ନୀରବ ହୋଇଗଲା ଜୈବ ଚିନ୍ତନର ସ୍ୱର

ବିଶିଷ୍ଟ ଦେଶୀଚାଷୀ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

Swayamprava Parhi (Chief Editor)
525 Views
3 Min Read

ସମଧ୍ୱନିର ଜଣେ ସମ୍ମାନନୀୟ ବରିଷ୍ଠ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ମାଟି, ପାଣି, ପବନ ଓ ଖାଦ୍ୟକୁ ବିଷମୁକ୍ତ କରିବା ପାଇଁ ଜୀବନବ୍ୟାପୀ ନିଜର ଲେଖନୀକୁ ଶାଣିତ କରି ସଂଗ୍ରାମ କରିଆସିଥିବା ବିଶିଷ୍ଟ ଦେଶୀ ଚାଷୀ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ ଗତ ୨୧ ଜାନୁଆରୀ ୨୦୨୬ ତାରିଖରେ ଆମ ଗହଣରୁ ଚିରବିଦାୟ ନେଇଛନ୍ତି। ଆମ ପାଖରେ କିନ୍ତୁ ଛାଡିଯାଇଛନ୍ତି ଅଜସ୍ର ସ୍ମୃତି । ତାଙ୍କର ପିଲାଦିନର ଅନେକ ସ୍ମୃତିକୁ ଆମେ ସମଧ୍ଵନି ପୃଷ୍ଠାର ବିଭିନ୍ନ ଲେଖା ଓ ଆଲୋଚନା ମାଧ୍ୟମରେ ଧରି ରଖିଛୁ । ଆଗକୁ ଆହୁରି ଅନେକ କଥା ଅପ୍ରକାଶିତ ଆଲୋଚନା ଗୁଡ଼ିକୁ ପ୍ରକାଶ କରିବାପାଇଁ ପ୍ରୟାସ କରିବୁ । ତଥାପି ମନେହୁଏ ଆହୁରି ଅନେକ ଆଲୋଚନା ବାକି ରହିଗଲା । ଅନେକ କଥା ସେ ଜରୁରୀ ବୋଲି କହୁଥିଲେ, ଯାହା ସମ୍ପର୍କରେ ସେ ଆଲୋଚନା କରିଥାନ୍ତେ । ସମୟ ଆମକୁ ସାଥି ଦେଲାନି ।

ଆମ ସହିତ ତାଙ୍କର ସମ୍ପର୍କ ଏତେ ନିବିଡ଼ ଯେ, ଏବେ ବି ମନେହୁଏ ତାଙ୍କର ଫୋନ ଆସିବ । କହିବେ ତୋତେ ଏକୋଇଶି ଥର କଲ କଲିଣି ତୁ ଫୋନ ଧରୁନୁ କାହିଁକି ? ଯେଉଁଦିନ କିଛି ନୂଆ କାମ କିମ୍ବା ନୂଆ ଲେଖା ଆରମ୍ଭ କରିବେ ସେଦିନ ଜଣ ଜଣ କରି ଆମ ସମସ୍ତଙ୍କୁ ପଚାରିବେ । ସମସ୍ତଙ୍କୁ ଅନ୍ୟମାନଙ୍କ ମତାମତ କ’ଣ ଥିଲା କହିବେ । ସେ କାହିଁକି ଏମିତି ଚିନ୍ତା କଲେ ଯୁକ୍ତି ମଧ୍ୟ ଦେବେ । ସକାଳୁ ସକାଳୁ ଖବର କାଗଜ ପଢିବା ତାଙ୍କର ଅତି ପୁରୁଣା ଅଭ୍ୟାସ । ଗୋଟିଏ କାଗଜ ନୁହଁ ଇଂରାଜୀ ଓ ଓଡିଆ ମିଶାଇ ୫-୭ଟି ଖବର କାଗଜ ସବୁଦିନେ ପଢିବେ । ଗତ କିଛି ବର୍ଷ ହେଲା ସେ ନିଜେ ମଧ୍ୟ ପ୍ରାୟ ସମାଜରେ ଲେଖାଲେଖି କରୁଥିଲେ । ପାରମ୍ପରିକ କୃଷି, ମାଟି, ପାଣି, ଓଡିଶା, ଭାରତର ତଥା ବିଶ୍ଵର କୃଷି ସମସ୍ୟାକୁ ଭଲକରି ବୁଝିଥିଲେ । ପୃଥିବୀର ଅନେକ କୃଷି ବିଜ୍ଞାନୀଙ୍କୁ ଭଲକରି ପଢୁଥିଲେ । ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରରେ କୃଷି ସମ୍ପର୍କିତ ଗବେଷଣାତ୍ମକ ପୁସ୍ତକର ପାଠାଗାର ତିଆରି କରିଥିଲେ ।

ତାଙ୍କର ପଢା ସହିତ ସମ୍ପର୍କ ଯେତିକି ଥିଲା ବିଲବାଡି, ଧାନ ବିହନ ସଂଗ୍ରହ, ପନିପରିବା ଚାଷ, କହିବାକୁ ଗଲେ ମାଟି ସହିତ ସମ୍ପର୍କ ବହୁତ ଅଧିକ ଥିଲା । ନିଜ ଉଦ୍ୟମରେ ଓ ଯୁବ ଚାଷୀ ଯୁବରାଜ ସ୍ଵାଇଁଙ୍କ ସହଯୋଗରେ ପାଖାପାଖି ୭୦୦ ପ୍ରକାରର ଧାନ ବିହନ ସଂଗ୍ରହ କରି ପ୍ରତି ବର୍ଷ ଏହାକୁ ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରରେ ଚାଷ କରୁଥିଲେ । କେବଳ ଚାଷ କରୁ ନଥିଲେ ସେ ଦେଶୀଚାଷ କରିବାପାଇଁ ଅନବରତ ଶିକ୍ଷା ଦେଉଥିଲେ । ଶହ ଶହ ଚାଷୀ ବିଭିନ୍ନ ଜିଲ୍ଲାରୁ ଆସି ତାଙ୍କ ନିକଟରୁ ଦେଶୀଚାଷ କରିବା ପ୍ରଣାଳୀ ଶିକ୍ଷା ଗ୍ରହଣ କରୁଥିଲେ । ବେଳେ ବେଳେ ଗଭୀର ଚିନ୍ତାରେ ସେ ପଡିଯାଉଥିଲେ । କହୁଥିଲେ କେମିତି ଏ ମାଟି ବଞ୍ଚିବ ? ତା କଥା ତ କେହି ଭାବିଲେନି । ମାଟି ମରିଯିବ … ଏମିତି କହି ଗମ୍ଭୀର ନିଶ୍ଵାସ ନେଉଥିଲେ ।

ସେ ଚାଲିଯିବା ପରେ ଚିନ୍ତନ, ଆଲୋଚନା ଓ ଗଭୀର ଆତ୍ମମନନରେ ସଦା ସକ୍ରିୟ ଥିବା ତାଙ୍କର ସ୍ୱର ଏବେ ସ୍ଥିର ହୋଇଯାଇଛି। ସମଧ୍ୱନି ପାଇଁ ତାଙ୍କର ବୌଦ୍ଧିକ ଅବଦାନ,  ଓ ସ୍ନେହଭରା ମାର୍ଗଦର୍ଶନ ସବୁବେଳେ ଅପୂରଣୀୟ ହୋଇ ରହିବ । ବିଶେଷକରି ଆମ ଗାଁ ଆମ ଜୀବନ କାର୍ଯ୍ୟକ୍ରମକୁ ବହୁଗୁଣିତ କରିବାପାଇଁ ତାଙ୍କର ଗାଁ’କୁ ନେଇ ଯେଉଁ ମାର୍ଗଦର୍ଶନ ଥିଲା ତାହା ଅତ୍ୟନ୍ତ ଗଭୀର ଓ ଦୂରଦର୍ଶୀ । ଆମେ ଭାଗ୍ୟବାନ୍ ଯେ, ଆମେ ତାଙ୍କଭଳି ଜଣେ ସଂସ୍କୃତି ସମ୍ପର୍ଣ୍ଣ ମଣିଷ, ଜୈବ ଚିନ୍ତକ, ଦେଶୀଚାଷୀ ତଥା ଶ୍ରଦ୍ଧାଳୁ ଶିକ୍ଷକଙ୍କର ସାନିଧ୍ୟ ଲାଭ କରିପାରିଛୁ ।

Samadhwani Support us

ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ଓ ସମବେଦନା ଅର୍ପଣ କରିବା ପାଇଁ, ଆସନ୍ତା ୨୬ ଜାନୁଆରୀ ୨୦୨୬ ତାରିଖ ସନ୍ଧ୍ୟା ୭ଟାରେ ଏକ ଅନଲାଇନ୍ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିବା ପାଇଁ ସମଧ୍ୱନି ସମ୍ପାଦକ ମଣ୍ଡଳୀ ନିଷ୍ପତ୍ତି ନେଇଛି। ଏହି ଦିନ ଆପଣଙ୍କ ଉପସ୍ଥିତି ଆମେ କାମନା କରୁଛୁ। ଆପଣଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.