ଖାଦ୍ୟ: ଆମ ସଂସ୍କୃତିର ପରିଚୟ

ଆସନ୍ତୁ ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ଜାଣିବା, ବୁଝିବା ଓ ଏହାକୁ ସୁରକ୍ଷିତ କରିବା ଦିଗରେ ପ୍ରୟାସ ଆରମ୍ଭ କରିବା

Swayamprava Parhi (Chief Editor)
41 Views
18 Min Read

ପାଇକମାଳ ସ୍ଥିତ ବିନ୍ଧ୍ୟବାସିନୀ କଲେଜର +୨ ବିଜ୍ଞାନ ଛାତ୍ରୀ ସଙ୍ଗୀତା ମହାନନ୍ଦ । ତାଙ୍କର ଲକ୍ଷ୍ୟ ଯେ, ସେ ନିଜ ଗାଁ’ ପରଶଖଣ୍ଡିର ଅତୀତର ସଂସ୍କୃତି ଓ ଖାଦ୍ୟକୁ ବଞ୍ଚେଇବେ ୨୦୨୩ ମସିହାରେ ସେ ନିଜ ଗାଁ ଇତିହାସ ଉପରେ ଗବେଷଣା ଆରମ୍ଭ କରିଥିଲେ ଆଜିଯାଏ ସେ ସେହି କାମ ଜାରି ରଖିଛନ୍ତି ତାଙ୍କ ଗାଁ’ରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି, ଯେପରି; କଳଙ୍ଗା, କଲାର, ଗୌଡ଼, ତେଲି, ଲୁହୁରା ଓ ଅନୁସୂଚିତ ଜାତି ଇତ୍ୟାଦି । ଗାଁ’ର ଅଧିକ ଲୋକ କଳଙ୍ଗା ଅଟନ୍ତି । କଳଙ୍ଗା ଜାତିର ଭାଷା ଲରିଆ । ସେ ନିଜ ଗାଁ’ର ଖାଦ୍ୟ ସଂସ୍କୃତି ସମ୍ପର୍କରେ ଗବେଷଣା କରି ଲେଖିଛନ୍ତି ଯେ, “ଆମ ଗାଁ ପରଶଖଣ୍ଡି ଏକ ଜଙ୍ଗଲିଆ ଅଞ୍ଚଳ ଅଟେ । ଗାଁ’ର ସବୁଆଡେ ଜଙ୍ଗଲ ଦେଖାଯାଏ । ଗାଁ’ର ବୟସ୍କ ବିଦ୍ୟାଧର ବିଛିଙ୍କ ବୟସ ୭୨ ଓ ଯଦୁମଣି ଡନସନାଙ୍କ ବୟସ ୭୫ । ସେମାନେ ତାଙ୍କର ପୂର୍ବର ଖାଦ୍ୟକୁ ମନେପକାଇ କୁହନ୍ତି ଯେ, ଆମ ଗାଁ ପାଖ ଜଙ୍ଗଲରୁ ମିଳୁଥିବା କେନ୍ଦୁ , କୁର୍ଲୁ ,କେନ୍ଦୁଭାତ , ତୁଲୁ , କନ୍ଦା , ମାଇକନ୍ଦା , ଫୁଲକନ୍ଦା, ଡ଼ାଙ୍ଗକନ୍ଦା ଓ ବିଭିନ୍ନ ପ୍ରକାର ଜଙ୍ଗଲି ଶାଗ , ଗୁଂଜି , ମାଣ୍ଡିଆ, କେନାଭାଜୀ, ଶିଲେରସାଗ, ଟୋଲଛାଲି , କୁନ୍ଦ୍ରୁକନ୍ଦା ( ଝାର କୁନ୍ଦ୍ରୁ ), ଲିମ୍ ଫୁଲ , ଘୁଲି , କୁଲେରଭାଜି, ରକ୍ସି, ମେକା, ମହୁଲକୁ ଭାଜି ଓ ସିଜେଇ ଆମ ଅଞ୍ଚଳର ଲୋକମାନେ ଅତୀତରେ ଖାଉଥିଲେ । କଙ୍କଡା, ମାଛ , ମାଂସ , ଚିଙ୍ଗୁଡ଼ି ବି ଖାଉଥିଲେ । ତାଙ୍କ ଜେଜେ ମା’ ‘ବାସନ୍ତା ମହାନନ୍ଦପୂର୍ବର ମାଣ୍ଡିଆ ପିଠା, ରକ୍ସି – ଚାର ମଞ୍ଜିର ଖଜା, ଓ ମହୁଲ ପୁଟକାକୁ ମନେପକାଇ କହିଛନ୍ତି ଯେ, ଥରେ ଯିଏ ମହୁଲ ପୁଟକା ଖାଇଲା ଅନ୍ୟସବୁ ମିଠା ଭୁଲିଯିବ ସଙ୍ଗୀତା ଦୁଃଖ କରି ଲେଖିଛନ୍ତି ଯେ, “ଆମ ଗାଁ’ର ଲୋକମାନେ ଏବେ ଅଧିକ ତେଲ ଓ ମସଲା ଥିବା ଖାଦ୍ୟ ଖାଉଛନ୍ତି | ଜାଣୁଛନ୍ତି ଏହା ଆମ ସ୍ଵାସ୍ଥ ପାଇଁ ହିତକାରକ ନୁହେଁ ତଥାପି ବଜାରର ଫାଷ୍ଟଫୁଡ ଖାଇ ସମସ୍ତେ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆମ  ପୂର୍ବ ପିଢ଼ିର ଲୋକମାନେ ପୁଷ୍ଟିଶସ୍ୟ ଖାଦ୍ୟ ଖାଇ ବହୁତ ଦିନ ଯାଏ ବଞ୍ଚୁଥିଲେ  କିନ୍ତୁ ବର୍ତ୍ତମାନର ଲୋକ ପୁଷ୍ଟିଶସ୍ୟ ଖାଦ୍ୟ କମ ଖାଉଛନ୍ତି ଓ କମ ବୟସରେ ରୋଗରେ ପୀଡିତ ହେଉଛନ୍ତି ୬୦ ବର୍ଷ ପୂର୍ବରୁ ଅନେକ ମୃତ୍ୟୁ ବରଣ କରୁଛନ୍ତି” ।ଏଠାରେ ଯେଉଁ ପରଶଖଣ୍ଡି ଗାଁ ବିଷୟରେ କୁହାଯାଇଛି, ତାହା ଇତିହାସର କୌଣସି ଗପ ନୁହଁ, ଆମ ଓଡ଼ିଶାର ପାଇକମାଳର ପାହାଡ଼, ଜଙ୍ଗଲଭରା ଅଞ୍ଚଳର ଖାଦ୍ୟ ସଂସ୍କୃତିର ଏକ ଜୀବନ୍ତ ଇତିହାସ । ପାଇକମାଳ ଅଞ୍ଚଳର ଖାଦ୍ୟ କେମିତି ସେମାନଙ୍କର ସାଂସ୍କୃତିକ ପରିଚୟ ସୃଷ୍ଟି କରିଥିଲା ସେଥିରୁ ସ୍ପଷ୍ଟ ହେଉଛି ।

ଖାଦ୍ୟ ସଂସ୍କୃତି ଉପରେ ଚର୍ଚ୍ଚା କରିବା ସମୟରେ ଭଦ୍ରକ ଜିଲ୍ଲା ପରି ନଦୀକୂଳିଆ ସମତଳ ଅଞ୍ଚଳଠାରୁ ଆରମ୍ଭ କରି ବାଲେଶ୍ଵର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କୋରାପୁଟ, ମୟୂରଭଞ୍ଜ, ବରଗଡ଼ ବିଶେଷକରି ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ପାଇକମାଳ ଅଞ୍ଚଳର ଗାଁ ଗୁଡ଼ିକ ପର୍ଯ୍ୟନ୍ତ, ଯେଉଁ ଅନୁଭୂତି ସବୁ ସଂଗ୍ରହ କରିଛି, ସେଥିରୁ ମୁଁ ବୁଝିଛି ଯେ, ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳର ଖାଦ୍ୟର ସ୍ଵାତନ୍ତ୍ର୍ୟତା ରହିଛି । ଖାଦ୍ୟ ସହିତ ଯୋଡ଼ିହୋଇ ସେହି ଅଞ୍ଚଳର ନିଜସ୍ୱ ସଂସ୍କୃତି ମଧ୍ୟ ଗଢି ଉଠିଛି । ଏହି ବିବିଧତା କେବଳ ସେହି ଅଞ୍ଚଳର ଭୌଗୋଳିକ ପରିଚୟ ନୁହେଁ, ବରଂ ସେହି ଅଞ୍ଚଳର ସାଂସ୍କୃତିକ ଐତିହ୍ୟକୁ ପ୍ରକାଶ କରୁଛି।

ଆମ ଗାଁ’ ନୂଆଶାସନର ଖାଦ୍ୟ ବିଷୟରେ ଜାଣିବା । ଭଦ୍ରକ ଜିଲ୍ଲାର ଗୁଆମାଳ ଆଠ ଶାସନ ଚାରି ଫସଲୀ ଅଞ୍ଚଳ, ଯେଉଁଠି ବର୍ଷକ ବାରମାସ ଚାଷବାସ ହୁଏ । ପ୍ରତ୍ୟେକ ଋତୁରେ ଆମ ଖାଦ୍ୟ ଥାଳିରେ ନୂଆ ନୂଆ ଖାଦ୍ୟ ଥାଏ । ବାପା କହୁଥିଲେ ଆମ ଅଞ୍ଚଳ ଚାରି ଫସଲୀ ହୋଇଥିବାରୁ ବ୍ରିଟିଶ ସରକାର ଅନ୍ୟ ସବୁ ଅଞ୍ଚଳରୁ ବର୍ଷରେ ଥରେ କର ଅଦାୟ କରୁଥିବା ବେଳେ, ଆମ ଅଞ୍ଚଳ ଉପରେ ବର୍ଷରେ ଦୁଇଥର କର ବସଉଥିଲେ । ପିଲାଦିନେ ଖାଦ୍ୟ ଥାଳିରେ ଲୋକେ ସାତ ତିଅଣ ନଅ ଭଜା ଖାଇବାର ମୁଁ ଦେଖିଛି। ବଡ଼ କଂସା ଥାଳିରେ ଛୋଟ ଛୋଟ ଉସୁନା ଚାଉଳର ଭାତ, ତା’ ଉପରେ ଗୋଟିଏ-ଦୁଇ ଚାମୁଚ ଗରମ ଗରମ ସଜ ଗୁଆ ଘିଅ, ବିଭିନ୍ନ ପନିପାରିବା (କଞ୍ଚା କଦଳୀ, ଖମ୍ବ ଆଳୁ, ବାଇଗଣ, ଝୁଡୁଙ୍ଗ) ମିଶା ମଖା ତରକାରୀ, ଆଳୁ ଭର୍ତ୍ତା, ବଡ଼ି ଚୂରା, ଲେଉଟିଆ, କୋଶଳା, ସଜନା, ଖଡା, କଖାରୁ, ପୋଇ, ବଥୁଆ, ପିତା ଶାଗ, ମଦରଙ୍ଗା ଓ ମୁଠି ଶାଗ ଭଳି ଋତୁଭିତ୍ତିକ କୌଣସି ଗୋଟିଏ ଶାଗ । ଏହା ସହିତ ଋତୁ ଅନୁଯାଇ ଭଳିକି ଭଳି ତରକାରୀ । ଯେମିତି ଖରା ଦିନେ ପୋଟଳ, ଭେଣ୍ଡି, ଜନ୍ହି, କାକୁଡ଼ି, ଫୁଟି କାକୁଡ଼ି, ଚଲଣା, କଲରା, ବୋଇତାଳୁ, ବୋଇତାଳୁର ଫୁଲ, କଢି… ଋତୁ ଅନୁଯାଇ ଆଖି ପାଉନଥିବା ପରିବା । ସେଥିପାଇଁ ଥାଳି ଚାରିପଟେ ଗୋଟା ଭଜା, ବିଭିନ୍ନ ପରିବା ମିଶା ଭଜା, ପୋଟଳ କଷା, ଶାଗ, ବିଭିନ୍ନ ତରକାରୀ । ନଦେଖିବା ଲୋକ ବିଶ୍ଵାସ କରିବା କଷ୍ଟ ।  ଏହା ସାଙ୍ଗକୁ ବାର ଅନୁସାରେ ମାଛ/ ମାଂସ / ଅଣ୍ଡା ତରକାରୀ । ମାଛ କଥା ନକହିଲେ ଭଲ । ସବୁଦିନେ କିଛି ନା କିଛି ମାଛ ସକାଳୁ ସକାଳୁ ଗାଁ’କୁ ବିକ୍ରି ଆସେ । ଅବାରିଆ (ସୋମବାର କି ଗୁରୁବାର) ହୋଇଥିଲେ ମୋ ବଉ ବାପାଙ୍କ ଉପରେ ଖୁବ ଜୋର ପାଟି କରେ । ବାପା ଚିରାଚରିତ ଢଙ୍ଗରେ ଟିକେ ହସି ଦେଇ ମାଛ ଧରି ବାଡ଼ିଆଡ଼କୁ ଚାଲିଯାଆନ୍ତି । ବାପା, ବଉ ଦୁଇଜଣ ମାଷ୍ଟରିଆ ଲୋକ । ସକଳ ୯ଟା ଭିତରେ ଭାତ ଖାଇ ସ୍କୁଲ ବାହାରିବେ । ସେଥିରେ ମାଛ ଥାଳିରେ ପଡ଼ିଲେ ଭାତ ଉଠିବ । ଏହି କଥାଟି  ମୁଁ କହୁଛି ୧୯୮୦ – ୯୦ ମସିହାର କଥା । ସେତେବେଳକୁ ସବୁଜ ବିପ୍ଲବ ଆମ ଅଞ୍ଚଳକୁ ମାଡ଼ି ଆସୁଥାଏ । ତଥାପି ପନିପରିବା, ଡାଲି, ତୈଳବୀଜ ଜାତୀୟ ଫସଲ ବହୁତ ପରିମାଣରେ ଲୋକେ ଚାଷ କରୁଥିଲେ । ଲୋକେ ଚାଷ କରୁଥିଲେ, ସେଥିପାଇଁ ଖାଉଥିଲେ । ସେତେବେଳେ ଲୋକେ ପର୍ବପର୍ବାଣି ଧୁମଧାମରେ ପାଳନ କରୁଥିଲେ । ପ୍ରତ୍ୟେକ ପର୍ବରେ ପିଠାପଣା, କ୍ଷୀରୀ, ଖେଚୁଡି ଓ ତରକାରୀ ନିଶ୍ଚେ ହେବ । କହିବାକୁ ଗଲେ, ଯଦି ଜଣେ ବାହାର ଲୋକ ଆମ ଗାଁ’ର ନଇ, ନାଳ, ବିଲବାଡି, ଆମ୍ବ ତୋଟା , ଗଢିଆ, ପୋଖରୀ, ନଡିଆ ଗଛ କିଛି ଦେଖିନାହିଁ, ସେ ଯଦି କେବଳ ଖାଇବା ଥାଳି ପାଖରେ ବସିଲା, ସେ ସଂପୂର୍ଣ୍ଣ ଅବଗତ ହୋଇଯିବ ଆମ ଅଞ୍ଚଳର ଖାଦ୍ୟ ସଂସ୍କୃତି ବିଷୟରେ । ଗରିବ ପରିବାରମାନଙ୍କୁ ଛାଡିଲେ ଆମ ଅଞ୍ଚଳର ଜମିବାଡ଼ି ଥିବା ଲୋକଙ୍କର ଖାଦ୍ୟ ପାଖାପାଖି ଏମିତି ଥିଲା । ଏଠାରେ ଯେଉଁ ଖାଦ୍ୟ ଥାଳିର ବର୍ଣ୍ଣନା କରାଯାଇଛି ତାହା କେବଳ ଖାଦ୍ୟର ପ୍ରକାର ପ୍ରକାର ଭେଦକୁ ସୂଚାଏ ନାହିଁ ବରଂ ଓଡ଼ିଶାର ଗୋଟିଏ ଅଞ୍ଚଳର ସମୃଦ୍ଧ କୃଷି ସଂସ୍କୃତି ଓ ଖାଦ୍ୟ ସଂସ୍କୃତିର ଆଭାସ ଦେଇଥାଏ । ଆଜିର ସମୟରେ ଯେତେବେଳେ ଚାଷ ବୋଲି କହିବା ଖାଲି ଧାନ-ଧାନ-ଧାନ । ଆମ ପିଲାଦିନର ବର୍ଷକ ବାରମାସୀ ସବୁଜିଆ ବିଲ ଆଉ ନାହିଁ।

Samadhwani Support us

ପାଇକମାଳ ହେଉ କି ଭଦ୍ରକ, ସବୁଠି ବୟସ୍କ ଲୋକମାନେ ଦୁଃଖ କରି କୁହନ୍ତି ଯେ, “ଆଜିକାଲି ଲୋକେ ମୁହଁକୁ ଯାହା ସ୍ୱାଦ ଲାଗୁଛି ତାହା ଖାଉଛନ୍ତି। ପୁଷ୍ଟିକର  ହେଉ କି ନ ହେଉ । ସମସ୍ତେ ଫାଷ୍ଟ ଫୁଡ଼ ଖାଉଛନ୍ତି । ମ୍ୟାଗି, କୁରକୁରେ , ଚକଲେଟ , ବିସ୍କୁଟ ଇତ୍ୟାଦି ସବୁ ଶିଶୁ ଖାଉଛନ୍ତି  । ମା’ମାନେ ମନା କରିବା ବଦଳରେ ନିଜେ ଖୁଆଉଛନ୍ତି ଓ ଖାଉଛନ୍ତି” । ଓଡ଼ିଶାର ପାହାଡ଼, ଜଙ୍ଗଲ ଅଞ୍ଚଳ ହେଉ କି ସମତଳ ଅଞ୍ଚଳ, କେମିତି ଆମ ପରିବେଶ, ଚାଷବାସ ଏତେ ବଦଳିଗଲା ଓ କେତେବେଳେ ଆମେ ବଜାର ଉପରେ ସମ୍ପୂର୍ଣ ନିର୍ଭରଶୀଳ ହୋଇଗଲୁ ସମୀକ୍ଷା କରିବାକୁ କାହାର ସମୟ ନାହିଁ । ସବୁ ଗାଁ’ରେ ଆଜିକାଲି ଜନ୍ମଦିନ ପାଳନ, ଭୋଜିଭାତ, ନାମ ଯଜ୍ଞ, ହନୁମାନ ପୂଜା, କଳସ ଯାତ୍ରା ବହୁତ ବଢିଯାଇଛି । ଯଦି ଆମେ ନିରିଖେଇ ଦେଖିବା ବଜାରରେ ପ୍ୟାକେଟ୍ ଖାଦ୍ୟ ସବୁ ଜାଗାରେ ସମାନ ଭାବରେ ପହଞ୍ଚିବା ପରି ଧର୍ମାନୁଷ୍ଠାନ ବି ସବୁ ଗାଁ ଓ ସବୁ ସହରରେ ଗୋଟିଏ ଧାରାରେ ଚାଲିଛି । କିଛି ଅଦୃଶ୍ୟ ଶକ୍ତି ଏହି ସବୁର ନିୟନ୍ତା ମନେହେଉଛନ୍ତି କିନ୍ତୁ ସ୍ପଷ୍ଟ ଭାବରେ କିଛି ବୁଝି ହେଉନାହିଁ । ଆମ ସଂସ୍କୃତିର ବିବିଧତା, ପର୍ବପର୍ବାଣିରେ ଖାଦ୍ୟରେ ବିବିଧତା ସବୁ ଯେମିତି ଆମେ ଭୁଲିଯାଇଛନ୍ତି । ଅତୀତର ଗାଁ’ର ପରିବେଶ, ଚାଷବାସ, ନାଟ ତାମସା, ଖେଳକୁଦ, ପୁରୁଣା ଖାଦ୍ୟ ଓ ତାହାର ସ୍ଵାଦ, ସେତେବେଳର ସାମାଜିକ ସମ୍ପର୍କ ସବୁକିଛି ବଦଳି ଯାଇଛି । ଏହି ପରିବର୍ତ୍ତନକୁ ବୁଝିବା କଠିନ ମନେହେଉଛି ।

ସମଧ୍ଵନିରେ ଆମେ ବିଶିଷ୍ଟ ଦେଶୀଚାଷୀ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀଙ୍କର ଉପକୂଳ ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ନେଇ ଅନେକ ସମୀକ୍ଷା ପ୍ରକାଶ କରିଛୁ । ଏଥର ମଧ୍ୟ ତାଙ୍କର “ହାଲୋଇ ସମ୍ରାଟ ଅମାଲୁ” ଲେଖା ପ୍ରକାଶ ପାଇଛି । ଏହି ଲେଖାରେ ସେ ପୁରୀ ଜିଲ୍ଲାର ଏକ ଅମୂଲ୍ୟ ଖାଦ୍ୟ “ଅମାଲୁ” ସମ୍ପର୍କରେ ଆଲୋଚନା କରିଛନ୍ତି । ଏବେ ୯୩ ବର୍ଷରେ ବି ନଟ ସାର୍ ପିଲାଦିନର ଅମାଲୁକୁ ଆଦୌ ଭୁଲି ନାହାଁନ୍ତି। ତାଙ୍କ ପାଇଁ ଅମାଲୁ କେବଳ ଏକ ପାରମ୍ପରିକ ମିଠା ନୁହେଁ, ଏହା ୧୯୪୦-୫୦ ମସିହାର ନିଆଳିର ଗାଁ’ମାନଙ୍କର ଖାଦ୍ୟ ସଂସ୍କୃତି, ଉତ୍ସବମୁଖର ଗ୍ରାମ୍ୟ ଜୀବନ, ଖାଦ୍ୟ ସହ ଜଡ଼ିତ ଆଞ୍ଚଳିକ ଜ୍ଞାନ କୌଶଳ, ଏଭଳି ଅନେକ ଗୁଡ଼ିଏ ବିଷୟର ଏକ ସାଂସ୍କୃତିକ ଦଲିଲ୍, ଯାହା ଆଜି ଆସ୍ତେ ଆସ୍ତେ ହଜିଯାଇଛି। ନଟବର ଷଡ଼ଙ୍ଗୀ ଯେଉଁ ସମୟର କଥା ଲେଖିଛନ୍ତି ସେତେବେଳେ ଗାଁ ଭିତରେ ଚିନି, ଆଳୁ ଆଦି ଖାଦ୍ୟ ପଶି ନଥିଲା । ଯେତେବେଳେ ସେ ‘ହାଲୋଇ’ ଶବ୍ଦଟି ବ୍ୟବହାର କରୁଛନ୍ତି, ସେତେବେଳେ ସେ କେବଳ ଗୋଟିଏ ଶବ୍ଦର ଉତ୍ପତ୍ତି ବୁଝାଉ ନାହାଁନ୍ତି, ବରଂ ଏକ ସମ୍ପୂର୍ଣ୍ଣ ଖାଦ୍ୟ ସଂସ୍କୃତିର କାହାଣୀ କହୁଛନ୍ତି। ସେହି ସମୟର ହାଟ ବଜାରରେ ଖୁସି କୋରା, ଗୁଲୁଗୁଲା, ଆରିସା ପିଠା, କାକରା, ମିଠାଇ ଥିଲା ଯେଉଁଗୁଡ଼ିକ ଗୁଡ଼ ଓ ନାଲି ଚିନିରେ ତିଆରି ହେଉଥିଲା। ସେ ଯେତେବେଳେ ପ୍ରଥମ ଥର ପାଇଁ ରସଗୋଲା ଦେଖିଲେ, ସେତେବେଳେ “ହାଲୋଇ” ଦୋକାନ “ମିଠା ଦୋକାନ”ରେ ପରିଣତ ହେଲା। ଏହା କେବଳ ଏକ ନାମ ପରିବର୍ତ୍ତନ ନୁହେଁ, ଏହା ଏକ ସାଂସ୍କୃତିକ ପରିବର୍ତ୍ତନର ସଙ୍କେତ ବୋଲି ସେ ସୂଚନା ଦେଇଛନ୍ତି । ଅମାଲୁ ତ ଅମାଲୁ ଆମ ଖାଦ୍ୟ ସଂସ୍କୃତି ଓ ପର୍ବପର୍ବାଣି ମାନଙ୍କରେ ହେଉଥିବା ଅନେକ ପୁଷ୍ଟିକର ଖାଦ୍ୟ ଏବେ ହଜିଯିବାକୁ ବସିଛି ।

ଏହି ଯେଉଁ ସାଂସ୍କୃତିକ ପରିବର୍ତ୍ତନ ଆସିଛି ଏହି ବିଷୟରେ ଏକ ଗଭୀର ଅନୁଶୀଳନର ଆବଶ୍ୟକତା ରହିଛି ବୋଲି ମନେହୁଏ। ପୁରୁଣା ସଂସ୍କୃତି ବା ଖାଦ୍ୟ ହଜିଯାଇ ନୂଆ ସଂସ୍କୃତି ବା ଖାଦ୍ୟକୁ ଲୋକେ ଆଦରି ନେବା କଥା ବାରମ୍ବାର ଆମେ ଆଲୋଚନା କରୁଛନ୍ତି । ସେହି ପ୍ରକ୍ରିୟାଟି କିନ୍ତୁ ଆଜି ବା ଗତ କାଲି ଆରମ୍ଭ ହୋଇନାହିଁ । ଗୋଟିଏ ସଂସ୍କୃତି ଅନ୍ୟ ସଂସ୍କୃତି ସଂସ୍ପର୍ଶରେ ଆସିଲେ ଏଭଳି ପରିବର୍ତ୍ତନ ସବୁବେଳେ ହୋଇଥାଏ । ଇତିହାସକୁ ଯଦି ଆମେ ଲେଉଟାଇବା ତେବେ ଆମର ନିଜର ପାରମ୍ପରିକ ଖାଦ୍ୟ ଯାହା ହଜାରେ ଦୁଇହାଜର କିମ୍ବା ତିନି ହଜାର ବର୍ଷ ତଳେ ରହିଥିଲା ତାହା ହାତ ଗଣତି କେତୋଟି ଖାଦ୍ୟ ଭିତରେ ସୀମାବଦ୍ଧ ଥିଲା । ଆମେ ବିଭିନ୍ନ ସମୟରେ ବିଭିନ୍ନ ସଂସ୍କୃତି ସହିତ ଆଦାନ ପ୍ରଦାନ କରିବା ପ୍ରକ୍ରିୟାରେ ଆମ ସଂସ୍କୃତିରେ ଅନେକ ନୂଆ କଥା ଯୋଡି ହୋଇଛି । ଏହି ଆଦାନ ପ୍ରଦାନ ଦ୍ଵାରା ଅନେକ ନୂଆ ନୂଆ ପନିପରିବା, ଖାଦ୍ୟ ଆମେ ଖାଇବା ସମ୍ଭବ ହୋଇଛି । ରାଜା ମହାରାଜାମାନେ ଯେତେବେଳେ ଅନ୍ୟ ଦେଶ ସହିତ ସମ୍ପର୍କ ସ୍ଥାପନ କରୁଥିଲେ ବା ଅନ୍ୟ ଦେଶ ଜୟ କରୁଥିଲେ ସେଠାରୁ ନୂଆ ନୂଆ ଖାଦ୍ୟ, ପୋଷାକ, ଅଳଙ୍କାର ଆମ ଦେଶକୁ ଆଣୁଥିଲେ । ସେମିତି ବିଦେଶର ରାଜାମାନେ ଯେତେବେଳେ ଆମ ଦେଶକୁ ଆକ୍ରମଣ କରିଥିଲେ ସେମାନେ ତାଙ୍କ ସହିତ ତାଙ୍କର ସଂସ୍କୃତି ଓ ଖାଦ୍ୟ ଆମ ଦେଶକୁ ଆଣୁଥିଲେ । ଓଡ଼ିଶାର ନୌବାଣିଜ୍ୟ ବିଷୟରେ ଆମେ ଅନେକ ସମୟରେ ଚର୍ଚ୍ଚା କରନ୍ତି । ସେତେବେଳେ ବାଣିଜ୍ୟ କାରବାର ଏହି ଜିନିଷପତ୍ର କିଣାବିକା ଓ ସାଂସ୍କୃତିକ ଆଦାନ ପ୍ରଦାନ ଦ୍ଵାରା ହିଁ ସମ୍ଭବ ହେଉଥିଲା । ଆମେ ଯେମିତି ଅନ୍ୟ ଦେଶର ପନିପରିବା ଖାଦ୍ୟକୁ ନିଜର କରି ନେଇଥିଲେ, ସେମିତି ଆମର ମସଲା ଜିନିଷ, ଖାଦ୍ୟ, ତାର କଷି କାମ ଓ ତନ୍ତ ଲୁଗାର ଆଦର ଅନ୍ୟ ପଡ଼ୋଶୀ ଦେଶରେ ଥିଲା । କିନ୍ତୁ କେଉଁ ସମୟରେ ବିଭିନ୍ନ ଦେଶ ଓ ସଂସ୍କୃତି ସହିତ ସାଂସ୍କୃତିକ ବିନିମୟ କରିବା ପ୍ରକ୍ରିୟା ସଂପୂର୍ଣ୍ଣ ପରିବର୍ତ୍ତନ ହେଲା, ସେ ବିଷୟଟି ଅତି ଗୁରୁତ୍ତ୍ୱପୂର୍ଣ୍ଣ ।

ଭରତ ବର୍ଷରେ ଔପନିବେଶିକ ଶାସନ ପ୍ରତିଷ୍ଠା ହେବା ପରେ ମାନେ ଇଂରେଜ ସରକାର ଆସିବା ପରେ ତାଙ୍କ ସହିତ ଗୋଟିଏ ବଜାର ବା ବାଣିଜ୍ୟ କାରବାର ସେମାନେ ଭାରତକୁ ନେଇ ଆସିଲେ । ସେତେବେଳେ ଆମେ ସେମାନଙ୍କ ଜିନିଷର କେବଳ କ୍ରେତା ହୋଇଗଲେ । ତାଙ୍କ ନିକଟରୁ କିଣିବା ଆରମ୍ଭ କଲେ । ଆମେ ଏହା ପୂର୍ବରୁ ବିଭିନ୍ନ ଦେଶ ସହିତ ଯେଉଁ ସାଂସ୍କୃତିକ ବିନିମୟ କରୁଥିଲେ ତାହା ଇଂରେଜ ଶାସନରେ ସଂପୂର୍ଣ୍ଣ ଲୋପ ପାଇଗଲା । ଇଂରେଜମାନେ ଆମକୁ ଦାସ କରି ନିଜ ଜିନିଷକୁ ଆମକୁ କେବଳ ବିକ୍ରି କଲେ । ତାଙ୍କ ଜିନିଷର, ଖାଦ୍ୟର ଓ ସଂସ୍କୃତିର ଆମକୁ ଉପଭୋକ୍ତା କରିଦେଲେ । ଏହାକୁ ପରେ ଉପଭୋକ୍ତାବାଦ ବୋଲି ନାମ ଦିଆଗଲା । ଆମେ ସେମାନଙ୍କ ସହିତ ଆଦାନ ପ୍ରଦାନ କରିପାରିଲେ ନାହିଁ । ଇଂରେଜମାନେ ଆସିବା ପରେ ଆମ ସଂସ୍କୃତି ପରିପୁଷ୍ଟ ହେବା ବନ୍ଦ ହୋଇ ଅବକ୍ଷୟ ହେବା ଆରମ୍ଭ ହେଲା । ଇଂରେଜ ଶାସନ ଯିବା ପରେ ସେହି ପ୍ରକ୍ରିୟାଟି କିନ୍ତୁ ଜାରି ରହିଲା । ଏଥର ଇଂରେଜମାନଙ୍କ ସ୍ଥାନ ନେଲା ବଜାର । ବଜାର ନିଜର କାୟା ବିସ୍ତାର କରି ବିଶ୍ଵ ବଜାରରେ ପରିଣତ ହେଲା । ଏହି ବିଶ୍ଵ ବଜାରୀକରଣ ପ୍ରକ୍ରିୟା ବଳବତ୍ତର ହୋଇ ଆମ ସଂସ୍କୃତି ଓ ଆମ ଖାଦ୍ୟ ସଂପୂର୍ଣ୍ଣ ଭାବରେ ବାହାରର ବଜାର ଶକ୍ତିମାନଙ୍କ ନିୟନ୍ତ୍ରଣକୁ ଚାଲିଗଲା। ଏବେ ଏମିତି ସମୟରେ ଆମେ ପହଞ୍ଚିଛନ୍ତି ଯେ, ଆମେ ନିଜର ସ୍ୱାସ୍ଥ୍ୟ ଓ ନିଜର ସଂସ୍କୃତିର ସୁରକ୍ଷା ବିଷୟ ଚିନ୍ତା କରିବା ପାଇଁ ବଜାର ଆମକୁ ଅବସର ବି ଦେଉନାହିଁ । ବଜାର ଯାହା ନିଷ୍ପତ୍ତି ନେଉଛି ଆମେ ତାହା ହିଁ ଖାଉଛନ୍ତି । ଜଣେ ଯୁବ ଗବେଷକ ଆଲୋଚନା ସମୟରେ କହିଛନ୍ତି ଯେ, ବଜାରରେ ଅମାଲୁ ପ୍ରସ୍ତୁତି କୌଶଳ ନିଶ୍ଚୟ ରହିବ ଓ ଆମ ପାରମ୍ପରିକ ପିଠାପଣାର କୌଶଳ ବି ରହିବ, କିନ୍ତୁ ଏହା କେଉଁ ନୂଆ ରୂପ ନେଇ ଆମ ପାଖକୁ ବହୁଗୁଣିତ ମୂଲ୍ୟରେ ପ୍ରତ୍ୟାବର୍ତ୍ତନ କରିବ ତାହା କେବଳ ଆନ୍ତର୍ଜାତୀୟ ବଜାର ହିଁ ନିଷ୍ପତ୍ତି ନେବ । ଏକଥାଟିର ରହସ୍ୟକୁ ଆମେ ବିଶ୍ଵାସ ନକରିପାରିଲେ ବି ଏହା ହିଁ ସତ୍ୟ । ଆଜି ଛୋଟ ଛୋଟ ଦୋକାନରେ ସିଲଡ ଫୁଡ ଯେମିତିକି; ଆଲୁ ଚିପ୍ସ, ମୁଗ ଛଣା, କୁର୍କୁରେ, ପାଣି ପାଉଚ, କଞ୍ଚା ଆମ୍ବ ତେନ୍ତୁଳିର ବହୁଦେଶୀୟ ବ୍ରାଣ୍ଡ ଚକଲେଟ … ଏମିତି ହଜାର ହାଜର ବ୍ରାଣ୍ଡର ଖାଦ୍ୟ ଆମ ଗାଁ ବଜାରକୁ ଆସିଯାଇଛି । ଆମ ଘରର ଖାଦ୍ୟର ଗୁଣବତ୍ତା ଆମେ ଜାଣିଛନ୍ତି, କିନ୍ତୁ ଏହିସବୁ ବ୍ରାଣ୍ଡ ଖାଦ୍ୟର ଗୁଣବତ୍ତା କ’ଣ ରହିଛି ତାହା କମ୍ପାନୀମାନେ ନିଷ୍ପତ୍ତି ନେଉଛନ୍ତି । ଆମେ କେବଳ ଉପଭୋକ୍ତା । ଆମେ ଏହି ଖାଦ୍ୟର ଗୁଣବତ୍ତାକୁ ନେଇ ପଚାରୁ ନାହାନ୍ତି । ଏହି ପ୍ରକ୍ରିୟାଟି କେବଳ ଆମ ରାଜ୍ୟରେ ନୁହେଁ ସମଗ୍ର ବିଶ୍ଵର ସବୁ ଦେଶର ଲୋକଙ୍କ ସହିତ ଘଟୁଛି । ବିଶେଷକରି ଜଗତୀକରଣ ଓ ଘରୋଇକରଣ ଆସିବା ପରେ ଆମ ସଂସ୍କୃତି ଓ ଆମ ଖାଦ୍ୟ ସଂପୂର୍ଣ୍ଣ ଭାବରେ ବଜାର ଦ୍ଵାରା ପରିଚାଳିତ ହେଉଛି। ଜଗତୀକରଣ ପରେ ପିଜ୍ଜା, ବରଗର ଓ ସାଣ୍ଡୁଇଚ ଦୋକାନମାନ ବହୁତ ସଂଖ୍ୟାରେ ମିଳିଯାଉଛି । କିନ୍ତୁ ଏସବୁ ଅତ୍ୟନ୍ତ ନିମ୍ନ ମାନର ଓ ଖାଦ୍ୟ ପାଇଁ ଅଯୋଗ୍ୟ, ଏ ବିଷୟରେ ଆମକୁ କେହି ସୂଚନା ଦେଉ ନାହାନ୍ତି । ଯଦିଓ ଏହିସବୁ ଖାଦ୍ୟ ପଛରେ ଗୋଟିଏ ଗୋଟିଏ ଇତିହାସ ରହିଛି । ଏମାନେ ହୁଏତ କୌଣସି ଦେଶର ପାରମ୍ପରିକ ଖାଦ୍ୟ ହୋଇପାରନ୍ତି ।

ପ୍ରତ୍ୟେକ ସଭ୍ୟତାର ଖାଦ୍ୟର ଇତିହାସକୁ ଯଦି ଆମେ ନିରୀକ୍ଷଣ କରିବା ସବୁ ସଭ୍ୟତାରେ ନିଜର ପାରମ୍ପରିକ ଖାଦ୍ୟ ରହିଛି । ଗହମ, ଚାଉଳ, ମଣ୍ଡିଆ ଓ ମାଂସକୁ ବିଭିନ୍ନ ଉପାୟରେ, ବିଭିନ୍ନ ସ୍ଵାଦରେ ଲୋକେ ଖାଇଛନ୍ତି । କିଏ ଏହାକୁ ବ୍ରେଡ ଆକାରରେ ତ କିଏ ଭାତରେ ମିଶାଇ ବିଭିନ୍ନ ମସଲା ଦେଇ ଖାଦ୍ୟ ପ୍ରସ୍ତୁତ କରିଛନ୍ତି । କିନ୍ତୁ ଏବେ ବଜାରରେ ସେହିସବୁ ପୁରୁଣା ଖାଦ୍ୟ ନାମରେ ଯେଉଁ ପ୍ରୋସେସଡ ଖାଦ୍ୟ ମିଳୁଛି ତାହାର ଦ୍ରବ୍ୟଗୁଣ ଅତ୍ୟନ୍ତ ନିମ୍ନ ମାନର । ସେ ସମ୍ପର୍କରେ ଆମେ ସଚେତନ ହୋଇ ଏସବୁ ଖାଦ୍ୟ କିଣୁଛନ୍ତି କି ? ବଜାରର ମନମୁଖୀ ପ୍ରଚାର ଦ୍ଵାରା ଯେଉଁଭଳି ଆମେ ସମସ୍ତେ ପ୍ରଭାବିତ ହେଉଛନ୍ତି ଏହା ଆମ ସଂସ୍କୃତି, ଆମ ସ୍ୱାସ୍ଥ୍ୟ ଓ ଆମ ଭବିଷ୍ୟତ ପ୍ରତି କେଉଁଭଳି ବିପଦ ସୃଷ୍ଟି କରିଛି ? ଆଜିର ସମୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଆମେ ଏହି ପରିବର୍ତ୍ତନକୁ ସଚେତନ ଭାବେ ଗ୍ରହଣ କରୁଛୁ, ନା ନିଜର ପରିଚୟକୁ ହଜାଇବା ବଦଳରେ ଏକ ବିରାଟ ମୂଲ୍ୟ ଦେଉଛୁ?

ବିଶିଷ୍ଟ ଦେଶୀ ଚାଷୀ ନଟବର ଷଡଙ୍ଗୀ ଆମକୁ କହିଥିବା ଅମାଲୁର ବିଲୁପ୍ତିର କାହାଣୀ, ଆଜି ଆମର ଅନେକ ପାରମ୍ପରିକ ଖାଦ୍ୟ ଓ ସଂସ୍କୃତିର ବିଲୁପ୍ତି କାହାଣୀକୁ ଉଜାଗର କରିଛି । ନଟ ସାର୍ ଠିକ୍ କହିଛନ୍ତି, “ଆଜି ଆମ ଦେଶରେ ଯେପରି ଭାବରେ ବିଦେଶୀ ବିଷଯୁକ୍ତ ଖାଦ୍ୟ ସାମ୍ରାଜ୍ୟ ବିସ୍ତାର କରିଛି, ବହୁତ ଦେଶୀ ଖାଦ୍ୟ ଅଲୋଡ଼ା ହୋଇଯାଇଛନ୍ତି।” ହାଲୋଇ ସମ୍ରାଟ ଅମାଲୁ ଯାହା ଜଗନ୍ନାଥଙ୍କ ଛପନ ଭୋଗରେ ସ୍ଥାନ ପାଇଛି ବୋଲି ୭୦୦/୮୦୦ ବର୍ଷ ପୂର୍ବରୁ ଲିପିବଦ୍ଧ ହୋଇଥିଲା ଆଜି ସେ ନାମକୁ ମାତ୍ର ଭୋଗ ହୋଇ ରହିଯାଇଛି । ଏହା କେବଳ ଅମାଲୁର ହାରିଯିବାର ବିଷୟ ନୁହେଁ, ଏହା ଆମର ସମୁଦାୟ ଖାଦ୍ୟ ସଂସ୍କୃତିର ହାର ବୋଲି ବିଚାର କରାଯାଇପାରେ । ପାଇକମାଳର ମହୁଲ, ଚାର, କେନ୍ଦୁ, ମାଣ୍ଡିଆ, କୁଦୋ, ଗୁଞ୍ଜି, ରସକୀ, କନ୍ଦା କିମ୍ବା ଭଦ୍ରକ ଅଞ୍ଚଳର ଭଳିକି ଭଳି ଦେଶୀ ଧାନ, ଡାଲି, ପନିପରିବା, ସବୁଠି ଏହି ପରିବର୍ତ୍ତନ ଦେଖାଯାଇଛି । ଦେଶୀ ବିହନ ତ ନାହିଁ, ଦେଶୀ ଚାଉଳ ଆସିବ କେଉଁଠୁ ? ନଟବର ଷଡ଼ଙ୍ଗୀ କୁହନ୍ତି, ୭୦/୮୦ ବର୍ଷର ବୁଢ଼ା ବୁଢ଼ୀମାନେ ଆଜି ଅମାଲୁକୁ ଝୁରୁଛନ୍ତି। ଅମାଲୁ କାରିଗର ମରୁଡ଼ି। ଦେଶୀ ଘିଅ କିଲୋ ୧୨୦୦ ଟଙ୍କା । ତଥାପି ସେ ୯୩ ବର୍ଷ ବୟସରେ ବି ଆଶା ଛାଡ଼ି ନାହାଁନ୍ତି । ପୁଣିଥରେ ଦେଶୀ ଚାଷକୁ ଫେରିବାକୁ ଓ ଘରେ ଦେଶୀ ଗାଈ ରଖିବାକୁ ସମସ୍ତଙ୍କୁ ଚେତାବନୀ ଦେଉଛନ୍ତି । ତାଙ୍କ ମତରେ ଏହା ଛଡ଼ା ଆମ ପାଖରେ କିଛି ବାଟନାହିଁ । ଏହି ଆହ୍ୱାନ କେବଳ ଅମାଲୁ ପାଇଁ ନୁହେଁ, ଆମର ସମୁଦାୟ ଖାଦ୍ୟ ସଂସ୍କୃତି ପାଇଁ । ଆମେ ଆଜି ଏକ ସନ୍ଧିକ୍ଷଣରେ ଠିଆ ହୋଇଛନ୍ତି । ଗୋଟିଏ ପଟେ ଆଧୁନିକତା, ବିଶ୍ୱୀକରଣର ସୁବିଧା ସୁଯୋଗ, ଅମାପ ପ୍ରୋସେଡ଼ ଫୁଡ, ଯାହା ଆମ ପାଟିକୁ ଅନେକ ନୂଆ ସ୍ଵାଦ ଓ ଆନନ୍ଦ ଦେଉଛି, ଅନ୍ୟପଟେ ଆମର ସ୍ୱାସ୍ଥ୍ୟ, ଆମର ଭବିଷ୍ୟତ, ଆମର ମୂଳ ପରିଚୟ, ଆମର କୃଷି, ଆମର ସାଂସ୍କୃତିକ ଐତିହ୍ୟ, ଯାହା ବିପଦରେ ପଡ଼ିଛି, ମରିଯିବା ଅବସ୍ଥାରେ ଅଛି ।

ସମାଧାନ କ’ଣ? ଆମେ କ’ଣ କରିବା ? ଆମେ ଯାହା କରିପାରିବା, ତାହା ହେଉଛି ଏକ ସଚେତନ ପ୍ରୟାସ । ପାଇକମାଳର ବିଦ୍ୟାଧର ବିଛି, ଯଦୁମଣି ଡନସନା, ବସନ୍ତା ମହାନନ୍ଦ ଓ ନିଆଳିର ନଟବର ଷଡଙ୍ଗୀଙ୍କ ଭଳି ବୟସ୍କମାନେ ଆମର ଜୀବନ୍ତ ସଂଗ୍ରହାଳୟ । ସେମାନଙ୍କ ସ୍ମୃତିରେ ସଂରକ୍ଷିତ ହୋଇ ରହିଛି ଅନେକ ଅନୁଭୂତି ଓ ଜ୍ଞାନ, ଯାହା କୌଣସି ପୁସ୍ତକରେ ଲେଖା ହୋଇନାହିଁ। ସେମାନଙ୍କଠାରୁ ଶିଖିବା, ସେମାନଙ୍କ ଅଭିଜ୍ଞତାକୁ ଲିପିବଦ୍ଧ କରିବା ଆମର ଦାୟିତ୍ୱ । ଆମର ଗାଁ’ଗଣ୍ଡାର ବୟସ୍କା ମା’, ରୋଷେଇ କାରିଗର, ଗୁଡ଼ିଆ ଯେଉଁମାନେ ବର୍ତ୍ତମାନ ଅଛନ୍ତି, ସେମାନଙ୍କଠାରୁ ଆମେ ପୁରୁଣା ଖାଦ୍ୟ ରୋଷେଇ ଶିଖିବା ଆବଶ୍ୟକ। ଅମାଲୁ ହେଉ କି ଆମର ସ୍ଥାନୀୟ ପିଠା, ଶାଗ, ତରକାରୀର କୌଶଳ ହେଉ, ସବୁକିଛି ସଂଗ୍ରହ କରିବା, ଲିପିବଦ୍ଧ କରିବା, ଏବଂ ପ୍ରଚାର କରିବା ଆମର ଦାୟିତ୍ୱ । ଏହାଫଳରେ ଆମେ ଆମର କୃଷି ସଂସ୍କୃତିକୁ ସଂରକ୍ଷିତ କରିବା, ଏବଂ ଆମ ନୂଆ ପିଢ଼ିକୁ ଏ ବିଷୟରେ ସଚେତନ କରିବା । ସେମାନେ ଯଦି ସଚେତନ ହେବେ ତେବେ ଯାଇ ସଂସ୍କୃତି ସହିତ ଆମ ପରିବେଶ, ଗଛଲତା, ମାଟି, ପାଣି, ପବନ ଓ ଜୀବଜଗତକୁ ବଞ୍ଚାଇବା ପାଇଁ ସେମାନେ ପ୍ରସ୍ତୁତ ହେବେ ।

“ସମଧ୍ୱନି”ର ଏହି ସଂଖ୍ୟାରେ ଖାଦ୍ୟ ବିଷୟରେ ଏକ ଲମ୍ବା ସଂପାଦକୀୟ ଲେଖିବାର ଉଦ୍ଦେଶ୍ୟ ହେଲା, ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ବୁଝିବା ଓ ଏହାକୁ ସୁରକ୍ଷିତ କରିବା ଦିଗରେ ଏକ ଛୋଟ ପ୍ରୟାସ ଆରମ୍ଭ କରିବା । ଆମପାଇଁ ଖାଦ୍ୟ କେବଳ ପେଟ ପୁରିବା ବା ଉପଭୋଗ କରିବାର ବିଷୟ ନୁହେଁ । ଆମପାଇଁ ପ୍ରତ୍ୟେକଟି ଖାଦ୍ୟ, ପ୍ରତ୍ୟେକଟି ଖାଦ୍ୟଶସ୍ୟ ହେଉଛି ଗୋଟେ ଗୋଟେ କାହାଣୀ । ପ୍ରତ୍ୟେକ ସ୍ୱାଦ ହେଉଛି ଏକ ସ୍ମୃତି ।  ପ୍ରତ୍ୟେକ ଖାଦ୍ୟ ଧରିରଖିଛି ଆମର ସଂସ୍କୃତିର ପରିଚୟ, ଆମ ଇତିହାସ, ଯାହା ଆମ ସୁରକ୍ଷିତ ଭବିଷ୍ୟତର ଶ୍ରଷ୍ଠା । ପାଇକମାଳରେ ସଙ୍ଗୀତାଙ୍କ ଭଳି ଅନେକ ଯୁବ ପିଢି ଅତୀତର ଖାଦ୍ୟକୁ ଓ ନିଜ ଅଞ୍ଚଳର ସଂସ୍କୃତିକୁ ସୁରକ୍ଷିତ କରିବାପାଇଁ ପଣ ନେବା ଆମକୁ ଆଶା ଦେଉଛି ଯେ, ଆମର ଖାଦ୍ୟ ସଂସ୍କୃତି ସମ୍ପୂର୍ଣ୍ଣ ହଜିଯାଇନାହିଁ।

ଏହି ଯାତ୍ରାରେ ଆମ ସହିତ ସାମିଲ ହେବାପାଇଁ ସମଧ୍ଵନି ଆପଣମାନଙ୍କୁ ସ୍ୱାଗତ କରୁଛି । ଆସନ୍ତୁ, ଏକାଠି ହୋଇ ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ସୁରକ୍ଷିତ କରିବା ଓ ବିଶ୍ୱ ଦରବାରରେ ଏହାକୁ ଏକ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ଦେବା।

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.