‘ଓଡ଼ିଆ ସାହିତ୍ୟରେ ନାରୀ ସ୍ୱର’: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର

ଗତକାଲି ୨୦୨୬ ମସିହା ଫେବୃଆରୀ ୪ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ଆୟୋଜନ କରିଥିଲା ଏକ ଜାତୀୟ ଆଲୋଚନାଚକ୍ର। ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା, “ଓଡ଼ିଆ ସାହିତ୍ୟରେ ନାରୀ ସ୍ୱର”। ଉଦ୍‌ଘାଟନୀ ସଭାରେ ଗାନ୍ଧୀଜୀଙ୍କ ଚିନ୍ତାଧାରାରେ ରଚିତ ସାହିତ୍ୟରେ ନାରୀର ସ୍ୱର ସମ୍ପର୍କରେ ପ୍ରଥମେ ଆଲୋଚନା କରାଯାଇଥିଲା।

ଏହି ଆଲୋଚନାଚକ୍ରର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ସାହିତ୍ୟ ଗବେଷିକା, ପ୍ରଗତିଶୀଳ ନାରୀବାଦୀ ଲେଖିକା ଓ ନାଟ୍ୟକାର ଡ. ବିଧୁପ୍ରଭା ରଥ। ସେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟରେ ନାରୀମାନଙ୍କ ଅନୁଭୂତି, ନାରୀ ଚେତନା ଓ ସାମାଜିକ ପରିବର୍ତ୍ତନରେ ନାରୀଙ୍କ ଭୂମିକା ବିଷୟରେ ଗଭୀର ଭାବରେ ଆଲୋଚନା ରଖିଥିଲେ। ନିଜ ବକ୍ତବ୍ୟରେ ଡ. ରଥ ନାରୀର ସଂଘର୍ଷ ଓ ସୃଜନଶୀଳତା ଉପରେ ଆଲୋକପାତ କରିଥିଲେ। ସେ ଉଦାହରଣ ମାଧ୍ୟମରେ ସ୍ପଷ୍ଟ କରିଥିଲେ ଯେ, ଯୁଗେ ଯୁଗେ ନାରୀ ଲେଖିକାମାନଙ୍କୁ କିପରି ଅଣଦେଖା କରାଯାଇଛି ଓ ଆଜି ମଧ୍ୟ ନାରୀ ନିଜ ସ୍ୱରକୁ ଉପସ୍ଥାପିତ କରିବା ପାଇଁ କିପରି ସଂଘର୍ଷ କରିବାକୁ ପଡୁଛି।

ଛାତ୍ରଛାତ୍ରୀମାନଙ୍କୁ ସେ ଉନବିଂଶ ଶତାବ୍ଦୀର ରେବା ରାୟଙ୍କଠାରୁ ଆରମ୍ଭ କରି ଏକବିଂଶ ଶତାବ୍ଦୀର ନାରୀ ଲେଖିକା ଓ କବିମାନଙ୍କର ଅବଦାନ ବିଷୟରେ ଜଣାଇଥିଲେ। ସେ ପ୍ରଶ୍ନ ଉଠାଇଥିଲେ ଯେ, ଓଡ଼ିଶାର ସାହିତ୍ୟ ଜଗତ ହାତଗଣତି କିଛି ନାରୀଙ୍କ କଥା କହୁଥିବା ବେଳେ, ଅନେକ ନାରୀ ଲେଖିକାଙ୍କର ସ୍ୱର ଓ ସେମାନଙ୍କର ଲେଖନୀକୁ ସଚେତନ ଭାବରେ ଦୂରେଇ ଦେଇଛି। ତାଙ୍କର ଓଜସ୍ୱିନୀ ବକ୍ତବ୍ୟ, ଉପସ୍ଥାପନା ଓ ସେଥିରେ ପ୍ରକାଶ ପାଉଥିବା ଚିନ୍ତା-ଚେତନା ଅନେକ ଛାତ୍ରଛାତ୍ରୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା।

ଆମେ ସମଧ୍ୱନି ପୃଷ୍ଠାରେ ଓଡ଼ିଶାର ସଂସ୍କୃତି କ୍ଷେତ୍ରରେ ନାରୀମାନଙ୍କର ଯୋଗଦାନ ବିଷୟରେ ପୂର୍ବରୁ ମଧ୍ୟ ଅନେକଥର ପ୍ରକାଶ କରିଆସୁଛୁ । ଚଳିତ ସଂଖ୍ୟାରେ “ଓଡ଼ିଶୀ ସଙ୍ଗୀତ ରଚନାରେ ନାରୀମାନଙ୍କର ଯୋଗଦାନ” ବିଷୟରେ ଡ. ହିମାଦ୍ରି ତନୟା ମିଶ୍ରଙ୍କ ଏକ ଲେଖା ପ୍ରକାଶ ପାଇଛି।

Samadhwani Support us

ଓଡ଼ିଶାର ସଂସ୍କୃତିକୁ ଋଦ୍ଧିମନ୍ତ କରିବାରେ ନାରୀମାନଙ୍କର ଭୂମିକାକୁ ଆହୁରି ବ୍ୟାପକ ଭାବରେ ଆଲୋଚନା କରାଯିବା ଆବଶ୍ୟକ ବୋଲି ଆମେ ଅନୁଭବ କରୁଛୁ ଏବଂ ଏହି ବିଷୟରେ ଅଧିକ ଲେଖିବା ପାଇଁ ସବୁବେଳେ ଆହ୍ୱାନ ଦେଇଆସୁଛୁ। ନାରୀ ବିଷୟରେ ଚର୍ଚ୍ଚାକୁ ଆଗକୁ ନେବା ଉଦ୍ଦେଶ୍ୟରେ ଏହି ଆଲୋଚନାକୁ ଆମେ ଏଠାରେ ପ୍ରକାଶ କରୁଛୁ। ଡ. ବିଧୁପ୍ରଭା ରଥଙ୍କ ଅଭିଭାଷଣ, ଯାହା କୌଣସି ଜଣେ ଛାତ୍ରଛାତ୍ରୀଙ୍କ ସହଯୋଗରେ ଏକ ମୋବାଇଲ ମାଧ୍ୟମରେ ସଂଗ୍ରହ କରାଯାଇଛି, ତାହାକୁ ଆପଣମାନଙ୍କ ପାଇଁ ବିନା ଏଡିଟିଂରେ ଉପଲବ୍ଧ କରାଯାଇଛି।

 

   

Share This Article