନାରୀ ଭଳି । ହାଇସ୍କୁଲରେ ପଢୁଥିବା ବେଳେ ଆମ ଗୁରୁମାଁମାନେ ପରସ୍ପର କଥା ହେଉଥାନ୍ତି; ସେ ଦ୍ରୌପଦୀ, ସତ୍ୟଭାମା, ସୁଭଦ୍ରା କି ଉତ୍ତରାର ହାତ, ଅଣ୍ଟା ବି ଦେଖିବ ତ, ପୁରାପୁରି ଝିଅ ଭଳି । ” ନିର୍ଦ୍ଦେଶକ ଭଗବାନ ସାହୁଙ୍କ ହାତରେ କୁହୁକ ଛଡ଼ିଟେ ଅବଶ୍ୟ ଥିଲା । ଥିଲା ଏକ ନାଟକୀୟ ସମ୍ମୋହନର ଚାବିକାଠି, ଯାହାର ଆବେଶରେ ରାଜହଂସ ପରି ପୁରୁଷ କଳାକାରଟେ ପୁରୁଷ ସତ୍ତାକୁ କିଛି ସମୟ ସଂପୂର୍ଣ୍ଣ ନିର୍ବାସିତ କରି ନିଜ ନାରୀ ସତ୍ତାରେ ନିଜକୁ ସଂପୂର୍ଣ୍ଣ ବିଲୀନ କରିଦେଉଥିଲା । ୟା ପରେ ମଞ୍ଚ ଉପରେ ଚଳପ୍ରଚଳ ହେଉଥିଲେ କେବଳ ପୁରୁଷ ଓ ନାରୀ; ସତେ ଯେପରି ଅଭିନେତା ନ ଥିଲେ କେହି । ପରକାୟା ପ୍ରବେଶର ଏ ବିଦ୍ୟାରେ ନିର୍ଦ୍ଦେଶକ ଯେତେ ମାହିର ହେବ, ସେତିକି ସୃଜନଶୀଳ ହେବେ ତା କଳାକାର । ଶୁଣିଛି, ବରଗଡ଼ ଜିଲ୍ଲା ମନାପଡା ଗାଁର ନାଟକ ” ଜରତା ବେଶ୍ୟା ” ଅଭୂତପୂର୍ବ ଲୋକପ୍ରିୟତା ଲାଭ କରିଥିଲା, । ଏହାର କାରଣ ଥିଲା ନାଟ୍ୟ ନିର୍ଦ୍ଦେଶକ ରାଜେନ୍ଦ୍ର ସାହୁ ନିଜେ ଜରତା ଭୂମିକାରେ ଅଭିନୟ କରୁଥିଲେ। ଅଭିନୟରୁ ନିର୍ଦ୍ଦେଶନାକୁ ଆସିବାପରେ ଭଗବାନ ସାହୁ ନିଜେ ଆଉ ଅଭିନୟ କରି ନଥିଲେ ।ତାଙ୍କ ନିପୁଣ ନିର୍ଦ୍ଦେଶନା କିନ୍ତୁ ବାରି ହୋଇଯାଉଥିଲା ନାଟକର ପ୍ରତ୍ୟେକ ବିନ୍ଦୁରେ। ନୃତ୍ୟ, ଗୀତ, ବାଦ୍ୟ, ସଂଳାପ, ପୃଷ୍ଠପଟ ସବୁଥିରେ ଭିନ୍ନତାର ବାସ୍ନା । ମଞ୍ଚରେ କୃଷ୍ଣ – ସତ୍ୟଭାମାଙ୍କ ଚଟୁଳ ଦାମ୍ପତ୍ୟ କଥୋପକଥନ ସହ କୁତ୍ରିମ ରାଗ ଓ ହାସ୍ୟ ପରିହାସରେ ସତ୍ୟଭାମା ରୂପରେ ପ୍ରଦୀପ, ସୁଭଦ୍ରା ସତ୍ୟଭାମାଙ୍କ ପରିହାସ ଭରା ନଣନ୍ଦ ଭାଉଜ ବାର୍ତ୍ତାଳାପରେ ସୁଭଦ୍ରାବେଶୀ ଫାଲଗୁନୀ, ବୀର ସୁରେନ୍ଦ୍ର ସାଏ ନାଟକରେ କାଞ୍ଚନରୂପୀ ଫାଲଗୁନୀଙ୍କ ପ୍ରେମାଳାପ, ସୁରେନ୍ଦ୍ର ପତ୍ନୀ ସୁନା ଭୂମିକାରେ ଘନ ପ୍ରଧାନଙ୍କ ବାତ୍ସଲ୍ୟ, ଏସବୁ ସହ ପଶ୍ଚିମା ନାରୀର ମହୁଲ ବେଁଟାରୁ କାଠ ଫାଳିଆରେ ଇଂରେଜ ସୈନ୍ୟସହ ଲଢ଼େଇ ଖୁବ ସ୍ଵାଭାବିକ ଆଉ ପ୍ରାଣବନ୍ତ ଲାଗୁ ଥିଲା। ପଶ୍ଚିମାଞ୍ଚଳବାସୀଙ୍କ ଓଡ଼ିଆ ଉଚ୍ଚାରଣ, ବିଶେଷତଃ ଲ ଓ ଳ ଭେଦ ସାଧାରଣତଃ ସହଜେ ଧରାପଡ଼ିଯାଏ । ଅଥଚ, ଚାଳିଶବର୍ଷ ପୂର୍ବରୁ ଭଗବାନ ପାର୍ଟି ଅଭିନେତାମାନଙ୍କ ଉଭୟ ସମ୍ବଲପୁରୀ ଓ ଓଡ଼ିଆ ସଂଳାପ ଉଚ୍ଚାରଣ ଶୈଳୀ ଏତେ ପରିଛନ୍ନ ଥିଲା ଯେ ଏବେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ, କେତେ ଶ୍ରମ, ସ୍ଵେଦ, ପ୍ରେମ ତ୍ୟାଗ ଆଉ ଦକ୍ଷତା ଥିଲା ସେ ନିର୍ଦ୍ଦେଶନାରେ । ଶବ୍ଦନୃତ୍ୟ, ଡଁଡ, ଡୁଏଟ, ସମ୍ବଲପୁରୀ, ଦଶାବତାର ନୃତ୍ୟ ଏ ସବୁର ସମାହାରରେ ଭଗବାନ ନାଟ୍ୟ ରଜନୀ ସବୁ ଆଜିବି ଅବିସ୍ମରଣୀୟ।
କେବଳ ନାଟକ ଯୋଗୁଁ ନୁହେଁ, ଜଣେ ନିରହଙ୍କାର,ଆଟୋପହୀନ ମେଳାପୀ ମଣିଷ ଭାବରେ ଭଗବାନ ସାହୁ ଅଗଣିତ ମଣିଷଙ୍କ ପ୍ରିୟପାତ୍ର ଥିଲେ । ସମସାମୟିକ ପଶ୍ଚିମ ଓଡ଼ିଶାର ଅଧିକାଂଶ ମଣିଷ ତାଙ୍କ ପ୍ରତ୍ୟକ୍ଷ ଅବା ପରୋକ୍ଷ ସଂସ୍ପର୍ଶରେ ଆସିଥିଲେ । ଜୀବନକାଳରେ ନିରବଛିନ୍ନ ୫୦ ବର୍ଷ ଧରି ଏକ ନାଟ୍ୟସଂସ୍ଥାର ପରିଚାଳନା ଓ ଚୌହାନ ବୀର ସୁରେନ୍ଦ୍ର ସାଏ ନାଟକର ରେକର୍ଡ ସଂଖ୍ୟକ ୫୦୦୦ ଥର ପରିବେଷଣ ଏକ ବିରଳତମ କୃତିତ୍ଵ ନିଶ୍ଚୟ। ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ୍ଲ ତ୍ରିପାଠୀ କହନ୍ତି ” ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି ଓ କଳା କହିଲେ ମୁଁ କେବଳ ଭଗବାନ ସାହୁଙ୍କୁ ବୁଝେ । “ପ୍ରଫୁଲ୍ଲ ତ୍ରିପାଠୀଙ୍କ ଏ ମନ୍ତବ୍ୟ କୌଣସି ଅତିଶୟୋକ୍ତି ନୁହେଁ । ପଶ୍ଚିମାଞ୍ଚଳର ଇତିହାସ, ଚଳଣିକୁ ଭଗବାନ ସାହୁ ନିରପେକ୍ଷ ଭାବେ ପରଖିଥିଲେ ଯାହା ଆରୋପିତ ବା ପୂର୍ବାଗ୍ରହଗ୍ରସ୍ତ ନ ଥିଲା।
ଘଟଣାକ୍ରମେ, ବରପାଲିରେ ଜଣେ ବନ୍ଧୁ ଭଗବାନ ସାହୁଙ୍କ ଚୌହାନ ବୀର ସୁରେନ୍ଦ୍ର ସାଏ ନାଟକର ଏକ ଦୃଶ୍ୟକୁ ନେଇ ନିଜ ସଂଶୟ ପ୍ରକାଶ କରୁଥାନ୍ତି । ନାଟକର ଏକ ଦୃଶ୍ୟରେ ଝିଅ ନିଜ ବିବାହକୁ ନେଇ ବାପ ସହିତ ନିଜର ଅସମ୍ମତି ପ୍ରକାଶ କରୁଥାଏ। ତା’ପାଇଁ ଠିକ ହୋଇଥିବା ବରପାତ୍ରକୁ ବିବାହ କରିବା ପାଇଁ ସେ ଆଦୌ ପ୍ରସ୍ତୁତ ନୁହେଁ । ” ଦର୍ଶକଙ୍କ ଯୁକ୍ତି ହେଲା ” ଆମ ସମାଜରେ ଝିଅମାନେ ବିବାହ ଭଳି ପ୍ରସଙ୍ଗରେ ବାପା ସହିତ କଥାବାର୍ତ୍ତା କରିବା ପାଇଁ ସଙ୍କୋଚ କରି ଏକାନ୍ତରେ ନିଜ ମାଁ ସହିତ କଥାବାର୍ତ୍ତା କରନ୍ତି । ଅନୁଭୂତି ସମ୍ପନ୍ନ ନାଟ୍ୟକାର ହୋଇ ସୁଦ୍ଧା ଭଗବାନ ବାବୁ ଏହାର ବ୍ୟତିକ୍ରମ କଲେ କେମିତି ? ସଙ୍ଗେ ସଙ୍ଗେ ଭଗବାନବାବୁ ନିଜ ନାଟକୀୟ ଶୈଳୀରେ ବୁଝେଇ କହିଲେ, ” ସେ ଆଦିବାସୀ ଝିଅ., ଝାର, ଜଙ୍ଗଲରେ ନିର୍ଭୟରେ ବୁଲେ। ଲାଜ ,ଶଙ୍କୋଚ, ଭୟ କଣ ଜାଣେଁ ନାଇଁ । ତା ଆଖିରେ ମାଁ ବାପା ଦୁହେଁ ସମାନ । ” ଟିକିଏ ନିରବ ରହି ପୁଣି କହିଲେ “ଜାତି ଅନୁସାରେ ତ ପୁଣି ଆମ ଭିତରୁ କିଏ ମହୁଲ ପତ୍ରରେ ତ କିଏ କୁରେଇ ପତ୍ରରେ ନୂଆଁ ଖାଉଁ, ଠିକ ସେମିତି ଝିଅମାନଙ୍କ ସ୍ବଭାବ ବି ଭିନ୍ନ ଭିନ୍ନ ଥାଏ ଘରର ଚଳଣି ଅନୁସାରେ । ପ୍ରତ୍ୟେକ ଝିଅର ସେ ସ୍ଵାଧୀନତା ରହିବା ଉଚିତ। ”
ଅଭିନେତ୍ରୀ ଅଭାବରୁ ପୁରୁଷକୁ ନାରୀ ଭୂମିକା ଦେବା ସିନା ଭଗବାନ ସାହୁଙ୍କ ବାଧ୍ୟବାଧକତା ଥିଲା କିନ୍ତୁ ସେଇ ଅଭିନେତାମାନଙ୍କ ଚେହେରା ଓ ଚଳଣିକୁ ଆଶ୍ଚର୍ଯ୍ୟଜନକ ଭାବେ ନାରୀ ସୁଲଭ କରି ସେମାନଙ୍କ ମାଧ୍ୟମରେ ସମାଜକୁ ନାରୀ ମୁକ୍ତିର ବାର୍ତ୍ତା ଦେବା ନାଟ୍ୟକାର ଭଗବାନ ସାହୁଙ୍କ ପକ୍ଷରେ ହିଁ ସମ୍ଭବ ।
